ବର୍ତ୍ତମାନ ସମୟରେ ଆନ୍ତର୍ଜାତିକ ସମୁଦାୟ ଯେତେବେଳେ ପରିଚୟ, ମୂଲ୍ୟବୋଧ, ଆତ୍ମସତ୍ତା ଆଦି ସମ୍ବନ୍ଧିତ ସଂକଟମାନଙ୍କର ସମ୍ମୁଖୀନ, ସେଇ ସମୟରେ ଭାରତର ଏହି ପ୍ରାଚୀନ କୃତିମାନଙ୍କ ପ୍ରତି ଦୃଷ୍ଟି ଆକର୍ଷଣ କରାଯିବା ବେଶ୍ ସମୟୋପଯୋଗୀ ବୋଲି ବିଚାର କରାଯାଇପାରେ। ନୈତିକ ଭ୍ରାନ୍ତି ସମ୍ମୁଖୀନ ପୃଥିବୀକୁ ଭଗବଦ୍ ଗୀତା ଏକ ଆଧ୍ୟାତ୍ମିକ ପଥପ୍ରଦର୍ଶନ କରିପାରିବ; ନାଟ୍ୟଶାସ୍ତ୍ର କଳାର ବ୍ୟଥା ଉପଶମକାରୀ ଶକ୍ତି ସମ୍ବନ୍ଧରେ ପୃଥିବୀକୁ ପୁନରାୟ ସଚେତନ କରିବ।
ମହାତ୍ମା ଗାନ୍ଧୀ ଏହାକୁ ତାଙ୍କର ଆଧ୍ୟାତ୍ମିକ ଅଭିଧାନ ରୂପେ ଅଭିହିତ କରୁଥିଲେ। ଚରମ ଦୁର୍ଦ୍ଦଶା ଦେଇ ସେ ଗତି କରୁଥିବାବେଳେ ଏହା ତାଙ୍କ ଓଠରେ ସ୍ମିତ ହାସ୍ୟଟିଏ ଉଙ୍କି ମାରିବାରେ ସର୍ବଦା ସାହାଯ୍ୟ କରିଥାଏ ବୋଲି ଗାନ୍ଧୀ ସଦାବେଳେ କହୁଥିଲେ। ଆଇନ୍ଷ୍ଟାଇନ୍ କହୁଥିଲେ ସେ ଯେତେବେଳେ ଏହାକୁ ପାଠ କରି ଈଶ୍ବର କିପରି ଏ ବିଶ୍ବବ୍ରହ୍ମାଣ୍ଡ ସୃଷ୍ଟି କଲେ, ସେ ବିଷୟରେ ଚିନ୍ତା କରନ୍ତି, ଅନ୍ୟ ସବୁକଥା ତାଙ୍କୁ ଗୁରୁତ୍ବହୀନ ମନେ ହୋଇଥାଏ। ହେନ୍ରୀ ଡେଭିଡ୍ ଥୋରୁ କହୁଥିଲେ ପ୍ରତିଦିନ ସକାଳେ ତାଙ୍କର ଧୀ-ଶକ୍ତି ଏହାର ଅନିର୍ବଚନୀୟ ମହାଜାଗତିକ ଦର୍ଶନରେ ସ୍ନାନ କରୁଥିଲା, ଯାହା ତୁଳନାରେ ଆମର ଆଧୁନିକ ଜଗତ ଓ ତା’ର ସାହିତ୍ୟ କ୍ଷୁଦ୍ରାତିକ୍ଷୁଦ୍ର ଏବଂ ତୁଚ୍ଛ ମନେ ହୋଇଥାନ୍ତି। ଟି ଏସ୍ ଏଲିଅଟ୍ଙ୍କର ପ୍ରସିଦ୍ଧ କବିତା ଚତୁଷ୍ଟୟ ‘ଫୋର୍ କ୍ବାର୍ଟେଟ୍ସ’ ଏଥିରେ ନିର୍ଦ୍ଦେଶିତ ଚାରିଟି ପଥ ଉପରେ ଆଧାରିତ ହୋଇଥାଏ। ଆଦି ଶଙ୍କର, ରାମାନୁଜ, ହର୍ମାନ୍ ହେସ୍, ଋଷି ଅରବିନ୍ଦ, ଆଲ୍ଡସ୍ ହକ୍ସଲି, ସିମନ୍ ୱେଲ୍, ରାଲ୍ଫ ୱାଲ୍ଡୋ ଏମର୍ସନ୍, ଏର୍ୱିନ୍ ସ୍ରାଡିଙ୍ଗର୍, ରବର୍ଟ ଓପେନ୍ହାଇମର୍... ପୃଥିବୀ ସାରା ଦାର୍ଶନିକ, ବୈଜ୍ଞାନିକ, ସାହିତ୍ୟିକ, ଚିନ୍ତାନାୟକମାନେ ବିଭିନ୍ନ ସମୟରେ ଏହାଦ୍ବାରା ପ୍ରଭାବିତ ହୋଇ ନିଜର ଚିନ୍ତନ ଓ ଆଚରଣକୁ ନିୟନ୍ତ୍ରଣ କରି ଆସିଛନ୍ତି।
ଏହା ହେଉଛି ଶ୍ରୀମଦ୍ ଭଗବଦ୍ ଗୀତା। ପୃଥିବୀ ପୃଷ୍ଠରେ ମାନବ ସଭ୍ୟତାକୁ ଏଭଳି ଗଭୀର ଭାବରେ ପ୍ରଭାବିତ କରିଥିବା ଭାରତର ଏହି କାଳଜୟୀ କାବ୍ୟକୁ ‘ୟୁନେସ୍କୋ’ ଏବେ ତା’ଦ୍ବାରା ପ୍ରସ୍ତୁତ ‘ମେମୋରି ଅଫ୍ ଦି ୱର୍ଲଡ୍’ (‘ସଂସାରର ସ୍ମୃତି’) ରେଜିଷ୍ଟର୍ରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛି ବୋଲି ଯେଉଁ ସୂଚନା ପ୍ରକାଶ ପାଇଛି, ସେଥିରେ ତେଣୁ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ତେବେ ଯାହା ହେଉଛି ଆଶ୍ଚର୍ଯ୍ୟର କଥା, ତାହା ହେଲା, ଗୀତାକୁ ଏହି ମର୍ଯ୍ୟାଦା ପ୍ରଦାନ କରିବାରେ ଜାତିସଂଘର ଏହି ସଂସ୍କୃତିରକ୍ଷକ ସଂସ୍ଥା ଏତେ ବିଳମ୍ବ କାହିଁକି କଲା? କାରଣ ୟୁନେସ୍କୋ ପାଖାପାଖି ଚାରି ଦଶନ୍ଧି ତଳେ ୧୯୯୨ରେ ମାନବ ସଭ୍ୟତା ପାଇଁ ଅସାମାନ୍ୟ ମୂଲ୍ୟ ବହନ କରୁଥିବା ରଚନାମାନଙ୍କୁ ସାଇତି ରଖିବା ପାଇଁ ଉଦ୍ଦିଷ୍ଟ ଏହି ‘ମେମୋରି ଅଫ୍ ଦି ୱର୍ଲଡ୍’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। ମାନବୀୟ ସୃଜନଶୀଳତା, ଉଚ୍ଚାଙ୍ଗ ଚିନ୍ତନ ଓ ସାଂସ୍କୃତିକ ଅଭ୍ୟୁଦୟ ପ୍ରତି ଗଭୀର ଅବଦାନ ଥିବା କୃତିମାନଙ୍କୁ ଏହି କାର୍ଯ୍ୟକ୍ରମ ସ୍ବୀକୃତି ପ୍ରଦାନ କରିଥାଏ। ‘ନାଟ୍ୟଶାସ୍ତ୍ର’ ସହିତ ‘ଭଗବଦ୍ ଗୀତା’ ବର୍ତ୍ତମାନ ଏଥିରେ ଅନ୍ତର୍ଭୁକ୍ତ ହେବା ପାଇଁ ଯୋଗ୍ୟ ବିବେଚିତ ହେବା ପୂର୍ବରୁ ‘ଋଗ୍ବେଦ’ ଏଥିରେ ସ୍ଥାନ ପାଇସାରିଛି।
ମହାଭାରତର ଅନ୍ତଃସ୍ଥଳ ଅଧିକାର କରିଥିବା ଗୀତା ଜଣାଶୁଣା ଭାବରେ ହେଉଛି ଯୁଦ୍ଧ ଓ କର୍ତ୍ତବ୍ୟ ସୃଷ୍ଟି କରିଥିବା ନୈତିକ ଦ୍ବନ୍ଦ୍ବରେ ଛନ୍ଦି ହୋଇ ଛଟପଟ ହେଉଥିବା ଅର୍ଜୁନଙ୍କୁ ଏଥିରୁ ମୁକୁଳାଇବା ଉଦ୍ଦେଶ୍ୟରେ ଶ୍ରୀକୃଷ୍ଣ ତାଙ୍କୁ ପ୍ରଦାନ କରିଥିବା ଦାର୍ଶନିକ ଅନ୍ତର୍ଦୃଷ୍ଟି। ଗୀତା କିନ୍ତୁ ଅସଲରେ ହେଉଛି ଜୀବନ, କର୍ତ୍ତବ୍ୟ, ଧର୍ମ (ନୈତିକତା) ଏବଂ ଆତ୍ମସତ୍ତା ସମ୍ବନ୍ଧରେ ଏକ ଅନ୍ତର୍ଭେଦୀ ବିଚାର। ମହାଭାରତର ଯୁଦ୍ଧ ଭୂମିକୁ ଅତିକ୍ରମ କରି ଗୀତା ପ୍ରତ୍ୟେକ ବ୍ୟକ୍ତି ତା’ର ଜୀବନଯୁଦ୍ଧରେ ସମ୍ମୁଖୀନ ହେଉଥିବା ସଂଶୟମାନ ଅତିକ୍ରମ କରିବାରେ ସହାୟକ ହେବା ନିମିତ୍ତ ତାକୁ ଜ୍ଞାନ ପ୍ରଦାନ କରିଥାଏ, ଯେମିତି: ମୋର କର୍ତ୍ତବ୍ୟ କ’ଣ? କେଉଁ କାର୍ଯ୍ୟ କରିବା ଉଚିତ? ଆତ୍ମସତ୍ତାର ଅସଲ ସ୍ବରୂପ କ’ଣ? ଯୁଗ ଯୁଗ ଧରି ଏହିସବୁ ସାଂସାରିକ ସଂଶୟ ଭେଦ କରି ମନୁଷ୍ୟକୁ ଉଚିତ ମାର୍ଗ ପ୍ରଦର୍ଶନରେ ସହାୟକ ହୋଇଆସିଥିବା ଏହି ପ୍ରାଚୀନ ଭାରତୀୟ ରଚନାକୁ ‘ମେମୋରି ଅଫ୍ ଦି ୱର୍ଲଡ୍’ ରେଜିଷ୍ଟର୍ରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇ ‘ୟୁନେସ୍କୋ’ ଗୀତାକୁ କେବଳ ଏକ ପ୍ରାଚୀନ କୀର୍ତ୍ତି ରୂପେ ନୁହେଁ, ମନୁଷ୍ୟକୁ ଚିରନ୍ତନ ନୈତିକ ଦିଗ୍ଦର୍ଶନ ପ୍ରଦାନ କରୁଥିବା ଏକ ଜୀବନ୍ତ ପଥପ୍ରଦର୍ଶକ ରୂପେ ସ୍ବୀକୃତି ପ୍ରଦାନ କରିଛି।
ଏହି ରେଜିଷ୍ଟର୍ରେ ଅନ୍ତର୍ଭୁକ୍ତ କରିବାକୁ ଗୀତା ସହିତ ଅନ୍ୟ ଯେଉଁ ପ୍ରାଚୀନ ଭାରତୀୟ କୃତିକୁ ‘ୟୁନେସ୍କୋ’ ଚୟନ କରିଛି, ତାହା ହେଉଛି ଭରତ ମୁନି ରଚିତ ନାଟ୍ୟଶାସ୍ତ୍ର। ଖ୍ରୀ.ପୂ. ୨୦୦ରୁ ୨୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ରଚିତ ହୋଇଥିବା ଅନୁମାନ କରାଯାଉଥିବା ନାଟ୍ୟଶାସ୍ତ୍ର ହେଉଛି ଅଭିନୟ, ନୃତ୍ୟ ଓ ସଂଗୀତ ସମ୍ବନ୍ଧରେ ରଚିତ ପୃଥିବୀର ସର୍ବପୁରାତନ ଶାସ୍ତ୍ର। ଏଥିରେ ନାଟକ ମଞ୍ଚସ୍ଥ କରିବା ଠାରୁ ଅଭିନୟ କଳା ପର୍ଯ୍ୟନ୍ତ ସମ୍ବନ୍ଧରେ ଯେଉଁ ତାତ୍ତ୍ବିକ ତଥା ଟିକିନିଖି ବାସ୍ତବିକ ଅନୁଶୀଳନ କରାଯାଇଛି, ତାହା ଅବିଶ୍ବସନୀୟ। ଉଦାହରଣ ସ୍ବରୂପ ମଞ୍ଚ ପ୍ରସ୍ତୁତିରୁ ଆରମ୍ଭ କରି ବେଶ ପରିପାଟୀ ଓ ଭାବପ୍ରକାଶ ତଥା ରସ ଆଦି ଉପରେ ଏଥିରେ ଆଲୋକପାତ କରାଯାଇ ପ୍ରତ୍ୟେକରେ ଅନୁସୃତ ହେବା ନିମିତ୍ତ ଆଦର୍ଶ ପନ୍ଥା ସୂଚିତ କରାଯାଇଛି। ଭାରତରେ ଭାରତନାଟ୍ୟମ୍, କଥକ, ଓଡ଼ିଶୀ ଆଦି ଶାସ୍ତ୍ରୀୟ ନୃତ୍ୟଶୈଳୀମାନେ ଗଭୀର ଭାବରେ ନାଟ୍ୟଶାସ୍ତ୍ର ଦ୍ବାରା ପ୍ରଭାବିତ ହୋଇଥିବାବେଳେ ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସିଆରେ ନାଟକ ଓ ସଂଗୀତ ଆଦି ଉପରେ ମଧ୍ୟ ଏହାର ପ୍ରଭାବ ସୁସ୍ପଷ୍ଟ।
ନାଟ୍ୟଶାସ୍ତ୍ରର ଯେଉଁ ଅବଦାନକୁ ସର୍ବାଧିକ ବୈପ୍ଳବିକ ବୋଲି ବିଚାର କରାଯାଇଥାଏ, ତାହା ହେଉଛି ଏଥିରେ କରାଯାଇଥିବା ରସ ତତ୍ତ୍ବର ଅନୁସନ୍ଧାନ। ଏହା ଅନୁସାରେ ଦର୍ଶକମାନଙ୍କ ଠାରେ ଏକ ଆବେଗିକ ଅନୁଭୂତି ଓ ଆଧ୍ୟାତ୍ମିକ ଅନ୍ତର୍ଦୃଷ୍ଟି ଜାଗ୍ରତ କରିବା ହେଉଛି ସଂଗୀତ, ନୃତ୍ୟ ବା ଅଭିନୟର ଅନ୍ତିମ ଉଦ୍ଦେଶ୍ୟ। ବର୍ତ୍ତମାନର ପୃଥିବୀରେ ଯେତେବେଳେ ସଂଗୀତ ନାଟକ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନୁଷ୍ୟ ଜାତିକୁ ଭାବଗତ ଏକତାର ରଜ୍ଜୁରେ ବାନ୍ଧିବାର ଅନ୍ୟତମ ଉପାୟ ରୂପେ ବିଚାର କରାଯାଉଛି, ଏହାର ମୂଳଭିତ୍ତି ରୂପେ ନାଟ୍ୟଶାସ୍ତ୍ରକୁ ଏଭଳି ସ୍ବୀକୃତି ପ୍ରଦାନ କରାଯିବା ନିଶ୍ଚିତ ରୂପେ ବିଶେଷ ତାତ୍ପର୍ଯ୍ୟ ବହନ କରିଥାଏ।
‘ୟୁନେସ୍କୋ’ର ଏହି ପଦକ୍ଷେପ ଯେ ଭାରତର କୋମଳ ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ, ଏଥିରେ କୌଣସି ସନ୍ଦେହ ନାହିଁ। ବର୍ତ୍ତମାନ ସମୟରେ ଆନ୍ତର୍ଜାତିକ ସମୁଦାୟ ଯେତେବେଳେ ପରିଚୟ, ମୂଲ୍ୟବୋଧ, ଆତ୍ମସତ୍ତା ଆଦି ସମ୍ବନ୍ଧିତ ସଂକଟମାନଙ୍କର ସମ୍ମୁଖୀନ, ସେଇ ସମୟରେ ଭାରତର ଏହି ପ୍ରାଚୀନ କୃତିମାନଙ୍କ ପ୍ରତି ଦୃଷ୍ଟି ଆକର୍ଷଣ କରାଯିବା ବେଶ୍ ସମୟୋପଯୋଗୀ ବୋଲି ବିଚାର କରାଯାଇପାରେ। ନୈତିକ ଭ୍ରାନ୍ତି ସମ୍ମୁଖୀନ ପୃଥିବୀକୁ ଭଗବଦ୍ ଗୀତା ଏକ ଆଧ୍ୟାତ୍ମିକ ପଥପ୍ରଦର୍ଶନ କରିପାରିବ; ନାଟ୍ୟଶାସ୍ତ୍ର କଳାର ବ୍ୟଥା ଉପଶମକାରୀ ଶକ୍ତି ସମ୍ବନ୍ଧରେ ପୃଥିବୀକୁ ପୁନରାୟ ସଚେତନ କରିବ।
ଏହି ଆନ୍ତର୍ଜାତିକ ସ୍ବୀକୃତି ମଧ୍ୟ ଭାରତର ଶିକ୍ଷା, ସଂସ୍କୃତି, କଳା ଆଦି କ୍ଷେତ୍ରରେ ସକ୍ରିୟ ଥିବା ଅନୁଷ୍ଠାନମାନଙ୍କ ମଧ୍ୟରେ ନୂତନ ଉତ୍ସାହ ସୃଷ୍ଟି କରିବ ବୋଲି ଆଶା କରାଯାଏ। ସେମାନେ ‘ୟୁନେସ୍କୋ’ର ଏହି ପଦକ୍ଷେପକୁ ଅାଧାର କରି ଉଭୟ ଗୀତା ଓ ନାଟ୍ୟଶାସ୍ତ୍ରକୁ ବିଭିନ୍ନ ଉପାୟରେ ଜନସାଧାରଣଙ୍କ ମଧ୍ୟରେ ପ୍ରସାରିତ କରିବା ପାଇଁ ଉଦ୍ୟମ ଆରମ୍ଭ କରିବା ଉଚିତ, ଯେମିତି ଭାରତର ଏହି ଦୁଇ ଅମୂଲ୍ୟ ସଂପଦ ସେଇ ‘ମେମୋରି ରେଜିଷ୍ଟର୍’ ମଧ୍ୟରେ ବନ୍ଦୀ ହୋଇ ରହି ନଯାନ୍ତି। ଆମର ଶିକ୍ଷାନୁଷ୍ଠାନମାନଙ୍କର ପାଠ୍ୟକ୍ରମରେ ଏହାକୁ ଅନ୍ତର୍ଭୁକ୍ତ କରିବା ଏ ଦିଗରେ ଏକ ଫଳପ୍ରଦ ପଦକ୍ଷେପ ହୁଅନ୍ତା। ଏହାଦ୍ବାରା ସାବ୍ୟସ୍ତ ହୁଅନ୍ତା ଯେ ଅତୀତ କେବଳ ମନେ ପକାଇବା ପାଇଁ ନୁହେଁ, ଅତୀତ ମଧ୍ୟ ଭବିଷ୍ୟତରେ ଆମ ପାଇଁ ପଥପ୍ରଦର୍ଶକ ହୋଇଥାଏ।