ମୂଷା ଯନ୍ତା

ରବିବାର ଦିନ ସ୍କଟ୍‌ଲ୍ୟାଣ୍ତ୍‌ର ଗ୍ଲାସ୍‌ଗୋ ନଗରୀ ସ୍ଥିତ ଯେଉଁ ସମ୍ମିଳନୀ କକ୍ଷରେ ୩୦,୦୦୦ ପ୍ରଥମ ଛେକ ପ୍ରତିନିଧିମାନଙ୍କ ଉପସ୍ଥିତିରେ ‘କପ୍‌-୨୬’ ନାମକ ଜାତିସ˚ଘର ବିଶ୍ବ ଜଳବାୟୁ ଶୀର୍ଷ ସମ୍ମିଳନୀ ଉଦ୍‌ଘାଟିତ ହୋଇଛି (ଏହା ନଭେମ୍ବର ୧୨ ପର୍ଯ୍ୟନ୍ତ ଚାଲିବ), ତାହାର ଆକୃତି ଏକ ମହାକାଶ ଯାନ ଭଳି ହୋଇଥିଲେ ହେଁ, ତାହାକୁ ଭାବଗତ ଭାବରେ ଏକ ମୂଷା ଯନ୍ତା ବୋଲି କହିବା ବୋଧହୁଏ ଅଧିକ ସମୀଚୀନ ହେବ। ୧୯୫୨ରେ ଲଣ୍ତନ୍‌ରେ ପ୍ରଥମେ ମଞ୍ଚସ୍ଥ ହେବା ପର ଠାରୁ ମାର୍ଚ୍ଚ ୨୦୨୦ରେ କୋଭିଡ୍‌ ଯୋଗୁଁ ବନ୍ଦ ହେବା ପର୍ଯ୍ୟନ୍ତ ନିିରବଚ୍ଛିନ୍ନ ଭାବରେ ଏତେ ଦୀର୍ଘ କାଳ ଧରି ଅଭିନୀତ ହୋଇ ଆସିଥିବା ଆଗାଥା କ୍ରିଷ୍ଟିଙ୍କର ଅପରାଧୀ-ସନ୍ଧାନ ନାଟକ ‘ଦି ମାଉସ୍‌ ଟ୍ରାପ୍‌’ (‘ମୂଷା ଯନ୍ତା’) ଭଳି ଏହି ଜଳବାୟୁ-ଅପରାଧୀ-ସନ୍ଧାନ ଭିତ୍ତିକ ‘କପ୍‌’ ସମ୍ମିଳନୀମାନଙ୍କର ଇତିହାସ ଯେ କେବଳ ସୁଦୀର୍ଘ, ତାହା ନୁହେଁ, ଏକ ଓଲଟ ବିଡ଼ମ୍ବନା ଭଳି ସତସତିକା ମୂଷାମାନେ ସମ୍ମିଳନୀ ସ୍ଥଳୀ ଗ୍ଲାସ୍‌ଗୋ ନଗରୀକୁ ମନୁଷ୍ୟମାନଙ୍କ ପାଇଁ ଏକ ଯନ୍ତାରେ ପରିଣତ କରିଦେଇଛନ୍ତି ବୋଲି କୁହାଯାଇ ପାରେ। ୧୯୯୪ରେ ‘ଇଉନାଇଟେଡ୍‌ ନେସନ୍‌ସ ଫ୍ରେମ୍‌ଵାର୍କ କନ୍‌ଭେନ୍‌ସନ୍‌ ଅନ୍‌ କ୍ଲାଇମେଟ୍‌ ଚେଞ୍ଜ୍‌’ (‘ଇଉଏନ୍‌ଏଫ୍‌ସିସି’) ପୃଥିବୀର ପ୍ରାୟ ସମସ୍ତ ଦେଶମାନଙ୍କ ଦ୍ବାରା ସ୍ବାକ୍ଷରିତ ହେବା ପର ଠାରୁ ନିୟମିତ ଭାବରେ ଅନୁଷ୍ଠିତ ହୋଇ ଆସୁଥିବା ସ୍ବାକ୍ଷରକାରୀମାନଙ୍କର ବାର୍ଷିକ ସମ୍ମିଳନୀର ଏହା ହେଉଛି ୨୬ଶ ସ˚ସ୍କରଣ। ପୃଥିବୀର ଉତ୍ତପ୍ତୀକରଣ ପାଇଁ କିଏ ଦାୟୀ ଓ କିପରି ତାହାକୁ ନିୟନ୍ତ୍ରଣ କରାଯିବ, ସେ ନେଇ ସେବେ ଠାରୁ ସ୍ବାକ୍ଷରକାରୀ ଦେଶମାନଙ୍କର ନେତୃବୃନ୍ଦ ଏହି ସମ୍ମିଳନୀମାନଙ୍କରେ ବିଲୁଆ ବିଚାର କରି ଆସୁଥିଲେ ହେଁ ରେକର୍ଡ ଅନୁସାରେ ବିଗତ ଦଶନ୍ଧିଟି ସର୍ବାଧିକ ଉତ୍ତପ୍ତ ଥିଲା ବୋଲି ଜଣା ପଡ଼ିଛି।
ପୃଥିବୀର ବାୟୁମଣ୍ତଳ ଏକ ଉତ୍ତାପ ଯନ୍ତା ରୂପେ କାର୍ଯ୍ୟ କରୁଥିବାରୁ ଏହା ଘଟୁଛି, ଏବ˚ ଏଥିପାଇଁ ଦାୟୀ ହେଉଛନ୍ତି ବାୟୁମଣ୍ତଳରେ ଉପସ୍ଥିତ ଥିବା କେତେକ ‘ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌’ (‘ଜିଏଚ୍‌ଜି’), ଯେଉଁମାନଙ୍କ ମଧୢରେ ପ୍ରମୁଖ ହେଉଛି ଅଙ୍ଗାରକାମ୍ଳ।

ଏହି ବାଷ୍ପର ସ୍ବାଭାବିକ ନିର୍ଗମନ ଘଟିଥାଏ, କିନ୍ତୁ ବାୟୁମଣ୍ତଳରେ ଏହାର ଏକ-ତୃତୀୟା˚ଶରୁ ଅଧିକ ଆସିଥାଏ ମନୁଷ୍ୟର କାର୍ଯ୍ୟକଳାପ ସୂତ୍ରରୁ- ମନୁଷ୍ୟ ଦ୍ବାରା କୋଇଲା, ପେଟ୍ରୋଲ୍‌, ଡିଜେଲ୍‌ ଆଦି ଭଳି ଜୀବାଶ୍ମ ଇନ୍ଧନର ଦହନରୁ। ତେବେ ଏଥିପାଇଁ କେଉଁ ମନୁଷ୍ୟମାନେ ଦାୟୀ? ପ୍ରକୃତ ଅପରାଧୀ କିଏ? ବିକାଶଶୀଳ ଦେଶମାନଙ୍କର ଅଧିବାସୀମାନେ ଅପେକ୍ଷାକୃତ କମ୍‌ ଏଭଳି ପ୍ରଦୂଷଣ କରିଥା’ନ୍ତି ଏବ˚ ଅତୀତରେ ଘଟିଥିବା ଅଙ୍ଗାର ନିର୍ଗମନ ପାଇଁ ସେମାନେ ଆଦୌ ଦାୟୀ ନୁହନ୍ତି। ଆଜିର ଉନ୍ନତ ଦେଶମାନେ ହିଁ ହେଉଛନ୍ତି ଅତୀତର ପ୍ରାୟ ସମସ୍ତ ନିର୍ଗମନ ପାଇଁ ସମ୍ପୂର୍ଣ୍ଣ ଦାୟୀ, ଅର୍ଥାତ୍‌ ପୃଥିବୀର ଉତ୍ତପ୍ତୀକରଣ ପାଇଁ ସମ୍ପୂର୍ଣ୍ଣ ଦାୟୀ। କିନ୍ତୁ ଏଥିଯୋଗୁଁ ଘଟୁଥିବା ଜଳବାୟୁ ପରିବର୍ତ୍ତନର ସବୁଠାରୁ ଭୟାନକ କୁ-ପରିଣାମମାନ ଭୋଗ କରୁଛନ୍ତି ବିକାଶଶୀଳ ଦେଶମାନଙ୍କର ଅଧିବାସୀମାନେ। ବର୍ତ୍ତମାନ ଏମାନଙ୍କୁ ଏଥି ଯୋଗୁଁ ଦୁଇ ପ୍ରକାର ବୋଝ ବହନ କରିବାକୁ ପଡୁଛି: ଜଳବାୟୁ ପରିବର୍ତ୍ତନ ଯୋଗୁଁ ସୃଷ୍ଟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଖର୍ଚ୍ଚ; ନିର୍ଗମନ ହ୍ରାସ- ଅନୁକୂଳ ଜୀବନ ଶୈଳୀ ଅବଲମ୍ବନ ଜନିତ (ଯେମିତି କେବଳ ଅକ୍ଷୟ ଶକ୍ତି ଉତ୍ପାଦନ ଓ ବ୍ୟବହାର) ଖର୍ଚ୍ଚ।

୨୦୧୫ରେ ପ୍ୟାରିସ୍‌ ଠାରେ ଅନୁଷ୍ଠିତ ‘କପ୍‌-୨୧’ରେ ତେଣୁ ସ୍ଥିର ହୋଇଥିଲା ଯେ ପୃଥିବୀର ତାପମାତ୍ରାରେ ବୃଦ୍ଧିକୁ ୨ ଡିଗ୍ରୀ ସେଲ୍‌ସିଅସ୍‌ ମଧୢରେ ସୀମିତ ରଖବା ପାଇଁ ବିଭିନ୍ନ ଆବଶ୍ୟକ ପଦକ୍ଷେପ ନେବାରେ ବିକାଶଶୀଳ ଦେଶମାନଙ୍କୁ ସାହାଯ୍ୟ କରିବା ପାଇଁ ଧନୀ ଦେଶମାନେ ୨୦୨୦ ପର୍ଯ୍ୟନ୍ତ ବର୍ଷକୁ ୧୦୦ ବିଲିଅନ୍‌ ଡଲାର‌୍‌ ଲେଖାଏଁ ଖର୍ଚ୍ଚ କରି ଚାଲିବେ, ଯାହା ସେଇ ଘୋଷଣାରେ ହିଁ ସୀମିତ ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ୨୦୨୦ ସୀମାରେଖା ଅତିକ୍ରାନ୍ତ ହୋଇଯିବା ପରେ ବର୍ତ୍ତମାନ ପ୍ରଥମ ଥର ପାଇଁ ଗ୍ଲାସ୍‌ଗୋ ଠାରେ ଦୁଇ ପକ୍ଷ ମୁହାଁମୁହିଁ ହେଉଛନ୍ତି। ଧନୀ ଦେଶମାନେ ବିନା ଖର୍ଚ୍ଚରେ ଏହା ଏକ ସଫଳ ସମ୍ମିଳନୀ ରୂପେ ବିବେଚିତ ହେଉ ବୋଲି ଚାହୁଁଥିବା ବେଳେ ବିକାଶଶୀଳ ଦେଶମାନେ ଏହି ଐତିହାସିକ ଜଳବାୟୁ-ଅପରାଧୀମାନେ ଏତେ ସହଜରେ ଖସି ଯାଆନ୍ତୁ ବୋଲି ଚାହାଁନ୍ତି ନାହିଁ। ଇତିମଧୢରେ ଗ୍ଲାସ୍‌ଗୋ ସମ୍ମିଳନୀର ଠିକ୍‌ ଅବ୍ୟବହିତ ପୂର୍ବରୁ ଏହାର ଏକ ମୁଖବନ୍ଧ ସଦୃଶ ରୋମ୍‌ ଠାରେ ଅଧିକା˚ଶ ଧନୀ ଦେଶମାନଙ୍କୁ ନେଇ ଗଠିତ ଜି-୨୦ ଗୋଷ୍ଠୀର ଏକ ଶୀର୍ଷ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଉଲ୍ଲେଖଯୋଗ୍ୟ ଯେ ଏଇ ୨୦ଟି ଦେଶ ମିଶି ପୃଥିବୀର ମୋଟ ‘ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌’ର ପ୍ରାୟ ୮୦ ଶତା˚ଶ ନିର୍ଗମନ କରିଥା’ନ୍ତି। ଆଶା କରାଯାଉଥିଲା ଏହି ନେତୃବୃନ୍ଦ ଗ୍ଲାସ୍‌ଗୋ ସମ୍ମିଳନୀକୁ ସଫଳ କରିବା ପାଇଁ ଏଠାରେ ଉତ୍ସାହ ସୃଷ୍ଟି କରିବେ। କିନ୍ତୁ ଦୁଇ ଦିନ ଧରି ବିଚାର ବିମର୍ଶ ପରେ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ସେମାନେ ଯେଉଁ ଘୋଷଣାନାମା ପ୍ରକାଶ କରିଛନ୍ତି, ସେଥିରେ ସେଇ ସବୁ ପୁରୁଣା ଲକ୍ଷ୍ୟ ଓ ପ୍ରତିଶ୍ରୁତିମାନ ଦୋହରାଇବା ବ୍ୟତୀତ ଅନ୍ୟ କୌଣସି ଆଶା-ଉଦ୍ରେକକାରୀ ପ୍ରସ୍ତାବର ଚିହ୍ନବର୍ଣ୍ଣ ନାହିଁ।

ଉଦାହରଣ ସ୍ବରୂପ ଏହି ଗୋଷ୍ଠୀର ଆନ୍ତରିକତାହୀନ ଉଦାସୀନତାର ଏକ ପରିଚୟ ମିଳିଥିଲା ଯେତେବେଳେ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଏକ ଛଦ୍ମ ଉଦାରତା ପ୍ରଦର୍ଶନ କରି ଜି-୨୦ ସଦସ୍ୟ ଦେଶମାନଙ୍କର ପ୍ରତିଶ୍ରୁତି ସବୁକୁ ‘ ଏକ ଦ୍ରୁତ ଉତ୍ତପ୍ତଶୀଳ ସମୁଦ୍ରରେ କେତୋଟି ବୁନ୍ଦା ମାତ୍ର’ ବୋଲି ବର୍ଣ୍ଣନା କରିବା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ପ୍ରସ୍ତାବ ତାଙ୍କର ଅସଲ ଚେହେରାକୁ ପଦାରେ ପକାଇ ଦେଇଥିଲା। ମୋଦୀ ଯେତେବେଳେ ଆହ୍ବାନ ଦେଇଥିଲେ ଯେ ବିକାଶଶୀଳ ଦେଶମାନେ ଜୀବାଶ୍ମ ଇନ୍ଧନ ପରିତ୍ୟାଗ କରି ପ୍ରଦୂଷଣହୀନ ବିକଳ୍ପ ବ୍ୟବହାର ଦିଗରେ ଯାତ୍ରା କରିବାରେ ସେମାନଙ୍କୁ ସହାୟତା ପ୍ରଦାନ କରିବା ନିମିତ୍ତ ଜି-୨୦ର ସଦସ୍ୟ ଦେଶମାନେ ସେମାନଙ୍କର ନିଜ ନିଜର ‘ଜିଡିପି’ର ୧ ଶତା˚ଶ ଲେଖାଏଁ ଦାନ କରନ୍ତୁ, ବୋରିସ୍‌ ଜନ୍‌ସନ୍‌ ସେତେବେଳେ ଏହାକୁ ନିକଟ ଭବିଷ୍ୟତ୍‌ରେ ସମ୍ଭବ ନୁହେଁ କହି ପ୍ରତ୍ୟାଖ୍ୟାନ କରିବା ଦେଖାଯାଇଥିଲା।

ଗ୍ଲାସ୍‌ଗୋ ଠାରେ ପାଖାପାଖି ଦୁଇ ସପ୍ତାହ ଧରି ଧନୀ ଓ ବିକାଶଶୀଳ ଦେଶମାନଙ୍କ ମଧୢରେ ଏହି ଟଣା ଭିଡ଼ା ଯେ ଚାଲୁ ରହିବ, ଏଥିରୁ ତାହାର ସ୍ପଷ୍ଟ ସୂଚନା ମିଳୁଛି। ସେମାନଙ୍କ ମଧୢରେ ଏହି କନ୍ଦଳ ଯେତେବେଳେ ପୃଥିବୀକୁ ଏକ ପ୍ରଦୂଷଣ ଯନ୍ତାରେ ପରିଣତ କରିବାର ସମ୍ଭାବନା ସୃଷ୍ଟି କରିଛି, ଠିକ୍‌ ସେତିକିବେଳେ ସତେ ଯେମିତି କେହି ନାଟ୍ୟକାର କାହାଣୀରେ ସନ୍ତୁଳନ ରକ୍ଷା କରିବା ପାଇଁ ଏକ ଦୃଶ୍ୟ ସୃଷ୍ଟି କଲା ଭଳି ମୂଷାମାନେ ମିଳିତ ହୋଇ ସେଇ ଗ୍ଲାସ୍‌ଗୋ ନଗରୀକୁ ଯେଉଁ ଭଳି ଏକ ପ୍ରଦୂଷଣ ଯନ୍ତାରେ ପରିଣତ କରିଦେଇଛନ୍ତି, ତାହା ଦେଖି ଆମୋଦିତ ନ ହୋଇ ରହି ହୁଏ ନାହିଁ। କପ୍‌-୨୬ ସମ୍ମିଳନୀ ଚାଲିଥିବା ସମୟରେ ଗ୍ଲାସ୍‌ଗୋର ସଫେଇ କର୍ମଚାରୀମାନେ ଧର୍ମଘଟ କରି ଅଳିଆ ସଫେଇ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଛନ୍ତି; ସାରା ସହର ବର୍ତ୍ତମାନ ଏକ ଆବର୍ଜନା କୁଢ଼ରେ ପରିଣତ ହୋଇଛି। ଧର୍ମଘଟର ବିଭିନ୍ନ କାରଣ ମଧୢରୁ ଗୋଟିଏ ହେଉଛି- ସଫେଇ କର୍ମଚାରୀମାନେ ନିୟମିତ ଭାବରେ ସେ ସହରରେ ସାଲୁ ସାଲୁ ହେଉଥିବା ପ୍ରାୟ ୧୩ ନିୟୁତ ବଡ଼ ବଡ଼ ମୂଷାମାନଙ୍କର ଆକ୍ରମଣର ସମ୍ମୁଖୀନ ହେଉଛନ୍ତି; ସତେ ଯେମିତି ସେଠାରେ ମନୁଷ୍ୟମାନେ ହିଁ ଯନ୍ତାରେ ପଡ଼ି ଛଟପଟ ହେଉଛନ୍ତି। ଅପରିଣାମଦର୍ଶୀ ମନୁଷ୍ୟ ଯଦି ନିଜର ପରିବେଶକୁ ଏକ ଉତ୍ତାପ ଯନ୍ତାରେ ପରିଣତ କରିବାକୁ ପସନ୍ଦ କରୁଛି, ଏକ ମୂଷା ଯନ୍ତା ସ୍ବରୂପ ଗ୍ଲାସ୍‌ଗୋରେ ହିଁ କପ୍‌-୨୬ ସମ୍ମିଳନୀ ଅନୁଷ୍ଠିତ ହେବା, ସେମାନଙ୍କ ପାଇଁ ସମ୍ପୂର୍ଣ୍ଣ ଉପଯୁକ୍ତ ନୁହେଁ କି?

ସମ୍ବନ୍ଧିତ ଖବର