ଗଲା ଗୁରୁବାର ଦିନ ଏହି ସମ୍ବାଦପତ୍ରରେ ପ୍ରକାଶିତ ଏକ କ୍ଷୁଦ୍ର କଳେବରଧାରୀ ସମ୍ବାଦ ହୁଏ’ତ ଅନେକଙ୍କ ଦୃଷ୍ଟିପଥାରୂଢ଼ ହୋଇ ନ ଥିବ; କିନ୍ତୁ ତାହା ବେଶ୍ ବିଚଳିତ କଲା ଭଳି। ସେହି ସମ୍ବାଦଟି ଥିଲା ବଲାଙ୍ଗୀର ଜିଲ୍ଲାର ବେଲପଡ଼ା ବ୍ଲକ୍ ଅଧୀନସ୍ଥ ମାଲିମୁଣ୍ଡା ଗ୍ରାମର ଏକ ହତଭାଗ୍ୟ ପରିବାରକୁ କେନ୍ଦ୍ର କରି, ଯାହା ଗ୍ରାମବାସୀଙ୍କ ଦ୍ବାରା ସାମାଜିକ ବାସନ୍ଦର ଶିକାର ହୋଇଥିବାରୁ ପରିବାରର କର୍ତ୍ତାଙ୍କ ଅକାଳ ମୃତ୍ୟୁ ସତ୍ତ୍ବେ ଶବ ସତ୍କାର ସକାଶେ କେହି ଜଣେ ହେଲେ ସୁଦ୍ଧା ଆସି ନ ଥିଲେ; ଯେଉଁ କାରଣରୁ ଗୋଟିଏ ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟମାନେ ମୃତକଙ୍କ ଶେଷକୃତ୍ୟ ସଂପନ୍ନ କରିଥିଲେ। ପ୍ରକାଶ ଥାଉ କି ଏହି ବାସନ୍ଦ ପଛରେ ଥିବା କାରଣଟି ହେଉଛି ସେହି ପରିବାରର କନ୍ୟା ଅନ୍ୟ ଜାତିର ଜଣେ ତରୁଣଙ୍କୁ ଭଲ ପାଇବା ଭଳି ଏକ ଅତ୍ୟନ୍ତ ସାମାନ୍ୟ ବିଷୟ। କହିବାରେ ଦ୍ବିଧା ନାହିଁ ଯେ ଆମ ରାଜ୍ୟରେ ପ୍ରାୟ ସବୁ ପ୍ରାନ୍ତରେ ଏବଂ ମୁଖ୍ୟତଃ ଗ୍ରାମାଞ୍ଚଳରେ ଏଭଳି ସାମାଜିକ ବାସନ୍ଦମାନ ପ୍ରଚଳିତ ରହିଛି; ଯେଉଁ ବ୍ୟବସ୍ଥାକୁ ଏକ ଅତ୍ୟନ୍ତ ନିଷ୍ଠୁର ଏବଂ ସମ୍ବେଦନଶୂନ୍ୟ ଅଲକ୍ଷଣ ବୋଲି କୁହାଯାଇପାରେ। ଏବଂ ବିଡ଼ମ୍ବନାଟି ହେଲା ଦେଶ ସ୍ବାଧୀନ ହେବାର ଦୀର୍ଘ ଛସ୍ତରି ବର୍ଷ ପରେ ମଧ୍ୟ ସଂବିଧାନ ପ୍ରଦତ୍ତ ଆଇନ ବ୍ୟବସ୍ଥାକୁ ଆଖି ଠାର ମାରି ଏଭଳି ନିୟମ ଓ ଦଣ୍ଡ ବିଧାନ ବ୍ୟବସ୍ଥା ବଳବତ୍ତର ରହିଛି, ଯାହାର କୌଣସି ନିର୍ଦ୍ଦିଷ୍ଟ କୋଡ୍ ବା ବିଧି ଏବଂ ମାର୍ଗଦର୍ଶିକା ନାହିଁ; ଯାହା ଅଲିଖିତ ଏବଂ ଅଭିଯୋଗର ଶୁଣାଣି କରି ଦଣ୍ଡ ପ୍ରଦାନ କରୁଥିବା ଅଦାଲତ (କଙ୍ଗାରୁ କୋର୍ଟ) ବା ବିଚାରକ ସେଭଳି ଦାୟିତ୍ବ ସଂପାଦନ କରିବା ଲାଗି ଆଇନତଃ କ୍ଷମତା ବା ବୈଧତା ଲାଭ କରି ନ ଥାଆନ୍ତି; ସେମାନଙ୍କ ମୁଖ ନିସୃତ ଆଦେଶ, ତା’ର ସମସ୍ତ ଅସଙ୍ଗତି ସତ୍ତ୍ବେ ସେହି କ୍ଷୁଦ୍ର ସମାଜରେ ଅଲଂଘନୀୟ ହୋଇ ଦଣ୍ଡିତ ପରିବାର ଲାଗି ଅକଥନୀୟ ଦୁର୍ଦଶାର କାରଣ ହୋଇଥାଏ ଏବଂ ଜୀବନଯାପନର କ୍ଷୁଦ୍ର ପରିସର ମଧ୍ୟରେ ନାଗରିକ ଭାବେ ସେମାନେ ଲାଭ କରିଥିବା ସଂବିଧାନ ପ୍ରଦତ୍ତ ଅନେକ ଅଧିକାରର ହନନ ହୋଇଥାଏ; ଅଥଚ ଏହାର ମୁକାବିଲାରେ ରାଷ୍ଟ୍ର ନିରୁପାୟ ଦିଶେ।
ଏହା ସତ ଯେ ଏଭଳି ସାମାଜିକ ବାସନ୍ଦ ବ୍ୟବସ୍ଥାମାନ କେବଳ ଗ୍ରାମାଞ୍ଚଳଗୁଡ଼ିକରେ ଆବଦ୍ଧ ହୋଇ ରହିଛି; କାରଣ ଗ୍ରାମାଞ୍ଚଳର ପରସ୍ପରାଶ୍ରୟୀ ଓ ଛନ୍ଦାଛନ୍ଦି ଜୀବନ ଯାତ୍ରା ତଥା ସର୍ବସାଧାରଣଙ୍କ ସକାଶେ ଉଦ୍ଦିଷ୍ଟ ସଂସାଧନର ଅତ୍ୟନ୍ତ ସୀମିତ ଉତ୍ସ ଏଭଳି ବାସନ୍ଦଗୁଡ଼ିକର ପ୍ରଭାବକୁ ତୀବ୍ର କରିଥାଏ ଏବଂ ଏଭଳି ସ୍ଥିତିରେ ଏକ ଛନ୍ଦହୀନ ତଥା ନିଃସଙ୍ଗ ଜୀବନ ବିତାଇବା ବାସନ୍ଦ ଶିକାର ବ୍ୟକ୍ତିମାନଙ୍କ ଲାଗି ଦୁର୍ବିଷହ ହୋଇ ଉଠେ। ଏହା ଯେ କେହି ସ୍ବୀକାର କରିବେ ଯେ ଜଳର ଉତ୍ସ ଭାବେ ସମଗ୍ର ଗାଁ ଲାଗି ରହିଥିବା ଗୋଟିଏ ମାତ୍ର ନଳକୂପ ବା ପୋଖରୀ ବା ନଦୀ ଘାଟ ଅଥବା ଶିକ୍ଷା ଲାଭ ଲାଗି ଗ୍ରାମରେ ଉପଲବ୍ଧ ଏକମାତ୍ର ବିଦ୍ୟାଳୟ ବା ଦୈନନ୍ଦିନ ଗୁଜରାଣ ମେଣ୍ଟାଇବା ଲାଗି ବିଦ୍ୟମାନ ଏକ କ୍ଷୁଦ୍ର ଦୋକାନଟିଏରୁ ମିଳୁଥିବା ଯତ୍ସାମାନ୍ୟ ସୁବିଧାରୁ ବଞ୍ଚିତ ଏଭଳି ବ୍ୟକ୍ତିମାନଙ୍କ କଷଣରେ ଦାରୁଣ ମାନବିକ ଅଧିକାରର ଉଲ୍ଲଂଘନ ଦୃଷ୍ଟିଗୋଚର ହୋଇଥାଏ। ଆମ ରାଜ୍ୟରେ ଘଟିଥିବା ଏକାଧିକ ବାସନ୍ଦ ଘଟଣାରେ ମାନବ ଅଧିକାର କମିସନ ଏବଂ ଉଚ୍ଚ ଅଦାଲତ ଉଦ୍ବେଗ ପ୍ରକାଶ କରିବା ସହିତ ଏହାର ନିରାକରଣ ସକାଶେ ରାଜ୍ୟ ସରକାରଙ୍କୁ ପରାମର୍ଶ ଏବଂ ନିର୍ଦ୍ଦେଶ ଦେଇଛନ୍ତି; କିନ୍ତୁ ବାସ୍ତବତା ହେଲା ସେଭଳି ଅନେକ ଘଟଣା ମଧ୍ୟରୁ ଯଦି କଦବା କେମିତି କୌଣସି ଗୋଟିଏ ପ୍ରକାଶ୍ୟ ହୋଇ ହସ୍ତକ୍ଷେପ ଲୋଡ଼ିଥାଏ, ତେବେ ପ୍ରଶାସନିକ କଳ କେବଳ ଆଲୋଚନା ଏବଂ ବୁଝାଶୁଝା ମାଧ୍ୟମରେ ଏହାର ସମାଧାନ କରନ୍ତି। ଏଭଳି ବାସନ୍ଦ ବ୍ୟବସ୍ଥାମାନ ସଂବିଧାନର ଧାରା ୧୫, ୧୭ ଓ ୨୫ର ଉଲ୍ଲଂଘନ କରୁଥିବା ସତ୍ତ୍ବେ କେବଳ ମହାରାଷ୍ଟ୍ର ବ୍ୟତୀତ ଦେଶର ଅନ୍ୟ କୌଣସି ରାଜ୍ୟରେ ଏହା ବିରୋଧରେ ଆଇନ ନାହିଁ।
କହିବା ଅନାବଶ୍ୟକ ଯେ ଭିନ୍ନ ଜାତିରେ ବିବାହ କରୁଥିବା କାରଣରୁ ‘କୁଳ ସମାଜ’ ଦ୍ବାରା ବହିଷ୍କୃତ ବା ବାସନ୍ଦ ହେବା ଭଳି ଘଟଣା ସର୍ବାଧିକ ଘଟିଥାଏ। କିନ୍ତୁ ଅନେକ ବାସନ୍ଦ ବ୍ୟବସ୍ଥା ଯେ ନିତାନ୍ତ ଅହେତୁକ ବା ଅକାରଣ ତହିଁରେ ମଧ୍ୟ ସନ୍ଦେହ ନାହିଁ; ଉଦାହରଣ ସ୍ବରୂପ ୨୦୨୧ ମସିହାରେ ପୁରୀର ନିମାପଡ଼ା ବ୍ଲକ୍ର ଷଣ୍ଢଗୋରଡ଼ା ଗ୍ରାମରେ ଜଣେ ନାପିତଙ୍କ ପରିବାରକୁ ଏଥି ଲାଗି ବାସନ୍ଦର ଶିକାର ହେବାକୁ ପଡ଼ିଥିଲା ଯେ ସେ ନିଜ ଝିଅ ବାହାଘରକୁ ଦୃଷ୍ଟିରେ ରଖି ଅଧିକ ଆୟ ସକାଶେ ଜୀବିକା ଅନ୍ବେଷଣରେ ବାହାରକୁ ଚାଲିଯାଇଥିଲେ; ଯଦ୍ଦ୍ବାରା ଗାଁରେ ସେ ପ୍ରଦାନ କରୁଥିବା ପାରଂପରିକ ସେବା ବାଧାପ୍ରାପ୍ତ ହୋଇଥିଲା। ସେହିଭଳି ଗଞ୍ଜାମର ହିଂଜିଳିକାଟୁ ଅନ୍ତର୍ଗତ ବନଖଣ୍ଡି ଗ୍ରାମର ଜଣେ ଶିକ୍ଷୟିତ୍ରୀଙ୍କ ପରିବାର ବାସନ୍ଦର ଶିକାର ହେବାର କାରଣ ଥିଲା ଏହା ଯେ ତାଙ୍କୁ ଚାକିରି ଛାଡ଼ିବାକୁ ବାଧ୍ୟ କରିବା ସକାଶେ ବସିଥିବା କଙ୍ଗାରୁ କୋର୍ଟ ସମକ୍ଷରେ ସେ ଉପସ୍ଥିତ ହୋଇ ପାରି ନ ଥିଲେ (ଛୁଟି ନ ମିଳିବା କାରଣରୁ)। ଏହି କାରଣରୁ ତାଙ୍କ ପରିବାର ଗାଁ, ଘର ଓ ଜମିବାଡ଼ି ସବୁ କିଛି ପରିତ୍ୟାଗ କରିବାକୁ ବାଧ୍ୟ ହୋଇଛନ୍ତି। ଆଉ ଏକ ଘଟଣାରେ କେନ୍ଦୁଝର ଜିଲ୍ଲାର ଯୁଗଳକିେଶାରପୁର ଗ୍ରାମର ଗୋଟିଏ ଦଂପତି ସେମାନଙ୍କ ସନ୍ତାନ ଭୂମିଷ୍ଠ ହେବା ପରେ ନବଜାତ ଶିଶୁର ସ୍ବାସ୍ଥ୍ୟ ପରୀକ୍ଷା ଲାଗି ନିକଟସ୍ଥ ଡାକ୍ତରଖାନାକୁ ନେଇ ଯାଇ ଗାଁ ଦ୍ବାରା ବାସନ୍ଦର ଶରବ୍ୟ ହୋଇଛନ୍ତି; କାରଣ ଏହା କୁଆଡ଼େ ଗାଁରେ ପ୍ରଚଳିତ ପରଂପରାର ବିରୋଧାଚରଣ କରିଛି। ଯଦିଓ ଏହା ସତ ଯେ ପ୍ରାୟତଃ ନିମ୍ନ ବିତ୍ତ ବା ଦୁର୍ବଳ ଶ୍ରେଣୀର ଲୋକେ ଏଭଳି ବାସନ୍ଦର ଅଧିକ ଶିକାର ହୁଅନ୍ତି, ପ୍ରଭାବଶାଳୀ ପରିବାର ମଧ୍ୟ ବେଳେବେଳେ ‘କୁଳ ସମାଜ’ର ଅଲଂଘ୍ୟ ଆଦେଶ ସମ୍ମୁଖରେ ନତମସ୍ତକ ହୋଇଥାଅାନ୍ତି, ଯେମିତି ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁରର ପ୍ରଭଞ୍ଜନ ପ୍ରଧାନଙ୍କ ବାସନ୍ଦ ଜର୍ଜର ପରିବାରର ସଦସ୍ୟମାନେ ଅଧ୍ୟାପନା ଏବଂ ସାମରିକ କ୍ଷେତ୍ରରେ ପ୍ରତିଷ୍ଠିତ। ତେବେ, ସାମାଜିକ ବାସନ୍ଦ କିଭଳି ଏକ ଉଦ୍ଭଟ ସ୍ତରରେ ପହଞ୍ଚି ଯାଇପାରେ, ତା’ର ଦୃଷ୍ଟାନ୍ତ ମିଳିଥିଲା ପ୍ରାୟ ତିନି ବର୍ଷ ତଳେ, ଯହିଁରେ ଦେଖିବାକୁ ମିଳିଥିଲା ଯେ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଅଞ୍ଚଳର ବିଶ୍ବକର୍ମା ସଂପ୍ରଦାୟର ୮୫ଟି ପରିବାର ଦୀର୍ଘ ସତୁରି ବର୍ଷ ଧରି ବାସନ୍ଦର ଶିକାର ହୋଇ ରହିଛନ୍ତି ଏବଂ ଗଲା ଶତାବ୍ଦୀର ପଞ୍ଚମ ଦଶକରେ ସେମାନଙ୍କ କେଉଁ ପୂର୍ବଜଙ୍କ କେଉଁ ତ୍ରୁଟି େଯାଗୁଁ ଏହି ଦଣ୍ଡ ମିଳିଥିଲା, ତାହା ବର୍ତ୍ତମାନ ପିଢ଼ି ଲାଗି ଅଜ୍ଞାତ; କିନ୍ତୁ ବାସନ୍ଦର ଶିକାର ହୋଇ ଏହି ପରିବାରଗୁଡ଼ିକ ବିଭିନ୍ନ ଅସୁବିଧା ମଧ୍ୟ ଦେଇ ଗତି କରି ଚାଲିଛନ୍ତି। କେବଳ ସେତିକି ନୁହେଁ, କେନ୍ଦ୍ରାପଡ଼ାର ଅଳେଇଲୋ ଗ୍ରାମର ଚାରିଟି ପରିବାର ଗାଁ ମନ୍ଦିର ଯଜ୍ଞ ପାଇଁ ଚାନ୍ଦା ନ ଦେବା କାରଣରୁ ମଧ୍ୟ ବାସନ୍ଦର ଦୁର୍ଭାଗ୍ୟ ଭୋଗିଛନ୍ତି। ସୁତରାଂ, ଏହା ସ୍ପଷ୍ଟ ଯେ ଅନେକ ବାସନ୍ଦ ଅକାରଣ ହୋଇପାରେ ଏବଂ ଅଦଉତି ସାଧିବାର ଏକ ଆୟୁଧ ମଧ୍ୟ ହୋଇପାରେ!
ଏହା ନିଃସନ୍ଦେହ ଯେ ଆମ ରାଜ୍ୟ ତଥା ଦେଶରେ ପ୍ରତ୍ୟହ ଘଟୁଥିବା ଏଭଳି ଅନେକ ବାସନ୍ଦ ବ୍ୟବସ୍ଥା ମଧ୍ୟରୁ ଅଧିକାଂଶ ପଛରେ ଜାତିଆଣ କାରଣ ରହିଥାଏ। ଏ ପରିପ୍ରେକ୍ଷୀରେ ପ୍ରସିଦ୍ଧ ହିନ୍ଦୀ ଗାଳ୍ପିକ ମୁନସୀ ପ୍ରେମଚନ୍ଦଙ୍କ ଲିଖିତ କାହାଣୀ ‘ସଦ୍ଗତି’ ସ୍ମରଣକୁ ଆସିଥାଏ, ଯହିଁରେ ଦୁଃଖୀ ନାମଧାରୀ ଚମାର (ଦଳିତ ସଂପ୍ରଦାୟ) ଚିରନ୍ତନ ଜାତିଆଣ ବାସନ୍ଦର ଶିକାର ହୋଇ କାଳ କାଟିଛି, ଏବଂ ଯେଉଁ ଦୟନୀୟ ପୃଷ୍ଠଭୂମିରେ ତା’ର ଅକାଳ ମୃତ୍ୟୁ ଘଟିଛି, ତାକୁ ଲେଖକ ତା’ର ଯନ୍ତ୍ରଣାଦାୟକ ଅସ୍ତିତ୍ବରୁ ନିଷ୍କୃତି ବା ‘ସଦ୍ଗତି’ ବା ‘ମୁକ୍ତି’ ବୋଲି କହିବାକୁ ଚାହିଁଛନ୍ତି। ବଲାଙ୍ଗୀର ଜିଲ୍ଲାରେ ଘଟିଥିବା ଘଟଣାଟି ଏଥି ଲାଗି ହୃଦୟ ବିଦାରକ ଯେ ନିଜ କୁଟୁମ୍ବ ପରିବେଷ୍ଟିତ ହୋଇ ସୁଦ୍ଧା ବିଭୀଷଣ ବାଗ ଏକ ନିଃସଙ୍ଗ ଜୀବନ କାଟୁଥିଲେ ଏବଂ ସଙ୍ଗହୀନ ମହାଯାତ୍ରା ପରେ ମଧ୍ୟ ସେ ନିଜ ସଂପର୍କୀୟମାନଙ୍କ ଠାରୁ କାଣିଚାଏ ସମବେଦନା ଲାଭ କରି ପାରି ନ ଥିଲେ। ଏଭଳି ଅସହନୀୟ ସଂବେଦନଶୂନ୍ୟତା ମଧ୍ୟରେ ତାଙ୍କ ପରଲୋକଗମନ ତାଙ୍କୁ ‘ମୁକ୍ତି’ ପ୍ରଦାନ କରିଛି କି? ଏକବିଂଶ ଶତାବ୍ଦୀରେ ଯଦି ସାମାଜିକ ବାସନ୍ଦର ଦୁର୍ବିଷହ ପରିବେଶ ଏଭଳି ଏକ ପ୍ରଶ୍ନ ଉଠାଏ, ତହିଁରେ ଏ ସମାଜ ଲଜ୍ଜାବନତ ହେବା ଉଚିତ ନୁହେଁ କି?
ସଦ୍ଗତି?
/sambad/media/post_attachments/wp-content/uploads/2023/05/sampadakiya.jpg)