ଗୋଲ୍‌ଡିନ୍‌ ତାଙ୍କର ‌ଗବେଷଣା ଦ୍ବାରା ସାବ୍ୟସ୍ତ କରିଛନ୍ତି ଯେ କେବଳ ଅର୍ଥନୈତିକ ବିକାଶ ହାସଲ କରିବା ଦ୍ବାରା ଏହି ଶୂନ୍ୟସ୍ଥାନ ପୂରଣ ହୋଇଯିବ ନାହିଁ। ବିଭିନ୍ନ ନିଯୁକ୍ତି କ୍ଷେତ୍ରରେ ମହିଳାମାନେ ଯେପରି କାର୍ଯ୍ୟ କରିବାକୁ ବିମୁଖ ହେବେ ନାହିଁ, ତାହା ନିଶ୍ଚିତ କରିବା ନିମିତ୍ତ ଆବଶ୍ୟକ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ହେବ- କୃୃଷି କ୍ଷେତ୍ରରୁ ଆରମ୍ଭ କରି ଖଣି, କାରଖାନା ଓ ସେବା ଯୋଗାଣ କ୍ଷେତ୍ର ପର୍ଯ୍ୟନ୍ତ।

Advertisment

ହାର୍ଭାଡ ବିଶ୍ବବିଦ୍ୟାଳୟର ଅର୍ଥଶାସ୍ତ୍ର ପ୍ରଫେସର୍ ୭୭ ବର୍ଷୀୟା କ୍ଲଡିଆ ଗୋଲ୍‌ଡିନ୍ ଚଳିତ ବର୍ଷର ଅର୍ଥନୀତି ନୋବେଲ୍ ପୁରସ୍କାର ଲାଭ କରିବାର ତାତ୍ପର୍ଯ୍ୟ ସହଜରେ ବୁଝିବା ପାଇଁ ଆମେ ପ୍ରାୟ ଦୁଇ ଦଶନ୍ଧି ପଛକୁ ଫେରିଯାଇ ୨୦୦୫ରେ ସେଇ ହାର୍ଭାଡ ବିଶ୍ବବିଦ୍ୟାଳୟରେ ଘଟିଥିବା ଏକ ଘଟଣା ଉପରେ ଦୃଷ୍ଟି ନିକ୍ଷେପ କରିବା ବେଶ୍ ଉପଯୋଗୀ ହେବ। ବିଜ୍ଞାନ ଓ ଇଂଜିନିଅରିଙ୍ଗ୍ କ୍ଷେତ୍ରର ଉପର ସ୍ତରରେ ମହିଳାମାନଙ୍କର ନଗଣ୍ୟ ଉପସ୍ଥିତି ସଂପର୍କରେ ‘ନେସନାଲ୍ ବ୍ୟୁରୋ ଫର୍ ଇକନୋମିକ୍ ରିସର୍ଚ୍ଚ’ ଦ୍ବାରା ଆୟୋଜିତ ଏକ ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ହାର୍ଭାଡ ବିଶ୍ବବିଦ୍ୟାଳୟର ତତ୍‌କାଳୀନ ପ୍ରେସିଡେଣ୍ଟ ତଥା ପ୍ରଖ୍ୟାତ ଅର୍ଥନୀତିଜ୍ଞ ଲରେନ୍‌ସ ସମର୍ସ ଯେଉଁ ମନ୍ତବ୍ୟ ପ୍ରଦାନ କରିଥିଲେ, ତାହା ଏପରି ଏକ ବିସ୍ଫୋରକ ରୂପ ନେଲା ଯେଉଁଥି ପାଇଁ ସମର୍ସଙ୍କୁ ହାର୍ଭାଡର ପ୍ରେସିଡେଣ୍ଟ (କୁଳପତି) ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା।
ସମର୍ସ ତାଙ୍କର ଭାଷଣରେ ଉପରୋକ୍ତ ଅବସ୍ଥା ପାଇଁ ତିନିଟି କାରଣକୁ ଚିହ୍ନଟ କରିଥିଲେ, ଯାହା କ୍ରମହ୍ରାସମାନ ଗୁରୁତ୍ବ ଅନୁସାରେ ହେଲେ: (୧) ନାରୀମାନେ ସନ୍ତାନ କାମନା କରିଥାନ୍ତି, ଯେଉଁ କାରଣରୁ ସେମାନେ ପୁରୁଷମାନଙ୍କ ସହିତ ପ୍ରତିଯୋଗିତା କରିବା ପାଇଁ ଆବଶ୍ୟକ ସପ୍ତାହକୁ ୮୦ ଘଣ୍ଟା ଅଧ୍ୟୟନ ଓ ଗବେଷଣାରେ ନିୟୋଜିତ କରିପାରି ନଥାନ୍ତି; (୨) ଅନ୍ତର୍ନିହିତ ମେଧାରେ ପ୍ରକୃତିଦତ୍ତ ପାର୍ଥକ୍ୟ ଯୋଗୁଁ ଏହି କଠିନ ଶାସ୍ତ୍ରମାନଙ୍କରେ ନାରୀମାନେ ପୁରୁଷଙ୍କର ସମକକ୍ଷ ହୋଇପାରି ନଥାନ୍ତି; (୩) ଏହି କ୍ଷେତ୍ରମାନଙ୍କରେ ଉପସ୍ଥିତ ବାଛ ବିଚାର ନାରୀମାନଙ୍କୁ ସ୍ନାତକ ସ୍ତର ଅତିକ୍ରମ କରିବାରୁ ନିରୁତ୍ସାହିତ କରିଥାଏ।
ପ୍ରଣିଧାନଯୋଗ୍ୟ ଯେ ଅର୍ଥଶାସ୍ତ୍ର କଳା ବିଭାଗର ଅନ୍ତର୍ଭୁକ୍ତ ହୋଇଥିଲେ ହେଁ ଲରେନ୍‌ସଙ୍କ ଭଳି ଅଧିକାଂଶ ପ୍ରଭାବଶାଳୀ ଅର୍ଥନୀତିଜ୍ଞମାନେ ଏହାକୁ ଏକ କଠିନ ବିଜ୍ଞାନ ରୂପେ ବିବେଚନା କରିଥାନ୍ତି। ସମର୍ସ ସୃଷ୍ଟି କରିଥିବା ସେଇ ବିସ୍ଫୋରକ ବିବାଦ ପରେ ଇତିମଧ୍ୟରେ ୧୮ ବର୍ଷ ବିତିଯାଇଛି, କିନ୍ତୁ ସେଠାରେ ଅର୍ଥଶାସ୍ତ୍ର କ୍ଷେତ୍ରରେ ବର୍ତ୍ତମାନ ଉପସ୍ଥିତ ଚିତ୍ର ହେଉଛି ଏଇଭଳି: ବିଧିବଦ୍ଧ ପ୍ରଫେସର୍ ବା ଫୁଲ୍ ପ୍ରଫେସର୍‌ମାନଙ୍କ ମଧ୍ୟରୁ ପ୍ରତି ଆଠ ଜଣରୁ ମାତ୍ର ଜଣେ ହେଉଛନ୍ତି ମହିଳା; ଆସିଷ୍ଟାଣ୍ଟ୍ ପ୍ରଫେସର୍‌ମାନଙ୍କ ମଧ୍ୟରୁ ପ୍ରତି ତିନି ଜଣରେ ଜଣେ ହେଉଛନ୍ତି ମହିଳା; ସ୍ନାତକ ସ୍ତରରେ ମଧ୍ୟ ପ୍ରତି ତିନି ଜଣରେ ଜଣେ ହେଉଛନ୍ତି ମହିଳା।
କ୍ଲଡିଆ ଗୋଲ୍‌ଡିନ୍ ୧୯୬୦ ଦଶକରେ ଯେତେବେଳେ ଅର୍ଥଶାସ୍ତ୍ର ଅଧ୍ୟୟନ ଓ ଗବେଷଣାରେ ରତ ଥିଲେ, ସେତେବେଳେ ଏଥିରେ ମହିଳାମାନଙ୍କ ଉପସ୍ଥିତି ଆହୁରି ନଗଣ୍ୟ ଥିଲା। ୧୯୭୨ରେ ଆମେରିକାରେ ଅର୍ଥଶାସ୍ତ୍ରରେ ଫୁଲ୍ ପ୍ରଫେସର୍‌ମାନଙ୍କ ମଧ୍ୟରୁ ମହିଳାଙ୍କର ଅନୁପାତ ଥିଲା ମାତ୍ର ୨ ଶତାଂଶରୁ ସାମାନ୍ୟ ଅଧିକ ଓ ନୂତନ ପିଏଚ୍‌ଡି ହାସଲକାରୀଙ୍କ ମଧ୍ୟରୁ ସେମାନଙ୍କର ଅନୁପାତ ଥିଲା ମାତ୍ର ୭ ଶତାଂଶ। ଏଇଥିରୁ ସହଜରେ ଅନୁମାନ କରିହେବ ସମର୍ସଙ୍କ ଯୁକ୍ତି ଠିକ୍ ହେଉ କିମ୍ବା ଭୁଲ୍ ହେଉ, କ୍ଲଡିଆ ଗୋଲ୍‌ଡିନ୍‌ଙ୍କୁ ତାଙ୍କର ‌ଗବେଷଣାରେ ଅଗ୍ରସର ହେବା ପାଇଁ କେଉଁଭଳି ଲିଙ୍ଗଗତ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିଥିବ। ଏଥିରେ ମଧ୍ୟ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ୧୯୬୯ରେ ପ୍ରଥମ କରି ଅର୍ଥଶାସ୍ତ୍ରରେ ନୋବେଲ୍ ପୁରସ୍କାର ପ୍ରଦାନ ଆରମ୍ଭ ହେବା ପରଠାରୁ ଏ ପର୍ଯ୍ୟନ୍ତ ମୋଟ ୯୩ ଜଣ ଅର୍ଥନୀତିଜ୍ଞଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲେ ହେଁ ଏହା ଲାଭ କରିବାରେ କ୍ଲଡିଆ ଗୋଲ୍‌ଡିନ୍ ହେଉଛନ୍ତି ମାତ୍ର ତୃତୀୟ ମହିଳା ଅର୍ଥନୀତିଜ୍ଞ ଓ ଏକାକୀ ଏହି ପୁରସ୍କାର ଲାଭ କରିବାରେ ସମର୍ଥ ହୋଇଥିବା ସର୍ବପ୍ରଥମ ମହିଳା ଅର୍ଥନୀତିଜ୍ଞ।
ଶ୍ରମ ବଜାରରେ ମହିଳାମାନଙ୍କର ସଫଳତା ସମ୍ବନ୍ଧରେ ତାଙ୍କର ଅନ୍ତର୍ଦୃଷ୍ଟିକୁ ସ୍ବୀକୃତି ପ୍ରଦାନ ସ୍ବରୂପ ଗୋଲ୍‌ଡିନ୍‌ଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ତାଙ୍କର ଯେଉଁ ଦୁଇଟି ଗବେଷଣାଲବ୍‌ଧ ସନ୍ଦର୍ଭ ଏହା ଉପରେ ଆଲୋକପାତ କରିଥାଏ, ତାହା ହେଲେ ‘‘ଦି ୱାର୍କ ଆଣ୍ଡ୍ ୱେଜେସ୍ ଅଫ୍ ସିଙ୍ଗଲ୍ ୱିମେନ୍, ୧୮୭୦ ଟୁ ୧୯୨୦’’ ଏବଂ ‘‘ଦି ଇକନୋମିକ୍ ଷ୍ଟାଟସ୍ ଅଫ୍ ୱିମେନ୍ ଇନ୍ ଦି ଅର୍ଲି ରିପବ୍ଲିକ୍’’। ଏହା ଜଣାଶୁଣା ଯେ ଶ୍ରମ ବଜାରରେ ଅଗ୍ରଗତି ବା ନିଜ ପାଇଁ କ୍ୟାରିଅର୍ ସୃଷ୍ଟି କରିବା ପଥରେ ମହିଳାମାନେ ଯେଉଁ ପ୍ରଧାନ ପ୍ରତିବନ୍ଧକର ସମ୍ମୁଖୀନ ହୋଇଥାନ୍ତି‌, ତାହା ହେଉଛି ସନ୍ତାନ ପ୍ରସବ ଓ ଲାଳନ ପାଳନ ବା ଗୋଟିଏ ଶବ୍ଦରେ କହିଲେ- ପରିବାର। ଗୋଲ୍‌ଡିନ୍‌ ୨୦୨୧ରେ ରଚନା କରିଥିବା ପୁସ୍ତକ ‘‘କ୍ୟାରିଅର୍ ଆଣ୍ଡ୍ ଫ୍ୟାମିଲି: ୱିମେନ୍‌’ସ ସେଞ୍ଚୁରି-ଲଙ୍ଗ୍ ଜର୍ନି ଟୁଆର୍ଡ ଇକ୍ବିଟି’’ ହେଉଛି କଲେଜ-ଶିକ୍ଷିତ ମହିଳାମାନଙ୍କର ଏହି ପ୍ରତିବନ୍ଧକ ସହିତ ଦୀର୍ଘ ସଂଘର୍ଷର ଏକ ଇତିହାସ ଯାହା ଏବେ ବି ସମାପ୍ତ ହୋଇ ନାହିଁ।
ଭାରତରୁ ଆମେରିକା ପର୍ଯ୍ୟନ୍ତ ଅଧିକାଂଶ ସଭ୍ୟ ଦେଶରେ ବାଳିକାମାନଙ୍କ ପାଇଁ ଶିକ୍ଷାରେ ପ୍ରଭୂତ ସମ୍ବଳ ବିନିଯୋଗ କରାଯାଉଛି। କିନ୍ତୁ ଦେଖାଯାଇଥାଏ ଏହି ଶିକ୍ଷିତା ମହିଳାମାନଙ୍କ ମଧ୍ୟରୁ ଅନେକ ଫଳପ୍ରଦ ଭାବରେ ଦେଶର ଶ୍ରମ ଶକ୍ତିରେ ଯୋଗ ଦେଇ ନଥାନ୍ତି। ସେମାନଙ୍କ ମଧ୍ୟରୁ କେତେକ ମଧ୍ୟ କ୍ୟାରିଅର୍ ମଝିରୁ ବାହାରି ଯିବାକୁ ବାଧ୍ୟ ହୋଇଥାନ୍ତି। ଅନେକ ବିଭିନ୍ନ ପ୍ରକାରର ବାଛ ବିଚାରର ସମ୍ମୁଖୀନ ହୋଇଥାନ୍ତି। ଏଥିଯୋଗୁଁ ଶ୍ରମ ବଜାରରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥାଏ ତାହାକୁ ଏକ ଲିଙ୍ଗ ଫାଙ୍କ ବା ‘ଜେଣ୍ଡର୍ ଗ୍ୟାପ୍’ ରୂପେ ବର୍ଣ୍ଣନା କରାଯାଇଥାଏ। ଗୋଲ୍‌ଡିନ୍‌ ତାଙ୍କର ‌ଗବେଷଣା ଦ୍ବାରା ସାବ୍ୟସ୍ତ କରିଛନ୍ତି ଯେ କେବଳ ଅର୍ଥନୈତିକ ବିକାଶ ହାସଲ କରିବା ଦ୍ବାରା ଏହି ଶୂନ୍ୟସ୍ଥାନ ପୂରଣ ହୋଇଯିବ ନାହିଁ। ବିଭିନ୍ନ ନିଯୁକ୍ତି କ୍ଷେତ୍ରରେ ମହିଳାମାନେ ଯେପରି କାର୍ଯ୍ୟ କରିବାକୁ ବିମୁଖ ହେବେ ନାହିଁ, ତାହା ନିଶ୍ଚିତ କରିବା ନିମିତ୍ତ ଆବଶ୍ୟକ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ହେବ- କୃୃଷି କ୍ଷେତ୍ରରୁ ଆରମ୍ଭ କରି ଖଣି, କାରଖାନା ଓ ସେବା ଯୋଗାଣ କ୍ଷେତ୍ର ପର୍ଯ୍ୟନ୍ତ।
କାର୍ଯ୍ୟ-ସମୟ ସୀମା ନିର୍ଦ୍ଧାରଣ ଓ ଅପେକ୍ଷାକୃତ ଦୀର୍ଘ ମାତୃତ୍ବ ଛୁଟି ବା ‘ମାଟର୍ନିଟି ଲିଭ୍’ ପ୍ରଦାନ ହେଉଛି ଏ ଦିଗରେ ସହାୟକ ହେଉଥିବା କେତୋଟି ଉଦାହରଣ। କାର୍ଯ୍ୟାଳୟରେ ଶିଶୁମାନଙ୍କର ଯତ୍ନ ନେବା ପାଇଁ ‘କ୍ରେସ୍’ ସ୍ଥାପନ ମଧ୍ୟ ହେଉଛି ଏଇଭଳି ଆଉ ଏକ ଉଦାହରଣ। ଏକ ଅପ୍ରତ୍ୟାଶିତ ଉଦ୍ଭାବନ ଭଳି ‌େକାଭିଡ୍ ପାଣ୍ଡେମିକ୍ ସମୟରେ ଏହି ‘ଜେଣ୍ଡର୍ ଗ୍ୟାପ୍’ ପୂରଣ କରିବାର ଯେଉଁ ଏକ ଫଳପ୍ରଦ ଉପାୟର ଆବିର୍ଭାବ ଘଟିଛି, ତାହା ହେଉଛି ‘ଘରେ ରହି କାମ’ ବା ‘ୱାର୍କ ଫ୍ରମ୍ ହୋମ୍’ ବ୍ୟବସ୍ଥା। କୋଭିଡ୍‌ ପରବର୍ତ୍ତୀ ସମୟରେ କଂପାନିମାନେ ଏହି ବ୍ୟବସ୍ଥା ପ୍ରତ୍ୟାହାର କରିବା ଆରମ୍ଭ କରିଥିଲେ ହେଁ ମହିଳା କର୍ମଚାରୀମାନଙ୍କ ପାଇଁ ଏହି ସୁବିଧାକୁ ସ୍ଥାୟୀ କରାଗଲେ ଅନେକ ମହିଳା ଅଧା କ୍ୟାରିଅର୍‌ରୁ ନିଯୁକ୍ତି ତ୍ୟାଗ କରିବାକୁ ବାଧ୍ୟ ହୁଅନ୍ତେ ନାହିଁ।
ଏଇଭଳି ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଶ୍ରମ ବଜାରରେ ଯଦି ଅଧିକରୁ ଅଧିକ ମହିଳାଙ୍କର ଅଂଶଗ୍ରହଣ ନିଶ୍ଚିତ କରାଯାଆନ୍ତା, ତା’ହେଲେ କେବଳ ଯେ ତାହା ସମାଜରେ ଓ ଅର୍ଥନୀତିରେ ଲିଙ୍ଗଗତ ସାମ୍ୟ ପ୍ରତିଷ୍ଠାରେ ସହାୟକ ହୁଅନ୍ତା, ତାହା ନୁହେଁ, ଦେଶର ମାନବ ସମ୍ବଳର ମଧ୍ୟ ପୂର୍ଣ୍ଣ ବିନିଯୋଗ ସମ୍ଭବ ହୁଅନ୍ତା। ଏହା ହିଁ ହେଉଛି ଗୋଲ୍‌ଡିନ୍‌ଙ୍କ ନୋବେଲ୍‌ର ଆହ୍ବାନ।