ଭାରତର ବିଶାଳ ଅର୍ଥନୀତି ସ୍ବାଭାବିକ ଭାବରେ ଏହି ନୂତନ ଅର୍ଥନୈତିକ କରିଡର୍କୁ ସକ୍ରିୟ ରଖିବାରେ ଏକ ବିଶେଷ ଭୂମିକା ନିର୍ବାହ କରିବ। ଏଥିସହିତ ସଦସ୍ୟ ଦେଶମାନଙ୍କ ମଧ୍ୟରେ ସାଂସ୍କୃତିକ ସଂଯୋଗ ସ୍ଥାପନ କରିବାରେ ସହାୟକ ହୋଇ ଏହି କରିଡର୍ ସେମାନଙ୍କ ମଧ୍ୟରେ ଯେଉଁ ଐକ୍ୟ ଭାବ ସୃଷ୍ଟି କରିବ ତାହା ମାନବ ସଭ୍ୟତାକୁ ସେଇ ଭାରତ ନିର୍ଦ୍ଦେଶିତ ଲକ୍ଷ୍ୟସ୍ଥଳୀ ଦିଗରେ ଆଉ ଟିକିଏ ଆଗେଇ ନେବ: ‘ବସୁଧୈବ କୁଟୁମ୍ବକମ୍’।
ମାନବ ସଭ୍ୟତାର େଶ୍ରଷ୍ଠତମ ଇତିହାସ ରୂପେ ଆଦୃତ ‘ଦି ଷ୍ଟୋରୀ ଅଫ୍ ସିଭିଲାଇଜେସନ୍’ର ରଚୟିତା ୱିଲ୍ ଡୁରାଣ୍ଟ୍ ମାନବ ସଭ୍ୟତାର ଅଗ୍ରଗତିର ଯେଉଁ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ, ତହିଁରୁ ଗୋଟିଏ ଥିଲା ଏଥିପ୍ରତି ଭୂଗୋଳର ଅବଦାନର କ୍ରମ ହ୍ରାସମାନ ଗୁରୁତ୍ବ। ମନୁଷ୍ୟର ବୁଦ୍ଧି ଓ ଉଦ୍ଯୋଗ ହିଁ ଭୂଗୋଳ ଉପସ୍ଥାପନ କରୁଥିବା ସୁଯୋଗର ସଦ୍ବ୍ୟବହାର କରିଥାଏ ଓ ଭୂଗୋଳ ସୃଷ୍ଟ ପ୍ରତିବନ୍ଧକମାନ ଅତିକ୍ରମ କରିଥାଏ। ସେଥିପାଇଁ ସେ ତାଙ୍କର ଅନ୍ୟତମ ପ୍ରସିଦ୍ଧ ପୁସ୍ତକ ‘ଦି ଲେସନ୍ସ ଅଫ୍ ହିଷ୍ଟ୍ରି’ (‘ଇତିହାସର ଶିକ୍ଷା’)ରେ ଲେଖିଥିଲେ: ‘‘ଧରିତ୍ରୀ ନୁେହଁ, ମନୁଷ୍ୟ ହିଁ ସଭ୍ୟତା ନିର୍ମାଣ କରିଥାଏ।’’
ଏହାର ଏକ ଉଦାହରଣ ଦେବାକୁ ଯାଇ ଡୁରାଣ୍ଟ ଦର୍ଶାଇଛନ୍ତି କିପରି ପ୍ରାୟ ଦୁଇ ହଜାର ବର୍ଷ ଧରି ଭୂ-ମଧ୍ୟସାଗରର ଉତ୍ତର ଓ ପୂର୍ବ ତଟ ଅଞ୍ଚଳରେ ବସତି ସ୍ଥାପନ କରି ସୀମିତ ରହିଥିବା ଶ୍ବେତକାୟମାନେ ବୋଇତ ନିର୍ମାଣ କରି ତା’ ସାହାଯ୍ୟରେ ୧୪୯୨ରେ ମହାସାଗର ରୂପକ ଭୌଗୋଳିକ ପ୍ରତିବନ୍ଧକ ଅତିକ୍ରମ କରିବାକୁ ସାହସ ପ୍ରଦର୍ଶନ କରିବା ପରେ (କଲମ୍ବସ୍, ଭାସ୍କୋଡା ଗାମା) ଇଉରୋପୀୟ ସାଂସ୍କୃତିକ ଓ ଅର୍ଥନୈତିକ ସଭ୍ୟତାର ଉତ୍ତରୋତ୍ତର ଉନ୍ନତି ଘଟି ପ୍ରାୟ ସମଗ୍ର ପୃଥିବୀରେ ପ୍ରସାର ଲାଭ କରିବାକୁ ସମର୍ଥ ହୋଇଥିଲା। ସେ ସମୟରେ ସଭ୍ୟତା ନିର୍ମାଣରେ ସହାୟକ ହୋଇଥିବା ବୋଇତ ଯାତ୍ରା ଯେଉଁ ଭଳି ୱିଲ୍ ଡୁରାଣ୍ଟ୍ଙ୍କୁ ପ୍ରଭାବିତ କରିଥିଲା, ପରବର୍ତ୍ତୀ ସମୟରେ ବାଷ୍ପୀୟ ପୋତ, ରେଳ, ବ୍ୟୋମଯାନ ଆଦିର ଆବିର୍ଭାବ ସେଇଭଳି ପୃଥିବୀ ପୃଷ୍ଠରେ ମାନବ ସଭ୍ୟତାକୁ ଆହୁରି ଅକଳ୍ପନୀୟ ଭାବରେ ଆଗେଇ ନେଇଛି। ଶିଳ୍ପ ବିପ୍ଳବ ପରବର୍ତ୍ତୀ ସମୟର ପୃଥିବୀରେ ଏକ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଉଭୟ କଞ୍ଚା ମାଲ ଓ ଉତ୍ପାଦିତ ମାଲ ପରିବହନର ଯେଉଁ ଆବଶ୍ୟକତା ସୃଷ୍ଟି ହେଲା ତଥା ଶ୍ରମିକମାନଙ୍କର ସ୍ଥାନାନ୍ତର ଗମନର ଯେଉଁ ଆବଶ୍ୟକତା ସୃଷ୍ଟି ହେଲା, ଏହି ପରିବହନ ମାଧ୍ୟମମାନଙ୍କ ଦ୍ବାରା ସେଇ ଆବଶ୍ୟକତା ପୂରଣ ହୋଇପାରିଲା।
ଡୁରାଣ୍ଟ୍ଙ୍କ ସମୟ ପରେ ବର୍ତ୍ତମାନ ପୃଥିବୀରେ ମାନବ ସଭ୍ୟତାର ଚରିତ୍ରରେ ଯେଉଁ ସବୁ ପରିବର୍ତ୍ତନମାନ ଘଟିଛି, ସେଥି ମଧ୍ୟରୁ ଦୁଇଟି ପ୍ରଧାନ ହେଉଛି ଡିଜିଟାଲ୍ ପ୍ରବିଧିର ଆବିର୍ଭାବ ଓ ପରିବେଶ ସୁରକ୍ଷାର ଆବଶ୍ୟକତା। ସଭ୍ୟତାକୁ ଆଗେଇ ନେବାକୁ ହେଲେ ବର୍ତ୍ତମାନ ପୂର୍ବଭଳି କେବଳ ଶିଳ୍ପଜାତ ପଦାର୍ଥମାନଙ୍କର ଓ ଉପାଦାନମାନଙ୍କର ପରିବହନର ବ୍ୟବସ୍ଥା କରିଦେଲେ ଯଥେଷ୍ଟ ହେବ ନାହିଁ, ସେଥି ସହିତ ଏହାକୁ ପରିବେଶ ଅନୁକୂଳ କରିବା ମଧ୍ୟ ଆବଶ୍ୟକ ଓ ଡେଟା ପରିବହନ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବା ଆବଶ୍ୟକ। ସେଇ ଦୃଷ୍ଟିକୋଣରୁ ଦେଖିଲେ କୁହାଯାଇପାରେ ଯେ ନିକଟରେ ଭାରତକୁ ଇଉରୋପ ସହିତ ତଥା ମଧ୍ୟବର୍ତ୍ତୀ ଦେଶମାନଙ୍କ ସହିତ ସୁଗମ ପରିବହନ ଦ୍ବାରା ସଂଯୁକ୍ତ କରିବା ପାଇଁ ‘ଇଣ୍ଡିଆ-ମିଡ୍ଲ ଇଷ୍ଟ-ଇଉରୋପ ଇକନମିକ୍ କରିଡର୍’ (‘ଆଇଏମ୍ଇସି’) ନାମକ ଏକ ସଂଯୋଗ ପଥ ନିର୍ମାଣ କରିବା ପାଇଁ ଭାରତ ଏବଂ ସାତଟି ଅନ୍ୟ ଦେଶ ଓ େଗାଷ୍ଠୀ ମଧ୍ୟରେ ସ୍ବାକ୍ଷରିତ ଏକ ଚୁକ୍ତି କେବଳ ଶିଳ୍ପ ବାଣିଜ୍ୟକୁ ସହାୟକ ହେବା ପାଇଁ ଏକ ପଦକ୍ଷେପ ନୁହେଁ, ଡୁରାଣ୍ଟ୍ କହିଥିବା ଭଳି ଏହା ମଧ୍ୟ ହେଉଛି ମାନବ ସଭ୍ୟତାକୁ ଆଗେଇ ନେବା ପାଇଁ ଏକ ଉଦ୍ୟମ। ଏହି ଅନ୍ୟ ସାତଟି ଦେଶ ଓ ଗୋଷ୍ଠୀ ହେଉଛନ୍ତି, ଆମେରିକା, ସାଉଦୀ ଆରବ, ୟୁଏଇ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଓ ଇୟୁ କମିସନ୍।
ଏଠାରେ ସୂଚନାଯୋଗ୍ୟ ଯେ ଏହି ଚୁକ୍ତି ସ୍ବାକ୍ଷରିତ ହେବାର ପ୍ରାୟ ମାସକ ପରେ ଆସନ୍ତା ଅକ୍ଟୋବରରେ ଏହାର ଏକ ପ୍ରତିଦ୍ବନ୍ଦ୍ବୀ ଭଳି ମନେ ହେଉଥିବା ଏକ ଅଭିଯାନ, ‘ବେଲ୍ଟ ରୋଡ୍ ଇନିସିଏଟିଭ୍’ (‘ବିଆର୍ଆଇ’)ର ଦଶ ବର୍ଷ ପୂରଣ ହେବାକୁ ଯାଉଛି। କିନ୍ତୁ ଦୁଇଟି ଦୃଷ୍ଟିରୁ ଭାରତ ସମ୍ପୃକ୍ତ ଥିବା ‘ଆଇଏମ୍ଇସି’ ହେଉଛି ଚୀନ୍ର ସେଇ ଉଦ୍ୟମ ଅପେକ୍ଷା ଉତ୍କୃଷ୍ଟତର। ପ୍ରଥମ ହେଲା, ‘ବିଆର୍ଆଇ’ରେ ଅଂଶ ଗ୍ରହଣ କରିଥିବା ଦେଶମାନଙ୍କ ପାଇଁ (ଭାରତ ଏଥିରେ ଅଂଶଗ୍ରହଣ କରିନାହିଁ) ଏହା ଋଣ ବୋଝ ସୃଷ୍ଟି କରିଥାଏ, କିନ୍ତୁ ‘ଆଇଏମ୍ଇସି’ କୌଣସି ସଦସ୍ୟ ଦେଶ ପାଇଁ ଋଣ ଭାର ସୃଷ୍ଟି କରିବ ନାହିଁ। ‘ବିଆର୍ଆଇ’ ମାଧ୍ୟମରେ ଚୀନ୍ ସମ୍ପୃକ୍ତ ଅଞ୍ଚଳରେ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ, ‘ଆଇଏମ୍ଇସି’ରେ କାହାରି ଶକ୍ତି ପ୍ରଦର୍ଶନର ଅବକାଶ ନାହିଁ। ଦ୍ବିତୀୟରେ ‘ବିଆର୍ଆଇ’ କେବଳ ମାଲ୍ ପରିବହନ ପାଇଁ ଉଦ୍ଦିଷ୍ଟ ହୋଇଥିବା ବେଳେ, ‘ଆଇଏମ୍ଇସି’ରେ ଡିଜିଟାଲ ଡେଟା ପ୍ରେରଣ ଓ ପରିବେଶ ଅନୁକୂଳ ଗ୍ରୀନ୍ ହାଇଡ୍ରୋଜେନ୍ ଗ୍ୟାସ୍ ପରିବହନ ପାଇଁ ମଧ୍ୟ ବ୍ୟବସ୍ଥା ଅନ୍ତର୍ଭୁକ୍ତ ଅଛି। ରେଳପଥ, ଜଳପଥ ଓ ସଡ଼କପଥ ସବୁକୁ ନେଇ ଏହି କରିଡର୍ ଗଠିତ ହେବ। ରେଳପଥ ଓ ସଡ଼କପଥ ପାର୍ଶ୍ବରେ ରହିବ ବିଦ୍ୟୁତ୍ ଶକ୍ତି ଓ ଡିଜିଟାଲ୍ ଡେଟା ସରବରାହକାରୀ କେବ୍ଲମାନ। ଏହା ବାଦ୍ ଗ୍ରୀନ୍ ହାଇଡ୍ରୋଜେନ୍ ବହନ କରିବା ନିମିତ୍ତ ପାଇପ୍ ଲାଇନ୍ ମଧ୍ୟ ଏହି କରିଡର୍ର ଅଂଶ ବିଶେଷ ହେବ।
ପ୍ରାୟ ଦୁଇ ବର୍ଷ ହେବ ଏହି କରିଡର୍ ଗଠନ ନିମିତ୍ତ କଳ୍ପନା ଜଳ୍ପନା ହୋଇ ଚାଲିଥିଲେ ହେଁ ସେଥିରେ ବିଶେଷ ଅଗ୍ରଗତି ପରିଲକ୍ଷିତ ହୋଇନଥିଲା। କିନ୍ତୁ ମଧ୍ୟପ୍ରାଚ୍ୟରେ ନିକଟରେ ଚୀନ୍ ମାତ୍ରାଧିକ ସକ୍ରିୟ ହେବା ଦେଖାଯିବା ପରେ ଆମେରିକା ସେ ଅଞ୍ଚଳରେ ନିଜର ପାରମ୍ପରିକ ପ୍ରଭାବ ହରାଇବା ଭୟରେ ଏହି ପରିକଳ୍ପନାକୁ ତ୍ବରାନ୍ବିତ କରିବା ନିମିତ୍ତ ସାଉଦୀ ଆରବ ସମେତ ଅନ୍ୟ ଦେଶମାନଙ୍କୁ ପ୍ରବର୍ତ୍ତାଇବାର ଫଳ ସ୍ବରୂପ ଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶୀର୍ଷ ସମ୍ମିଳନୀ ସମୟେର ଏହି ଚୁକ୍ତି ସ୍ବାକ୍ଷରିତ ହୋଇପାରିଲା। ଏହି ପ୍ରସ୍ତାବିତ ପ୍ରକଳ୍ପର ଅଂଶ ସ୍ବରୂପ ଏକ ଇଷ୍ଟର୍ନ କରିଡର୍ (ପୂର୍ବ ପଥ) ଭାରତକୁ ଉପସାଗରୀୟ ଅଞ୍ଚଳ ସହିତ ସଂଯୁକ୍ତ କରିବ ଏବଂ ଏକ ନର୍ଦନ କରିଡର୍ (ଉତ୍ତର ପଥ) ଉପସାଗରୀୟ ଅଞ୍ଚଳକୁ ଇଉରୋପ୍ ସହିତ ସଂଯୁକ୍ତ କରିବ, ଯାହା ଜାହାଜ ଦ୍ବାରା ଆମେରିକା ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ।
ସାଉଦୀ ଆରବ ଓ ୟୁଏଇ ସହିତ ଇସ୍ରାଏଲ୍ ଓ ଜୋର୍ଡାନ୍ ମଧ୍ୟ ‘ଆଇଏମ୍ଇସି’ ଦ୍ବାରା ସଂଯୁକ୍ତ ହେବାକୁ ଯାଉଥିବାରୁ ଏହାଦ୍ବାରା ସେମାନଙ୍କ ମଧ୍ୟରେ ଅର୍ଥନୈତିକ ଓ ସାଂସ୍କୃତିକ ଆଦାନପ୍ରଦାନର ଯେଉଁ ଉଲ୍ଲେଖନୀୟ ବୃଦ୍ଧି ଘଟିବ ତାହା ଇସ୍ରାଏଲ୍ ଓ ଏହି ଆରବ ଦେଶମାନଙ୍କ ମଧ୍ୟରେ ଦୀର୍ଘ କାଳ ଧରି ରହି ଆସିଥିବା ଶତ୍ରୁତା ଓ ସନ୍ଦେହର ବାତାବରଣରେ ନିଶ୍ଚିତ ରୂପେ ଉନ୍ନତି ସାଧନ କରିବ। ଭାରତର ବିଶାଳ ଅର୍ଥନୀତି ସ୍ବାଭାବିକ ଭାବରେ ଏହି ନୂତନ ଅର୍ଥନୈତିକ କରିଡର୍କୁ ସକ୍ରିୟ ରଖିବାରେ ଏକ ବିଶେଷ ଭୂମିକା ନିର୍ବାହ କରିବ। ଏଥିସହିତ ସଦସ୍ୟ ଦେଶମାନଙ୍କ ମଧ୍ୟରେ ସାଂସ୍କୃତିକ ସଂଯୋଗ ସ୍ଥାପନ କରିବାରେ ସହାୟକ ହୋଇ ଏହି କରିଡର୍ ସେମାନଙ୍କ ମଧ୍ୟରେ ଯେଉଁ ଐକ୍ୟ ଭାବ ସୃଷ୍ଟି କରିବ ତାହା ମାନବ ସଭ୍ୟତାକୁ ସେଇ ଭାରତ ନିର୍ଦ୍ଦେଶିତ ଲକ୍ଷ୍ୟସ୍ଥଳୀ ଦିଗରେ ଆଉ ଟିକିଏ ଆଗେଇ ନେବ: ‘ବସୁଧୈବ କୁଟୁମ୍ବକମ୍’।