ପୃଥିବୀର ଦୁର୍ଭାଗ୍ୟ ଯେ ନେତୃତ୍ବ ଦେବା ଲାଗି ଏହା ଯେଉଁ ଦୁଇ ଜଣଙ୍କୁ ଦୈବାତ୍ ଲାଭ କରିଛି, ଉଭୟଙ୍କ ମନୋଭାବ ଏବଂ ଆଭିମୁଖ୍ୟ ଶ୍ରେଣୀକକ୍ଷର ହୁଣ୍ଡା ବାଳକ ସୁଲଭ ହୋଇଥାଏ। ସେମାନେ ହେଉଛନ୍ତି ଡୋନାଲଡ ଟ୍ରମ୍ପ ଏବଂ ଚୀନର ରାଷ୍ଟ୍ରପତିି ସି ଜିନପିଙ୍ଗ। ଏହି ଦୁଇ ଜଣ ଯାକ ନେତା ବିସ୍ତାରବାଦୀ ଏବଂ ପ୍ରଭୁତ୍ବ ବିସ୍ତାର ଲାଗି ବଳ ପ୍ରୟୋଗକୁ ଆୟୁଧ କରିଥାଆନ୍ତି। କହିବା ବାହୁଲ୍ୟ ଯେ ଟ୍ରମ୍ପ ଦାୟିତ୍ବ ଗ୍ରହଣ କରିବା ପରେ ଯେଉଁ ବାତାବରଣ ସୃଷ୍ଟି ହେବ, ତହିଁରେ ସି ଜିନପିଙ୍ଗ ଅଧିକ ଆକ୍ରମଣାମତ୍ମକ ହେବେ। ସୁତରାଂ, ଗୋଟିଏ ଶ୍ରେଣୀ ଗୃହରେ ଦୁଇ ହୁଣ୍ଡା ବାଳକ ମୁହାଁମୁହିଁ ହେବେ!
ଆସନ୍ତା ୨୦ ତାରିଖରେ ବିଧିବଦ୍ଧ ଭାବେ ରାଷ୍ଟ୍ରପତି ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ପ୍ରଦାନ କରୁଥିବା ମନ୍ତବ୍ୟମାନ କୌତୂହଳୋଦ୍ଦୀପକ ହୋଇଥିଲେ ମଧ୍ୟ ତାହା ପୃଥିବୀ ସାରା ଆଶଙ୍କା, ଉଦ୍େବଗ, ଉତ୍କଣ୍ଠା, ଅସ୍ବସ୍ତି ଏପରିକି ଅସହାୟ ବିରକ୍ତିର ସୂତ୍ରପାତ କଲାଣି। କେବଳ ସେତିକି ନୁହେଁ, ଏକ ପ୍ରକାର ଭୟ ମଧ୍ୟ ସୃଷ୍ଟି ହେଲାଣି ଯେ ୨୦୨୫ ମସିହାର ପ୍ରଥମ ମାସରୁ ହିଁ ପୃଥିବୀ ଅଧିକ ଅସ୍ଥିରତା ମଧ୍ୟକୁ ଠେଲି ହୋଇଯିବ। ସତ କହିଲେ ଏହି ନିର୍ବାଚନରେ ଟ୍ରମ୍ପ ଜିଣିବା ଅତ୍ୟନ୍ତ ଅପ୍ରତ୍ୟାଶିତ ଥିଲା, କିନ୍ତୁ ନିର୍ବାଚନ ପ୍ରଚାର କାଳରେ ସେ ପ୍ରଦାନ କରିଥିବା କେତେକ ପ୍ରତିଶ୍ରୁତିରୁ ଅନୁଭବ କରି ହେଉଥିଲା ଯେ ତାଙ୍କ ବିଜୟ ପରେ ଯଦି ସେ ସବୁ ପ୍ରତିଶ୍ରୁତିକୁ ପୂରଣ କରାଯାଏ, ତେବେ ଆମେରିକାର ସାମାଜିକ-ରାଜନୈତିକ ଜୀବନରେ ତ ଗଭୀର ଫାଟମାନ ସୃଷ୍ଟି ହେବ, ତାହାର ପ୍ରଭାବ ଦ୍ବାରା ଅବଶିଷ୍ଟ ପୃଥିବୀ ମଧ୍ୟ ଜର୍ଜର ହେବ। େସହି ପରିପ୍ରେକ୍ଷୀରେ ଟ୍ରମ୍ପଙ୍କ ଦ୍ବାରା ପ୍ରକାଶିତ କେତେକ ଉଚ୍ଚାଭିଳାଷ ଏବଂ ତାଙ୍କ ଦ୍ବାରା ପ୍ରଦତ୍ତ କେତେକ ଉଚ୍ଚାଟଭରା ଚେତାବନୀକୁ ନେଇ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଏହା ବିଭିନ୍ନ ଗଣମାଧ୍ୟମରେ ବ୍ୟାପକ ଭାବେ ପ୍ରସାରିତ ଏବଂ ଆଲୋଚିତ େଯ ଟ୍ରମ୍ପଙ୍କ ଲଗାମହୀନ ଇଚ୍ଛାଗୁଡ଼ିକ ଚାହାଁନ୍ତି ଯେ କାନାଡାକୁ ଆମେରିକାର ଏକାବନତମ ପ୍ରଦେଶରେ ପରିଣତ କରିବେ, ଗ୍ରିନଲାଣ୍ଡକୁ କ୍ରୟ କରିବେ, ପାନାମା କେନାଲକୁ ନିଜ ଅକ୍ତିଆରକୁ ଆଣିବେ ଏବଂ ‘ଗଲ୍ଫ ଅଫ ମେକ୍ସିକୋ’ର ନାମ ବଦଳାଇ ରଖିବେ ‘ଗଲ୍ଫ ଅଫ ଆମେରିକା’। ତା’ ସହିତ ସେ ଧମକ ମଧ୍ୟ ଦେଇଛନ୍ତି ଯେ ପାନାମା କେନାଲ ବା ଗ୍ରିନଲାଣ୍ଡ ଅଧିକାର ସକାଶେ ଆବଶ୍ୟକ ପଡ଼ିଲେ ସାମରିକ ଶକ୍ତିର ବ୍ୟବହାର ମଧ୍ୟ କରାଯାଇପାରେ। କହିବା ବାହୁଲ୍ୟ ଯେ ଟ୍ରମ୍ପଙ୍କ ଏଭଳି ମନ୍ତବ୍ୟଗୁଡ଼ିକରୁ ବିଦ୍ୟାଳୟ ଶ୍ରେଣୀ କକ୍ଷରେ ପତିଆରା ସୃଷ୍ଟି କରିବାକୁ ଉଦ୍ଗ୍ରୀବ ସେହି ବପୁବନ୍ତ ମୋଟାବୁଦ୍ଧିଆ ହୁଣ୍ଡା ପିଲାର ଚେହେରା ମନରେ ଭାସି ଉଠେ, ଯିଏ ସୂକ୍ଷ୍ମ ବୁଦ୍ଧିର ପରିଚୟ ଦେଇ ଶ୍ରେଣୀରେ ସମସ୍ତଙ୍କ ଆକର୍ଷଣୀୟ ହେବା ବଦଳରେ ବାହୁ ବଳର ଆଶ୍ରୟ ନେଇ ଆନୁଗତ୍ୟ ସୃଷ୍ଟି କରିବାକୁ ଚାହିଁଥାଏ ଏବଂ ତାକୁ ଅନୁରାଗ ବୋଲି ମଧ୍ୟ ଭାବି ନେଇଥାଏ। ପ୍ରକାଶ ଥାଉ କି ୨୦୧୬ ମସିହାରେ ପ୍ରଥମ ରାଷ୍ଟ୍ରପତିତ୍ବ କାଳରେ ମଧ୍ୟ ଡୋନାଲ୍ଡ ଟ୍ରମ୍ପଙ୍କ ଠାରେ ଏଭଳି ଆଭିମୁଖ୍ୟ ଦୃଷ୍ଟିଗୋଚର ହୋଇଥିଲା, କିନ୍ତୁ ଦ୍ବିତୀୟ ଥର ସକାଶେ ରାଷ୍ଟ୍ରପତି ହେବାର ସୁଯୋଗ ଓ ସମ୍ଭାବନା ଥିବା ଦୃଷ୍ଟିରୁ ସେ ସାମାନ୍ୟ ସଂଯମ ପ୍ରଦର୍ଶନ କରିଥିଲେ, କାରଣ ଉଚ୍ଛୃଙ୍ଖଳତା ତାଙ୍କୁ ଜନସାଧାରଣଙ୍କ ଠାରେ ଅପ୍ରିୟ କରନ୍ତା ଓ ନିର୍ବାଚନ ଫଳାଫଳକୁ ମଧ୍ୟ ପ୍ରଭାବିତ କରନ୍ତା। କହିବା ବାହୁଲ୍ୟ ଯେ ଏଥର ସେ ସେଭଳି କୌଣସି ଭୟ ବା ଦାୟର ସମ୍ମୁଖୀନ ହେବେ ନାହିଁ; କାରଣ ଆମେରିକାରେ ଜଣେ ବ୍ୟକ୍ତି କେବଳ ଦୁଇ ଥର ଲାଗି ରାଷ୍ଟ୍ରପତି ହୋଇପାରିବେ। ସୁତରାଂ, ଏହା ତାଙ୍କର ଅନ୍ତିମ ପାଳି ଏବଂ ଆଉ ନିର୍ବାଚନର ସମ୍ମୁଖୀନ ହେବାର କୌଣସି ସମ୍ଭାବନା ନଥିବାରୁ ଇଚ୍ଛା ପୂର୍ତ୍ତି ପରିପ୍ରେକ୍ଷୀରେ ଆତ୍ମ ନିୟନ୍ତ୍ରଣ ଅପ୍ରାସଙ୍ଗିକ। ତେଣୁ ତାଙ୍କର ଏଭଳି ମନ୍ତବ୍ୟମାନ ସର୍ବତ୍ର ଉଦ୍ବେଗର କାରଣ ହେବାରେ ବିସ୍ମୟର ଅବକାଶ ନାହିଁ।
ଉଲ୍ଲେଖଯୋଗ୍ୟ ଯେ ଟ୍ରମ୍ପ ନିଜର ଏଭଳି ବିଚିତ୍ର ଆଗ୍ରହ ଲାଗି ଯେଉଁ କାରଣମାନ ଦର୍ଶାଇଛନ୍ତିି, ତହିଁରେ ଆମେରିକାର ସ୍ବାର୍ଥ ନିହିତ ବୋଲି କୁହାଯାଇଛି। ତାଙ୍କ ଅନୁସାରେ କାନାଡାର ବ୍ୟବସାୟ ଓ ସୁରକ୍ଷା କ୍ଷେତ୍ରରେ ଆମେରିକା ଅହେତୁକ ଭାବେ ବିପୁଳ ଅର୍ଥ ବ୍ୟୟ କରି ଚାଲିଛି। ତାଙ୍କ ମତରେ ଯୁକ୍ତରାଷ୍ଟ୍ର ଆମେରିକାର ଏକ ପ୍ରେଦଶରେ ପରିଣତ ହେଲେ େସହି ମହାନତମ ରାଷ୍ଟ୍ରର ଅଂଶବିଶେଷ ହୋଇ କାନାଡା ଅଧିକ ସମ୍ମାନାସ୍ପଦ ହୋଇପାରିବ। କିନ୍ତୁ କାନାଡା ଏକ ବିଶାଳ ଗଣତାନ୍ତ୍ରିକ ସର୍ବଭୌମ ରାଷ୍ଟ୍ର, ଯାହାର ଆୟତନ ପ୍ରାୟ ଏକ କୋଟି ବର୍ଗ କିଲୋମିଟର। ଏହା ଏକ ଅତ୍ୟନ୍ତ ଧନୀ ରାଷ୍ଟ୍ର, ଯାହାର ମୁଣ୍ଡ ପିଛା ଆୟ ହେଉଛି ୬୨,୭୬୬ ଡଲାର ଏବଂ ଏହାର ଜି.ଡି.ପି. ହେଉଛି ୨.୫୮ ଟ୍ରିଲିଅନ୍ ଡଲାର। ଉଲ୍ଲେଖଯୋଗ୍ୟ ଯେ ଅସୌଜନ୍ୟତାର ପରିଚୟ ଦେଇ ଟ୍ରମ୍ପ କାନାଡାର ବିଦାୟୀ ପ୍ରଧାନମନ୍ତ୍ରୀ (୬ ତାରିଖରେ ଇସ୍ତଫା ପ୍ରଦାନ କରିଛନ୍ତି) ଜଷ୍ଟିନ ଟ୍ରୁଡୋଙ୍କୁ ‘ଗଭର୍ନର’ ରୂପେ ବର୍ଣ୍ଣନା କରିଥିଲେ, ସତେ ଯେମିତି କାନାଡା ଯୁକ୍ତରାଷ୍ଟ୍ର ଆମେରିକାର ଏକ ପ୍ରେଦଶେର ପରିଣତ ହୋଇ ସାରିଛି। ଏଥିରେ ସନ୍ଦେହ ନାହିଁ ଯେ କାନାଡା ସର୍ବଦା ଆମେରିକାର ନିଃସର୍ତ୍ତ ଗୋଡ଼ାଣିଆ ରାଷ୍ଟ୍ର ହୋଇ ରହି ଆସିଛି, କିନ୍ତୁ ଟ୍ରମ୍ପଙ୍କ ବକ୍ତବ୍ୟ ଯେ କାନାଡା ସକାଶେ ଆଦୌ ବରଦାସ୍ତଯୋଗ୍ୟ ହେବନାହିଁ, ଏଥିରେ ଦ୍ବିରୁକ୍ତି ନାହିଁ। ତେଣୁ, ଟ୍ରମ୍ପଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ନ ଘଟିଲେ ହୁଏତ ଏହି ଦୁଇ ଦେଶ ମଧ୍ୟରେ ରହି ଆସିଥିବା ପାରଂପରିକ ମିତ୍ରତାର ଅବସାନ ଘଟିବ ଏବଂ ପୃଥିବୀ ପୃଷ୍ଠରେ ଆଉ ଏକ ଜ୍ବଳନ୍ତ ଅନ୍ତର୍ଦେଶୀୟ ସୀମାରେଖାର ଆବିର୍ଭାବ ଘଟିବ। ସେହିଭଳି ଉତ୍ତର ମେରୁର ଅନ୍ତିମ ବିନ୍ଦୁରେ ଥିବା ଭୂଖଣ୍ଡ ଗ୍ରିନଲାଣ୍ଡ ସଂପ୍ରତି ଡେନମାର୍କ ଦ୍ବାରା ପରିଚାଳିତ, ଯେଉଁ ସଂଦର୍ଭରେ ଟ୍ରମ୍ପଙ୍କ ଉଦ୍ଦେଶ୍ୟରେ ଡେନମାର୍କ ସରକାରଙ୍କ ସିଧା ଜବାବ ହେଲା ‘ଗ୍ରିନଲାଣ୍ଡ ଇଜ୍ ନଟ୍ ଫର ସେଲ୍’ ଅର୍ଥାତ୍ ଗ୍ରିନଲାଣ୍ଡ ବିକ୍ରି ଲାଗି ଉପଲବ୍ଧ ନାହିଁ। ପ୍ରକାଶ ଥାଉ କି ଗ୍ରିନଲାଣ୍ଡରେ ପୂର୍ବରୁ ଆମେରିକାର ପ୍ରତିରକ୍ଷା ଘାଟୀ ବିଦ୍ୟମାନ ଏବଂ ଟ୍ରମ୍ପ କହିଛନ୍ତି ଯେ ଆମେରିକାର ସୁରକ୍ଷା ଦୃଷ୍ଟିରୁ ଗ୍ରିନଲାଣ୍ଡ ଅଧିକାର କରିବା ଅପରିହାର୍ଯ୍ୟ। ତେେବ, ଏଥିରେ ନିହିତ ପ୍ରକୃତ ଅଭିସନ୍ଧି ହେଲା ଉତ୍ତର ମେରୁ ସାଗର ଉପରେ ଟ୍ରମ୍ପ କର୍ତ୍ତୃତ୍ବ ବିସ୍ତାର କରିବାକୁ ଚାହାଁନ୍ତି, ଯହିଁରେ ବିଶ୍ବ ଉତ୍ତପ୍ତୀକରଣ କାରଣରୁ ଦ୍ରୁତ ଗତିରେ ବରଫ ତରଳୁଥିବା ହେତୁ ଅଚିରେ ତାହା ସୁନାବ୍ୟା ହେବାର ସମ୍ଭାବନା ଦେଖା ଦେଲାଣି। ଏହା ସହିତ ମେରୁ ସାଗରରେ ଅନେକ ସଳଖ ସାମୁଦ୍ରିକ ପଥ ଖୋଲିଯିବ, ଯାହା ଉପରେ ଅଧିକାର ସାବ୍ୟସ୍ତ କରିବା ଲାଗି ଚୀନ ମଧ୍ୟ ଉଦ୍ଗ୍ରୀବ। ସ୍ବାଭାବିକ ଭାବେ ଟ୍ରମ୍ପ ଏହା ଆଦୌ ସ୍ବୀକାର କରିବେ ନାହିଁ; ତେଣୁ ତାଙ୍କ ଲାଗି ଗ୍ରିନଲାଣ୍ଡର ମାଲିକାନା ଜରୁରି। ସେମିତି ପାନାମା କେନାଲ ଭଳି ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ସାମୁଦ୍ରିକ ବାଣିଜ୍ୟ ପଥକୁ ନେଇ ଟ୍ରମ୍ପଙ୍କ ଧାରଣା ହେଲା ଯେ ଆମେରିକାର ଅନୁଗ୍ରହ ବଳରେ ପାନାମା ଭଳି ଏକ କ୍ଷୁଦ୍ର ଦେଶ ଏହାର ପରିଚାଳନା ସୁଯୋଗ ପାଇଥିଲେ ହେଁ େସ ଦେଶ ଏହି ଦାୟିତ୍ବକୁ ବସ୍ତୁତଃ ଚୀନ ହାତକୁ ଟେକି ଦେଇଛି, ଯାହା ଆମେରିକାର ସ୍ବାର୍ଥ ବିରୋଧୀ ଏବଂ ଟ୍ରମ୍ପଙ୍କ ଲାଗି ଅସହନୀୟ। ତେବେ, ସମସ୍ୟା ହେଲା ଟ୍ରମ୍ପ ଏଭଳି ଇଚ୍ଛା ପୂରଣ କରିବା ଦିଗରେ ଅଗ୍ରସର ହେଲେ କାନାଡା, ଡେନମାର୍କ ଓ ପାନାମା ଭଳି ଦେଶ ଅଗତ୍ୟା ବିବାଦରେ ସଂଶ୍ଳଷ୍ଟ ହୋଇପଡ଼ିବେ। ଏମିତିରେ ତ ଟ୍ରମ୍ପଙ୍କ ଆଭିମୁଖ୍ୟ କାରଣରୁ ‘ଏଚ୧ବି’ ଭିସା ଏବଂ ଆମେରିକାରେ ଜନ୍ମ ଗ୍ରହଣ କରିଥିବା ବିଦେଶାଗତ ଦଂପତିଙ୍କ ସନ୍ତାନର ନାଗରିକତ୍ବ ଭଳି ବିଷୟମାନ ପ୍ରଶ୍ନାକୁଳ ହୋଇ ଉଠି ପୃଥିବୀର ବିଭିନ୍ନ ପ୍ରାନ୍ତରେ କଂପନ ଜାତ କଲାଣି। ତାଙ୍କ ପ୍ରୋତ୍ସାହନରେ ଆମେରିକାରେ ‘ଆମେରିକୀୟମାନେ ପ୍ରଥମ’ର ସ୍ବର ତୀବ୍ର ହୋଇ ସେଠାରେ ବିଦ୍ବେଷମୂଳକ ବାତାବରଣ ସୃଷ୍ଟି କଲାଣି। ସେଥିରେ ପୁଣି ଏଭଳି ମନୋଭାବ ଯେ ପୃଥିବୀକୁ ଅଧିକ ଅଶାନ୍ତ କରିବ ତହିଁରେ ସନ୍ଦେହ ନାହିଁ।
ପୃଥିବୀର ଦୁର୍ଭାଗ୍ୟ ଯେ ନେତୃତ୍ବ ଦେବା ଲାଗି ଏହା ଯେଉଁ ଦୁଇ ଜଣଙ୍କୁ ଦୈବାତ୍ ଲାଭ କରିଛି, ଉଭୟଙ୍କ ମନୋଭାବ ଏବଂ ଆଭିମୁଖ୍ୟ ଶ୍ରେଣୀକକ୍ଷର ହୁଣ୍ଡା ବାଳକ ସୁଲଭ ହୋଇଥାଏ। ସେମାନେ ହେଉଛନ୍ତି ଡୋନାଲଡ ଟ୍ରମ୍ପ ଏବଂ ଚୀନର ରାଷ୍ଟ୍ରପତିି ସି ଜିନପିଙ୍ଗ। ଏହି ଦୁଇ ଜଣ ଯାକ ନେତା ବିସ୍ତାରବାଦୀ ଏବଂ ପ୍ରଭୁତ୍ବ ବିସ୍ତାର ଲାଗି ବଳ ପ୍ରୟୋଗକୁ ଆୟୁଧ କରିଥାଆନ୍ତି। କହିବା ବାହୁଲ୍ୟ ଯେ ଟ୍ରମ୍ପ ଦାୟିତ୍ବ ଗ୍ରହଣ କରିବା ପରେ ଯେଉଁ ବାତାବରଣ ସୃଷ୍ଟି ହେବ, ତହିଁରେ ସି ଜିନପିଙ୍ଗ ଅଧିକ ଆକ୍ରମଣାମତ୍ମକ ହେବେ। ସୁତରାଂ, ଗୋଟିଏ ଶ୍ରେଣୀ ଗୃହରେ ଦୁଇ ହୁଣ୍ଡା ବାଳକ ମୁହାଁମୁହିଁ ହେବେ! ଶୁଭ ବୁଦ୍ଧି ଉଦୟ ନ ହେଲେ ୨୦୨୫ ମସିହାରେ ପୃଥିବୀ ଥରହର ହେବା ସାର ହେବ!