୨୦୨୩-୨୪ରେ ଭାରତରେ ମେଲ୍ ‘ଏଲ୍‌ଏଫ୍‌ପିଆର୍’ ଥିଲା ୭୭.୨ ଶତାଂଶ। ୱର୍ଲଡ୍ ବ୍ୟାଙ୍କ୍ ଦ୍ବାରା ପ୍ରଦତ୍ତ ସୂଚନା ଅନୁସାରେ ଭାରତରେ ଫିମେଲ୍ ‘ଏଲ୍‌ଏଫ୍‌ପିଆର୍’ ସାରା ପୃଥିବୀ ପାଇଁ ଆକଳନ କରାଯାଇଥିବା ଫିମେଲ୍ ‘ଏଲ୍‌ଏଫ୍‌ପିଆର୍’ ଠାରୁ କମ୍ ଥିଲା; ବିଶ୍ବ ଫିମେଲ୍ ‘ଏଲ୍‌ଏଫ୍‌ପିଆର୍’ ହେଉଛି ୫୦ ଶତାଂଶ।

Advertisment

୨୦୧୦ ଦଶକରେ ‘ଇଉରୋପିଆନ ୟୁନିଅନ’ର ସଦସ୍ୟ ଦେଶମାନେ ସେମାନଙ୍କର ‘ମୋଟ ଜାତୀୟ ଉତ୍ପାଦ’ (‘ଜିଡିପି’)ରେ ସଂପୃକ୍ତ ଦେଶର ସରକାରୀ ଋଣର ଅନୁପାତରେ ହ୍ରାସ ଘଟାଇବା ଲକ୍ଷ୍ୟ ହାସଲ ନିମିତ୍ତ ଏକ ଅଭିନବ କୌଶଳ ଅବଲମ୍ବନ କରିବା ଦେଖାଯାଇଥିଲା। ଏହି ଅନୁପାତ ହେଉଛି ଏକ ଭଗ୍ନାଂଶ, ଯେଉଁଥିରେ ସରକାରୀ ଋଣର ଅାକାର ହେଉଛି ଭଗ୍ନାଂଶର ଲବ ଓ ସେ ଦେଶର ‘ଜିଡିପି’ର ଆକାର ହେଉଛି ସେଇ ଭଗ୍ନାଂଶର ହର। ସାଧାରଣତଃ ଆଶା କରିବା କଥା ଯେ ନୀତିନିର୍ଦ୍ଧାରକମାନଙ୍କର ଉଦ୍ଦେଶ୍ୟ ଥିଲା ଲବ ଅର୍ଥାତ୍ ସରକାରୀ ଋଣର ଆକାରରେ ହ୍ରାସ ଘଟାଇ ଏହି ଅନୁପାତର ମୂଲ୍ୟରେ ହ୍ରାସ ଘଟାଇବା; କିମ୍ବା ଲବକୁ ସ୍ଥିର ରଖି ହର ଅର୍ଥାତ୍ ‘ଜିଡିପି’ରେ ବୃଦ୍ଧି ଘଟାଇ ଏହି ଅନୁପାତରେ ହ୍ରାସ ଘଟାଇବା। ଏଥିରେ ସନ୍ଦେହ ନାହିଁ ଯେ ଏଥିମଧ୍ୟରୁ ପ୍ରଥମ ଉପାୟଟି ଅବଲମ୍ବନ କରିବା ହେଉଛି ଅପେକ୍ଷାକୃତ ସହଜ ଏବଂ ଦ୍ବିତୀୟ ଉପାୟଟି ଅବଲମ୍ବନ କରିବା ହେଉଛି ଅପେକ୍ଷାକୃତ କଷ୍ଟକର, କାରଣ କୌଣସି ଯାଦୁଛଡ଼ି ଛୁଅଁାଇଦେଇ ତତ୍‌କ୍ଷଣାତ୍ ଦେଶର ମୋଟ ଜାତୀୟ ଉତ୍ପାଦର ଆକାର ବା ‘ଜିଡିପି’ରେ ବୃଦ୍ଧି ହାସଲ କରାଯାଇ ପାରିବ ନାହିଁ।
କିନ୍ତୁ ଆଶ୍ଚର୍ଯ୍ୟର କଥା ସେତେବେଳେ ସେଇ ଇଉରୋପୀୟ ଦେଶମାନେ ଏହି ଦ୍ବିତୀୟ ଉପାୟଟିକୁ ହିଁ ଆଦରି ନେଇଥିବା ଦେଖାଯାଇଥିଲା; ଏବଂ ସତକୁ ସତ କୌଣସି ଯାଦୁକର ତା’ର ଯାଦୁଛଡ଼ି ଛୁଅଁାଇ ଦେବା ଭଳି ସେ ଦେଶମାନଙ୍କର ‘ଜିଡିପି’ରେ ତତ୍‌କ୍ଷଣାତ୍ ବୃଦ୍ଧି ଘଟିବା ଦେଖାଯାଇଥିଲା। ଆଉ ଏହି ଯାଦୁକର ଥିଲେ ପରିସଂଖ୍ୟାନବିତ୍‌ମାନେ। ସେମାନେ ଏଥିପୂର୍ବରୁ ‘ଜିଡିପି’ ହିସାବରୁ ବାଦ୍ ଦିଆ ହୋଇ ଆ‌ସୁଥିବା କିନ୍ତୁ ବଜାରରେ କ୍ରୟବିକ୍ରୟ ହେଉଥିବା ଦୁଇଟି ପଦାର୍ଥକୁ ଏଥିରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେବା ଦ୍ବାରା ‘ଜିଡିପି’ର ମୂଲ୍ୟରେ ସାଙ୍ଗେ ସାଙ୍ଗେ ବୃଦ୍ଧି ଘଟିଥିଲା। ‘ଜିଡିପି’ର ଅଂଶ ରୂପେ ପରିଗଣିତ ହେବା ପାଇଁ ସ୍ବାଗତ କରାଯାଇଥିବା ଏହି ପୂର୍ବ-ନିଷିଦ୍ଧ ପଦାର୍ଥ ଦୁଇଟି ହେଲେ- ଡ୍ରଗ୍‌ସ ଓ ବେଶ୍ୟାବୃତ୍ତି ସେବା! ଏ ଉଭୟ ‌ଅବୈଧ ହୋଇଥିଲେ ହେ, ବଜାର-ଭିତ୍ତିକ ଅର୍ଥନୀତିର ଅଂଶ ହୋଇଥିବାରୁ ସେମାନେ ‘ଜିଡିପି’ରେ ଅନ୍ତର୍ଭୁକ୍ତ ହେବା ପାଇଁ ହକ୍‌ଦାର ବୋଲି ବିଚାର କରାଗଲା।
କିନ୍ତୁ ଘୋର ବିଡ଼ମ୍ବନା ହେଲା ଏହା ଯେ ଗୃହିଣୀମାନେ ଅସୁମାରି ସଂଖ୍ୟାରେ ଯାବତୀୟ ପାରିବାରିକ ଓ ସାମାଜିକ ସେବା ଯୋଗାଇ ଚାଲିଥିଲେ ହେଁ, ଯେହେତୁ ସେଥିପାଇଁ ସେମାନେ କୌଣସି ପାରିଶ୍ରମିକ ଲାଭ କରି ନଥାନ୍ତି, ସେମାନଙ୍କୁ ବଜାର-ଭିତ୍ତିକ ଅର୍ଥନୀତିର ଅଂଶ ରୂ‌େପ ବିଚାର କରାଯାଇ ନ ଥାଏ ଓ ସେମାନଙ୍କର ସେବା ‘ଜିଡିପି’ରେ ଅନ୍ତର୍ଭୁକ୍ତ ହୋଇ ନ ଥାଏ। ଏକ ସମାଜରେ ଯେଉଁ ବିଭିନ୍ନ ରୂପରେ ଲିଙ୍ଗଗତ ବାଛବିଚାରର ପରିପ୍ରକାଶ ଘଟିଥାଏ, ଏହା ଯେ ହେଉଛି ନାରୀମାନଙ୍କ ପାଇଁ ସର୍ବାଧିକ ଶୋଷଣମୂଳକ ଶ୍ରେଣୀର, ଏହି ଉଦାହରଣରୁ ତାହା ସ୍ପଷ୍ଟ ହୋଇଥାଏ। ଏକ ଦେଶର ଅର୍ଥନୀତି ବଜାରଭିତ୍ତିକ ବେଶ୍ୟାବୃତ୍ତିକୁ ସ୍ବୀକୃତି ପ୍ରଦାନ କରିଥିବାବେଳେ ବଜାର-ବହିର୍ଭୁକ୍ତ ଗୃହିଣୀ ସେବାକୁ ସ୍ବୀକୃତି ପ୍ରଦାନ କରି ନ ଥାଏ। ଏହି ଲିଙ୍ଗଗତ ଅନ୍ୟାୟକୁ ଯାହା ଆହୁରି ଶାଣିତ କରିଥାଏ, ତାହା ହେଲା ଏହି ପାରିଶ୍ରମିକହୀନ, ସ୍ବୀକୃତିହୀନ ପାରିବାରିକ କର୍ମରେ ପୁରୁଷ (ପତି)ମାନଙ୍କ ତୁଳନାରେ ନାରୀ (ପତ୍ନୀ)ମାନଙ୍କୁ ବହନ କରିବାକୁ ପଡୁଥିବା ବହୁ ଅଧିକ ଅଂଶ। ପରିବାର ଉଭୟଙ୍କର ହୋଇଥିଲେ ହେଁ ମୁଖ୍ୟତଃ ପରିବାରର ମହିଳା ସଦସ୍ୟମାନଙ୍କର ଦୈନନ୍ଦିନ ପରିଶ୍ରମ ଉପରେ ନିର୍ଭର କରି ପରିବାର ଚଳିଥାଏ।
ଭାରତରେ ଏହି ନିର୍ଦ୍ଦିଷ୍ଟ ଲିଙ୍ଗବୈଷମ୍ୟର ଉପସ୍ଥିତି ସମ୍ବନ୍ଧରେ ଆମେ ସମସ୍ତେ ସୁପରିଚିତ ଥିଲେ ହେଁ, ଏବେ ଭାରତ ସରକାରଙ୍କର ‘ଷ୍ଟାଟିଷ୍ଟିକ୍‌ସ ଆଣ୍ଡ୍ ପ୍ରୋଗ୍ରାମ୍ ଇମ୍ପ୍ଲିମେଣ୍ଟେସନ୍’ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ‘ୱିମେନ୍ ଆଣ୍ଡ୍ ମେନ୍ ଇନ୍ ଇଣ୍ଡିଆ ୨୦୨୪’ (‘ଭାରତରେ ନାରୀ ଓ ପୁରୁଷ’) ଶୀର୍ଷକ ଏକ ରିପୋର୍ଟ ଏହା ଉପରେ ଯେଉଁ ସର୍ବେକ୍ଷଣପ୍ରସୂତ ପରିସଂଖ୍ୟାନଗତ ଆଲୋକପାତ କରିଥାଏ, ତାହା ଏ ସମ୍ବନ୍ଧରେ ଆମକୁ ଚେତାଇ ଦେବା ପାଇଁ ଏକ ଝଟ୍‌କା ଭଳି କାର୍ଯ୍ୟ କରିଥାଏ। ସଦ୍ୟତମ ‘ଟାଇମ୍ ଇଉଜ୍ ସର୍ଭେ’ (‘ସମୟ ଉପଯୋଗ ସର୍ବେକ୍ଷଣ’) ଅନୁସାରେ ଭାରତରେ ଜଣେ ମହିଳା ପରିବାରର ଅନ୍ୟ ସଦସ୍ୟମାନଙ୍କ ସେବାରେ ଦିନକୁ ହାରାହାରି ୨୩୬ ମିନିଟ୍ ବ୍ୟୟ କରୁଥିବାବେଳେ ଜଣେ ପୁରୁଷ ଏଥିପାଇଁ ବ୍ୟୟ କରିଥାଏ ମାତ୍ର ୨୪ ମିନିଟ୍!
ଏହି ଅସମତୁଲ ଶ୍ରମ ବିଭାଜନର ଅନ୍ତର୍ନିହିତ ଅନ୍ୟାୟ ସମ୍ବନ୍ଧରେ ଅଧିକ କିଛି ବ୍ୟାଖ୍ୟା ଅନାବଶ୍ୟକ, କାରଣ ସମାଜ ଜାଣି ନ ଜାଣିବା ପରି ଏହି ଅନ୍ୟାୟକୁ ପ୍ରଶ୍ରୟ ଦେଇ ଚାଲିଥାଏ। କିନ୍ତୁ ଆଜିର ପରିବର୍ତ୍ତନଶୀଳ ପରିସ୍ଥିତିରେ ଏହି ବିଷମ ଶ୍ରମ ବିଭାଜନ କିପରି ଭାରତୀୟ ନାରୀମାନଙ୍କ ପାଇଁ ଏକ ଅତ୍ୟନ୍ତ ଅସୁବିଧାଜନକ ପ୍ରତିବନ୍ଧକ ରୂପେ କାର୍ଯ୍ୟ କରୁଛି, ତାହା ଏହି ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଦେଶର ‘ଜିଡିପି’କୁ ପରିପୁଷ୍ଟ କରୁଥିବା ଅର୍ଥନୈତିକ କାର୍ଯ୍ୟରେ ଭାରତୀୟ ନାରୀମାନଙ୍କର ଅତ୍ୟନ୍ତ ନୀଚା ଅଂଶଗ୍ରହଣ ବିଗତ ବର୍ଷମାନଙ୍କରେ ଏକ ବିଶେଷ ଚିନ୍ତାର କାରଣ ହୋଇ ଆସିଛି। ଉଦାହରଣ ସ୍ବରୂପ ୨୦୧୭-୧୮ରେ ଭାରତରେ ସମୁଦାୟ ଶ୍ରମ ଶକ୍ତିରେ ନାରୀମାନଙ୍କର ଅଂଶଗ୍ରହଣ ହାର ବା ଫିମେଲ୍ ‘ଲେବର୍‌ ଫୋର୍ସ ପାର୍ଟିସିପେସନ୍ ରେଟ୍’ (‘ଏଲ୍ଏଫ୍‌ପିଆର୍’) ଥିଲା ମାତ୍ର ୨୩.୨ ଶତାଂଶ। ଇତିମଧ୍ୟରେ କିନ୍ତୁ ଏଥିରେ ଏକ ଉଲ୍ଲେଖନୀୟ ଉନ୍ନତି ଘଟିଲାଣି ବୋଲି ଉପରୋକ୍ତ ରିପୋର୍ଟରୁ ଜଣାପଡ଼ିଛି: ୨୦୨୩-୨୪ରେ ଏହି ଫିମେଲ୍ ‘ଏଲ୍‌ଏଫ୍‌ପିଆର୍’ ‌େହାଇଛି ୪୧.୭ ଶତାଂଶ। ଏଥିରୁ ଜଣାପଡୁଛି କ୍ରମେ ଅଧିକରୁ ଅଧିକ ସଂଖ୍ୟକ ଭାରତୀୟ ନାରୀମାନେ ପାରିଶ୍ରମିକ ବହନ କରୁଥିବା କାର୍ଯ୍ୟମାନଙ୍କରେ ଅଂଶଗ୍ରହଣ କରିବାକୁ ଆଗେଇ ଆସୁଛନ୍ତି।
କିନ୍ତୁ ଉପରେ ପ୍ରଦତ୍ତ ‘ଟାଇମ୍ ସର୍ଭେ’ ଫଳାଫଳରୁ ଜଣାପଡୁଛି ଯେ ଏଥିସହିତ ସେମାନଙ୍କ ଉପରେ ଲଦି ଦିଆଯାଉଥିବା ପାରିଶ୍ରମିକହୀନ ପାରିବାରିକ କାର୍ଯ୍ୟବୋଝ କେବଳ ବିଶାଳ ନୁହେଁ, ତାହା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଅର୍ଥାତ୍ ଅଧିକରୁ ଅଧିକ ସଂଖ୍ୟକ ନାରୀମାନେ ପାରିଶ୍ରମିକ ବହନକାରୀ ନିଯୁକ୍ତି ଗ୍ରହଣ କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ଦୁଇଟି ସୀମାନ୍ତରେ ଲଢ଼େଇର ସମ୍ମୁଖୀନ ହେବାକୁ ପଡୁଛି- ଘର ଭିତରେ ଓ ଘର ବାହାରେ। ଅନେକ ନାରୀଙ୍କ ପକ୍ଷରେ ଏହି ଦ୍ବୈତ ଯୁଦ୍ଧରେ ସାମିଲ ହେବା ସମ୍ଭବ ହୋଇ ନ ଥିବାରୁ ସେମାନେ ‘ଜିଡିପି’ ପରିସୀମା ବାହାରେ ରହି ଗୃହିଣୀ ସେବା ଯୋଗାଇବାକୁ ଆଦରି ନେଇଥାନ୍ତି। ଏହା ହିଁ ହେଉଛି ଏକ ମୁଖ୍ୟ କାରଣ ଯେଉଁଥିପାଇଁ ୪୧.୭ ଶତାଂଶ ‘ଏଲ୍‌ଏଫ୍‌ପିଆର୍’ ଏକ ଉଚ୍ଚା ଅନୁପାତ ଭଳି ମନେ ହେଉଥିଲେ ହେଁ, ପୁରୁଷମାନଙ୍କର ଶ୍ରମ ଶକ୍ତିରେ ଅଂଶଗ୍ରହଣ ହାର ବା ମେଲ୍ ‘ଏଲ୍‌ଏଫ୍‌ପିଆର୍’ ତୁଳନାରେ ଏହା ବେଶ୍ ନୀଚା ହୋଇଥାଏ। ୨୦୨୩-୨୪ରେ ଭାରତରେ ମେଲ୍ ‘ଏଲ୍‌ଏଫ୍‌ପିଆର୍’ ଥିଲା ୭୭.୨ ଶତାଂଶ। ୱର୍ଲଡ୍ ବ୍ୟାଙ୍କ୍ ଦ୍ବାରା ପ୍ରଦତ୍ତ ସୂଚନା ଅନୁସାରେ ଭାରତରେ ଫିମେଲ୍ ‘ଏଲ୍‌ଏଫ୍‌ପିଆର୍’ ସାରା ପୃଥିବୀ ପାଇଁ ଆକଳନ କରାଯାଇଥିବା ଫିମେଲ୍ ‘ଏଲ୍‌ଏଫ୍‌ପିଆର୍’ ଠାରୁ କମ୍ ଥିଲା; ବିଶ୍ବ ଫିମେଲ୍ ‘ଏଲ୍‌ଏଫ୍‌ପିଆର୍’ ହେଉଛି ୫୦ ଶତାଂଶ।
ନାରୀମାନେ ଏକ ଦେଶର ଶ୍ରମ ଶକ୍ତିର ଅର୍ଦ୍ଧେକ ହୋଇଥିବାବେଳେ (ମାଓ ସେତୁଙ୍ଗଙ୍କ ଭାଷାରେ ନାରୀମାନେ ଅଧା ଆକାଶକୁ ଟେକି ଧରିଥାନ୍ତି), ସେମାନଙ୍କ ମଧ୍ୟରୁ ଅଧିକାଂଶ ଯଦି ସଂପଦ ସୃଷ୍ଟିକାରୀ କାର୍ଯ୍ୟରୁ ଦୂରେଇ ରହିବାକୁ ବାଧ୍ୟ ହୁଅନ୍ତି, ସେ ଦେଶ ଏକ ସମୃଦ୍ଧ, ବିକଶିତ ଦେଶରେ ପରିଣତ ହେବା କଷ୍ଟକର ହେବ। ଭାରତୀୟ ପୁରୁଷ ପୁଙ୍ଗବମାନେ ଯଦି ସେମାନଙ୍କର ରାଜକୀୟ ଅଭ୍ୟାସ ବର୍ଜନ କରି ଗୃହ କାର୍ଯ୍ୟରେ ସେମାନଙ୍କର ଦୈନିକ ଅବଦାନ ୨୪ ମିନିଟ୍‌ରେ ଯଥେଷ୍ଟ ବୃଦ୍ଧି ଘଟାନ୍ତେ, ତେବେ ଅଧିକ ଅନୁପାତରେ ଭାରତୀୟ ନାରୀମାନେ ଶ୍ରମ ଶକ୍ତିରେ ଅଂଶଗ୍ରହଣ କରି ଦେଶର ବିକାଶକୁ ତ୍ବରାନ୍ବିତ କରିବା ସମ୍ଭବ ହୁଅନ୍ତା।