ମିତ୍ର ରାଷ୍ଟ୍ରଗୁଡ଼ିକ ସକାଶେ ମର୍ମ ବେଦନାର ସର୍ବାଧିକ ବଡ଼ କାରଣଟି ହୋଇଛି ଏହା ଯେ ଏ ଯାବତ୍‌ ଏକ ଜ୍ୟେଷ୍ଠ ଭ୍ରାତା ସୁଲଭ ପ୍ରଦାନ କରି ଆସିଥିବା ବଳିଷ୍ଠ କାନ୍ଧର ଅବଲମ୍ବନକୁ ଟ୍ରଂପଙ୍କ ଅଧୀନସ୍ଥ ଆମେରିକା ସହସା ହଟାଇ ନେଇଛି। ତେବେ, ଗୋଟିଏ ଦୃଷ୍ଟିରୁ ତାହା କାମ୍ୟ ହେବା ଉଚିତ, କାରଣ ପର ନିର୍ଭରଶୀଳତା ହେଉଛି ଏକ ପ୍ରକାର ଦାସତ୍ବ, ଯାହା ସମର୍ଥ ଓ ସୁଦକ୍ଷ ହେବାରେ ବାଧା ପହଞ୍ଚାଇ ଥାଏ। ତେଣୁ ଟ୍ରଂପଙ୍କ ଆଭିମୁଖ୍ୟ ସେମାନଙ୍କ ଲାଗି ଏକ ଆହ୍ବାନ ହୋଇଥିବା ସ୍ଥଳେ ଏକ ସୁଯୋଗ ମଧ୍ୟ ସୃଷ୍ଟି କରିଛି।

Advertisment

ଆଉ ମାତ୍ର ଦିନକ ପରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରଂପ୍‌ଙ୍କ ଦ୍ବାରା ‘ଶୁଳ୍‌କ ଆକ୍ରମଣ’(‘ଟାରିଫ ୱାର୍‌’ ବା ‘ଶୁଳ୍‌କ ଯୁଦ୍ଧ’)ର ସୂତ୍ରପାତ ଘଟିବାକୁ ଯାଉଥିବା ବେଳେ ଏହି କାରଣରୁ ବିଶ୍ବ ଅର୍ଥନୀତି ଏବଂ ବ୍ୟବସାୟ-ବାଣିଜ୍ୟ କ୍ଷେତ୍ର ଉପରେ ପଡ଼ିବାକୁ ଯାଉଥିବା ପ୍ରଭାବ ନେଇ ସର୍ବତ୍ର ହୃତ୍‌ କଂପନ ସୃଷ୍ଟି ହୋଇଛି। ତେବେ ଏଥିରେ ଅଧିକ ମର୍ମାହତ, ଏପରିକି ବିଷାଦଗ୍ରସ୍ତ ହୋଇ ପଡ଼ିଛନ୍ତି ଆମେରିକାର ସହୋଦରତୁଲ୍ୟ ବିଦ୍ୟମାନ ଥିବା ପୁରୁଣା ଓ ପାରଂପରିକ ମିତ୍ର ରାଷ୍ଟ୍ରଗୁଡ଼ିକ, ଯେଉଁମାନେ ଟ୍ରଂପ୍‌ଙ୍କ ଏଭଳି ଆଭିମୁଖ୍ୟ ଦ୍ବାରା ହତଭମ୍ବ। କିନ୍ତୁ ଟ୍ରଂପ୍‌ଙ୍କ ତର୍କ ଅତ୍ୟନ୍ତ ସଳଖ ଯେ ମିତ୍ର ଓ ପ୍ରତିପକ୍ଷ ନିର୍ବିଶେଷରେ ସମସ୍ତ ରାଷ୍ଟ୍ର ଆମେରିକାର ସ୍ବାର୍ଥ ବିନିମୟରେ ଆପଣାକୁ ପରିପୁଷ୍ଟ କରିବାରେ ବ୍ୟସ୍ତ; ଆମେରିକାରେ ଉତ୍ପାଦିତ ସାମଗ୍ରୀ ଉପରେ ଅଧିକ ଆମଦାନି ଶୁଳ୍‌କ ଲଗାଇ ଏ ସମସ୍ତ ରାଷ୍ଟ୍ର ନିଜ ବଜାରରେ ଆମରିକାକୁ କୋଣ ଠେସା କରି ଦେଇଥିବା‌ ବେଳେ ଆମେରିକାର ନୀଚା ଆମଦାନି ଶୁଳ୍‌କ ହାରର ସୁଯୋଗ ନେଇ ଆମେରିକୀୟ ବଜାରରେ ମଧ୍ୟ ଆଧିପତ୍ୟ ବିସ୍ତାର କରିଛନ୍ତି, ଯାହା ଅସହନୀୟ। ତାଙ୍କ ମତରେ ଏହା ଦ୍ବାରା ବ୍ୟବସାୟ-ବାଣିଜ୍ୟ ଏବଂ ନିଯୁକ୍ତି ଆଦି କ୍ଷେତ୍ରରେ ଆମେରିକା ଅତ୍ୟନ୍ତ ପ୍ରତିକୂଳ ଭାବେ ପ୍ରଭାବିତ। ଟ୍ରଂପ ଭାବନ୍ତି ଯେ ଏହାର ମାର୍ଜନା ହେଉଛି ‘ଶୁଳ୍‌କ ଯୁଦ୍ଧ’, ଯହିଁରେ ଉଚ୍ଚ ଆମଦାନି ଶୁଳ୍‌କ ମାଧ୍ୟମରେ ଆମେରିକା ନିଜ ବଜାରରେ ବିଦେଶୀ ସାମଗ୍ରୀକୁ ମହଙ୍ଗା କରାଇବ, ଯଦ୍ଦ୍ବାରା ଆମେରିକାରେ ଉତ୍ପାଦିତ ସାମଗ୍ରୀ ସକାଶେ ସେଠାରେ ବ୍ୟବସାୟର ସୁଯୋଗ ସୃଷ୍ଟି ହେବ। କିନ୍ତୁ ବାସ୍ତବରେ କଥାଟି ଏମନ୍ତ ସରଳ ନୁହେଁ, ଏବଂ ଏହାର ପ୍ରଭାବ କିଭଳି ଜଟିଳ, ସୁଦୂର ପ୍ରସାରୀ ଏବଂ ବହୁ ଆୟାମୀ ହୋଇପାରେ, ତାହା ଏକ କ୍ଷୁଦ୍ର ଆଲୋଚନା ଆବଶ୍ୟକ କରିଥାଏ। 
ଏହି ‘ଶୁଳ୍‌କ ଆକ୍ରମଣ’ର ପ୍ରଥମ ପର୍ବରେ ଆମଦାନି ହେଉଥିବା ସମସ୍ତ ମୋଟର ଗାଡ଼ି ଏବଂ ତାହାର ଯନ୍ତ୍ରାଂଶ ଉପରେ ଆମେରିକା ସରକାର ୨୫% ଆମଦାନି ଶୁଳ୍‌କ ଲାଗୁ କରିଛନ୍ତି, ଯାହାର ପ୍ରତିକ୍ରିୟାରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଏହାକୁ ଏକ ପ୍ରତ୍ୟକ୍ଷ ଅାକ୍ରମଣ ବୋଲି ଅଭିିହିତ କରି ସାରିଲେଣି। ପ୍ରକାଶ ଥାଉ କି ମେକ୍‌ସିକୋ, କାନାଡ଼ା, ଜର୍ମାନି, ଜାପାନ ଓ ଦକ୍ଷିଣ କୋରିଆ ଭଳି ଦେଶଗୁଡ଼ିକରେ ନିର୍ମିତ ମୋଟର ଗାଡ଼ି ସକାଶେ ଆମେରିକା ହେଉଛି ସର୍ବାଧିକ ବିଶାଳ ବଜାର। କାନାଡ଼ା ଭଳି ରାଷ୍ଟ୍ର ତା’ର ମୋଟର ଗାଡ଼ି ଉତ୍ପାଦନର ୯୨% ଆମେରିକାରେ ବିକ୍ରି କରିଥାଏ। କେବଳ ଗଲା ବର୍ଷ ଅର୍ଥାତ୍‌ ୨୦୨୪ ମସିହାରେ ମେକ୍‌ସିକୋ, ଜାପାନ ଓ ଦକ୍ଷିଣ କୋରିଆରେ ଉତ୍ପାଦିତ ୮ ନିୟୁତ କାର୍‌ ଓ ଛୋଟ ଟ୍ରକ୍‌ ଆମେରିକା ବଜାରରେ ପ୍ରବେଶ କରିଥିଲେ; ସେଠାକାର ବଜାରରେ ବିଦେଶୀ କାର୍‌ ବ୍ୟବସାୟର ଆକାର ହେଉଛି ୨୪୪ ବିଲିଅନ (୧ ବିଲିଅନ ହେଉଛି ୧୦୦ କୋଟି) ଡଲାର। ଏପ୍ରିଲ ୨ ତାରିଖରୁ ନୂଆ ଆମଦାନି ଶୁଳ୍‌କ ଲାଗୁ ହେବା ପରେ ଏହି ସବୁ ବିଦେଶୀ ମୋଟର ଗାଡ଼ିର ଦରରେ ତୀବ୍ର ବୃଦ୍ଧି ଘଟି ସେଗୁଡ଼ିକୁ ସ୍ବାଭାବିକ ଭାବେ ଗ୍ରାହକଙ୍କ ପସନ୍ଦର ତାଲିକାରେ ନିମ୍ନଗାମୀ କରିବ। ଜର୍ମାନି ନିର୍ମିତ ବି.ଏମ.ଡବ୍ଲ୍ୟୁ. ହେଉ କି ଜାପାନ ନିର୍ମିତ ଟୟୋଟା, ଯଦି ମୂଲ୍ୟରେ ପ୍ରାୟ ୪ ହଜାରରୁ ୬ ହଜାର ଡଲାର ବୃଦ୍ଧି ଘଟେ, ତେବେ ତାହା ଯେ ସେ ସବୁ ଯାନର ବିକ୍ରିରେ ବ୍ୟାଘାତ ସୃଷ୍ଟି କରିବ, ଏହା ନିଃସନ୍ଦେହ। କେବଳ ସେତିକି ନୁହେଁ ମୋଟର ଗାଡ଼ିର ଯନ୍ତ୍ରାଂଶ ଉପରେ ଅଧିକ ଆମଦାନି ଶୁଳ୍‌କ କାରଣରୁ ବିଦେଶ ନିର୍ମିତ ଗାଡ଼ିଗୁଡ଼ିକରେ ମରାମତି ଖର୍ଚ୍ଚ ଅଧିକ ହେବାର ସମ୍ଭାବନା ଦୃଷ୍ଟିରୁ କ୍ରେତାମାନେ ସେଭଳି ଗାଡ଼ି କ୍ରୟ କରିବାରୁ ବିମୁଖ ହେବେ। ତେଣୁ, ଆଶଙ୍କା ପ୍ରକାଶ ପାଇଲାଣି ଯେ ଆମେରିକାକୁ ଗାଡ଼ି ରପ୍ତାନି କରୁଥିବା ଦେଶଗୁଡ଼ିକରେ ମୋଟର ଗାଡ଼ି ଶିଳ୍ପ ବିପର୍ଯ୍ୟସ୍ତ ହୋଇଯିବ, ଯଦ୍ଦ୍ବାରା ସାମୟିକ ତାଲାବନ୍ଦ ଏବଂ ନିଯୁକ୍ତିହୀନତା ମଧ୍ୟ ସୃଷ୍ଟି ହେବ। କିନ୍ତୁ, ଏହା ସହିତ ଆଉ ଯେଉଁ ସଂକେତ ମିଳିଲାଣି, ତାହା ହେଲା ଏହି ‘ଶୁଳ୍‌କ ଯୁଦ୍ଧ’ ବ୍ୟବସାୟ-ବାଣିଜ୍ୟର ପରିସରକୁ ଅତିକ୍ରମ କରି ଅନ୍ତର୍ଜାତୀୟ ସଂପର୍କର ସମୀକରଣକୁ ମଧ୍ୟ ପ୍ରଭାବିତ କରିବ, ଯାହା ମଧ୍ୟ ପ୍ରଣିଧାନଯୋଗ୍ୟ।
କହିବା ବାହୁଲ୍ୟ, ଆମେରିକାର ଏତାଦୃଶ ବ୍ୟବହାର ଦ୍ବାରା ପୁରୁଣା ମିତ୍ର ରାଷ୍ଟ୍ରଗୁଡ଼ିକ ଗଭୀର ମର୍ମଦାହର ଶିକାର ହୋଇଛନ୍ତି। ଡୋନାଲଡ ଟ୍ରଂପ ଅତ୍ୟନ୍ତ ନାଟକୀୟ ଓ ନିର୍ଦ୍ଦୟ ଭାବେ ସୂଚେଇ ଦେଲେଣି ଯେ ଆମେରିକାର ମିତ୍ର ରାଷ୍ଟ୍ର, ବିଶେଷ କରି କାନାଡା ଓ ୟୁରୋପୀୟ ରାଷ୍ଟ୍ରଗଣ, ଆମେରିକା ଉପରେ ପରାଙ୍ଗପୁଷ୍ଟ ଭଳି ତିଷ୍ଠି ରହିଛନ୍ତି। ଏଭଳି ସ୍ଥିତିରେ ସେହି ମିତ୍ର ରାଷ୍ଟ୍ରଗୁଡ଼ିକ ଅାମେରିକାକୁ ଏକ ଭରସା ଅଯୋଗ୍ୟ, ଏପରିକି, ବିଶ୍ବାସଘାତକ ଦେଶ ରୂପେ ଦେଖିବାକୁ ଲାଗିଲେଣି। ପୁଣି ଯାହା ଅଧିକ ଗୁରୁତ୍ବପୂର୍ଣ୍ଣ, ତାହା ହେଲା ଏହାକୁ ‘ଟ୍ରଂପୀୟ ଆଡ଼ପାଗଳାମି’ ମାତ୍ର ରୂପେ ଦେଖା ନ ଯାଇ ଏକ ଧାରାର ପ୍ରାରମ୍ଭ ରୂପେ ଦେଖାଯାଉଛି, ଯହିଁରେ ‘ଆମେରିକାର ଶ୍ରେଷ୍ଠତ୍ବ’ ପ୍ରତିପାଦନ କରିବା କ୍ରମରେ ସେଠାରେ ଟ୍ରଂପଙ୍କ ଏକାଧିକ ‘କ୍ଲୋନ୍‌’ କ୍ଷମତାରୂଢ଼ ହେବେ। ସୁତରାଂ, ଏ ଦୂରତ୍ବ ଭବିଷ୍ୟତ୍‌ରେ ଅଧିକ ପ୍ରଶସ୍ତ ହୋଇପାରେ। ଏଭଳି ଧାରଣାର ଆଭାସ ମଧ୍ୟ ମିଳି ସାରିଲାଣି, ଯେଉଁଠି ଦେଖିବାକୁ ମିଳିଛି ଯେ ପର୍ତ୍ତୁଗାଲ, କାନାଡ଼ା, ଜାପାନ ଭଳି ୧୩ଟି ଦେଶ ଆମେରିକୀୟ ଅତ୍ୟାଧୁନିକ ଯୁଦ୍ଧ ବିମାନ ‘ଏଫ୍‌ ୩୫’ କ୍ରୟ ନେଇ ପୂର୍ବର ଚୁକ୍ତିକୁ ବାତିଲ କଲେଣି ବା ତାହାର ପୁନର୍ବିଚାର କରିବାକୁ ବସିଲେଶି। କହିବା ଅନାବଶ୍ୟକ ଯେ ‘ଏଫ୍ ୩୫’ ସମକକ୍ଷ ଯୁଦ୍ଧ ବିମାନ ପୃଥିବୀରେ ଦୁର୍ଲଭ ଏବଂ ଏହା ଯେ କୌଣସି ସେନାର ପ୍ରହାର କ୍ଷମତାରେ ତୀବ୍ର ବୃଦ୍ଧି ଘଟାଇଥା‌ଏ। କିନ୍ତୁ ଏହା କ୍ରୟ କରିବାରେ ପ୍ରଦର୍ଶିତ କୁଣ୍ଠା ପଛରେ ନିହିତ କାରଣଟି ହେଉଛି ଆମେରିକା ପ୍ରତି ଅନାସ୍ଥା ଭାବ; କାରଣ ‘ଏଫ ୩୫’ ବିମାନର ସଫ୍‌ଟୱେରର ଏକ ବିଶେଷ ଦିଗ ହେଲା ଏହାର ନିୟନ୍ତ୍ରଣର ଅନେକ ଅଂଶ ଏହାର ନିର୍ମାତା କଂପାନି ‘ଲକ୍‌ହିଡ୍ ମାର୍ଟିନ’ ବା ସେହି କ୍ରମରେ ଯୁକ୍ତରାଷ୍ଟ୍ର ଆମେରିକା ହାତରେ ହିଁ ରହିବ, ଯଦ୍ଦ୍ବାରା ଆମେରିକା ଇଚ୍ଛା କଲେ ଯେକୌଣସି ରାଷ୍ଟ୍ରରେ ହେଉ ନା କାହିଁକି ‘ଏଫ ୩୫’ ବିମାନଗୁଡ଼ିକୁ ଅଚଳ କରି ଦେଇ ପାରିବ। ଏହାକୁ ‘କିଲ୍‌ ସୁଇଚ୍‌’ ବୋଲି ଅଭିହିତ କରାଯାଉଛି। ଅନେକ ବିଶେଷଜ୍ଞ କହିଥାଆନ୍ତି ‌େଯ ଭାଇ ଯଦି ଭଗାରି ହୁଏ, ତେବେ ତିକ୍ତତା ଚରମ ସୀମାରେ ପହଞ୍ଚି ଥାଏ। ବର୍ତ୍ତମାନର ପରିସ୍ଥିତି ହୁଏତ ପ୍ରାୟ ସେହିଭଳି। ଏହାର ଆଭାସ ମିଳି ସାରିଲାଣି ଆମେରିକାର ଯମଜ ଭ୍ରାତା ତୁଲ୍ୟ ଏ ଯାବତ୍‌ ନିଜକୁ ମଣି ଆସିଥିବା କାନାଡ଼ାରେ, ଯେଉଁଠି ଟ୍ରଂପ୍‌ଙ୍କ ପ୍ରତି ବିରକ୍ତି କାରଣରୁ ସେଠାକାର ଦକ୍ଷିଣ ପନ୍ଥୀ ‘କଂଜରଭେଟିଭ’ ଦଳ ହଠାତ୍‌ ଜନ ସମର୍ଥନ ହରାଇବା ଆରମ୍ଭ କରିଛି, ଯାହା ତିନି ମାସ ଭିତରେ ୪୫%ରୁ ହ୍ରାସ ପାଇ ୩୫%ରେ ପହଞ୍ଚିଛି। ଅପର ପକ୍ଷରେ ଜନ ସମର୍ଥନ ଦୃଷ୍ଟିରୁ ତୀବ୍ର ବେଗରେ ନିମ୍ନଗାମୀ ହୋଇ ଚାଲୁଥିବା ଲିବରାଲ ଡେମୋକ୍ରାଟିକ ପାର୍ଟି ପ୍ରତି ସମର୍ଥନ ୧୬%ରୁ ବୃଦ୍ଧି ପାଇ ୪୬%ରେ ପହଞ୍ଚିଲାଣି। ସୁତରାଂ, ଟ୍ରଂପଙ୍କ ଆଭିମୁଖ୍ୟର ପ୍ରଭାବ କିଭଳି ବିଭିନ୍ନ ଦିଗକୁ ସ୍ପର୍ଶ କରିପାରେ, ଏହା ତାର ଏକ କ୍ଷୁଦ୍ର ଦୃଷ୍ଟାନ୍ତ ମାତ୍ର! ଅନେକଙ୍କ ମତରେ ଏହା ହୁଏତ ଆରମ୍ଭ ମାତ୍ର!
ମିତ୍ର ରାଷ୍ଟ୍ରଗୁଡ଼ିକ ସକାଶେ ମର୍ମ ବେଦନାର ସର୍ବାଧିକ ବଡ଼ କାରଣଟି ହୋଇଛି ଏହା ଯେ ଏ ଯାବତ୍‌ ଏକ ଜ୍ୟେଷ୍ଠ ଭ୍ରାତା ସୁଲଭ ପ୍ରଦାନ କରି ଆସିଥିବା ବଳିଷ୍ଠ କାନ୍ଧର ଅବଲମ୍ବନକୁ ଟ୍ରଂପଙ୍କ ଅଧୀନସ୍ଥ ଆମେରିକା ସହସା ହଟାଇ ନେଇଛି। ତେବେ, ଗୋଟିଏ ଦୃଷ୍ଟିରୁ ତାହା କାମ୍ୟ ହେବା ଉଚିତ, କାରଣ ପର ନିର୍ଭରଶୀଳତା ହେଉଛି ଏକ ପ୍ରକାର ଦାସତ୍ବ, ଯାହା ସମର୍ଥ ଓ ସୁଦକ୍ଷ ହେବାରେ ବାଧା ପହଞ୍ଚାଇ ଥାଏ। ତେଣୁ ଟ୍ରଂପଙ୍କ ଆଭିମୁଖ୍ୟ ସେମାନଙ୍କ ଲାଗି ଏକ ଆହ୍ବାନ ହୋଇଥିବା ସ୍ଥଳେ ଏକ ସୁଯୋଗ ମଧ୍ୟ ସୃଷ୍ଟି କରିଛି। ଏଭଳି ସ୍ଥିତିରେ ଅନେକ ବିକଳ୍ପ ଓ ପୂର୍ବତନ ସମୀକରଣର ଆବିର୍ଭାବ ଘଟିବ। ଏଭଳି ସ୍ଥିତିରେ ପ୍ରଶ୍ନ ଉଠିଥାଏ ଯେ ଶ୍ରେଷ୍ଠତ୍ବ ଅନ୍ବେଷଣର ଆଗ୍ରହାତିଶଯ୍ୟରେ ଆମେରିକା କ୍ରମେ ଅପ୍ରାସଙ୍ଗିକ ହୋଇଯିବ ନାହିଁ ତ? ମିତ୍ର ରାଷ୍ଟ୍ରମାନଙ୍କ ଠାରୁ ଜୈବିକ ସଂପର୍କ ଛିନ୍ନ ହୋଇଗଲେ ସେହି ଅବଲମ୍ବନ ପ୍ରଦାୟୀ କାନ୍ଧଟି ହୁଏତ ଏକ ପ୍ରାଣହୀନ କ୍ରଚ୍‌ଟିଏ ଭଳି ବୋଧ ହୋଇପାରେ! କ୍ରଚ୍‌ର ବିଡ଼ମ୍ବନାଟି ହେଲା ତାକୁ ବ୍ୟବହାର କରୁଥିବା ବ୍ୟକ୍ତି ଚାଲବୁଲ କରି ପାରିଲେ ତାହା ଘରର କେଉଁ ଏକ କୋଣରେ କାନ୍ଥକୁ ଢିରା ଦେଇ ଛିଡ଼ା ହୋଇ ରହେ!