ପାକିସ୍ତାନ ପକ୍ଷରୁ କୁହାଯାଇଛି ଯେ ତୋହବୁର ରାଣା ହେଉଛି କାନାଡାର ନାଗରିକ, ଯାହା ସହିତ ପାକିସ୍ତାନର ଆଦୌ କୌଣସି ସଂପର୍କ ନାହିଁ। କହିବା ବାହୁଲ୍ୟ, ବିଶ୍ବାସଘାତର ଚରମ ଦଂଶନ ଏବେ ତୋହବୁର ରାଣା ଭୋଗୁଛି, ଯେତେବେଳେ ତା’ ଦେଶ ଓ ତା’ର କର୍ତ୍ତାଗଣ ତାକୁ ସଂପୂର୍ଣ୍ଣ ତ୍ୟାଜ୍ୟ କରି ଦେଇଛନ୍ତି! ଏହା ଅବଧାରିତ ଥିଲା। ସୁତରାଂ, ଏକଷଠି ବର୍ଷ ବୟସ୍କ ରାଣା ଏଠାକାର କାରଗାରରେ ନିଃସଙ୍ଗ ଅନ୍ତିମ ଦିନମାନ ଗଣୁଥିବା ବେଳେ ମୁମ୍ବାଇର ଜ୍ବଳନକୁ ପ୍ରବୋଧନାର ପବନ ହୁଏତ ଶୀତଳ କରିବ!
ଗଲା ଗୁରୁବାର ରାତିରେ ଆମେରିକା ଦ୍ବାରା ପ୍ରତ୍ୟର୍ପିତ ପାକିସ୍ତାନୀ ଆତଙ୍କବାଦୀ ତୋହବୁର ରାଣା ଭାରତରେ ପହଞ୍ଚିବା ଦେଶରେ ଆନନ୍ଦ ମିଶ୍ରିତ ଆଶ୍ବସ୍ତି ସୃଷ୍ଟି କରିଛି। ପ୍ରକାଶ ଥାଉ କି ସମଗ୍ର ପୃଥିବୀରେ ହୃତ୍ କଂପନ ସୃଷ୍ଟି କରିବା ସହିତ ଭାରତ ବକ୍ଷରେ ଏକ ଚିର ରକ୍ତକ୍ଷରା କ୍ଷତ ସୃଷ୍ଟି କରିଥିବା ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଯେଉଁ ୧୬୬ ଜଣ ହତଭାଗ୍ୟ ସାଧାରଣ ବ୍ୟକ୍ତି, ପୁଲିସ ଓ ଅଗ୍ନିଶମ କର୍ମଚାରୀ ଏବଂ ହୋଟେଲ ଓ ରେସ୍ତୋରାଁ କର୍ମଚାରୀ ନିହତ ହୋଇଥିଲେ, ସେମାନଙ୍କ ଦୁଃଖ-ଦଗ୍ଧ ପରିବାର ସଦସ୍ୟମାନଙ୍କୁ ଏଭଳି ସାମାନ୍ୟ ସାନ୍ତ୍ବନା ଟିକକ ପାଇବା ସକାଶେ ଦୀର୍ଘ ୧୭ ବର୍ଷ କାଳ ପ୍ରତୀକ୍ଷା କରିବାକୁ ହେଲା। ତା’ ସତ୍ତ୍ବେ ଏହା ଯେ ଭାରତୀୟ କୂଟନୀତିର ଏକ ଆକର୍ଷଣୀୟ ବିଜୟ, ତାହା କହିବା ବାହୁଲ୍ୟ ମାତ୍ର। ତେବେ, ଏହା ମଧ୍ୟ ସତ ଯେ ୨୬/୧୧ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ସୂତ୍ରଧର ଡେଭିଡ କୋଲମ୍ୟାନ ହେଡଲିର ପ୍ରତ୍ୟର୍ପଣ ସମ୍ଭବ ନ ହେବା ପର୍ଯ୍ୟନ୍ତ ଏ ଅଭିଯାନ ଆଂଶିକ ସଫଳ ହୋଇଛି ବୋଲି ମଧ୍ୟ ବୁଝିବାକୁ ହେବ।
ଦୁଃଖଦାୟକ ହେଲେ ମଧ୍ୟ ଏହା ସ୍ବୀକାର୍ଯ୍ୟ ଯେ ଏହି ଆତଙ୍କବାଦୀ ଆକ୍ରମଣ ପଛରେ ଥିବା ଏକ ସୁଦୀର୍ଘ ଷଡ୍ଯନ୍ତ୍ର ପ୍ରକାଶ୍ୟ ହୋଇ ଯିବାର ଯଥେଷ୍ଟ ସମ୍ଭାବନା ଥିବା ସତ୍ତ୍ବେ ଶେଷ ପର୍ଯ୍ୟନ୍ତ ତାହା ଦୃଷ୍ଟି ଅନ୍ତରାଳରେ ରହି ପାରିଥିଲା। ଏହି ଯୋଜନାକୁ ରୂପ ଦେବା ସକାଶେ ଡେଭିଡ କୋଲମ୍ୟାନ ହେଡଲି (ଅନେକ ସମୟରେ ଘନିଷ୍ଠ ସହଯୋଗୀ ତୋହବୁର ରାଣା ସହିତ) ବାରମ୍ବାର ମୁମ୍ବାଇ ଅଗମନ, ଦେଶର ଆଦ୍ୟ ପ୍ରାନ୍ତ ଭ୍ରମଣ, ଅେନକ ସନ୍ଦିଗ୍ଧ ସଂପର୍କ ସ୍ଥାପନ, ଆକ୍ରମଣ ସକାଶେ ସ୍ଥାନ ଚୟନ ଏବଂ ସରଜମିନ ଅନୁଧ୍ୟାନ ସହିତ ସଯତ୍ନ ଫଟୋ ଉତ୍ତୋଳନ ଜରିଆରେ ‘ବ୍ଲୁ ପ୍ରିଣ୍ଟ’ ପ୍ରସ୍ତୁତି, ଏଭଳି କାରବାରକୁ ସନ୍ଦେହରୁ ଊର୍ଦ୍ଧ୍ବରେ ରଖିବା ଲାଗି ମୁମ୍ବାଇରେ ଏକ ଭିସା ସହାୟତା ଏେଜନ୍ସି (ଫାଷ୍ଟ ୱର୍ଲଡ ଇମିଗ୍ରେସନ) ଖୋଲି ବ୍ୟବସାୟ ଉଦ୍ୟମ, ସେହି କ୍ରମରେ ଅେନକ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ସହିତ ପରିଚିତି ଓ ମିତ୍ରତା, ଅନେକ ସମୟରେ ଆମେରିକାରୁ ପାକିସ୍ତାନ ଦେଇ ମୁମ୍ବାଇରେ ପ୍ରବେଶ ଇତ୍ୟାଦି ଭଳି ଘଟଣାମାନ ଘଟି ଚାଲିବା କ୍ରମରେ ଛିଦ୍ର, ସନ୍ଦେହ, କୌତୂହଳ ଓ ପ୍ରଶ୍ନ ଇତ୍ୟାଦି ହୁଏତ ଏହାକୁ ଭଣ୍ଡୁର କରି ଦେଇଥାଆନ୍ତା, କିନ୍ତୁ ଏକ ନିରୁଦ୍ବିଗ୍ନ ଓ ଅସତର୍କ ବ୍ୟବସ୍ଥା କିଭଳି ଏକ ଅତ୍ୟନ୍ତ ଜଘନ୍ୟ ଷଡ୍ଯନ୍ତ୍ରକୁ ସଫଳ କରିଥାଏ, ଏହା ଥିଲା ତା’ର ଏକ ଉଦାହରଣ। କିନ୍ତୁ କେବଳ ଭାରତରେ ନୁହେଁ, ଆମେରିକାର ଚିକାଗୋ ନଗରୀରେ ବସବାସ କରିବାକୁ ପାକିସ୍ତାନୀ ଯୁବକ ତା’ର ନାମ ଦାଉଦ ସୟଦ ଗିଲାନୀ ବଦଳାଇ ଡେଭିଡ କୋଲମାନ ହେଡଲି ଭାବେ ପରିଚିତ ହେବା ଏବଂ ହେରୋଇନ ଭଳି ନିଷିଦ୍ଧ ନିଶା ଦ୍ରବ୍ୟର ଚୋରା ଚାଲାଣରେ ନିୟମିତ ଗିରଫ ହେଉଥିବା ଏହି ବ୍ୟକ୍ତି ବାରମ୍ବାର ପାକିସ୍ତାନ ଦେଇ ଭାରତ ଗମନ କରିବା ଭଳି ବିଷୟ ଅତ୍ୟନ୍ତ ସନ୍ଦେହାସ୍ପଦ ହୋଇଥିଲେ ହେଁ ଭାରତକୁ ଏ ସଂପର୍କରେ ସତର୍କ କରା ନ ଯିବା ମଧ୍ୟ ଆମେରିକୀୟ ଅଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାର ଉଦାସୀନତା ଆଡ଼କୁ ମଧ୍ୟ ଇଙ୍ଗିତ କରିଥାଏ। ପ୍ରକାଶ ଥାଉ କି ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ପ୍ରାୟ ବର୍ଷକ ପରେ ହେଡଲି ଓ ରାଣାଙ୍କ ଗିରଫଦାରି ଆମେରିକାରେ ହିଁ ହେଲା, ଯାହା ପଛର କାରଣ ଥିଲା ରୂପ ପାଇ ନ ଥିବା ଆଉ ଏକ ଜଘନ୍ୟ ଆତଙ୍କବାଦୀ ଆକ୍ରମଣର ଚକ୍ରାନ୍ତରେ ଏହି ଦୁଇ ଜଣଙ୍କ ସଂପୃକ୍ତିର ସନ୍ଦେହ! ଏହି ଚକ୍ରାନ୍ତରେ ଡେନମାର୍କର ଏକ ସମ୍ବାଦପତ୍ର ‘ଜିଲାଣ୍ଡ ପୋଷ୍ଟେନ’ର ଦପ୍ତରରେ ପ୍ରବେଶ କରି ସଂପାଦନା କାର୍ଯ୍ୟରେ ନିୟୋଜିତ ସମସ୍ତ କର୍ମଚାରୀଙ୍କ ଶିରଚ୍ଛେଦ କରିବା ଥିଲା ମୂଳ ଲକ୍ଷ୍ୟ। ଏଥି ଲାଗି ଜଣେ ଛଦ୍ମ ବିଜ୍ଞାପନଦାତା ରୂପେ ସେହି ଖବରକାଗଜର ଦପ୍ତରରେ ହେଡଲିର ଏକାଧିକ ବାର ଉପସ୍ଥିତି କୌଣସି କାରଣରୁ ସନ୍ଦେହାସ୍ପଦ ହେବାରୁ ଡେନମାର୍କ ପକ୍ଷରୁ ଆମେରିକାରେ ସତର୍କ ଘଣ୍ଟି ବଜାଇ ଦିଆଯାଇଥିଲା, ଯହିଁରୁ ଅଧିକ ଅନୁସନ୍ଧାନ କ୍ରମରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସେମାନଙ୍କ ସଂପୃକ୍ତି ବିଷୟ ଉଜାଗର ହୋଇଥିଲା। ପ୍ରକାଶ ଥାଉ କି ଡେନମାର୍କ ଖବରକାଗଜ ଷଡ୍ଯନ୍ତ୍ର ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ଉଭୟ କାରାଦଣ୍ଡ ଭୋଗୁଥିଲେ ହେଁ ଆମେରିକା ସୁରକ୍ଷା ସଂସ୍ଥାର ପ୍ରାରମ୍ଭିକ ଅନୁସନ୍ଧାନ ପରେ ମୁମ୍ବାଇ ଆତଙ୍କବାଦୀ ଘଟଣା ସହିତ ରାଣାର ସଂପୃକ୍ତିକୁ ଅସ୍ବୀକାର କରାଯାଇଥିଲା। ଏପରିକି ୨୦୧୯ ମସିହାରେ କୋଭିଡ ଦ୍ବାରା ସଂକ୍ରମିତ ହୋଇଥିବା କାରଣରୁ ରାଣାକୁ ଜେଲରୁ ମୁକ୍ତ କରି ଦିଆ ଯାଇଥିଲା। ତେବେ, ଭାରତର ତୀବ୍ର ପ୍ରତିବାଦ, ଅକାଟ୍ୟ ତଥ୍ୟ-ପ୍ରମାଣର ଉପସ୍ଥାପନ ଓ ମୁମ୍ବାଇ ଆକ୍ରମଣ ଘଟଣାରେ ରାଜସାକ୍ଷୀ ରୂପେ ଅବତୀର୍ଣ୍ଣ ମୁଖ୍ୟ ଅଭିଯୁକ୍ତ ହେଡଲିର ବିଶ୍ବାସଘାତୀ ସାକ୍ଷ୍ୟ ତୋହବୁର ରାଣାର ସଂପୃକ୍ତିକୁ ସନ୍ଦେହାତୀତ କରି ଦେଇଥିଲା, ଯାହା ଅବଲୀଳା କ୍ରମେ ଏହି ପ୍ରତ୍ୟର୍ପଣକୁ ସଫଳ କରିଥିଲା। ନଚେତ ପ୍ରତ୍ୟର୍ପଣ ପ୍ରକ୍ରିୟା କୂଟନୈତିକ ଦାଓପେଁଚ ଭରା ଏକ ଅତ୍ୟନ୍ତ ଜଟିଳ ଓ ଦୁରୂହ ବ୍ୟାପାର ହୋଇଥାଏ।
ପ୍ରକାଶ ଥାଉ କି ମୁମ୍ବାଇ ଆତଙ୍କବାଦୀ ଘଟଣାରେ ପାକିସ୍ତାନର ପ୍ରତ୍ୟକ୍ଷ ସଂପୃକ୍ତିର ପ୍ରଶ୍ନାତୀତ ପ୍ରମାଣମାନ ଥିଲେ ହେଁ ପାକସ୍ତାନ ତାହା ସର୍ବଦା ଅସ୍ବୀକାର କରି ଆସିଛି। ଏହି ଘଟଣାରେ ସଂପୃକ୍ତ ଥିବା ୧୦ ଜଣ ଯାକ ଆତଙ୍କବାଦୀ ପାକିସ୍ତାନୀ ଥିଲେ ଏବଂ ସମଗ୍ର ପ୍ରକରଣରେ ପାକିସ୍ତାନରୁ ପ୍ରାପ୍ତ ଆଦେଶର ପାଳନ କରୁଥିଲେ। ଏହା ମଧ୍ୟ ସଂପୂର୍ଣ୍ଣ ରୂପେ ପ୍ରମାଣିତ ଯେ ଏହି ଆକ୍ରମଣର ପ୍ରାୟୋଜକ ଥିଲା ଲସ୍କର-ଏ-େତାଇବା ଭଳି ଆତଙ୍କବାଦୀ ସଂଗଠନ ଏବଂ ତା’ର ମୁଖ୍ୟ ହଫିଜ ସୈଦ। ଏହି ସବୁ ବିଷୟକୁ ଦୋରସ୍ତ କରି ପାକିସ୍ତାନକୁ ମିଥ୍ୟାବାଦୀ ବୋଲି ପ୍ରମାଣିତ କରିବା ଲାଗି ସତେ ଯେମିତି ଜୀବିତ ଅବସ୍ଥାରେ ଧରା ପଡ଼ି ଯାଇଥିଲା ଅଜମଲ କସାବ, ସେହି ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ। ସେହି ଦୃଷ୍ଟିରୁ ତୋହବୁର ରାଣାର ଉପସ୍ଥିତି ଯେ ପାକିସ୍ତାନ ସକାଶେ ଅଧିକ ଅସ୍ବସ୍ତିକର ହେବ, ତାହା କହିବା ବାହୁଲ୍ୟ ମାତ୍ର! କହିବା ଅନାବଶ୍ୟକ ଯେ ଏଠାରେ ଗଭୀର ଅନୁସନ୍ଧାନ ଫଳରେ ଏଭଳି ତଥ୍ୟମାନ ପ୍ରଘଟ ହୋଇପାରେ, ଯାହା ଆତଙ୍କବାଦର କାରଖାନା ରୂେପ କୁଖ୍ୟାତ ପାକିସ୍ତାନକୁ ଆହୁରି ଅପଖ୍ୟାତି ଆଣି ଦେଇପାରେ!
ଡେଭିଡ ହେଡଲିର ଡି.ଏନ.ଏ.ରେ ବିଶ୍ବାସଘାତକତା କିଭଳି ଏକ ଗୂଣସୂତ୍ର ରୂପେ ବିଦ୍ୟମାନ ଥାଏ, ତାହା ନିଷିଦ୍ଧ ନିଶା ଦ୍ରବ୍ୟର ଚୋରା ଚାଲାଣକାରୀ ଭାବେ ତା’ର କୁଖ୍ୟାତ କ୍ୟାରିଅରରେ ଅତି ସୁସ୍ପଷ୍ଟ। ଏହି କାରବାରରେ ବାରମ୍ବାର ଧରା ପଡ଼ିବା ସତ୍ତ୍ବେ ନିଜ ସହଯୋଗୀମାନଙ୍କୁ ଧରାଇ ଦେଇ ସେ ସର୍ବଦା କଠୋର କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତି ଆସିଛି। ସୁତରାଂ, ତା’ ଉପରେ ବିଶ୍ବାସ ସ୍ଥାପନ କରିବା ତା’ର ସ୍କୁଲ ସହପାଠୀ ତଥା ଅନ୍ତରଙ୍ଗତମ ମିତ୍ର ତୋହବୁର ରାଣାର େଯ ମୂର୍ଖାମି ଥିଲା, ତାହା କହିବା ବାହୁଲ୍ୟ। ତୋହବୁର ରାଣା ସକାଶେ ମୃତ୍ୟୁ ଦଣ୍ଡର ମାର୍ଗ ପ୍ରଶସ୍ତ କରି ତା’ ବିନିମୟରେ ସେ ରାଜସାକ୍ଷୀ ରୂପେ ୩୫ ବର୍ଷର କାରାବାସ ସୁନିଶ୍ଚିତ କରାଇ ନେଇଛି। ଏହି କାରଣରୁ ହେଡଲି ଭାରତକୁ ପ୍ରତ୍ୟର୍ପିତ ହେବା ଅଧିକ ଜରୁରି। ଏଣେ, ପାକିସ୍ତାନ ପକ୍ଷରୁ କୁହାଯାଇଛି ଯେ ତୋହବୁର ରାଣା ହେଉଛି କାନାଡାର ନାଗରିକ, ଯାହା ସହିତ ପାକିସ୍ତାନର ଆଦୌ କୌଣସି ସଂପର୍କ ନାହିଁ। କହିବା ବାହୁଲ୍ୟ, ବିଶ୍ବାସଘାତର ଚରମ ଦଂଶନ ଏବେ ତୋହବୁର ରାଣା ଭୋଗୁଛି, ଯେତେବେଳେ ତା’ ଦେଶ ଓ ତା’ର କର୍ତ୍ତାଗଣ ତାକୁ ସଂପୂର୍ଣ୍ଣ ତ୍ୟାଜ୍ୟ କରି ଦେଇଛନ୍ତି! ଏହା ଅବଧାରିତ ଥିଲା। ସୁତରାଂ, ଏକଷଠି ବର୍ଷ ବୟସ୍କ ରାଣା ଏଠାକାର କାରଗାରରେ ନିଃସଙ୍ଗ ଅନ୍ତିମ ଦିନମାନ ଗଣୁଥିବା ବେଳେ ମୁମ୍ବାଇର ଜ୍ବଳନକୁ ପ୍ରବୋଧନାର ପବନ ହୁଏତ ଶୀତଳ କରିବ!