ମଙ୍ଗଳବାର ଦିନ ପୃଥିବୀର ସର୍ବାଧିକ ଜନ ବହୁଳ ଦେଶ ଭାରତର ସର୍ବୋଚ୍ଚ ଅଦାଲତ ସୁପ୍ରିମ୍ କୋର୍ଟର ଏକ ପାଞ୍ଚଜଣିଆ ସଂବିଧାନ ବେଞ୍ଚ୍ ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ପ୍ରଦାନ କରାଯିବା ପାଇଁ ବିଚାରାଧୀନ ଥିବା ୨୧ଟି ଯାକ ଆବେଦନର ଫଇସଲା କରି ସେଗୁଡ଼ିକୁ ଖାରଜ କରିଦେଇ ପୃଥିବୀ ସାରା ‘ଏଲଜିବିଟିକ୍ୟୁଆଇଏ+’ ମହଲରେ ବିଷାଦର ଲହରୀ ସୃଷ୍ଟି କରିଦେଇଛନ୍ତି। ଆବେଦନକାରୀମାନେ ପ୍ରାର୍ଥନା କରିଥିଲେ ଯେ ‘ସ୍ପେଶାଲ୍ ମ୍ୟାରେଜ୍ ଆକ୍ଟ’ ଅନୁସାରେ ବିଷମଲିଙ୍ଗୀ ଦମ୍ପତିମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଯେଉଁ ସବୁ ଅଧିକାର ଉପଲବ୍ଧ ହୋଇଥାଏ, ସମଲିଙ୍ଗୀ ଦମ୍ପତିମାନଙ୍କୁ ମଧ୍ୟ ସେ ସମସ୍ତ ଅଧିକାର ଉପଲବ୍ଧ ହେଉ। ଅପରପକ୍ଷେ ସମାଜର ମୁଖ୍ୟ ଧାରାର ବ୍ୟତିକ୍ରମ ହୋଇଥିବା ଏହି ଗୋଷ୍ଠୀକୁ କେତେକ ଆଇନଗତ ସୁରକ୍ଷା ପ୍ରଦାନ ସମ୍ବନ୍ଧରେ ବିଚାର ଆଲୋଚନା ନିମିତ୍ତ ଏକ କମିଟି ଗଠନ ପାଇଁ କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ସୁପ୍ରିମ୍ କୋର୍ଟ ଅନୁମୋଦନ କରିଛନ୍ତି।
ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ଏଥିରେ ସହମତ ହୋଇ ନ ଥିଲେ ହେଁ, କେନ୍ଦ୍ର ସରକାର ସମଲିଙ୍ଗୀ ବିବାହକୁ ଯେଉଁ ଏକ ପାଶ୍ଚାତ୍ୟ ଉଚ୍ଚଶ୍ରେଣୀୟ ଧାରଣା ରୂପେ ଅଭିହିତ କରିଛନ୍ତି, ତାହା ସଂପୂର୍ଣ୍ଣ ରୂପେ ଯୁକ୍ତିଯୁକ୍ତ। ଏଇ ମାତ୍ର ୧୯୭୦ ଦଶକରେ ପାଶ୍ଚାତ୍ୟ ଦେଶମାନଙ୍କରେ ସମଲିଙ୍ଗୀ ଅଧିକାର ହାସଲ ପାଇଁ ଆନ୍ଦୋଳନ ଦାନା ବାନ୍ଧିବାକୁ ଆରମ୍ଭ କରିବା ଦେଖା ଯାଇଥିଲା। କିନ୍ତୁ ଏକ ବିଡ଼ମ୍ବନା ଭଳି ଆରମ୍ଭରେ ସମଲିଙ୍ଗୀମାନେ ବିବାହ ବନ୍ଧନରେ ଆବଦ୍ଧ ହେବା ନିମିତ୍ତ ଆଗ୍ରହୀ ନଥିଲେ। ସେମାନଙ୍କର ଅନାଗ୍ରହର କାରଣ ହେଲା, ସେମାନେ ଯେହେତୁ ଏକ ଅଣପାରମ୍ପରିକ ଜୀବନଶୈଳୀ ଅନୁସରଣ କରୁଥିଲେ, ତେଣୁ ସେମାନେ ବିବାହ ଭଳି ଏକ ପାରମ୍ପରିକ ସାମାଜିକ ଅନୁଷ୍ଠାନ ପ୍ରତି ବିମୁଖ ଥିଲେ। କିନ୍ତୁ ସେମାନେ ଯେଉଁ ସମଲିଙ୍ଗୀ ଅଧିକାର ପାଇଁ ଆନ୍ଦୋଳନ ଆରମ୍ଭ କରିଥିଲେ କ୍ରମେ ସମଲିଙ୍ଗୀ ବିବାହକୁ ସ୍ବୀକୃତି ପ୍ରଦାନ ନିମିତ୍ତ ଦାବି ସେଥିରେ ଅନ୍ତର୍ଭୁକ୍ତ ହେଲା।
୧୯୮୦ ଦଶକରୁ ୧୯୯୦ ଦଶକ ମଧ୍ୟରେ ଏହା ସେଠାରେ ଯେତେବେଳେ ଏକ ଶକ୍ତିଶାଳୀ ଆନ୍ଦୋଳନର ରୂପ ନେଲା, କ୍ରମେ ଗୋଟିକ ପରେ ଗୋଟିଏ ପାଶ୍ଚାତ୍ୟ ଦେଶ ସମଲିଙ୍ଗୀ ବିବାହକୁ ସ୍ବୀକୃତି ପ୍ରଦାନ କରିବା ଆରମ୍ଭ କଲେ। ଏହା କରିବାରେ ସର୍ବପ୍ରଥମ ଦେଶ ହେଉଛି ଡେନ୍ମାର୍କ ଯିଏ ୧୯୮୯ରେ ସମଲିଙ୍ଗୀ ସଂପର୍କକୁ ଆଇନଗତ ସ୍ବୀକୃତି ପ୍ରଦାନ କଲା। କିନ୍ତୁ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ପ୍ରଦାନ କରିବାରେ ପ୍ରଥମ ଦେଶ ହେଉଛି ହଲାଣ୍ଡ୍, ଯିଏ ୨୦୦୧ରେ ଏହି ପଦକ୍ଷେପ ନେଇଥିଲା। ଏହା ପରେ ଯେଉଁ ଦେଶମାନେ ହଲାଣ୍ଡ୍କୁ ଅନୁକରଣ କରି ଏହି ବିଚିତ୍ର ବିବାହକୁ ଆଇନଗତ ମର୍ଯ୍ୟାଦା ପ୍ରଦାନ କରିଛନ୍ତି ସେମାନେ ହେଲେ ବେଲ୍ଜିଅମ୍ (୨୦୦୩), ସ୍ପେନ୍ (୨୦୦୫), କାନାଡା (୨୦୦୫), ଦକ୍ଷିଣ ଆଫ୍ରିକା (୨୦୦୬), ନର୍ୱେ (୨୦୦୯), ସ୍ବିଡେନ୍ (୨୦୦୯), ପର୍ତ୍ତୁଗାଲ୍ (୨୦୧୦), ଆଇସ୍ଲ୍ୟାଣ୍ଡ୍ (୨୦୧୦), ଡେନ୍ମାର୍କ (୨୦୧୨), ବ୍ରାଜିଲ୍ (୨୦୧୩), ଫ୍ରାନ୍ସ (୨୦୧୩), ଉରୁଗୁଏ (୨୦୧୩), ନିଉଜିଲାଣ୍ଡ (୨୦୧୩), ବ୍ରିଟେନ୍ (୨୦୧୫), ଆମେରିକା (୨୦୧୫), ଫିନ୍ଲ୍ୟାଣ୍ଡ (୨୦୧୭) ... ଆଣ୍ଡୋରା (୨୦୨୩)- ଏଯାବତ୍ ମୋଟ ୩୭ଟି ଦେଶ। ସମାଜରେ ପାରମ୍ପରିକ ମୂଲ୍ୟବୋଧ ବଳବତ୍ତର ଥିବା ଏସିଆ ମହାଦେଶର ଦେଶମାନଙ୍କ ମଧ୍ୟରୁ ମାତ୍ର ଦୁଇଟି ଦେଶରେ ଏ ପର୍ଯ୍ୟନ୍ତ ସମଲିଙ୍ଗୀ ବିବାହକୁ ସ୍ବୀକୃତି ପ୍ରଦାନ କରାଯାଇଛି- ତାଇୱାନ୍ ଓ ନେପାଳ।
ଲକ୍ଷ୍ୟ କରିବା କଥା ଉପରେ ସୂଚିତ େଯଉଁ ସମୟ କାଳରେ ପୃଥିବୀରେ ସମଲିଙ୍ଗୀ ବିବାହ ପାଇଁ ଦାବି ଏପରି ମୁଣ୍ଡ ଟେକିଛି, ସେଇ ସମୟରେ ହିଁ ପୃଥିବୀରେ ମାନବାଧିକାର ସମ୍ବନ୍ଧରେ ସଚେତନା ଦ୍ରୁତ ପ୍ରସାର ଲାଭ କରିବା ଦେଖା ଯାଇଛି। ଏଥିରେ ସନ୍ଦେହ ନାହିଁ ଯେ ଏ ଦୁଇ ଆନ୍ଦୋଳନ ମଧ୍ୟରେ ଏକ ଘନିଷ୍ଠ ସଂପର୍କ ରହିଛି। ସଂକ୍ଷେପରେ କହିଲେ ସମଲିଙ୍ଗୀମାନେ ବିବାହକୁ ଏକ ମାନବାଧିକାର ରୂେପ ବିଚାର କରୁଛନ୍ତି। ସେମାନଙ୍କ ବିଚାରରେ ବଞ୍ଚିବାର ଅଧିକାର ଭଳି ବିବାହ କରିବା ମଧ୍ୟ ହେଉଛି ବ୍ୟକ୍ତିର ଏକ ମୌଳିକ ଅଧିକାର, କାରଣ ସେ ହେଉଛି ଯେଉଁ ସମାଜର ସଦସ୍ୟ, ସେ ସମାଜର ମୂଳ ଭିତ୍ତି ହେଉଛି ବିବାହ। ସେମାନେ ତେଣୁ ପ୍ରତ୍ୟେକ ନାଗରିକ ପାଇଁ ଏହି ଅଧିକାର ସମାନ ହେବା ଚାହାଁନ୍ତି ଏବଂ ଏହି ଅଧିକାରର ବଣ୍ଟନରେ କୌଣସି ବାଛ ବିଚାର ସେମାନଙ୍କ ପାଇଁ ଗ୍ରହଣୀୟ ନୁହେଁ। ଏହାର ସରଳ ଅର୍ଥ ହେଲା ଜଣେ ନାରୀର ଜଣେ ପୁରୁଷକୁ ବିବାହ କରିବା କିମ୍ବା ଜଣେ ପୁରୁଷର ଜଣେ ନାରୀକୁ ବିବାହ କରିବା ପାଇଁ ଯେଉଁ ଭଳି ଅଧିକାର ଅଛି, ଜଣେ ନାରୀର ଆଉ ଜଣେ ନାରୀକୁ ବିବାହ କରିବା ପାଇଁ କିମ୍ବା ଜଣେ ପୁରୁଷର ଆଉ ଜଣେ ପୁରୁଷକୁ ବିବାହ କରିବା ପାଇଁ ସେଇଭଳି ଅଧିକାର ରହିଛି ବୋଲି ସମଲିଙ୍ଗୀମାନେ ଦାବି କରୁଛନ୍ତି।
ଏଭଳି ଯୁକ୍ତିର ମୁଖ୍ୟ ଦୁର୍ବଳତା ହେଲା, ସେମାନେ ଏ ଯେଉଁ ଅଧିକାର ଦାବି କରୁଛନ୍ତି, ତାହା ହେଉଛି ଏକ ଅପ୍ରାକୃତିକ ଅଧିକାର। ଅର୍ଥାତ୍ ସମଲିଙ୍ଗୀ ସଂପର୍କ ତଥା ସମଲିଙ୍ଗୀ ବିବାହ ହେଉଛି ଅପ୍ରାକୃତିକ। ଏଠାରେ ପ୍ରଶ୍ନ ଉଠିପାରେ ‘ଅପ୍ରାକୃତିକ’ କହିଲେ କାହାକୁ ବୁଝାଏ? ଏ ପ୍ରଶ୍ନର ବିଭିନ୍ନ ଉତ୍ତର ରହିଛି। ପ୍ରଥମ, ଏହାକୁ ଏକ ପରିସଂଖ୍ୟାନଗତ ଧାରଣା ରୂପେ ବିବେଚନା କରାଯାଇପାରେ: ସଂଖ୍ୟାଗରିଷ୍ଠ ଲୋକମାନଙ୍କ ଠାରେ ଯେଉଁ ଆଚରଣ ପରିଦୃଷ୍ଟ ହୋଇ ନ ଥାଏ, ସେଭଳି ଆଚରଣ ଅପ୍ରାକୃତିକ ରୂପେ ବିବେଚିତ ହୋଇଥାଏ। ସମାଜର ଏକ ନଗଣ୍ୟ ଅଂଶ ମଧ୍ୟରେ ସମଲିଙ୍ଗୀ ପ୍ରବୃତ୍ତି ସୀମିତ ଥିବାରୁ, ଏହି ମାପଦଣ୍ଡ ଅନୁସାରେ ତାହା ହେଉଛି ଅପ୍ରାକୃତିକ। ଦ୍ବିତୀୟ, ଯେଉଁ କାର୍ଯ୍ୟ ତା’ର ଅନ୍ତର୍ନିହିତ ଚରିତ୍ର ଯୋଗୁଁ ତା’ର ପ୍ରାକୃତିକ ଉଦ୍ଦେଶ୍ୟ ସାଧନରୁ ବିଚ୍ଛିନ୍ନ ହୋଇଥାଏ, ସେ କାର୍ଯ୍ୟ ହେଉଛି ଅପ୍ରାକୃତିକ। ଯୌନ ସଂପର୍କ ବା ବିବାହର ପ୍ରାକୃତିକ ଉଦ୍ଦେଶ୍ୟ ହେଉଛି ପ୍ରଜନନ, ଯାହା ସମଲିଙ୍ଗୀ ସଂପର୍କ ମାଧ୍ୟମରେ ଆଦୌ ସମ୍ଭବ ହୋଇ ନ ଥାଏ। ଏଣୁ ସମଲିଙ୍ଗୀ ବିବାହ ଓ ସଂପର୍କ ହେଉଛି ଅପ୍ରାକୃତିକ। ତୃତୀୟ, ଯଦି ଯୁକ୍ତି ଦୃଷ୍ଟିରୁ କୌଣସି ଆଚରଣକୁ ସମାଜର ପ୍ରତ୍ୟେକ ସଦସ୍ୟ ଗ୍ରହଣ କରିବା ସମ୍ଭବ ହୋଇ ନ ଥାଏ, ତାହାକୁ ଅପ୍ରାକୃତିକ ରୂପେ ବିଚାର କରାଯିବ। ଯଦି ଏକ ସମାଜର ପ୍ରତ୍ୟେକ ବ୍ୟକ୍ତି ସମଲିଙ୍ଗୀ ହୋଇ ଯାଆନ୍ତି, ତେବେ ପ୍ରଜନନ ବନ୍ଦ ହୋଇଯାଇ ସେ ସମାଜର ସଂପୂର୍ଣ୍ଣ ବିଲୟ ଘଟିବ, ସମଲିଙ୍ଗୀ ଆଚରଣ ପ୍ରଦର୍ଶନ କରିବା ପାଇଁ କିମ୍ବା ସମଲିଙ୍ଗୀ ବିବାହ ଦାବି କରିବା ପାଇଁ କେହି ରହିବେ ନାହିଁ। ଅତଏବ ସମଲିଙ୍ଗୀ ସଂପର୍କ ଓ ବିବାହ ହେଉଛି ଅପ୍ରାକୃତିକ। କୌଣସି ସମାଜ ଏହାକୁ ମାନବାଧିକାର ପୋଷାକ ପିନ୍ଧାଇ ଏହାର ଜୟଗାନ କରିବା ଆଦୌ ବିଜ୍ଞତାର ପରିଚୟ ନୁହେଁ। ସୁପ୍ରିମ୍ କୋର୍ଟ ଏଭଳି ଆବେଦନ ପ୍ରତ୍ୟାଖ୍ୟାନ କରି ବିଜ୍ଞତା ପ୍ରଦର୍ଶନ କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp