ଭାରତ ଓ ଆମେରିକା ମଧ୍ୟରେ ବର୍ତ୍ତମାନ ଯେଉଁ ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ ହେବା ପାଇଁ କଥାବାର୍ତ୍ତା ଚାଲିଛି, ଆମେରିକାରୁ ଆମଦାନି ହେଉଥିବା କାର୍ ଉପରେ ଶୁଳ୍କ ହ୍ରାସ ହେଉଛି ସେଥିରେ ଅନ୍ତର୍ଭୁକ୍ତ ଥିବା ଏକ ମୁଖ୍ୟ ପ୍ରସ୍ତାବ। ଯଦି ତାହା ଫଳବତୀ ହୁଏ, ତେବେ ‘ଟେସ୍ଲା’ ଭାରତୀୟ ବଜାରରେ ପ୍ରବେଶ ପାଇଁ ତାହା ପଥ ସୁଗମ କରିଦେଇପାରେ। କିନ୍ତୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହିତ ମସ୍କଙ୍କର ସଂପର୍କ ବର୍ତ୍ତମାନ ଯେଉଁଭଳି ତିକ୍ତ ହୋଇଛି, ମସ୍କଙ୍କ ପାଇଁ ଏହି ସମ୍ଭାବ୍ୟ ସୁଯୋଗ କେତେଦୂର ଉପଲବ୍ଧ ହେବ, ତାହା କହିହେବ ନାହିଁ।
ଏଲନ୍ ମସ୍କଙ୍କ ମୁଣ୍ଡରୁ ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ମିଶି ଆମେରିକାରେ ରାଜନୀତି କରିବା ନିଶା ଓହ୍ଲାଇ ଯିବା ପରେ ସେ ନିଜର ବ୍ୟବସାୟ ସବୁର ପୁନରୁଦ୍ଧାରରେ ଏପରି ମନ ନିବେଶ କରିବା ଆରମ୍ଭ କରିଛନ୍ତି ଯେ ବର୍ତ୍ତମାନ ସେ ନିଜ କାର୍ଯ୍ୟାଳୟରେ ହିଁ ରାତ୍ରିଯାପନ କରୁଛନ୍ତି ବୋଲି ଶୁଣାଯାଉଛି। ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାରରେ ପ୍ରାୟ ତିନି ନିୟୁତ ଡଲାର୍ ଖର୍ଚ୍ଚ କରିବା ପରେ ଓ ଟ୍ରମ୍ପ ପ୍ରଶାସନରେ ଅଂଶଗ୍ରହଣ ଯୋଗୁଁ ତାଙ୍କର ବ୍ୟବସାୟ ବିରୁଦ୍ଧରେ ପ୍ରବଳ ଜନଅସନ୍ତୋଷ ସୃଷ୍ଟିଜନିତ କ୍ଷତି ଭରଣା କରିବା ପାଇଁ ମସ୍କ ବର୍ତ୍ତମାନ ପ୍ରାଣପଣେ ଲାଗିପଡ଼ିଛନ୍ତି। ଏହି ଉଦ୍ୟମର ଅଂଶ ସ୍ବରୂପ ଦୀର୍ଘ ଦିନ ଧରି ଏକ ଟାଳଟୁଳ ନୀତି ଅବଲମ୍ବନ କରିବା ପରେ ମସ୍କ ଶେଷରେ ଏବେ ତାଙ୍କର ପ୍ରସିଦ୍ଧ ଇଲେକ୍ଟ୍ରିକ ଗାଡ଼ି (‘ଇଭି’) ‘ଟେସ୍ଲା’ ଭାରତରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ତାଙ୍କର ରାଜନୈତିକ ନିଷ୍ପତ୍ତି ଯେଉଁଭଳି ବୁଦ୍ଧିମାନର କାର୍ଯ୍ୟ ନ ଥିଲା, ଭାରତରେ ପ୍ରବେଶ ପାଇଁ ସେ ପ୍ରଦର୍ଶନ କରିଥିବା କାଳକ୍ଷେପଣ ନୀତି ତାଙ୍କ ପାଇଁ ଶେଷରେ ସେଇଭଳି କ୍ଷତିକାରକ ସାବ୍ୟସ୍ତ ହୋଇପାରେ ବୋଲି ପର୍ଯ୍ୟବେକ୍ଷକମାନେ ଆଶଙ୍କା କରୁଛନ୍ତି।
ଆମେରିକୀୟ କଂପାନି ‘ଆପ୍ଲ’ ଯେଉଁଭଳି ଏଠାରେ ତା’ର ପ୍ରସିଦ୍ଧ ମୋବାଇଲ୍ ଫୋନ୍ ‘ଆଇଫୋନ୍’ର ଉତ୍ପାଦନ କେନ୍ଦ୍ରମାନ ପ୍ରତିଷ୍ଠା କରିଛି, ଟେସ୍ଲା ମଧ୍ୟ ସେଇଭଳି ଏଠାରେ ତା’ର କାରଖାନା ପ୍ରତିଷ୍ଠା କରିବା ଭାରତ ସରକାର ଚାହୁଁଥିଲେ। ମସ୍କ କିନ୍ତୁ ଏହି ପ୍ରସ୍ତାବରେ ରାଜି ନ ହୋଇ ପ୍ରଥମେ ଭାରତୀୟ ବଜାରରେ ପ୍ରବେଶ କରି ବିଦେଶରେ ନିର୍ମିତ ‘ଟେସ୍ଲା’ଗାଡ଼ି ଏଠାରେ ବିକ୍ରି କରିବାକୁ ଚାହିଁଲେ ଓ ସେଥିପାଇଁ ଆମଦାନି ଶୁଳ୍କରେ ହ୍ରାସ ଘଟାଇବା ନିମିତ୍ତ ଭାରତ ସରକାରଙ୍କ ଉପରେ ଚାପ ପକାଇ ଚାଲିଲେ। ‘ଆପ୍ଲ’ର ‘ଆଇଫୋନ୍’ ଉତ୍ପାଦନ ଯେମିତି ମୁଖ୍ୟତଃ ଚୀନ୍ସ୍ଥିତ କାରଖାନାମାନଙ୍କରେ ସଂଘଟିତ ହୋଇଥାଏ, ‘ଟେସ୍ଲା’ର ବୃହତ୍ତମ କାରଖାନା ସେଇଭଳି ଚୀନ୍ର ସାଂଘାଇରେ ଅବସ୍ଥିତ। ପ୍ରାୟ ପାଞ୍ଚ ବର୍ଷ ତଳେ ଭାରତ ସରକାରଙ୍କର ଉତ୍ପାଦନ ପ୍ରୋତ୍ସାହନ ଯୋଜନା (‘ପିଏଲ୍ଆଇ’)ର ସଦୁପଯୋଗ କରି ଆପ୍ଲ କ୍ରମେ ତା’ର ‘ଆଇଫୋନ୍’ ଉତ୍ପାଦନ ଭାରତକୁ ସ୍ଥାନାନ୍ତରିତ କରିବା ଆରମ୍ଭ କଲା। ଏହା ଏକ ସଫଳ ବ୍ୟାବସାୟିକ ପଦକ୍ଷେପ ରୂପେ ପ୍ରମାଣିତ ହୋଇ ବର୍ତ୍ତମାନ ପୃଥିବୀରେ ‘ଆଇଫୋନ୍’ର ମୋଟ ଉତ୍ପାଦନର ପ୍ରାୟ ଏକ-ପଞ୍ଚମାଂଶ ଭାରତରେ ଅନୁଷ୍ଠିତ ହେଲାଣି। ଏହାର ପ୍ରାୟ ୮୦ ଶତାଂଶ ରପ୍ତାନି ହେଉଛି ଆମେରିକାକୁ। ସୂଚନାଯୋଗ୍ୟ ଯେ ଟ୍ରମ୍ପଙ୍କ ଧମକ ସତ୍ତ୍ବେ ‘ଆପ୍ଲ’ର ମୁଖ୍ୟ ଟିମ୍ କୁକ୍ ଭାରତକୁ ‘ଆଇଫୋନ୍’ର ଏକ ମୁଖ୍ୟ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବା ନିଷ୍ପତ୍ତିରେ ଅଟଳ ରହିଛନ୍ତି।
‘ଟେସ୍ଲା’ ମଧ୍ୟ ‘ଆପ୍ଲ’ର ପଦାଙ୍କ ଅନୁସରଣ କରିବ ବୋଲି ଭାରତ ସରକାର ଆଶା କରିଥିଲେ। ତେବେ ‘ଟେସ୍ଲା’ ପାଇଁ ସରକାର ଯେଉଁ ସର୍ତ୍ତ ରଖିଥିଲେ, ତାହା ମସ୍କଙ୍କ ପାଇଁ ସେତେବେଳେ ଗ୍ରହଣୀୟ ହେଲା ନାହିଁ। ଭାରତ ‘ଇଭି’ ଆମଦାନି ଉପରେ ଲାଗୁ କରୁଥିବା ୭୦-୧୦୦% ଶୁଳ୍କରେ ହ୍ରାସ ଘଟାଇବା ପାଇଁ ମସ୍କ ସରକାରଙ୍କ ଉପରେ େଯଉଁ ଚାପ ପକାଇ ଚାଲିଥିଲେ, ତା’ର ପ୍ରତିକ୍ରିୟାରେ ସେଥିପାଇଁ ଭାରତରେ କାରଖାନା ପ୍ରତିଷ୍ଠା କରିବାକୁ ଟେସ୍ଲା ୫୦୦ ନିୟୁତ ଡଲାର୍ ପୁଞ୍ଜି ନିବେଶ କରିବାକୁ ଓ ଅନୁରୂପ ରାଶିର ବ୍ୟାଙ୍କ୍ ଗ୍ୟାରେଣ୍ଟି ପ୍ରଦାନ କରିବା ନିମିତ୍ତ ଟେସ୍ଲା ପାଇଁ ସର୍ତ୍ତ ରଖାଯାଇଥିଲା। ଏହା ବାଦ୍ ତିନି ବର୍ଷ ମଧ୍ୟରେ ଯଦି ଉତ୍ପାଦନର ସ୍ଥାନୀୟକରଣ ନିମିତ୍ତ ରଖାଯାଇଥିବା ଲକ୍ଷ୍ୟ ପୂରଣ ନ ହୁଏ, ତେବେ ତାହା ବାଜ୍ୟାପ୍ତ କରାଯିବ ବୋଲି ସ୍ପଷ୍ଟ କରି ଦିଆଯାଇଥିଲା।
ବର୍ତ୍ତମାନ ସରକାର ଆମଦାନି ଶୁଳ୍କ ଅପରିବର୍ତ୍ତିତ ରଖିଥିଲେ ମଧ୍ୟ ଟେସ୍ଲା ଭାରତୀୟ ବଜାରରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଛି। ମସ୍କଙ୍କ କଂପାନି ମୁମ୍ବାଇରେ ତା’ର ପ୍ରଥମ ସୋ’ରୁମ୍ ଖୋଲି ‘ମଡେଲୱାଇ’ କାର୍ ପାଇଁ ବୁକିଙ୍ଗ୍ ଆରମ୍ଭ କରିଛି। ଉଚ୍ଚା ଆମଦାନି ଶୁଳ୍କ ଯୋଗୁଁ ଏହି ଗାଡ଼ିର ସର୍ବନିମ୍ନ ଦାମ୍ ହେଉଛି ୬୦ ଲକ୍ଷ ଟଙ୍କା। ତେଣୁ ଏହା କେବଳ ମୂଳ୍ୟବାନ ବିଳାସ କାର୍ କ୍ରୟ କରିବାକୁ ଚାହୁଁଥିବା ସୀମିତ ସଂଖ୍ୟକ ଗ୍ରାହକମାନଙ୍କୁ ଆକର୍ଷିତ କରିବ ଏବଂ ଅନ୍ୟ ବିଦେଶୀ ବିଳାସ ଗାଡ଼ିମାନଙ୍କ ସହିତ ଏହାକୁ ପ୍ରତିଦ୍ବନ୍ଦ୍ବିତା କରିବାକୁ ପଡ଼ିବ। ଏହି କାରଣରୁ ଟେସ୍ଲା ଭାରତରେ ଏବେ ବିପୁଳ ସଂଖ୍ୟାରେ ଗାଡ଼ି ବିକ୍ରି କରିବାର କୌଣସି ସମ୍ଭାବନା ନାହିଁ। ଭାରତ ବର୍ତ୍ତମାନ ପୃଥିବୀର ତୃତୀୟ ବୃହତ୍ତମ କାର୍ ବଜାର ରୂେପ ଆବିର୍ଭୂତ ହୋଇଥିଲେ ହେଁ, ଟେସ୍ଲା ବର୍ତ୍ତମାନ ଏହାର ସୁଯୋଗ ନେଇପାରିବ ନାହିଁ।
ଟେସ୍ଲା ଏପରି ଏକ ସମୟରେ ଭାରତରେ ପ୍ରବେଶ କରିଛି, ଯେଉଁ ସମୟରେ ଏହାର ଦୁଇ ମୁଖ୍ୟ ବଜାର- ଆମେରିକା ଓ ଚୀନ୍ରେ ଇୟେ ଗୁରୁତର ଆହ୍ବାନର ସମ୍ମୁଖୀନ ହୋଇଛି। ୨୦୨୪ରେ ଉଭୟ ବଜାରରେ ଟେସ୍ଲାର ବିକ୍ରିରେ ହ୍ରାସ ଘଟିବା ଦେଖାଯାଇଥିଲା। ୨୦୨୦ରେ ଚୀନ୍ର ‘ଇଭି’ ବଜାରରେ ‘ଟେସ୍ଲା’ର ଅଂଶ ୧୫ ଶତାଂଶ ହୋଇଥିବା ବେଳେ ବର୍ତ୍ତମାନ ତାହା ପ୍ରାୟ ୭ ଶତାଂଶକୁ ହ୍ରାସ ପାଇ ସାରିଲାଣି। ସେଠାରେ ‘ବିୱାଇଡି’, ‘ସାଓମି’ ପରି ସ୍ଥାନୀୟ ବ୍ରାଣ୍ଡ୍ମାନେ ବଜାର ଦଖଲ କରିବାରେ ଲାଗିଛନ୍ତି। ‘ମଡେଲୱାଇ’ ପୃଥିବୀର ସର୍ବାଧିକ ବିକ୍ରି ହେଉଥିବା ‘ଇଭି’ ହୋଇଥିଲେ ହେଁ, ଏଠାରେ ଏହାର ମୂଲ୍ୟ ଅତ୍ୟଧିକ ଉଚ୍ଚା ହୋଇଥିବା ଯୋଗୁଁ ଏହା ଅଧିକାଂଶ ଭାରତୀୟ ଗ୍ରାହକଙ୍କର ପହୁଞ୍ଚ ବାହାରେ ରହିବ। ଏମିତିରେ ଭାରତୀୟ କାର୍ ବଜାରରେ ବର୍ତ୍ତମାନ ଇଲେକ୍ଟ୍ରିକ ଗାଡ଼ିମାନଙ୍କର ଅଂଶ ହେଉଛି ମାତ୍ର ୫ ଶତାଂଶ ଏବଂ ସବୁ ପ୍ରକାର ବିଳାସ କାର୍ମାନଙ୍କର ସାମଗ୍ରିକ ଅଂଶ ହେଉଛି ମାତ୍ର ୧ ଶତାଂଶ। ଅବଶ୍ୟ ଭାରତରେ କ୍ରମେ ଇଲେକ୍ଟ୍ରିକ ଗାଡ଼ିର ପ୍ରଚଳନ ବୃଦ୍ଧି କରିବା ପାଇଁ ସରକାର ନୀତିଗତ ଭାବେ ଚେଷ୍ଟା ଚଳାଇଛନ୍ତି।
ଭାରତ ଓ ଆମେରିକା ମଧ୍ୟରେ ବର୍ତ୍ତମାନ ଯେଉଁ ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ ହେବା ପାଇଁ କଥାବାର୍ତ୍ତା ଚାଲିଛି, ଆମେରିକାରୁ ଆମଦାନି ହେଉଥିବା କାର୍ ଉପରେ ଶୁଳ୍କ ହ୍ରାସ ହେଉଛି ସେଥିରେ ଅନ୍ତର୍ଭୁକ୍ତ ଥିବା ଏକ ମୁଖ୍ୟ ପ୍ରସ୍ତାବ। ଯଦି ତାହା ଫଳବତୀ ହୁଏ, ତେବେ ‘ଟେସ୍ଲା’ ଭାରତୀୟ ବଜାରରେ ପ୍ରବେଶ ପାଇଁ ତାହା ପଥ ସୁଗମ କରିଦେଇପାରେ। କିନ୍ତୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହିତ ମସ୍କଙ୍କର ସଂପର୍କ ବର୍ତ୍ତମାନ ଯେଉଁଭଳି ତିକ୍ତ ହୋଇଛି, ମସ୍କଙ୍କ ପାଇଁ ଏହି ସମ୍ଭାବ୍ୟ ସୁଯୋଗ କେତେଦୂର ଉପଲବ୍ଧ ହେବ, ତାହା କହିହେବ ନାହିଁ। ଭବିଷ୍ୟତରେ ତେଣୁ ଭାରତୀୟ ବଜାରରୁ ପୂର୍ଣ୍ଣ ଫାଇଦା ଉଠାଇବାକୁ ହେଲେ ମସ୍କଙ୍କୁ ଭାରତରେ ହିଁ ‘ଟେସ୍ଲା’ ଗାଡ଼ି ଉତ୍ପାଦନ କରିବାକୁ ପଡ଼ିବ। ସେ ଦୃଷ୍ଟିରୁ ଦେଖିଲେ କୁହାଯାଇପାରେ ଯେ ବର୍ତ୍ତମାନ ପାଇଁ କେବଳ ଭାରତୀୟ ବଜାରକୁ ପରୀକ୍ଷା କରିବା ପାଇଁ ଓ ଏଠାରେ ନିଜର ଉପସ୍ଥିତି ଦ୍ବାରା ଗ୍ରାହକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ‘ଟେସ୍ଲା’ ଏଠାରେ ପ୍ରତୀକାତ୍ମକ ଭାବରେ ପ୍ରବେଶ କରିଛି। ଆଶା ‘ଆପ୍ଲ’ର ଉଦାହରଣ ଅନୁସରଣ କରି ଟେସ୍ଲା ଅନତିବିଳମ୍ବେ ଏଠାରେ ଉତ୍ପାଦନ ଆରମ୍ଭ କରି ଏହାକୁ ପ୍ରକୃତ ପ୍ରବେଶରେ ପରିଣତ କରିବ।