ସେଇ ଅଭିଯୋଗର ଅସଲ ତାତ୍ପର୍ଯ୍ୟ ହେଲା ଏହା ଯେ ଅଦାନୀ ଆମେରିକୀୟ ନିବେଶକମାନଙ୍କ ଠାରୁ ସଂଗ୍ରହ କରିଥିବା ଅର୍ଥକୁ ଭାରତରେ ସରକାରୀ ଅଧିକାରୀମାନଙ୍କୁ ଲାଞ୍ଚ ଦେବାରେ ନିୟୋଜିତ କରିଛନ୍ତି। ଆମେରିକୀୟ କର୍ତ୍ତୃପକ୍ଷ ପ୍ରକୃତ ଲାଞ୍ଚ ଆଦାନପ୍ରଦାନର କୌଣସି ପ୍ରମାଣ ପ୍ରଦାନ କରି ନ ଥିଲେ ହେଁ ଏହା ଏକ ସରକାରୀ ଅଭିଯୋଗ ହୋଇଥିବାରୁ ଏଥିପୂର୍ବର ଭିତ୍ତିହୀନ ସାବ୍ୟସ୍ତ ହୋଇଥିବା ହିଣ୍ଡେନ୍ବର୍ଗ ଅଭିଯୋଗ ଅପେକ୍ଷା ଅଦାନୀଙ୍କ ପାଇଁ ଏହା ଅଧିକ କ୍ଷତିକାରକ ସାବ୍ୟସ୍ତ ହୋଇପାରେ।
ଆମେରିକାର ବିତ୍ତୀୟ କାରବାର ନିୟନ୍ତ୍ରକ ସ୍ବାଧୀନ ସରକାରୀ ସଂସ୍ଥା ‘ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ କମିସନ୍’ (‘ଏସ୍ଇସି’) ଭାରତର ଅନ୍ୟତମ ପ୍ରମୁଖ ଶିଳ୍ପ ଉଦ୍ୟୋଗୀ ଗୌତମ ଅଦାନୀଙ୍କ ବିରୁଦ୍ଧରେ ଯେଉଁସବୁ ଗୁରୁତର ଅଭିଯୋଗମାନ ଆଣିଛି, ସେ ଅନୁସାରେ ଅତୀତରେ ସେଇ ଆମେରିକାରେ ଉଦ୍ଭାବିତ ଭାଷା ଅନୁସାରେ ଅଦାନୀ ଯେଉଁ ଉପାଧି ପାଇଁ ଉପଯୁକ୍ତ ବିବେଚିତ ହେବେ, ତାହା ହେଲା- ‘ରବର୍ ବ୍ୟାରନ୍’ (‘ସଂଭ୍ରାନ୍ତ ଦସ୍ୟୁ’)। ଉତ୍ତର ଊନବିଂଶ ଶତାବ୍ଦୀରେ ଉଦ୍ଭାବିତ ଏହି ବିଶେଷଣ ଆମେରିକାର ଯେଉଁ ପ୍ରମୁଖ ଶିଳ୍ପୋଦ୍ୟୋଗୀମାନଙ୍କ ପ୍ରତି ପ୍ରୟୋଗ କରାଯାଇଥାଏ, ସେମାନଙ୍କର ସୁଦୀର୍ଘ ତାଲିକାରୁ ବାଛି ବାଛି କେତୋଟି ନାମ ଏଠାରେ ଉଲ୍ଲେଖ କରାଯାଇପାରେ: ଆଣ୍ଡ୍ରୁ କାର୍ନେଗି (ଇସ୍ପାତ ଶିଳ୍ପ), କର୍ନେଲିଅସ୍ ଭାଣ୍ଡର୍ବିଲ୍ଟ (ଜାହାଜ ଚଳାଚଳ), ଚାର୍ଲସ କ୍ରକର୍ (ରେଳପଥ), ଜେମ୍ସ ବୁକାନାନ୍ (ବିଦ୍ୟୁତ୍ ଶକ୍ତି), ଜେମ୍ସ ଫିସ୍କ (ଫାଇନାନ୍ସ), ଜେ ଗୋଲ୍ଡ (ରେଳପଥ), ଆଣ୍ଡ୍ରୁ ମେଲନ୍ (ତୈଳ), ଲେଲ୍ୟାଣ୍ଡ୍ ଷ୍ଟାନ୍ଫୋର୍ଡ (ରେଳପଥ), ଜନ୍ ଡି ରକେଫେଲର୍ (ତୈଳ), ଜୋସେଫ୍ ସେଲିଗ୍ମ୍ୟାନ୍ (ବ୍ୟାଙ୍କିଙ୍ଗ୍)। ବର୍ତ୍ତମାନ ସମୟର ଯେଉଁ ଉଦ୍ୟୋଗପତିମାନଙ୍କୁ ଏହି ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥାଏ, ସେଥିରେ ଅଛନ୍ତି ଏହିପରି କେତେକ: ଜେଫ୍ ବେଜସ୍ (‘ଆମାଜନ୍’), ବିଲ୍ ଗେଟ୍ସ (‘ମାଇକ୍ରୋସଫ୍ଟ’), ଏଲନ୍ ମସ୍କ (‘ଟେସ୍ଲା’, ‘ସ୍ପେସ୍ଏକ୍ସ’), ମାର୍କ ଜୁକର୍ବର୍ଗ (‘ଫେସ୍ବୁକ୍’)। ଆମେରିକାର ଅର୍ଥନୀତି ସମ୍ବନ୍ଧରେ ସାମାନ୍ୟ ପରିଚିତି ଥିବା ସମସ୍ତେ ଜାଣନ୍ତି ଯେ ତାହା ଆଜି ପୃଥିବୀର ବୃହତ୍ତମ ଅର୍ଥନୀତି ହେବାରେ, ଓ ଆମେରିକା ପୃଥିବୀର ସର୍ବାଧିକ ଧନଶାଳୀ ଦେଶ ହେବାରେ ଯେଉଁମାନଙ୍କର ଅବଦାନ ହେଉଛି ସର୍ବାଧିକ, ସେମାନେ ହେଉଛନ୍ତି ଏହି ଅଣ-ନୈତିକ ‘ସଂଭ୍ରାନ୍ତ ଦସ୍ୟୁ’ମାନେ।
ଭାରତର ସାଂପ୍ରତିକ ଅର୍ଥନୀତି ଭଳି ଆମେରିକାର ଅର୍ଥନୀତି ହେଉଛି ଏକ ବଜାର-ଭିତ୍ତିକ ଅବାଧ ପ୍ରତିଯୋଗିତାମୂଳକ ପୁଞ୍ଜିବାଦୀ ଅର୍ଥନୀତି। ତାତ୍ତ୍ବିକ ଦୃଷ୍ଟିକୋଣରୁ ଅର୍ଥଶାସ୍ତ୍ରର ଜନକ ଆଡାମ୍ ସ୍ମିଥ୍ ତାଙ୍କର ପଥପ୍ରଦର୍ଶନକାରୀ ପୁସ୍ତକ ‘ଦି ୱେଲ୍ଥ ଅଫ୍ ନେସନ୍ସ’ରେ ଦର୍ଶାଇଥିବା ଭଳି ଏଭଳି ଏକ ବ୍ୟବସ୍ଥାରେ ଅର୍ଥନୀତିରେ କାର୍ଯ୍ୟରତ ଅସଂଖ୍ୟ ଉତ୍ପାଦନକାରୀମାନଙ୍କର ଆକାର ଏପରି କ୍ଷୁଦ୍ର ହୋଇଥାଏ ଯେ ସେମାନଙ୍କ ମଧ୍ୟରୁ କେହି ଏକାକୀ ନିଜର ଉତ୍ପାଦନକୁ ସଂକୋଚନ କିମ୍ବା ସଂପ୍ରସାରଣ କରି ବଜାରକୁ ପ୍ରଭାବିତ କରିପାରି ନ ଥାଏ- ଅର୍ଥାତ୍ ଦ୍ରବ୍ୟ ଦର କିମ୍ବା ମଜୁରି ହାରକୁ ନିୟନ୍ତ୍ରିତ କରିପାରି ନ ଥାଏ। ସ୍ମିଥ୍ଙ୍କ ସମୟରେ ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ହୁଏତ ବ୍ରିଟେନ୍ରେ ଏଭଳି ଏକ ବିଶୁଦ୍ଧ ପ୍ରତିଯୋଗିତାମୂଳକ ପୁଞ୍ଜିବାଦୀ ବ୍ୟବସ୍ଥା କାର୍ଯ୍ୟ କରୁଥିଲା। କିନ୍ତୁ ଅାମେରିକା ଏକ ସ୍ବାଧୀନ ରାଷ୍ଟ୍ରରେ ପରିଣତ ହୋଇ (୧୭୭୬ରେ ସ୍ମିଥ୍ଙ୍କ ପୁସ୍ତକ ପ୍ରକାଶ ପାଇଥିଲା ଓ ଆମେରିକା ସ୍ବାଧୀନତା ଲାଭ କରିଥିଲା) ସେଇ ସ୍ମିଥ୍ ପ୍ରଦର୍ଶିତ ଅର୍ଥନୈତିକ ମାର୍ଗ ଅନୁସରଣ କରିଥିଲେ ହେଁ, ସେଠାରେ କ୍ରମେ ପୁଞ୍ଜିବାଦର ଚରିତ୍ରରେ ପରିବର୍ତ୍ତନ ଘଟି ବିଶାଳ ଶିଳ୍ପ ସାମ୍ରାଜ୍ୟର ମାଲିକ ‘ରବର୍ ବ୍ୟାରନ୍’ମାନଙ୍କର ଆବିର୍ଭାବ ଘଟିବାକୁ ଲାଗିଲା, େଯଉଁମାନେ ବଜାର ଦ୍ବାରା ନିୟନ୍ତ୍ରିତ ହେବା ପରିବର୍ତ୍ତେ ବଜାରକୁ ନିୟନ୍ତ୍ରଣ କରିବା ଆରମ୍ଭ କଲେ।
ଏହି ନୂତନ ରାଷ୍ଟ୍ରର ପରିବେଶ ପୁଞ୍ଜିବାଦର ଚରିତ୍ରରେ ଏଭଳି ରୂପାନ୍ତର ଘଟିବା ନିମିତ୍ତ ମଧ୍ୟ ବେଶ୍ ଅନୁକୂଳ ହେଲା। ଯେଉଁମାନେ ଇଂଲାଣ୍ଡ୍ର ପାରମ୍ପରିକ ଶ୍ରେଣୀବଦ୍ଧ ସମାଜକୁ ପରିତ୍ୟାଗ କରି ଆମେରିକାରେ ଆସି ବସତି ସ୍ଥାପନ କଲେ, ସେମାନେ ସମସ୍ତେ ବ୍ୟକ୍ତିର ଉଦ୍ଯୋଗ ଓ ସେଥିରୁ ସୃଷ୍ଟ ସଂପଦକୁ ତା’ର ମର୍ଯ୍ୟାଦାର ମାନଦଣ୍ଡ ରୂପେ ଗ୍ରହଣ କଲେ, ତା’ର ବଂଶ ବା ପରିବାରକୁ ନୁହେଁ। ତେଣୁ ଇଂଲାଣ୍ଡ୍ର ଜଣେ ପୁଞ୍ଜିପତି ସେଠାକାର ପରମ୍ପରା ଦ୍ବାରା ଶୃଙ୍ଖଳିତ ହୋଇଥିବା ବେଳେ ଆମେରିକାରେ ଜଣେ ସଂପଦ ସୃଷ୍ଟିକାରୀକୁ ସେଭଳି କୌଣସି ସଚେତକର ସମ୍ମୁଖୀନ ହେବାକୁ ପଡୁ ନ ଥିଲା। ଆଉ ଏହି ସଂପଦ ସୃଷ୍ଟି ନିମିତ୍ତ ସେ ଅବଲମ୍ବନ କରୁଥିବା ଉପାୟମାନ ମଧ୍ୟ ସଦାବେଳେ ନୈତିକତା ବା ଆଇନର ସୀମା ମଧ୍ୟରେ ଆବଦ୍ଧ ହୋଇ ରହୁ ନ ଥିଲେ। ଯୁଦ୍ଧ ଓ ପ୍ରେମରେ ଅବଲମ୍ବନ କରାଯାଉଥିବା ଯେ କୌଣସି ଉପାୟ ନ୍ୟାୟୋଚିତ ହୋଇଥିବା ଭଳି ବ୍ୟାବସାୟିକ ପ୍ରତିଯୋଗିତାରେ ଅନୁସୃତ ଯେ କୌଣସି ଉପାୟ ମଧ୍ୟ ଗ୍ରହଣୀୟ ବିବେଚିତ ହେଉଥିଲା। ସମସାମୟିକ ମହାନ ଅର୍ଥନୀତିଜ୍ଞ ଥର୍ଷ୍ଟାଇନ୍ ଭେବ୍ଲେନ୍ଙ୍କ ପୁସ୍ତକ ‘ଦି କ୍ୟାପ୍ଟେନ୍ ଅଫ୍ ଇଣ୍ଡଷ୍ଟ୍ରି’ରେ ଏହାର ରୋଚକ ବର୍ଣ୍ଣନା ଦେଖିବାକୁ ମିଳିଥାଏ। କର୍ନେଲିଅସ୍ ଭାଣ୍ଡର୍ବିଲ୍ଟଙ୍କୁ କେନ୍ଦ୍ର କରି ଏ ସଂପର୍କିତ ଏକ ସୁପରିଚିତ ଘଟଣା ସେ ସମୟର ମୂଲ୍ୟବୋଧ ହୃଦୟଙ୍ଗମ କରିବାରେ ସହାୟକ ହୋଇପାରେ। ତାଙ୍କର କେତେକ ସହଯୋଗୀ ତାଙ୍କର କ୍ଷତିସାଧନ ପାଇଁ ଉଦ୍ୟମ କରୁଥିବା ଜାଣିପାରି ଭାଣ୍ଡର୍ବିଲ୍ଟ ସେମାନଙ୍କୁ ଲେଖିଥିବା ପତ୍ର ଥିଲା: ‘‘ମହାଶୟମାନେ! ଆପଣମାନେ ମୋର କ୍ଷତି ଘଟାଇବା ପାଇଁ ଲାଗିଛନ୍ତି। ମୁଁ ଆପଣମାନଙ୍କ ବିରୁଦ୍ଧରେ ଅଦାଲତର ଦ୍ବାରସ୍ଥ ହେବିନାହିଁ, କାରଣ ଆଇନ ବହୁତ ଲମ୍ବା ସମୟ ନିଏ। ମୁଁ ଆପଣମାନଙ୍କୁ ଧ୍ବଂସ କରିଦେବି।’’
ଏହିଭଳି ମାନସିକତାସଂପନ୍ନ ଆମେରିକୀୟ ଶିଳ୍ପୋଦ୍ୟୋଗୀମାନଙ୍କୁ ପ୍ରଖ୍ୟାତ ସାମ୍ବାଦିକ ମାଥ୍ୟୁ ଜୋସେଫ୍ସନ୍ ‘ରବର୍ ବ୍ୟାରନ୍’ ରୂପେ ଅଭିହିତ କରିଥିଲେ। ଏମାନେ ବ୍ୟବସାୟରେ ସଫଳତା ଲାଭ ପାଇଁ ଅବଲମ୍ବନ କରୁଥିବା ଅନ୍ୟତମ କୌଶଳ ଥିଲା ଉତ୍କୋଚ ପ୍ରଦାନ ମାଧ୍ୟମରେ ଉଚ୍ଚ ସ୍ତରରେ ସରକାରୀ କଳକୁ ନିଜ ସପକ୍ଷରେ ନିୟନ୍ତ୍ରଣ କରିବା। ବିଂଶ ଶତାବ୍ଦୀରେ ଯେତେବେଳେ ଆମେରିକାର କଂପାନିମାନେ ପୃଥିବୀସାରା ସେମାନଙ୍କର ବ୍ୟବସାୟର ସଂପ୍ରସାରଣ ଘଟାଇବାରେ ଲାଗିଲେ ସେତେବେଳେ ସେମାନେ ବିଦେଶୀ ସରକାରମାନଙ୍କ ପ୍ରତି ମଧ୍ୟ ଏହି କୌଶଳ ପ୍ରୟୋଗ କରି ସେମାନଙ୍କୁ ଅନୁକୂଳ ଭାବରେ ପ୍ରଭାବିତ କରିବାକୁ ଚେଷ୍ଟା ଚଳାଇଲେ, ଯାହା ପ୍ରକାଶ ପାଇ ବେଳେବେଳେ କେଳେଙ୍କାରୀ ସୃଷ୍ଟି ହେଉଥିଲା।
୧୯୭୬ରେ ଏଇଭଳି ଯେଉଁ ଏକ କେଳେଙ୍କାରୀ ଆମେରିକା ଓ ଜାପାନରେ ଭୂମିକମ୍ପ ସୃଷ୍ଟି କରିଥିଲା, ତାହା ଥିଲା ଆମେରିକୀୟ ଉଡ଼ାଜାହାଜ ନିର୍ମାତା ‘ଲକ୍ହିଡ୍ ଏଆର୍କ୍ରାଫ୍ଟ କର୍ପୋରେସନ୍’ ଜାପାନରେ ତା’ର ଉଡ଼ାଜାହାଜ ବିକ୍ରୟ କରିବା ନିମିତ୍ତ ଜାପାନ ସରକାରଙ୍କର କେତେକ ଉଚ୍ଚପଦସ୍ଥ ଅଧିକାରୀମାନଙ୍କୁ ପ୍ରଦାନ କରିଥିବା ଲାଞ୍ଚକୁ କେନ୍ଦ୍ର କରି। ଆମୋଦଦାୟକ ଭାବେ ଲାଞ୍ଚ ରସିଦ୍ରେ ଲାଞ୍ଚ ସ୍ଥାନରେ ବ୍ୟବହାର କରାଯାଇଥିବା ସାଂକେତିକ ଶବ୍ଦ ଥିଲା- ‘ପିନଟ୍ସ’ (ସେତେବେଳର ସେଇ ମାତ୍ର ୨ ନିୟୁତ ଡଲାର୍ ଲାଞ୍ଚ ରାଶି ଆଜି ଅଦାନୀଙ୍କ ବିରୋଧରେ ଅଭିଯୋଗ ହୋଇଥିବା ୨୬୫ ନିୟୁତ ଡଲାର୍ ଲାଞ୍ଚ ତୁଳନାରେ ‘ପିନଟ୍ସ’ ପରି ହିଁ ମନେ ହୋଇଥାଏ)। ଏହାର ପ୍ରତିକ୍ରିୟା ସ୍ବରୂପ ୧୯୭୭ରେ ରାଷ୍ଟ୍ରପତି ଜିମି କାର୍ଟର୍ଙ୍କ ସମୟରେ ବିଦେଶରେ ଲାଞ୍ଚ କାରବାରକୁ ଅବୈଧ କରିବା ଉଦ୍ଦେଶ୍ୟରେ ଆମେରିକାରେ ‘ଫରେନ୍ କରପ୍ଟ ପ୍ରାକ୍ଟିସେସ୍ ଆକ୍ଟ’ ଆଇନ ପ୍ରଣୀତ ହୋଇଥିଲା, ଯାହା ଅନୁସାରେ ବର୍ତ୍ତମାନ ଗୌତମ ଅଦାନୀଙ୍କ ବିରୁଦ୍ଧରେ ‘ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ କମିସନ୍’ ଉପରୋକ୍ତ ପଦକ୍ଷେପ ଗ୍ରହଣ କରିଛି। ସେଇ ଅଭିଯୋଗର ଅସଲ ତାତ୍ପର୍ଯ୍ୟ ହେଲା ଏହା ଯେ ଅଦାନୀ ଆମେରିକୀୟ ନିବେଶକମାନଙ୍କ ଠାରୁ ସଂଗ୍ରହ କରିଥିବା ଅର୍ଥକୁ ଭାରତରେ ସରକାରୀ ଅଧିକାରୀମାନଙ୍କୁ ଲାଞ୍ଚ ଦେବାରେ ନିୟୋଜିତ କରିଛନ୍ତି। ଆମେରିକୀୟ କର୍ତ୍ତୃପକ୍ଷ ପ୍ରକୃତ ଲାଞ୍ଚ ଆଦାନପ୍ରଦାନର କୌଣସି ପ୍ରମାଣ ପ୍ରଦାନ କରି ନ ଥିଲେ ହେଁ ଏହା ଏକ ସରକାରୀ ଅଭିଯୋଗ ହୋଇଥିବାରୁ ଏଥିପୂର୍ବର ଭିତ୍ତିହୀନ ସାବ୍ୟସ୍ତ ହୋଇଥିବା ହିଣ୍ଡେନ୍ବର୍ଗ ଅଭିଯୋଗ ଅପେକ୍ଷା ଅଦାନୀଙ୍କ ପାଇଁ ଏହା ଅଧିକ କ୍ଷତିକାରକ ସାବ୍ୟସ୍ତ ହୋଇପାରେ।
ତେବେ ଏଭଳି ଅଭିଯୋଗମାନ ଅଦାନୀଙ୍କୁ ଜଣେ ‘ରବର୍ ବ୍ୟାରନ୍’ ରୂପେ ପ୍ରଦର୍ଶିତ କରୁଥିଲେ ହେଁ ଏହା ମଧ୍ୟ ସ୍ବୀକାର କରିବାକୁ ହେବ ଯେ ଆମେରିକାର ଉପରୋକ୍ତ ‘ରବର୍ ବ୍ୟାରନ୍’ମାନଙ୍କ ପରି ଅଦାନୀ ମଧ୍ୟ ହେଉଛନ୍ତି ଏଠାରେ ଜଣେ ବିରଳ ଶିଳ୍ପୋଦ୍ୟୋଗୀ ଯିଏ ଦେଶରେ ବନ୍ଦରରୁ ଶକ୍ତି ଉତ୍ପାଦନ ପର୍ଯ୍ୟନ୍ତ ଭିତ୍ତିଭୂମି ନିର୍ମାଣରେ ପୁଞ୍ଜି ନିବେଶ କରି ଭାରତର ଅର୍ଥନୀତିର ମେରୁଦଣ୍ଡକୁ ମଜଭୁତ କରିବାରେ ପ୍ରବୃତ୍ତ ଅଛନ୍ତି। ବର୍ତ୍ତମାନର ବିବାଦ ଅଦାନୀଙ୍କର ସେଇ ଉଦ୍ୟମକୁ ଦୁର୍ବଳ କରିବା ନିଶ୍ଚିତ, କାରଣ ଏହା ପରେ ବିଦେଶରୁ ପୁଞ୍ଜି ସଂଗ୍ରହ କରିବା ତାଙ୍କ ପାଇଁ କଷ୍ଟକର ହୋଇପାରେ। ଆମେରିକାରେ ବାଇଡେନ୍ ପ୍ରଶାସନର କାର୍ଯ୍ୟକାଳ ଅନ୍ତ ହେବା ପୂର୍ବରୁ ସେଠାରେ ସକ୍ରିୟ ଥିବା ଭାରତ-ବିରୋଧୀ ଶକ୍ତିମାନଙ୍କର ଭାରତର ଅର୍ଥନୈତିକ ମେରୁଦଣ୍ଡକୁ ଦୁର୍ବଳ କରିବା ଉଦ୍ଦେଶ୍ୟର ଏହା ଏକ ସୁଚିନ୍ତିତ ପଦକ୍ଷେପ ନୁହେଁ ତ?