ଚିନ୍ମୟ ଚେତନା, ଅଣ୍ଡା ଝଡ଼

ଚିନ୍ମୟ କୁମାର ହୋତା

ଝଡ଼ ତୋଫାନର ରାଜ୍ୟ ଓଡ଼ିଶାରେ ପ୍ରବେଶ କରିଛି ଏକ ନୂଆ ଝଡ଼- ଅଣ୍ଡା ଝଡ଼। ମୁଖ୍ୟ ଓ ଗୌଣ, ସରକାରୀ ଓ ବିରୋଧୀ, ଶାକାହାରୀ ଓ ମାଂସାହାରୀ କିଛି ବାଛ ବିଚାର ନ କରି ଏହି ଝଡ଼ କେଉଁଆଡ଼ୁ ଯେ ମାଡ଼ି ଆସୁଛି ତାହା ବାତ୍ୟା ବିଶେଷଜ୍ଞମାନେ ମଧ୍ୟ ପୂର୍ବାନୁମାନ ଲଗାଇ ପାରୁ ନାହାନ୍ତି। ଅବଶ୍ୟ ଏହି ଦୁର୍ବିପାକର ପ୍ରକୋପ କ୍ଷଣସ୍ଥାୟୀ ଓ କିଛିଟା ଚାଞ୍ଚଲ୍ୟ ଖେଳାଇବା ଭିନ୍ନ ଏହାର ପ୍ରଭାବ ଜନଜୀବନ ପ୍ରତି ସେତେଟା କ୍ଷତିକାରକ ହେଉ ନାହିଁ। ପୂର୍ବରୁ ଗୋଇନ୍ଦା ସୂଚନା ଉପଲବ୍‌ଧ ଥିଲେ ବାତ୍ୟା ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତରଣ କଲା ଭଳି ଅଣ୍ଡା ଝଡ଼ର ନିଶାଣରେ ଥିବା ବ୍ୟକ୍ତିଙ୍କ ଗସ୍ତର ବାଟ ବଦଳାଇ ସୁରକ୍ଷା ପ୍ରଦାନ କରାଯାଉଛି। ଆଉ ଯଦି ପୂର୍ବାଭାସ ନ ମିଳିଲା ସେତେବେଳେ ଲକ୍ଷ୍ୟରେ ଥିବା ବ୍ୟକ୍ତିଙ୍କର ନିବୁଜ ଓ ସୁଦୃଢ଼ କାର୍‌ଟି ବାତ୍ୟା ଆଶ୍ରୟ ସ୍ଥଳ ଭଳି କାମ ଦେଉଛି। ତେଣୁ ଶାରୀରିକ କ୍ଷୟକ୍ଷତି କମ୍‌ ହେଉଛି। ହେଲେ ସଚରାଚର ଦେଖାଯାଉଥିବା ବାତ୍ୟା ପରର ନିରବତା ଓ ଶାନ୍ତି, ଏ ବାତ୍ୟା କ୍ଷେତ୍ରରେ ଦେଖାଯାଉନାହିଁ। କ୍ରୋଧ ଓ ପ୍ରତିଶୋଧର ଚାପା ଗୁଞ୍ଜରଣ ଅଣ୍ଡା ଝଡ଼କୁ ସମ୍ପୂର୍ଣ୍ଣ ଭାବରେ ଥମିବାକୁ ଦେଉ ନାହିଁ।

ମନରେ ପ୍ରଶ୍ନ ଉଠେ ଶସ୍ତା ଓ ଅଧିକ ହଟହଟା ସୃଷ୍ଟିକାରୀ ବିକଳ୍ପ ସାଧନ ମାନ ଥାଉ ଥାଉ ରାଜନୈତିକ ବିରୋଧ ପ୍ରଦର୍ଶନ କରିବା ପାଇଁ ଅଣ୍ଡାକୁ କାହିଁକି ବଛା ଗଲା? ଏଇ ଧରନ୍ତୁ ଯେମିତି ଗୋବର କିମ୍ବା ନର୍ଦମାର ନିର୍ଗମ ବସ୍ତୁ, ଶଢ଼ା ପରିବା ଅଥବା ନିରୁତା କାଦୁଅ। ହୁଏ’ତ ଏଇଥିପାଇଁ ହୋଇପାରେ ଯେ ଅଣ୍ଡା ଆଜିକାଲି ସାରା ରାଜ୍ୟରେ ସହଜରେ, ଅହୋରାତ୍ର ସୁଲଭ ମୂଲ୍ୟରେ ଉପଲବ୍‌ଧ। ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ବହୁ ମାତ୍ରାରେ ଆମଦାନି ହେବା ସଙ୍ଗେ ସଙ୍ଗେ ରାଜ୍ୟ ସରକାରଙ୍କର କୁକୁଡ଼ା ଚାଷକୁ ପ୍ରୋତ୍ସାହନର ଫଳ ସ୍ୱରୂପ ଅଣ୍ଡା ଆଜି ଯାହାକୁ ଯେତେ, ସେ ସ୍କୁଲ ଛାତ୍ର ହେଉ କି ରାଜନୈତିକ କର୍ମୀ। ସାଧନର ଉପଲବ୍‌ଧତା ତା’ର ଉପଯୋଗିତାର ମାତ୍ରା ନିର୍ଣ୍ଣୟ କରେ; ଯାହା ସାଧାରଣ ଅର୍ଥନୈତିକ ନ୍ୟାୟ। ସେଇଥିପାଇଁ ବୋଧେ ଓଡ଼ିଶା ରାଜନୀତିରେ ଅଣ୍ଡା ମାଡ଼ର ଇତିହାସ ସ୍ୱଳ୍ପ କାଳର, ଅଣ୍ଡା ଯୋଗାଣ ବୃଦ୍ଧି ପର ଠାରୁ। ଏହାର ଇତିହାସ ଖୋଜିବାକୁ ଯାଇ ସମ୍ବାଦପତ୍ର ଗୁଡ଼ିକ ୨୦୧୫ ପୂର୍ବକୁ ଯାଇ ପାରୁନାହାନ୍ତି, ଅର୍ଥାତ୍‌ ଆମ ପ୍ରଦେଶରେ ମାତ୍ର ଛ’ ବର୍ଷର ଐତିହ୍ୟ ଏହି କଳାଟିର।

ଓଡ଼ିଶାରେ ଅଣ୍ଡାମାଡ଼ର ସିନା ବିଳମ୍ବିତ ପ୍ରବେଶ, ହେଲେ ମାନବ ଜାତି ଏହାର ଗୁଣ ବୁଝିଲାଣି ମଧ୍ୟ ଯୁଗରୁ, ଯେତେବେଳେ ବନ୍ଦୀମାନଙ୍କୁ ଛିଡ଼ା କରେଇ ସେମାନଙ୍କ ଉପରକୁ ଅଣ୍ଡା ଫିଙ୍ଗୁଥିଲେ ନାଗରିକମାନେ। ଅବଶ୍ୟ ରାଜନୈତିକ ଅସନ୍ତୋଷ ପ୍ରକାଶ କରିବା ପାଇଁ କୌଣସି ଅବାଂଛିତ ବସ୍ତୁ କ୍ଷେପଣର ପ୍ରଥମ ପ୍ରମାଣ ପାଇଁ ଖ୍ରୀଷ୍ଟାବ୍ଦ ୬୩କୁ ଫେରିବାକୁ ପଡ଼ିବ, ଯେବେ ରୋମ୍‌ର କଡ଼ା ଶାସକଙ୍କ ଉପରକୁ ପଚା ସାଲଗମ ଫିଙ୍ଗିଥିଲେ କ୍ରୁଦ୍ଧ ନାଗରିକ ଗଣ। ଷୋଡ଼ଶ ଶତାବ୍ଦୀରେ ଏଲିଜାବେଥଙ୍କ ଯୁଗରେ ଇଂଲଣ୍ଡରେ କୌଣସି ଅଭିନେତା ଖରାପ ଅଭିନୟ କଲେ ଦର୍ଶକ ତାଙ୍କ ଉପରକୁ ଶଢା ଅଣ୍ଡା ଫୋପାଡ଼ି ନିଜର ନାପସନ୍ଦ ପ୍ରକାଶ କରୁଥିଲେ। ବିଂଶ ଶତାବ୍ଦୀ ବେଳକୁ ଅଣ୍ଡାମାଡ଼ ରାଜନୈତିକ ପ୍ରତିବାଦର ଏକ ପ୍ରମୁଖ ଆୟୁଧ ବନି ସାରିଛି। ଅଣ୍ଡାର ସ୍ଥାନ ବେଳେବେଳେ ଢେଲା, ଚପଲ, ପଚା ଟମାଟୋ ଇତ୍ୟାଦି ନେଉଥିବାର ଘଟଣା ଶୁଣିବାକୁ ମିଳେ ଅନେକ ସମୟରେ। ଅଣ୍ଡା ପ୍ରତି ବିକ୍ଷୋଭକାରୀଙ୍କ ଅନୁରକ୍ତି ପଛରେ ହୁଏ’ତ ଜିନିଷଟିର ଗଢ଼ଣ ରହିଛି। ଜିନିଷଟି ଏମିତି ତିଆରି ଯେ ବିରୋଧାଭାସ ପ୍ରକାଶ କରିବା ପାଇଁ ଯେ କୌଣସି ସଚ୍ଚା ରାଜନୈତିକ କର୍ମୀର ହାତ ଏହା ଉପରକୁ ଆପଣା ଛାଏଁ ଚାଲିଯିବ। ଭିତରଟା ଅନ୍ୟକୁ ହନ୍ତସନ୍ତ କରିବା ପାଇଁ ଉପଯୁକ୍ତ ଭାବେ ଲାଳୁଆ ଓ କର୍ଦ୍ଦମଯୁକ୍ତ ହୋଇଥିଲେ ହେଁ ବାହାରଟା କେଡ଼େ ଶୁଭ୍ର, ମସୃଣ ଓ ଭଙ୍ଗୁର; ସତେ ଯେମିତି ଅସନ୍ତୋଷ ପ୍ରକାଶ କରିବା ପାଇଁ ଜିନିଷଟି ଗଢ଼ା ଯାଇଛି। ନିକ୍ଷେପକାରୀର ହାତରେ ମଇଳା ଲାଗିବନି କିନ୍ତୁ ନିଶାଣ ହୋଇଯିବ କର୍ଦ୍ଦମାକ୍ତ। ଆଉ ପଚା ଅଣ୍ଡା ହେଲେ ତ ଆହୁରି ଭଲ କଥା।

ଅଣ୍ଡା ବିରୋଧ ପ୍ରକାଶ କରିବା ସମୟ ଛଡ଼ା ଅନ୍ୟ କେବେ କେବେ ମଧ୍ୟ ରାଜନୈତିକ ଝଡ଼ର କାରଣ ହୋଇଥାଏ। ସ୍କୁଲ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ଅଭିଯାନରେ ଅଣ୍ଡାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ହେଲେ ଏହି ଖାଦ୍ୟ ସାମଗ୍ରୀ ଯୋଗାଣକୁ ନେଇ ନାନା ଅନିୟମିତତା ଓ ବାଟ ମାରଣାର ଅଭିଯୋଗ ଶୁଣିବାକୁ ମିଳେ ଓ ରାଜନୀତିଜ୍ଞମାନଙ୍କର ଏହି ଯୋଜନା ପ୍ରତି ନିଷ୍ଠା ଉପରେ ପ୍ରଶ୍ନ ଉଠିଥାଏ। ମଧ୍ୟ ପ୍ରଦେଶର ସ୍କୁଲ ପିଲାମାନଙ୍କୁ ମଧ୍ୟାନ୍ନ ଭୋଜନ କାର୍ଯ୍ୟକ୍ରମରେ ଅଣ୍ଡା ଦିଆଯିବ କି ନାହିଁ ସେ ଲାଗି ବିତର୍କ ଲାଗିରହିଛି ଅନେକ ଦିନ ଧରି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ମତାନୁସାରେ ମଣିଷ ଶାକାହାରୀ ପ୍ରାଣୀ ହେବା ପାଇଁ ଯୋଗ୍ୟ, ଏଣୁ ଅଣ୍ଡା ଖାଇବା ଅନୁଚିତ। ଅଣ୍ଡାରୁ ଯେଉଁ ପୁଷ୍ଟି ମିଳିଥା’ନ୍ତା ତାହା ଗାଈ କ୍ଷୀରରୁ ପିଲାମାନେ ପାଇ ପାରିବେ। ଗୋଟିଏ ସରକାର ଅଣ୍ଡା ପ୍ରତି ଏହି ବିଦ୍ୱେଷ ଭାବ ରଖିଥିବା ବେଳେ, ଅଣ୍ଡାର ଲୋକପ୍ରିୟତା ବଢ଼ାଇବା ପାଇଁ ନିୟୋଜିତ ଏକ ସରକାରୀ ସଂସ୍ଥା ଗାଇ ଚାଲିଛି, “ସନ୍‌ଡେ ହୋ ୟା ମନ୍‌ଡେ, ରୋଜ ଖାଓ ଅଣ୍ଡେ।”

ଅଣ୍ଡା କେବଳ ପୁଷ୍ଟି କାହିଁକି ସୃଷ୍ଟି ସହ ବି ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। ପୃଥିବୀର ସୃଷ୍ଟି ସମ୍ବନ୍ଧୀୟ ପ୍ରଚଳିତ ପୌରାଣିକ ଗାଥା ଅନୁସାରେ ପ୍ରାୟ ସବୁ ସଭ୍ୟତା ଓ ଧର୍ମ ବିଶ୍ୱାସ କରନ୍ତି ଯେ ଏହି ଅଣ୍ଡା ହିଁ ସୃଷ୍ଟିର ଉତ୍ସ। ବେଦରେ ଉଲ୍ଲେଖ ଥିବା ବ୍ରହ୍ମାଣ୍ଡ ଦୁଇଟି ଶବ୍ଦ ଯଥା ସୃଷ୍ଟିକର୍ତ୍ତା ବ୍ରହ୍ମା ଓ ଅଣ୍ଡାର ସମଷ୍ଟି। ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କୁ ‘ଅଣ୍ଡଭୂ’ ମଧ୍ୟ କୁହାଯାଏ। ଜଗନ୍ନାଥ ଦାସଙ୍କ ଭାଗବତରେ ଉଲ୍ଲେଖ ଅଛି, ‘ଯେ ଅନ୍ତକାଳେ ଅଣ୍ଡକୋଷ, ନିମିଷ ମାତ୍ରେ କରେ ଗ୍ରାସ’। ହିନ୍ଦୁ ଓ ଖ୍ରୀଷ୍ଟ ଧର୍ମ ବ୍ୟତିରେକ ପୃଥିବୀର ଅଧିକାଂଶ ଧର୍ମାବଲମ୍ବୀମାନେ ବିଶ୍ୱାସ କରନ୍ତି ଯେ ପୃଥିବୀର ସୃଷ୍ଟି ହୋଇଥିଲା ଗୋଟିଏ ମହାଜାଗତିକ ଅଣ୍ଡାରୁ। ମହାଜାଗତିକ ଦୃଷ୍ଟିକୋଣ ଛାଡ଼ି ଆମେ ଯଦି ଗୋଟିଏ ସାଧାରଣ ଅଣ୍ଡା କଥା ଭାବିବା, ତେବେ ମଧ୍ୟ ପାଇବା ସୃଷ୍ଟିର ଓ ଏକ ନୂଆ ଜୀବନର ପ୍ରତିଶ୍ରୁତି। ତେଣୁ ପୁଷ୍ଟି ଓ ସୃଷ୍ଟିର ଏହି ସୁପରିଚିତ ଉତ୍ସକୁ କାହିଁକି ଯେ ମଣିଷ କୁଦୃଷ୍ଟିର ପ୍ରତୀକ କରି ତୋଳିଛି ତାହା ଚିନ୍ତାର ବିଷୟ।
ମୋ- ୯୪୩୭୦୮୯୬୫୫

ସମ୍ବନ୍ଧିତ ଖବର