ଏକ ନିଷ୍ଠୁର ବିଡ଼ମ୍ବନା ସ୍ବରୂପ ଗାଜା ଅଞ୍ଚଳ ଭିତରକୁ ସୈନ୍ୟ ପ୍ରେରଣ କରି ସେଠାରେ ଆସ୍ଥାନ ଜମାଇ ଥିବା ଆତଙ୍କବାଦୀମାନଙ୍କର ମୂଳୋତ୍ପାଟନ କରିବ କି ନାହିଁ, ସେ ନେଇ ଇସ୍ରାଏଲ୍ ବର୍ଷ ବର୍ଷ ଧରି ଦ୍ବିଧାଗ୍ରସ୍ତ ହୋଇ ରହିଥିବା ବେଳେ, ତାକୁ ସଂପୂର୍ଣ୍ଣ ଅପ୍ରସ୍ତୁତ କରିଦେଇ ଶନିବାର ଦିନ ଓଲଟା ହମାସ୍ର କମାଣ୍ଡୋମାନେ ଗାଜାରୁ ବାହାରି ଇସ୍ରାଏଲୀ ଅଞ୍ଚଳରେ ପ୍ରବେଶ କରି ପ୍ରାୟ ନିର୍ବିରୋଧ ଭାବରେ ଭୟଙ୍କର ନରସଂହାର ରଚନା କରିବାରେ ସଫଳ ହୋଇଛନ୍ତି। ଅନିବାର୍ଯ୍ୟ ଭାବରେ ଅବିଳମ୍ବେ ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ ଓ ଗୁପ୍ତଚର ସଂଗଠନକୁ ଏ ସଂପର୍କରେ ଅନେକ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ।
ଗତ ଶନିବାର ଦିନ ଇସ୍ରାଏଲ୍ ଉପରେ ପାଲେଷ୍ଟିନୀୟ ଚରମପନ୍ଥୀ ଗୋଷ୍ଠୀ ‘ହମାସ୍’ କରିଥିବା ଭୟଙ୍କର ଅତର୍କିତ ଆତଙ୍କବାଦୀ ଆକ୍ରମଣର ପୋଷ୍ଟମର୍ଟମ୍ ଅନେକ ଦିନ ଧରି ଚାଲୁ ରହିବ। କେବଳ ଇସ୍ରାଏଲ୍ ଭିତରେ ନୁହେଁ, ଇସ୍ରାଏଲ୍ ବାହାରେ ମଧ୍ୟ ବିଭିନ୍ନ ଦେଶର ଜାତୀୟ ନିରାପତ୍ତା ରକ୍ଷା ଦାୟିତ୍ବରେ ଥିବା ସଂସ୍ଥାମାନ ତନ୍ନ ତନ୍ନ କରି ଏହି ଘଟଣାର ଅନୁଶୀଳନ କରିବାରେ ଲାଗି ପଡ଼ିବେ। ଏହାର ସରଳ କାରଣ ହେଲା ଏହା ଯେ ଇସ୍ରାଏଲ୍ର ଜାତୀୟ ନିରାପତ୍ତା ରକ୍ଷାରେ ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଏହାର ଗୁପ୍ତଚର ବାହିନୀ ପୃଥିବୀର ଦକ୍ଷତମ ଓ ଶ୍ରେଷ୍ଠତମ ଗୁପ୍ତଚର ସଂଗଠନ ରୂପେ ସର୍ବଦା ବିବେଚିତ ହୋଇଆସୁଥିଲେ ହେଁ ଏକ କ୍ଷୁଦ୍ର ଖୁଆଡ଼ ଭଳି ହୋଇ ଥିବା ପଡ଼ୋଶୀ ସମୁଦ୍ରତଟବର୍ତ୍ତୀ ‘ଗାଜା ଷ୍ଟ୍ରିପ୍’ରେ ‘ହମାସ୍’ ଏପରି ଏକ ବିଶାଳ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇବାର କୌଣସି ସୁରାକ୍ ଇସ୍ରାଏଲ୍ର ଗୁପ୍ତଚର ସଂଗଠନ ପାଇପାରି ନଥିଲା।
ହମାସ୍ ଇସ୍ରାଏଲ୍ ଉପରେ ଯେଉଁ ହଜାର ହଜାର ସଂଖ୍ୟାରେ ରକେଟ୍ ମାଡ଼ କରିଛି ତାହା ଠୁଳ କରିବା ସମୟ ସାପେକ୍ଷ ହୋଇଥିଲେ ହେଁ ଇସ୍ରାଏଲୀ ଗୁପ୍ତଚର ବ୍ୟବସ୍ଥା ଏହାର କୌଣସି ଗନ୍ଧ ପାଇପାରି ନଥିଲା। ସେହିପରି ହମାସ୍ ଆତଙ୍କବାଦୀମାନେ ଜଳ, ସ୍ଥଳ ଓ ଆକାଶ ପଥ ଦେଇ ଇସ୍ରାଏଲ୍ରେ ଅନୁପ୍ରବେଶ କରି ବେସାମରିକ ଜନସାଧାରଣଙ୍କର ସଂହାର ରଚନା କରିବା ପାଇଁ ତାଲିମ ନେବା ଓ ଅଭ୍ୟାସ କରିବା ମଧ୍ୟ ଏକ ସମୟ ସାପେକ୍ଷ ପ୍ରକ୍ରିୟା ହୋଇଥିଲେ ହେଁ ଏବଂ ଏହା ବସ୍ତୁତଃ ଇସ୍ରାଏଲ୍ର ନାକ ତଳେ ଘଟିଥିଲେ ହେଁ ଇସ୍ରାଏଲୀ ଗୁପ୍ତଚର ବ୍ୟବସ୍ଥା ଏ ସମ୍ବନ୍ଧରେ ସଂପୂର୍ଣ୍ଣ ଅଜ୍ଞ ଥିଲା। ଏହା କିପରି ସମ୍ଭବ ହେଲା, ପୃଥିବୀ ସାରାର ନିରାପତ୍ତା ବିଶେଷଜ୍ଞମାନେ ଆଗାମୀ ସମୟରେ ତାହାର ଉତ୍ତର ଖୋଜିବାରେ ଲାଗି ପଡ଼ିବେ।
ଏଥିରେ ସନ୍ଦେହ ନାହିଁ ଯେ ହମାସ୍ ଅତ୍ୟନ୍ତ ଯତ୍ନ ସହକାରେ ଅକ୍ଟୋବର ୭କୁ ଏହି ଆକ୍ରମଣର ଦିନ ରୂପେ ଚୟନ କରିଛି; କାରଣ ଏହାର ଠିକ୍ ପୂର୍ବ ଦିନ ଅକ୍ଟୋବର ୬ ଦିନ ଇସ୍ରାଏଲ୍ ସମ୍ମୁଖୀନ ହୋଇଥିବା ଏଇଭଳି ଆଉ ଏକ ଅତର୍କିତ ଆକ୍ରମଣର ଅର୍ଦ୍ଧଶତାବ୍ଦୀ ପୂରଣ ହୋଇଥିଲା। ଇସ୍ରାଏଲୀ ଗୁପ୍ତଚରମାନେ ଅନ୍ତତଃ ଏ ସମ୍ବନ୍ଧରେ ସଚେତନ ଥିବା ଆଶା କରିବା ସ୍ବାଭାବିକ, କିନ୍ତୁ ଦୁର୍ଭାଗ୍ୟଜନକ ଭାବରେ ବର୍ତ୍ତମାନ ସାବ୍ୟସ୍ତ ହୋଇଛି ଯେ ସେମାନେ ଏ ଦିଗ ପ୍ରତି ଆଦୌ ଧ୍ୟାନ ଦେଇ ନଥିଲେ। ୧୯୭୩ ଅକ୍ଟୋବର ୬ରେ ଇସ୍ରାଏଲ୍ ଯେଉଁ ତଥାକଥିତ ‘ୟୋମ୍ କିପ୍ପୁର୍’ ଯୁଦ୍ଧ (ସେଇଦିନ ଇହୁଦୀମାନେ ପବିତ୍ର ‘ୟୋମ୍ କିପ୍ପୁର୍’ ଉତ୍ସବ ପାଳନ କରୁଥିଲେ)ର ସମ୍ମୁଖୀନ ହୋଇଥିଲା, ତାହା କିନ୍ତୁ ଥିଲା ଏକ ଭିନ୍ନ ଧରଣର ଯୁଦ୍ଧ। ସେ ଯୁଦ୍ଧରେ ଇସ୍ରାଏଲ୍ର ପ୍ରତିପକ୍ଷ ଥିବା ଇଜିପ୍ଟ ଓ ସିରିଆର ସେନାବାହିନୀମାନ ତତ୍କାଳୀନ ସୋଭିଏତ୍ ସଂଘର ସାମରିକ ସହାୟତା ଦ୍ବାରା ପରିପୁଷ୍ଟ ଥିଲେ। ବର୍ତ୍ତମାନ କିନ୍ତୁ ଇସ୍ରାଏଲ୍ ଉପରେ ରକ୍ତାକ୍ତ ଆକ୍ରମଣ କରିଥିବା ଶତ୍ରୁ ହେଉଛି ଏକ କ୍ଷୁଦ୍ର ଆତଙ୍କବାଦୀ ସଂଗଠନ ଯିଏ ‘ଗାଜା ଷ୍ଟ୍ରିପ୍’ ନାମକ ଏକ ସଂକୀର୍ଣ୍ଣ ଉପକୂଳବର୍ତ୍ତୀ ନିବୁଜ ଅଞ୍ଚଳରେ ବସ୍ତୁତଃ ଅଟକ ଅବସ୍ଥାରେ ରହିଛି। ଏହି ଆତଙ୍କବାଦୀ ଗୋଷ୍ଠୀ ‘ହମାସ୍’ର ନା ଅଛି କୌଣସି ନୌସେନା, ନା ଅଛି କୌଣସି ବାୟୁସେନା, ନା କୌଣସି ସଞ୍ଜୁଆ ବାହିନୀ, କିମ୍ବା ନା କୌଣସି ଉଲ୍ଲେଖନୀୟ ଗୁପ୍ତଚର ସଂଗଠନ। ତଥାପି ସେମାନେ ଯେଉଁ ଶତ୍ରୁକୁ ତା’ର ଅଭେଦ୍ୟ ଦୁର୍ଗ ଭଳି ସୁରକ୍ଷିତ ଦେଶ ଭିତରେ ପ୍ରବେଶ କରି ବର୍ତ୍ତମାନ ପାଇଁ ଧରାଶାୟୀ କରି ଦେଇଛନ୍ତି, ସେଇ ଇସ୍ରାଏଲ୍ ହେଉଛି ଏପରି ଏକ ଦେଶ ଯିଏ ଅତ୍ୟାଧୁନିକ ଜ୍ଞାନକୌଶଳ, ଅସ୍ତ୍ରଶସ୍ତ୍ର ଓ ଗୋପନୀୟ ସୂଚନା ସଂଗ୍ରହକାରୀ କ୍ଷମତା ଦ୍ବାରା ସଜ୍ଜିତ ଏକ ଅଗ୍ରଣୀ ସାମରିକ ଶକ୍ତି ରୂପେ ପୃଥିବୀର ଅନ୍ୟ ସମସ୍ତ ଦେଶର ସାମରିକ ବାହିନୀମାନଙ୍କ ପାଇଁ ଏକ ଆଦର୍ଶ ରୂପେ ବିବେଚିତ ହୋଇ ଆସିଛି।
ଏକ ନିଷ୍ଠୁର ବିଡ଼ମ୍ବନା ସ୍ବରୂପ ଗାଜା ଅଞ୍ଚଳ ଭିତରକୁ ସୈନ୍ୟ ପ୍ରେରଣ କରି ସେଠାରେ ଆସ୍ଥାନ ଜମାଇ ଥିବା ଆତଙ୍କବାଦୀମାନଙ୍କର ମୂଳୋତ୍ପାଟନ କରିବ କି ନାହିଁ, ସେ ନେଇ ଇସ୍ରାଏଲ୍ ବର୍ଷ ବର୍ଷ ଧରି ଦ୍ବିଧାଗ୍ରସ୍ତ ହୋଇ ରହିଥିବା ବେଳେ, ତାକୁ ସଂପୂର୍ଣ୍ଣ ଅପ୍ରସ୍ତୁତ କରିଦେଇ ଶନିବାର ଦିନ ଓଲଟା ହମାସ୍ର କମାଣ୍ଡୋମାନେ ଗାଜାରୁ ବାହାରି ଇସ୍ରାଏଲୀ ଅଞ୍ଚଳରେ ପ୍ରବେଶ କରି ପ୍ରାୟ ନିର୍ବିରୋଧ ଭାବରେ ଭୟଙ୍କର ନରସଂହାର ରଚନା କରିବାରେ ସଫଳ ହୋଇଛନ୍ତି। ଅନିବାର୍ଯ୍ୟ ଭାବରେ ଅବିଳମ୍ବେ ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ ଓ ଗୁପ୍ତଚର ସଂଗଠନକୁ ଏ ସଂପର୍କରେ ଅନେକ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ। େଯମିତି, ଏପରି ଏକ ବିଶାଳ ଆକ୍ରମଣର ପୂର୍ବପ୍ରସ୍ତୁତି ସମ୍ବନ୍ଧରେ ସେମାନେ କିପରି କିଛି ହେଲେ ସୂଚନା ପାଇଲେ ନାହିଁ?; ସାମାନ୍ୟ ଶକ୍ତି ସଂପନ୍ନ ହମାସ୍ ଯୋଦ୍ଧାମାନେ କିପରି ସୀମାନ୍ତରେ ଅଜସ୍ର ଅର୍ଥ ଶ୍ରାଦ୍ଧ କରି ଇସ୍ରାଏଲ୍ ନିର୍ମାଣ କରିଥିବା ଅତ୍ୟାଧୁନିକ ପ୍ରତିବନ୍ଧକମାନଙ୍କୁ ଲଂଘନ କରିବାରେ ସମର୍ଥ ହେଲା?, େଯତେବେଳେ ହମାସ୍ ଆତଙ୍କବାଦୀମାନେ ଇସ୍ରାଏଲ୍ ଭିତରେ ଗୋଟିଏ ସହରରୁ ଅନ୍ୟ ଗୋଟିଏ ସହରକୁ ଯାଇ ଯାହାକୁ ପାଇଲେ ତାକୁ ଗୁଳିକରି ହତ୍ୟା କରିବାରେ ଲାଗିଥିଲେ, ପଣବନ୍ଦୀ କରି ନେଉଥିଲେ, ଘର ଜାଳି ଦେଉଥିଲେ, ସେତେବେଳେ ପୃଥିବୀର ଉନ୍ନତତମ ବିମାନବାହିନୀମାନଙ୍କ ମଧ୍ୟରୁ ଅନ୍ୟତମ ରୂପେ ବିବେଚିତ ଇସ୍ରାଏଲୀ ବିମାନବାହିନୀ ସେମାନଙ୍କୁ ଠାବକରି ଧ୍ବଂସ କରିପାରିଲା ନାହିଁ କାହିଁକି? ଆଗାମୀ ଦିନମାନଙ୍କରେ ଏ ସମସ୍ତ ପ୍ରଶ୍ନର ଉତ୍ତର ତ ନିଶ୍ଚିତ ରୂପେ ମିଳିବ, କିନ୍ତୁ ତାହା ପ୍ରକାଶିତ ହେବ କି ନାହିଁ, ତାହା ହେଉଛି ଆଉ ଏକ ପ୍ରଶ୍ନ।
ତେବେ ସେ ସବୁ ଅନୁସନ୍ଧାନକୁ ଅପେକ୍ଷା ନ କରି ପର୍ଯ୍ୟବେକ୍ଷକମାନଙ୍କୁ ଏହାର କେତୋଟି କାରଣ ଜଳଜଳ ହୋଇ ଦେଖା ଯାଇଥାଏ। ସର୍ବପ୍ରଥମ ହେଲା ଏହି ପରିସ୍ଥିତି ପ୍ରତି ପ୍ରଯୁଜ୍ୟ ଏକ ସୁବିଦିତ ଆପ୍ତବାକ୍ୟର ଉଲ୍ଲଂଘନ: ‘‘ଅବିରତ ସତର୍କତା ହେଉଛି ମୁକ୍ତିର ମୂଲ୍ୟ’’ (‘‘ଇଟର୍ନାଲ୍ ଭିଜିଲାନ୍ସ ଇଜ୍ ଦି ପ୍ରାଇସ୍ ଅଫ୍ ଲିବର୍ଟି’’)। ହମାସ୍କୁ ଦମନ କରି ଗାଜାରେ ଆବଦ୍ଧ କରି ରଖିଦେଇ ପାରିଥିବା ଭ୍ରାନ୍ତ ଧାରଣାର ବଶବର୍ତ୍ତୀ ହୋଇ ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ଗାଜା ଉପରୁ ନଜର ହଟାଇ ‘ୱେଷ୍ଟ ବ୍ୟାଙ୍କ୍’ ପଟରୁ ହୋଇ ଚାଲିଥିବା ପାଲେଷ୍ଟିନୀୟ ଆତଙ୍କବାଦୀ ଆକ୍ରମଣମାନ ପ୍ରତିହତ କରିବାରେ ସଂପୂର୍ଣ୍ଣ ଧ୍ୟାନ ନିବଦ୍ଧ କରିଥିଲା। ଦ୍ବିତୀୟରେ, ଗାଜା ସୀମାନ୍ତରେ ନିର୍ମିତ ଅତ୍ୟାଧୁନିକ ପ୍ରତିବନ୍ଧକ ବ୍ୟବସ୍ଥା ଅଲଂଘ୍ୟ ବୋଲି ବିଶ୍ବାସ କରି ରହିଯିବା ‘ଟାଇଟାନିକ୍’ କେବେ ହେଲେ ବୁଡ଼ିବ ନାହିଁ ବୋଲି ବିଶ୍ବାସ କରିବା ଭଳି ହୋଇଛି। ତୃତୀୟରେ ଇସ୍ରାଏଲୀମାନେ ଦୀର୍ଘକାଳ ଧରି ସୁରକ୍ଷିତ ରହିବା ପରେ ଜାତୀୟ ନିରାପତ୍ତାକୁ ଆଉ ଆଗ ଭଳି ଗୁରୁତ୍ବ ପ୍ରଦାନ ନକରି ବିଭାଜନ ସୃଷ୍ଟିକାରୀ ରାଜନୀତିରେ ପ୍ରମତ୍ତ ହୋଇ ପଡ଼ିଛନ୍ତି। ପରିସ୍ଥିତି ଏପରି ହୋଇଛି ଜାତୀୟତାବାଦୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଯେଉଁ ଉଦାରବାଦୀ ଗୋଷ୍ଠୀମାନେ ବିରୋଧ କରି ଗଣବିକ୍ଷୋଭ ପ୍ରଦର୍ଶନ କରି ଚାଲିଛନ୍ତି, ସେମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଅଛନ୍ତି ଗୁପ୍ତ ତଥ୍ୟ ସଂଗ୍ରହ ଦାୟିତ୍ବରେ ଥିବା ଗୋଷ୍ଠୀ ସଦସ୍ୟମାନେ, ଯେଉଁମାନଙ୍କର ଅବହେଳା ବର୍ତ୍ତମାନ ମହଙ୍ଗା ସାବ୍ୟସ୍ତ ହୋଇଛି। ଇସ୍ରାଏଲୀ ରାଜନୀତି ଯଦି ଏଇଭଳି ବିଭାଜିତ ଅବସ୍ଥା ଦେଇ ଗତି କରେ, ତେବେ ଶତ୍ରୁ ପରିବେଷ୍ଟିତ ଏହି କ୍ଷୁଦ୍ର ଦେଶର ଅସ୍ତିତ୍ବ ଲୋପ ପାଇବାକୁ ଯେ ବିଳମ୍ବ ହେବ ନାହିଁ, ହମାସ୍ ଆକ୍ରମଣ ହେଉଛି ତାହାର ଏକ ସତର୍କ ଘଣ୍ଟି। ଶତ୍ରୁ-ପରିବେଷ୍ଟିତ ଭାରତ ମଧ୍ୟ ଏଥିରେୁ ଶିକ୍ଷା ଲାଭ କରିବା ଜରୁରୀ।