ଉଲ୍ଲେଖ ନିଷ୍ପ୍ରୟୋଜନ, ସଂବିଧାନ ଅନୁସାରେ ରାଷ୍ଟ୍ରପତି ହେଉଛନ୍ତି ରାଷ୍ଟ୍ରର ମୁଖ୍ୟ ଯିଏ ପ୍ରଧାନମନ୍ତ୍ରୀ ଓ ତାଙ୍କର ମନ୍ତ୍ରୀ ପରିଷଦର ‘‘ସହାୟତା ଓ ଉପଦେଶ’’ ଅନୁସାରେ କାର୍ଯ୍ୟ କରିଥାନ୍ତି। ବର୍ତ୍ତମାନ ସୁପ୍ରିମ୍ କୋର୍ଟଙ୍କର ଉପରୋକ୍ତ ନିର୍ଦ୍ଦେଶର ଅର୍ଥ ହେଲା ‌େ‌କତେକ ପରିସ୍ଥିତିରେ ରାଷ୍ଟ୍ରପତିଙ୍କୁ ମଧ୍ୟ ଏଥିସହିତ ଅଦାଲତର ଆଦେଶ ବା ‘ମାଣ୍ଡାମସ୍ ରିଟ୍’ ପାଳନ କରି କାର୍ଯ୍ୟ କରିବାକୁ ପଡ଼ିବ। ଏହାର ଖିଲାପ ହେଲେ ରାଷ୍ଟ୍ରପତିଙ୍କୁ କ’ଣ ଅଦାଲତ ସମ୍ମୁଖରେ କାଠଗଡ଼ାରେ ଛିଡ଼ା କରାଯିବ?

Advertisment

ଭାରତର ସର୍ବୋଚ୍ଚ ନ୍ୟାୟପାଳିକା ବର୍ତ୍ତମାନ ଯେଉଁଭଳି ଏକ ସଂକଟ ସମୟ ଦେଇ ଗତି କରୁଛି, ନିକଟ ଅତୀତରେ କ୍ବଚିତ୍‌ ସେଭଳି ଦେଖିବାକୁ ମିଳିଛି। ଦିଲ୍ଲୀ ହାଇକୋର୍ଟର ଜଣେ ନ୍ୟାୟମୂର୍ତ୍ତିଙ୍କ ବାସଭବନରେ ଅଗ୍ନିକାଣ୍ଡ ଘଟି ସେଠାରେ ଆବିଷ୍କୃତ ହୋଇଥିବା ବିପୁଳ ପରିମାଣ ନଗଦ ନୋଟ୍ ସମ୍ବନ୍ଧରେ ସୁପ୍ରିମ୍ କୋର୍ଟ ଗ୍ରହଣ କରିଥିବା ଆଭିମୁଖ୍ୟକୁ ନେଇ ଏକ ଦେଶବ୍ୟାପୀ ଗୁଞ୍ଜରଣ ସୃଷ୍ଟି ହୋଇଥିବାବେଳେ, ଅନ୍ୟ ଏକ ପ୍ରସଙ୍ଗକୁ କେନ୍ଦ୍ର କରି ସୁପ୍ରିମ୍ କୋର୍ଟ ଉପରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ଚେଆର୍‌ମ୍ୟାନ୍ ଜଗଦୀପ ଧନଖଡ଼ଙ୍କର ସିଧାସଳଖ ଆକ୍ରମଣ ଦେଶର ଏହି ସର୍ବୋଚ୍ଚ ନ୍ୟାୟାଳୟର ମହନୀୟତା ଓ ବିଶ୍ବସନୀୟତା ପ୍ରତି ଏକ ଗୁରୁତର ଆହ୍ବାନ ସଦୃଶ ଆବିର୍ଭୂତ ହୋଇଛି। ଏହା ପରେ ପରେ ନିଅଁାରେ ଘିଅ ଢାଳିବା ପରି ଧନଖଡ଼ଙ୍କ ଆକ୍ରମଣକୁ ସାଂସଦ ନିଶିକାନ୍ତ ଦୁବେ ତାଙ୍କର ଲଗାମହୀନ ତୁଣ୍ଡ ବ୍ୟବହାର କରି ଆହୁରି ଜୋରଦାର କରିଦେଇଛନ୍ତି।
ଧନଖଡ଼ ନିକଟରେ ରାଜ୍ୟ ବିଧାନସଭାରେ ପାରିତ ହୋଇଥିବା ବିଲ୍‌କୁ ସ୍ବୀକୃତି ପ୍ରଦାନ କରିବା ନିମିତ୍ତ ସୁପ୍ରିମ୍ କୋର୍ଟ ସଂପୃକ୍ତ ରାଜ୍ୟର ରାଜ୍ୟପାଳମାନଙ୍କ ପ୍ରତି ଏକ ବାଧ୍ୟତାମୂଳକ ସମୟସୀମା ଧାର୍ଯ୍ୟ କରି ଆଦେଶ ଦେବା ସହିତ ରାଷ୍ଟ୍ରପତିଙ୍କ ପ୍ରତି ମଧ୍ୟ ଅନୁରୂପ ନିର୍ଦ୍ଦେଶ ଦେବାକୁ ତୀବ୍ର ସମାଲୋଚନା କରି ଏଭଳି ବିଷୋଦ୍‌ଗାର କରିଥିଲେ। ସଂବିଧାନର ଧାରା-୧୪୨କୁ ଆଧାର କରି ସୁପ୍ରିମ୍ କୋର୍ଟ ଏଭଳି ନିର୍ଦ୍ଦେଶମାନ ଦେଉଥିବାରୁ ଉପରାଷ୍ଟ୍ରପତି କହିଥିଲେ ଧାରା-୧୪୨ ହେଉଛି ‘‘ଗଣତାନ୍ତ୍ରିକ ଶକ୍ତି ବିରୁଦ୍ଧରେ ଏକ ଆଣବିକ କ୍ଷେପଣାସ୍ତ୍ର ଯାହା ୨୪x୭ ନ୍ୟାୟପାଳିକାକୁ ଉପଲବ୍‌ଧ।’’ ଏଠାରେ ଉଲ୍ଲେଖ ଆବଶ୍ୟକ ଧନଖଡ଼ ମଧ୍ୟ ହେଉଛନ୍ତି ଜଣେ ଅନୁଭୂତିସଂପନ୍ନ ବିଚକ୍ଷଣ ଆଇନଜ୍ଞ। ସେ ତେଣୁ ଏହା ଭଲ ରୂପେ ଜାଣିଥିବେ ଯେ ନିଜର ବ୍ୟକ୍ତିଗତ ମତାମତ ଗ୍ରହଣ କରିବା ପାଇଁ ତାଙ୍କର ସଂପୂର୍ଣ୍ଣ ଅଧିକାର ଥିଲେ ହେଁ, ସଂସଦର ଏକ ଶିକ୍ଷାନବିସ ଗୋଷ୍ଠୀକୁ ଔପଚାରିକ ଭାବେ ସଂବୋଧିତ କରିବା ଅବସରରେ ଦେଶର ସର୍ବୋଚ୍ଚ ଅଦାଲତକୁ ଏକ ‘‘ସୁପର୍ ପାର୍ଲିଆମେଣ୍ଟ’’ ରୂପେ ଅଭିହିତ କରି ଉପରୋକ୍ତ ଭାଷା ବ୍ୟବହାର କରି ସମାଲୋଚନା କରିବା ଔଚିତ୍ୟର ସମସ୍ତ ସୀମା ଲଂଘନ କରିଥାଏ।
କେତେକ ବିରୋଧୀ ଦଳ ଶାସିତ ରାଜ୍ୟର ରାଜ୍ୟପାଳମାନେ ସେଠାକାର ବିଧାନସଭା ଦ୍ବାରା ପାରିତ ହୋଇଥିବା ବିଲ୍‌ମାନଙ୍କୁ ସ୍ବୀକୃତି ପ୍ରଦାନରେ ଜାଣିଶୁଣି ବିଳମ୍ବ ଘଟାଇବା ପରିପ୍ରେକ୍ଷୀରେ ସୁପ୍ରିମ୍ କୋର୍ଟ ତାଙ୍କର ଉପରୋକ୍ତ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ବିଶେଷ କରି ତାମିଲନାଡୁ ରାଜ୍ୟପାଳଙ୍କର ଏ ସଂପର୍କିତ ଆଚରଣ ସୁପ୍ରିମ୍ କୋର୍ଟଙ୍କୁ ଏଭଳି ନିର୍ଦ୍ଦେଶ ଦେବାକୁ ପ୍ରବୃତ୍ତ କରିଥିଲା। ସେଠାକାର ରାଜ୍ୟପାଳ ଆର୍ ଏନ୍ ରବି ୧୨ଟି ବିଲ୍‌ରେ ସ୍ବାକ୍ଷର ପ୍ରଦାନ ନ କରି ସେଗୁଡ଼ିକୁ ପକାଇ ରଖିବା ପରେ ତାମିଲନାଡୁ ସରକାର ଏଥିରେ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରି ୨୦୨୩ରେ ସୁପ୍ରିମ୍ କୋର୍ଟଙ୍କର ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମ୍ କୋର୍ଟ ଏଥିପାଇଁ ଯେତେବେଳେ ରାଜ୍ୟପାଳଙ୍କୁ ପ୍ରଥମ ଚେତାବନୀ ଦେଲେ, ରାଜ୍ୟପାଳ ରବି ସେତେବେଳେ ଦୁଇଟି ବିଲ୍‌କୁ ରାଷ୍ଟ୍ରପତିଙ୍କ ନିକଟକୁ ତାଙ୍କର ସ୍ବୀକୃତି ଲାଭ ନିମିତ୍ତ ପ୍ରେରିତ କରି ବାକି ଦଶଟିକୁ ପୁନର୍ବିଚାର ନିମିତ୍ତ ଫେରାଇ ଦେଲେ। ସେଇ ଦଶଟି ବିଲ୍‌ ଯେତେବେଳେ ପୁନରାୟ ବିଧାନସଭାରେ ପାରିତ ହୋଇ ତାଙ୍କ ପାଖକୁ ସ୍ବାକ୍ଷର ପାଇଁ ଫେରିଆସିଲା, ‌ଏଥର ସଂବିଧାନର ଧାରା-୨୦୦ ଅନୁସାରେ ରାଜ୍ୟପାଳ ତାହାକୁ ସ୍ବାକ୍ଷର କରିବାକୁ ବାଧ୍ୟ ହୋଇଥିଲେ ହେଁ, ରାଜ୍ୟପାଳ ରବି ସେଗୁଡ଼ିକୁ ରାଷ୍ଟ୍ରପତିଙ୍କ ନିକଟକୁ ପ୍ରେରଣ କରିଦେଲେ। ସୁପ୍ରିମ୍ କୋର୍ଟ ତାଙ୍କର ଆଦେଶରେ ଉଲ୍ଲେଖ କରିଛନ୍ତି ଯେ ତାମିଲନାଡୁର ରାଜ୍ୟପାଳ ସର୍ବୋଚ୍ଚ ଅଦାଲତଙ୍କର ରାୟ ଓ ନିର୍ଦ୍ଦେଶ ସବୁକୁ ଯଥାଯଥ ସମ୍ମାନ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି।
ଏହାହିଁ ‌େହଉଛି ସୁପ୍ରିମ୍ କୋର୍ଟ ବର୍ତ୍ତମାନ ତାଙ୍କର ବିବଦମାନ ନିର୍ଦ୍ଦେଶ ପ୍ରଦାନ କରିବାର ପୃଷ୍ଠଭୂମି। ଏଥିରେ ସନ୍ଦେହ ନାହିଁ ଯେ ସୁପ୍ରିମ୍ କୋର୍ଟଙ୍କର ଏହି ନିର୍ଦ୍ଦେଶକୁ ଖୋଦ୍ ଦେଶର ଉପରାଷ୍ଟ୍ରପତି ଏଭଳି ଖୋଲାଖୋଲି ସମାଲୋଚନା କରିବା ହେଉଛି ଅତ୍ୟନ୍ତ ଅଶୋଭନୀୟ ତଥା ଦୁର୍ଭାଗ୍ୟଜନକ; କିନ୍ତୁ ଏଥିରେ ମଧ୍ୟ ସନ୍ଦେହ ନାହିଁ ଯେ ସର୍ବୋଚ୍ଚ ଅଦାଲତଙ୍କର ଏହି ନିର୍ଦ୍ଦେଶ କେତେକ ଅତ୍ୟନ୍ତ ଅସ୍ବସ୍ତିକର ପ୍ରଶ୍ନକୁ ଜନ୍ମ ଦେଇଛି। ଏଥିମଧ୍ୟରୁ ଯାହା ହେଉଛି ସର୍ବାଧିକ ସମସ୍ୟାମୂଳକ, ତାହା ହେଲା ସ୍ବୟଂ ରାଷ୍ଟ୍ରପତିଙ୍କୁ ମଧ୍ୟ ଏହି ନିର୍ଦ୍ଦେଶର ପରିସୀମାରେ ଅନ୍ତର୍ଭୁକ୍ତ କରିବାକୁ ଅଦାଲତ ଗ୍ରହଣ କରିଥିବା ନିଷ୍ପତ୍ତି। ଏହା ଅନୁଯାୟୀ କୁହାଯାଇଛି ଯେ ରାଜ୍ୟପାଳଙ୍କ ଦ୍ବାରା ପ୍ରେରିତ ବିଲ୍ ତାଙ୍କ ପାଖରେ ପହଞ୍ଚିବାର ତିନି ମାସ ମଧ୍ୟରେ ରାଷ୍ଟ୍ରପତିଙ୍କୁ ନିଷ୍ପତ୍ତି ଗ୍ରହଣ କରିବାକୁ ହେବ ଏବଂ ଯଦି ଏଥିରେ ବିଳମ୍ବ ଘଟେ, ତା’ହେଲେ ରାଷ୍ଟ୍ରପତିଙ୍କୁ ବିଳମ୍ବର କାରଣ ଜଣାଇବାକୁ ପଡ଼ିବ।
ବର୍ତ୍ତମାନ ମନେ କରାଯାଉ ଭବିଷ୍ୟତରେ ଜଣେ ରାଷ୍ଟ୍ରପତି ଏପରି ଏକ ବିଲ୍ ସମ୍ବନ୍ଧରେ ନିଷ୍ପତ୍ତି ଗ୍ରହଣ କରିବାରେ କୌଣସି କାରଣ ପ୍ରଦର୍ଶନ ନ କରି ବିଳମ୍ବ ଘଟାଇଲେ। ତା’ହେଲେ ସଂପୃକ୍ତ ରାଜ୍ୟ ସରକାର କ’ଣ ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ସୁପ୍ରିମ୍ କୋର୍ଟରେ ଆବେଦନ କରିପାରିବ? ଉଲ୍ଲେଖ ନିଷ୍ପ୍ରୟୋଜନ, ସଂବିଧାନ ଅନୁସାରେ ରାଷ୍ଟ୍ରପତି ହେଉଛନ୍ତି ରାଷ୍ଟ୍ରର ମୁଖ୍ୟ ଯିଏ ପ୍ରଧାନମନ୍ତ୍ରୀ ଓ ତାଙ୍କର ମନ୍ତ୍ରୀ ପରିଷଦର ‘‘ସହାୟତା ଓ ଉପଦେଶ’’ ଅନୁସାରେ କାର୍ଯ୍ୟ କରିଥାନ୍ତି। ବର୍ତ୍ତମାନ ସୁପ୍ରିମ୍ କୋର୍ଟଙ୍କର ଉପରୋକ୍ତ ନିର୍ଦ୍ଦେଶର ଅର୍ଥ ହେଲା ‌େ‌କତେକ ପରିସ୍ଥିତିରେ ରାଷ୍ଟ୍ରପତିଙ୍କୁ ମଧ୍ୟ ଏଥିସହିତ ଅଦାଲତର ଆଦେଶ ବା ‘ମାଣ୍ଡାମସ୍ ରିଟ୍’ ପାଳନ କରି କାର୍ଯ୍ୟ କରିବାକୁ ପଡ଼ିବ। ଏହାର ଖିଲାପ ହେଲେ ରାଷ୍ଟ୍ରପତିଙ୍କୁ କ’ଣ ଅଦାଲତ ସମ୍ମୁଖରେ କାଠଗଡ଼ାରେ ଛିଡ଼ା କରାଯିବ? ଏହା ସମ୍ଭବ ନୁହେଁ, କାରଣ ରାଷ୍ଟ୍ରପତିଙ୍କୁ ତାଙ୍କ କାର୍ଯ୍ୟ ପାଇଁ ବ୍ୟକ୍ତିଗତ ଭାବରେ ଅଦାଲତ ନିକଟରେ ଦାୟୀ କରାଯାଇ ପାରିବ ନାହିଁ।
ଏହି ଗୁରୁତର ଅସଙ୍ଗତି ବାଦ୍ ସୁପ୍ରିମ୍ କୋର୍ଟଙ୍କର ଉପରୋକ୍ତ ନିର୍ଦ୍ଦେଶର ଅନ୍ୟ ଏକ ଅନ୍ତର୍ନିହିତ ଦୁର୍ବଳତା ହେଲା, ଏହାକୁ ପ୍ରଦାନ କରିଛନ୍ତି ଏକ ଦୁଇଜଣିଆ ବେଞ୍ଚ। ଏହା ସୁବିଦିତ ଯେ ସଂବିଧାନର ଧାରା-୧୪୫(୩) ଅନୁସାରେ ଏଭଳି ଗୁରୁତ୍ବପୂର୍ଣ୍ଣ ଆଇନଗତ ପ୍ରଶ୍ନର ତର୍ଜମା କରିବାର ଅଧିକାର କେବଳ ଏକ ପାଞ୍ଚଜଣିଆ କିମ୍ବା ବୃହତ୍ତର ବେଞ୍ଚ ଉପରେ ନ୍ୟସ୍ତ କରାଯାଇଛି। ଅନ୍ୟ ଯେଉଁ ଏକ ବିଡ଼ମ୍ବନା ସାଧାରଣ ନାଗରିକମାନଙ୍କୁ ଆନ୍ଦୋଳିତ କରିଥାଏ, ତାହା ହେଲା ସଂବିଧାନର ଧାରା-୧୨୪(୨) ଅନୁସାରେ ଭାରତର ରାଷ୍ଟ୍ରପତି ହେଉଛି ସୁପ୍ରିମ୍ କୋର୍ଟର ମୁଖ୍ୟ ବିଚାରପତିଙ୍କ ସମେତ ଅନ୍ୟ ସମସ୍ତ ବିଚାରପତିମାନଙ୍କର ନିଯୁକ୍ତିଦାତା। ଅତଏବ ସୁପ୍ରିମ୍ କୋର୍ଟର ମାନ୍ୟବର ବିଚାରପତିମାନେ ମହାମହିମ ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ଦେବା ଯମୁନା ଉଜାଣି ବହିବା ଭଳି ପ୍ରତୀୟମାନ ହୋଇ ନ ଥାଏ କି?
ସୁପ୍ରିମ୍ କୋର୍ଟ ର‌ାଷ୍ଟ୍ରପତିଙ୍କୁ ତାଙ୍କର ନିର୍ଦ୍ଦେଶର ପରିସରଭୁକ୍ତ କରିବାକୁ ନେଇଥିବା ନିଷ୍ପତ୍ତି ଫଳରେ ଆମ ସାଂବିଧାନିକ ବ୍ୟବସ୍ଥାର ଦୁଇଟି ପ୍ରମୁଖ ଶାଖା ମଧ୍ୟରେ ଏକ ଅତ୍ୟନ୍ତ ଅବାଞ୍ଛିତ ଆଇନଗତ ଭିଡ଼ାଓଟରା ଘଟିବାର ସମ୍ଭାବନା ସୃଷ୍ଟି ହୋଇଛି। ମନେ କରାଯାଉ ଏହି ବଳ କଷାକଷିର ଅଂଶ ସ୍ବରୂପ ସଂସଦ ମଧ୍ୟ ଯେସାକୁ ତେସା ନୀତି ଅବଲମ୍ବନ କରି ଯଦି ମାମଲା ଫଇସଲା କରିବା ପାଇଁ ସୁପ୍ରିମ୍ କୋର୍ଟଙ୍କ ଉପରେ ବାଧ୍ୟତାମୂଳକ ସମୟସୀମା ଲାଗୁ କରିବାକୁ ଆଇନ ପ୍ରଣୟନ କରେ, ତେବେ କ’ଣ ହେବ? ମନେ ରଖିବା ଉଚିତ ହେବ ଆମେରିକୀୟ ସଂବିଧାନ ଭଳି ଭାରତୀୟ ସଂବିଧାନ ଖୋଲାଖୋଲି ଭାବରେ କ୍ଷମତାର ପୃଥକୀକରଣ ସମ୍ବନ୍ଧରେ ଉଲ୍ଲେଖ କରି ନ ଥିଲେ ହେଁ, ଏଥିରେ ବସ୍ତୁତଃ ସେଇ ନିୟମ ଅନୁସରଣ କରି ରାଷ୍ଟ୍ରର ଭିନ୍ନ ଭିନ୍ନ ଅଙ୍ଗ ଉପରେ ବୈଧାନିକ, ପ୍ରଶାସନିକ ଓ ନ୍ୟାୟିକ କ୍ଷମତା ଓ କାର୍ଯ୍ୟଭାର ନ୍ୟସ୍ତ କରାଯାଇଛି। ରାଷ୍ଟ୍ରର ମଙ୍ଗଳ ଦୃଷ୍ଟିରୁ ଏହି ଅଙ୍ଗମାନେ ପରସ୍ପରର ଇଲାକାରେ ଅନୁପ୍ରବେଶରୁ ନିବୃତ୍ତ ରହିବା ଆଶା କରାଯାଏ।