ଭାରତୀୟ କ୍ରିକେଟ୍ ତାରକାମାନଙ୍କ ତୁଳନାରେ ଅନ୍ୟ ଦେଶର କ୍ରିକେଟ୍ ଖେଳାଳିମାନଙ୍କୁ ଦରିଦ୍ର ବୋଲି କହିଲେ ଭୁଲ୍ ହେବ ନାହିଁ। ଫଳରେ ପ୍ରୋତ୍ସାହନ ଅଭାବରୁ ଅନ୍ୟ ଦେଶମାନଙ୍କରେ କ୍ରିକେଟ୍ର ଲୋକପ୍ରିୟତା ହ୍ରାସ ପାଇବାରେ ଲାଗିଲାଣି, ଯାହାର ଏକ ବେଦନାଦାୟକ ଉଦାହରଣ ହେଉଛି ୱେଷ୍ଟ୍ ଇଣ୍ଡିଜ୍- ଅତୀତର ଏହି ଅଗ୍ରଣୀ କ୍ରିକେଟ୍ ଶକ୍ତି ଏଥର ବିଶ୍ବକପ୍ ଟୁର୍ନାମେଣ୍ଟ୍ରେ ଭାଗ ନେବାକୁ ମଧ୍ୟ ଯୋଗ୍ୟ ବିବେଚିତ ହେଲା ନାହିଁ। କିଏ ଜାଣେ, ହୁଏତ ଅଷ୍ଟ୍ରେଲିଆ ଭଳି ଏକ ଅଣ-ଭାରତୀୟ ଦେଶର କପ୍ ବିଜୟ ଅନ୍ୟ ଦେଶମାନଙ୍କରେ କ୍ରିକେଟ୍ ପ୍ରତି ଉତ୍ସାହକୁ ପୁନରୁଜ୍ଜୀବିତ କରିପାରେ। ଭାରତୀୟମାନେ ତେଣୁ ହତାଶ ନ ହୋଇ ଶାନ୍ତିରେ ପୁଣି କ୍ରିକେଟ୍ରେ ନିଜକୁ ନିମଜ୍ଜିତ କରି ଦିଅନ୍ତୁ।
ଗତ ରବିବାର ଦିନ ଅହମ୍ମଦାବାଦ ଠାରେ ଖେଳା ଯାଇଥିବା ଆଇସିସି କ୍ରିକେଟ୍ ୱାର୍ଲଡ କପ୍ ୨୦୨୩ରେ ଅଷ୍ଟ୍ରେଲିଆ ଠାରୁ ଭାରତର ଶୋଚନୀୟ ପରାଜୟ ଏକ ଦେଶବ୍ୟାପୀ ଘୋର ବିଷାଦର ବାତାବରଣ ସୃଷ୍ଟି କରିଛି। ଏହି ବିଷାଦର ତୀବ୍ରତାର କାରଣ କେବଳ ଏକ ସିଧାସଳଖ ପରାଜୟ ନୁହେଁ; କାରଣ ହେଉଛି ସେମାନଙ୍କର ଅଗଣତି ଭକ୍ତମାନଙ୍କ ଦୃଷ୍ଟିରେ ଅତିମାନବୀୟ ଶକ୍ତିର ଅଧିକାରୀ ରୂପେ ବିବେଚିତ ଭାରତୀୟ କ୍ରିକେଟ୍ ଟିମ୍ର ଖେଳାଳିମାନଙ୍କର ଅସଲ ଯୁଦ୍ଧରେ ପ୍ରତିପକ୍ଷ ନିକଟରେ ଚୁପ୍ଚାପ୍ ଆତ୍ମସମର୍ପଣ। ବାସ୍ତବରେ ଫାଇନାଲ୍ ମ୍ୟାଚ୍ ପୂର୍ବରୁ ଭାରତୀୟ ଖେଳାଳିମାନଙ୍କର ଟୁର୍ନାମେଣ୍ଟ୍ରେ ପ୍ରଦର୍ଶନ ଯେ ଅତିମାନବୀୟ ଶ୍ରେଣୀର ଥିଲା, ଏଥିରେ କୌଣସି ସନ୍ଦେହ ନାହିଁ।
ଟୁର୍ନାମେଣ୍ଟ ଆରମ୍ଭରୁ ଫାଇନାଲ୍ ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ ଲଗାତାର ଦଶଟି ମ୍ୟାଚ୍ରେ ବିଜୟ ଲାଭ କରିବାର ଅତିମାନବୀୟତା ହୃଦୟଙ୍ଗମ କରିବା ନିମିତ୍ତ ଥର୍ମୋଡାଇନାମିକ୍ସ ଅନ୍ତର୍ଗତ ଏକ ଧାରଣା, ‘ଏଣ୍ଟ୍ରପି’ ସମ୍ବନ୍ଧରେ ବୁଝିବା ସହଜ ହେବା ପାଇଁ ବ୍ୟବହାର କରାଯାଉଥିବା ଏକ ଉଦାହରଣର ସହାୟତା ନିଆ ଯାଇପାରେ। ପୃଥିବୀରେ ଏଯାବତ୍ ରଚିତ ଉପନ୍ୟାସମାନଙ୍କ ମଧ୍ୟରେ ଶ୍ରେଷ୍ଠତମ ରୂପେ ବିବେଚିତ ଲିଓ ଟଲ୍ଷ୍ଟୟଙ୍କର ‘ୱାର୍ ଆଣ୍ଡ୍ ପିସ୍’ (‘ଯୁଦ୍ଧ ଓ ଶାନ୍ତି’)ର ପୃଷ୍ଠା ସଂଖ୍ୟା ହେଉଛି ୧୩୮୬, ଅର୍ଥାତ୍ ଏଥିରେ ୬୯୩ ଫର୍ଦ୍ଦ କାଗଜ ଲାଗିଥାଏ। କଳ୍ପନା କରାଯାଉ, ଏହି ପୁସ୍ତକର ସିଲେଇ ଫିଟାଇ ଦେଇ ସେ ୬୯୩ ଫର୍ଦ୍ଦ କାଗଜକୁ ଏକାଠି ଶୂନ୍ୟକୁ ଫିଙ୍ଗି ଦିଅାଗଲା। ସେ କାଗଜ ଫର୍ଦ୍ଦଗୁଡ଼ିକ ତଳେ ବିଛାଡ଼ି ହୋଇ ଏଣେତେଣେ ପଡ଼ିବା ପରେ ସେଗୁଡ଼ିକୁ ଗୋଟାଇ ଯଦି ଯେନତେନ ପ୍ରକାରେଣ ଗୋଟିକ ଉପରେ ଗୋଟିଏ ରଖି ପୁଣି ସିଲେଇ କରି ଦିଆଯାଏ, ତେବେ ଯେଉଁ ‘ୱାର୍ ଅାଣ୍ଡ୍ ପିସ୍’ର ଆବିର୍ଭାବ ଘଟିବ, ତାହାର ପୃଷ୍ଠାଗୁଡ଼ିକ ପୁଣି ପୂର୍ବ ଭଳି ୧, ୨, ୩, ... ୧୩୮୬ କ୍ରମରେ ସଜାଇ ହୋଇ ରହି ଥିବାର ସମ୍ଭାବନା କେତେ? ପଦାର୍ଥ ବିଜ୍ଞାନର ନିୟମ ଅନୁସାରେ ଏଭଳି ଘଟିବାର ସମ୍ଭାବନା ଏତେ କ୍ଷୀଣ ଯେ, ତାହା ପ୍ରାୟ ଶୂନ୍ୟ କହିଲେ ଚଳେ।
ଏହାର କାରଣ ପୃଷ୍ଠାଗୁଡ଼ିକ ସୁବିନ୍ୟସ୍ତ ଭାବରେ ଏକାଠି ହୋଇଯିବାର ମାତ୍ର ଗୋଟିଏ ବିନ୍ୟାସ ଉପଲବ୍ଧ (୧, ୨, ୩, ... ୧୩୮୬) ଥିବା ବେଳେ, ସେଗୁଡ଼ିକ ଅବିନ୍ୟସ୍ତ ଅର୍ଥାତ୍ ଅସଜଡ଼ା ହୋଇ ଏକାଠି ହେବା ପାଇଁ ଉପଲବ୍ଧ ସମ୍ଭାବ୍ୟ ବିନ୍ୟାସ ସଂଖ୍ୟା ଏତେ ବିଶାଳ ଯେ ତାହାକୁ ଲିପିବଦ୍ଧ କରିବା ପାଇଁ ଏହି ସ୍ତମ୍ଭରେ ଯଥେଷ୍ଟ ସ୍ଥାନ ନାହିଁ; ତେଣୁ ସଂକ୍ଷିପ୍ତ ଗାଣିତିକ ଭାଷାରେ ତାହା ପ୍ରାୟ ୧୦୧୮୭୮ ବୋଲି ଦର୍ଶା ଯାଇଥାଏ। ଏହାର ସରଳ ଅର୍ଥ ହେଲା, ପୃଷ୍ଠାଗୁଡ଼ିକ ପୁଣି ପୂର୍ବ ଭଳି ସଜାଡ଼ି ହୋଇ ରହି ଯିବାର ମାତ୍ର ଗୋଟିଏ ବାଟ ଥିବା ବେଳେ, ସେଗୁଡ଼ିକ ଅସଜଡ଼ା ହୋଇ ଯିବା ପାଇଁ ଅସଂଖ୍ୟ ବାଟ ଥାଏ। ପଦାର୍ଥ ବିଜ୍ଞାନ ଭାଷାରେ ଅଧିକ ସଂଖ୍ୟକ ବାଟ ହେଉଛି ଉଚ୍ଚା ଏଣ୍ଟ୍ରପି (‘ହାଇ ଏଣ୍ଟ୍ରପି’) ଏବଂ କମ୍ ସଂଖ୍ୟକ ବାଟ ହେଉଛି ନୀଚା ଏଣ୍ଟ୍ରପି (‘ଲୋ ଏଣ୍ଟ୍ରପି’)। ‘ୱାର୍ ଆଣ୍ଡ୍ ପିସ୍’ର ପୃଷ୍ଠାଗୁଡ଼ିକର ସୁବିନ୍ୟସ୍ତ ଅବସ୍ଥା ଅତ୍ୟନ୍ତ ‘ଲୋ ଏଣ୍ଟ୍ରପି’ ହୋଇଥିବାରୁ କେବଳ କଠୋର ଶୃଙ୍ଖଳାର ସହିତ ସେଗୁଡ଼ିକୁ ସଜାଡ଼ି ରଖିଲେ ଯାଇ ସେଇ ମୂଳ ଅବସ୍ଥା ପ୍ରାପ୍ତ ହେବା ସମ୍ଭବ ହେବ। ଅପରପକ୍ଷେ ପୃଷ୍ଠାଗୁଡ଼ିକର ଅବିନ୍ୟସ୍ତ ଅବସ୍ଥା ଅତ୍ୟନ୍ତ ‘ହାଇ ଏଣ୍ଟ୍ରପି’ ହୋଇଥିବାରୁ ତାହା ହାସଲ କରିବା ପାଇଁ କୌଣସି ଶୃଙ୍ଖଳା ଆବଶ୍ୟକ ହୋଇ ନ ଥାଏ, ଖଣ୍ଡଖଣ୍ଡ ହୋଇ ତଳେ ଏଣେତେଣେ ପଡ଼ିଥିବା ପୃଷ୍ଠାଗୁଡ଼ିକୁ ଗୋଟାଇ ଯେମିତିବି ଏକାଠି କରିଦେଲେ ତାହା ଏକ ଅବିନ୍ୟସ୍ତ ଅବସ୍ଥାରେ ରହିବାର ସମ୍ଭାବନା ପ୍ରାୟ ଶତ ପ୍ରତିଶତ ହୋଇଥାଏ।
ଯଦି ଆମର ଲକ୍ଷ୍ୟ ହୋଇଥାଏ, ପୃଷ୍ଠାଗୁଡ଼ିକୁ ଏପରି ଏକାଠି କରିବା େଯମିତି ପୁସ୍ତକଟି ତା’ର ମୂଳ ଅବସ୍ଥା ଫେରି ପାଇବ, ତେବେ ଆମକୁ ସଂପୂର୍ଣ୍ଣ ମନଧ୍ୟାନ ଦେଇ ଶୃଙ୍ଖଳିତ ଭାବରେ ପୃଷ୍ଠାଗୁଡ଼ିକୁ ସଜାଡ଼ି ରଖିବାକୁ ହେବ; ଯଦି ଏହି ଶୃଙ୍ଖଳା ସାମାନ୍ୟ ହୁଗୁଳା ହୋଇଯାଏ, ତେବେ ପୁନରୁଦ୍ଧାର କରାଯାଇଥିବା ‘ୱାର୍ ଆଣ୍ଡ୍ ପିସ୍’ର ପୃଷ୍ଠାଗୁଡ଼ିକ ସବୁ ଆଗପଛ ହୋଇ ଯାଇଥିବାର ନିଶ୍ଚିତ ସମ୍ଭାବନା ରହିଥାଏ ଓ ଆମେ ଆମର ଲକ୍ଷ୍ୟ ହାସଲରେ ବିଫଳ ହୋଇଥାଉ। ଏଥିରୁ ସ୍ପଷ୍ଟ ହୋଇଥାଏ ଯେ ସଫଳତା କଷ୍ଟସାଧ୍ୟ ହୋଇଥିବାରୁ ତାହାର ସମ୍ଭାବନା କମ୍ ହୋଇଥାଏ ଓ ବିଫଳତା ପାଇଁ କଷ୍ଟ କରିବାକୁ ପଡୁ ନ ଥିବାରୁ ତାହାର ସମ୍ଭାବନା ଅଧିକ ହୋଇଥାଏ।
ଉପରବର୍ଣ୍ଣିତ ଉଦାହରଣରେ ‘ୱାର୍ ଆଣ୍ଡ୍ ପିସ୍’ର ପୃଷ୍ଠାଗୁଡ଼ିକୁ ସଠିକ୍ କ୍ରମରେ ସଜାଡ଼ି ରଖିବା ଯେଉଁଭଳି ଆୟାସସାଧ୍ୟ, ଏଠାରେ ‘ୱାର୍’ ବା ‘ଯୁଦ୍ଧ’ ରୂପେ ବିବେଚିତ ୱାର୍ଲଡ କପ୍ ଟୁର୍ନାମେଣ୍ଟର ମ୍ୟାଚ୍ଗୁଡ଼ିକରେ ବିଜୟଲାଭ ମଧ୍ୟ ଥିଲା ସେଇଭଳି ଆୟାସସାଧ୍ୟ, ବା ଅନ୍ୟ ଭାଷାରେ କହିଲେ, ବିଜୟ ‘ଲୋ ଏଣ୍ଟ୍ରପି’ ହୋଇଥିବା ବେଳେ ପରାଜୟ ହେଉଛି ‘ହାଇ ଏଣ୍ଟ୍ରପି’, ସ୍ବାଭାବିକ ଭାବରେ ଯାହାର ସମ୍ଭାବନା ହେଉଛି ବହୁ ଅଧିକ। ଭାରତୀୟ କ୍ରିକେଟ୍ ଟିମ୍ କିନ୍ତୁ ହେଉଛି ଏହି ସଦ୍ୟସମାପ୍ତ ଟୁର୍ନାମେଣ୍ଟ୍ର ଏକମାତ୍ର ଟିମ୍ ଯିଏ ପଦାର୍ଥ ବିଜ୍ଞାନର ଏହି ନିୟମକୁ ବେଖାତିର କଲା ଭଳି ଫାଇନାଲ୍ ପୂର୍ବରୁ ଖେଳା ଯାଇଥିବା ସମସ୍ତ ଦଶଟିଯାକ ମ୍ୟାଚ୍ରେ ବିଜୟ ହାସଲ କରିବାରେ ସଫଳ ହୋଇଥିଲା। ସତେ ଯେମିତି ଭାରତୀୟ ଖେଳାଳିମାନେ ଦଶ ଥରଯାକ ବିକ୍ଷିପ୍ତ ଭାବରେ ଫିଙ୍ଗା ଯାଇଥିବା ‘ୱାର୍ ଆଣ୍ଡ୍ ପିସ୍’ର ପୃଷ୍ଠାଗୁଡ଼ିକୁ ସାଉଁଟି ସଠିକ୍ କ୍ରମରେ ସଜାଡ଼ି ରଖିବାରେ ସଫଳ ହୋଇଥିଲେ, ଯାହା ଅନ୍ୟ କୌଣସି ଟିମ୍ ହାସଲ କରି ପାରି ନ ଥିଲା- କପ୍ ବିଜେତା ଅଷ୍ଟ୍ରେଲିଅା ସମେତ।
ଏକାଦଶ ଯୁଦ୍ଧରେ କିନ୍ତୁ ପଦାର୍ଥ ବିଜ୍ଞାନର ସେହି ନିର୍ଦ୍ଦୟ ନିୟମ ଭାରତୀୟ ଟିମ୍ ପାଖରେ ପହଞ୍ଚିଗଲା ଓ ସେମାନେ ‘ହାଇ ଏଣ୍ଟ୍ରପି’ ପରାଜୟ ନିକଟରେ ପ୍ରଥମ ଥର ପାଇଁ ମୁଣ୍ଡ ନୁଆଁଇଲେ। କ୍ରିକେଟ୍-ଧର୍ମାବଲମ୍ବୀ ଭାରତୀୟମାନଙ୍କ ପାଇଁ ଏହା ଅବଶ୍ୟ ନିଶ୍ଚିତ ରୂପେ ବେଦନାଦାୟକ। ହୁଏତ ଅତୀତର କୌଣସି ଏକ ଲିଗ୍ ମ୍ୟାଚ୍ରେ ଯଦି ଭାରତ ତା’ ଭାଗରେ ଥିବା ଏହି ପରାଜୟ ସ୍ବୀକାର କରିଥାନ୍ତା, ଆଜି ଭାରତୀୟ ଖେଳାଳିମାନଙ୍କ ହାତରେ ବିଶ୍ବକପ୍ ଶୋଭା ପାଉଥାନ୍ତା। ଏହି ବୃହତ୍ତର ଦୃଷ୍ଟିକୋଣରୁ ଯଦି ଦେଖାଯାଏ, ତେବେ ଏହି ଟୁର୍ନାମେଣ୍ଟ୍ରେ ଭାରତୀୟମାନେ ବିଫଳ ହୋଇଛନ୍ତି ବୋଲି କୁହାଯାଇ ପାରିବ ନାହିଁ।
ଫାଇନାଲ୍ ମ୍ୟାଚ୍ର ଫଳାଫଳ କଥା ଭୁଲି ଆମେମାନେ ଯଦି ଏହି ଟୁର୍ନାମେଣ୍ଟ୍ର ଅନ୍ୟ କେତେକ ପ୍ରଭାବ ପ୍ରତି ଧ୍ୟାନ ଦେଉ, ତେବେ ଆମର ମିଳିତ ଅବସୋସ ଅନେକାଂଶରେ ଲାଘବ ହୋଇପାରେ। ଗୋଟିଏ ହେଲା ଭାରତୀୟ ଅର୍ଥନୀତି ଉପରେ ଏହି ଟୁର୍ନାମେଣ୍ଟ୍ର ପ୍ରଭାବ। ଏହାର ଟିକିନିଖି ବର୍ଣ୍ଣନା ନ କରି ଏତିକି କହିଲେ ଯଥେଷ୍ଟ ହେବ ଯେ ଏକ ବିଶେଷଜ୍ଞ ଆକଳନ ଅନୁସାରେ ଏହି ଟୁର୍ନାମେଣ୍ଟ୍ ଯୋଗୁଁ ଭାରତର ଜାତୀୟ ଆୟରେ ଅନ୍ୟୂନ ୨.୪ ବିଲିଅନ୍ ଡଲାର୍ ବୃଦ୍ଧି ଘଟିଛି। ମୁଖ୍ୟତଃ େହାଟେଲ୍, ପର୍ଯ୍ୟଟନ, ପରିବହନ, ମନୋରଂଜନ ଆଦି କ୍ଷେତ୍ରମାନଙ୍କରେ ଏହି ଅର୍ଥନୈତିକ ସୁଫଳ ଅନୁଭୂତ ହୋଇଛି। ଦ୍ବିତୀୟରେ, ଏହି ଟୁର୍ନାମେଣ୍ଟ୍ ପୁଣି ଥରେ ସାବ୍ୟସ୍ତ କରିଛି ଯେ ବର୍ତ୍ତମାନ ଆନ୍ତର୍ଜାତିକ କ୍ରିକେଟ୍ ଉପରେ ଭାରତ ଏକରକମ ସାର୍ବଭୌମ ଅଧିକାର ଉପଭୋଗ କରୁଛି। ତିନିଟି କାରଣରୁ ଏହା ଘଟିଛି: କ୍ରିକେଟ୍ର ସର୍ବାଧିକ ସଂଖ୍ୟକ ଦର୍ଶକ ଅଛନ୍ତି ଭାରତରେ; କ୍ରିକେଟ୍ର ସର୍ବୋତ୍କୃଷ୍ଟ ଖେଳାଳି ସୃଷ୍ଟି ହେଉଛନ୍ତି ଭାରତରେ, କ୍ରିକେଟ୍ର ସର୍ବବୃହତ୍ ପାଣ୍ଠି ଅଛି ଭାରତ ପାଖରେ।
ଭାରତୀୟ କ୍ରିକେଟ୍ ତାରକାମାନଙ୍କ ତୁଳନାରେ ଅନ୍ୟ ଦେଶର କ୍ରିକେଟ୍ ଖେଳାଳିମାନଙ୍କୁ ଦରିଦ୍ର ବୋଲି କହିଲେ ଭୁଲ୍ ହେବ ନାହିଁ। ଫଳରେ ପ୍ରୋତ୍ସାହନ ଅଭାବରୁ ଅନ୍ୟ ଦେଶମାନଙ୍କରେ କ୍ରିକେଟ୍ର ଲୋକପ୍ରିୟତା ହ୍ରାସ ପାଇବାରେ ଲାଗିଲାଣି, ଯାହାର ଏକ ବେଦନାଦାୟକ ଉଦାହରଣ ହେଉଛି ୱେଷ୍ଟ୍ ଇଣ୍ଡିଜ୍- ଅତୀତର ଏହି ଅଗ୍ରଣୀ କ୍ରିକେଟ୍ ଶକ୍ତି ଏଥର ବିଶ୍ବକପ୍ ଟୁର୍ନାମେଣ୍ଟ୍ରେ ଭାଗ ନେବାକୁ ମଧ୍ୟ ଯୋଗ୍ୟ ବିବେଚିତ ହେଲା ନାହିଁ। କିଏ ଜାଣେ, ହୁଏତ ଅଷ୍ଟ୍ରେଲିଆ ଭଳି ଏକ ଅଣ-ଭାରତୀୟ ଦେଶର କପ୍ ବିଜୟ ଅନ୍ୟ ଦେଶମାନଙ୍କରେ କ୍ରିକେଟ୍ ପ୍ରତି ଉତ୍ସାହକୁ ପୁନରୁଜ୍ଜୀବିତ କରିପାରେ। ଭାରତୀୟମାନେ ତେଣୁ ହତାଶ ନ ହୋଇ ଶାନ୍ତିରେ ପୁଣି କ୍ରିକେଟ୍ରେ ନିଜକୁ ନିମଜ୍ଜିତ କରି ଦିଅନ୍ତୁ।