ରାଜ୍ୟ ନିର୍ବାଚନଗୁଡ଼ିକରେ ବିଜେପିର ପ୍ରଦର୍ଶନ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଯୋଡ଼ିବା ବିଭ୍ରାନ୍ତିକର ହୋଇପାରେ; ରାଜ୍ୟ ନିର୍ବାଚନଗୁଡ଼ିକରେ ସ୍ଥାନୀୟ ବା ଆଞ୍ଚଳିକ ନେତାମାନଙ୍କ ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଧିକ ପ୍ରାଧାନ୍ୟ ପ୍ରଦାନ କରାଯାଉଥିଲେ ହେଁ ବାରମ୍ବାର ଏହା ପ୍ରମାଣିତ ହୋଇ ଚାଲିଛି ଯେ କୌଣସି ରାଜ୍ୟରେ ବିଜେପିର ପରାଜୟର କାରଣ ହୋଇଛି ଆଞ୍ଚଳିକ ବିଜେପି ରାଜନୀତି ଏବଂ ରାଜନେତାଙ୍କ ବିଫଳତା ଏବଂ ନରେନ୍ଦ୍ର ମୋଦୀଙ୍କ ପ୍ରଭାବରୁ ଏଥିରେ ହୁଏ’ତ ଜୟଲାଭ କରାଯାଇ ନ ପାରେ; କିନ୍ତୁ ଲୋକସଭା ନିର୍ବାଚନରେ ବିଜେପିର ପ୍ରଦର୍ଶନ ସଂଦର୍ଭରେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବେ ନରେନ୍ଦ୍ର ମୋଦୀ।

Advertisment

ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ଏବଂ ମିଜୋରମ: ଏଭଳି ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଲାଗି ପର୍ଯ୍ୟାୟ କ୍ରମେ ଭୋଟ ଦାନ ପ୍ରକ୍ରିୟା ଗଲା ୧୭ ତାରିଖରୁ ଆରମ୍ଭ ହୋଇଛି, ଯାହା ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ଏ ସବୁର ଫଳାଫଳ ଡିସେମ୍ବର ୩ ତାରିଖରେ ଘୋଷିତ ହେବ। ତେବେ ଦେଶରେ ଏକ ସାଧାରଣ ନିର୍ବାଚନ ପୂର୍ବରୁ ଅନୁଷ୍ଠିତ ହେଉଥିବା ରାଜ୍ୟ ବିଧାନସଭା ନିର୍ବାଚନଗୁଡ଼ିକୁ ‘ସେମି ଫାଇନାଲ’ ରୂପେ ଅଭିହିତ କରାଯାଇ ପାରିବ କି? ଏହାର ଉତ୍ତର ନାସ୍ତିବାଚକ ହେବ; କାରଣ, ବିଗତ ପ୍ରାୟ ଦୁଇ ଦଶନ୍ଧି ଧରି ବାରମ୍ବାର ଏହି ଧାରଣା ଭୁଲୁଣ୍ଠିତ ହେବାରେ ଲାଗିଛି ଯେ ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳରୁ ଲୋକସଭା ନିର୍ବାଚନ ଫଳାଫଳ ନେଇ ଅନ୍ଦାଜ ଲଗାଯାଇପାରେ। ସ୍ମରଣରେ ଅଛି ଯେ ୨୦୦୩ ମସିହାରେ କେତେକ ଉତ୍ତର ଭାରତୀୟ ରାଜ୍ୟରେ ନିର୍ବାଚନ ଫଳାଫଳ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ବାଧୀନ ବିଜେପି ସରକାରକୁ ପରବର୍ତ୍ତୀ ସାଧାରଣ ନିର୍ବାଚନରେ ଉତ୍ତମ ପ୍ରଦର୍ଶନ ଏବଂ ବିଜୟ ନେଇ ଏକ ପ୍ରକାର ନିଶ୍ଚିତ କରି ପକାଇଥିଲା, ଯାହା କିନ୍ତୁ ଅବଲୀଳା କ୍ରମେ ଏକ ଅନପେକ୍ଷିତ ପରାଜୟରେ ହିଁ ସମାପ୍ତ ହୋଇଥିଲା। ଏହା ସତ୍ତ୍ବେ ଏଥିରେ ଦ୍ବିରୁକ୍ତି ନାହିଁ ଯେ ଉପରୋକ୍ତ ପାଞ୍ଚଟି ନିର୍ବାଚନରେ ସଫଳତା ଲାଭ କରିଥିବା ଦଳଗୁଡ଼ିକ ଏହାକୁ ‘ସେମି ଫାଇନାଲ’ ରୂପେ ବିବେଚନା କରି ବ୍ୟାଖ୍ୟାନ ଓ ଧାରଣା ନିର୍ମାଣର ପ୍ରୟାସରେ ନିମଗ୍ନ ହେବେ ଏବଂ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଆକଳନ, ପୂର୍ବାନୁମାନ ଏବଂ ନିଷ୍କର୍ଷମାନଙ୍କ ପ୍ରାବଲ୍ୟ ମଧ୍ୟରେ ଦେଶର ରାଜନୈତିକ ବାତାବରଣ ଉଷ୍ମ ହେବା ଆରମ୍ଭ କରିବ। ସେହି ଦୃଷ୍ଟିରୁ ଏହି ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଏହି ନିର୍ବାଚନଗୁଡ଼ିକ ଉପରେ ଅନ୍ତରଙ୍ଗ ଦୃଷ୍ଟି ରଖିଥିବା ବିଶ୍ଳେଷକମାନେ କହିଥାଆନ୍ତି ଯେ ‘ହିନ୍ଦୀ ହୃଦ୍‌ସ୍ଥଳ’ର ଏକ ଗୁରୁତ୍ବପୂର୍ଣ୍ଣ ରାଜ୍ୟ ମଧ୍ୟପ୍ରଦେଶରେ ଦୀର୍ଘ ଦୁଇ ଦଶନ୍ଧି ଧରି ମୁଖ୍ୟମନ୍ତ୍ରୀ ପଦରେ ରହି ଆସିଥିବା ଶିବରାଜ ସିଂହ ‌େଚୗହାନ (ବା ତାଙ୍କ ଦଳ ବିଜେପି) ହୁଏତ ନିର୍ଦ୍ଦିଷ୍ଟ ଭାବେ ‘ଆଣ୍ଟି ଇନକଂବେନ୍‌ସି ଫାକ୍ଟର’ ବା ‘ଦୀର୍ଘକାଳ ଧରି କ୍ଷମତାସୀନ ହୋଇ ରହିବା ଜନିତ ବିରୋଧ’ର ସାମନା କରି ନ ପାରେ; କିନ୍ତୁ ଏକ ପ୍ରଲମ୍ବିତ ଅପରିବର୍ତ୍ତିତ ଶାସନ ଦ୍ବାରା କ୍ଳାନ୍ତ ନାଗରିକଗଣ ଏକ ପରିବର୍ତ୍ତନ ଚାହିଁ ପାରନ୍ତି, ଯାହାର ଲାଭ ନେବ କଂଗ୍ରେସ। ସେମାନେ କହିଥାନ୍ତି ଯେ ଏଭଳି ପରିସ୍ଥିତି ପରିପ୍ରେକ୍ଷୀରେ ବିଜେପି ତା’ର ରାଜନୈତିକ ପରିପକ୍ବତା ପ୍ରଦର୍ଶନ କରି ଆଠ ଜଣ କେନ୍ଦ୍ର ମନ୍ତ୍ରୀ ଏବଂ ରାଷ୍ଟ୍ର-ସ୍ତରୀୟ ନେତାଙ୍କୁ ରାଜ୍ୟ ବିଧାନସଭା ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ କରାଇଛି ଏବଂ ଶିବରାଜ ସିଂହ ଚୌହାନଙ୍କୁ ଆଗାମୀ ମୁଖ୍ୟମନ୍ତ୍ରୀ ରୂପେ ଉପସ୍ଥାପନ କରିନାହିଁ; ଯହିଁରେ ଏହି ସନ୍ଦେଶ ସ୍ପଷ୍ଟ ଯେ ଏହି ନୂତନତା ଭୋଟରମାନଙ୍କ କ୍ଳାନ୍ତି ଅପନୋଦନ କରୁ! ଅପର ପକ୍ଷେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା କମଳନାଥ ଜଣେ ଅଭିଜ୍ଞ ରାଜନେତାର ପରିଚୟ ଦେଇ ମଧ୍ୟପ୍ରଦେଶରେ ‘କୋମଳ ହିନ୍ଦୁତ୍ବ’ର ମୃଦୁ ଅବଲମ୍ବନ ସହିତ ବିଜେପିର ଏ କ୍ଷେତ୍ରରେ ଏକାଧିପତ୍ୟ କ୍ଷୁଣ୍ଣ କରିବାର ପ୍ରଚେଷ୍ଟା କରିଛନ୍ତି; ଯେଉଁ କାରଣରୁ ତାଙ୍କ ନିର୍ବାଚନୀ ପ୍ରଚାରରେ କଂଗ୍ରେସ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଦ୍ବାରା ୧୯୮୬ ମସିହାରେ ରାମ ମନ୍ଦିିର ତାଲା ଖୋଲାଯିବା ସଂଦର୍ଭ ବାରମ୍ବାର ଉତ୍‌ଥାପିତ ହେବାରେ ଲାଗିଛି। ସମୀକ୍ଷକମାନଙ୍କ ମତରେ ମଧ୍ୟପ୍ରଦେଶରେ ପ୍ରତିଦ୍ବନ୍ଦ୍ବିତା ତୀବ୍ର ହେବ ସତ; କିନ୍ତୁ କଂଗ୍ରେସ କ୍ଷମତା ଦଖଲ କରିବାର ସମ୍ଭାବନା ଅଧିକ। ସେହିଭଳି ମଧ୍ୟପ୍ରଦେଶର ପଡ଼ୋଶୀ ରାଜ୍ୟ ଛତିଶଗଡ଼ ମଧ୍ୟ କଂଗ୍ରେସର ସଫଳତା ଦେଖିବାର ସମ୍ଭାବନା ଅଧିକ, ଯାହାର କାରଣ କ୍ଷମତାସୀନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଲୋକପ୍ରିୟତା ଏବଂ ନିଜକୁ ଜଣେ ନିଷ୍ଠାପର ହିନ୍ଦୁ ରୂପେ ଉପସ୍ଥାପନ କରିବାରେ ସାଫଲ୍ୟ। ଅନେକଙ୍କ ମତରେ କଂଗ୍ରେସୀ ହୋଇଥିବା ସ୍ଥଳେ ଉଭୟ କମଳନାଥ ଏବଂ ଭୂପେଶ ବାଘେଲ ବ୍ୟକ୍ତିଗତ ଭାବେ ହିନ୍ଦୁ ପକ୍ଷବାଦୀ ରୂପେ ପ୍ରଦର୍ଶିତ କରିବାକୁ ସଚେଷ୍ଟ ଏବଂ କେତେକାଂଶରେ ସଫଳ ମଧ୍ୟ! ତେବେ, ସମୀକ୍ଷକମାନଙ୍କ ମତରେ ରାଜସ୍ଥାନ ଏବଂ ତେଲେଙ୍ଗାନା ‘ଆ‌ଣ୍ଟି ଇନ୍‌କଂବେନ୍‌ସି ଫାକ୍ଟର’ର ସମ୍ମୁଖୀନ ହେବାର ସମ୍ଭାବନା ଅଧିକ; ଯହିଁରେ ସେହି ରାଜ୍ୟ ଦ୍ବୟର ଶାସକ ଦଳ ଯଥାକ୍ରମେ କଂଗ୍ରେସ ଏବଂ ଭାରତ ରାଷ୍ଟ୍ର ସମିତି ବା ‘ବିଆରଏସ୍’ କ୍ଷମତା ହରାଇବାର ସମ୍ଭାବନା ଅଧିକ, ଯହିଁରେ ରାଜସ୍ଥାନରେ ବିଜେପି ଏବଂ ତେଲେଙ୍ଗାନାରେ କଂଗ୍ରେସ ଲାଭବାନ ହେବେ। ସେହିଭଳି ଉତ୍ତର ପୂର୍ବୀୟ ରାଜ୍ୟ ମିଜୋରାମରେ ‘ମିଜୋ ପରିଚୟ’ ପ୍ରସଙ୍ଗ ଭୋଟରମାନଙ୍କ ସକାଶେ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଛି ଏବଂ ମଣିପୁର ଗୃହଯୁଦ୍ଧ ପରିସ୍ଥିତି ପରି‌ପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ଭୂମିକା ଦ୍ବାରା ସୃଷ୍ଟ ବ୍ୟାଖ୍ୟାନ ସେଠାକାର ନିର୍ବାଚନ ଫଳାଫଳ ଉପରେ ପ୍ରଭାବ ପକାଇବାର ସମ୍ଭାବନା ଅଧିକ, ଯାହା ହେଲା କ୍ଷମତାର ନାଭିକେନ୍ଦ୍ର ଦିଲ୍ଲୀ ଚକ୍ଷୁରେ ଉତ୍ତର ପୂର୍ବୀୟ ଭାରତ ଅପାଂକ୍ତେୟ।
ପ୍ରକାଶ ଥାଉ କି ଏହି ନିର୍ବାଚନ କାଳରେ ମୋଟାମୋଟି ଭା‌ବେ ତିନିଟି ଧାରା ପ୍ରଗାଢ଼ତା ଲାଭ କରିଛି। ପ୍ରଥମଟି ହେଲା ଏହା ‌େଯ ଏକ ମୂଲ୍ୟବୋଧଭିତ୍ତିକ ଭିନ୍ନ ଦଳ ଭାବେ ବିଜେପି ସ୍ଥାପନ କରିଥିବା ତା’ର ବ୍ରାଣ୍ଡ କ୍ରମେ କ୍ଷୁଣ୍ଣ ହେବାରେ ଲାଗିଛି; ବିଭିନ୍ନ ରାଜ୍ୟରେ ନିର୍ବାଚିତ ହୋଇ ଶାସନ କରୁଥିବା ବିରୋଧୀ ଦଳର ସରକାରଗୁଡ଼ିକର ପତନ କଳେ-ବଳେ-କୌଶଳେ ଘଟାଇବା କିମ୍ବା ଭୋଟ ପାଇବା ସକାଶେ ବିପୁଳ ମାଗଣା ବଣ୍ଟନର ପ୍ରତିଶ୍ରୁତି ଦେବା (ରାଜସ୍ଥାନ ଏବଂ ତେଲେଙ୍ଗାନା) ବା ଜାତି ଭିତ୍ତିକ ଭୋଟ ବ୍ୟାଙ୍କ ସୃଷ୍ଟି କରିବା (ତେଲେଙ୍ଗାନାରେ ଅନୁସୂଚିତ ମାଦିଗା) ଭଳି କାର୍ଯ୍ୟଗୁଡ଼ିକରୁ ବିଜେପିର ‘କଂଗ୍ରେସୀକରଣ’ ହୋଇଯାଇଛି ବୋଲି ଧାରଣା ଦୃଢ଼ ହେଲାଣି, ଯାହା ମୂଲ୍ୟବୋଧଭିତ୍ତିକ ରାଜନୀତିର ଅନୁଗାମୀ ବିଜେପିର ମୂଳ ସମର୍ଥକ ଅସଂଖ୍ୟ ଜନସଂଘୀଙ୍କୁ ବିତୃଷ୍ଣ କଲାଣି। ସୁତରାଂ, ବିଜେପି ତା’ର ମୌଳିକତା ବଜାୟ ରଖିବା ଦିଗରେ ଅଧିକ ଦୃଷ୍ଟି ଦେବା ଆବଶ୍ୟକ। ଦ୍ବିତୀୟ ଧାରାଟି ହେଲା ଭାରତରେ ରାଜନୈତିକ ଦଳଗୁଡ଼ିକ ‘ମୁସଲିମ ସମର୍ଥକ’ ହୋଇ ନିର୍ବାଚନ ସଫଳତା ଲାଭ କରିପାରିବେ; ଯେମିତି ‘ତୃଣମୂଳ କଂଗ୍ରେସ’ ବା ‘ଆପ୍‌’ କରିପାରିଛି; କିନ୍ତୁ ‘ହିନ୍ଦୁ ବିରୋଧୀ’ ରୂପେ ଆଖ୍ୟାୟିତ ହୋଇ ସଫଳକାମ ହେବାର ଆଶା ଅତ୍ୟନ୍ତ କ୍ଷୀଣ। ଏହା କଂଗ୍ରେସ ଲାଗି ଏକ ଦିଗ ନିର୍ଣ୍ଣାୟକ କଂପାସ ତୁଲ୍ୟ ହେବା ଉଚିତ। ତୃତୀୟ ଧାରାଟି ହେଲା ରାଜ୍ୟ ନିର୍ବାଚନଗୁଡ଼ିକରେ ବିଜେପିର ପ୍ରଦର୍ଶନ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଯୋଡ଼ିବା ବିଭ୍ରାନ୍ତିକର ହୋଇପାରେ; ରାଜ୍ୟ ନିର୍ବାଚନଗୁଡ଼ିକରେ ସ୍ଥାନୀୟ ବା ଆଞ୍ଚଳିକ ନେତାମାନଙ୍କ ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଧିକ ପ୍ରାଧାନ୍ୟ ପ୍ରଦାନ କରାଯାଉଥିଲେ ହେଁ ବାରମ୍ବାର ଏହା ପ୍ରମାଣିତ ହୋଇ ଚାଲିଛି ଯେ କୌଣସି ରାଜ୍ୟରେ ବିଜେପିର ପରାଜୟର କାରଣ ହୋଇଛି ଆଞ୍ଚଳିକ ବିଜେପି ରାଜନୀତି ଏବଂ ରାଜନେତାଙ୍କ ବିଫଳତା ଏବଂ ନରେନ୍ଦ୍ର ମୋଦୀଙ୍କ ପ୍ରଭାବରୁ ଏଥିରେ ହୁଏ’ତ ଜୟଲାଭ କରାଯାଇ ନ ପାରେ; କିନ୍ତୁ ଲୋକସଭା ନିର୍ବାଚନରେ ବିଜେପିର ପ୍ରଦର୍ଶନ ସଂଦର୍ଭରେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବେ ନରେନ୍ଦ୍ର ମୋଦୀ।