ତାଙ୍କ ସମୟରେ ଶକ୍ତିକାନ୍ତଙ୍କୁ ଜଣେ ବାଉଁଶରାଣୀ ପରି ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ସହିତ ଅଭିବୃଦ୍ଧିକୁ ସହାୟକ ହେବା ପାଇଁ ସନ୍ତୁଳନ ରକ୍ଷା କରି ସନ୍ତର୍ପଣରେ ଅଗ୍ରସର ହେବାକୁ ପଡ଼ିଛି। ସେ ନିୟମିତ ଭାବରେ ଏଥିରେ ଅସାମାନ୍ୟ ନିପୁଣତା ପ୍ରଦର୍ଶନ କରି ଚାଲିଥିବାରୁ ମର୍ଯ୍ୟାଦାଜନକ ଆନ୍ତର୍ଜାତିକ ପତ୍ରିକା ‘ଗ୍ଲୋବାଲ୍ ଫାଇନାନ୍ସ’ ଦ୍ବାରା ଲାଗାତାର ଦୁଇ ବର୍ଷ ଧରି ପୃଥିବୀର ସର୍ବୋତ୍ତମ କେନ୍ଦ୍ରୀୟ ବ୍ୟାଙ୍କ୍ ମୁଖ୍ୟ ରୂପେ ସମ୍ମାନିତ ହୋଇଛନ୍ତି। କୁହାଯାଇପାରେ ଏକ ଜଟିଳ ପାଠକୁ ସହଜ କରିଥିବା ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି।
ଶକ୍ତିକାନ୍ତ ଦାସ ଦୁଇପାଳି ଧରି ଦୀର୍ଘ ଛ’ ବର୍ଷ କାଳ ଅତ୍ୟନ୍ତ କଠିନ ସମୟରେ ଅପୂର୍ବ ଦକ୍ଷତାର ସହିତ ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ସଫଳ ପରିଚାଳନା କଲା ପରେ ତା’ର ଗଭର୍ନର ପଦରୁ ବିଦାୟ ନେଇଛନ୍ତି। ଇତିହାସର ଛାତ୍ର ଶକ୍ତିକାନ୍ତଙ୍କ ଉପରେ ଯେତେବେଳେ ଏହି ଗୁରୁଦାୟିତ୍ବ ନ୍ୟସ୍ତ କରାଯାଇଥିଲା, ସେତେବେଳେ ଏହାକୁ ନିର୍ବାହ କରିବା ପାଇଁ ତାଙ୍କର ଯୋଗ୍ୟତା ନେଇ ବିଭିନ୍ନ ମହଲରେ ଘୋର ସନ୍ଦେହ ପ୍ରକାଶ ପାଇଥିଲା। ଏପରି ସନ୍ଦେହ ମଧ୍ୟ ସ୍ବାଭାବିକ ଥିଲା। କାରଣ ଏକ ଜଟିଳ ଶାସ୍ତ୍ର ରୂପେ କୁଖ୍ୟାତ ଅର୍ଥଶାସ୍ତ୍ର ସହିତ ପୂର୍ବ ପରିଚିତି ନ ଥାଇ ତାହାର ପ୍ରୟୋଗ ଭିତ୍ତିରେ କାର୍ଯ୍ୟ କରୁଥିବା ରିଜର୍ଭ ବ୍ୟାଙ୍କ୍ ପରି ପୃଥିବୀର ପଞ୍ଚମ ବୃହତ୍ତମ ଅର୍ଥନୀତିର କେନ୍ଦ୍ରୀୟ ବ୍ୟାଙ୍କ୍ର ପରିଚାଳନା ଏକ ଦୁରୁହ ବ୍ୟାପାର ହେବା କଥା, ବିଶେଷ କରି ଯେହେତୁ ଇତିହାସ ପରି ଅତୀତର ଅଧ୍ୟୟନ ସଂପର୍କିତ ଏକ ଶାସ୍ତ୍ରର ଅର୍ଥଶାସ୍ତ୍ର ଭଳି ଏକ ଗାଣିତିକ ଶାସ୍ତ୍ର ସହିତ କୌଣସି ସଂପର୍କ ନ ଥାଏ। କିନ୍ତୁ ଶକ୍ତିକାନ୍ତଙ୍କ ସଫଳତା ଦେଖିଲା ପରେ ମନେ ହୁଏ ମହାନ ଦାର୍ଶନିକ ବଟ୍ରାଣ୍ଡ୍ ରସେଲ୍ଙ୍କ ଭଳି ତାଙ୍କୁ ବୋଧହୁଏ ଛାତ୍ରାବସ୍ଥାରେ ଅର୍ଥଶାସ୍ତ୍ର ଅତ୍ୟନ୍ତ ସହଜ ମନେ ହେବା ଯୋଗୁଁ ସେ ତାହା ଅଧ୍ୟୟନ ନ କରି ଅନ୍ୟ ଏକ ଶାସ୍ତ୍ର ଅଧ୍ୟୟନ କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ରସେଲ୍ଙ୍କ ପାଇଁ ଥିଲା ଦର୍ଶନଶାସ୍ତ୍ର, ଶକ୍ତିକାନ୍ତଙ୍କ ପାଇଁ ଥିଲା ଇତିହାସ।
କଥାଟି ହେଉଛି ଏଇଭଳି। ଜନ୍ ମେନାର୍ଡ କେନ୍ସ ପୃଥିବୀର ସର୍ବକାଳୀନ ସର୍ବଶ୍ରେଷ୍ଠ ଅର୍ଥନୀତିଜ୍ଞମାନଙ୍କ ମଧ୍ୟରୁ ଅନ୍ୟତମ ରୂପେ ବିବେଚିତ ହୋଇଥାନ୍ତି। ୧୯୧୩ରେ ପ୍ରକାଶିତ ତାଙ୍କର ଚମକ ସୃଷ୍ଟିକାରୀ ପ୍ରଥମ ପୁସ୍ତକ ‘ଇଣ୍ଡିଆନ୍ କରେନ୍ସି ଆଣ୍ଡ୍ ଫାଇନାନ୍ସ’ (ଏଥିରେ ସେ ଭାରତ ପାଇଁ ଏକ କେନ୍ଦ୍ରୀୟ ବ୍ୟାଙ୍କ୍ ପ୍ରତିଷ୍ଠାର ଆବଶ୍ୟକତାର ପ୍ରଥମ ବୌଦ୍ଧିକ ବୀଜ ବପନ କରିଥିଲେ, ଯାହା ୧୯୩୫ରେ ‘ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ’ ରୂେପ ଆବିର୍ଭୂତ ହେଲା) ତାଙ୍କ ଖ୍ୟାତିର ମୂଳଦୁଆ ପକାଇବା ପରେ ‘ଦି ଇକୋନମିକ୍ କନ୍ସିକ୍ବେନ୍ସେସ୍ ଅଫ୍ ଦି ପିସ୍’, ‘ଟ୍ରିଟିଜ୍ ଅନ୍ ପ୍ରବେବିଲିଟି’ ଆଦି ରଚନାମାନ ପ୍ରକାଶ ପାଇ ତାଙ୍କୁ କେବଳ ବ୍ରିଟେନ୍ ନୁହେଁ, ସାରା ପୃଥିବୀର ପ୍ରସିଦ୍ଧତମ ଅର୍ଥନୀତିଜ୍ଞରେ ପରିଣତ କରିଥାଏ।
ଏଇ ସମୟରେ ଥରେ ପଦାର୍ଥ ବିଜ୍ଞାନର ଜଟିଳତମ ତଥା ରହସ୍ୟମୟ ଶାଖା ‘କ୍ବାଣ୍ଟମ୍ ମେକାନିକ୍ସ’ର ଆବିଷ୍କର୍ତ୍ତା ବିଚକ୍ଷଣ ଜର୍ମାନ ଗଣିତଜ୍ଞ ମାକ୍ସ ପ୍ଲାଙ୍କ୍ କେନ୍ସଙ୍କ ସହିତ ରାତ୍ରି ଭୋଜନରେ ମିଳିତ ହେବା ଅବସରରେ କେନ୍ସଙ୍କୁ କହିଲେ ଯେ ସେ (ପ୍ଲାଙ୍କ୍) ମଧ୍ୟ ପ୍ରଥମେ ଅର୍ଥଶାସ୍ତ୍ର ଅଧ୍ୟୟନ କରିବାକୁ ଚିନ୍ତା କରୁଥିଲେ; କିନ୍ତୁ ଏହା ତାଙ୍କୁ ଏତେ ଅତ୍ୟଧିକ କଠିନ ଲାଗିଲା ଯେ ସେ ସେହି ଚିନ୍ତା ପରିହାର କରି ପଦାର୍ଥ ବିଜ୍ଞାନ ଆଡ଼େ ମୁହଁାଇଲେ। କେନ୍ସ ପରେ କେଂବ୍ରିଜ୍ରେ ତାଙ୍କର ଜଣେ ବନ୍ଧୁଙ୍କ ଆଗରେ ଯେତେବେଳେ ସଗର୍ବରେ ପ୍ଲାଙ୍କ୍ଙ୍କର ଏହି ମନ୍ତବ୍ୟ ବର୍ଣ୍ଣନା କଲେ, ବନ୍ଧୁ ଜଣକ ବିସ୍ମିତ ହୋଇ ତାଙ୍କୁ ରସେଲ୍ଙ୍କ କଥା କହିଲେ। ରସେଲ୍ କେନ୍ସଙ୍କ ବନ୍ଧୁଙ୍କୁ ଥରେ କହିଥିଲେ ଯେ ସେ ପ୍ରଥମେ ଅର୍ଥଶାସ୍ତ୍ର ପାଇଁ ମନ ବଳାଇଥିଲେ, କିନ୍ତୁ ତାହା ଅତିରିକ୍ତ ସହଜ ଲାଗିବାରୁ ଦର୍ଶନଶାସ୍ତ୍ର ପସନ୍ଦ କଲେ। କୁହାଯାଇପାରେ ଯେ ଶକ୍ତିକାନ୍ତ ବର୍ତ୍ତମାନ ବଟ୍ରାଣ୍ଡ୍ ରସେଲ୍ଙ୍କୁ ସତ୍ୟ ସାବ୍ୟସ୍ତ କଲାଭଳି ପ୍ରମାଣ କରିଦେଇଛନ୍ତି ଯେ ଅର୍ଥଶାସ୍ତ୍ର ହେଉଛି ଏକ ସହଜ ପାଠ।
କିନ୍ତୁ ସତ କଥା ହେଲା, କ୍ରିକେଟ୍ରେ ଯେମିତି ଏକନାଥ ସୋଲ୍କାର କିମ୍ବା ଜଣ୍ଟି ରୋଡ୍ସଙ୍କ ପରି କିଂବଦନ୍ତି ପାଲଟିଥିବା ବିଚକ୍ଷଣ ଫିଲ୍ଡର୍ମାନେ ଅତ୍ୟନ୍ତ କଠିନ କ୍ୟାଚ୍କୁ ଏମିତି ଅନାୟାସରେ ଧରି ନେଇଥାନ୍ତି ଯେ ତାହା ଦର୍ଶକମାନଙ୍କୁ ସହଜ କ୍ୟାଚ୍ ଭଳି ମନେ ହୋଇଥାଏ, ଶକ୍ତିକାନ୍ତ ସେଇଭଳି ଏକ ଅତ୍ୟନ୍ତ ଜଟିଳ ଅର୍ଥନୈତିକ ଦାୟିତ୍ବକୁ ଏପରି ସାବଲୀଳ ଭାବରେ ସମ୍ଭାଳି ନେଇଥିଲେ ଯେ ପର୍ଯ୍ୟବେକ୍ଷକମାନଙ୍କୁ ତାହା ଅତ୍ୟନ୍ତ ସହଜ ଭଳି ପ୍ରତୀୟମାନ ହୋଇଛି। ମନେ ରଖିବା କଥା ତାଙ୍କର ଛ’ ବର୍ଷର ଦାୟିତ୍ବ କାଳ ମଧ୍ୟରୁ ପୂରା ଦୁଇ ବର୍ଷ ଧରି କୋଭିଡ୍-୧୯ ପାଣ୍ଡେମିକ୍ ପ୍ରଭାବରେ ଦେଶରେ ସମସ୍ତ ପ୍ରକାର ଅର୍ଥନୈତିକ କାର୍ଯ୍ୟକଳାପ ସଂପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଥିଲା କହିଲେ ଚଳେ। କିନ୍ତୁ ଏହାସତ୍ତ୍ବେ ଶକ୍ତିକାନ୍ତଙ୍କ କାର୍ଯ୍ୟକାଳର ଶେଷ ତିନି ବର୍ଷରେ ଅର୍ଥନୀତି ଲଗାତାର ବାର୍ଷିକ ୭ ଶତାଂଶରୁ ଅଧିକ ହାରରେ ଅଭିବୃଦ୍ଧି ହାସଲ କରିବାରେ ସଫଳ ହୋଇ ଭାରତକୁ ପୃଥିବୀର ଦ୍ରୁତତମ ବର୍ଦ୍ଧିଷ୍ଣୁ ବୃହତ ଅର୍ଥନୀତିରେ ପରିଣତ କରିଛି।
ଏହି କୋଭିଡ୍-୧୯ ପାଣ୍ଡେମିକ୍ ସମୟରେ ଅର୍ଥନୀତି ଯେତେବେଳେ ଗୁରୁତର ଅର୍ଥାଭାବ (‘ଲିକ୍ବିଡିଟି’ ଅଭାବ)ର ସମ୍ମୁଖୀନ ହୋଇଥିଲା, ଶକ୍ତିକାନ୍ତ ସେତେବେଳେ ଉଲ୍ଲେଖନୀୟ ବିଜ୍ଞତା ପ୍ରଦର୍ଶନ କରି ବ୍ୟାଙ୍କ୍, ମ୍ୟୁଚୁଆଲ୍ ଫଣ୍ଡ୍ ଓ ବଜାରକୁ ମୁକ୍ତ ହସ୍ତରେ ଲିକ୍ବିଡିଟି ଯୋଗାଇ ଦେଇଥିଲେ। ନିରାପତ୍ତା ଦୃଷ୍ଟିରୁ ଏହାକୁ ସେ ନିଶାଣ-ଭିତ୍ତିକ ତଥା ସମୟ-ନିର୍ଦ୍ଦିଷ୍ଟ କରିଥିଲେ। ମୁଦ୍ରାସ୍ଫୀତି ପରିଚାଳନା ଅବଶ୍ୟ ତାଙ୍କ ପାଇଁ ସହଜ ନ ଥିଲା। ନିୟମାନୁଯାୟୀ ରିଜର୍ଭ ବ୍ୟାଙ୍କ୍ ମୁଦ୍ରାସ୍ଫୀତି ହାରକୁ ୪ ଶତାଂଶରେ ସ୍ଥିର ରଖିବାକୁ ବାଧ୍ୟ ହୋଇଥିବା ବେଳେ ଲଗାତାର ୯ ମାସ ପାଇଁ ଏଥିରେ ୨ ଶତାଂଶ ହ୍ରାସ ବୃଦ୍ଧି ସହ୍ୟ କରାଯାଇପାରେ। ଯେେତବେଳେ ଲଗାତାର ୯ ମାସ ଧରି ମୁଦ୍ରାସ୍ଫୀତି ହାର ୬ ଶତାଂଶରୁ ଅଧିକ ହୋଇ ରହିଲା, ଶକ୍ତିକାନ୍ତ ସେତେବେଳେ ଚତୁରତାର ସହିତ କୋଭିଡ୍ଜନିତ ଦେଶବ୍ୟାପୀ ‘ଲକ୍ଡାଉନ୍’ ଲାଗୁ ହୋଇଥିବା ବେଳେ ଯେଉଁ ପରିସଂଖ୍ୟାନ ସଂଗ୍ରହ କରାଯାଇ ମୁଦ୍ରାସ୍ଫୀତି ହାର ନିର୍ଣ୍ଣୟ କରାଯାଇଥିଲା, ତାହାର ବିଶ୍ବସନୀୟତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଲେ। ରିଜର୍ଭ ବ୍ୟାଙ୍କ୍ ଏକ ଆସନ୍ନ ସଂକଟରୁ ରକ୍ଷା ପାଇଗଲା।
କୋଭିଡ୍-ଆହତ ଅର୍ଥନୀତିକୁ ସହାୟକ ହେବା ନିମିତ୍ତ ଶକ୍ତିକାନ୍ତ ୨୦୨୦ରେ ‘ରେପୋ ରେଟ୍’ରେ ଏକ ଅଭୂତପୂର୍ବ ହ୍ରାସ ଘଟାଇ ତାହାକୁ ୪ ଶତାଂଶ ସ୍ତରକୁ ନେଇଆସିଥିଲେ। ‘ଲିକ୍ବିଡିଟି’ ପୂରଣ ସହିତ ମିଶି ସେ ସମୟରେ ଏହା ଭାରତୀୟ ଅର୍ଥନୀତିକୁ ପାଣ୍ଡେମିକ୍ ଧକ୍କା ସମ୍ଭାଳି ନେବାରେ ସହାୟକ ହୋଇଥିଲା। ତାଙ୍କ ସମୟରେ ଦେଖାଦେଇଥିବା କେତେକ ବଡ଼ ବଡ଼ ବ୍ୟାଙ୍କ୍ ସଂକଟ ସମାଧାନ କରିବାରେ ଶକ୍ତିକାନ୍ତ ପ୍ରଶଂସନୀୟ ନିପୁଣତା ପ୍ରଦର୍ଶନ କରିଥିଲେ। ଏଥିରେ ଅନ୍ତର୍ଭୁକ୍ତ ଥିଲେ ୟେସ୍ ବ୍ୟାଙ୍କ୍, ପଞ୍ଜାବ ଆଣ୍ଡ୍ ମହାରାଷ୍ଟ୍ର କୋଅପୋରିଟିଭ୍ ବ୍ୟାଙ୍କ୍, ବ୍ୟାଙ୍କ୍ ଅଫ୍ ବରୋଦା, କୋଟାକ୍ ବ୍ୟାଙ୍କ୍ମାନଙ୍କ ଭଳି ଛାମୁଆ ଅନୁଷ୍ଠାନମାନ। ସେ ଏମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛଘୁଞ୍ଚା ନ ଦେଇ ଆବଶ୍ୟକ ପଦକ୍ଷେପମାନ ନେବାରୁ କେବଳ ସଂକଟ ଟଳି ଯାଇଥିଲା, ତାହା ନୁହେଁ, ବୃହତ୍ତର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଏହି ସଂକଟଜନିତ ସଂକ୍ରମଣରୁ ମଧ୍ୟ ରକ୍ଷା ପାଇଯାଇଥିଲା।
ଭାରତର ବିତ୍ତୀୟ କ୍ଷେତ୍ରରେ ଏକ ଡିଜିଟାଲ୍ ବିପ୍ଳବର ଶକ୍ତିକାନ୍ତ ଥିଲେ ଜଣେ ପ୍ରମୁଖ ସମର୍ଥକ। ଦେଶରେ ଦେୟ ପୈଠ କ୍ଷେତ୍ରରେ ‘ୟୁପିଆଇ’ର ବ୍ୟବହାର ବର୍ତ୍ତମାନ ଯେଉଁ ବୈପ୍ଳବିକ ପରିବର୍ତ୍ତନ ଆଣିଛି ତାହା ଶକ୍ତିକାନ୍ତଙ୍କର ଅକୁଣ୍ଠ ପୃଷ୍ଠପୋଷକତା ଲାଭ କରିଛି। ସେ ‘ୟୁପିଆଇ’ ମାଧ୍ୟମରେ ଋଣ ପ୍ରଦାନ ପାଇଁ ମଧ୍ୟ ବ୍ୟବସ୍ଥା କରିଛନ୍ତି। ରିଜର୍ଭ ବ୍ୟାଙ୍କ୍ ଏକ ଡିଜିଟାଲ ମୁଦ୍ରା ସୃଷ୍ଟି କରିବା ପାଇଁ ମଧ୍ୟ ପଦକ୍ଷେପ ନେଇ ସେ ଏକ ସଂପୂର୍ଣ୍ଣ ଅଜଣା ପ୍ରାବିଧିକ ଇଲାକାରେ ପ୍ରବେଶ କରିବାକୁ ସାହସ କରିଛନ୍ତି।
ତାଙ୍କ ସମୟରେ ଶକ୍ତିକାନ୍ତଙ୍କୁ ଜଣେ ବାଉଁଶରାଣୀ ପରି ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ସହିତ ଅଭିବୃଦ୍ଧିକୁ ସହାୟକ ହେବା ପାଇଁ ସନ୍ତୁଳନ ରକ୍ଷା କରି ସନ୍ତର୍ପଣରେ ଅଗ୍ରସର ହେବାକୁ ପଡ଼ିଛି। ସେ ନିୟମିତ ଭାବରେ ଏଥିରେ ଅସାମାନ୍ୟ ନିପୁଣତା ପ୍ରଦର୍ଶନ କରି ଚାଲିଥିବାରୁ ମର୍ଯ୍ୟାଦାଜନକ ଆନ୍ତର୍ଜାତିକ ପତ୍ରିକା ‘ଗ୍ଲୋବାଲ୍ ଫାଇନାନ୍ସ’ ଦ୍ବାରା ଲାଗାତାର ଦୁଇ ବର୍ଷ ଧରି ପୃଥିବୀର ସର୍ବୋତ୍ତମ କେନ୍ଦ୍ରୀୟ ବ୍ୟାଙ୍କ୍ ମୁଖ୍ୟ ରୂପେ ସମ୍ମାନିତ ହୋଇଛନ୍ତି। କୁହାଯାଇପାରେ ଏକ ଜଟିଳ ପାଠକୁ ସହଜ କରିଥିବା ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ଆମେ ତାଙ୍କୁ ହାର୍ଦ୍ଦିକ ବିଦାୟ ଜଣାଇବା ସଙ୍ଗେ ସଙ୍ଗେ କାମନା କରୁଛୁ ଯେ ତାଙ୍କର ଅବସର ଦିନଗୁଡ଼ିକ ସହଜ ହେଉ।