ଏହା ସତ ନୁହେଁ କି ଯେ ଏକ ଅତିକାୟ ଚିତ୍ରକୁ ଅତି ନିକଟରୁ ଦେଖିଲେ ତାହା କେବଳ କିଛି ରେଖା ଓ ରଙ୍ଗର ସମାହାର ଭଳି ପ୍ରତୀତ ହୋଇଥାଏ ଏବଂ ପୂର୍ଣ୍ଣାଙ୍ଗ ଚିତ୍ରଟି କେବଳ ଦୂରରୁ ହିଁ ଦିଶିଯାଏ? ସେହିଭଳି ଭବିଷ୍ୟତରେ ସମୟର ପଶ୍ଚାତ୍ ଦୃଷ୍ଟିରେ ସ୍ବର୍ଗତ ମନମୋହନ ସିଂହ ଓ ତାଙ୍କ ଅତିକାୟ ଉପଲବ୍ଧିର ସଂପୂର୍ଣ୍ଣ ଚିତ୍ର ନିଶ୍ଚିତ ଭାବେ ଦେଖାଯାଇପାରିବ, ଯାହା ଏବେ କଳିବା ହୁଏତ ସମ୍ଭବ ହେଉନାହିଁ! ସୁତରାଂ, ଇତିହାସ ତାଙ୍କ ପ୍ରତି ସଦୟ ହେବ!
ଯେଉଁ ଭାରତୀୟମାନେ ପ୍ରତ୍ୟକ୍ଷ ରାଜନୀତିର ଅଂଶବିଶେଷ ହୋଇ ନ ଥିଲେ ସୁଦ୍ଧା ଅନେକ ସମୟରେ ବିଦଗ୍ଧ ଆଲୋଚନା କାଳରେ ସାମାନ୍ୟ ବିରକ୍ତିର ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କୁ ‘ମଉନ ମୋହନ’ ବୋଲି ତିର୍ଯ୍ୟକ୍ ମନ୍ତବ୍ୟମାନ ଦେଇ ଆସୁଥିଲେ, ସେମାନେ ଏବେ ବ୍ୟଥିତ ହେଉଥିବେ, କାରଣ ସ୍ବଳ୍ପଭାଷୀ ମନମୋହନ ସିଂହଙ୍କ ମୁହଁରୁ ବେଳ ଅବେଳରେ ଜ୍ଞାନ ଓ ପ୍ରଜ୍ଞାର ମୁକ୍ତାମାନ ଝରିବାର ଯେଉଁ ଟିକକ ସମ୍ଭାବନା ଥିଲା, ତାହା ‘ଚିର ନିରବତା’ର ଆବର୍ତ୍ତ ମଧ୍ୟରେ ସତ୍ତା ହରାଇଲା। ବୟାନବେ ବର୍ଷ ବୟସରେ ଗଲା ଗୁରୁବାର ରାତିରେ ସେ ପରଲୋକ ଗମନ କଲେ। ତାଙ୍କର ମହାପ୍ରସ୍ଥାନ ପରେ ପଶ୍ଚାତ୍ ଦୃଷ୍ଟିରେ ଦିଶିଯାଉଛି ଯେ ଯେ ତର୍କପ୍ରବଣ ଭାରତୀୟ (ଆର୍ଗୁମେଣ୍ଟଟିଭ ଇଣ୍ଡିଆନ୍)ମାନଙ୍କ ତୀବ୍ର କୋଳାହଳମୟ ରାଜନୀତି ପ୍ରାଙ୍ଗଣରେ ତାଙ୍କ ଅନୁଚ୍ଚ ସ୍ବର ନିରର୍ଥକ ଯାଉ ନ ଥିଲା, ଶ୍ରୁତିଗୋଚର ହେଉଥିଲା ଓ ରାଷ୍ଟ୍ରର ଗତିପଥ ନିର୍ଣ୍ଣୟ କରୁଥିଲା ଏବଂ ଅନେକ ସମୟରେ ହୃଦୟ ମଧ୍ୟ ସ୍ପର୍ଶ କରୁଥିଲା। ପାଞ୍ଚ ବର୍ଷ ଲାଗି ଦେଶର ଅର୍ଥମନ୍ତ୍ରୀ ଓ ଦଶ ବର୍ଷ ସକାଶେ ପ୍ରଧାନମନ୍ତ୍ରୀ ହୋଇଥିବା ସତ୍ତ୍ବେ ଡକ୍ଟର ମନମୋହନ ସିିଂହଙ୍କୁ ଜଣେ ରାଜନେତା ଭାବେ ବର୍ଣ୍ଣିବା ହୁଏତ ସମୀଚୀନ ହେବ ନାହିଁ, ବରଂ କହି ହେବ ଯେ ସେ ଥିଲେ ଜଣେ ପ୍ରଚଣ୍ଡ ବିଦ୍ବାନ ଓ ଦୂରଦୃଷ୍ଟିସଂପନ୍ନ ରାଷ୍ଟ୍ରନେତା, ପ୍ଲାଟୋଙ୍କ ଭାଷାରେ ହୁଏତ ଜଣେ ‘ଫିଲୋସଫର କିଙ୍ଗ୍’ ବା ‘ଦାର୍ଶନିକ ରାଜା’। ଅଥଚ, ବିଡ଼ମ୍ବନା ହେଲା, ଚଳନ୍ତି ରାଜନୀତିର ମାଇକ୍ରୋସ୍କୋପ୍ ଦ୍ବାରା ପରୀକ୍ଷିତ ନିରୀକ୍ଷିତ ହୋଇ ସେ ଏଭଳି ବ୍ୟଙ୍ଗାତ୍ମକ ବିଶେଷଣମାନ ଅର୍ଜିଥିଲେ, ଯାହା ତାଙ୍କ ଲାଗି ନ୍ୟାୟସଙ୍ଗତ ନ ଥିଲା।
ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଏକଦା ଘନିଷ୍ଠ ସହଯୋଗୀ ଥିବା ପ୍ରଖ୍ୟାତ ନୀତି ସମୀକ୍ଷକ ସଞ୍ଜୟ ବାରୁଙ୍କ ପୁସ୍ତକ ‘ଦ ଏକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’ (ଦୈବାତ୍ ପ୍ରଧାନମନ୍ତ୍ରୀ) ପ୍ରକାଶିତ ହେବା ପରେ ତାହା ତତ୍କାଳୀନ ବିଜେପି ହାତରେ କଂଗ୍ରେସ ଶିକାରର ଏକ ବଡ଼ ଅସ୍ତ୍ର ଭାବେ ବ୍ୟବହୃତ ହୋଇଥିଲା, କାରଣ ସେହି ପୁସ୍ତକରେ କୁହାଯାଇଥିଲା କିଭଳି ପ୍ରଧାନମନ୍ତ୍ରୀ ଥିବା ସତ୍ତ୍ବେ ଡକ୍ଟର ମନମୋହନ ସିଂହ ବସ୍ତୁତଃ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବଶମ୍ବଦ ହୋଇ ପଡ଼ିଥିଲେ! ଏହା ସ୍ମରଣରେ ଅଛି ଯେ ୨୦୦୪ ମସିହାରେ କଂଗ୍ରେସ ନେତୃତ୍ବାଧୀନ ‘ୟୁପିଏ’ର ବିଜୟ ପରେ ସୋନିଆ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରିତ୍ବ ଲାଗି ପଥ ଉନ୍ମୋଚିତ ହୋଇ ଯାଇଥିଲା। କିନ୍ତୁ, ତାଙ୍କର ଇତାଲୀୟ ବଂଶମୂଳ ଦ୍ବାରା ସୃଷ୍ଟ ଘୋର ବିବାଦ କାରଣରୁ ସେ ଏହି ପଦ ଲାଗି ନିଜେ ନ ଭରସି ଡକ୍ଟର ମନମୋହନ ସିଂହଙ୍କ ନାମ ସୁପାରିସ କରିଥିଲେ। ସୁତରାଂ, ଏକ ବ୍ୟତିକ୍ରମ ଭାବେ ଲୋକସଭା ମାଡ଼ି ନ ଥିବା ସତ୍ତ୍ବେ ଡକ୍ଟର ସିଂହ ଦୈବାତ୍ ହୋଇଯାଇଥିଲେ ଦେଶର ପ୍ରଧାନମନ୍ତ୍ରୀ ଓ ସର୍ବାଧିକ କାଳ ଲାଗି କ୍ଷମତାସୀନ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ ତାଲିକାରେ ଚତୁର୍ଥ ସ୍ଥାନର ଅଧିକାରୀ। ତେଣୁ, କୃତଜ୍ଞତାର ବୋଝ ତାଙ୍କୁ ସୋନିଆ ଗାନ୍ଧୀଙ୍କ ଏକାନ୍ତ ଅଧୀନସ୍ଥ କରି ଦେଇଥିଲା କି? କିନ୍ତୁ, ‘ଦ କୋଆଲିସନ ଇଅର୍ସ ୧୯୯୬-୨୦୧୨’ ଶୀର୍ଷକ ପୁସ୍ତକରେ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ତ କହିଛନ୍ତି ଯେ ମନମୋହନ ସିଂହ ଥିଲେ ଜଣେ ଦୃଢ଼ ଜାତୀୟତାବାଦୀ ଓ ସାହସୀ ତଥା ପ୍ରତ୍ୟୟଭରା ବ୍ୟକ୍ତିତ୍ବ! ଅନ୍ତତଃ ଦୁଇ ଥର ସେ ସ୍ପଷ୍ଟ ଭାବେ ତାଙ୍କର ଏଭଳି ଚାରିତ୍ରିକ ବିଶେଷତ୍ବର ଦୃଢ଼ ପ୍ରମାଣ ଦେଇଛନ୍ତି; ଥରେ ୧୯୯୧ ମସିହାରେ ଅର୍ଥ ମନ୍ତ୍ରୀ ଭାବେ ଭାରତରେ ଉଦାର ଅର୍ଥ ବ୍ୟବସ୍ଥା ଓ ମୁକ୍ତ ବାଣିଜ୍ୟର ସୂତ୍ରପାତ ଘଟାଇ ଏବଂ ଆଉ ଥରେ ୨୦୦୬ ମସିହାେର ବେସାମରିକ ଆଣବିକ ଚୁକ୍ତିନାମାରେ ସ୍ବାକ୍ଷର କରି। ପ୍ରଥମ ନିଷ୍ପତ୍ତି ନିଃସ୍ବ ହୋଇଯିବାର ଦ୍ବାରଦେଶରୁ ଭିଡ଼ି ଆଣି ଭାରତକୁ ଦ୍ରୁତ ସମୃଦ୍ଧିର ମାର୍ଗରେ ଅଗ୍ରସର କରାଇଥିଲା ଏବଂ ଦ୍ବିତୀୟ ନିଷ୍ପତ୍ତି ଭାରତ ଲାଗି ଅବାଧ ୟୁରାନିଅମ ଯୋଗାଣ ସମ୍ଭବ କରାଇ ଭାରତକୁ ଏକ ସକ୍ଷମ ଆଣବିକ ବିଜୁଳି ଶକ୍ତି ଉତ୍ପାଦନକାରୀ ରାଷ୍ଟ୍ରରେ ପରିଣତ କରିଥିଲା। ୧୯୯୧ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି. ଭି. ନରସିଂହ ରାଓ ତାଙ୍କୁ କହିଥିଲେ ,‘ତୁମ ନିଷ୍ପତ୍ତି ସଫଳ ହେଲେ ଲାଭର ହକ୍ଦାର ହେବ ଭାରତ କିନ୍ତୁ ବିଫଳ ହେଲେ ହାନି ଲାଗି ଅପବାଦ ମୁଣ୍ଡାଇବ ତୁମେ’ ଏବଂ ୨୦୦୮ ମସିହାରେ ଆଣବିକ ଚୁକ୍ତି ସ୍ବାକ୍ଷର ନିଷ୍ପତ୍ତିକୁ ବିରୋଧ କରି ବାମ ଦଳଗୁଡ଼ିକ ସମର୍ଥନ ପ୍ରତ୍ୟାହାର କରି ନେବାରୁ ତାଙ୍କ ସରକାର ଅସ୍ତିତ୍ବ ସଂକଟ ମଧ୍ୟକୁ ଠେଲି ହୋଇଯାଇଥିଲା। ଏ ଦୁଇଟି ଯାକ ସଂଦର୍ଭରେ ମନମୋହନ ସିଂହଙ୍କ ସାହସ ଓ ନିଷ୍ପତ୍ତି ନେବାର ଦୃଢ଼ତା ଦିଶି ନ ଥାଏ କି? ସେଥି ଲାଗି ୨୦୨୩ ମସିହାରେ ପ୍ରକାଶିତ ପୁସ୍ତକ ‘ହାଉ ଦ ପ୍ରାଇମ ମିନିଷ୍ଟର୍ସ ଡିସାଇଡ୍’ରେ ଲେଖିକା ନୀରଜା ଚୌଧୁରୀ ଡକ୍ଟର ମନମୋହନ ସିଂହଙ୍କ ପ୍ରଶଂସା କରି ତାଙ୍କୁ ‘ଅବମୂଲ୍ୟାୟନର ଶିକାର’ ପ୍ରଧାନମନ୍ତ୍ରୀ ଭାବେ ବର୍ଣ୍ଣନା କରିଛନ୍ତି।
ଶେଖର ଗୁପ୍ତାଙ୍କ ଦ୍ବାରା ପ୍ରସ୍ତୁତ ‘ୱାକ୍ ଦ ଟକ୍’ କାର୍ଯ୍ୟକ୍ରମରେ ଡକ୍ଟର ମନମୋହନ ସିଂହ ସ୍ବୀକାର କରିଥିଲେ ଯେ ଉଦାର ଅର୍ଥନୀତିର ପ୍ରବକ୍ତା ଭାବେ ସେ ପରିଚିତ ହୋଇଥିଲେ ହେଁ ଅନ୍ତଃକରଣରେ ସେ ଜଣେ ସମାଜବାଦ; ଆର୍ଥିକ ବୈଷମ୍ୟ ଓ ଦାରିଦ୍ର୍ୟ ତାଙ୍କୁ ବ୍ୟଥିତ କରିଥାଏ। ତାଙ୍କର ଏହି ମନୋଭାବର ପ୍ରମାଣ ମିଳିଥାଏ ତିନିଟି ଯୁଗାନ୍ତକାରୀ ଆଇନରୁ, ଯେଉଁଗୁଡ଼ିକ ହେଲେ ‘ନିଶ୍ଚିତ କର୍ମ ନିଯୁକ୍ତି ଆଇନ’, ‘ଖାଦ୍ୟ ସୁରକ୍ଷା ଆଇନ’ ଓ ‘ଶିକ୍ଷା ଅଧିକାର ଆଇନ’। ଏ ତିନିଟି ନିଷ୍ପତ୍ତି ଦେଶର ଦରିଦ୍ର ଜନସାଧାରଣଙ୍କୁ କିଭଳି ଉପକୃତ କରିଛି, ତାହା ସୁବିଦିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକଦା ‘ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା’ର ତୀବ୍ର ସମାଲୋଚକ ଥିଲେ; କିନ୍ତୁ କ୍ଷମତାସୀନ ହେବା ପରେ ତାହାକୁ ବଳବତ୍ତର ରଖି ପ୍ରକାରାନ୍ତରେ ଇଙ୍ଗିତ କରିଛନ୍ତି ଯେ ଏହା ଏକ ସମର୍ଥ ଦାରିଦ୍ର୍ୟ ଉନ୍ମୂଳନକାରୀ କାର୍ଯ୍ୟକ୍ରମ, ଯଦ୍ଦ୍ବାରା ସ୍ଥାନୀୟ ଅଞ୍ଚଳର ଭିତ୍ତିଭୂମିଗତ ବିକାଶ ମଧ୍ୟ ସମ୍ଭବ ହୋଇପାରେ। ସେହିଭଳି ଯେଉଁ ଦୁଇଟି ବ୍ୟବସ୍ଥା ଦ୍ବାରା ଭାରତୀୟ ନାଗରିକମାନେ ପ୍ରଶ୍ନ ପଚାରି ସରକାରଙ୍କ ଗୋପନୀୟତା ଭେଦ କରିବାର ଅସ୍ତ୍ର ଲାଭ କଲେ ଏବଂ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରକରଣରେ ପ୍ରତ୍ୟକ୍ଷ ଭାବେ ଯୋଡ଼ି ହୋଇ ଲାଭାର୍ଥୀ ହେବାର ସୁଯୋଗ ପାଇଲେ, ତାହା ମଧ୍ୟ ମନମୋହନ ସିଂହ ସରକାରଙ୍କ ଅବଦାନ। ‘ସୂଚନା ଅଧିକାର ଆଇନ’ ଓ ଏକକ ପରିଚୟ ପତ୍ର ‘ଆଧାର’ କିଭଳି ସାଧାରଣ ନାଗରିକଙ୍କୁ ଶକ୍ତି ପ୍ରଦାନ କରିଛି, ତାହା ବୁଝାଇ କହିବାର କୌଣସି ଆବଶ୍ୟକତା ନାହିଁ।
ଡକ୍ଟର ମନମୋହନ ସିଂହ ଥିଲେ ସ୍ବଭାବତଃ ଏକାନ୍ତ ଲାଜକୁଳା। କେମ୍ବ୍ରିଜରେ ଉଚ୍ଚ ଶିକ୍ଷା ଲାଭ କରୁଥିବା ବେଳେ ଶୀତପ୍ରଧାନ ଇଂଲାଣ୍ଡରେ ସେ ଏଥି ଲାଗି ବରଫ ଭଳି ଥଣ୍ଡା ପାଣିରେ ଗାଧୋଇ ପଡୁଥିଲେ, କାରଣ ଉଷୁମ ପାଣିର ବ୍ୟବସ୍ଥା ଥିବା ଗାଧୁଆ ଘର ସାମ୍ନାରେ ଛାତ୍ରଙ୍କ ଭିଡ଼ ନିକଟରେ ଜଣେ ଶିଖ ଭାବେ ରଖିଥିବା ଦୀର୍ଘ େକଶଗୁଚ୍ଛକୁ ମୁକୁଳା କରିବାକୁ ସେ ଲାଜ କରୁଥିଲେ। ଏହି ସ୍ବଭାବ ତାଙ୍କୁ ମୃଦୁ ଓ ସ୍ବଳ୍ପଭାଷୀ କରିଥିଲା। ଜଣେ ଅଧ୍ୟାପକ ଭାବେ ବା ସରକାରଙ୍କ ଆର୍ଥିକ ପରାମର୍ଶଦାତା, ଯୋଜନା କମିସନର ଅଧ୍ୟକ୍ଷ ଓ ରିଜର୍ଭ ବ୍ୟାଙ୍କର ଗଭର୍ନର ରୂପେ ଏ ସ୍ବଭାବ ତାଙ୍କ ଲାଗି ଆଭୂଷଣତୁଲ୍ୟ ହୋଇଥିଲେ ହେଁ ଉଚ୍ଚ ସ୍ବରର ଉଚ୍ଚାଟଭରା ରାଜନୀତି କ୍ଷେତ୍ରରେ ତାହା ତାଙ୍କ ସକାଶେ ଦୁର୍ବଳତାର ଚିହ୍ନ ପାଲଟି ଯାଇଥିଲା। ଜଣେ ଦୁର୍ବଳ ପ୍ରଧାନମନ୍ତ୍ରୀ ଭାବେ ରାଜନୈତିକ ବ୍ୟାଖ୍ୟାନର ସୃଷ୍ଟି ଘଟିଥିଲା। ଅନେକ ସମୟରେ ସେ ଆବେଗ ଜର୍ଜର କଣ୍ଠରେ କହିଥିଲେ ଯେ ଗଣମାଧ୍ୟମ ଓ ରାଜନୈତିକ ବିରୋଧୀମାନେ ତାଙ୍କ ପ୍ରତି କର୍କଶ ହୋଇଥିଲେ ହେଁ ଇତିହାସ ତାଙ୍କ ପ୍ରତି ସଦୟ ହେବ। ଏହା ସତ ନୁହେଁ କି ଯେ ଏକ ଅତିକାୟ ଚିତ୍ରକୁ ଅତି ନିକଟରୁ ଦେଖିଲେ ତାହା କେବଳ କିଛି ରେଖା ଓ ରଙ୍ଗର ସମାହାର ଭଳି ପ୍ରତୀତ ହୋଇଥାଏ ଏବଂ ପୂର୍ଣ୍ଣାଙ୍ଗ ଚିତ୍ରଟି କେବଳ ଦୂରରୁ ହିଁ ଦିଶିଯାଏ? ସେହିଭଳି ଭବିଷ୍ୟତରେ ସମୟର ପଶ୍ଚାତ୍ ଦୃଷ୍ଟିରେ ସ୍ବର୍ଗତ ମନମୋହନ ସିଂହ ଓ ତାଙ୍କ ଅତିକାୟ ଉପଲବ୍ଧିର ସଂପୂର୍ଣ୍ଣ ଚିତ୍ର ନିଶ୍ଚିତ ଭାବେ ଦେଖାଯାଇପାରିବ, ଯାହା ଏବେ କଳିବା ହୁଏତ ସମ୍ଭବ ହେଉନାହିଁ! ସୁତରାଂ, ଇତିହାସ ତାଙ୍କ ପ୍ରତି ସଦୟ ହେବ!