କେତେକ ବିଦ୍ବାନଙ୍କ ମତରେ ପାଶ୍ଚାତ୍ୟର ‘ଚାର୍ବାକ’ ରୂପେ ପରିଚିତ ଏପିକ୍ୟୁରିଅସଙ୍କ ଦର୍ଶନ ବଞ୍ଚି ରହିଲା ବୋଲି ସେଠାରେ ଶିଳ୍ପ ବିପ୍ଳବ ସମ୍ଭବ ହେଲା, ଯାହା ଉପଭୋଗବାଦୀ ସଂସ୍କୃତିର ଜନକ; ଭାରତୀୟ ପ୍ରାଚୀନ ଜ୍ଞାନ ସଂପଦ ପରିପ୍ରେକ୍ଷୀରେ ଯଦି ଚାର୍ବାକ ଏଠାରେ ବିଲୁପ୍ତ ହୋଇ ନ ଥାଆନ୍ତେ, ତେବେ ଶିଳ୍ପ ବିପ୍ଳବ ଅଗତ୍ୟା ଭାରତ ଭୂମିରେ ହିଁ ଘଟି ଥାଆନ୍ତା। ଚାର୍ବାକ ବା ଏପିକ୍ୟୁରିଅସ ମନୁଷ୍ୟର ପ୍ରବୃତ୍ତିକୁ ସର୍ବାଧିକ ପ୍ରଭାବଶାଳୀ ଶକ୍ତି ରୂପେ ଅଭିହିତ କରନ୍ତି, ଯାହା ଅଦମନୀୟ। ଜର୍ମାନ ମନସ୍ତତ୍ତ୍ବବିତ୍ ସିଗମଣ୍ଡ୍ ଫ୍ରଏଡ୍ ଏଭଳି ଅଦମନୀୟ ପ୍ରାଣ ଶକ୍ତିକୁ ‘ଲିବିଡୋ’ ବୋଲି ଅଭିହିତ କରିଥିଲେ, ଯଦିଓ ତାହା ସଂକୁଚିତ ଅର୍ଥରେ ପ୍ରାୟତଃ ‘ଯୌନାଗ୍ରହ’ ରୂପେ ପରିଚିତ ହେଉଛି। ତେଣୁ, ମୂଳ କଥାଟି ହେଲା ଅପରିଗ୍ରହୀ ଭାରତୀୟମାନେ ଯେଉଁ ଅଦମନୀୟ ଶକ୍ତିକୁ ସଂଯମ ବଳରେ ନତ ଶିର କରି ରଖିଥିେଲ, ତାହା ସତେ ଯେମିତି ପୁନର୍ବାର ଶିରୋତ୍ତୋଳନ କରିଛି।
ନିକଟରେ ମୋତିଲାଲ ଓସୱାଲ ନାମକ ଏକ ବିତ୍ତୀୟ ସହାୟତା ପ୍ରଦାନକାରୀ ସଂସ୍ଥା ପକ୍ଷରୁ ପ୍ରସ୍ତୁତ ରିପୋର୍ଟ କହିଛି ଯେ ଭାରତୀୟମାନଙ୍କ ଋଣ କ୍ରମାଗତ ଭାବେ ବୃଦ୍ଧି ପାଇ ସଂପ୍ରତି ତାହା ଜି.ଡି.ପି. (ମୋଟ ଜାତୀୟ ଆୟ)ର ୪୦%ରେ ପହଞ୍ଚିଲାଣି ଏବଂ ଅପର ଦିଗରେ ସେମାନଙ୍କ ସଂଚୟ ଲଗାତାର ହ୍ରାସ ପାଇ ବର୍ତ୍ତମାନ ଜି.ଡି.ପି.ର ମାତ୍ର ୫% ହୋଇଛି, ଯାହା ଗଲା ୪୭ ବର୍ଷର ଅବଧି ମଧ୍ୟରେ ସର୍ବାଧିକ ନୀଚା। ଉଲ୍ଲେଖଯୋଗ୍ୟ ଯେ ବେଶ୍ କିଛି ବର୍ଷ ଧରି ଏହିଭଳି ରିପୋର୍ଟମାନ ପ୍ରକାଶ ପାଇ ଆସୁଥିବାରୁ ବିରୋଧୀ ରାଜନୈତିକ ଦଳଗୁଡ଼ିକ ଏହାକୁ ମୁଦ୍ରାସ୍ଫୀତି ଓ ଆୟ ହ୍ରାସ ଜନିତ ଭାରତୀୟମାନଙ୍କ ଆର୍ଥିକ ଦୁରବସ୍ଥାର ପ୍ରମାଣ ରୂପେ ଉପସ୍ଥାପନ କରନ୍ତି। ଅଥଚ, ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ କେନ୍ଦ୍ର ବିତ୍ତ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥାଏ ଯେ ବର୍ତ୍ତମାନ ଭାରତୀୟମାନେ ଋଣ କରି ବ୍ୟକ୍ତିଗତ ସଂପଦ (ମଟର ଗାଡ଼ି ବା ଆବାସ ଇତ୍ୟାଦି) ସୃଷ୍ଟି କରିବାରେ ବ୍ୟାପୃତ; ଯାହା ଏକ ପ୍ରାଣୋଚ୍ଛଳ ଅର୍ଥ ବ୍ୟବସ୍ଥାର ସଂକେତ ଏବଂ ଦୃଢ଼ ଭାରତୀୟ ଅର୍ଥନୀତି ଉପରେ ସେମାନଙ୍କ ଗଭୀର ଆସ୍ଥାର ସୂଚକ। ଏଭଳି ସ୍ଥଳେ ପାରଂପରିକ ଭାବେ ସଂଚୟୀ ଏବଂ ମିତବ୍ୟୟୀ ରୂପେ ପରିଚିତ ଭାରତୀୟମାନଙ୍କ ଠାରେ ଏମିତି ଚରିତ୍ର ପରିବର୍ତ୍ତନର ଲକ୍ଷଣ ଏକ କ୍ଷୁଦ୍ର ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ।
ପ୍ରକାଶ ଥାଉ କି ଭାରତୀୟ ଋଣ ଗ୍ରହୀତାମାନେ ସାଧାରଣତଃ ତିନି କିସମର: ଯେମିତି କି ବନ୍ଧକ ବା ଅମାନତ (ସିକ୍ୟୁରିଟି) ବିନା ମିଳୁଥିବା ବ୍ୟକ୍ତିଗତ ଋଣର ହିତାଧିକାରୀ, ବନ୍ଧକ ବଦଳରେ ଋଣ ଓ କୃଷି ଋଣ ଗ୍ରହୀତା ଏବଂ ବ୍ୟାବସାୟିକ ଋଣକାରୀ; ଯେଉଁମାନଙ୍କ ମଧ୍ୟରୁ, ରିପୋର୍ଟ ଅନୁସାରେ, ବ୍ୟକ୍ତିଗତ ଋଣର ହିତାଧିକାରୀ ଭାରତୀୟଙ୍କ ସଂଖ୍ୟାରେ ତୀବ୍ର ବୃଦ୍ଧି ଘଟିବାରେ ଲାଗିଛି। ଅର୍ଥନୀତି ସମୀକ୍ଷକମାନଙ୍କ ମତରେ ଏହି ଋଣ ଅର୍ଥ ଉପଭୋଗ୍ୟ ସାମଗ୍ରୀ ଓ ସେବା କ୍ରୟ କରିବାରେ ଖର୍ଚ୍ଚ କରାଯାଉଛି। ଏହି କ୍ଷେତ୍ରରେ ଭାରତୀୟମାନଙ୍କ ମୁକ୍ତ ହସ୍ତେ ବ୍ୟୟର ପ୍ରମାଣ ହେଲା, ୨୦୧୨ ମସିହା ତୁଳନାରେ ସହରୀ ଭାରତୀୟମାନେ ଉପଭୋଗ୍ୟ ସାମଗ୍ରୀ କ୍ରୟରେ ୧୪୬ ପ୍ରତିଶତ ଏବଂ ଗ୍ରାମୀଣ ଭାରତୀୟମାନେ ୧୬୪ ପ୍ରତିଶତ ଅଧିକ ବ୍ୟୟ କରିଛନ୍ତି। ଏଭଳି କ୍ରୟ ତାଲିକାରେ ମଟରଗାଡ଼ି, ୱାସିଂ ମେସିନ ଠାରୁ ଆରମ୍ଭ କରି ମୋବାଇଲ୍ ଫୋନ୍ ପର୍ଯ୍ୟନ୍ତ ନିତ୍ୟ ବ୍ୟବହାର୍ଯ୍ୟ ଅନେକ ଦ୍ରବ୍ୟ ଏବଂ ‘ଗ୍ୟାଜେଟ୍’, ପୋଷାକପତ୍ର, ରିଏଲ୍ ଇଷ୍ଟେଟ୍ (ଘରବାଡ଼ି), ସୁବର୍ଣ୍ଣ ତଥା ଅନ୍ୟ ମୂଲ୍ୟବାନ ଅଳଙ୍କାର ଆଦିର କ୍ରୟ, ବିମାନ ଯାତ୍ରା, ଅବକାଶ ଅତିବାହିତ କରିବା ସକାଶେ ବିଦେଶ ବା ଦେଶ ମଧ୍ୟରେ କୌଣସି ଦୂର ସ୍ଥାନ ଗମନ, ବିଳାସପୂର୍ଣ୍ଣ ରେସ୍ତୋରାଁ ଆଦିରେ ଭୋଜନ ଇତ୍ୟାଦି ଅନ୍ତର୍ଭୁକ୍ତ। ଏଥିରେ ଦ୍ବିରୁକ୍ତି ନାହିଁ ଯେ ସାଂପ୍ରତିକ ଭାରତୀୟମାନଙ୍କ ଏଭଳି ମୁକୁଳା ବ୍ୟୟ ଅଭ୍ୟାସ ଅନେକତ୍ର ଉଦ୍ବେଗ ସୃଷ୍ଟି କଲାଣି। କିନ୍ତୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ଙ୍କ ମତ ଅନୁସାରେ ଏହି ଲକ୍ଷଣ ବଜାରକୁ ଚଳଚଞ୍ଚଳ ରଖି ଅର୍ଥନୀତିକୁ ସବଳ କରିବାରେ ସାହାଯ୍ୟ କରିଥାଏ ଏବଂ ବଜାର ଅର୍ଥନୀତି ଦ୍ବାରା ପରିପୁଷ୍ଟ ପ୍ରାୟ ସମସ୍ତ ରାଷ୍ଟ୍ରରେ ଏଭଳି ସ୍ଥିତି ଦୃଶ୍ୟମାନ ହୋଇଥାଏ। ଏହି ସଂଦର୍ଭରେ ରିଜର୍ଭ ବ୍ୟାଙ୍କ ଦ୍ବାରା ପ୍ରସ୍ତୁତ ‘ଦ ଫାଇନାନ୍ସିଆଲ୍ ଷ୍ଟାବିଲିଟି ରିପୋର୍ଟ’ ବା ‘ବିତ୍ତୀୟ ସ୍ଥିରତା ରିପୋର୍ଟ’ ପ୍ରଣିଧାନଯୋଗ୍ୟ, ଯାହା ଅନୁସାରେ ଚୀନରେ ଏହିଭଳି ବ୍ୟକ୍ତିଗତ ଋଣର ଅଂଶ ହେଉଛି େସ ଦେଶର ଜି.ଡି.ପି.ର ୬୪ ପ୍ରତିଶତ, ଥାଇଲାଣ୍ଡରେ ତାହା ୯୧ ପ୍ରତିଶତ, ଭିଏତନାମରେ ୬୧ ପ୍ରତିଶତ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ୬୪ ପ୍ରତିଶତ। ସୁତରାଂ, ଅନେକ ବିଶେଷଜ୍ଞଙ୍କ ମତରେ ଉଦାର ଅର୍ଥନୀତିର ପ୍ରସାଦରୁ ଭରପୂର ହୋଇ ଉଠିଥିବା ବଜାରରେ ବସ୍ତୁ-କୈନ୍ଦ୍ରିକ କାମନା ପୂର୍ତ୍ତିର ଅନନ୍ତ ସୁଯୋଗ ଥିବା ଦୃଷ୍ଟିରୁ କିଂବଦନ୍ତୀୟ ଭାରତୀୟ ସଂଯମ ହୀନବଳ ହୋଇଯିବା ସ୍ବାଭାବିକ ମାତ୍ର!
ସ୍ମରଣରେ ଆସିଥାଏ ଯେ ୧୯୮୪ ମସିହାରେ ଇଣ୍ଡୋ-ଜାପାନିଜ ମିଳିତ ଉଦ୍ୟମରେ ନିର୍ମିତ ‘ହିରୋ ହଣ୍ଡା’ ମୋଟର ସାଇକେଲର ଆବିର୍ଭାବ ସହିତ ଭାରତୀୟ ସଡ଼କରୁ କିଭଳି ବଜାଜ, ଭେସ୍ପା, ଲଂବ୍ରେଟା ଭଳି ସ୍କୁଟର ଏବଂ ରାଜଦୂତ ଏବଂ ୟେଜଦି ଆଦି ଭଳି ମୋଟର ସାଇକେଲମାନ ସମୂଳ ଅପସାରିତ ହୋଇଯାଇଥିଲେ, ଯାହାର ଏକମାତ୍ର କାରଣ ଥିଲା କଂପାନିର ଦାବି ଅନୁସାରେ ହିରୋ ହଣ୍ଡା ମାତ୍ର ଗୋଟିଏ ଲିଟର ପେଟ୍ରୋଲରେ ଅଶୀ କିଲୋମିଟର ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରି ପାରୁଥିଲା, ଯେଉଁଥି ଲାଗି ଅନ୍ୟ ଦୁଇ ଚକିଆଗୁଡ଼ିକ ଦୁଇ ବି ତିନି ଲିଟର ପେଟ୍ରୋଲ ଲୋଡ଼ନ୍ତେ। ଏହାର ଅର୍ଥ ୧୯୯୧ ମସିହାରେ ଲୋଭନୀୟ ସାମଗ୍ରୀ ଦ୍ବାରା ଉଛୁଳୁ ଥିବା ବଜାର ପ୍ରାଙ୍ଗଣ ଭାରତୀୟ ଉପଭୋକ୍ତାମାନଙ୍କ ଅବାଧ ପ୍ରବେଶ ନିମନ୍ତେ ଉନ୍ମୁକ୍ତ ହେବାର ପ୍ରାୟ ସାତ ବର୍ଷ ପୂର୍ବରୁ ‘ହିରୋ ହଣ୍ଡା’ର ଯେଉଁ କ୍ରେତାଗଣ ତାଙ୍କ ମାସିକିଆ ପେଟ୍ରୋଲ ବ୍ୟୟରୁ ଆଂଶିକ ବଞ୍ଚାଇ ପାରୁଥିବା କାରଣରୁ ଆଶ୍ବସ୍ତ ହେଉଥିଲେ, ସେମାନେ ବର୍ତ୍ତମାନ ସେମାନଙ୍କ ମିତବ୍ୟୟୀ ଆଦର୍ଶ ପରିହାର କରି ଅଧିକ ପେଟ୍ରୋଲ ମାଗୁଥିବା ଉଚ୍ଚ ଅଶ୍ବଶକ୍ତି ବିଶିଷ୍ଟ ଯାନମାନ କ୍ରୟ କରି ରୋମାଂଚିତ ହେବାରେ ଲାଗିଛନ୍ତି। ତାହା ହୋଇ ନ ଥିଲେ ଭାରତୀୟ ମୋଟର କାର୍ ବଜାରରେ ‘ଏସ୍.ୟୁ.ଭି.’ (ସ୍ପୋର୍ଟସ ୟୁଟିଲିଟି ଭେଇକଲ)ର ବିକ୍ରିରେ ଗତବର୍ଷ ତୁଳନାରେ ୬ ପ୍ରତିଶତ ଏବଂ ୩୫୦ ସି.ସି. ସଂପନ୍ନ ଓଜନଦାର ‘ରୟାଲ ଏନ୍ଫିଲ୍ଡ’ ମୋଟର ସାଇକେଲ ବିକ୍ରିରେ ୧୦ ପ୍ରତିଶତ ବୃଦ୍ଧି ଘଟି ନ ଥାଆନ୍ତା; ଯେଉଁ ଯାନଗୁଡ଼ିକରେ ଅପାର ଇନ୍ଧନ ତୃଷା ଗ୍ରାହକର ଦୈନନ୍ଦିନ ଖର୍ଚ୍ଚରେ ବୃଦ୍ଧି ଘଟାଇଥାଏ। ଉଲ୍ଲେଖଯୋଗ୍ୟ ଯେ ଉପଭୋଗ ସଂସ୍କୃତିରେ ନିର୍ବାଣ ପାଇ ସାରିଥିବା ଭାରତୀୟମାନଙ୍କୁ ପରଖିବାରେ ରତନ ଟାଟାଙ୍କ ଭଳି ପ୍ରାଜ୍ଞ, ଦୂରଦ୍ରଷ୍ଟା ଏବଂ ପୋଖତ ଉଦ୍ୟୋଗୀ ତ୍ରୁଟି କରିଥିଲେ ବୋଲି ସେ ଲକ୍ଷେ ଟଙ୍କିଆ ‘ନାନୋ’ କାର୍ ନିର୍ମାଣ ଲାଗି ଆଗଭର ହୋଇଥିଲେ। ତାଙ୍କର ନିରୀହ ଉଦ୍ଦେଶ୍ୟ ଥିଲା ଯେ ପ୍ରତ୍ୟେକ ଭାରତୀୟ ପରିବାର ନିଜ ଲାଗି କାର୍ଟିଏ କିଣି ଚଢ଼ିବାର ସ୍ବପ୍ନ ଚରିତାର୍ଥ କରନ୍ତୁ। କିନ୍ତୁ ସ୍ବଳ୍ପରେ ସନ୍ତୁଷ୍ଟ ହେବାକୁ ରାଜି ନ ଥିବା ଖର୍ଚ୍ଚୀ ଭାରତୀୟମାନେ ‘ନାନୋ’କୁ ସଂପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କଲେ।
ବିଶ୍ବାସ କରାଯାଏ ଯେ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ଭାରତ ଭୂମିରେ ‘ଚାର୍ବାକ ପନ୍ଥା’ ନାମକ ଏକ ଅନୀଶ୍ବରବାଦୀ ଦର୍ଶନର ଆବିର୍ଭାବ ଘଟିଥିଲା, ଯାହାକୁ ବୃହସ୍ପତି ନାମକ ଜଣେ ଋଷି ପ୍ରାୟ ଖ୍ରୀଷ୍ଟପୂର୍ବ ୧୮୦ରେ ‘ବୃହସ୍ପତି ସୂତ୍ର’ ରୂପେ ସଂକଳିତ କରି ତାହାର ପ୍ରଚାରରେ ବ୍ୟାପୃତ ଥିଲେ। ଏହି ଦର୍ଶନର ମୂଳ ଆଦର୍ଶ ଥିଲା ‘ବସ୍ତୁବାଦ’ ଏବଂ ତହିଁରୁ ସୁଖ ଲାଭ କରିବାର ଆକାଂକ୍ଷା। ଇନ୍ଦ୍ରିୟ ସୁଖ ଏବଂ କାମନା ପୂର୍ତ୍ତିକୁ ସର୍ବାଧିକ ଗୁରୁତ୍ବ ଦେଉଥିବା ଏହି ଦର୍ଶନ କିଛି କାଳ ସକାଶେ ଏଭଳି ଲୋକପ୍ରିୟ ହୋଇ ଉଠିଥିଲା ଯେ ଏହି ଦର୍ଶନଟି ‘ଲୋକାୟତ୍ତ’ ନାମରେ ମଧ୍ୟ ପରିଚିତ ହୋଇଥିଲା। ଚାର୍ବାକପନ୍ଥୀମାନଙ୍କ ଯେଉଁ ପରାମର୍ଶଟି ଏ ଯାବତ୍ ଏକ ବହୁପ୍ରଚଳିତ ଉକ୍ତି ହୋଇ ରହିଛି, ତାହା ହେଲା, ‘ଯାବତ୍ ଜୀବେତ୍, ସୁଖମ ଭବେତ୍, ଋଣଂ କୃତ୍ବା ଘୃତଂ ପିବେତ୍’, ଯାହାର ଓଡ଼ିଆ ଅର୍ଥାନ୍ତରର କୌଣସି ଆବଶ୍ୟକତା ନାହିଁ। ତେବେ, ଅପରିଗ୍ରହ, ସଂଯମ, ପରମାର୍ଥ ଏବଂ ପାରଲୌକିକ ଆନନ୍ଦକୁ ମହତ୍ତ୍ବ ପ୍ରଦାନ କରୁଥିବା ଈଶ୍ବରବିଶ୍ବାସୀ ହିନ୍ଦୁମାନେ କ୍ରମେ ଚାର୍ବାକ ଦର୍ଶନକୁ ପ୍ରତ୍ୟାଖ୍ୟାନ କଲେ ଏବଂ ସେମାନଙ୍କ ସାହିତ୍ୟକୁ ଧ୍ବଂସ କରି ଦିଆଗଲା। ସୁତରାଂ, ଅପରିଗ୍ରହୀ ଓ ସଂଯମୀ ଭାରତୀୟର ପରିଚୟ ଦୃଢ଼ମୂଳ ହେଲା। କେତେକ ବିଦ୍ବାନଙ୍କ ମତରେ ପାଶ୍ଚାତ୍ୟର ‘ଚାର୍ବାକ’ ରୂପେ ପରିଚିତ ଏପିକ୍ୟୁରିଅସଙ୍କ ଦର୍ଶନ ବଞ୍ଚି ରହିଲା ବୋଲି ସେଠାରେ ଶିଳ୍ପ ବିପ୍ଳବ ସମ୍ଭବ ହେଲା, ଯାହା ଉପଭୋଗବାଦୀ ସଂସ୍କୃତିର ଜନକ; ଭାରତୀୟ ପ୍ରାଚୀନ ଜ୍ଞାନ ସଂପଦ ପରିପ୍ରେକ୍ଷୀରେ ଯଦି ଚାର୍ବାକ ଏଠାରେ ବିଲୁପ୍ତ ହୋଇ ନ ଥାଆନ୍ତେ, ତେବେ ଶିଳ୍ପ ବିପ୍ଳବ ଅଗତ୍ୟା ଭାରତ ଭୂମିରେ ହିଁ ଘଟି ଥାଆନ୍ତା। ଚାର୍ବାକ ବା ଏପିକ୍ୟୁରିଅସ ମନୁଷ୍ୟର ପ୍ରବୃତ୍ତିକୁ ସର୍ବାଧିକ ପ୍ରଭାବଶାଳୀ ଶକ୍ତି ରୂପେ ଅଭିହିତ କରନ୍ତି, ଯାହା ଅଦମନୀୟ। ଜର୍ମାନ ମନସ୍ତତ୍ତ୍ବବିତ୍ ସିଗମଣ୍ଡ୍ ଫ୍ରଏଡ୍ ଏଭଳି ଅଦମନୀୟ ପ୍ରାଣ ଶକ୍ତିକୁ ‘ଲିବିଡୋ’ ବୋଲି ଅଭିହିତ କରିଥିଲେ, ଯଦିଓ ତାହା ସଂକୁଚିତ ଅର୍ଥରେ ପ୍ରାୟତଃ ‘ଯୌନାଗ୍ରହ’ ରୂପେ ପରିଚିତ ହେଉଛି। ତେଣୁ, ମୂଳ କଥାଟି ହେଲା ଅପରିଗ୍ରହୀ ଭାରତୀୟମାନେ ଯେଉଁ ଅଦମନୀୟ ଶକ୍ତିକୁ ସଂଯମ ବଳରେ ନତ ଶିର କରି ରଖିଥିେଲ, ତାହା ସତେ ଯେମିତି ପୁନର୍ବାର ଶିରୋତ୍ତୋଳନ କରିଛି। ସମୟର ଚକ ସମ୍ଭବତଃ ଘୂରି ଯାଇଛି। ବୃହସ୍ପତିଙ୍କ ସନ୍ତାନମାନଙ୍କ ଯୁଗାରମ୍ଭ ହୋଇଛି।