ଟ୍ରମ୍ପଙ୍କ ଦୃଷ୍ଟିରେ ପୃଥିବୀର ସମସ୍ତ ରାଷ୍ଟ୍ର ସୁବିଧାବାଦୀ, ଯେଉଁମାନଙ୍କ ମଧୁର ‌େଶାଷଣର ଶିକାର ହୋଇଛି ଆମେରିକା। ତେଣୁ ସେ କେତେକ ପୁରୁଣା ଓ ଅତି ମହତ୍ତ୍ବପୂର୍ଣ୍ଣ ବିଶ୍ବ ସ୍ତରୀୟ ସଂଗଠନ ଓ ଅନୁଷ୍ଠାନ (ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଭଳି)ରୁ ଆମେରିକାକୁ ଓହରାଇ ଆଣିବାକୁ ଉଦ୍‌ଗ୍ରୀବ ଏବଂ ଅନେକ ବିଶ୍ବ ବ୍ୟାପାରରେ ଆମେରିକାକୁ ସଂପୃକ୍ତିହୀନ କରିବାରେ ବ୍ୟାପୃତ। ସେ ଚାହାନ୍ତି ଯେ ଆମେରିକା ଏକ ବିଚ୍ଛିନ୍ନ ମହାଦ୍ବୀପରେ ପରିଣତ ହେଉ ଏବଂ ନିଜ ସର୍ତ୍ତାନୁସାରେ ପ୍ରଭାବ ପ୍ରତିଷ୍ଠା କରୁ। କାରଣ ତାଙ୍କ ଦୃଷ୍ଟିରେ ସଭିଏଁ ଆମେରିକାର ଶତ୍ରୁ!

Advertisment

ଗୋଟିଏ ଛନ୍ଦ ଓ ରସରେ ନୃତ୍ୟାଭିନୟ ଚାଲିଥିବା ବେଳେ କୌଣସି ଜଣେ ଉଚ୍ଚାଭିଳାଷୀ ବଳୁଆ ହୁଣ୍ଡା ତହିଁରେ ପ୍ରବେଶ କରି ଉଦ୍ଦଣ୍ଡ ଭାବେ ନଚାନଚି କଲେ ଯେମିତି ତଟସ୍ଥ କରି ପକାଇବା ଭଳି ଦୃଶ୍ୟପଟଟିଏ ସୃଷ୍ଟି ହୋଇଥାଏ, ସଂପ୍ରତି ବିଶ୍ବ ମଞ୍ଚରେ ତାହା ହିଁ ଘଟିଛି। ଅବଶ୍ୟ ଜାନୁଆରି ମାସ ୨୦ ତାରିଖ ଦିନ ମଞ୍ଚକୁ ଓହ୍ଲାଇଥିବା ଏହି ଅତ୍ୟୁତ୍ସାହୀ ନର୍ତ୍ତକ ଜଣକ ମଞ୍ଚ ପ୍ରବେଶ ପୂର୍ବରୁ ‘ଗ୍ରିନ ରୁମ୍‌’ରେ ହିଁ ତାଙ୍କ ରସ, ତାଳ ଓ ଲୟ ଜ୍ଞାନର ଅଭାବକୁ ଦର୍ଶାଇ ସାରିଥିଲେ; ଯାହାର ପ୍ରମାଣ ଥିଲା ନିର୍ବାଚିତ ହେବା ପରେ ଓ ରାଷ୍ଟ୍ରପତି ଭାବେ ଶପଥ ନେବା ପୂର୍ବବର୍ତ୍ତୀ ପ୍ରାୟ ଦୁଇ ମାସର ଅବଧି ଭିତରେ ଗ୍ରିନଲାଣ୍ଡକୁ ଖର୍ଦ୍ଦି କରି ପକାଇବା ବା ‘ଗଲ୍‌ଫ ଅଫ ମେକ୍‌ସିକୋ’ ନାମ (୧୫୫୦ ମସିହାରେ ପ୍ରଦତ୍ତ)କୁ ବଦଳାଇ ‘ଗଲ୍‌ଫ ଅଫ ଆମେରିକା କରିବା ଅଥବା କାନାଡାକୁ ଯୁକ୍ତରାଷ୍ଟ୍ର ଆମେରିକାର ଏକାବନତମ ରାଜ୍ୟ ରୂପେ ସମ୍ବୋଧନ କରିବା ଇତ୍ୟାଦି ଭଳି ତାଙ୍କର ଅନେକ ଅବାନ୍ତର ଇଚ୍ଛା ଓ ଆଗ୍ରହ; ଯାହା ପୃଥିବୀକୁ ଅଚାନକ ଅସ୍ଥିର କରି ପକାଇଛି। କହିବା ବାହୁଲ୍ୟ ଯେ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ପୃଥିବୀ ରାଜନୈତିକ ମତବାଦ ଦୃଷ୍ଟିରୁ ଦୁଇଟି ପରସ୍ପର ବିରୋଧୀ ଧ୍ରୁବରେ ପରିଣତ ହୋଇ ଦୀର୍ଘକାଳୀନ ଶୀତଳ ଯୁଦ୍ଧ ଦେଖିଥିଲେ ହେଁ ବର୍ତ୍ତମାନ ସୃଷ୍ଟି ହୋଇଥିବା ପରିସ୍ଥିତି ସମ୍ଭବତଃ କଦାଚିତ୍ ପ୍ରତ୍ୟକ୍ଷ କରି ନ ଥିବ! ଏଭଳି ସ୍ଥଳେ ସେହି ବପୁବନ୍ତ ହୁଣ୍ଡା ବାଳକସୁଲଭ ସ୍ବଭାବଧାରୀ ଡୋନାଲ୍‌ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ପୂର୍ବାଗ୍ରହ, ରାଜନୈତିକ ଆଭିମୁଖ୍ୟ ଓ ରଣନୈତିକ ଦୃଷ୍ଟିଭଙ୍ଗୀ ନେଇ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ। 
କହିବାରେ ଦ୍ବିଧା ନାହିଁ ଯେ ରାଷ୍ଟ୍ରପତି ଭାବେ କ୍ଷମତାରୂଢ଼ ହେବା ପରେ ଟ୍ରମ୍ପଙ୍କ ଅସୌଜନ୍ୟ ଆଚରଣ ଓ ଅଯଥା ଉଚ୍ଚାରଣ ହେତୁ ଆମେରିକାର ପଦାଙ୍କ ଅନୁସରଣ କରି ଚାଲିଥିବା (ଦ୍ବିତୀୟ ବିଶ୍ବଯୁଦ୍ଧ ପର ଠାରୁ) ଦୀର୍ଘକା‌ଳୀନ ମିତ୍ର ରାଷ୍ଟ୍ରଗୁଡ଼ିକ ମଧ୍ୟ ଅସ୍ବସ୍ତିର ଶିକାର ଓ ହତଭମ୍ବ; ଯେତେବେଳେ କି ରୁଷିଆ ଭଳି ପାରଂପରିକ ଶତ୍ରୁ ରାଷ୍ଟ୍ର ଆମେରିକାର ଆଲିଙ୍ଗନାବଦ୍ଧ ହୋଇ ଶିହରିତ! ଏ ସବୁ ପୁଣି ସନ୍ତର୍ପଣରେ ନ ହୋଇ ଘଟିଛି ଉଚ୍ଚାଟ ସହିତ। ଏଥିରେ ସନ୍ଦେହ ନାହିଁ ଯେ ଟ୍ରମ୍ପଙ୍କୁ ସାକ୍ଷାତ କରିବାକୁ ଆସିଥିବା ଇଂଲାଣ୍ଡର ପ୍ରଧାନମନ୍ତ୍ରୀ କେର ଷ୍ଟାର୍ମରଙ୍କ ସହିତ ଟ୍ରମ୍ପଙ୍କ ବ୍ୟବହାର ତାଙ୍କୁ ବ୍ୟଥିତ କରିଥିବ, କାରଣ ରାଷ୍ଟ୍ର ମୁଖ୍ୟମାନଙ୍କ ମଧ୍ୟରେ ଅନିବାର୍ଯ୍ୟ ଭାବେ ରହୁଥିବା ଔପଚାରିକ ଶିଷ୍ଟାଚାର ତହିଁରେ ନ ଥିଲା! ୟୁକ୍ରେନର ରାଷ୍ଟ୍ରପତି ଭୋଲଡିମିର ଜେଲେନ୍‌ସ୍କିଙ୍କ ସହିତ ଟ୍ରମ୍ପଙ୍କ ସାକ୍ଷାତ ସମୟରେ ଦୃଷ୍ଟିଗୋଚର ‌ହୋଇଥିବା ଉଲଙ୍ଗ ବାକ୍‌ଯୁଦ୍ଧ ତ ଇତିହାସ ସୃଷ୍ଟିକାରୀ! ସଂପ୍ରତି ଡୋନାଲ୍‌ଡ ଟ୍ରମ୍ପ ପୃଥିବୀର ପ୍ରାୟ ସମସ୍ତ ଗୁରୁତ୍ବପୂର୍ଣ୍ଣ ରାଷ୍ଟ୍ରଙ୍କ ବିରୋଧରେ ‘ଟାରିଫ୍‌ (ଆମଦାନି ଶୁଳ୍‌କ) ଯୁଦ୍ଧ’ ଆରମ୍ଭ କରି ଦେଇଛନ୍ତି, ଯାହା ବିଶ୍ବ ଅର୍ଥନୀତିକୁ ହୁଏତ କିଛି କାଳ ସକାଶେ ଭାରାସାମ୍ୟହୀନ କରିବ, କିନ୍ତୁ ସେ ପ୍ରଦାନ କରୁଥିବା ତୀବ୍ର ଅସହିଷ୍ଣୁତାଭରା ଉଚ୍ଚାରଣରେ ଦିଶୁଥିବା ପ୍ରତିଶୋଧପରାୟଣତା ତାଙ୍କୁ ଅବଲୀଳା କ୍ରମେ ଅପ୍ରିୟ ଓ ସନ୍ଦିଗ୍‌ଧ କରି ପକାଇବ। ଟ୍ରମ୍ପ, ତାଙ୍କ ଦ୍ବିତୀୟ ପାଳିର ଶାସନରେ, ବାରମ୍ବାର କହିବାରେ ଲାଗିଛନ୍ତି ଯେ ସେ ଆମେରିକାକୁ ପୁନର୍ବାର ମହାନ କରିବାକୁ ଚାହାନ୍ତି, ସତେ ଯେମିତି ଇତି ମଧ୍ୟରେ ଆମେରିକା ରକ୍ତଶୂନ୍ୟତାର ଶିକାର ହୋଇ ଶେଥା ପଡ଼ିଯାଇଛି, କାରଣ ମିତ୍ର ଓ ଶତ୍ରୁ ନିର୍ବିଶେଷରେ ସବୁ ରାଷ୍ଟ୍ର ଆମେରିକାର ଲହୁ ଶୋଷଣ କରିବାରେ ବ୍ୟସ୍ତ; ଯାହା ଆମେରିକା ନିର୍ମିତ ସମାଗ୍ରୀ ଉପରେ ଅନ୍ୟ ଦେଶଗୁଡ଼ିକ ଦ୍ବାରା ଉଚ୍ଚା ଟିକସ ଲଗାଣରୁ ନେଇ ଆମେରିକାରେ ପ୍ରବାସୀମାନଙ୍କ ବହୁଳ ଉପସ୍ଥିତି ପର୍ଯ୍ୟନ୍ତ ପରିଦୃଷ୍ଟ। ଅବଶ୍ୟ ଏହା ଅନେକ ଅଂଶରେ ସତ, କିନ୍ତୁ ପୃଥିବୀର ସର୍ବାଧିକ ବିତ୍ତଶାଳୀ ଏବଂ ଶକ୍ତିଶାଳୀ ଏହି ରାଷ୍ଟ୍ର ବିଶ୍ବକୁ ନେତୃତ୍ବ ଦେଉଥିବା ବେଳେ ବା ଅନେକ ସମୟରେ ବିଶ୍ବ ବ୍ୟାପାରରେ ହସ୍ତକ୍ଷେପ କଲା ବେଳେ ପୂର୍ବରୁ କେବେ ହେଲେ ଏଭଳି ସଂକୀର୍ଣ୍ଣ ହୀନମନ୍ୟତାର ଶିକାର ହେଉ ନ ଥିଲା! ସୁତରାଂ, ନେତୃତ୍ବ ପ୍ରଦାନ କରୁଥିବା ଏକ ଅନୁସରଣୀୟ ରାଷ୍ଟ୍ର ବଦଳରେ ଟ୍ରମ୍ପ ଆମେରିକାକୁ ଏକ ସଂପୃକ୍ତିହୀନ, ଅହଂକାରୀ ‘ଦାଦା’ ରାଷ୍ଟ୍ରରେ ପରିଣତ କରିବାକୁ ଚାହାନ୍ତି, ଯଦ୍ଦ୍ବାରା ବିଶ୍ବ ବ୍ୟାପାରରେ ତାଳ, ଲୟ, ଧ୍ୟାନ, ଶାନ୍ତି ଏବଂ ସର୍ବାପରି ମୋହ ଭଙ୍ଗ ହେବାର ଆଶଙ୍କା ଦେଖା ଦେଲାଣି।
ଗଲା ବୁଧବାର ଦିନ ଆମେରିକୀୟ ସଂସଦ କଂଗ୍ରେସର ମିଳିତ ଅଧିବେଶନରେ ଟ୍ରମ୍ପଙ୍କ ଦ୍ବାରା ପ୍ରଦତ୍ତ ଅଭିଭାଷଣରେ ଏକ ବିଜୟୀସୁଲଭ ଆଟୋପ ପରିଦୃଷ୍ଟ ହୋଇଥିଲା, କାରଣ ତାଙ୍କ ବକ୍ତବ୍ୟ ଅନୁସାରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କ ଦ୍ବାରା ପ୍ରେରିତ ଅନୁତାପ ଓ ଅନୁଶୋଚନା ଭରା ପତ୍ର ତାଙ୍କର ହସ୍ତଗତ ହୋଇଛି, ଯହିଁରେ ଟ୍ରମ୍ପଙ୍କ ସର୍ତ୍ତାନୁସାରେ ରୁଷିଆ-ୟୁକ୍ରେନ ଯୁଦ୍ଧରେ ପରିସମାପ୍ତି ହେଉ ବୋଲି ଜେଲେନ୍‌ସ୍କି ଚାହିଁଛନ୍ତି। ୟୁକ୍ରେନ ଭଳି ଏକ ଯୁଦ୍ଧ ବିଧ୍ବସ୍ତ ଅସହାୟ କ୍ଷୁଦ୍ର ରାଷ୍ଟ୍ରର ହାତ ମୋଡ଼ି ତାକୁ ନତଜାନୁ କରି ପକାଇବାର ଉଲ୍ଲାସ ଥିଲା ଟ୍ରମ୍ପଙ୍କ ଆଟୋପର ହେତୁ! ତାଙ୍କ ବକ୍ତବ୍ୟରେ ମଧ୍ୟ ଶୁଣିବାକୁ ମିଳିଥିଲା ଆସନ୍ତା ଏପ୍ରିଲ ମାସ ୨ ତାରିଖରୁ ଭାରତ ସମେତ ବିଭିନ୍ନ ଦେଶ ବିରୋଧରେ ‘ଟାରିଫ’ ଯୁଦ୍ଧାରମ୍ଭର ଘୋଷଣା ଏବଂ ଜଣେ ଆତଙ୍କବାଦୀକୁ ଧରି ଆମେରିକା ହାତରେ ଅର୍ପଣ କରିଥିବା ହେତୁ ପାକିସ୍ତାନକୁ ଧନ୍ୟବାଦ ଅର୍ପଣ। ସ୍ବାଭାବିକ ଭାବେ ଏହା ଭାରତ ସକାଶେ ସାମାନ୍ୟ ଉଦ୍‌ବେଗର କାରଣ ହୋଇଛି। କିନ୍ତୁ, ଭାରତ ଏ କଥା ମଧ୍ୟ ବୁଝି ସାରିବଣି ଯେ ଟ୍ରମ୍ପଙ୍କ ସକାଶେ କୌଣସି ରାଷ୍ଟ୍ର ବା ରାଷ୍ଟ୍ରମୁଖ୍ୟ ସ୍ଥାୟୀ ମିତ୍ର ବା ଶତ୍ରୁ ହୋଇ ନ ଥାନ୍ତି ଏବଂ ଟ୍ରମ୍ପ ଓ ତାଙ୍କ ଆଚରଣ ସଂପୂର୍ଣ୍ଣ ରୂପେ ଅନୁମାନ-ଅଯୋଗ୍ୟ। ଏହି କର୍କଶ ସତ୍ୟକୁ ଆମେରିକାର ପାରଂପରିକ ମିତ୍ର ରାଷ୍ଟ୍ରମାନେ ମଧ୍ୟ ହୃଦୟଙ୍ଗମ କଲେଣି। କିନ୍ତୁ, ଟ୍ରମ୍ପଙ୍କ ବୈଶିଷ୍ଟ୍ୟ ହେଲା ଯେ ସେ କେବଳ ମିତ୍ର ରାଷ୍ଟ୍ରଗୁଡ଼ିକୁ ନୁହେଁ, ଶତ୍ରୁ ରାଷ୍ଟ୍ରଗୁଡ଼ିକୁ ମଧ୍ୟ ତଟସ୍ଥ କରି ଦେଇପାରନ୍ତି, ଯେମିତି ଚିର ଶତ୍ରୁ ରୁଷିଆକୁ କେଳାଗ୍ରତ କରି ବା ଦୁଇ ଦଶନ୍ଧି ଧରି ଅସ୍ପୃଶ୍ୟ ହୋଇ ରହିଥିବା ପାକିସ୍ତାନକୁ ଛୁଇଁ ଦେଇ ଏବଂ ତା’ ସହିତ ରୁଷିଅା ଓ ପାକିସ୍ତାନକୁ ଘେନି ଆମେରିକା ବିରୋଧୀ ସାମ୍ମୁଖ୍ୟ ରଚନା କରିବାକୁ ମନସ୍ଥ କରିଥିବା ଚୀନର ଆଶାକୁ ଏକ ପ୍ରକାର ନିଷ୍ପ୍ରଭ କରି ଦେଇ। 
ପ୍ରକାଶ ଥାଉ କି ଟ୍ରମ୍ପଙ୍କ ଆଚରଣରେ ଅତିଷ୍ଠ ହୋଇ ଡେନମାର୍କ ଭଳି ଏକ ଶାନ୍ତ ଓ କଳହ ବିମୁଖ ଦେଶ ଏବଂ କାନାଡା ଭଳି ଗୋଟିଏ ଏକାନ୍ତ ବଚସ୍କର ରାଷ୍ଟ୍ର ପକ୍ଷରୁ ମଧ୍ୟ ଆମେରିକା ଓ ଟ୍ରମ୍ପଙ୍କ ବିରୋଧରେ କଟୁ ଭର୍ତ୍ସନା ଶୁଣିବାକୁ ମିଳିଲାଣି, ଯାହା ପୂର୍ବରୁ ସଂପୂର୍ଣ୍ଣ ଅକଳ୍ପନୀୟ ଥିଲା। ଚୀନର ରଣ ହୁଙ୍କାର ତ କହିଲାଣି ଯେ କେବଳ ‘ଟାରିଫ୍’ ଯୁଦ୍ଧ କାହିଁକି, ଆମେରିକା ବିରୋଧରେ ସବୁ ପ୍ରକାର ଯୁଦ୍ଧରେ ଅବତୀର୍ଣ୍ଣ ହେବାକୁ ସେ ପ୍ରସ୍ତୁତ। ବିଶେଷଜ୍ଞମାନେ କହନ୍ତି ଯେ ଏଭଳି ସ୍ଥିତି ଜାରି ରହିଲେ ଏକ ନୂତନ ଶକ୍ତି ଭାରସାମ୍ୟ ସୃଷ୍ଟି ହୋଇପାରେ, ଯହିଁରେ ୟୁରୋପୀୟ ରାଷ୍ଟ୍ରମାନ ବା ଏସୀୟ ରାଷ୍ଟ୍ରଗୁଡ଼ିକ ଆମେରିକା ବିରୋଧରେ ଏକତ୍ର ହୋଇପାରନ୍ତି। କହିବା ଅନାବଶ୍ୟକ ଯେ ଟ୍ରମ୍ପଙ୍କ ଦୃଷ୍ଟିରେ ପୃଥିବୀର ସମସ୍ତ ରାଷ୍ଟ୍ର ସୁବିଧାବାଦୀ, ଯେଉଁମାନଙ୍କ ମଧୁର ‌େଶାଷଣର ଶିକାର ହୋଇଛି ଆମେରିକା। ତେଣୁ ସେ କେତେକ ପୁରୁଣା ଓ ଅତି ମହତ୍ତ୍ବପୂର୍ଣ୍ଣ ବିଶ୍ବ ସ୍ତରୀୟ ସଂଗଠନ ଓ ଅନୁଷ୍ଠାନ (ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଭଳି)ରୁ ଆମେରିକାକୁ ଓହରାଇ ଆଣିବାକୁ ଉଦ୍‌ଗ୍ରୀବ ଏବଂ ଅନେକ ବିଶ୍ବ ବ୍ୟାପାରରେ ଆମେରିକାକୁ ସଂପୃକ୍ତିହୀନ କରିବାରେ ବ୍ୟାପୃତ। ସେ ଚାହାନ୍ତି ଯେ ଆମେରିକା ଏକ ବିଚ୍ଛିନ୍ନ ମହାଦ୍ବୀପରେ ପରିଣତ ହେଉ ଏବଂ ନିଜ ସର୍ତ୍ତାନୁସାରେ ପ୍ରଭାବ ପ୍ରତିଷ୍ଠା କରୁ। କାରଣ ତାଙ୍କ ଦୃଷ୍ଟିରେ ସଭିଏଁ ଆମେରିକାର ଶତ୍ରୁ! କିନ୍ତୁ ଅବସୋସ, କେଉଁ ପ୍ରାଜ୍ଞ ସନ୍ଥ ତାଙ୍କୁ ବୁଝାଇବ ଯେ ଅନ୍ୟ କେହି ନୁହନ୍ତି, ସେ ନିଜେ ହିଁ ତାଙ୍କ ନିଜର ତଥା ତାଙ୍କ ପ୍ରିୟ ରାଷ୍ଟ୍ରର ଜଣେ ବଡ଼ ଶତ୍ରୁ?