ଚୀନ୍ ଉପରେ ଏଭଳି ନିର୍ଭରଶୀଳତାରେ ହ୍ରାସ ଘଟାଇବା ପାଇଁ ଭାରତ ସମୟକ୍ରମେ ଚୀନା କଂପାନିମାନଙ୍କୁ ଅଧିକରୁ ଅଧିକ ସେମାନଙ୍କର ଉତ୍ପାଦନ ଭାରତରେ ସଂଘଟିତ କରିବାକୁ ଏବଂ ସେମାନଙ୍କର ଭାରତୀୟ ସହଯୋଗୀମାନଙ୍କୁ ଜ୍ଞାନକୌଶଳ ହସ୍ତାନ୍ତର କରିବାକୁ ଉତ୍ସାହିତ କରୁଥିଲା। ଭାରତ ବର୍ତ୍ତମାନ ସେ ଉଦ୍ୟମ ସାମୟିକ ଭାବରେ ବନ୍ଦ କରିବାକୁ ବାଧ୍ୟ ହେବ। ଏହାଦ୍ବାରା ଭାରତ ଟ୍ରମ୍ପଙ୍କ ଠାରେ ବିଶ୍ବାସ ଜନ୍ମାଇବାକୁ ଚାହେଁ ଯେ ସେ ନିଜକୁ ଚୀନ୍‌ର ଏକ ଉତ୍ପାଦନ ଶିବିରରେ ପରିଣତ କରିବାକୁ ଯାଉନାହିଁ।

Advertisment

ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍‌ସଙ୍କର ସଦ୍ୟ ଭାରତ ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ୍ କରିବା ଅବସରରେ ଉଭୟ ନେତା ଭାରତ ଓ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ସଂପାଦିତ ହେବା ପାଇଁ ଉଭୟ ପକ୍ଷ ମଧ୍ୟରେ ଚାଲିଥିବା କଥାବାର୍ତ୍ତାର ଅଗ୍ରଗତି ସମ୍ବନ୍ଧରେ ସନ୍ତୋଷ ପ୍ରକାଶ କରିଥିଲେ। ଏଠାରେ ସ୍ମରଣଯୋଗ୍ୟ ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଚୀନ୍ ବ୍ୟତୀତ ପୃଥିବୀର ଅନ୍ୟ ସମସ୍ତ ଦେଶମାନଙ୍କ ପାଇଁ ଯେଉଁ ୯୦ ଦିନର ଟାରିଫ୍ ବିରତି ଘୋଷଣା କରିଥିଲେ, ଆସନ୍ତା ଜୁଲାଇ ୮ରେ ତାହାର ଅବଧି ସମାପ୍ତ ହୋଇଯିବ। ଯଦି ଏହି ସମୟସୀମା ମଧ୍ୟରେ ଭାରତ-ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ ନ ହୋଇଥାଏ, ତେବେ ଆମେରିକା ଭାରତରୁ ଆମଦାନି କରୁଥିବା ଦ୍ରବ୍ୟମାନଙ୍କ ପ୍ରତି ୨୬ ଶତାଂଶ ହାରରେ ଟାରିଫ୍ (ଆମଦାନି ଶୁଳ୍‌କ) ଲାଗୁ କରିବା ଆରମ୍ଭ କରିବ।
ଟ୍ରମ୍ପ ବିଭିନ୍ନ ଦେଶମାନଙ୍କ ସହିତ ଏଇଭଳି ଦ୍ବିପାକ୍ଷିକ ବାଣିଜ୍ୟ ଚୁକ୍ତିମାନ ସ୍ବାକ୍ଷର କରି ଚୀନ୍‌କୁ ସଂପୂର୍ଣ୍ଣ ଏକଘରିକିଆ କରିଦେବାକୁ ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ଯେଉଁଦିନ ଉପରାଷ୍ଟ୍ରପତି ଭାନ୍‌ସ ଭାରତରେ ପହଞ୍ଚିଲେ (୨୧ ଏପ୍ରିଲ), ସେଇଦିନ ହିଁ ଚୀନ୍ ପୃଥିବୀର ସମସ୍ତ ଦେଶଙ୍କୁ ଚେତାବନୀ ପ୍ରଦାନ କରି କହିଛି ଯେ ଯେଉଁ ଦେଶ ଏକ ‘‘ତୁଷ୍ଟୀକରଣ’’ ନୀତି ଅବଲମ୍ବନ କରି ଚୀନ୍‌ର ସ୍ବାର୍ଥରେ ବାଧା ପହଞ୍ଚାଇବା ଭଳି ଆମେରିକା ସହିତ ବାଣିଜ୍ୟ ଚୁକ୍ତିରେ ଆବଦ୍ଧ ହେବ, ଚୀନ୍ ସେ ଦେଶ ବିରୋଧରେ ଦୃଢ଼ ପ୍ରତିଆକ୍ରମଣାତ୍ମକ ପଦକ୍ଷେପ ଗ୍ରହଣ କରିବ।
ପୃଥିବୀର ଦୁଇ ବୃହତ୍ତମ ଅର୍ଥନୀତି ତଥା ଦୁଇ ମହାଶକ୍ତି (ଚୀନ୍ ଏବେ ଏକ ମହାଶକ୍ତି ରୂପେ ବିବେଚିତ ହେଉଛି) ମଧ୍ୟରେ ଏହି ବଳ କଷାକଷି ଭାରତ ପାଇଁ ବର୍ତ୍ତମାନ ଏକ ଅତ୍ୟନ୍ତ ଜଟିଳ ଦ୍ବନ୍ଦ୍ବ ସୃଷ୍ଟି କରିଛି। ଟ୍ରମ୍ପ ତାଙ୍କର ବାଣିଜ୍ୟ ଯୁଦ୍ଧ ଆରମ୍ଭ କରିବାର ଅବ୍ୟବହିତ ପୂର୍ବରୁ ଭାରତ ଓ ଚୀନ୍ ସେମାନଙ୍କ ମଧ୍ୟରେ ଦୀର୍ଘ ଚାରି ବର୍ଷ ଧରି ଲାଗି ରହିଥିବା ଏକ ତିକ୍ତ ସୀମା ବିବାଦ ସମାଧାନ କରି ଏକରକମ ସ୍ବାଭାବିକ ଅବସ୍ଥା ପ୍ରତିଷ୍ଠା କରିବାରେ ସଫଳ ହୋଇଥିଲେ। ଏହାର ଫଳସ୍ବରୂପ ସଦା ବିକ୍ଷୁବ୍‌ଧ ସୀମାରେ ବର୍ତ୍ତମାନ ଶାନ୍ତି ବିରାଜମାନ କରୁଛି। ଏପରିକି ତିିବ୍ବତରେ ଅବସ୍ଥିତ ସେମାନଙ୍କ ପବିତ୍ର ପୀଠମାନଙ୍କୁ ଦର୍ଶନରେ ଯିବା ପାଇଁ ଭାରତୀୟ ହିନ୍ଦୁ ଓ ବୌଦ୍ଧ ତୀର୍ଥଯାତ୍ରୀମାନଙ୍କୁ ଅନୁମତି ପ୍ରଦାନ ନିମିତ୍ତ ଚୀନ୍ ମଧ୍ୟ ରାଜି ହୋଇଛି। ଉଭୟ ଦେଶ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ପୁଣି ଆରମ୍ଭ କରିବା ପାଇଁ କଥାବାର୍ତ୍ତା ମଧ୍ୟ ଚାଲିଛି।
ଚୀନ୍‌ରୁ ହେଉଥିବା ବିପୁଳ ଆମଦାନିରେ ହ୍ରାସ ଘଟାଇବା ଉଦ୍ଦେଶ୍ୟରେ ଭାରତରେ ଶିଳ୍ପ ଉତ୍ପାଦନରେ ଅଧିକ ଚୀନା ପୁଞ୍ଜି ନିବେଶ ପାଇଁ ଭାରତ ସରକାର ଅନୁମତି ଦେବାକୁ ଆରମ୍ଭ କରିଥିଲେ। ଚୀନ୍ ସହିତ ଭାରତର ତିକ୍ତ ସଂପର୍କ ସତ୍ତ୍ବେ ତା’ ସହିତ ଆମେ ସର୍ବଦା ବିଶାଳ ବାଣିଜ୍ୟ ନିଅଣ୍ଟର ସମ୍ମୁଖୀନ ହୋଇ ଆସିଛୁ। ଏପରିକି ୨୦୨୦‌ର ସୀମା ସଂଘର୍ଷ ପରେ ମଧ୍ୟ ସେଥିରେ ବୃଦ୍ଧି ଘଟି ୨୦୨୪-୨୫ରେ ତାହାର ଆକାର ୯୯ ବିଲିଅନ୍ ଡଲାର୍‌ରେ ପହଞ୍ଚିଥିଲା। ଏଥିରେ ହ୍ରାସ ଘଟାଇବା ପାଇଁ ଚୀନ୍ ଏଣିକି ଭାରତରୁ ଆମଦାନିରେ ବୃଦ୍ଧି ଘଟାଇବ ବୋଲି ପ୍ରତିଶ୍ରୁତି ଦେଇଛି। ଏହି ସମୟରେ ଚୀନ୍‌କୁ ଆଡ଼େଇ ଦେଇ ଆମେରିକା ସହିତ ବାଣିଜ୍ୟରେ ବୃଦ୍ଧି ଘଟାଇବା ଭାରତ ପାଇଁ ସମସ୍ୟାମୁକ୍ତ ନ ହୋଇପାରେ।
ଚୀନ୍‌ର ଉପରୋକ୍ତ ଧମକକୁ ଭ୍ରୂକ୍ଷେପ ନ କରି ଭାରତ ଯଦି ବି ଚୀନ୍‌କୁ ବାସନ୍ଦ କରି ଆମେରିକାକୁ କରୁଥିବା ରପ୍ତାନିରେ ବୃଦ୍ଧି ଘଟାଇବାକୁ ଚାହେଁ, ଭିନ୍ନ ଏକ କାରଣରୁ ଚୀନ୍‌ ସହିତ ସଂପର୍କ ଛିନ୍ନ କରିବା ତା’ ପକ୍ଷରେ ସମ୍ଭବ ହେବ ନାହିଁ। କାରଣ, ଭାରତ ଯେଉଁସବୁ ଦ୍ରବ୍ୟ ବିଦେଶକୁ ରପ୍ତାନି କରିଥାଏ, ସେ ସବୁର ଉତ୍ପାଦନରେ ବ୍ୟବହୃତ ଉପାଦାନମାନ ଅନେକାଂଶରେ ଚୀନ୍‌ରୁ ଆମଦାନି ‌କରାଯାଇଥାଏ। ଉଦାହରଣ ସ୍ବରୂପ, ଆମେରିକାକୁ ରପ୍ତାନି କରିବାରେ ଅଗ୍ରଣୀ ସ୍ଥାନ ଦଖଲ କରିଛି ଭାରତୀୟ ଔଷଧ ଶିଳ୍ପ; ଏବଂ ଔଷଧ ଉତ୍ପାଦନରେ ବ୍ୟବହାର କରାଯାଉଥିବା ମୌଳିକ ଉପାଦାନ ‘ପ୍ରିକର୍ସର୍ କେମିକାଲ୍‌ସ’ର ୭୦ ଶତାଂଶ ଆସିଥାଏ ଚୀନ୍‌ରୁ। ମୋଦୀ ସରକାର ବିଦେଶୀ ଉତ୍ପାଦନକାରୀମାନଙ୍କୁ ମୁକ୍ତ ହସ୍ତରେ ପ୍ରୋତ୍ସାହନ ପ୍ରଦାନ କରି ଭାରତକୁ ଆକର୍ଷିତ କରିବା ନିମିତ୍ତ ଯେଉଁ ଯୋଜନା କାର୍ଯ୍ୟକାରୀ କରିଛି, ସେଥିରେ ଏକ ବିରଳ ସଫଳତା ହାସଲ ହୋଇଛି ସ୍ମାର୍ଟ ଫୋନ୍ ଉତ୍ପାଦନରେ। କିନ୍ତୁ ସେଥିରେ ମଧ୍ୟ ଚୀନା ଉପସ୍ଥିତିରୁ ମୁକ୍ତି ନାହିଁ। କାରଣ ବିଦେଶରୁ ଆମଦାନି କରାଯାଉଥିବା ଯନ୍ତ୍ରାଂଶମାନଙ୍କୁ ଏଠାରେ ଖଞ୍ଜାଯାଇ ସ୍ମାର୍ଟ ଫୋନ୍‌ମାନ ନିର୍ମାଣ କରାଯାଇଥାଏ; ଏବଂ ଅଧିକାଂଶ ଯନ୍ତ୍ରାଂଶ ଆମଦାନି ହୋଇଥାଏ ଚୀନ୍‌ରୁ।
ଟ୍ରମ୍ପ ବର୍ତ୍ତମାନ ପାଇଁ ସ୍ମାର୍ଟ ଫୋନ୍‌ ସବୁକୁ ଟାରିଫ୍ ମୁକ୍ତ କରିଛନ୍ତି, କିନ୍ତୁ ଖୁବ୍‌ ଶୀଘ୍ର ସେଗୁଡ଼ିକ ପ୍ରତି ନୂତନ ଶୁଳ୍‌କ ଲାଗୁ ହେବାକୁ ଯାଉଛି ବୋଲି ଧମକ ଦେଇଛନ୍ତି। ‘ଆପଲ୍’ର ‘ଆଇଫୋନ୍’ ଏକଦା କେବଳ ଚୀନ୍‌ରେ ନିର୍ମିତ ହେଉଥିବା ବେଳେ ସେଇ କଂପାନି କ୍ରମେ ୨୦ ଶତାଂଶ ଉତ୍ପାଦନ ଭାରତକୁ ସ୍ଥାନାନ୍ତରିତ କରିସାରିଲାଣି। ଟ୍ରମ୍ପ କିନ୍ତୁ ଆମେରିକାରେ ‘ଆଇଫୋନ୍’ ନିର୍ମାଣ କରିବା ଲାଗି ‘ଆପଲ୍’କୁ ଆହ୍ବାନ ଦେଉଛନ୍ତି। ଭାରତରୁ ହେଉଥିବା ସ୍ମାର୍ଟ ଫୋନ୍ ରପ୍ତାନି ଶେଷରେ କିଭଳି ପ୍ରଭାବିତ ହେବ, ତାହା ଟ୍ରମ୍ପ ସରକାର ‘ରୁଲ୍‌ସ ଅଫ୍ ଅରିଜିନ୍’ (‘ମୂଳ ସଂପର୍କିତ ନିୟମ’)ର କିପରି ସଂଜ୍ଞା ନିରୂପଣ କରିବେ, ତାହା ଉପରେ ନିର୍ଭର କରେ। ଏକ ସ୍ମାର୍ଟ ଫୋନ୍‌ର କେତେ ଅଂଶ ଭାରତରେ ନିର୍ମିତ ହୋଇଥିଲେ ତାହା ପ୍ରତି ଆଉ ଚୀନ୍‌ ପ୍ରତି ଉଦ୍ଦିଷ୍ଟ ଟାରିଫ୍ ଲାଗୁ ହେବନାହିଁ, ତାହା ଏହି ରୁଲ୍‌ସ ଅଫ୍ ଅରିଜିନ୍ ଉପରେ ନିର୍ଭର କରିଥାଏ। କିନ୍ତୁ ‌େସ ଯାହାହେଲେ ବି ଅସୁବିଧାଜନକ ସତ୍ୟ ହେଲା ଏହା ଯେ ଟ୍ରମ୍ପ-ଟାରିଫ୍‌ରୁ ଛାଡ଼ ପାଇବା ପାଇଁ ଭାରତ ତତ୍‌କ୍ଷଣାତ୍ ନିଜକୁ ଚୀନ୍ ଉପରେ ନିର୍ଭରଶୀଳତାରୁ ମୁକ୍ତ କରିପାରିବ ନାହିଁ। କେବଳ ସ୍ମାର୍ଟ ଫୋନ୍‌ ପରି ଉଚ୍ଚ ଜ୍ଞାନକୌଶଳଯୁକ୍ତ ପଦାର୍ଥ ନୁହେଁ, ଭାରତ ରପ୍ତାନି କରୁଥିବା ବସ୍ତ୍ର ଓ ଚମଡ଼ା ଦ୍ରବ୍ୟ ଉତ୍ପାଦନରେ ମଧ୍ୟ ଚୀନା ପ୍ରଭାବ ସୁସ୍ପଷ୍ଟ ହୋଇଥାଏ।
ଚୀନ୍ ଉପରେ ଏଭଳି ନିର୍ଭରଶୀଳତାରେ ହ୍ରାସ ଘଟାଇବା ପାଇଁ ଭାରତ ସମୟକ୍ରମେ ଚୀନା କଂପାନିମାନଙ୍କୁ ଅଧିକରୁ ଅଧିକ ସେମାନଙ୍କର ଉତ୍ପାଦନ ଭାରତରେ ସଂଘଟିତ କରିବାକୁ ଏବଂ ସେମାନଙ୍କର ଭାରତୀୟ ସହଯୋଗୀମାନଙ୍କୁ ଜ୍ଞାନକୌଶଳ ହସ୍ତାନ୍ତର କରିବାକୁ ଉତ୍ସାହିତ କରୁଥିଲା। ଭାରତ ବର୍ତ୍ତମାନ ସେ ଉଦ୍ୟମ ସାମୟିକ ଭାବରେ ବନ୍ଦ କରିବାକୁ ବାଧ୍ୟ ହେବ। ଏହାଦ୍ବାରା ଭାରତ ଟ୍ରମ୍ପଙ୍କ ଠାରେ ବିଶ୍ବାସ ଜନ୍ମାଇବାକୁ ଚାହେଁ ଯେ ସେ ନିଜକୁ ଚୀନ୍‌ର ଏକ ଉତ୍ପାଦନ ଶିବିରରେ ପରିଣତ କରିବାକୁ ଯାଉନାହିଁ।
ଏହି ପରିପ୍ରେକ୍ଷୀରେ ଭାରତୀୟ ରପ୍ତାନି ଶିଳ୍ପୋଦ୍ୟୋଗୀମାନଙ୍କୁ ବର୍ତ୍ତମାନ ସେମାନଙ୍କର ଉତ୍ପାଦନ ପ୍ରକ୍ରିୟା ସବୁକୁ ଅତ୍ୟନ୍ତ ସାବଧାନତା ସହକାରେ ସମୀକ୍ଷା କରିବାକୁ ପଡ଼ିବ। ସେମାନଙ୍କୁ ନିଶ୍ଚିତ କରିବାକୁ ହେବ ଯେପରି ସେମାନେ ରପ୍ତାନି କରୁଥିବା ଦ୍ରବ୍ୟ ବା ସେବା ସବୁ ବସ୍ତୁତଃ ଚୀନ୍‌ରେ ଉତ୍ପାଦିତ ହୋଇ ଏଠାରେ କେବଳ ଖଞ୍ଜା ହୋଇ ନ ଥାଏ; ଯେମିତି ସଂପୃକ୍ତ ଦ୍ରବ୍ୟ ବା ସେବାରେ ବ୍ୟବହୃତ ଅସଲ ଯନ୍ତ୍ରାଂଶମାନ କିମ୍ବା ରାସାୟିନିକ ପ୍ରକ୍ରିୟାମାନ କିମ୍ବା ପ୍ରୋଗ୍ରାମିଙ୍ଗ୍ ଆଦି ଭାରତରେ ନିର୍ମିତ ବା ସଂଘଟିତ ହୋଇଥାଏ। ଭାରତୀୟ ରପ୍ତାନି ଯଦି ପ୍ରକୃତରେ ଚୀନା ପ୍ରଭାବରୁ ମୁକ୍ତ ହୋଇ ‘ମେଡ୍ ଇନ୍ ଇଣ୍ଡିଆ’ ହେବାରେ ସଫଳ ହୁଏ, ତେବେ ଟ୍ରମ୍ପ ଭାରତ ଉପରେ ଟାରିଫ୍ କୋହଳ କରିବାକୁ ରାଜି ହୋଇଯାଇ ପାରନ୍ତି। ବର୍ତ୍ତମାନ ଚାଲିଥିବା ଦ୍ବିପାକ୍ଷିକ କଥାବାର୍ତ୍ତାରେ ଭାରତ ଏହା ଉପରେ ଗୁରୁତ୍ବ ପ୍ରଦାନ କରିବା ଆଶା କରାଯାଏ।