ଭାରତର ଏହି ମଇଳା ସଫେଇ ସମସ୍ୟାର ଅନ୍ୟ ଏକ ମଇଳା ଦିଗ ହେଉଛି ଏଥି ସହିତ ଆଙ୍ଗାଙ୍ଗୀ ଭାବରେ ଜଡ଼ିତ ଥିବା ଜାତି ସମସ୍ୟା: ସରକାରୀ ସୂଚନା ଅନୁସାରେ ଦେଶରେ ସକ୍ରିୟ ଥିବା ସମସ୍ତ ମାନୁଆଲ୍ ସ୍କାଭେଞ୍ଜର୍ମାନଙ୍କର ୯୭ ପ୍ରତିଶତ ହେଉଛନ୍ତି ଦଳିତ ସମୁଦାୟର ସଦସ୍ୟ। ‘ସଫାଇ କର୍ମଚାରୀ ଆନ୍ଦୋଳନ’ ସଂଗଠନ ସୂତ୍ରରୁ ଉପଲବ୍ଧ ପରିସଂଖ୍ୟାନ ଅନୁସାରେ ଦେଶରେ ପ୍ରାୟ ୭,୭୦,୦୦୦ ସଂଖ୍ୟକ ମାନୁଆଲ୍ ସ୍କାଭେଞ୍ଜର୍ ରହିଛନ୍ତି।
ଏକ ଦଶନ୍ଧିରୁ ଅଧିକ କାଳ ତଳେ ନରେନ୍ଦ୍ର ମୋଦୀ ଯେତେବେଳେ ପ୍ରଥମ କରି ପ୍ରଧାନମନ୍ତ୍ରୀ ରୂପେ ଦେଶର ଶାସନ ଦାୟିତ୍ବ ଗ୍ରହଣ କଲେ, ତାଙ୍କର ଯାହା ଥିଲା ଏକରକମ ସର୍ବପ୍ରଥମ ପଦକ୍ଷେପ, ତାହା ହେଲା ଭାରତକୁ ଏକ ସ୍ବଚ୍ଛ ଦେଶରେ ପରିଣତ କରିବା ଉଦ୍ଦେଶ୍ୟରେ ଉଦ୍ୟମ ଆରମ୍ଭ କରିବା, ଯାହାର ସୁଫଳ ଏବେ ଊଣାଅଧିକେ ଦେଶବ୍ୟାପୀ ଅନୁଭୂତ ହେଉଛି। ଏହି ପରିପ୍ରେକ୍ଷୀରେ ତେଣୁ ଦେଶର ମେଟ୍ରୋ ନଗରପାଳିକାମାନଙ୍କର କମିସନରମାନଙ୍କୁ ଆଜି, ଫେବ୍ରୁଆରି ୧୩ ମଧ୍ୟରେ ଏକ ସତ୍ୟପାଠ ଦାଖଲ କରିବା ନିମିତ୍ତ ସୁପ୍ରିମ୍ କୋର୍ଟ ଦୁଇ ସପ୍ତାହ ତଳେ ଯେଉଁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି, ତାହା ଦେଖି ଆଶ୍ଚର୍ଯ୍ୟ ନ ହୋଇ ରହିହୁଏ ନାହିଁ। ଆଶ୍ଚର୍ଯ୍ୟ ହେବାର କାରଣ ହେଲା, ଏହି ସତ୍ୟପାଠ ମାଧ୍ୟମରେ ସେଇ କମିସନରମାନେ ସୁପ୍ରିମ୍ କୋର୍ଟଙ୍କୁ ଜଣାଇବେ ସେମାନଙ୍କ ନଗରୀମାନଙ୍କରେ କେମିତି ଓ କେବେ ହାତରେ ମଇଳା ଓ ନର୍ଦ୍ଦମା ସଫେଇ କାର୍ଯ୍ୟ (‘ମାନୁଆଲ୍ ସ୍କାଭେଞ୍ଜିଙ୍ଗ୍’/‘ସିୱର୍ କ୍ଲିନିଙ୍ଗ୍’)ରେ ଅନ୍ତ ଘଟାଯାଇଛି। ଏଥି ସହିତ ଦେଶରେ ତତ୍କ୍ଷଣାତ ‘ମାନୁଆଲ୍ ସ୍କାଭେଞ୍ଜିଙ୍ଗ୍’ରେ ଅନ୍ତ ଘଟାଇବା ନିମିତ୍ତ ସୁପ୍ରିମ୍ କୋର୍ଟ ମଧ୍ୟ ଆହ୍ବାନ ଦେଇଛନ୍ତି। ଅର୍ଥାତ୍ ଦେଶରେ ଏପର୍ଯ୍ୟନ୍ତ ମନୁଷ୍ୟ ହାତରେ ମଇଳା ସଫଳ କରିବା ପରମ୍ପରା ବଜାୟ ରହିଛି, ସତେ ଯେମିତି ଏହା ଏକ ସ୍ବଚ୍ଛ ଭାରତ ପରିକଳ୍ପନାର ଅଂଶ ନୁହେଁ!
ଉଲ୍ଲେଖଯୋଗ୍ୟ ଯେ ‘ମାନୁଆଲ୍ ସ୍କାଭେଞ୍ଜିଙ୍ଗ୍’ ବ୍ୟବସ୍ଥା କେବଳ ସ୍ବଚ୍ଛତାର ପରିପନ୍ଥୀ ନୁହେଁ, ଏହା ମଧ୍ୟ ହେଉଛି ଅବୈଧ। ଉଦାହରଣ ସ୍ବରୂପ ଆମ ଦେଶରେ ‘ପ୍ରୋହିବିସନ୍ ଅଫ୍ ଏମ୍ପ୍ଲଏମେଣ୍ଟ ଆଜ୍ ମାନୁଆଲ୍ ସ୍କାଭେଞ୍ଜର୍ସ ଆଣ୍ଡ୍ ଦେଆର୍ ରିହାବିଲିଟେସନ୍ ଆକ୍ଟ ୨୦୧୩’ ଏବଂ ‘ଏମ୍ପ୍ଲଏମେଣ୍ଟ ଅଫ୍ ମାନୁଆଲ୍ ସ୍କାଭେଞ୍ଜର୍ସ ଆଣ୍ଡ୍ କନ୍ଷ୍ଟ୍ରକ୍ସନ୍ ଅଫ୍ ଡ୍ରାଏ ଲାଟ୍ରିନ୍ସ (ପ୍ରୋହିବିସନ୍) ଆକ୍ଟ ୧୯୯୩’ ଅନୁସାରେ ମନୁଷ୍ୟ ହାତରେ ମଇଳା ସଫା ବୃତ୍ତିକୁ ସଂପୂର୍ଣ୍ଣ ରୂପେ ନିଷିଦ୍ଧ କରାଯାଇଛି। ଏହି ଅସଭ୍ୟ ବ୍ୟବସ୍ଥାକୁ ଜାରି ରଖିବା କେବଳ ଯେ ଅବୈଧ, ତାହା ନୁହେଁ, ଏହା ମଧ୍ୟ ହେଉଛି ଅସାଂବିଧାନିକ। କାରଣ ଭାରତର ନାଗରିକମାନଙ୍କୁ ସମ୍ମାନର ସହିତ ବଞ୍ଚିବାର ମୌଳିକ ଅଧିକାର ପ୍ରଦାନ କରୁଥିବା ସଂବିଧାନର ଧାରା-୨୧କୁ ଏହା ସ୍ପଷ୍ଟ ଭାବରେ ଉଲ୍ଲଂଘନ କରିଥାଏ।
ଆଇନ ଓ ସଂବିଧାନରେ ଥିବା ବ୍ୟବସ୍ଥା ସତ୍ତ୍ବେ ତଥାପି ଦେଶରେ ‘ମାନୁଆଲ୍ ସ୍କାଭେଞ୍ଜିଙ୍ଗ୍’ ବ୍ୟବସ୍ଥାର ସଂପୂର୍ଣ୍ଣ ଉଚ୍ଛେଦ ଘଟି ନ ଥିବାରୁ ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିବା ସଙ୍ଗେ ସଙ୍ଗେ ଦେଶର ମେଟ୍ରୋ ନଗରପାଳିକାମାନଙ୍କର କର୍ମକର୍ତ୍ତାମାନଙ୍କୁ ଚେତାବନୀ ଶୁଣାଇଛନ୍ତି। ଅଦାଲତଙ୍କୁ ଆଉ ଯାହା ବିଶେଷ ଭାବରେ କ୍ଷୁବ୍ଧ କରିଛି, ତାହା ହେଲା, ଆଇନ ଓ ସଂବିଧାନରେ ଥିବା ଉପର ଲିଖିତ ବ୍ୟବସ୍ଥା ବାଦ ଖୋଦ ସୁପ୍ରିମ୍ କୋର୍ଟ ମଧ୍ୟ ଅକ୍ଟୋବର ୨୦୨୩ରେ ଏହି ଅମାନବୀୟ ବ୍ୟବସ୍ଥାରେ ଅନ୍ତ ଘଟାଇବା ନିମିତ୍ତ ପଦକ୍ଷେପମାନ ନେବା ପାଇଁ ଦେଶର ସମସ୍ତ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସତ୍ତ୍ବେ ମାତ୍ର କେତେଦିନ ତଳେ ତିନି ଜଣ ମାନୁଆଲ୍ ସ୍କାଭେଞ୍ଜର୍ ମୃତ୍ୟୁମୁଖରେ ପଡ଼ିବା ଘଟଣା ପ୍ରତି ଦୃଷ୍ଟି ଆକର୍ଷଣ କରି ଅଦାଲତ ଭୀଷଣ ରୋଷ ପ୍ରକାଶ କରିଥିଲେ।
କଲିକତାରେ ମାତ୍ର କେତେଦିନ ତଳେ ହାତରେ ନର୍ଦ୍ଦମା ସଫେଇ କାର୍ଯ୍ୟରେ ନିୟୋଜିତ ଥିବା ଅବସ୍ଥାରେ ଏହି ତିନି ଜଣ ସଫେଇ କର୍ମଚାରୀଙ୍କର ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିଲା। ଚମଡ଼ା ଟ୍ୟାନେରି କାରଖାନାରୁ ନିର୍ଗତ ବିଷାକ୍ତ ରାସାୟନିକ ପଦାର୍ଥମାନ ଦ୍ବାରା ପ୍ରଦୂଷିତ ଏହି ନର୍ଦ୍ଦମାର ଆବର୍ଜନା ସଫା କରିବାବେଳେ ସେଇ ହତଭାଗ୍ୟ ମାନୁଆଲ୍ ସ୍କାଭେଞ୍ଜର୍ମାନେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ବିପଜ୍ଜନକ ବର୍ଜ୍ୟବସ୍ତୁକୁ ଯଦି ନର୍ଦ୍ଦମାରେ ଛାଡ଼ିବା ପୂର୍ବରୁ ତାହାର ପରିଷ୍କରଣ କରାଯାଇଥାନ୍ତା, ତା’ହେଲେ ଏହି ଦୁର୍ଘଟଣା ଘଟି ନଥାନ୍ତା। କିନ୍ତୁ କାରଖାନା କର୍ତ୍ତୃପକ୍ଷଙ୍କର ଉଦାସୀନତା, ଦାୟିତ୍ବହୀନତା ଓ ଖର୍ଚ୍ଚ ବଞ୍ଚାଇବାର ପ୍ରଲୋଭନ ଯୋଗୁଁ ସେଇ ବିଷାକ୍ତ ପଦାର୍ଥକୁ ସିଧାସଳଖ ସାଧାରଣ ନର୍ଦ୍ଦମାରେ ପକାଇ ଦିଆଯାଇଥିଲା। ଅଦାଲତ କ୍ଷୋଭ ପ୍ରକଟ କରି ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ଯେ ରାଜ୍ୟମାନେ ଅଦାଲତଙ୍କର ନିର୍ଦ୍ଦେଶ ପାଳନ କରିବାରେ ବିଫଳ ହୋଇଛନ୍ତି ଏବଂ ଏ ବାବଦରେ ଯଦି କେହି ମିଥ୍ୟା ସତ୍ୟପାଠ କରନ୍ତି, ତାହାକୁ ଅଦାଲତ ଅବମାନନା ରୂପେ ବିଚାର କରାଯିବ।
ଚିନ୍ତାଜନକ ଭାବରେ ନିର୍ଦ୍ଦେଶ ପାଳନରେ ଏଭଳି ଖିଲାପ ପାଇଁ ସଂପୃକ୍ତ କର୍ତ୍ତୃପକ୍ଷମାନେ ପରସ୍ପରକୁ ଦୋଷ ଦେବାରେ ଲାଗିପଡ଼ିବା ଦେଖାଯାଇଛି। ଶୁଣାଣି ସମୟରେ କେନ୍ଦ୍ର ସରକାର କହିବା ଦେଖାଯାଇଥିଲା ଯେ ପରିମଳ ହେଉଛି ଏକ ରାଜ୍ୟ ତାଲିକାଭୁକ୍ତ ବିଷୟ ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିମିତ୍ତ କେନ୍ଦ୍ର ସରକାର ରାଜ୍ୟମାନଙ୍କ ସହିତ ଆଲୋଚନା ଆୟୋଜନ କରାଇଥିଲେ। କୌଣସି କର୍ତ୍ତୃପକ୍ଷ କିନ୍ତୁ ଏହି ଘୃଣ୍ୟ ବ୍ୟବସ୍ଥାରେ ଅନ୍ତ ଘଟାଇବା ନିମିତ୍ତ ଆନ୍ତରିକ ପଦକ୍ଷେପ ଗ୍ରହଣ କରିନାହାନ୍ତି। ଏଥିଯୋଗୁଁ ଦେଶର ପ୍ରାୟ ୪୦ ପ୍ରତିଶତ ଜିଲ୍ଲାରେ ତଥାପି ଏପର୍ଯ୍ୟନ୍ତ ମାନୁଆଲ୍ ସ୍କାଭେଞ୍ଜିଙ୍ଗ୍ ବ୍ୟବସ୍ଥା କାର୍ଯ୍ୟ କରୁଛି ଏବଂ ଦୁର୍ଭାଗ୍ୟଜନକ ଭାବରେ ଏଥିରେ ନିୟୋଜିତ ଥିବା ଅବସ୍ଥାରେ ୨୦୧୯ ଠାରୁ ପ୍ରତିବର୍ଷ ପ୍ରାୟ ୭୫-୮୦ ଜଣ ମାନୁଆଲ୍ ସ୍କାଭେଞ୍ଜର୍ ମୃତ୍ୟୁମୁଖରେ ପଡ଼ି ଚାଲିଛନ୍ତି। ମଇଳା ଟାଙ୍କି କିମ୍ବା ନର୍ଦ୍ଦମାରୁ ନିର୍ଗତ ବିଷାକ୍ତ ବାଷ୍ପ ଆଘ୍ରାଣ ଯୋଗୁଁ କିମ୍ବା ଅନ୍ୟ କୌଣସି ଦୁର୍ଘଟଣା ଯୋଗୁଁ ସେମାନେ ଏଭଳି ଦଶା ଭୋଗିଥାନ୍ତି।
ଦୁଃଖଦାୟକ ଭାବରେ ରାଜ୍ୟମାନେ ନିଜର ଏହି ଦାୟିତ୍ବ ଏଡ଼ାଇବା ନିମିତ୍ତ ଆଇନରେ ଥିବା ଏକ ଛିଦ୍ରକୁ ବ୍ୟବହାର କରିବାକୁ ପଛାଇ ନାହାନ୍ତି। ଆଇନରେ ‘ମାନୁଆଲ୍ ସ୍କାଭେଞ୍ଜିଙ୍ଗ୍’ ଓ ‘ହାଜାର୍ଡସ୍ କ୍ଲିନିଙ୍ଗ୍’ (ବିପଜ୍ଜନକ ସଫେଇ) ମଧ୍ୟରେ ଏକ ପାର୍ଥକ୍ୟ ଦର୍ଶାଯାଇଥିବାରୁ ତାହାକୁ ବ୍ୟବହାର କରି ରାଜ୍ୟମାନେ ଦାବି କରୁଛନ୍ତି ଯେ ‘ମାନୁଆଲ୍ ସ୍କାଭେଞ୍ଜିଙ୍ଗ୍’ର ସଂପୂର୍ଣ୍ଣ ଉଚ୍ଛେଦ ସାଧନ ହୋଇଛି। ଅଦାଲତ ସଫେଇ କାର୍ଯ୍ୟରେ ମେସିନ୍ ଓ ସୁରକ୍ଷା କବଚର ବ୍ୟବହାର ପାଇଁ ନିର୍ଦ୍ଦେଶ ଦେଇଥିଲେ ହେଁ, ତାହାର ପାଳନରେ ଘୋର ଅବହେଳା ପରିଦୃଷ୍ଟ ହୋଇଛି। ସେହିପରି କୌଣସି ମାନୁଆଲ୍ ସ୍କାଭେଞ୍ଜର୍ଙ୍କର ମୃତ୍ୟୁ ଘଟିଲେ ତାଙ୍କର ଆତ୍ମୀୟଙ୍କୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବା ନିମିତ୍ତ ସୁପ୍ରିମ୍ କୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି, ତାହା କ୍ବଚିତ୍ ପାଳନ ହେବା ଦେଖାଯାଉଛି।
ଭାରତର ଏହି ମଇଳା ସଫେଇ ସମସ୍ୟାର ଅନ୍ୟ ଏକ ମଇଳା ଦିଗ ହେଉଛି ଏଥି ସହିତ ଆଙ୍ଗାଙ୍ଗୀ ଭାବରେ ଜଡ଼ିତ ଥିବା ଜାତି ସମସ୍ୟା: ସରକାରୀ ସୂଚନା ଅନୁସାରେ ଦେଶରେ ସକ୍ରିୟ ଥିବା ସମସ୍ତ ମାନୁଆଲ୍ ସ୍କାଭେଞ୍ଜର୍ମାନଙ୍କର ୯୭ ପ୍ରତିଶତ ହେଉଛନ୍ତି ଦଳିତ ସମୁଦାୟର ସଦସ୍ୟ। ‘ସଫାଇ କର୍ମଚାରୀ ଆନ୍ଦୋଳନ’ ସଂଗଠନ ସୂତ୍ରରୁ ଉପଲବ୍ଧ ପରିସଂଖ୍ୟାନ ଅନୁସାରେ ଦେଶରେ ପ୍ରାୟ ୭,୭୦,୦୦୦ ସଂଖ୍ୟକ ମାନୁଆଲ୍ ସ୍କାଭେଞ୍ଜର୍ ରହିଛନ୍ତି। ମାନବାଧିକାର ଦୃଷ୍ଟିରୁ କୌଣସି ସମାଜରେ ମାନୁଆଲ୍ ସ୍କାଭେଞ୍ଜିଙ୍ଗ୍ ଗ୍ରହଣୀୟ ହୋଇ ନ ଥିବାବେଳେ, ଭାରତୀୟ ସମାଜର ଦୁର୍ବଳତମ ବର୍ଗର ଏଭଳି ପ୍ରାୟ ଏକଚାଟିଆ ଉପସ୍ଥିତି ଏହି ବୃତ୍ତିକୁ ଏକ ଚରମ ସାମାଜିକ ଅନ୍ୟାୟର ଉଦାହରଣରେ ପରିଣତ କରିଥାଏ। ଆଶା କରାଯାଏ ସୁପ୍ରିମ୍ କୋର୍ଟ ଏଥର ଆହୁରି କଠୋର ପଦକ୍ଷେପ ନେଇ ଦେଶରୁ ଏହାର ମୂଳୋତ୍ପାଟନ ଘଟାଇବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/OAnDiWZ5zjRDfuWfWgMX.jpg)