ବିଶ୍ବ ସମୁଦାୟ ଏଥର ହୃଦୟଙ୍ଗମ କରିବା ଆଶା କରାଯାଏ ଯେ ସାମରିକ ଏକଛତ୍ରବାଦୀ ପାକିସ୍ତାନ ଦ୍ବାରା ସଂଘଟିତ ଆତଙ୍କବାଦୀ ଆକ୍ରମଣର ମୁକାବିଲା ପାଇଁ ଭାରତ ଚଳାଇଥିବା ଯୁଦ୍ଧ ହେଉଛି ଏକ ଗଣତନ୍ତ୍ର ନିଜର ସୁରକ୍ଷା ପାଇଁ ଚଳାଇବାକୁ ବାଧ୍ୟ ହୋଇଥିବା ଏକ ଯଥାର୍ଥ ଯୁଦ୍ଧ।
କେତେବେଳେ ଓ କେଉଁଭଳି ଯୁଦ୍ଧକୁ ଏକ ନ୍ୟାୟୋଚିତ ବା ‘ଯଥାର୍ଥ ଯୁଦ୍ଧ’ ରୂପେ ବିଚାର କରାଯିବ? ଇତିହାସ ସାରା କୌଣସି ଯୁଦ୍ଧକୁ କେନ୍ଦ୍ରକରି ଯେତେବେଳେ ଏହି ପ୍ରଶ୍ନ ପଚରା ଯାଇଛି, ସେତେବେଳେ ତା’ର ଉତ୍ତର ପାଇବା ପାଇଁ ଶେଷରେ ଯାହାଙ୍କର ସାହାଯ୍ୟ ଲୋଡ଼ା ଯାଇଥାଏ, ସେ ହେଉଛନ୍ତି ଯୁଦ୍ଧ ସହିତ କୌଣସି ସଂପର୍କ ନ ଥିବା ତ୍ରୟୋଦଶ ଶତାବ୍ଦୀର ଜଣେ ଇଟାଲୀୟ ସନ୍ନ୍ୟାସୀ-ପଣ୍ଡିତ ସେଣ୍ଟ୍ ଥମାସ୍ ଆକ୍ବିନାସ୍। ଏହି ବିଜ୍ଞ ବାବାଜୀଙ୍କ ମତ ଅନୁସାରେ କୌଣସି ଏକ ଯୁଦ୍ଧ ଯଥାର୍ଥ ବିବେଚିତ ହେବା ନିମିତ୍ତ ତିନିଟି ଚରିତ୍ରର ଅଧିକାରୀ ହୋଇଥିବା ଆବଶ୍ୟକ, ଯାହା ସେ ତାଙ୍କର ପ୍ରସିଦ୍ଧ ରଚନା ‘ସମ୍ମା ଥିଓଲଜିକା’ରେ ବର୍ଣ୍ଣନା କରିଛନ୍ତି।
ପ୍ରଥମ, ଏହା କୌଣସି ବ୍ୟକ୍ତି କିମ୍ବା ଗୋଷ୍ଠୀର ସ୍ବାର୍ଥ ସାଧନ ପାଇଁ କିମ୍ବା ଖିଆଲ ଯୋଗୁଁ ଆରମ୍ଭ ନ ହୋଇ ଖୋଦ୍ ରାଷ୍ଟ୍ରର ସ୍ବୀକୃତି ଲାଭ କରିଥିବ। ଏହି ମାନଦଣ୍ଡ ଅନୁସାରେ ଘରୋଇ ‘ଇଷ୍ଟ ଇଣ୍ଡିଆ କଂପାନି’ର ସ୍ବାର୍ଥରକ୍ଷା ପାଇଁ ଘଟିଥିବା ୧୭୫୭ର ପଲାସା ଯୁଦ୍ଧ ଥିଲା ଏକ ଅନ୍ୟାୟ ଯୁଦ୍ଧ। ଦ୍ବିତୀୟ, ପ୍ରତିପକ୍ଷ କରିଥିବା କୌଣସି ଅନ୍ୟାୟ କାର୍ଯ୍ୟର ଜବାବରେ ନ୍ୟାୟର ସପକ୍ଷରେ ରାଷ୍ଟ୍ର ତା’ ବିରୁଦ୍ଧରେ ଯୁଦ୍ଧରେ ପ୍ରବୃତ୍ତ ହୋଇପାରେ। ଏହି ମାନଦଣ୍ଡ ଅନୁସାରେ ‘ହମାସ’ ଇସଲାମୀୟ ଆତଙ୍କବାଦୀମାନେ ୨୦୨୩ ଅକ୍ଟୋବର ୭ରେ ଇସ୍ରାଏଲରେ ଅନୁପ୍ରବେଶ କରି ଜଘନ୍ୟ ଗଣହତ୍ୟା, ଧର୍ଷଣ, ଅପହରଣ ଆଦି ରଚନା କଲା ପରେ ଇସ୍ରାଏଲ ‘ହମାସ’ ଅଧ୍ୟୁଷିତ ଗାଜା ଉପରେ ଚଳାଇଥିବା ଆକ୍ରମଣ ହେଉଛି ଏକ ‘ଯଥାର୍ଥ ଯୁଦ୍ଧ’। ତୃତୀୟ, ଏହି ଯୁଦ୍ଧ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସାଧନ ନିମିତ୍ତ ଏକ ସୀମିତ ଯୁଦ୍ଧ ହେବା ଉଚିତ, ଯେଉଁଥିରେ ସର୍ବନିମ୍ନ ସମ୍ଭବ ଯନ୍ତ୍ରଣା ସୃଷ୍ଟି ହୋଇଥାଏ। ଅତୀତରେ ଭାରତରେ ଅବିଚାରିତ ଭାବରେ ଗଣହତ୍ୟା, ଲୁଟତରାଜ, ଗୃହଦାହ ଆଦି ଘଟାଇଥିବା ନାଦିର ଶାହରୁ ତୈମୁରଲଙ୍ଗ ପର୍ଯ୍ୟନ୍ତ ବୈଦେଶିକ ଆକ୍ରମଣକାରୀମାନେ ଏହି ନିୟମର ସଂପୂର୍ଣ୍ଣ ଉଲ୍ଲଂଘନ କରିଥିଲେ।
ଆକ୍ବିନାସ୍ଙ୍କ ‘ଯଥାର୍ଥ ଯୁଦ୍ଧ’ର ଏହି ତ୍ରିବିଧ ଚରିତ୍ରର ମିଳିତ ଉପସ୍ଥିତି ଯେ ହେଉଛି ଏକ ଅତ୍ୟନ୍ତ ବିରଳ ସମ୍ଭାବନା, ଏଥିରେ କୌଣସି ସନ୍ଦେହ ନାହିଁ। ଭାରତ କିନ୍ତୁ ଏହି ବିରଳ ଚମତ୍କାରିତା ହାସଲ କରିପାରିଛି ‘ଅପରେସନ ସିନ୍ଦୂର’ରେ, ଯାହା ଏହାକୁ ଏକ ‘ଯଥାର୍ଥ ଯୁଦ୍ଧ’ରେ ପରିଣତ କରିଛି। ପହଲଗାମ ଠାରେ ପାକିସ୍ତାନ ଦ୍ବାରା ନିୟୋଜିତ ଇସଲାମୀୟ ଜିହାଦୀ ଆତଙ୍କବାଦୀମାନେ ରଚନା କରିଥିବା ହିନ୍ଦୁ ପର୍ଯ୍ୟଟକମାନଙ୍କର ବର୍ବର ଗଣହତ୍ୟାର ଜବାବରେ ଭାରତ ‘ଅପରେସନ ସିନ୍ଦୂର’ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ଯାହା ପଛରେ ରହିଛି ସମଗ୍ର ରାଷ୍ଟ୍ରର ସ୍ବୀକୃତି। ଏବଂ ଆକ୍ବିନାସ୍ଙ୍କର ତୃତୀୟ ମାନଦଣ୍ଡ ଅନୁସାରେ ଭାରତ ଅବିଚାରିତ ଭାବରେ ଶତ୍ରୁପକ୍ଷର ଧନଜୀବନ କ୍ଷୟ ନ ଘଟାଇ ଏହି ନିୟନ୍ତ୍ରିତ ଆକ୍ରମଣ ମାଧ୍ୟମରେ କେବଳ କେତେକ ସୁନିର୍ବାଚିତ ଆତଙ୍କବାଦୀ ଓ ସାମରିକ ନିଶାଣମାନଙ୍କର ଧ୍ବଂସ ସାଧନ କରିଛି।
ଭାରତ ଆକ୍ବିନାସ୍ଙ୍କର ନାମ ଉଚ୍ଚାରଣ କରି ନ ଥିଲେ ହେଁ ଏକ ଚମତ୍କାର କୂଟନୈତିକ ପଦକ୍ଷେପ ଗ୍ରହଣ କରି କେତେକ ପ୍ରମୁଖ ଦେଶକୁ ଯେଉଁ ମିଳିତ ସଂସଦୀୟ ପ୍ରତିନିଧି ଦଳମାନଙ୍କୁ ପ୍ରେରଣ କରିଛି, ତାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ଭାରତ ପାକିସ୍ତାନ ବିରୁଦ୍ଧରେ ଚଳାଇଥିବା ‘ଅପରେସନ ସିନ୍ଦୂର’ ନାମକ ଯୁଦ୍ଧର ଏହି ଆକ୍ବିନାସୀୟ ଯଥାର୍ଥ ଚରିତ୍ର ସମ୍ବନ୍ଧରେ ବାକି ବିଶ୍ବକୁ ଅବଗତ କରାଇବା, ଏଥିରେ କୌଣସି ସନ୍ଦେହ ନାହିଁ। ଆନ୍ତର୍ଜାତିକ ସମୁଦାୟ ଯେତେବେଳେ ଏକ ଚିରାଚରିତ ଉଦାସୀନତା ଓ ଆଶଙ୍କା ମିଶା ଦୃଷ୍ଟିରେ ଭାରତ-ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଥିବା ଏହି ସଦ୍ୟତମ ସାମରିକ କ୍ରିୟା-ପ୍ରତିକ୍ରିୟାକୁ ଅନୁସରଣ କରୁଛନ୍ତି, ଭାରତ ସେତେବେଳେ ଖୋଲାଖୋଲି ଭାବରେ, ଦଳମତ ନିର୍ବିଶେଷରେ ଗୋଟିଏ ସ୍ବରରେ ଉପସ୍ଥିତ ଉତ୍ତେଜନା ସମ୍ବନ୍ଧରେ ବିଶ୍ବ ସମୁଦାୟକୁ ଅବଗତ କରାଇବାକୁ ଏ ଯେଉଁ ପଦକ୍ଷେପ ନେଇଛି, ତାହା କେବଳ ଏକ ଚତୁର କୂଟନୈତିକ ଗୋଟିଚାଳନା ନୁହେଁ, ତାହା ହେଉଛି ବିଶ୍ବ ମଞ୍ଚରେ ପୃଥିବୀର ବୃୃହତ୍ତମ ଗଣତନ୍ତ୍ର ଦ୍ବାରା ଉପସ୍ଥାପିତ ଏକ ବଳିଷ୍ଠ ଗଣତାନ୍ତ୍ରିକ ପ୍ରଦର୍ଶନ।
ଭାରତର ଏହି ବାହ୍ୟ-ଅବଗତି ଉଦ୍ୟମର ଯେଉଁ ଦିଗ ହେଉଛି ସର୍ବାଧିକ ପ୍ରଭାବଶାଳୀ, ତାହା ହେଉଛି ଏହାର ସର୍ବଦଳୀୟ ଚରିତ୍ର। ପୃଥିବୀର ଅନ୍ୟ ଗଣତାନ୍ତ୍ରିକ ଦେଶମାନଙ୍କରେ ଯେତେବେଳେ ରାଜନୀତି ଆଭ୍ୟନ୍ତରୀଣ ବିବାଦ ଯୋଗୁଁ ହତାଶାଜନକ ଭାବରେ ଖଣ୍ଡବିଖଣ୍ଡିତ ହୋଇପଡ଼ିଥିବା ଦେଖାଯାଏ, ସେତିକିବେଳେ ପୃଥିବୀର ସର୍ବାଧିକ ଜନବହୁଳ ତଥା ତର୍କପ୍ରବଣ ଦେଶର ଲୋକପ୍ରତିନିଧିମାନେ ଆତଙ୍କବାଦ ସମ୍ବନ୍ଧରେ ଗୋଟିଏ ସ୍ବରରେ ବିଶ୍ବ ସମୁଦାୟକୁ ବୁଝାଇବାକୁ ବାହାରି ପଡ଼ିବା କେବଳ ଭାରତୀୟ ଗଣତନ୍ତ୍ରର ଅନ୍ତର୍ନିହିତ ସ୍ବାସ୍ଥ୍ୟ ଓ ଶକ୍ତିକୁ ପରିସ୍ଫୁଟ କରିଥାଏ, ତାହା ନୁହେଁ, ଏହା ମଧ୍ୟ ସାବ୍ୟସ୍ତ କରିଥାଏ ଯେ ଆତଙ୍କବାଦ ଏଠାରେ ଏକ ଗୋଷ୍ଠୀଗତ ପ୍ରସଙ୍ଗ ନୁହେଁ, ଏହା ହେଉଛି ସଂପୂର୍ଣ୍ଣ ରୂପେ ଏକ ଜାତୀୟ ପ୍ରସଙ୍ଗ।
ଏହା ହେଉଛି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ, କାରଣ ପହଲଗାମ ଠାରେ ଇସଲାମୀୟ ଆତଙ୍କବାଦୀମାନଙ୍କ ଦ୍ବାରା ରଚିତ ନରକୀୟ କାଣ୍ଡ ପଛରେ ଜଣାଶୁଣା ଭାବରେ ଯେଉଁ ଦୁରଭିସନ୍ଧି ନିହିତ ଥିଲା, ତାହା ହେଲା ଏହାର ପ୍ରତିକ୍ରିୟା ସ୍ବରୂପ ଭାରତୀୟ ସମାଜକୁ ବିଭାଜିତ କରିବା। କିନ୍ତୁ ବାସ୍ତବରେ ତାହା ତ ଘଟିଲା ନାହିଁ, ବରଂ ବର୍ତ୍ତମାନ ଦେଖାଯାଉଛି ଅନ୍ୟ ସମୟରେ କଳହରତ ରାଜନେତାମାନେ ନିଜର ମତପାର୍ଥକ୍ୟକୁ ପଛକୁ ଠେଲିଦେଇ ପରସ୍ପର ସହିତ ହାତ ମିଳାଇ ସମସ୍ବରରେ ବିଶ୍ବବାସୀଙ୍କ ସମ୍ମୁଖରେ ଆତଙ୍କବାଦ ଓ ଏହାର ପୃଷ୍ଠପୋଷକ ପାକିସ୍ତାନକୁ ତୀବ୍ର ବିରୋଧ କରିବାକୁ ଆଗେଇ ଆସିଛନ୍ତି।
ଆଧୁନିକ ଯୁଦ୍ଧ ଓ ବିଶେଷ କରି ପାକିସ୍ତାନ ଦ୍ବାରା ଅନୁସୃତ ପ୍ରକ୍ସି ଯୁଦ୍ଧରେ ସୂଚନାର ନିୟନ୍ତ୍ରଣ ଓ ଉଦ୍ଦେଶ୍ୟମୂଳକ ପ୍ରସାର ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଅନେକ ସମୟରେ ଆଭ୍ୟନ୍ତରୀଣ କଳହଗ୍ରସ୍ତ ଗଣତାନ୍ତ୍ରିକ ଦେଶମାନେ ପ୍ରକୃତ ସତ୍ୟଭିତ୍ତିକ ସୂଚନା ପ୍ରସାର କରିବାକୁ ସମର୍ଥ ହେବା ପୂର୍ବରୁ ପାକିସ୍ତାନ ପରି ସାମରିକ ଶାସନାଧୀନ ଏକଛତ୍ରବାଦୀ ଦେଶମାନେ ମିଥ୍ୟାଚାରଭିତ୍ତିକ ସୂଚନା ସବୁର ବ୍ୟାପକ ପ୍ରସାର ଘଟାଇ ଆନ୍ତର୍ଜାତିକ ଜନମତକୁ ପ୍ରଭାବିତ କରିସାରିଥାନ୍ତି। ଏଥର କିନ୍ତୁ ଯାହା ଉଲ୍ଲେଖଯୋଗ୍ୟ, ତାହା ହେଲା ଭାରତ ତା’ର ଏହି ବାହ୍ୟ-ଅବଗତି ଉଦ୍ୟମ ମାଧ୍ୟମରେ ସୂଚନା ଯୁଦ୍ଧରେ ଆଗୁଆ ହୋଇଯିବା ପରେ ପାକିସ୍ତାନ ଭାରତକୁ ଅନୁକରଣ କରି ଏକ ଅନୁରୂପ ଉଦ୍ୟମ ଆରମ୍ଭ କରିବାକୁ ବାହାରିଛି। କିନ୍ତୁ ପାକିସ୍ତାନ ଏଥିରେ ଭାରତର ସମକକ୍ଷ ହୋଇପାରିବ ନାହିଁ, କାରଣ ଭାରତର ପ୍ରତିନିଧି ଦଳମାନଙ୍କରେ ପ୍ରକୃତ ଲୋକପ୍ରତିନିଧିମାନେ ରହିଥିବାବେଳେ ପାକିସ୍ତାନ ଭଳି ଏକ ନାମମାତ୍ର ଗଣତନ୍ତ୍ର କାର୍ଯ୍ୟ କରୁଥିବା ଦେଶର ଲୋକପ୍ରତିନିଧିମାନେ ନାମମାତ୍ର ଲୋକପ୍ରତିନିଧି ରୂପେ ବିବେଚିତ ହେବେ।
ଏହି ସମୟରେ ସେ ଦେଶର ସେନାଧ୍ୟକ୍ଷ ନିଜର ଇଚ୍ଛା ଅନୁସାରେ ନିଜକୁ ‘ଫିଲ୍ଡ ମାର୍ଶାଲ୍’ ପଦକୁ ଉନ୍ନୀତ କରିଦେଇ ପାକିସ୍ତାନର ପ୍ରତିନିଧିମାନଙ୍କର ବିଶ୍ବସନୀୟତାରେ ବୃଦ୍ଧି ଘଟାଇବାରେ ସହାୟକ ହୋଇନାହାନ୍ତି। ବିଶ୍ବ ସମୁଦାୟ ଏଥର ହୃଦୟଙ୍ଗମ କରିବା ଆଶା କରାଯାଏ ଯେ ସାମରିକ ଏକଛତ୍ରବାଦୀ ପାକିସ୍ତାନ ଦ୍ବାରା ସଂଘଟିତ ଆତଙ୍କବାଦୀ ଆକ୍ରମଣର ମୁକାବିଲା ପାଇଁ ଭାରତ ଚଳାଇଥିବା ଯୁଦ୍ଧ ହେଉଛି ଏକ ଗଣତନ୍ତ୍ର ନିଜର ସୁରକ୍ଷା ପାଇଁ ଚଳାଇବାକୁ ବାଧ୍ୟ ହୋଇଥିବା ଏକ ଯଥାର୍ଥ ଯୁଦ୍ଧ।