ସଂପ୍ରତି ଯେଉଁ ‘ବ୍ୟାଖ୍ୟାନ ଯୁଦ୍ଧ’ ବିଷୟରେ କୁହାଯାଉଛି, ତହିଁରେ ଅତିଶୟୋକ୍ତି, ଅପସତ୍ୟ, ଅର୍ଧ-ସତ୍ୟ, ଏପରିକି ତୁଚ୍ଛା ଗାଲୁ ଗଳ୍ପମାନ ମଧ୍ୟ ସ୍ଥାନ ପାଇପାରେ, ଯାହା ସୃଷ୍ଟି କରିବାରେ ଜେନେରାଲ ଚୌହାନଙ୍କ ଭଳି ସୁଦକ୍ଷ ସୈନିକମାନେ ସର୍ବଦା ବିଫଳ ହୁଅ‌େନ୍ତ; କାରଣ ପ୍ରକୃତ ସୈନିକମା‌େନ କେବଳ ସତ୍ୟ ଆଡ଼କୁ ହିଁ ଇଙ୍ଗିତ କରିବାର ସାହସ ପ୍ରଦର୍ଶନ କରନ୍ତି। ତେଣୁ ଜେନେରାଲ ଚୌହାନ ସମାଲୋଚନାରୁ ଊର୍ଦ୍ଧ୍ବରେ।

Advertisment

ସପ୍ତାହକ ତଳେ ସିଙ୍ଗାପୁରରେ ଆୟୋଜିତ ‘ସାଂଗ୍ରି-ଲା ଡାଇଲଗ’ରେ ଅଂଶ ଗ୍ରହଣ କରିଥିବା ଭାରତର ‘ସିଡିଏସ୍‌’(ଚିଫ ଅଫ ଡିଫେନ୍‌ସ ଷ୍ଟାଫ) ଅନୀଲ ଚୌହାନଙ୍କ ଦ୍ବାରା ‘ବ୍ଲୁମବର୍ଗ’ ନାମକ ଏକ ବିଦେଶୀ ଗଣମାଧ୍ୟମକୁ ପ୍ରଦତ୍ତ ଏକ ସାକ୍ଷାତ୍‌କାର ଆମ ଦେଶରେ ତୁମୂଳ ବିବାଦର ଝଡ଼ ସୃଷ୍ଟି କରିଛି, କାରଣ କଂଗ୍ରେସ ସମେତ କେତେକ ବିରୋଧୀ ରାଜନୈତିକ ଦଳଙ୍କ ମତରେ ‘ଅପରେସନ ସିନ୍ଦୂର’ ଅନ୍ତର୍ଗତ ସାମରିକ କାର୍ଯ୍ୟାନୁଷ୍ଠାନ ବେଳେ ଭାରତ ତା’ର କେତେକ ଯୁଦ୍ଧ ବିମାନ ହରାଇଛି ବୋଲି ‘ସିଡିଏସ’ଙ୍କ ମନ୍ତବ୍ୟରୁ ଏବେ ସ୍ପଷ୍ଟ ହେଉଥିଲେ ହେଁ ସରକାର ଏହାକୁ ଗୋପନୀୟ ରଖିଛନ୍ତି। କେବଳ ସେତିକି ନୁହେଁ, ଏହି ସଂଦର୍ଭ‌େର ଏକ ବିଶଦ ଆଲୋଚନା ସକାଶେ ସେମାନେ ଏକ ସ୍ବତନ୍ତ୍ର ସଂସଦୀୟ ଅଧିବେଶନ ଲାଗି ଦାବି କରିଛନ୍ତି, ଯାହାକୁ ଅବଶ୍ୟ ସରକାର ଅଗ୍ରାହ୍ୟ କରି ଦେଇଛନ୍ତି। ପ୍ରକାଶ ଥାଉ କି ‘ଅପରେସନ ସିନ୍ଦୂର’ର ପ୍ରଥମ ଦିନରୁ ହିଁ ପାକିସ୍ତାନ ପକ୍ଷରୁ ସଫଳତାର ଯେଉଁ ଉଚ୍ଚାଟ ସୃଷ୍ଟି କରାଯାଇଥିଲା, ତାହାକୁ ଆଧାର କରି ପାଶ୍ଚାତ୍ୟ ଗଣମାଧ୍ୟମଗୁଡ଼ିକ ନିର୍ଦ୍ଦିଷ୍ଟ ଭାବେ ‘ରାଫେଲ ଫାଇଟର ଜେଟ୍‌’ ଏବଂ ସଂଖ୍ୟା ଅନୁସାରେ ‘ଛଅ’ ବୋଲି ସାରା ପୃଥିବୀକୁ ଜଣାଇବାରେ ସାମନ୍ୟତମ ହେଳା ବା କୁଣ୍ଠା ପ୍ରଦର୍ଶନ କରି ନ ଥିଲେ। ସୁତରାଂ, ଜେନେରାଲ ଚୌହାନଙ୍କ ମନ୍ତବ୍ୟ ପାକିସ୍ତାନୀ ବ୍ୟାଖ୍ୟାନକୁ ସାବ୍ୟସ୍ତ କରିଥାଏ ବୋଲି ଗୋଟିଏ ପକ୍ଷ କହୁଥିବା ବେଳେ ଏଭଳି ଏକ ସ୍ପର୍ଶକାତର ସଂଦର୍ଭରେ ତର୍କ-ବିତର୍କ ଏବଂ ବ୍ୟାଖ୍ୟାନ ସୃଷ୍ଟିର ଘନଘଟା ଭିତରେ ବସ୍ତୁନିଷ୍ଠ ଆଲୋଚନା କିଭଳି ପଥଭ୍ରଷ୍ଟ ହୋଇଥାଏ ଏବଂ ଯଥାର୍ଥତା ଉପରୁ ଆଲୋକ ଅପସରି ଯାଇଥାଏ, ତାହାର ଏକ ଉଦାହରଣ ମଧ୍ୟ ଦେଖିବାକୁ ମିଳିଛି; ଯାହାକୁ ନେଇ ଏଠାରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ। 
ପ୍ରକାଶ ଥାଉ କି ଜେନେରାଲ ‌େଚୗହାନଙ୍କ ସାକ୍ଷାତ୍‌କାର(ଯାହା ସାମାଜିକ ଗଣମାଧ୍ୟମରେ ଉପଲବ୍‌ଧ)ରେ ଭାରତୀୟ ବିମାନବାହିନୀ ତା’ର କିଛି ଯୁଦ୍ଧ ବିମାନ ହରାଇଥିବା ନେଇ କୌଣସି ସ୍ପଷ୍ଟ ସ୍ବୀକାରୋକ୍ତି ନାହିଁ; ତୀବ୍ର ଅନୁସନ୍ଧିତ୍ସୁ ସାମ୍ବାଦିକାଙ୍କ ପ୍ରଶ୍ନର ଉତ୍ତରରେ ସେ ଯାହା କହିଛନ୍ତି, ତାହା ହେଲା ବିମାନ ହରାଇଥିବା ଭଳି ବିଷୟ ତୁଳନାରେ ଅଧିକ ମହତ୍ତ୍ବପୂର୍ଣ୍ଣ ବିଷୟ ହେଲା ପ୍ରାରମ୍ଭିକ ସ୍ତରର ତ୍ରୁଟିରୁ ଶିକ୍ଷା ଲାଭ କରି ଖୁବ୍‌ ଶୀଘ୍ର ପୁନର୍ବାର କାର୍ଯ୍ୟକ୍ଷମ ହେବା ଏବଂ ଏ ନେଇ ତାଙ୍କ ସ୍ପଷ୍ଟ ବକ୍ତବ୍ୟ ଥିଲା, ‘ପର ଦିନ ସମସ୍ତ ବିମାନ ପୁଣି ଆକାଶମାର୍ଗୀ ହେଲେ ଓ ସଫଳତାର ସହିତ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରହାର କଲେ।’ ତେବେ ଏଭଳି ଏକ ଉତ୍ତର ପ୍ରତ୍ୟାଶିତ ନ ଥିବାରୁ ଗୋଟାଏ ‘ସ୍କୁପ୍‌’ କରିବାକୁ ଚାହୁଁଥିବା ସାମ୍ବାଦିକା ଯେତେବେଳେ ବିମାନ ଖସାଇ ଦେଇଥିବା ଘେନି ପାକିସ୍ତାନୀ ଦାବିର ସତ୍ୟତା ସଂପର୍କରେ ନିଦ୍ଦିଷ୍ଟ ଭାବେ ଆଗ୍ରହୀ ହୋଇଥିଲେ, ସେତିକି ବେଳେ ଜେନେରାଲ ଚୌହାନଙ୍କ ସ୍ପଷ୍ଟ ଓ ସଂକ୍ଷିପ୍ତ ଉତ୍ତର ଥିଲା ‘ସଂପୂର୍ଣ୍ଣ ଅସତ୍ୟ!’ ତେବେ, ଆମ ଦେଶରେ ସୃଷ୍ଟ ବିବାଦର କାରଣ ହେଲା ଭାରତର ଯୁଦ୍ଧ ବିମାନ ହାନି ହୋଇଥିବାର ଇଙ୍ଗିତ ଏହି ସାକ୍ଷାତ୍‌କାରରେ ନିହିତ ବୋଲି ଗୋଟିଏ ପକ୍ଷ ଦାବି କରିବା ସହିତ ଯୁଦ୍ଧ ସଂପର୍କିତ ବିବରଣୀ ପ୍ରଦାନରେ ସରକାରଙ୍କ ବିଶ୍ବସନୀୟତାକୁ ପ୍ରଶ୍ନ କରିଥାଆନ୍ତି। ଆଉ ଗୋଟିଏ ବର୍ଗ କହିଥାଆନ୍ତି ଯେ ‘ଅପରେସନ ସିନ୍ଦୂର’ ସଂକ୍ରାନ୍ତରେ ସରକାରଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ ବିବରଣୀ ଉପସ୍ଥାପନ କରାଯାଉଥିବା ବେଳେ ‘ସିଡିଏସ୍‌’ଙ୍କ ପକ୍ଷରୁ ଏଭଳି ବିବାଦ ଉତ୍ପନ୍ନକାରୀ ମନ୍ତବ୍ୟ ପ୍ରଦାନର କୌଣସି ଆବଶ୍ୟକତା ନ ଥିଲା। କହିବା ବାହୁଲ୍ୟ, ଏଭଳି ଆଲୋଚନା ଓ ବିତର୍କ କେବଳ ରାଜନେତା, ବୁଦ୍ଧିଜୀବୀ, ସାମ୍ବାଦିକ ଏବଂ ସାମାଜିକ ଗଣମାଧ୍ୟମରେ ସକ୍ରିୟ ବ୍ୟକ୍ତିମାନଙ୍କ କଳରବରେ ଶୁଣିବାକୁ ମିଳିଥାଏ, ଯେଉଁମାନେ ବାସ୍ତବ ଯୁଦ୍ଧ କ୍ଷେତ୍ରରୁ ଦୂରରେ ରହି କେବଳ ବାକ୍‌ ଯୁଦ୍ଧରେ ହିଁ ଅବତୀର୍ଣ୍ଣ ହୋଇଥାଆନ୍ତି! 
କିନ୍ତୁ, ବାସ୍ତବ ଯୁଦ୍ଧରେ ଅଂଶ ଗ୍ରହଣ କରିଥିବା ସୈନିକ, ସେନାଧିକାରୀ ଏବଂ ପୂର୍ବ ସେନାଧ୍ୟକ୍ଷମାନେ କହନ୍ତି ଯେ ଏକ ଯୁଦ୍ଧରେ ସାମରିକ ସରଂଜାମ(ଯୁଦ୍ଧ ବିମାନ) ହରାଇବା ଏକ ସ୍ବାଭାବିକତା, ଏବଂ ଏହା ସତ୍ତ୍ବେ ଯଦି ପାଇଲଟମାନେ ଅକ୍ଷତ ଅବସ୍ଥାରେ ସ୍ବଗୃହ ପ୍ରତ୍ୟାବର୍ତ୍ତନ କରିଛନ୍ତି, ତେବେ କେତେକ ବିମାନ ନଷ୍ଟ ହୋଇଯିବା ଭଳି ବିଷୟ ଅପ୍ରାସଙ୍ଗିକ ମଧ୍ୟ; ଯାହାକୁ ନେଇ ସୃଷ୍ଟ ତମ୍ବିତୋଫାନ ଏକାନ୍ତ ଅନାବଶ୍ୟକ। ଜେନେରାଲ ଚୌହାନଙ୍କ ସହିତ ଏକମତ ହୋଇ ସେମାନେ କହନ୍ତି ଯେ ସାର୍ଥକ ସାମରିକ ବାହିନୀର ବୈଶିଷ୍ଟ୍ୟ ହେଉଛି ସଂଘର୍ଷର ଘନଘଟା ମଧ୍ୟରେ ସନ୍ତୁଳନ ବଜାୟ ରଖି କାର୍ଯ୍ୟ କ୍ଷେତ୍ରରେ ଅଗତ୍ୟା ଉଜାଗର ‌ହୋଇଥିବା ତ୍ରୁଟିମାନର ତଡ଼ିତ୍‌ ସଂଶୋଧନ କରି ପୁଣି ଯୁଦ୍ଧରେ ଅବତୀର୍ଣ୍ଣ ହେବା ଓ ପରିଶେଷରେ ଲକ୍ଷ୍ୟ ପୂରଣ କରିବା। ଭାରତ ଯେ ‘ଅପରେସନ ସିନ୍ଦୂର’ର ଲକ୍ଷ୍ୟ ହାସଲ କରିବାରେ ଅବିସଂବଦିତ ଭାବେ ସମର୍ଥ ହୋଇଛି, ତାହାର ପ୍ରମାଣ ଭାବେ ଉପଲବ୍‌ଧ ‘ମକସାର’ରୁ ପ୍ରାପ୍ତ ‘ହାଇ ଡେନସିଟି’ ଉପଗ୍ରହ ଫଟୋଚିତ୍ରମାନ, ଯହିଁରେ ଆକ୍ରମଣ ବିଧ୍ବସ୍ତ ଆତଙ୍କବାଦୀ ଆଡ୍‌ଡା ଏବଂ ପାକିସ୍ତାନୀ ସାମରିକ ଘାଟୀମାନ ପରିଷ୍କାର ଭାବେ ଚିହ୍ନଟ ହୋଇଥାଆନ୍ତି। ବର୍ତ୍ତମାନ ଏହା ସନ୍ଦେହାତୀତ ଭାବେ ସ୍ବୀକୃତ ‌େଯ ଏ ସଂଘର୍ଷରେ ଭା‌ରତର ବିଜୟ ଘଟିଛି! କିନ୍ତୁ ବିଡ଼ମ୍ବନାଟି ହେଲା, ଏହାକୁ ନେଇ ସୃଷ୍ଟ ବ୍ୟାଖ୍ୟାନ ବା ‘ଗଳ୍ପ’ ଯୁଦ୍ଧରେ ଭାରତ ସମତୁଲ ଭାବେ ଦକ୍ଷ ପ୍ରଦର୍ଶନ କରି ପାରିନାହିଁ, ଯେଉଁ କାରଣରୁ ଅନ୍ତର୍ଜାତୀୟ ସ୍ତରରେ ଭ୍ରାନ୍ତ ଧାରଣାମାନ ଦୂରୀଭୂତ ହୋଇପାରୁନାହିଁ। 
କହିବା ବାହୁଲ୍ୟ ଯେ ସାମାଜିକ ଗଣମାଧ୍ୟମର ଅଦମ୍ୟ ପ୍ରଭାବ ହେତୁ ‘ବ୍ୟାଖ୍ୟାନ ଯୁଦ୍ଧ’ ଏକ ବାସ୍ତବତାରେ ପରିଣତ ହେଲାଣି, ଯହିଁରେ ବିଜୟ ଲାଭ କରିବା ମଧ୍ୟ ଏକ ଆବଶ୍ୟକତା ଭଳି ମନେ ହୋଇଥାଏ। ଅନେକ ପର୍ଯ୍ୟବେକ୍ଷକଙ୍କ ମତରେ ‘ଅପରେସନ ସିନ୍ଦୂର’ର ପ୍ରଥମ ଦିନରୁ ହିଁ ଭାରତୀୟ ଯୁଦ୍ଧ ବିମାନକୁ ଖସାଇ ଦେଇଥିବା ଭଳି ଦାବି ସଂବଳିତ ବ୍ୟାଖ୍ୟାନ ସୃଷ୍ଟି କରି ପାଶ୍ଚାତ୍ୟ ଗଣମାଧ୍ୟମକୁ ପ୍ରଭାବିତ କରିବାରେ ପାକିସ୍ତାନ ସଫଳ ହୋଇଥିବାରୁ ଭାରତୀୟ ଆକ୍ରମଣର ନିଖୁଣ ସଫଳତାର କଥା ଅନ୍ତର୍ଜାତୀୟ ଗଣମାଧ୍ୟମରେ ନିଷ୍ପ୍ରଭାବୀ ଦିଶିଥିଲା। ଯଦିଓ ଭାରତ ପକ୍ଷରୁ ସା‌ତଟି ସର୍ବଦଳୀୟ ପ୍ରତିନିଧି ମଣ୍ଡଳ ପୃଥିବୀର ବିଭିନ୍ନ ଦେଶ ଗସ୍ତ କରି ‘ଅପରେସନ ସିନ୍ଦୂର’ର ସଫଳତା ଓ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦକୁ ନେଇ ନୂତନ ବ୍ୟାଖ୍ୟାନ ସୃଷ୍ଟି କରିବାର ଉଦ୍ୟମ କରିଛନ୍ତି, କିନ୍ତୁ ଏଣେ ‘ତର୍କପ୍ରିୟ ଭାରତୀୟ’(ଆର୍ଗୁମେଣ୍ଟେଟିଭ ଇଣ୍ଡିଆନ’)ମାନେ ସେହି ସମାନ ସଂଦର୍ଭରେ କଳରବ ସୃଷ୍ଟି କରୁଥିବାରୁ ବ୍ୟାଖ୍ୟାନମାନ ଦୃଢ଼ ହୋଇ ପାରୁନାହିଁ। ଉଦାହରଣ ସ୍ବରୂପ କଂଗ୍ରେସ ଦଳର ଶଶୀ ଥରୁର ବା ସଲମାନ ଖୁର୍ସିଦ ସର୍ବଦଳୀୟ ପ୍ରତିନିଧି ମଣ୍ଡଳର ଅଂଶ ହୋଇ ଦେଉଥିବା ବିବୃତ୍ତିମାନ ଅନେକ ସମୟରେ ସେମାନଙ୍କ ଦଳର ନେତାମାନେ ଦେଶରେ ଦେଉଥିବା ମନ୍ତବ୍ୟ ହେତୁ ଦୁର୍ବଳ ଦିଶିଥାଏ। ଅନେକ ବିଶେଷଜ୍ଞଙ୍କ ମତରେ ‘ବ୍ୟାଖ୍ୟାନ ଯୁଦ୍ଧ’ରେ ବିଜୟ ଲାଭ କରିବା ଏକ ସାଂପ୍ରତିକ ବାସ୍ତବତା ହୋଇଥିବାରୁ ସରକାର ଏ ଦିଗରେ ଏକ ଆନୁଷ୍ଠାନିକ ବ୍ୟବସ୍ଥା କରିବା ଦରକାର; କେବଳ ସେଥିରୁ ହିଁ ଆଧିକାରିକ ବିବୃତ୍ତିମାନ ନିସୃତ ହେବ ଏବଂ ଯହିଁରେ ‘କମ୍ୟୁନିକେସନ’ ବା ‘ଯୋଗାଯୋଗ’ ବିଶାରଦମାନେ ନିଯୁକ୍ତ ହେବେ। ଏଠାରେ ସ୍ମରଣଯୋଗ୍ୟ ଯେ ପୂର୍ବତନ ‘ସି.ଡି.ଏସ.’ ବିପିନ ରାୱତ ‘ଡି.ଜି.ଆଇ.ଡବ୍ଲ୍ୟୁ.’ ବା ‘ଡାଇରେକ୍ଟର ଜେନେରାଲ ଅଫ ଇନଫ‌େର୍ମସନ ୱରେଫେୟାର’ ଭଳି ପଦଟିଏ ସୃଷ୍ଟି କରିବାକୁ ଇଚ୍ଛୁକ ଥିଲେ, ଯାହା ଅପରିହାର୍ଯ୍ୟ ବୋଲି ବର୍ତ୍ତମାନ ମନେ ହେଉଛି।
ସଂପ୍ରତି ଯେଉଁ ‘ବ୍ୟାଖ୍ୟାନ ଯୁଦ୍ଧ’ ବିଷୟରେ କୁହାଯାଉଛି, ତହିଁରେ ଅତିଶୟୋକ୍ତି, ଅପସତ୍ୟ, ଅର୍ଧ-ସତ୍ୟ, ଏପରିକି ତୁଚ୍ଛା ଗାଲୁ ଗଳ୍ପମାନ ମଧ୍ୟ ସ୍ଥାନ ପାଇପାରେ, ଯାହା ସୃଷ୍ଟି କରିବାରେ ଜେନେରାଲ ଚୌହାନଙ୍କ ଭଳି ସୁଦକ୍ଷ ସୈନିକମାନେ ସର୍ବଦା ବିଫଳ ହୁଅ‌େନ୍ତ; କାରଣ ପ୍ରକୃତ ସୈନିକମା‌େନ କେବଳ ସତ୍ୟ ଆଡ଼କୁ ହିଁ ଇଙ୍ଗିତ କରିବାର ସାହସ ପ୍ରଦର୍ଶନ କରନ୍ତି। ତେଣୁ ଜେନେରାଲ ଚୌହାନ ସମାଲୋଚନାରୁ ଊର୍ଦ୍ଧ୍ବରେ। ତାଙ୍କ ଭଳି ସୈନିକମାନେ ‘ଗୁଳି’ ଦ୍ବାରା ଯୁଦ୍ଧ କରିବାକୁ ସମର୍ଥ, କିନ୍ତୁ ‘ଗୁଲି’ ଗପର ରଣାଙ୍ଗନରେ ସେମାନେ ହୀନପ୍ରଭ! କିନ୍ତୁ, ଯୁଦ୍ଧରେ ପ୍ରାଣବଳି ଦେବାକୁ ସର୍ବଦା ପ୍ରସ୍ତୁତ ସୈନିକମାନଙ୍କ ସକାଶେ ଏକ କରୁଣ ବାସ୍ତବତା ହେଲା ଯୁଦ୍ଧରେ ବିଜୟ ଲାଭ ଲାଗି ‘ଗୁଳି’ ସହିତ ‘ଗୁଲି’ର ମଧ୍ୟ ଆବଶ୍ୟକତା ପଡ଼ିଲାଣି; ଏହା ଅନ୍ତତଃ ‘ଅପରେସନ ସିନ୍ଦୂର’ରୁ ଲବ୍‌ଧ ଅଭିଜ୍ଞତା!