ଚିନ୍ତାର ବିଷୟ ହେଲା ସଂପ୍ରତି ଭାରତରେ ଏଭଳି କେତେକ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି, ଯହିଁରେ ଅତୀତ ବା ଇତିହାସର ଚିତ୍ର ପ୍ରଦାନ କରିବାର ଦ୍ବାହି ଦିଆଯାଇ ଭାରତୀୟ ଜନ-ସମାଜରେ ବିଭାଜନ ସୃଷ୍ଟିର ପ୍ରଚ୍ଛନ୍ନ ବା ପ୍ରକାଶ୍ୟ ଉଦ୍ଦେଶ୍ୟ ପରିଲକ୍ଷିତ ହେଉଛି। କହିବା ବାହୁଲ୍ୟ ଯେ ମହାରାଷ୍ଟ୍ରେର ମରାଠା ବୀର ଶମ୍ଭାଜୀ ମହାରାଜ ଅସ୍ମିତାର ପ୍ରତୀକ ରୂପେ ବିବେଚିତ ହୁଅନ୍ତି। ସୁତରାଂ, ‘ଛାୱା’ ଚଳଚ୍ଚିତ୍ର ଦ୍ବାରା ଯେ ଔରଙ୍ଗଜେବଙ୍କ ପ୍ରତି ଘୃଣା ଅଧିକ ଉତ୍କଟ ହୋଇଥିବ, ତାହା ନିଃସନ୍ଦେହ।
ଗଲା କିଛି ଦିନ ଧରି ଔରଙ୍ଗଜେବଙ୍କ କବରକୁ କେନ୍ଦ୍ର କରି ଯେଉଁ ଏକ ତୁମୂଳ ବିବାଦ ସୃଷ୍ଟି ହୋଇଛି, ତାହା ଧୁରନ୍ଧର ଐତିହାସିକମାନଙ୍କୁ ସେମାନଙ୍କ ମତାମତ ଭିତ୍ତିରେ ଏବଂ ମହାରାଷ୍ଟ୍ରର କେତେକ ଅଞ୍ଚଳରେ ଜନସାଧାରଣଙ୍କୁ ସାଂପ୍ରଦାୟିକତା ଆଧାରରେ ବିଭାଜିତ କରିଛି। ଏ ସଂଦର୍ଭରେ ଯାହା ଅଧିକ ବିବାଦୀୟ ହୋଇ ଉଠିଥାଏ, ତାହା ହେଲା ନାଗପୁର ଠାରେ ଭଙ୍ଗରୁଜା ଓ ଜଳାପୋଡ଼ାରେ ପ୍ରମତ୍ତ ସଂଖ୍ୟାଲଘୁ ବର୍ଗର କିଛି ଉପଦ୍ରବକାରୀଙ୍କ ମୁଖ ନିସୃତ ସ୍ଲୋଗାନ ଯେ ‘ସୁଲତାନ ଔରଙ୍ଗଜେବ ଜିନ୍ଦାବାଦ’; ଯାହା ବାସ୍ତବରେ ଥିଲା କତିପୟ ହିନ୍ଦୁ ଦକ୍ଷିଣପନ୍ଥୀ ସଂଗଠନ ଦ୍ବାରା ଔରଙ୍ଗଜେବଙ୍କ ପୁତ୍ତଳିକା ଦହନର ପ୍ରତିକ୍ରିୟା, କାରଣ ଏହା ପରେ ଏକ ବାର୍ତ୍ତା ସଂଚରିତ ହୋଇଥିଲା ଯେ ଏହି କ୍ରମରେ ମୁସଲମାନମାନଙ୍କ ଦ୍ବାରା ପବିତ୍ର ମାନ୍ୟତା ପ୍ରାପ୍ତ ଏକ ‘ଚଦର’କୁ ଜାଳି ଦିଆଯାଇଛି, ଯଦିଓ ‘ଚଦର’ ସଂପର୍କିତ ଖବରଟି ଅସତ୍ୟ ଥିଲା। ଏଭଳି ଘଟଣାକ୍ରମ ପରେ ଏକ ଦାବି ତୀବ୍ର ହେଉଥିବା ଦେଖିବାକୁ ମିଳୁଛି ଯେ ଔରଙ୍ଗଜେବଙ୍କ କବର ବା ସମାଧି ସ୍ଥଳକୁ ସଂପୂର୍ଣ୍ଣ ରୂପେ ନିଶ୍ଚିହ୍ନ କରାଯାଉ, କାରଣ ତାହା ହିଁ ହେବ ଜଣେ ଧର୍ମାନ୍ଧ, ହିନ୍ଦୁ ପୀଡ଼କ ଓ ମନ୍ଦିର ବିଧ୍ବଂସକାରୀ ରାଜା ସକାଶେ ସମୁଚିତ ନ୍ୟାୟ ବା ଦଣ୍ଡ। ଏହାକୁ ନେଇ ବିବାଦ ତୀବ୍ର ହେଉଥିବା ବେଳେ ଏ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ଏଠାରେ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଔରଙ୍ଗଜେବ ଆଦୌ ଜଣେ ଆଦର୍ଶ ସ୍ଥାନୀୟ ଚରିତ୍ର ନୁହନ୍ତି ବୋଲି ଯେ କେହି ସ୍ବୀକାର କରିବେ। ସେ କେବଳ ହିନ୍ଦୁମାନଙ୍କ ପ୍ରତି ଅତ୍ୟନ୍ତ ନିର୍ମମ ନ ଥିଲେ, କ୍ଷମତାରୂଢ଼ ହେବା ସକାଶେ ନିଜ ପିତାଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ କାରାରୁଦ୍ଧ କରି ରଖିବା ସହିତ ତିନି ଭାଇଙ୍କୁ ନୃଶଂସ ଭାବେ ହତ୍ୟା କରିଥିଲେ। ଏକାଧାରରେ ଧର୍ମାନ୍ଦ, କ୍ରୂର ଓ କ୍ଷମତାଲୋଭୀ ହୋଇଥିବା କାରଣରୁ ସପ୍ତଦଶ ଶତାବ୍ଦୀର ଭାରତ ତାଙ୍କ ଠାରେ ଏକ ‘ଆତଙ୍କବାଦୀ’ସୁଲଭ ବ୍ୟକ୍ତିତ୍ବ ଦେଖିବାକୁ ପାଇଥିବ। େତଣୁ ସେ ଶ୍ରଦ୍ଧା ବା ସମ୍ମାନର ପାତ୍ର ହେବା ଏବଂ ସାଂପ୍ରତିକ ଭାରତୀୟ ମୁସଲମାନମାନଙ୍କ ସକାଶେ ଅନୁସରଣୀୟ ହେବାର କୌଣସି କାରଣ ନଥାଏ। କିନ୍ତୁ ସମସ୍ୟା ଉତ୍ପନ୍ନ ହୋଇଥାଏ, ଯେତେବେଳେ ସ୍ବଳ୍ପ ଦୃଷ୍ଟି ସଂପନ୍ନ ସଂକୀର୍ଣ୍ଣ ରାଜନୀତି ଓ ପକ୍ଷପାତୀ ଇତିହାସର ପ୍ରବେଶ ଘଟେ। ପ୍ରକାଶ ଥାଉ କି ତିନି ବର୍ଷ ପୂର୍ବେ ‘ଏ.ଆଇ.ଏମ୍.ଆଇ.ଏମ୍’ର ମୁଖ୍ୟ ଅସାଦୁଦ୍ଦିନ ଓୱାଇସିଙ୍କ ଭାଇ ଆକବରୁଦ୍ଦିନଙ୍କ ଦ୍ବାରା ଔରଙ୍ଗଜେବଙ୍କ କବର ପରିଦର୍ଶନ ଏକ ବିବାଦ ସୃଷ୍ଟି କରିଥିଲା, ଯାହା ସାଂପ୍ରଦାୟିକ ଭାବେ ଧ୍ରୁବୀକୃତ ଏକ ପରିବେଶରେ ଅଯଥାର୍ଥ ଓ ଅପରିଣାମଦର୍ଶୀ ବୋଲି ମତ ପ୍ରକାଶ ପାଇଥାଏ। କୁହାଯାଇଥାଏ ଯେ ରାଜନୈତିକ ଲାଭ ସକାଶେ ସାଂପ୍ରଦାୟିକ ବିଭାଜନକୁ ତୀବ୍ର କରିବା ଏକ ଫଳପ୍ରଦ ଉପାୟ ହୋଇ ରହି ଆସିଥିବାରୁ ଅନେକ ନେତା ଏଭଳି କାର୍ଯ୍ୟମାନ କରିଥାଆନ୍ତି। ସୁତରାଂ, ଏହାର ବିଡ଼ମ୍ବିତ ପରିଣାମ ହେଲା, ତା’ ପର ଠାରୁ ଔରଙ୍ଗଜେବଙ୍କ ଭଳି ଜଣେ ଅପଖ୍ୟାତ ଚରିତ୍ରଙ୍କୁ କେନ୍ଦ୍ର କରି ମଧ୍ୟ ସାଂପ୍ରଦାୟିକ ତିକ୍ତତା ପ୍ରଗାଢ଼ ହେବାରେ ଲାଗିଛି! ଦ୍ବିତୀୟରେ ଆସିବ ଏହି ପରିପ୍ରେକ୍ଷୀରେ ସନ୍ଦିଗ୍ଧ ଓ ପକ୍ଷପାତୀ ଇତିହାସର ଭୂମିକାକୁ। ଏଥିରେ ଦ୍ବିଧା ନାହିଁ ଯେ ଅଧିକାଂଶ ଶିକ୍ଷିତ ଭାରତୀୟଙ୍କ ଇତିହାସ ସମ୍ବନ୍ଧୀୟ ଜ୍ଞାନର ସ୍ତର ଉଚ୍ଚ ବିଦ୍ୟାଳୟ ପାଠ୍ୟକ୍ରମରେ ସୀମିତ, ଯହିଁରେ ଅତୀତର ଶାସକମାନଙ୍କ ସମ୍ବନ୍ଧରେ ଏକ ସଂକ୍ଷିପ୍ତ ଓ ସ୍ଥୂଳ ଜ୍ଞାନ ଥାଏ। ଏଭଳି ସ୍ଥଳେ ସାମାଜିକ ଗଣମାଧ୍ୟମରେ ଅତ୍ୟନ୍ତ ବିଶ୍ବାସଯୋଗ୍ୟ ଢଙ୍ଗରେ ଇତିହାସର ପୋଷାକରେ ମିଥ୍ୟା, ଅର୍ଦ୍ଧ ସତ୍ୟ ଏବଂ ଅର୍ଦ୍ଧ ସିଦ୍ଧ ତଥ୍ୟ ଓ ସୂଚନାର ପ୍ଳାବନ ଘଟି ଜନସାଧାରଣଙ୍କ ଇତିହାସ ସମ୍ବନ୍ଧୀୟ ଜ୍ଞାନକୁ ଏଭଳି ବିକୃତ କରିବାରେ ଲାଗିଛି ଯେ ଅନେକ ଐତିହାସିକ ଚରିତ୍ରଙ୍କୁ ନେଇ ପୂର୍ବର ଧାରଣାମାନ ବଦଳିବାରେ ଲାଗିଛି, ଯହିଁରେ ଅତ୍ୟନ୍ତ ମହନୀୟ ସୁପୁରୁଷମାନେ ମଧ୍ୟ ସନ୍ଦେହାସ୍ପଦ ହେଲେଣି। କହିବାର ତାତ୍ପର୍ଯ୍ୟ ହେଲା ଇତିହାସ ଏଭଳି ପୁନର୍ଭାଷିତ ହୋଇ ଚାଲିଥିବା ବେଳେ ଅତୀତର ପ୍ରମାଦଗୁଡ଼ିକର ପୁନର୍ମାର୍ଜନ ଯେ ଅତ୍ୟନ୍ତ ଜରୁରି ତାହା ଅସଂଖ୍ୟଙ୍କ ମୁଣ୍ଡରେ ବସା ବାନ୍ଧିଲାଣି। ସୁତରାଂ, ଏଭଳି ଦୃଶ୍ୟପଟ!
ଏଠାରେ ପ୍ରଶ୍ନ ଉଠିଥାଏ ଯେ ସହସା ଔରଙ୍ଗଜେବଙ୍କୁ କେନ୍ଦ୍ର କରି ଉତ୍ତେଜନା ତୀବ୍ର ହୋଇଛି କାହିଁକି? ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସଙ୍କ ମତରେ ଏହା ହୋଇପାରେ ନିକଟେର ମୁକ୍ତି ଲାଭ କରିଥିବା ଏକ ସୁନ୍ଦର ଭାବେ ନିର୍ମିତ ଚଳଚ୍ଚିତ୍ର ‘ଛାୱା’ର ପ୍ରଭାବ, ଯେଉଁ ଇତିହାସଧର୍ମୀ ସିନେମାରେ ପ୍ରଦର୍ଶିତ ହୋଇଛି କିଭଳି ଔରଙ୍ଗଜେବଙ୍କ ଦ୍ବାରା ଛତ୍ରପତି ଶିବାଜୀଙ୍କ ପୁତ୍ର ଶମ୍ଭାଜୀ ମହାରାଜ ହୃଦୟ ବିଦାରକ ନିପୀଡ଼ନ ଓ ପରିଶେଷରେ ହତ୍ୟାର ଶିକାର ହୋଇଛନ୍ତି। କହିବା ଅନାବଶ୍ୟକ ଯେ ଜନ ଚେତନାକୁ ପ୍ରଭାବିତ କରିବାରେ ସିନେମା ଏକ ଅତ୍ୟନ୍ତ ବଳିଷ୍ଠ ମାଧ୍ୟମ ରୂପେ ସାବ୍ୟସ୍ତ ହୋଇଛି। ଏହି କାରଣରୁ ଜ୍ଞାତସାରରେ ହେଉ ବା ଅଲକ୍ଷ୍ୟରେ ସିନେମା ବିଭିନ୍ନ ମତାଦର୍ଶର ପ୍ରଚାରରେ ନିୟୋଜତ ହୋଇଛି, ଯେଉଁ ଧାରା ସିନେମାର ଉଦ୍ଭବ ସମୟର ନିର୍ବାକ ଚଳଚ୍ଚିତ୍ରଗୁଡ଼ିକରେ ମଧ୍ୟ ଦୃଶ୍ୟମାନ ହୋଇଥିଲା। କହିବା ଅନାବଶ୍ୟକ ଯେ ଭାରତ ସମେତ ପୃଥିବୀର ପ୍ରତ୍ୟେକ ଦେଶରେ ନିର୍ମିତ ହେଉଥିବା ସିନେମାଗୁଡ଼ିକେର ସ୍ବଦେଶ ପ୍ରେମ ଓ ଜାତୀୟତାବାଦର ପ୍ରଚାର ରହିଥାଏ। କିନ୍ତୁ, ଚିନ୍ତାର ବିଷୟ ହେଲା ସଂପ୍ରତି ଭାରତରେ ଏଭଳି କେତେକ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି, ଯହିଁରେ ଅତୀତ ବା ଇତିହାସର ଚିତ୍ର ପ୍ରଦାନ କରିବାର ଦ୍ବାହି ଦିଆଯାଇ ଭାରତୀୟ ଜନ-ସମାଜରେ ବିଭାଜନ ସୃଷ୍ଟିର ପ୍ରଚ୍ଛନ୍ନ ବା ପ୍ରକାଶ୍ୟ ଉଦ୍ଦେଶ୍ୟ ପରିଲକ୍ଷିତ ହେଉଛି। କହିବା ବାହୁଲ୍ୟ ଯେ ମହାରାଷ୍ଟ୍ରେର ମରାଠା ବୀର ଶମ୍ଭାଜୀ ମହାରାଜ ଅସ୍ମିତାର ପ୍ରତୀକ ରୂପେ ବିବେଚିତ ହୁଅନ୍ତି। ସୁତରାଂ, ‘ଛାୱା’ ଚଳଚ୍ଚିତ୍ର ଦ୍ବାରା ଯେ ଔରଙ୍ଗଜେବଙ୍କ ପ୍ରତି ଘୃଣା ଅଧିକ ଉତ୍କଟ ହୋଇଥିବ, ତାହା ନିଃସନ୍ଦେହ। କିନ୍ତୁ ପ୍ରଶ୍ନ ହେଲା ଅତି ଉନ୍ନତ ଭାବେ ନିର୍ମିତ ହୋଇଥିବା ସିନେମାଟିରେ ଅତିରଂଜନକୁ ବିଶ୍ବାସଯୋଗ୍ୟ ଢଙ୍ଗରେ ପ୍ରବେଶ କରାଇ ଦିଆଯାଇନାହିଁ ତ? ହଲିଉଡ୍ର ଓସ୍କାର ବିଜୟୀ ଏକ ଚମତ୍କାର ସିନେମା ‘ଡାର୍କେଷ୍ଟ ଆୱାର୍’ ଏହାର ଏକ ଦୃଷ୍ଟାନ୍ତ। ସେହି ସିନେମାରେ ୱିନଷ୍ଟନ ଚର୍ଚ୍ଚିଲଙ୍କୁ ଜଣେ ମହାମାନବ ରୂପେ ପ୍ରଦର୍ଶିତ କରାଯାଇଛି, ଯିଏ ବାସ୍ତବରେ ଥିଲେ ନିଷ୍ଠୁର, ପକ୍ଷପାତୀ ଓ ଅହଂକାରୀ ଏବଂ ତାଙ୍କ ନୀତି କାରଣରୁ ବ୍ରିଟିସ ଶାସିତ ଭାରତ ଅତ୍ୟନ୍ତ ଭୟାବହ ବଙ୍ଗଳା ଦୁର୍ଭିକ୍ଷର ଦୁର୍ଭାଗ୍ୟ ଭୋଗିଥିଲା। ଚର୍ଚ୍ଚିଲଙ୍କ ବିଷୟରେ ଜାଣି ନଥିବା ବ୍ୟକ୍ତିମାନଙ୍କ ସକାଶେ ‘ଡାର୍କେଷ୍ଟ ଆୱାର୍’ ଯଦି ଜ୍ଞାନର ସ୍ରୋତ ହୁଏ, ତେବେ ତାହା ଏକ ବିଡ଼ମ୍ବନା ହେବା ସ୍ବାଭାବିକ।
ଏବେ ଇତିହାସର ପରିମାର୍ଜନ ଉଦ୍ୟମ ନେଇ ଚର୍ଚ୍ଚା କରାଯାଉ। କେତେକ ମତ ଦିଅନ୍ତି ଯେ ସପ୍ତଦଶ ଶତାବ୍ଦୀର ଜଣେ ଧର୍ମାନ୍ଧ ଓ କ୍ରୂର ନୃପତି ଏକବିଂଶ ଶତାବ୍ଦୀରେ ଅଲୋଡ଼ା, ଅପ୍ରାସଙ୍ଗିକ ଓ ଜନମାନସରେ ସଂପୂର୍ଣ୍ଣ ଅସ୍ତିତ୍ବହୀନ ହୋଇଯିବା କଥା, ଯହିଁରେ ଏକ କବର ଅପରିଚିତ ପ୍ରସ୍ତର ଖଣ୍ଡ ଭଳି ପଡ଼ି ରହନ୍ତା ସିନା, ଆଲୋଚନାକୁ ଆସନ୍ତା ନାହିଁ! ଆଉ କେତେକଙ୍କ ମତରେ ଇତିହାସର ପରିମାର୍ଜନ ସକାଶେ ଔରଙ୍ଗଜେବଙ୍କ କବରକୁ ଜଣେ ଅପନାୟକର ସ୍ମୃତି-ଚିହ୍ନ ଭାବେ ମଧ୍ୟ ରଖାଯାଇପାରେ, ଯେମିତି ହିଟଲର ଦ୍ବାରା ଆୟୋଜିତ ଇହୁଦୀ ମେଧ ଯଜ୍ଞ ‘ହଲୋକଷ୍ଟ’ର ସ୍ମୃତି ସ୍ବରୂପ ‘ଅସ୍ବିଜର ଯାତନା ଶିବିର’ମାନ ଏବେ ବି ପୋଲାଣ୍ଡରେ ବିଦ୍ୟମାନ ରହି ମାନବ ବିବେକକୁ ଦଂଶନ କରୁଛି। ଆଉ କେତେକ ମତ ଦିଅନ୍ତି ଯେ ଔରଙ୍ଗଜେବଙ୍କ କବରସ୍ଥାନକୁ ନିଶ୍ଚିହ୍ନ କରି ଦିଆଯିବା ଉଚିତ। ଏମାନେ ପ୍ରତିଶୋଧ ମାଧ୍ୟମରେ ପରିଶୋଧନ ଚାହାନ୍ତି। କିନ୍ତୁ, ଏହାକୁ ସ୍ବୀକାର କରୁ ନ ଥିବା ଲୋକେ କହିଥାନ୍ତି ଯେ କୌଣସି ସ୍ମୃତି-ଚିହ୍ନର ବଳପୂର୍ବକ ବିଲୋପନ ଦ୍ବାରା ସୃଷ୍ଟ ଶୂନ୍ୟ ସ୍ଥାନ ପୂର୍ଣ୍ଣ ହେବା ଲାଗି ଯେଉଁ ପ୍ରତିକ୍ରିୟାଶୀଳତାର ପ୍ରବାହ ଘଟେ, ତାହା କେବଳ ବିଦ୍ବେଷ ବା ନକାରାତ୍ମକତା ସୃଷ୍ଟି କରିଥାଏ। ଔରଙ୍ଗଜେବଙ୍କ ବିରୋଧରେ ପ୍ରତିଶୋଧର ଇଚ୍ଛା ପ୍ରକାରାନ୍ତରେ ସେହି ମୂଢ଼ ନୃପତି ଦ୍ବାରା ପାଞ୍ଚ ଶହ ବର୍ଷ ତଳେ ସଂଘଟିତ ହୋଇଥିବା ଧ୍ବଂସ ଲୀଳାର ପ୍ରତିକ୍ରିୟା ନୁହେଁ କି? ଆଫଗାନିସ୍ତାନରେ ବାମିୟାଁ ଗୁମ୍ଫାରୁ ବୁଦ୍ଧଙ୍କ ବିଶାଳ ମୂର୍ତ୍ତିମାନକୁ ନିଶ୍ଚିହ୍ନ କରି ଦିଆଯିବା ପରେ ଯେମିତି ସେଗୁଡ଼ିକର ଅସ୍ତିତ୍ବହୀନତା ହିଁ ସ୍ମୃତିର ଚିହ୍ନ ପାଲଟି ଯାଇଛି! ପ୍ରତିଶୋଧମୂଳକ ପରିଶୋଧନରେ ଏଭଳି ଘଟିପାରେ।