ଏତିକି ଅନ୍ତତଃ ସ୍ପଷ୍ଟ ଯେ ବିକାଶର ଆଲୋକକୁ ପଛ କରି ଦେଇ ଆତଙ୍କବାଦର ଅନ୍ଧକାର ମଧ୍ୟକୁ ଲମ୍ଫ ଦେବାକୁ କାଶ୍ମୀର ହୁଏତ ଆଉ ପ୍ରସ୍ତୁତ ନୁହେଁ। ଯଦି ଏଭଳି ଚେତନା ଉଦ୍ରେକ ହୋଇଥାଏ ଏବଂ ତାହା ଅଧିକ ପ୍ରସାରିତ ଓ ଦୃଢ଼ୀଭୂତ ହୁଏ, ତେବେ ସେଠାରେ ସୀମାପାର ଆତଙ୍କବାଦ ଅଚିରେ ମୃତ୍ୟୁ ଲଭିବ, ଯେମିତି ସ୍ଥାନୀୟ ଜନସାଧାରଣଙ୍କ ସମର୍ଥନ ଅଭାବରୁ ପଞ୍ଜାବରେ ଶିଖ ଆତଙ୍କବାଦର ଅବସାନ ଘଟିଥିଲା।
ଗଲା ୨୨ ତାରିଖ ଦିନ ପହଲଗାମ ଠାରେ ଘଟି ଯାଇଥିବା ଅବର୍ଣ୍ଣନୀୟ ଭାବେ ନିର୍ମମ ଆତଙ୍କବାଦୀ ନର-ସଂହାର ସମଗ୍ର ଦେଶକୁ ବିଷାଦ ନିମଗ୍ନ କରି ରଖିଥିବା ବେଳେ ଭାରତ ସରକାରଙ୍କ ପ୍ରଥମ ପ୍ରତିକ୍ରିୟାମୂଳକ ପଦକ୍ଷେପ ସ୍ବରୂପ ସିନ୍ଧୁ ନଦୀ ଜଳ ବଣ୍ଟନ ଚୁକ୍ତିକୁ ସାମୟିକ ଭାବେ ରଦ୍ଦ କରାଯିବାର ଘୋଷଣା ଅତ୍ୟନ୍ତ ପ୍ରଣିଧାନଯୋଗ୍ୟ। କହିବା ବାହୁଲ୍ୟ ଯେ ସ୍ଥିତିରେ କୌଣସି ପରିବର୍ତ୍ତନ ନ ଘଟିଲେ ଭାରତର ଏହି ନିଷ୍ପତ୍ତି ପାକିସ୍ତାନକୁ ନିଦାଘ ଶୁଷ୍କ କରି ପକାଇବ। ପ୍ରକାଶ ଥାଉ କି ଭାରତ ଓ ପାକିସ୍ତାନ ମଧ୍ୟରେ ସଂଘଟିତ ହୋଇଥିବା ତିନିଟି ଯୁଦ୍ଧ(କାରଗିଲ ଯୁଦ୍ଧ ସମେତ) ଏବଂ ତିକ୍ତ ସଂପର୍କ ସତ୍ତ୍ବେ ୧୯୬୦ ମସିହାରେ ସଂପାଦିତ ହୋଇଥିବା ସିନ୍ଧୁ ଜଳ ବଣ୍ଟନ ଚୁକ୍ତିକୁ ଭାରତ ସରକାର ସର୍ବଦା ସମ୍ମାନ ପ୍ରଦର୍ଶନ କରି ଆସୁଥିଲେ। କହିବାର ତାତ୍ପର୍ଯ୍ୟ ହେଲା, ପହଲଗାମର ଆତଙ୍କବାଦୀ ଆକ୍ରମଣକୁ ଭାରତ ସରକାର ସର୍ବାଧିକ ଜଘନ୍ୟ ଆକ୍ରମଣ ବୋଲି ବିଚାର କରିଥିବାରୁ ସିନ୍ଧୁ ନଦୀର ଜଳକୁ ପାକିସ୍ତାନ ବିରୋଧରେ ଏକ ଅସ୍ତ୍ର ରୂପେ ବ୍ୟବହାର କରିବାକୁ ବାଧ୍ୟ ହୋଇଛନ୍ତି। ଏଭଳି ଏକ ଦୃଶ୍ୟପଟରେ ପାକିସ୍ତାନର ଆତ୍ମଘାତ-ଉଚ୍ଛନ୍ନ ଆଭିମୁଖ୍ୟ ଏକ କ୍ଷୁଦ୍ର ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ।
ଅନେକ ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ କାଶ୍ମୀର ଦଖଲ ସକାଶେ ପାକିସ୍ତାନର ଅନ୍ଧ ଉଦ୍ୟମ ପଛରେ ନିହିତ ପ୍ରକୃତ କାରଣଟି ହେଉଛି ସିନ୍ଧୁ ଅକ୍ତିଆର। ଏହା ସମସ୍ତେ ଜାଣନ୍ତି ଯେ ବିଶାଳ ସିନ୍ଧୁ ନଦୀକୁ ପରିପୁଷ୍ଟ କରିଥିବା ପଞ୍ଚ ଉପନଦୀ ମଧ୍ୟରୁ ମୁଖ୍ୟ ଝେଲମ ଓ ଚେନାବର ଉତ୍ପତ୍ତି ସ୍ଥଳ ହେଉଛି କାଶ୍ମୀର ଏବଂ ଅବଶିଷ୍ଟ ତିନିଟି ନଦୀ ରାବି, ବିପାଶା, ଶତଦ୍ରୁ(ସତଲେଜ) ଜାମ୍ମୁରୁ ଉତ୍ପନ୍ନ। ସିନ୍ଧୁ ଜଳ ବଣ୍ଟନ ଚୁକ୍ତି ଅନୁସାରେ ଝେଲମ ଓ ଚେନାବର ଜଳ ରାଶିକୁ ଅବାଧେର ପାକିସ୍ତାନକୁ ପ୍ରବାହିତ ହେବାକୁ ଛାଡ଼ି ଦିଆଯାଇଥାଏ। ସୁତରାଂ, ଜଳ ବଣ୍ଟନ ଚୁକ୍ତି ଅଚଳ ହୋଇଗଲେ ପାକିସ୍ତାନର ସିନ୍ଧ ଓ ପଞ୍ଜାବ ଅଞ୍ଚଳ ଜଳ ଶୂନ୍ୟ ହୋଇଯିବ, ଜଳସେଚନ ଏବଂ ଜଳ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଗଭୀର ଭାବେ ପ୍ରଭାବିତ ହେବେ। ଭାରତ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି ଯେ ପାକିସ୍ତାନ ପକ୍ଷରୁ ଆତଙ୍କବାଦ ରପ୍ତାନି ବନ୍ଦ ନ ହେଲା ପର୍ଯ୍ୟନ୍ତ ଏ ଚୁକ୍ତି ଅକାମି ରହିବ, ଯାହା ହୁଏତ ମୁଷ୍ଟମେୟ ସୁବିଚାର ସଂପନ୍ନ ପାକିସ୍ତାନୀଙ୍କ ଲାଗି ଅତ୍ୟନ୍ତ ବିବ୍ରତକର ହୋଇପାରେ, କାରଣ ସେମାନେ ନିଶ୍ଚିତ ଯେ ତାଙ୍କ ଦେଶରେ ଆତଙ୍କବାଦ ଏକ ‘ଫ୍ରାନ୍କେଷ୍ଟାଇନ’ରେ ପରିଣତ ହୋଇଛି, ଯାହା ତା’ର ସର୍ଜକ ଓ ପରିେପାଷକ ପାକିସ୍ତାନୀ ସେନା ବାହିନୀର ଆୟତ୍ତରେ ଆଉ ନାହିଁ।
ଏହା ଉଲ୍ଲେଖଯୋଗ୍ୟ ଯେ ସାମରିକ ବାହିନୀର ପ୍ରତ୍ୟକ୍ଷ ତତ୍ତ୍ବାବଧାନ ଏବଂ ନିର୍ବାଚିତ ସରକାରର ଜ୍ଞାତସାରରେ ପାକିସ୍ତାନରେ ଗଢ଼ି ଉଠିଥିବା ଆତଙ୍କବାଦୀ କାରଖାନାକୁ ଲକ୍ଷ୍ୟ କରି ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ ହିଲାରି କ୍ଲିଣ୍ଟନଙ୍କ ଆଗତ ଦ୍ରଷ୍ଟାସୁଲଭ ମନ୍ତବ୍ୟକୁ ସତରେ ପ୍ରମାଣିତ କରିବାରେ ଲାଗିଛନ୍ତି ଆଫଗାନିସ୍ତାନର ତାଲିବାନ, ତେହରିଖ ଏ ତାଲିବାନ- ପାକସ୍ତାନ ଓ ସେମାନଙ୍କ ଭଳି ଅନେକ ଆତଙ୍କବାଦୀ ସଂଗଠନ, ଯେଉଁମାନଙ୍କ ବିଷ ଜ୍ବାଳାରେ ପାକିସ୍ତାନ ଜର୍ଜର। ହିଲାରି କ୍ଲିଣ୍ଟନ ସେତେବେଳେ ପାକିସ୍ତାନକୁ ସଚେତନ କରାଇ କହିଥିଲେ ଯେ ଅଗଣାରେ ପ୍ରତିପାଳିତ ହେଉଥିବା ସର୍ପ ଘରେ ପଶି ମଧ୍ୟ ଦଂଶନ କରିଥାଏ। ବ୍ରାଉନ ୟୁନିଭର୍ସିଟିର ‘ୱାଟସନ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ଏଫାୟାର୍ସ’ ଦ୍ବାରା ପ୍ରକାଶିତ ତଥ୍ୟ କହିଥାଏ ଯେ ୨୦୦୦ ମସିହାରୁ ବର୍ତ୍ତମାନ ସୁଦ୍ଧା ଆତଙ୍କବାଦ କାରଣରୁ ସେଠାରେ ପ୍ରାଣ ହରାଇଥିବା ସାଧାରଣ ଲୋକଙ୍କ ସଂଖ୍ୟା ୨୩,୩୭୨ ଏବଂ ସୁରକ୍ଷା ବାହିନୀ କର୍ମଚାରୀଙ୍କ ସଂଖ୍ୟା ୮,୮୩୨; ଏମାନେ ସମସ୍ତେ ସେହି ଆତଙ୍କବାଦର ଶିକାର, ଯାହା ଖୋଦ୍ ପାକିସ୍ତାନ ଭୂମିରେ ଏବଂ ସେଠାକାର ବ୍ୟବସ୍ଥା ଦ୍ବାରା ପ୍ରତିପାଳିତ ଓ ପ୍ରୋତ୍ସାହିତ। ଏଭଳି ସ୍ଥଳେ ହୃଦ୍ବୋଧ କରି ହୋଇଥାଏ ଯେ ସିନ୍ଧୁ ନଦୀର ଜଳ ବିନ୍ଦୁର ଅଭାବରୁ ଯଦିବା ତୃଷାର୍ତ୍ତ ପାକିସ୍ତାନର ଚୈତନ୍ୟ ଉଦୟ ହୁଏ, ତଥାପି ତାହା କେବଳ ଅସହାୟ ଦିଶିବା ସାର ହେବ, କାରଣ ଆତଙ୍କବାଦ ସେଠାରେ ଅଣାୟତ୍ତ ହୋଇ ସାରିଛି!
କିନ୍ତୁ ପ୍ରଶ୍ନ ହେଲା, ଏହି କର୍କଶ ବାସ୍ତବତାକୁ ପାକିସ୍ତାନର ସାମରିକ ‘ଏଷ୍ଟାବ୍ଲିସମେଣ୍ଟ’ ହୃଦୟଙ୍ଗମ କରିଥାଏ କି? ଯଦି ସେଭଳି ହୋଇଥାଆନ୍ତା, ତେବେ ପାକିସ୍ତାନର ସେନାଧ୍ୟକ୍ଷ ଜେନେରାଲ ଆସିଫ ମୁନୀର ଗଲା ମାର୍ଚ୍ଚ ୨୦ ତାରିଖରେ ଭାରତ ଏବଂ ନିର୍ଦ୍ଦିଷ୍ଟ ରୂପେ ହିନ୍ଦୁ ସଂପ୍ରଦାୟ ଉପେର ତୀବ୍ର ଅଭିସଂପାତ ବର୍ଷଣ କରି ଚହଳ ସୃଷ୍ଟି କରି ନ ଥାଆନ୍ତେ। ଅଧିକାଂଶ ପର୍ଯ୍ୟବେକ୍ଷକଙ୍କ ମତେର ଜେନେରାଲ ମୁନୀରଙ୍କ ଭାଷଣରେ କାଶ୍ମୀରରେ ପୁଣି ଆତଙ୍କବାଦର ଧାରା ସୃଷ୍ଟି କରିବା ଲାଗି ଇଙ୍ଗତିଧର୍ମୀ ସଂକେତ ଥିଲା ଏବଂ ପହଲଗାମରେ ଯେଉଁ ଭଳି ନିର୍ଦ୍ଦିଷ୍ଟ ରୂପେ ହିନ୍ଦୁମାନଙ୍କୁ ଚିହ୍ନଟ କରି ହତ୍ୟା କରାଗଲା, ତାହା ପଛରେ ମୁନୀରଙ୍କ ପ୍ରଭାବ ଥିବା ମଧ୍ୟ ସମ୍ଭବ। ପ୍ରକାଶ ଥାଉ କି କାଶ୍ମୀର ପ୍ରତ୍ୟକ୍ଷ କରିଥିବା ଆତଙ୍କବାଦର ସୁଦୀର୍ଘ ଇତିହାସରେ ପ୍ରଥମ ଥର ସକାଶେ ପର୍ଯ୍ୟଟକମାନେ ନିଶାଣ ହେଲେ। କାଶ୍ମୀରର ଅର୍ଥନୀତି ମୁଖ୍ୟତଃ ପର୍ଯ୍ୟଟନ-ନିର୍ଭର ହୋଇଥିବାରୁ ଜନସାଧାରଣଙ୍କ ଜୀବିକା ଉପରେ ସିଧାସଳଖ ଆକ୍ରମଣ କରି ହୁଏତ ଆତଙ୍କବାଦୀମାନେ ସାଧାରଣ କାଶ୍ମୀରୀମାନଙ୍କ ଠାରେ ଅପ୍ରିୟ ହେବାକୁ ଚାହିଁ ନ ଥିଲେ। ଏଥର କିନ୍ତୁ ସେଥିରେ ବ୍ୟତିକ୍ରମ ଘଟିଛି। ଉଲ୍ଲେଖଯୋଗ୍ୟ ଯେ ୨୦୧୯ ମସିହାରେ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ କାଶ୍ମୀରକୁ ପର୍ଯ୍ୟଟକମାନଙ୍କ ସୁଅ ଛୁଟିବା ଆରମ୍ଭ କରିଥିଲା ଏବଂ ଆତଙ୍କବାଦର ବିଲୋପନ ଘଟିଛି ବୋଲି ଆପାତତଃ ଏକ ଧାରଣା ସୃଷ୍ଟି ହୋଇଥିଲା। ‘ବିଜନେସ ଟୁଡେ’ରେ ପ୍ରକାଶିତ ଏକ ସମ୍ବାଦ ଅନୁସାରେ କେବଳ ଗତ ବର୍ଷ ଅର୍ଥାତ୍ ୨୦୨୪ ମସିହାରେ କାଶ୍ମୀରକୁ ଆସିଥିବା ପର୍ଯ୍ୟଟକଙ୍କ ସଂଖ୍ୟା ଥିଲା ଏକ କଳ୍ପନାତୀତ ୨.୪ କୋଟି। ଏଥିରେ ଦ୍ବିଧା ନାହିଁ ଯେ ଏହା ଜେନେରାଲ ଆସିଫ ମୁନୀର ଓ ପାକିସ୍ତାନ ‘ଏଷ୍ଟାବ୍ଲିସମେଣ୍ଟ’ ସକାଶେ ଅସହନୀୟ ହୋଇଥିବ, ଯେଉଁ କାରଣରୁ ସହସା ଓ ପ୍ରକାଶ୍ୟରେ ସେ କାଶ୍ମୀର ଦଖଲର ଉଚ୍ଚାଟ ସୃଷ୍ଟି କରିଥିଲେ ଏବଂ ଅନେକଙ୍କ ମତରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ପୃଷ୍ଠଭୂମି ପ୍ରସ୍ତୁତ କରିଥିଲେ।
ଏହା ସୁବିଦିତ ଯେ ଆତଙ୍କବାଦୀମାନଙ୍କ କାର୍ଯ୍ୟ କେବଳ ମାତ୍ର ନରସଂହାରରେ ସୀମିତ ନ ଥାଏ, ସେମାନେ ତାହାକୁ ଏଭଳି ଏକ ‘ଥିଏଟର’ରେ ପରିଣତ କରିବାକୁ ଚାହିଁଥାନ୍ତି, ଯେମିତି ତା’ ପ୍ରତି ସମଗ୍ର ବିଶ୍ବର ଦୃଷ୍ଟି ଆକର୍ଷିତ ହେବ ଏବଂ ସର୍ବତ୍ର ଭୟର ଶିହରଣ ସଂଚାରିତ ହେବ। ସେହି କାରଣରୁ ୨୬ ଜଣ ପର୍ଯ୍ୟଟକଙ୍କ ନିଧନ ସହିତ ସମଗ୍ର କାଶ୍ମୀର ଉପତ୍ୟକା ପର୍ଯ୍ୟଟକ ଶୂନ୍ୟ ହୋଇଯାଇଛି ଏବଂ ସେଠାକୁ ପର୍ଯ୍ୟଟକମାନେ ପୁନର୍ବାର କେବେ ପ୍ରତ୍ୟାବର୍ତ୍ତନ କରିବେ, ତାହା କହିବା କଷ୍ଟକର। ସେହି ଦୃଷ୍ଟିରୁ ଆତଙ୍କବାଦୀମାନଙ୍କ ଯୋଜନା ସଫଳ ହୋଇଛି ବୋଲି ହୁଏତ କୁହାଯାଇପାରେ। କିନ୍ତୁ ଏହା ଘଟିବା ପରେ ବିରୋଧ ପୂର୍ବକ ସ୍ବତଃପ୍ରବୃତ୍ତ ଭାବେ ପହଲଗାମ ବନ୍ଦ ହୋଇଯିବା ଏବଂ ଅନେକ ସଂଖ୍ୟାରେ ସାଧାରଣ ଜନତା ସଡ଼କକୁ ଓହ୍ଲାଇ ଆସି ପାକିସ୍ତାନର ନିନ୍ଦାବାଦ କରିବା ଭଳି ଘଟଣା ଆତଙ୍କବାଦୀମାନଙ୍କ ଦ୍ବାରା ଆୟୋଜିତ ଥିଏଟରରେ ଏକ ଅପ୍ରତ୍ୟାଶିତ ପାର୍ଶ୍ବ-ଦୃଶ୍ୟ ଭାବେ ଦେଖିବାକୁ ମିଳିଛି। କିଛି ବର୍ଷ ତଳେ ଏମାନେ ହୁଏତ ହୋଇଥାଆନ୍ତେ ସଡ଼କରେ ପଥର ପିଙ୍ଗି ଅରାଜକତା ସୃଷ୍ଟି କରୁଥିବା ଉପଦ୍ରବକାରୀ। ସୁତରାଂ, ଏତିକି ଅନ୍ତତଃ ସ୍ପଷ୍ଟ ଯେ ବିକାଶର ଆଲୋକକୁ ପଛ କରି ଦେଇ ଆତଙ୍କବାଦର ଅନ୍ଧକାର ମଧ୍ୟକୁ ଲମ୍ଫ ଦେବାକୁ କାଶ୍ମୀର ହୁଏତ ଆଉ ପ୍ରସ୍ତୁତ ନୁହେଁ। ଯଦି ଏଭଳି ଚେତନା ଉଦ୍ରେକ ହୋଇଥାଏ ଏବଂ ତାହା ଅଧିକ ପ୍ରସାରିତ ଓ ଦୃଢ଼ୀଭୂତ ହୁଏ, ତେବେ ସେଠାରେ ସୀମାପାର ଆତଙ୍କବାଦ ଅଚିରେ ମୃତ୍ୟୁ ଲଭିବ, ଯେମିତି ସ୍ଥାନୀୟ ଜନସାଧାରଣଙ୍କ ସମର୍ଥନ ଅଭାବରୁ ପଞ୍ଜାବରେ ଶିଖ ଆତଙ୍କବାଦର ଅବସାନ ଘଟିଥିଲା। ତା’ ପରେ ହୁଏତ ସିନ୍ଧୁର ବିନ୍ଦୁ ପୁଣି ପାକିସ୍ତାନର ଶୁଷ୍କ ଭୂମିକୁ ଆର୍ଦ୍ର କରିବ। ଏବଂ ଜେନେରାଲ ମୁନୀର ଓ ତାଙ୍କ ସମଧର୍ମାମାନେ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ନ ଘଟାଇ ଯଦି ସେମାନଙ୍କ ନିଷ୍ଫଳା ଉଦ୍ୟମରେ ମାତି ରହିବେ, ତେବେ, ସେମାନେ ପାକିସ୍ତାନକୁ କେବଳ ତୃଷାର୍ତ୍ତ କରି ରଖିବା ସାର ହେବ!
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/OAnDiWZ5zjRDfuWfWgMX.jpg)