ତାଙ୍କର ପ୍ରତିଭା ଓ ଅବଦାନ ପାଇଁ ପଦ୍ମଭୂଷଣରୁ ଦାଦାସାହେବ ଫାଲ୍‌କେ ପର୍ଯ୍ୟନ୍ତ ବିଭିନ୍ନ ପୁରସ୍କାରମାନ ଦ୍ବାରା ବେନେଗାଲ ସମ୍ମାନିତ ହୋଇଥିଲେ। ତାଙ୍କ ପାଇଁ କିନ୍ତୁ ଶ୍ରେଷ୍ଠ ପୁରସ୍କାର ହେଉଛି ଏହା ଯେ ସେ ବିଦାୟ ନେଇ ଚାଲିଗଲା ପରେ ମଧ୍ୟ ତାଙ୍କର ଫିଲ୍‌ମଗୁଡ଼ିକ ସେଇଭଳି ଆଦର ଲାଭ କରିଚାଲିଥିବେ ଏବଂ ପିଢ଼ି ପରେ ପିଢ଼ି ଚଳଚ୍ଚିତ୍ର ନିର୍ମାତାମାନେ ତାଙ୍କ ଦ୍ବାରା ପ୍ରଭାବିତ ହୋଇଚାଲିଥିବେ।

Advertisment

୧୯୭୪ରେ ‘ଅଙ୍କୁର’, ୧୯୭୫ରେ ‘ନିଶାନ୍ତ’, ୧୯୭୬ରେ ‘ମନ୍ଥନ’, ୧୯୭୭ରେ ‘ଭୂମିକା’- ଏକ ମେସିନ୍ ଗନ୍‌ରୁ ରାଉଣ୍ଡ ପରେ ରାଉଣ୍ଡ ଗୁଳି ବାହାରି ଚାଲିବା ଭଳି ଶ୍ୟାମ ବେନେଗାଲଙ୍କ ନିର୍ଦ୍ଦେଶନାରୁ ନିୟମିତ ଭାବରେ ବାହାରିଥିବା ଏହି ଫିଲ୍‌ମମାନଙ୍କ ମଧ୍ୟରୁ ଯେ କୌଣସି ଗୋଟିଏ ମଧ୍ୟ ଚିରକାଳ ପାଇଁ ଜଣେ ନିର୍ଦ୍ଦେଶକଙ୍କର ଖ୍ୟାତିକୁ ସୁରକ୍ଷିତ ରଖିବା ପାଇଁ ‌ଯଥେଷ୍ଟ ହୁଅନ୍ତା। ବେନେଗାଲ କିନ୍ତୁ ନିଜର ଖ୍ୟାତି ପ୍ରତିଷ୍ଠା ଅପେକ୍ଷା ଭାରତୀୟ ସିନେତା ଅର୍ଥାତ୍ ତଥାକଥିତ ମୁଖ୍ୟଧାରା ବଲିଉଡ୍ ସିନେମାର ଅବାସ୍ତବ ମନ ବହଲାଇବା ଦୁନିଆରୁ ଦୂରେଇ ଯାଇ ସିନେମାକୁ କଠୋର ବାସ୍ତବ ଦୁନିଆର ଏକ ଆଇନା ରୂପେ ପ୍ରତିଷ୍ଠିତ କରାଇବା ପାଇଁ ଅଧିକ ଆଗ୍ରହୀ ଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଲା ‘ସମାନ୍ତରାଳ ସିନେମା’ ରୂପେ ପରିଚିତ ଏହି ନୂତନ ଶ୍ରେଣୀର ସିନେମାମାନଙ୍କୁ ବେନେଗାଲ ଏପରି ସର୍ଜନାତ୍ମକ ସ୍ପର୍ଶ ପ୍ରଦାନ କରିପାରିଥିଲେ ଯାହା ବଲିଉଡ୍ ଆହାରରେ ପରିପୁଷ୍ଟ ଦର୍ଶକମାନଙ୍କ ମଧ୍ୟରେ ବି ଗ୍ରହଣୀୟ ହୋଇ ଲୋକପ୍ରିୟତା ଅର୍ଜନ କରିପାରିଥିଲା।
‘ଅଙ୍କୁର’ ସାମନ୍ତବାଦ ଦ୍ବାରା ବିଭାଜିତ ସମାଜର ଅସଲ ଚେହେରାକୁ ପଦାରେ ପକାଇଥିବା ବେଳେ ‘ନିଶାନ୍ତ’ ଗ୍ରାମାଞ୍ଚଳରେ କ୍ଷମତାଶାଳୀ ବର୍ଗର ଅତ୍ୟାଚାର ଓ ନାରୀ ନିର୍ଯାତନା ଉପରୁ ପର୍ଦ୍ଦା ହଟାଇଥିଲା। ଦୁଗ୍‌ଧ ଉତ୍ପାଦନ ସମବାୟ ଆନ୍ଦୋଳନ ପୃଷ୍ଠଭୂମିରେ ‘ମନ୍ଥନ’ ଗ୍ରାମୀଣ ଜୀବନ-ସଂଘର୍ଷକୁ ଦର୍ଶକମାନଙ୍କ ନଜରକୁ ଆଣିଥିବା ବେଳେ ‘ଭୂମିକା’ ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଯେଉଁ ଜଟିଳ ମନସ୍ତାତ୍ତ୍ବିକ ଓ ସାମାଜିକ ଦୁନିଆରେ ଥଳକୂଳ ପାଇବା ପାଇଁ ସଂଗ୍ରାମ କରିଥାନ୍ତି, ତାହାର ଏକ ମର୍ମସ୍ପର୍ଶୀ ଅନୁସନ୍ଧାନ କରିଥାଏ।
ଡିସେମ୍ବର ୨୩ରେ ୯୦ ବର୍ଷ ବୟସରେ ପରଲୋକ ଗମନ କରିଥିବା ଏହି ମହାନ ଚଳଚ୍ଚିତ୍ର ନିର୍ମାତା ଆରମ୍ଭରେ ଯେଉଁ ଶାସ୍ତ୍ରରେ ତାଲିମ ନେଇଥିଲେ, ତାହାର ଚଳଚ୍ଚିତ୍ର ନିର୍ମାଣ ସହିତ ସଂପର୍କ ହେଉଛି ଉତ୍ତର ମେରୁର ଦକ୍ଷିଣ ମେରୁ ସହିତ ଥିବା ସଂପର୍କ ପରି କହିଲେ ଭୁଲ୍ ହେବନାହିଁ: ବେନେଗାଲ ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ। ବୋଧହୁଏ କଳ୍ପନାବିଳାସ ସହିତ ଆଦୌ ସଂପର୍କ ନ ଥିବା ରୁକ୍ଷ ବାସ୍ତବଧର୍ମୀ ହୋଇଥିବାରୁ ‘ବିଷାଦ ବିଜ୍ଞାନ’ (‘ଡିସ୍‌ମାଲ୍‌ସାଇନ୍‌ସ’) ରୂପେ ଅଭିହିତ ଏହି ଶାସ୍ତ୍ରରେ ସେ ପାଇଥିବା ତାଲିମ ଚଳଚ୍ଚିତ୍ର ନିର୍ମାତା ବେନେଗାଲଙ୍କୁ କୃତ୍ରିମ ବାହ୍ୟ ଆବରଣ ଭେଦ କରି କଠୋର ବାସ୍ତବତା ଆବିଷ୍କାର କରିବା ଓ ପ୍ରଦର୍ଶିତ କରିବାରେ ସହାୟକ ହୋଇଥିଲା।
ତେବେ ସିନେମା ପରି ଏକ ପ୍ରଦର୍ଶନ କଳା ପ୍ରତି ଶ୍ୟାମଙ୍କୁ ଯଦି କିଏ ପ୍ରଥମେ ଆକୃଷ୍ଟ କରିଥିଲେ, ସେ ହେଉଛନ୍ତି ତାଙ୍କର ପିତା ଶ୍ରୀଧର ବେନେଗାଲ, ଯିଏ ଥିଲେ ବୃତ୍ତିରେ ଜଣେ ଫଟୋଗ୍ରାଫର। ଫଟୋଗ୍ରାଫି ସହିତ ତାଙ୍କର ଆଦ୍ୟ ପରିଚିତି ବେନେଗାଲଙ୍କୁ ପ୍ରଥମେ ବିଜ୍ଞାପନ ଦୁନିଆକୁ ଆକର୍ଷିତ କରିଥିଲା। ସେଠାରେ ସେ କପି ରାଇଟିଙ୍ଗ ଓ ବିଜ୍ଞାପନ ଫିଲ୍‌ମ ନିର୍ମାଣ କୌଶଳରେ ପାରଦର୍ଶିତା ହାସଲ କରିଥିଲେ, ଯାହା ସେ ପ୍ରସ୍ତୁତ କରିଥିବା ୯୦୦ରୁ ଅଧିକ କମର୍ସିଆଲ ଓ ଡକ୍ୟୁମେଣ୍ଟାରିରେ ପ୍ରତିଫଳିତ ହୋଇଥାଏ। ଏହି ଦକ୍ଷତା ଓ ଅନୁଭୂତିର ଅଧିକାରୀ ବେନେଗାଲଙ୍କୁ ଅନିବାର୍ଯ୍ୟ ଭାବରେ ଚଳଚ୍ଚିତ୍ର ଦୁନିଆ ନିଜ ଆଡ଼କୁ ଆକର୍ଷିତ କରିଥିଲା।
ସିନେମାର ବଡ଼ ପର୍ଦ୍ଦାରେ ନିଜର ବଡ଼ ପଦଚିହ୍ନ ଗଭୀର ଭାବରେ ସ୍ଥାପନ କରିଥିବା ବେନେଗାଲ ଯେତେବେଳେ ଭାରତରେ ଟେଲିଭିଜନର ଛୋଟ ପର୍ଦ୍ଦା‌ର ପ୍ରସାର ଘଟିବାକୁ ଆରମ୍ଭ କଲା, ସେଥିରେ ମଧ୍ୟ ଗୁଣାତ୍ମକ କାର୍ଯ୍ୟକ୍ରମ ପ୍ରଦର୍ଶନରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ‌ଜବାହରଲାଲ ନେହରୁଙ୍କ ରଚିତ ପୁସ୍ତକ ‘ଡିସ୍କଭରି ଅଫ୍ ଇଣ୍ଡିଆ’ ଆଧାରରେ ବେନେଗାଲ ୧୯୮୮ରେ ପ୍ରସ୍ତୁତ କରିଥିବା ଟେଲିଭିଜନ ସିରିଆଲ ‘ଭାରତ ଏକ ଖୋଜ୍’ ଭାରତର ସାଂସ୍କୃତିକ ଐତିହ୍ୟ ଓ ସ୍ବାଧୀନତା ସଂଗ୍ରାମର କାହାଣୀ ସହିତ ନିୟୁତ ନିୟୁତ ନୂଆ ପିଢ଼ିର ଭାରତୀୟଙ୍କୁ ପୁଣିଥରେ ପରିଚିତ କରାଇଥିଲା। ଭାରତର ଅତୀତ ସମ୍ବନ୍ଧରେ ଗର୍ବବୋଧ ଓ ଭବିଷ୍ୟତ ସମ୍ବନ୍ଧରେ ଉଚ୍ଚାଶା ବେନେଗାଲଙ୍କୁ ଏହି ସିରିଆଲ ନିର୍ମାଣ କରିବା ପାଇଁ ପ୍ରବୃତ୍ତ କରିଥିଲା।
ଶ୍ୟାମ ବେନେଗାଲ ତାଙ୍କର ଏହି ଈଶ୍ବରଦତ୍ତ କଳାନୈପୁଣ୍ୟକୁ କେବଳ ନିଜ ମଧ୍ୟରେ ସୀମିତ ନ ରଖି ଗୋଟିଏ ପ୍ରଦୀପ ସହସ୍ର ପ୍ରଦୀପଙ୍କୁ ପ୍ରଜ୍ବଳିତ କରିବା ପରି ପୁନେସ୍ଥିତ ‘ଫିଲ୍‌ମ ଆଣ୍ଡ୍ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ଠାରେ ଶିକ୍ଷାଦାନ କରି ତାହାକୁ ଶିଷ୍ୟମାନଙ୍କ ମଧ୍ୟରେ ଅକାତରେ ବଣ୍ଟନ କରିଥିଲେ। ସେ ମଧ୍ୟ ଦୁଇ ପାଳି ଧରି ସେହି ଅନୁଷ୍ଠାନର ଚେଆରମ୍ୟାନ୍‌ ରୂପେ ଦାୟିତ୍ବ ନିର୍ବାହ କରିଥିଲେ। ବେନେଗାଲଙ୍କର କାଉଁରି କାଠିର ସ୍ପର୍ଶରେ ଭାରତର ଯେଉଁ ସ୍ବନାମଧନ୍ୟ ଅଭିନେତା ଅଭିନେତ୍ରୀମାନଙ୍କର ପ୍ରତିଭା ପରିସ୍ଫୁଟ ହୋଇଥିଲା, ସେମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ କେତେକ ସୁପରିଚିତ ନାମ ହେଉଛନ୍ତି ଓମ୍ ପୁରି, ନସିରୁଦ୍ଦିନ ଶାହା, ପଙ୍କଜ କପୁର, ଅମରୀଶ ପୁରି, ସ୍ମିତା ପାଟିଲ, ଶବାନା ଆଜମି ଆଦି। ସେ ମଧ୍ୟ ନିଜର କେତେଗୋଟି ଫିଲ୍‌ମ ଉପରେ ଆଧାରିତ ତିନିଟି ପୁସ୍ତକ ରଚନା କରିଥିଲେ: ‘ମନ୍ଥନ’ ଉପରେ ଆଧାରିତ ‘ଦି ଚର୍ନିଙ୍ଗ’ (ବିଜୟ ତେନ୍ଦୁଲକରଙ୍କ ସହିତ ମିଶି), ତାଙ୍କର ଫିଲ୍‌ମ ‘ସତ୍ୟଜିତ ରାୟ’ ଉପରେ ଆଧାରିତ ‘ସତ୍ୟଜିତ ରାୟ’, ଏବଂ ଅନ୍ୟ ଏକ ଫିଲ୍‌ମ ‘ମଣ୍ଡି’ ଉପରେ ଆଧାରିତ ‘ଦି ମାର୍କେଟ ପ୍ଲେସ’।
ବେନେଗାଲ ତାଙ୍କ ଲମ୍ବା କ୍ୟାରିଅର୍‌ରେ ୭୦ରୁ ଅଧିକ ଡକ୍ୟୁମେଣ୍ଟାରି ଓ ସର୍ଟ ଫିଲ୍‌ମ ନିର୍ମାଣ କରିଥିଲେ, ଯେଉଁଥିରେ ସେ ମୁଖ୍ୟତଃ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଦେଖାଯାଉଥିବା ସାମାଜିକ ସମସ୍ୟାମାନଙ୍କ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଥିଲେ। ସେ ମଧ୍ୟ ୧୯୭୦ ଦଶକରେ ‘ୟୁନିସେଫ୍’ ଦ୍ବାରା ପ୍ରାୟୋଜିତ ସାଟେଲାଇଟଭିତ୍ତିକ ଶିକ୍ଷା ପ୍ରସାର କାର୍ଯ୍ୟକ୍ରମ ‘ସାଇଟ୍’ରେ ଅଂଶଗ୍ରହଣ କରି ପିଲାମାନଙ୍କ ପାଇଁ ୨୧ଟି ଫିଲ୍‌ମ ନିର୍ମାଣ କରିଥିଲେ। ସେ ତାଙ୍କର ଏହି ସଂପର୍କକୁ ବ୍ୟବହାର କରି ୧୯୭୫ରେ ‘ଚରଣଦାସ ଚୋର’ ନାମକ ଯେଉଁ ଶିଶୁ ଚଳଚ୍ଚିତ୍ର ନିର୍ମାଣ କରିଥିଲେ, ତାହାକୁ ଭାରତରେ ନିର୍ମିତ ସର୍ବଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ରମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି ସମୀକ୍ଷକମାନେ ବିଚାର କରିଥାନ୍ତି।
ଏକ ତିକ୍ତ-ମଧୁର ବିଡ଼ମ୍ବନା ଭଳି ଶ୍ୟାମ ବେନେଗାଲ ତାଙ୍କର ଦେହାନ୍ତ ଘଟିବାର ପୂର୍ବ ବର୍ଷ ୨୦୨୩ରେ ନିର୍ମାଣ କରିଥିବା ଶେଷ ଫିଲ୍‌ମ ହେଉଛି ‘ଦି ମେକିଙ୍ଗ ଅଫ୍ ଏ ନେସନ’ (‘ଏକ ରାଷ୍ଟ୍ରର ନିର୍ମାଣ’)। ଏହି ରାଷ୍ଟ୍ର ହେଉଛି- ବାଂଲାଦେଶ ଏବଂ ଏହି ରାଷ୍ଟ୍ରର ଜନ୍ମଦାତା ଶେଖ୍ ମୁଜିବୁର୍ ରହମାନଙ୍କର ଜୀବନୀ ହେଉଛି ଏହି ଫିଲ୍‌ମର କଥାବସ୍ତୁ। କିଏ ଜାଣିଥିଲା ବର୍ଷକ ମଧ୍ୟରେ ବେନେଗାଲଙ୍କ ଫିଲ୍‌ମର ଏହି ମହାନାୟକଙ୍କ ସ୍ମୃତିକୁ ତାଙ୍କର କୃତଘ୍ନ ସନ୍ତାନମାନେ ସଂପୂର୍ଣ୍ଣ ରୂ‌େପ ପୋଛି ସଫା କରିଦେବାରେ ଲାଗିପଡ଼ିବେ ଓ ତାଙ୍କର କନ୍ୟା ପ୍ରାଣ ବଞ୍ଚାଇବା ପାଇଁ ଆସି ବେନେଗାଲଙ୍କ ଭାରତରେ ଆଶ୍ରୟ ନେବେ! ଶ୍ୟାମ ବେନେଗାଲଙ୍କ ତିରୋଧାନ ଯଦି କାହା ପାଇଁ ସର୍ବାଧିକ ଦୁଃଖଦାୟକ ହୋଇଥାଏ, ସେ ହେଉଛନ୍ତି ମୁଜିବ୍‌ଙ୍କର ଏହି କନ୍ୟା ଶେଖ୍ ହସିନା।
ତାଙ୍କର ପ୍ରତିଭା ଓ ଅବଦାନ ପାଇଁ ପଦ୍ମଭୂଷଣରୁ ଦାଦାସାହେବ ଫାଲ୍‌କେ ପର୍ଯ୍ୟନ୍ତ ବିଭିନ୍ନ ପୁରସ୍କାରମାନ ଦ୍ବାରା ବେନେଗାଲ ସମ୍ମାନିତ ହୋଇଥିଲେ। ତାଙ୍କ ପାଇଁ କିନ୍ତୁ ଶ୍ରେଷ୍ଠ ପୁରସ୍କାର ହେଉଛି ଏହା ଯେ ସେ ବିଦାୟ ନେଇ ଚାଲିଗଲା ପରେ ମଧ୍ୟ ତାଙ୍କର ଫିଲ୍‌ମଗୁଡ଼ିକ ସେଇଭଳି ଆଦର ଲାଭ କରିଚାଲିଥିବେ ଏବଂ ପିଢ଼ି ପରେ ପିଢ଼ି ଚଳଚ୍ଚିତ୍ର ନିର୍ମାତାମାନେ ତାଙ୍କ ଦ୍ବାରା ପ୍ରଭାବିତ ହୋଇଚାଲିଥିବେ। ସେମାନେ ଯେତେବେଳେ କେବଳ ମନୋରଞ୍ଜନର ବାଧ୍ୟବାଧକତାକୁ ଅତିକ୍ରମ କରି ସମାଜର ଅଦେଖା ସତକୁ ଦର୍ଶକମାନଙ୍କ ଦୃଷ୍ଟି ସମ୍ମୁଖକୁ ଆଣିବାକୁ ଚେଷ୍ଟା କରିବେ ଓ ଅକୁହା କଥାକୁ ସେମାନଙ୍କ କାନରେ ପକାଇବାକୁ ଚେଷ୍ଟା କରିବେ, ସେତେବେଳେ ଯାହାଙ୍କର ଅଶରୀରୀ ଉପସ୍ଥିତି ସେମାନଙ୍କ ପାଇଁ ପଥପ୍ରଦର୍ଶକ ରୂପେ କାର୍ଯ୍ୟ କରୁଥିବ, ସେ ହେଉଛନ୍ତି ଶ୍ୟାମ ବେନେଗାଲ।