ସ୍ମାର୍ଟ ଫୋନ୍ ସ୍କ୍ରିନ୍‌ରେ ଟିପ ଛୁଇଁଦେଲେ ଆଖି ପିଛୁଳାକରେ ଅସୁମାରି ସୂଚନା ଉପଲବ୍‌ଧ ହୋଇପାରୁଥିବାବେଳେ ପିଲାଟିଏକୁ ଏକ ପରୀକ୍ଷା ହଲ୍‌ରେ ବନ୍ଦୀ କରି ତା’ର ସ୍ମରଣଶକ୍ତି ମାପିବାକୁ ଏଭଳି ଗୁରୁତ୍ବ ପ୍ରଦାନ କରିବା ସମୟ ସହିତ ତାଳମେଳ ହରାଇଥିବା ଏକ ଅନାବଶ୍ୟକ କସରତ ଭଳି ମନେ ହୋଇଥାଏ। ଅନ୍ୟ ଏକ ଦୃଷ୍ଟିରୁ ଦେଖିଲେ କୁହାଯାଇପାରେ ଯେ ପରୀକ୍ଷା ଦେବା ସମୟରେ ପିଲାଟିର ଶାରୀରିକ ଓ ମାନସିକ ଅବସ୍ଥା କିପରି ଥାଏ, ତାହା ପରୀକ୍ଷାରେ ତା’ର ପ୍ରଦର୍ଶନକୁ ବିଶେଷ ଭାବରେ ପ୍ରଭାବିତ କରିଥାଏ।

Advertisment

କେନ୍ଦ୍ର ସରକାର ତାଙ୍କର ଶିକ୍ଷା ନୀତିରେ ପରିବର୍ତ୍ତନ ଘଟାଇ ପୁଣିଥରେ ବିଦ୍ୟାଳୟମାନଙ୍କରେ ପାସ୍-ଫେଲ୍‌ଭିତ୍ତିକ ପରୀକ୍ଷାର ପ୍ରବେଶ ଘଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଅନୁସାରେ କେନ୍ଦ୍ରୀୟ ବିଦ୍ୟାଳୟମାନଙ୍କରେ ଅଧ୍ୟୟନ କରୁଥିବା ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଫେଲ୍ ହେବେ, ସେମାନଙ୍କୁ ପୁଣି ଥରେ ପରୀକ୍ଷା ଦେବାକୁ ହେବ ଏବଂ ସେଥିରେ ମଧ୍ୟ ଅକୃତକାର୍ଯ୍ୟ ହେଲେ ସେମାନଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ନ କରି ସେଇ ଶ୍ରେଣୀରେ ଅଟକାଇ ଦିଆଯିବ। ଛାତ୍ରଛାତ୍ରୀମାନଙ୍କର ଜ୍ଞାନ ଆହରଣ ଫଳାଫଳରେ ଉନ୍ନତି ଘଟାଇବା ଏବଂ ଉତ୍ତରଦାୟିତ୍ବ ନିଶ୍ଚିତ କରିବା ଉଦ୍ଦେଶ୍ୟରେ ସରକାର ଏହି ପଦକ୍ଷେପ ନେଇଛନ୍ତି ବୋଲି କୁହାଯାଉଛି। ପ୍ରାୟ ୨୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପୂର୍ବ ପ୍ରଚଳିତ ଫେଲ୍‌-ହୀନ ନୀତିର ଉଚ୍ଛେଦ ଘଟିସାରିଲାଣି।
ସରକାରଙ୍କର ଏହି ନୀତି-ପରିବର୍ତ୍ତନ ସେଇ ପାରମ୍ପରିକ ଚିନ୍ତାଧାରା ଉପରେ ପ୍ରତିଷ୍ଠିତ ଯାହା ଅନୁସାରେ ବିଦ୍ୟାଳୟରେ ଶିକ୍ଷକଙ୍କ ଦ୍ବାରା ଶିକ୍ଷାଦାନ ଭଳି ଛାତ୍ରଛାତ୍ରୀମାନଙ୍କ ପାଇଁ ପାସ୍-ଫେଲ୍ ନିର୍ଣ୍ଣୟ କରୁଥିବା ପରୀକ୍ଷା ମଧ୍ୟ ହେଉଛି ଛାତ୍ରାବସ୍ଥାର ଏକ ଅବିଚ୍ଛେଦ୍ୟ ଅଂଶ। ବର୍ତ୍ତମାନ ସମୟରେ ଏଭଳି ଚିନ୍ତାଧାରାର ଯଥାର୍ଥତା ବିଚାର କରିବା ପୂର୍ବରୁ ଘୋଷିତ ଉଦ୍ଦେଶ୍ୟ ସାଧନ ନିମିତ୍ତ ଏହି ପଦକ୍ଷେପ କେତେଦୂର ଯଥାର୍ଥ, ତାହା ବିଚାର କରାଯାଉ। ପିଲାଟିଏ ଯେତେବେଳେ ପରୀକ୍ଷାରେ ସନ୍ତୋଷଜନକ ପ୍ରଦର୍ଶନ କରିପାରି ନ ଥାଏ, ତାକୁ ସେଥିପାଇଁ ଉତ୍ତରଦାୟୀ କରାଯାଇ ଦଣ୍ଡ ସ୍ବରୂପ ଫେଲ୍ କରିଦିଆଯାଏ। ଅର୍ଥାତ୍ ଏ ପ୍ରକାର ନ୍ୟାୟ ବ୍ୟବସ୍ଥାରେ ପରୀକ୍ଷାରେ ଖରାପ ପ୍ରଦର୍ଶନ ହେଉଛି ଏକ ଅପରାଧ ଏବଂ ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀ ହେଉଛି ସେଇ ଖରାପ ପ୍ରଦର୍ଶନକାରୀ ଛାତ୍ର/ଛାତ୍ରୀ ଜଣକ। ତା’ର ପ୍ରଦର୍ଶନ ପାଇଁ କେବଳ ସେଇ କୋମଳମତି ଶିକ୍ଷାର୍ଥୀଟି ହିଁ ହେଉଛି ଉତ୍ତରଦାୟୀ- ତା’ର ଶିକ୍ଷକମାନଙ୍କର ଶିକ୍ଷାଦାନ ନୁହେଁ, ତା’ର ବିଦ୍ୟାଳୟର ପରିବେଶ ନୁହେଁ, ତା’ର ପିତାମାତାଙ୍କର ଦାୟିତ୍ବବୋଧ ନୁହେଁ, ତା’ର ପାରିବାରିକ ପରିସ୍ଥିତି ନୁହେଁ କି ଅନ୍ୟ କୌଣସି ମନସ୍ତାତ୍ତ୍ବିକ କିମ୍ବା ସାମାଜିକ କିମ୍ବା ଅର୍ଥନୈତିକ କାରଣ ନୁହେଁ। ଯଦି ପରୀକ୍ଷାରେ ଛାତ୍ର/ଛାତ୍ରୀଟିର ପ୍ରଦର୍ଶନ ଉପରେ ଏ ସମସ୍ତ କାରଣ ଓ ଚରିତ୍ରମାନଙ୍କର ନିର୍ଣ୍ଣାୟକ ପ୍ରଭାବକୁ କେହି ଅସ୍ବୀକାର କରିପାରିବେ ନାହିଁ, ତେବେ ଖରାପ ପ୍ରଦର୍ଶନର ସଂପୂର୍ଣ୍ଣ ଦାୟିତ୍ବ ଅପରିପକ୍ବ, ଅଣ-ସ୍ବାଧୀନ ପିଲାଟିର ମୁଣ୍ଡ ଉପରେ ଲଦି ଦେଇ ତାକୁ ଦଣ୍ଡ ସ୍ବରୂପ ଫେଲ୍ କରିବା ହେଉଛି ଏକ ନିରୀହ ଛେଳିକୁ ବିନା ଦୋଷରେ ବଳିରେ ଚଢ଼ାଇବା ଭଳି।
ଯଦି ଏହି ଯୁକ୍ତି ଗ୍ରହଣୀୟ ନ ହୁଏ, ତେବେ ଏହା ପରେ ସ୍ବାଭାବିକ ଭାବରେ ଯେଉଁ ପ୍ରଶ୍ନ ମୁଣ୍ଡ ଟେକିଥାଏ, ତାହା ହେଲା, ଫେଲ୍ କରିଦିଆଯାଉଥିବା ପିଲାମାନଙ୍କୁ ସେମାନଙ୍କ ଭାଗ୍ୟର ହେପାଜତରେ ଛାଡ଼ି ଦିଆ ନ ଯାଇ ସେମାନଙ୍କୁ ଏହି ସଂକଟରୁ ଉଦ୍ଧାର କରିବା ନିମିତ୍ତ କ’ଣ ଉଦ୍ୟମ କରାଯାଇଥାଏ? ଏଭଳି ପିଲାମାନେ ବିଫଳତାକୁ ଅତିକ୍ରମ କରିବା ପାଇଁ ଯେଉଁ ବିଶେଷ ସୁବିଧାସୁଯୋଗ ଓ ସହାୟତା ଆବଶ୍ୟକ କରିଥାନ୍ତି, ତାହା ଯେ ପ୍ରାୟ ସଂପୂର୍ଣ୍ଣ ଅନୁପସ୍ଥିତ, ଏହା ହେଉଛି ଏକ ନିଷ୍ଠୁର ସତ୍ୟ। ଏମାନଙ୍କ ପାଇଁ କୌଣସି ନିଦାନମୂଳକ କାର୍ଯ୍ୟକ୍ରମ ଉପଲବ୍‌ଧ ନ ଥାଏ, କିମ୍ବା ଏମାନଙ୍କ ପ୍ରତି ବ୍ୟକ୍ତିଗତ ଧ୍ୟାନ ପ୍ରଦାନ କରୁଥିବା ଶିକ୍ଷକ/ଉପଦେଷ୍ଟା ଉପଲବ୍‌ଧ ନଥାନ୍ତି। ଏମିତିରେ ଯଦି ‘ସମସ୍ତଙ୍କ ପାଇଁ ଗୋଟିଏ ମାପ ପ୍ରଯୁଜ୍ୟ’ ନୀତି ଅନୁସରଣ କରି ଶିକ୍ଷାଦାନ କରା ନ ଯାଇ, ସ୍ଥୂଳ ଭାବରେ ଛାତ୍ରଛାତ୍ରୀମାନଙ୍କର ଗ୍ରହଣ କ୍ଷମତାକୁ ଦୃଷ୍ଟିରେ ରଖି ସେମାନଙ୍କ ପ୍ରତି ଧ୍ୟାନ ଦିଆଯାଆନ୍ତା, ତେବେ ପରୀକ୍ଷାରେ ଅକୃତକାର୍ଯ୍ୟ ହେବା ହାର ପ୍ରାୟ ଶୂନ୍ୟ ହୋଇଯାଆନ୍ତା କହିଲେ ଭୁଲ୍ ହେବନାହିଁ।
ଏଭଳି ଛାତ୍ର-ଅନୁକୂଳ ବ୍ୟବସ୍ଥାର ଅନୁପସ୍ଥିତିରେ ପରୀକ୍ଷାରେ କାହାକୁ ଫେଲ୍ କରାଯିବା ବ୍ୟବସ୍ଥାର ଦୁର୍ବଳତା ପାଇଁ ତାକୁ ଦଣ୍ଡ ଦେବା ଭଳି ହୋଇଥାଏ। ଦଣ୍ଡିତ ଛାତ୍ର/ଛାତ୍ରୀଙ୍କ ପାଇଁ ଏହା ଏକ ଲଜ୍ଜାଜନକ କଳଙ୍କରେ ପରିଣତ ହେବା ସହିତ ସେମାନଙ୍କ ଠାରେ ଯେଉଁ ବିଫଳତାର ଭୟ ସୃଷ୍ଟି କରିଥାଏ, ତାହାର ପରିଣତି ସ୍ବରୂପ ଏମାନଙ୍କ ମଧ୍ୟରୁ କେତେକ ପୂରାପୂରି ପାଠପଢ଼ା ଛାଡ଼ି ପଳାୟନ କରିଥାନ୍ତି, ଯାହା ‘ଡ୍ରପ୍‌ଆଉଟ୍’ ସମସ୍ୟା ରୂପେ ସୁବିଦିତ। ବିଶେଷ କରି ସାମାଜିକ-ଅର୍ଥନୈତିକ ଦୁର୍ବଳ ବର୍ଗର ପିଲାମାନେ ଅଧିକ ସଂଖ୍ୟାରେ ଏହାର ଶିକାର ହେବା ଦେଖାଯାଇଥାଏ। ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ ହେବା ପରଠାରୁ ଏହି ସମସ୍ୟା ଦୂରୀକରଣରେ ଯେଉଁ ଅଗ୍ରଗତି ଘଟିଛି, ପରୀକ୍ଷାରେ ଫେଲ୍ ବ୍ୟବସ୍ଥାର ପୁନରାଗମନ ତାହାକୁ ଭଣ୍ଡୁର କରିବାର ସମ୍ଭାବନା ବହନ କରିଥାଏ। ଏହି କାରଣରୁ ତାମିଲନାଡୁ ସରକାର ଏହି ପରିବର୍ତ୍ତିତ ନୀତିକୁ କାର୍ଯ୍ୟକାରୀ କରିବାକୁ ମନା କରିଦେଇ ସାରିଲେଣି।
ଏମିତିରେ ଯେଉଁ ପରୀକ୍ଷା ବ୍ୟବସ୍ଥା ମାଧ୍ୟମରେ ପରୀକ୍ଷାର୍ଥୀକୁ ଏକ ସଂଖ୍ୟାଗତ ମାର୍କ ପ୍ରଦାନ କରି ତାକୁ ପାସ୍ କରାଯାଇଥାଏ ବା ଫେଲ୍ କରାଯାଇଥାଏ, ତାହା ସେ ପରୀକ୍ଷାର୍ଥୀର ଜ୍ଞାନ, ବୁଦ୍ଧି ଓ ସଚେତନତା ଆକଳନ କରିବାର ଏକ ଆଦର୍ଶ ଉପାୟ ନୁହେଁ। କୌଣସି ଏକ ବିଷୟରେ ଜଣେ ପିଲାର ହୁଏତ ଯଥେଷ୍ଟ ଜ୍ଞାନ ଥାଇପାରେ ଓ ସେ ଚାପମୁକ୍ତ ଥିବାବେଳେ ‌ଏ ସଂପର୍କରେ ବିସ୍ତୃତ ଭାବରେ ଲେଖି ଦେଇପାରେ କିମ୍ବା କହି ଦେଇପାରେ। କିନ୍ତୁ ଏକ ପରୀକ୍ଷା ହଲ୍‌ର ଭୟ ଉଦ୍ରେକକାରୀ ନିରବତା ମଧ୍ୟରେ, ସେ କର-ବା-ମର ଚାପର ସମ୍ମୁଖୀନ ହୋଇଥିବାବେଳେ, ଏକ ନିର୍ଦ୍ଧାରିତ ସମୟ ମଧ୍ୟରେ ଉତ୍ତର ଲେଖିବା ପାଇଁ ସେ ପିଲାଟିକୁ ଏକ ନିର୍ଦ୍ଦିଷ୍ଟ ଶୈଳୀରେ ଲେଖାଯାଇଥିବା ପ୍ରଶ୍ନପତ୍ର ଧରାଇ ଦିଆଗଲେ, ପିଲାଟି ସନ୍ତୋଷଜନକ ଉତ୍ତର ଲେଖିବା ପାଇଁ ଅସମର୍ଥ ହେବାର ଦୃଢ଼ ସମ୍ଭାବନା ରହିଥାଏ।
ଯେଉଁ ପରୀକ୍ଷାରେ ପିଲାଟିଏ ଯଥେଷ୍ଟ ମାର୍କ ରଖି ନ ପାରି ଫେଲ୍ ହୋଇଥାଏ, ତାହା ହେଉଛି ସାଧାରଣତଃ ସ୍ମରଣଶକ୍ତିର ପରୀକ୍ଷା। ଆଜିକାଲି ପିଲାମାନଙ୍କର ସ୍ମରଣଶକ୍ତି କିନ୍ତୁ ଆଉ ସେମାନଙ୍କର ମସ୍ତିଷ୍କ ମଧ୍ୟରେ ସୀମିତ ହୋଇ ରହିନାହିଁ। ଦାର୍ଶନିକ ଯୋଡ଼ି ଆଣ୍ଡି କ୍ଲାର୍କ ଓ ଡେଭିଡ୍ ଚାମର୍ସ ସେମାନଙ୍କର ମିଳିତ ରଚନା ‘ଦି ଏକ୍‌ସଟେଣ୍ଡେଡ୍ ମାଇଣ୍ଡ’ (‘ସଂପ୍ରସାରିତ ମସ୍ତିଷ୍କ’)ରେ ଦର୍ଶାଇଥିବା ଭଳି ସ୍ମାର୍ଟ ଫୋନ୍ ଭଳି ଯନ୍ତ୍ରଟିଏ ‌େହଉଛି ଆମ ମସ୍ତିଷ୍କର ସଂପ୍ରସାରିତ ଅଂଶ। ସ୍ମରଣଶକ୍ତି ହେଉଛି ସୂଚନା ମନେ ପକାଇ ପାରିବାର କ୍ଷମତା। ସ୍ମାର୍ଟ ଫୋନ୍ ସ୍କ୍ରିନ୍‌ରେ ଟିପ ଛୁଇଁଦେଲେ ଆଖି ପିଛୁଳାକରେ ଅସୁମାରି ସୂଚନା ଉପଲବ୍‌ଧ ହୋଇପାରୁଥିବାବେଳେ ପିଲାଟିଏକୁ ଏକ ପରୀକ୍ଷା ହଲ୍‌ରେ ବନ୍ଦୀ କରି ତା’ର ସ୍ମରଣଶକ୍ତି ମାପିବାକୁ ଏଭଳି ଗୁରୁତ୍ବ ପ୍ରଦାନ କରିବା ସମୟ ସହିତ ତାଳମେଳ ହରାଇଥିବା ଏକ ଅନାବଶ୍ୟକ କସରତ ଭଳି ମନେ ହୋଇଥାଏ। ଅନ୍ୟ ଏକ ଦୃଷ୍ଟିରୁ ଦେଖିଲେ କୁହାଯାଇପାରେ ଯେ ପରୀକ୍ଷା ଦେବା ସମୟରେ ପିଲାଟିର ଶାରୀରିକ ଓ ମାନସିକ ଅବସ୍ଥା କିପରି ଥାଏ, ତାହା ପରୀକ୍ଷାରେ ତା’ର ପ୍ରଦର୍ଶନକୁ ବିଶେଷ ଭାବରେ ପ୍ରଭାବିତ କରିଥାଏ।
ଏ ସମସ୍ତ ଦିଗକୁ ବିଚାରକୁ ନେଲେ ଯାହା ସ୍ପଷ୍ଟ ହୋଇଥାଏ, ତାହା ହେଲା- ଯେଉଁ ପରୀକ୍ଷାକୁ ଭିତ୍ତିକରି ପିଲାଟିକୁ ପାସ୍ କିମ୍ବା ଫେଲ୍ କରାଯାଇଥାଏ, ତା’ ମାଧ୍ୟମରେ କିନ୍ତୁ ପିଲାଟିର ପ୍ରକୃତ ‘ଆକଳନ’ (‘ଆସେସ୍‌ମେଣ୍ଟ’) କରାଯାଇ ପାରି ନ ଥାଏ। ସେଥିପାଇଁ ଅନେକ ପ୍ରଗତିଶୀଳ ଶିକ୍ଷା ବ୍ୟବସ୍ଥାରେ ପିଲାମାନଙ୍କର ବିକଳ୍ପ ଅାକଳନ ପ୍ରଣାଳୀମାନ ବ୍ୟବହାର କରାଯିବା ଦେଖାଯାଉଛି, ଯେଉଁଥିରେ ନିରନ୍ତର ଆକଳନରୁ ଆରମ୍ଭ କରି ଆତ୍ମ ଆକଳନ ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ। ଏହି ପୃଷ୍ଠଭୂମିରେ ବିଚାର କଲେ ମନେ ହୁଏ ଅନ୍ତତଃ ଦଶମ ଶ୍ରେଣୀରେ ପହଞ୍ଚି ପରିପକ୍ବତା ହାସଲ କରିବା ପର୍ଯ୍ୟନ୍ତ କୌଣସି ପିଲାକୁ ଫେଲ୍ କରା ନ ଯାଉ। ଏଥି ସଙ୍ଗେ ସଙ୍ଗେ ପ୍ରତି ପିଲା ପାଇଁ ଶିକ୍ଷାଦାନକୁ ଫଳପ୍ରଦ କରିବା ନିମିତ୍ତ ଉତ୍ତମ ଭିତ୍ତିଭୂମି ନିର୍ମାଣରୁ ଆରମ୍ଭ କରି ଶିକ୍ଷକ ନିଯୁକ୍ତି ଓ ତାଲିମ ପର୍ଯ୍ୟନ୍ତରେ ଅକାତରେ ସମ୍ବଳ ନିବେଶ କରିବା ହେଉଛି ସରକାରଙ୍କର ପ୍ରଥମ ଦାୟିତ୍ବ।