ଏହା ବର୍ତ୍ତମାନ ଜଣାଶୁଣା ଯେ ଦେଶର ସହରାଞ୍ଚଳ ଅର୍ଥନୀତିର ସ୍ବାସ୍ଥ୍ୟ ପ୍ରାୟ ସନ୍ତୋଷଜନକ ହୋଇଥିବା ବେଳେ ଗ୍ରାମାଞ୍ଚଳର ଅର୍ଥନୀତି ପଛରେ ପଡ଼ିଛି। ତେଣୁ ଅଧିକ ଆକ୍ରମଣାତ୍ମକ ମୁଦ୍ରାନୀତି ଅବଲମ୍ବନ କରି ଅଭିବୃଦ୍ଧିକୁ ବ୍ୟାହତ କରିବାକୁ ନ ଚାହିଁବା ରିଜର୍ଭ ବ୍ୟାଙ୍କ୍ ପକ୍ଷରେ ସ୍ବାଭାବିକ। ତେଣୁ ମୁଦ୍ରାସ୍ଫୀତି ସହିତ ମୁକାବିଲା ପାଇଁ ରିଜର୍ଭ ବ୍ୟାଙ୍କ୍ ଏଭଳି ଅଣ-ସୁଧ ପଥ ବାଛିଛି।
ଗତ ଶୁକ୍ରବାର ରିଜର୍ଭ ବ୍ୟାଙ୍କ୍ର ‘ମନିଟାରି ପଲିସି କମିଟି’ ଲଗାତାର ଚତୁର୍ଥ ଥର ପାଇଁ ‘ରେପୋ ରେଟ୍’କୁ ୬.୫ ଶତାଂଶରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଥିବା ଘୋଷଣା କରିଛି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ ମଇ ୨୦୨୨ରୁ ଫେବ୍ରୁଆରି ୨୦୨୩ ମଧ୍ୟରେ ‘ରେପୋ ରେଟ୍’ରେ ଯେଉଁ ବାରମ୍ବାର ବୃଦ୍ଧି ଘଟାଯାଇଥିଲା, ତାହା ଯୋଗୁଁ ଏହି ନିର୍ଣ୍ଣାୟକ ସୁଧ ହାରରେ ମୋଟ ୨୫୦ ବେସିସ୍ ପଏଣ୍ଟ୍ (୨.୫ ଶତାଂଶ) ବୃଦ୍ଧି ଘଟି ତାହା ୬.୫ ଶତାଂଶ ଛୁଇଁବା ପରେ ଫେବ୍ରୁଆରି ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିଛି। ଏଥିସହିତ ‘ମନିଟାରି ପଲିସି କମିଟି’ ମୁଦ୍ରାସ୍ଫୀତି ଓ ଦେଶର ମୋଟ ବାର୍ଷିକ ଜାତୀୟ ଉତ୍ପାଦ ବା ‘ଜିଡିପି’ ସମ୍ବନ୍ଧରେ ନିଜର ପୂର୍ବାନୁମାନ ମଧ୍ୟ ଅପରିବର୍ତ୍ତିତ ରଖିଛି।
‘ରେପୋ ରେଟ୍’ ହେଉଛି ସେଇ ସୁଧ ହାର, ଯେଉଁ ହାରରେ ରିଜର୍ଭ ବ୍ୟାଙ୍କ୍ ବାଣିଜ୍ୟିକ ବ୍ୟାଙ୍କ୍ମାନଙ୍କୁ ଋଣ ପ୍ରଦାନ କରିଥାଏ। ତେଣୁ ଗୃହ ଋଣ, କାର୍ ଋଣ ତଥା ଅନ୍ୟାନ୍ୟ ଋଣମାନ ଏହି ସୁଧ ହାର ଦ୍ବାରା ପରିଚାଳିତ ହୋଇଥାନ୍ତି। ‘ରେପୋ ରେଟ୍’ ସ୍ଥିର ରହିବା ଅର୍ଥ ଖୁଚୁରା ଓ କର୍ପୋରେଟ୍ ଋଣ ପ୍ରତି ଲାଗୁ ହେଉଥିବା ସୁଧ ହାରରେ ସ୍ଥିରତା ବିରାଜମାନ କରିବ। ସୂଚନାଯୋଗ୍ୟ ଯେ ଦେଶରେ ମୁଦ୍ରାସ୍ଫୀତି ଯେତେବେଳେ ଅଣାୟତ୍ତ ହୁଏ, ରିଜର୍ଭ ବ୍ୟାଙ୍କ୍ ତାକୁ କାବୁ କରିବା ଉଦ୍ଦେଶ୍ୟରେ ‘ରେପୋ ରେଟ୍’ରେ ବୃଦ୍ଧି ଘଟାଇଥାଏ। ରିଜର୍ଭ ବ୍ୟାଙ୍କ୍ ଏତେ ଦିନ ଧରି ‘ରେପୋ ରେଟ୍’ରେ ବୃଦ୍ଧି ଘଟାଇବାରୁ ନିବୃତ୍ତ ହେବା ଅର୍ଥ ମନେହୁଏ ଯେ ଦେଶରେ ମୁଦ୍ରାସ୍ଫୀତି ପରିସ୍ଥିତି ନେଇ ରିଜର୍ଭ ବ୍ୟାଙ୍କ୍ ବିଶେଷ ଉଦ୍ବିଗ୍ନ ନୁହେଁ।
ଏହା କେତେକାଂଶରେ ସତ। କିନ୍ତୁ ରିଜର୍ଭ ବ୍ୟାଙ୍କ୍ ଯେ ମୁଦ୍ରାସ୍ଫୀତି ଉପରୁ ନିଜର ତୀକ୍ଷ୍ଣ ଦୃଷ୍ଟି ହଟାଇ ନାହିଁ, ତାହା ମଧ୍ୟ ଏହି ଘୋଷଣାରେ ସ୍ପଷ୍ଟ କରି ଦିଆଯାଇଛି। ଗଭର୍ନର୍ ଶକ୍ତିକାନ୍ତ ଦାସ ଏହି ପ୍ରସଙ୍ଗରେ କହିଛନ୍ତି ଯେ ପୃଥିବୀରେ ଲାଗି ରହିଥିବା ଭୌଗୋଳିକ-ରାଜନୈତିକ ଅସ୍ଥିରତା (ଯେମିତି ୟୁକ୍ରେନ୍ ଯୁଦ୍ଧ) ଓ ପ୍ରତିକୂଳ ପାଣିପାଗ ଅବସ୍ଥା ଯୋଗୁଁ ତୈଳ ଓ ଖାଦ୍ୟଦ୍ରବ୍ୟ ଆଦିର ଦରଦାମ୍ରେ ଅସ୍ଥିରତା ଲାଗି ରହିବାର ସମ୍ଭାବନା ଥିବାରୁ ତାହା ମୁଦ୍ରାସ୍ଫୀତି ପରିସ୍ଥିତିରେ ଅସ୍ଥିରତା ସୃଷ୍ଟି କରିପାରେ। ଏଣୁ ରିଜର୍ଭ ବ୍ୟାଙ୍କ୍ ମୁଦ୍ରାସ୍ଫୀତି ପ୍ରତି ନିଜର ଆଭିମୁଖ୍ୟରେ ଶିଥିଳତା ପ୍ରଦର୍ଶନ କରି ନାହିଁ। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଗଭର୍ନର୍ ଦାସ ସ୍ପଷ୍ଟ କରିଦେଇଛନ୍ତି ଯେ ଯେଉଁ ମୁଦ୍ରାସ୍ଫୀତି ହାର ହାସଲ କରିବା ପାଇଁ ରିଜର୍ଭ ବ୍ୟାଙ୍କ୍ ଲକ୍ଷ୍ୟ ରଖିଛି, ତାହା ହେଉଛି ବାର୍ଷିକ ୪ ଶତାଂଶ ହାର, ୨-୬ ଶତାଂଶ ବଳୟ ନୁହେଁ। ସେ ଏପରି ସ୍ପଷ୍ଟ କରିବାର କାରଣ ହେଲା ନିୟମ ଅନୁଯାୟୀ ଦେଶରେ ମୁଦ୍ରାସ୍ଫୀତିର ସହନ ସୀମା ୪ ଶତାଂଶ ଠାରୁ ୨ ଶତାଂଶ ଅଧିକ କିମ୍ବା କମ୍ ବଳୟ ମଧ୍ୟରେ ନିର୍ଦ୍ଧାରିତ ହୋଇଛି। କିନ୍ତୁ ତାହାର ସୁଯୋଗ ନନେଇ ରିଜର୍ଭ ବ୍ୟାଙ୍କ୍ ମୁଦ୍ରାସ୍ଫୀତିକୁ ୪ ଶତାଂଶ ହାରରେ ସୀମିତ କରିବାକୁ ବଦ୍ଧପରିକର ବୋଲି ଗଭର୍ନର୍ ଘୋଷଣା କରିଛନ୍ତି।
୨୦୨୩-୨୪ ବିତ୍ତ ବର୍ଷ ପାଇଁ ସଦ୍ୟତମ ପ୍ରକାଶିତ ଖାଉଟି ମୁଦ୍ରାସ୍ଫୀତି ପୂର୍ବାନୁମାନ ହେଉଛି ୫.୪ ଶତାଂଶ, ଯାହା ଏହି ବିତ୍ତ ବର୍ଷର ଦ୍ବିତୀୟ ଚଉଠରେ ହେଉଛି ୬.୪ ଶତାଂଶ, ତୃତୀୟ ଚଉଠରେ ୫.୬ ଶତାଂଶ ଓ ଚତୁର୍ଥ ଚଉଠରେ ହେଉଛି ୫.୨ ଶତାଂଶ। ଅନୁମାନ କରାଯାଇଛି ଯେ ୨୦୨୪-୨୫ ବିତ୍ତ ବର୍ଷର ପ୍ରଥମ ଚଉଠରେ ମୁଦ୍ରାସ୍ଫୀତି ହାର ୫.୨ ଶତାଂଶ ହେବାକୁ ଯାଉଛି। ଏଥିରୁ ଯାହା ଜଣାପଡ଼େ, ତାହା ହେଲା ନିକଟ ଭବିଷ୍ୟତରେ ରିଜର୍ଭ ବ୍ୟାଙ୍କ୍ ମୁଦ୍ରାସ୍ଫୀତିକୁ ହେୟଜ୍ଞାନ କରି ସୁଧ ହାରରେ ହ୍ରାସ ଘଟାଇବା ସମ୍ଭାବନା କ୍ଷୀଣ। ତେବେ ଆଗାମୀ ଦିନମାନଙ୍କରେ ଶୀତଦିନିଆ ପନିପରିବା ବଜାରରେ ପହଞ୍ଚିବା ଆରମ୍ଭ କଲେ, ଯୋଗାଣରେ ବୃଦ୍ଧି ଘଟି ଦରଦାମ୍ରେ ହ୍ରାସ ଘଟିବ ବୋଲି ରିଜର୍ଭ ବ୍ୟାଙ୍କ୍ ଆଶା କରିଛି। ସେଥି ସହିତ ରନ୍ଧନ ଗ୍ୟାସ୍ ମୂଲ୍ୟରେ କରାଯାଇଥିବା ହ୍ରାସ ମଧ୍ୟ ମୁଦ୍ରାସ୍ଫୀତି ପରିସ୍ଥିତିରେ ଉନ୍ନତି ଆଣିବ ବୋଲି ଆଶା କରାଯାଉଛି। ‘ମନିଟାରି ପଲିସି କମିଟି’ ମଧ୍ୟ କୃଷିକ୍ଷେତ୍ର ଉପରେ ‘ଏଲ୍ ନିନୋ’ ଭଳି ପ୍ରତିକୂଳ ଶକ୍ତିମାନଙ୍କର ପ୍ରଭାବ ଯୋଗୁଁ ଖାଦ୍ୟ ଉତ୍ପାଦନ ବାଧାପ୍ରାପ୍ତ ହେବାର ସମ୍ଭାବନା ସମ୍ବନ୍ଧରେ ସଚେତନ ଅଛି ବୋଲି ପ୍ରକାଶ କରିଛି।
ରିଜର୍ଭ ବ୍ୟାଙ୍କ୍ ବର୍ତ୍ତମାନ ପାଇଁ ସୁଧ ହାରରେ ହାତ ନ ମାରିଥିଲେ ହେଁ ଖୋଲା ବଜାରରେ ସରକାରୀ ସିକ୍ୟୁରିଟି ବିକ୍ରୟ (ଓପନ୍ ମାର୍କେଟ୍ ଅପରେସନ୍ ସେଲ୍ ବା ‘ଓଏମ୍ଓ’ ସେଲ୍) ମାଧ୍ୟମରେ ଅର୍ଥନୀତିରେ ମୁଦ୍ରା ଯୋଗାଣକୁ ସଂକୁଚିତ କରି ସମ୍ଭାବ୍ୟ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ବିକଳ୍ପକୁ ଉନ୍ମୁକ୍ତ ରଖିଛି। ଏ ସମ୍ବନ୍ଧରେ ଇସାରା ଦେଇ ଗଭର୍ନର୍ ଦାସ କହିଛନ୍ତି େଯ ନିର୍ଦ୍ଧାରିତ ମୁଦ୍ରା ନୀତିର ଆଭିମୁଖ୍ୟ ବା ‘ଷ୍ଟାନ୍ସ’ ସହିତ ତାଳମେଳ ରଖିବା ପାଇଁ ଆବଶ୍ୟକ ହେଲେ ବ୍ୟାଙ୍କ୍ ଅର୍ଥନୀତିରେ ନଗଦ ମୁଦ୍ରାର ଉପଲବ୍ଧତା ବା ‘ଲିକ୍ୟୁଡିଟି’ର ପରିଚାଳନା ନିମିତ୍ତ ‘ଓଏମ୍ଓ’-ସେଲ୍ କାର୍ଯ୍ୟକାରୀ କରିପାରେ। କେଉଁ ସମୟରେ ଓ କେତେ ପରିମାଣରେ ଏଭଳି ବିକ୍ରୟ କରାଯିବ, ତାହା ଅର୍ଥନୀତିରେ ଲିକ୍ୟୁଡିଟିର ଗତି ଉପରେ ନିର୍ଭର କରିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ରିଜର୍ଭ ବ୍ୟାଙ୍କ୍ ଯେତେବେଳେ ସରକାରୀ ସିକ୍ୟୁରିଟି ବିକ୍ରୟ କରିଥାଏ, ତାହା ମାଧ୍ୟମରେ େସ ଏହାକୁ କ୍ରୟ କରୁଥିବା ବ୍ୟାଙ୍କ୍ମାନଙ୍କ ପାଖରେ ଉପଲବ୍ଧ ନଗଦ ରାଶିରେ ସଂକୋଚନ ଘଟାଇଥାଏ, ଯାହା ଫଳରେ ବ୍ୟାଙ୍କ୍ମାନଙ୍କର ଋଣ ପ୍ରଦାନ କ୍ଷମତା ସଂକୁଚିତ ହୋଇ ମୁଦ୍ରାସ୍ଫୀତି ଉପରେ ଚାପ ହ୍ରାସ କରିଥାଏ।
ଏଥିରୁ ଜଣାପଡ଼ିଥାଏ ଅର୍ଥନୀତିର ଅଭିବୃଦ୍ଧି ପ୍ରତି ଆଘାତ ନପହଞ୍ଚାଇବା ପାଇଁ ରିଜର୍ଭ ବ୍ୟାଙ୍କ୍ ବର୍ତ୍ତମାନ ପାଇଁ ସୁଧ ହାରରେ ବୃଦ୍ଧି ଘଟାଇବାକୁ ଚାହୁଁନାହିଁ; କିନ୍ତୁ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ଯଦି ଆବଶ୍ୟକ ହୁଏ, ତା’ହେଲେ ଅପେକ୍ଷାକୃତ କମ୍ ଆଘାତ ସୃଷ୍ଟିକାରକ ‘ଓଏମ୍ଓ’ ବାଟ ଦେଇ ତାହା ହାସଲ କରିବାକୁ ଚେଷ୍ଟା କରାଯିବ। ରିଜର୍ଭ ବ୍ୟାଙ୍କ୍ର ଏହି ଆଭିମୁଖ୍ୟର ଯଥାର୍ଥତା ହୃଦୟଙ୍ଗମ କରିବା କଷ୍ଟକର ନୁହେଁ। ଚଳିତ ବିତ୍ତ ବର୍ଷ ପାଇଁ ରିଜର୍ଭ ବ୍ୟାଙ୍କ୍ ଅର୍ଥନୀତିର ଅଭିବୃଦ୍ଧି ହାର ୬.୫ ଶତାଂଶ ହେବ ବୋଲି ପୂର୍ବରୁ କରିଥିବା ଅନୁମାନକୁ ଏବେ ଅପରିବର୍ତ୍ତିତ ରଖିଛି। ଏହା ବର୍ତ୍ତମାନ ଜଣାଶୁଣା ଯେ ଦେଶର ସହରାଞ୍ଚଳ ଅର୍ଥନୀତିର ସ୍ବାସ୍ଥ୍ୟ ପ୍ରାୟ ସନ୍ତୋଷଜନକ ହୋଇଥିବା ବେଳେ ଗ୍ରାମାଞ୍ଚଳର ଅର୍ଥନୀତି ପଛରେ ପଡ଼ିଛି। ତେଣୁ ଅଧିକ ଆକ୍ରମଣାତ୍ମକ ମୁଦ୍ରାନୀତି ଅବଲମ୍ବନ କରି ଅଭିବୃଦ୍ଧିକୁ ବ୍ୟାହତ କରିବାକୁ ନ ଚାହିଁବା ରିଜର୍ଭ ବ୍ୟାଙ୍କ୍ ପକ୍ଷରେ ସ୍ବାଭାବିକ। ତେଣୁ ମୁଦ୍ରାସ୍ଫୀତି ସହିତ ମୁକାବିଲା ପାଇଁ ରିଜର୍ଭ ବ୍ୟାଙ୍କ୍ ଏଭଳି ଅଣ-ସୁଧ ପଥ ବାଛିଛି।