ମନୁଷ୍ୟମାନଙ୍କ ମଧ୍ୟରେ ସାଧୁ ଓ ସଇତାନ୍ମାନଙ୍କର ଆବିର୍ଭାବ ଘଟିଥାଏ କେମିତି? ପ୍ରସିଦ୍ଧ ମନୋବୈଜ୍ଞାନିକ ଭିକ୍ଟର୍ ଫ୍ରାଙ୍କ୍ଲଙ୍କ ମତରେ ଏ ଦୁଇ କିସମର ମନୁଷ୍ୟ ଭିନ୍ନ ଭିନ୍ନ ଭାବରେ ସୃଷ୍ଟି ହୋଇ ନ ଥାନ୍ତି; ସେଇ ଏକା ମନୁଷ୍ୟ ହିଁ ସାଧୁ ହେବା ପାଇଁ ନିଷ୍ପତ୍ତି ନେଇଥାଏ, ସେଇ ଏକା ମନୁଷ୍ୟ ହିଁ ସଇତାନ୍ ହେବା ପାଇଁ ନିଷ୍ପତ୍ତି ନେଇଥାଏ। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଏହି ନିଷ୍ପତ୍ତି କ’ଣ ହେବ, ତାହା ସଂପୃକ୍ତ ବ୍ୟକ୍ତିର ପରିବେଶ ବା ପରିସ୍ଥିତି ଉପରେ ନିର୍ଭର କରି ନ ଥାଏ; ତାହା ତା’ର ଅନ୍ତର୍ନିହିତ ପ୍ରବୃତ୍ତି ଉପରେ ନିର୍ଭର କରିଥାଏ ବୋଲି ଫ୍ରାଙ୍କ୍ଲ ଦୃଢ଼ ମତ ପୋଷଣ କରିଥିଲେ। ସେଇ ମଣିଷ ଚାହିଁଲେ ସାଧୁ ହୋଇପାରେ, ସେଇ ମଣିଷ ଚାହିଁଲେ ସଇତାନ ହୋଇପାରେ।
ଭିକ୍ଟର୍ ଫ୍ରାଙ୍କ୍ଲ କୌଣସି ସାଧାରଣ ମନୋବୈଜ୍ଞାନିକ ନ ଥିଲେ; ସେ ହିଟ୍ଲର୍ଙ୍କର ଇହୁଦୀମାନଙ୍କ ଗଣସଂହାର ପାଇଁ ନିର୍ମିତ କନ୍ସେଣ୍ଟ୍ରେସନ୍ କ୍ୟାମ୍ପ୍ମାନଙ୍କରେ ଦୀର୍ଘ ତିନି ବର୍ଷ କାଳ ନର୍କ ଯନ୍ତ୍ରଣା ଭୋଗ କରିଥିଲେ ହେଁ ନିଜ ମନରେ କେବେ ହେଲେ ସଇତାନକୁ ପ୍ରବେଶ କରିବାକୁ ଦେଇ ନ ଥିଲେ। ତାଙ୍କର ସେଇ ଅନୁଭୂତି ଉପରେ ଆଧାରିତ ତାଙ୍କ କିଂବଦନ୍ତି ପାଲଟି ଥିବା କ୍ଷୁଦ୍ର ପୁସ୍ତକ ‘‘ମ୍ୟାନ୍’ସ ସର୍ଚ୍ଚ ଫର୍ ମିନିଙ୍ଗ୍’’ରେ ଫ୍ରାଙ୍କ୍ଲ ଉଲ୍ଲେଖ କରିଛନ୍ତି କିପରି ସେଇ ମୃତ୍ୟୁ ଯନ୍ତା ଭିତରେ ବନ୍ଦୀ ଅବସ୍ଥାରେ ଥିବା ତାଙ୍କର କେତେକ ସାଥୀଙ୍କର ଆଚରଣ ସଇତାନ ଭଳି ହୋଇଥିବା ବେଳେ ଅନ୍ୟ କେତେକଙ୍କର ଆଚରଣ ସେ ପ୍ରତିକୂଳ ପରିବେଶରେ ମଧ୍ୟ ସାଧୁସୁଲଭ ହୋଇଥିଲା।
ସେଇ ପୁସ୍ତକର ମର୍ମସ୍ପର୍ଶୀ ଶେଷ ପାରାରେ ଫ୍ରାଙ୍କ୍ଲ ଲେଖିଥିଲେ: ‘‘ଆମ ପିଢ଼ି ହେଉଛି ବାସ୍ତବବାଦୀ, କାରଣ ମନୁଷ୍ୟ ବାସ୍ତବରେ ହେଉଛି ଯାହା, ଆମେ ତାକୁ ସେହିପରି ହିଁ ଜାଣିବାକୁ ପାଇଛୁ। ମନୁଷ୍ୟ ହେଉଛି ସେଇ ପ୍ରାଣୀ ଯିଏ ଅସ୍ୱିଜ୍ର ଗ୍ୟାସ୍ ଚାମ୍ବର୍ମାନ ଉଦ୍ଭାବନ କରିଥିଲା; ପୁଣି ସିଏ ମଧ୍ୟ ହେଉଛି ସେଇ ପ୍ରାଣୀ ଯିଏ ନିଜର ମସ୍ତକ ନତ ନ କରି, ଓଠରେ ଈଶ୍ବରଙ୍କ ବନ୍ଦନା ଗାଇ ଗାଇ ସେଇ ଗ୍ୟାସ୍ ଚାମ୍ବର୍ମାନଙ୍କରେ ପ୍ରବେଶ କରିଥିଲା।’’
ଇତିମଧ୍ୟରେ ‘ହଲୋକଷ୍ଟ୍’ ନାମରେ ପରିଚିତ ନାତ୍ସିମାନଙ୍କ ଦ୍ବାରା ରଚିତ ଇହୁଦୀମାନଙ୍କର ସେଇ ଗଣସଂହାର (୬୦ ଲକ୍ଷ ନିରୀହ ଇହୁଦୀ ଆବାଳ ବୃଦ୍ଧ ବନିତାଙ୍କୁ ହତ୍ୟା କରାଯାଇଥିଲା) ପରେ ପ୍ରାୟ ଆଠ ଦଶନ୍ଧିରୁ ଅଧିକ କାଳ ବିତିଗଲାଣି, କିନ୍ତୁ ଫ୍ରାଙ୍କ୍ଲ ସେତେବେଳେ ମନୁଷ୍ୟର ସାଧୁ-ସଇତାନ୍ ରୂପକ ଯେଉଁ କଳା-ଧଳା ଛବି ଆଙ୍କିଥିଲେ, ତାହାର ଏପରି ଏକ ସଂପ୍ରସାରିତ କାନ୍ଭାସ୍ ଏବେ ଆମର ଦୃଷ୍ଟିଗୋଚର ହୋଇଛି, ଯାହା ଆଜିର ଏଇ ବିଷାଦଗ୍ରସ୍ତ ସମୟରେ ମଧ୍ୟ ଆମକୁ ଆଶ୍ବସ୍ତ କରିଥାଏ ଯେ ସମାଜରେ ଏପରି ମନୁଷ୍ୟ ଅଛନ୍ତି ଯେଉଁମାନଙ୍କ ଠାରେ ମାନବିକତା କେବଳ ଅକ୍ଷୁଣ୍ଣ ରହିଛି, ତାହା ନୁହେଁ, ମାନବେତର ପ୍ରାଣୀମାନଙ୍କ ପର୍ଯ୍ୟନ୍ତ ତାହା ଅବିଶ୍ବାସନୀୟ ଭାବରେ ସଂପ୍ରସାରିତ ହୋଇଛି।
ମନୁଷ୍ୟର ଯେଉଁ ସଇତାନୀ ଚେହେରା ବର୍ତ୍ତମାନ ସାରା ପୃଥିବୀରେ ଚର୍ଚ୍ଚାର ବିଷୟ ପାଲଟିଛି, ଏକ ନିଷ୍ଠୁର ବିଡ଼ମ୍ବନା ଭଳି ତାହା ହେଉଛି ସେଇ ‘ହଲୋକଷ୍ଟ୍’ର ଏକ ପୁନରାବୃତ୍ତି ଭଳି। ଅକ୍ଟୋବର ୭ରେ ହମାସ୍ ଆତଙ୍କବାଦୀମାନେ ଇସ୍ରାଏଲ୍ରେ ପ୍ରବେଶ କରି ଇହୁଦୀମାନଙ୍କର ଯେଉଁ ଗଣହତ୍ୟା ରଚନା କଲେ ତା’ର ବର୍ବରତା ନାତ୍ସିମାନଙ୍କର ବର୍ବରତାକୁ ମଧ୍ୟ ଅତିକ୍ରମ କରି ଯାଇଥିଲା କହିଲେ ଅତିରଂଜନ ହେବ ନାହିଁ। ଏପରିକି ଗର୍ଭବତୀ ମହିଳାଙ୍କ ଠାରୁ ଆରମ୍ଭ କରି ଗର୍ଭସ୍ଥ ଶିଶୁ ଓ ଅସହାୟ ବୃଦ୍ଧବୃଦ୍ଧାଙ୍କ ପ୍ରତି ଏହି ମନୁଷ୍ୟରୂପୀ ସଇତାନ୍ମାନେ ଯେଉଁଭଳି ଅମାନୁଷିକ ଆଚରଣ ପ୍ରଦର୍ଶନ କରିଥିଲେ, ତାହାର ଏଠାରେ ବର୍ଣ୍ଣନା କରିବା ସମ୍ଭବ ନୁହେଁ।
ମନୁଷ୍ୟର ଏହି ଅଧମ ରାକ୍ଷସ ଚେହେରାକୁ ସାରା ପୃଥିବୀ ଦେଖିଥିବା ବେଳେ ଦୁର୍ଭାଗ୍ୟ କ୍ରମେ ତା’ର ଉପରୋକ୍ତ ଦେବସୁଲଭ ଚେହେରା ଦେଖି ପାରିଛନ୍ତି କେବଳ ପୃଥିବୀର ଏକ ସୀମିତ ଅଞ୍ଚଳର ଅଧିବାସୀମାନେ- ଭାରତର ପୂର୍ବ ଉପକୂଳସ୍ଥିତ ଓଡ଼ିଶା ନାମକ ଏକ ଅପେକ୍ଷାକୃତ ଛୋଟିଆ ରାଜ୍ୟର ଲୋକମାନେ। ସେମାନଙ୍କୁ ଚମତ୍କୃତ କରି ପ୍ରଥମେ ଏହି ସମ୍ବାଦପତ୍ରର ଅକ୍ଟୋବର ୧୧ ସଂସ୍କରଣର ପ୍ରଥମ ପୃଷ୍ଠାରେ ଏକ ଚଉଠ ପୃଷ୍ଠା ବ୍ୟାପି ବିଜ୍ଞାପନର ଆବିର୍ଭାବ ଘଟିଲା, ଯାହା ହେଉଛି ଓଡ଼ିଶାର ସାଂସ୍କୃତିକ ଇତିହାସରେ ପ୍ରଥମ। ବିଜ୍ଞାପନଟି ପ୍ରାଣପ୍ରିୟ ‘ଗୁଲୁ ପାପା’ଙ୍କ ସ୍ମୃତି ପ୍ରତି ଉତ୍ସର୍ଗୀକୃତ ଥିଲା ଓ ଏଥିରେ ଗୁନ୍ଥା ହୋଇଥିଲା ତାଙ୍କ ପ୍ରତି ଉଦ୍ଦିଷ୍ଟ ଏକ ମନଛୁଆଁ ଆବେଗଭରା କବିତା। ପାଠକ ପାଠିକାମାନଙ୍କୁ ଅଜଣା ନୁହେଁ ଯେ ‘ଗୁଲୁ ପାପା’ ହେଉଛନ୍ତି ସଂପୃକ୍ତ ମହାପାତ୍ର ପରିବାରର ପରିଲୋକଗତ ପୋଷା କୁକୁର, ଯାହାର ଏକ ଆକର୍ଷଣୀୟ ଫଟୋଚିତ୍ର ବିଜ୍ଞାପନଟିର ଶୋଭାବର୍ଦ୍ଧନ କରୁଥିଲା। ପରେ ଧୁମଧାମ ସହକାରେ ‘ଗୁଲୁ ପାପା’ଙ୍କର ଦଶାହ ପାଳିତ ହେବା ଖବର ମଧ୍ୟ ପ୍ରକାଶ ପାଇଥିଲା।
ମନୁଷ୍ୟର ସାଧୁ ପ୍ରବୃତ୍ତିର ଏହି ଅନବଦ୍ୟ ପ୍ରଦର୍ଶନ େଯପରି ଯଥେଷ୍ଟ ନଥିଲା, ଠିକ୍ ତା’ ପରଦିନ ଏହି ସମ୍ବାଦପତ୍ରର ପ୍ରଥମ ପୃଷ୍ଠାର ଶୀର୍ଷ ଦେଶରେ ଏପରି ଏକ ଖବର ପ୍ରକାଶ ପାଇଥିଲା ଯାହାର ମାନବୀୟ ଆବେଦନ ପୂର୍ବ ଦିନର ‘ଗୁଲୁ ପାପା’ ବିଜ୍ଞାପନକୁ ବହୁଗୁଣ ଅତିକ୍ରମ କରି ଯାଇଥିଲା। ଫ୍ରାଙ୍କ୍ଲଙ୍କ ବର୍ଣ୍ଣିତ ଗ୍ୟାସ୍ ଚାମ୍ବର୍ରେ କେତେକ ବନ୍ଦୀ ଈଶ୍ବରଙ୍କ ବନ୍ଦନା ତୁଣ୍ଡରେ ଗାଇ ଗାଇ ପ୍ରବେଶ କରି ମୃତ୍ୟୁକୁ ଆଲିଙ୍ଗନ କଲା ଭଳି ପଦ୍ମକେଶରପୁରର ଶିବରମଣ ସାହୁ, ଭଜମନ ସାହୁ ଓ ଶଙ୍କର ସାହୁ ଜଣକ ପରେ ଜଣେ ଈଶ୍ବରଙ୍କ ସୃଷ୍ଟ ଅନ୍ୟ ଏକ ପ୍ରାଣୀର ପ୍ରାଣ ରକ୍ଷା କରିବା ପାଇଁ ଏକ ବିଷାକ୍ତ ଗ୍ୟାସ୍ ଭର୍ତ୍ତି କୂଅ ଭିତରକୁ େଡଇଁ ପଡ଼ିଥିଲେ। କୂଅ ଭିତରେ ଗଳି ପଡ଼ିଥିବା େଯଉଁ ପ୍ରାଣୀର ପ୍ରାଣ ରକ୍ଷା କରିବା ପାଇଁ ସେମାନେ ଏହି ବିପଦ ବରଣ କରିଥିଲେ ସେ ହେଲା- ‘ପୁଷି’ ନାମକ ଏକ ପୁଷି ବିଲେଇର। ‘ପୁଷି’କୁ ଉଦ୍ଧାର କରିବାକୁ ଯାଇ ଶିବରମଣ ନିଜର ପ୍ରାଣ ବିସର୍ଜନ କରିଥିବା ବେଳେ ଭଜମନ ଓ ଶଙ୍କର ଗୁରୁତର ଭାବରେ ଅସୁସ୍ଥ ହୋଇ ପଡ଼ିଥିଲେ। ଶିବରମଣଙ୍କର ଏହି ଚରମ ତ୍ୟାଗ ଓ ଅନ୍ୟ ଦୁଇ ଜଣଙ୍କର ଅପୂର୍ବ ସାହସିକ ଉଦ୍ୟମ ସତ୍ତ୍ବେ ସେମାନେ କିନ୍ତୁ ‘ପୁଷି’କୁ ବଞ୍ଚାଇ ପାରି ନ ଥିଲେ।
ଆମକୁ ଜଣା ନାହିଁ ମହାପାତ୍ର ପରିବାରର ସଦସ୍ୟମାନେ ଓ ସାହୁ ଭ୍ରାତାମାନେ ସେମାନେ ପ୍ରଦର୍ଶନ କରିଥିବା ଉପର ବର୍ଣ୍ଣିତ ଆଚରଣର ଏକ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ଦାର୍ଶନିକ ତାତ୍ପର୍ଯ୍ୟ ସମ୍ବନ୍ଧରେ ଅବଗତ ଅଛନ୍ତି କି ନାହିଁ; ସେମାନେ କିନ୍ତୁ ସେମାନଙ୍କର ଏହି ଆଚରଣ ମାଧ୍ୟମରେ ଭବିଷ୍ୟଦ୍ରଷ୍ଟା ଭଳି ସେମାନଙ୍କର ସମସାମୟିକ ସମାଜକୁ ବହୁ ପଛରେ ପକାଇ ଦେଇ ଯେଉଁ ଏକ ଜାତିବାଦକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ଆଧୁନିକ ଦାର୍ଶନିକମାନେ ତାହାର ନାମକରଣ କରିଛନ୍ତି- ‘ସ୍ପେସିଜିଜ୍ମ’ ବା ପ୍ରାଣୀମାନଙ୍କ ମଧ୍ୟରେ ଜାତିବାଦ। ରିଚାର୍ଡ ରାଇଡର୍ ଓ ପିଟର୍ ସିଙ୍ଗର୍ଙ୍କ ପରି ଦାର୍ଶନିକମାନେ ମନୁଷ୍ୟ ନିଜ ଜାତି ଅର୍ଥାତ୍ ମନୁଷ୍ୟ ଜାତିର ପ୍ରାଣୀମାନଙ୍କ ସପକ୍ଷରେ ଓ ଅନ୍ୟ ଜାତିର ପ୍ରାଣୀମାନଙ୍କ ବିପକ୍ଷରେ ପ୍ରଦର୍ଶନ କରୁଥିବା ପକ୍ଷପାତିତା ମୂଳକ ଆଭିମୁଖ୍ୟକୁ ‘ସ୍ପେସିଜିଜ୍ମ’ ରୂପେ ଅବିହିତ କରି ଏହାର ଘୋର୍ ନିନ୍ଦା କରିଛନ୍ତି। ସେମାନଙ୍କ ମତରେ କଷ୍ଟ ଅନୁଭବ କରି ପାରୁଥିବା ଓ ବଞ୍ଚିବା ପାଇଁ ଇଚ୍ଛା କରି ପାରୁଥିବା ପ୍ରତ୍ୟେକ ପ୍ରାଣୀର ଏ ବାବଦରେ ଅଧିକାର ହେଉଛି ମନୁଷ୍ୟର ଅଧିକାର ସହିତ ସମାନ; ଜଣେ ମନୁଷ୍ୟକୁ ଗ୍ୟାସ୍ ଚାମ୍ବର୍ ଭିତରେ ପୂରାଇବା ଯେଉଁଭଳି ଗ୍ରହଣୀୟ ନୁହେଁ, ଏକ କୁକୁଡ଼ାର ବେକ ମୋଡ଼ିବା ସେଇଭଳି ଗ୍ରହଣୀୟ ନୁହେଁ, କିମ୍ବା ଏକ କୁକୁରକୁ ପାହାରେ ପକାଇବା ସେଇଭଳି ଗ୍ରହଣୀୟ ନୁହେଁ। ହିନ୍ଦୁ ଦର୍ଶନ ଅନୁସାରେ ପ୍ରତ୍ୟେକ ଆତ୍ମାରେ ବ୍ରହ୍ମ ବିଦ୍ୟମାନ- ସେ ଆତ୍ମା ‘ଗୁଲୁ ପାପା’ଙ୍କର ହେଉ କି ‘ପୁଷି’ର ହେଉ। ମହାପାତ୍ର ପରିବାରର ସଦସ୍ୟମାନେ ଓ ସାହୁ ଭ୍ରାତାମାନେ ହେଉଛନ୍ତି ଏହି ସତ୍ୟର ମୂର୍ତ୍ତିମନ୍ତ ବାହକ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp