ଟ୍ରମ୍ପ ତାଙ୍କର ପ୍ରଥମ ପାଳିରେ ଲାଗୁ କରିଥିବା ଟାରିଫ୍‌ର ଅନୁଭୂତିରୁ ଜଣାପଡ଼ିଥାଏ ଯେ ଏଥିଯୋଗୁଁ ଆଶା କରାଯାଉଥିବା ଭଳି ନିଯୁକ୍ତି ସୃଷ୍ଟି ହୋଇ ନ ଥାଏ କିମ୍ବା ସରକାରଙ୍କର ଆୟରେ ବିଶେଷ ବୃଦ୍ଧି ଘଟି ନ ଥାଏ। ଅପରପକ୍ଷେ ଦରଦାମ ବୃଦ୍ଧି ମାଧ୍ୟମରେ ଟାରିଫ୍‌ର ଅସଲ କଷ୍ଟ ଭୋଗ କରିଥାନ୍ତି ଆମେରିକୀୟ ଖାଉଟିମାନେ। ତେବେ ଯେଉଁଠି ୧,୦୨୮ ଜଣ ଅର୍ଥନୀତିଜ୍ଞ ଜଣେ ରାଜନେତାଙ୍କୁ ଏକଥା ବୁଝାଇବାରେ ବିଫଳ ହୋଇଥିଲେ, ବର୍ତ୍ତମାନର ଉଦ୍‌ଭ୍ରାନ୍ତ ରାଜନେତା ଡୋନାଲ୍‌ଡ ଟ୍ରମ୍ପଙ୍କୁ ଏହା ବୁଝାଇ ପାରିବ କିଏ?

Advertisment

ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ତାଙ୍କର ଦ୍ବିତୀୟ ପାଳି ସିଂହାସନ ଆରୋହଣ ପରେ ସୋମବାର ଦିନ ପ୍ରଥମଥର ପାଇଁ ସେ ଦେଶର ପ୍ରତିନିଧି ସଭାର ରିପବ୍ଲିକାନ୍ ପାର୍ଟିର ସଦସ୍ୟମାନଙ୍କ ସହିତ ମିଳିତ ହେବା ଅବସରରେ ସେ ଆମେରିକା ଅନ୍ୟ ଦେଶମାନଙ୍କରୁ କରୁଥିବା ଆମଦାନି ଉପରେ ଶୁଳ୍‌କ (‘ଟାରିଫ୍’) ବସାଇବାକୁ ଯାଉଛନ୍ତି ବୋଲି ପୁଣିଥରେ ଦୋହରାଇଛନ୍ତି। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ସେ ଏଥିପାଇଁ ଯେଉଁ ଦେଶମାନଙ୍କୁ ତାଙ୍କର ନିଶାଣ ରୂପେ ଘୋଷଣା କରିଛନ୍ତି, ସେଥିରେ ଚୀନ୍ ଓ ବ୍ରାଜିଲ୍ ସହିତ ଅନ୍ତର୍ଭୁକ୍ତ ଅଛି ଭାରତ। ତେବେ ଟ୍ରମ୍ପଙ୍କର ଟାରିଫ୍ ଆକ୍ରମଣ ଯେ କେବଳ ଏଇ ତିନିଟି ଦେଶ ମଧ୍ୟରେ ସୀମିତ ନୁହେଁ, ତାହା ସେ ତାଙ୍କର ପୂର୍ବ ଘୋଷଣାମାନଙ୍କରେ ସ୍ପଷ୍ଟ କରିଦେଇଛନ୍ତି। ବାଣିଜ୍ୟ ଯୁଦ୍ଧରେ ସେ ଯେ ଶତ୍ରୁ-ମିତ୍ର ମଧ୍ୟରେ ଫରକ ଦେଖନ୍ତି ନାହିଁ, ତାହାର ପ୍ରମାଣ ସ୍ବରୂପ ଟ୍ରମ୍ପ ‘ଇଉରୋପିଆନ୍ ୟୁନିଅନ୍’ରୁ ଦକ୍ଷିଣ କୋରିଆ ଭଳି ଆମେରିକାର ମିତ୍ର ରାଷ୍ଟ୍ରମାନଙ୍କୁ ମଧ୍ୟ ଅନୁରୂପ ଧମକ ଦେଇଛନ୍ତି।
ଟ୍ରମ୍ପ ତାଙ୍କର ଏହି ଟାରିଫ୍ ଅଭିଯାନ ଦ୍ବାରା ଯେଉଁ ଲକ୍ଷ୍ୟ ହାସଲ କରିବେ ବୋଲି ବିଶ୍ବାସ କରୁଛନ୍ତି, ତାହା ହେଲା ତାଙ୍କର ନିର୍ବାଚନୀ ସ୍ଲୋଗାନ୍: ‘ମେକ୍ ଆମେରିକା‌ ଗ୍ରେଟ୍ ଏଗେନ୍’ (‘ଆମେରିକାକୁ ଆଉ ଥରେ ମହାନ କରିବା’)। ଆମଦାନି ଶୁଳ୍‌କ କବଚ ଆମେରିକାର ଅର୍ଥନୈତିକ ସ୍ବାର୍ଥକୁ ସୁରକ୍ଷିତ ରଖିବ ବୋଲି ଟ୍ରମ୍ପଙ୍କର ଦୃଢ଼ ବିଶ୍ବାସ। ଟ୍ରମ୍ପ ଏତାଦୃଶ ଆଚରଣ ପ୍ରଦର୍ଶନ କରି କେବଳ ଯେ ଆନ୍ତର୍ଜାତିକ ବାଣିଜ୍ୟ ସମ୍ବନ୍ଧିତ ଅର୍ଥଶାସ୍ତ୍ରର ସୁପ୍ରତିଷ୍ଠିତ ନିୟମର ଉଲ୍ଲଂଘନ କରୁଛନ୍ତି, ତାହା ନୁହେଁ, ସେ ଅତୀତରେ ନିଜ ଦେଶର ଅନୁଭୂତିକୁ ମଧ୍ୟ ଭୁଲି ଯାଇଥିବା ଭଳି ମନେ ହେଉଛି। 
ଟ୍ରମ୍ପ ବର୍ତ୍ତମାନ କରିବାକୁ ଯାଉଥିବା ଭଳି ଊନବିଂଶ ଶତାବ୍ଦୀର ଅାଦ୍ୟ କାଳରେ ଜାଠ ଦଳ ଶାସନ ସମୟରେ ୧୮୧୫ରେ ସେ ଦେଶର କୃଷକମାନଙ୍କର ସ୍ବାର୍ଥରକ୍ଷା ପାଇଁ ସମସ୍ତ ପ୍ରକାର ଶସ୍ୟ ଆମଦାନି ଉପରେ ଶୁଳ୍‌କ ଲାଗୁ କରିବା ନିମିତ୍ତ ବ୍ରିଟେନ୍‌ରେ ଆଇନ ପ୍ରଣୟନ କରାଯାଇଥିଲା, ଯାହା ‘କର୍ନ ଲଜ୍’ ରୂପେ ଅର୍ଥଶାସ୍ତ୍ରର ଛାତ୍ରଛାତ୍ରୀମାନଙ୍କ ନିକଟରେ ସୁପରିଚିତ। ଏହାର ଫଳସ୍ବରୂପ ବ୍ରିଟେନ୍‌ରେ ଗହମ ଦର ହଲାଣ୍ଡ୍‌ରେ ଗହମ ଦରର ଦୁଇଗୁଣ ହୋଇଗଲା। ଅର୍ଥଶାସ୍ତ୍ର ପରବର୍ତ୍ତୀ ସମୟରେ ଯେଉଁ ରୂପ ଗ୍ରହଣ କଲା, ତାହା ଏହି ଘଟଣା ଦ୍ବାରା ବିଶେଷ ଭାବରେ ପ୍ରଭାବିତ ହୋଇଥିଲା।
ସରକାରଙ୍କର ଏହି ବାଣିଜ୍ୟ ସଂକୋଚନକାରୀ ନୀତିକୁ ଯେଉଁମାନେ ଏକ ଅପରିଣାମଦର୍ଶୀ ପଦକ୍ଷେପ ରୂପେ ପ୍ରବଳ ବିରୋଧ କରୁଥିଲେ, ସେମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଥିଲେ ଜଣେ ଯୁବ ଷ୍ଟକ୍‌ ବ୍ରୋକର୍- ଡେଭିଡ୍ ରିକାର୍ଡୋ। ମୁଖ୍ୟତଃ ‘କର୍ନ ଲଜ୍’କୁ ବିରୋଧ କରିବା ଉଦ୍ଦେଶ୍ୟରେ ସେ ପାର୍ଲିଆମେଣ୍ଟରେ ପ୍ରବେଶ କରିଥିଲେ। ଟାରିଫ୍‌କୁ ବିରୋଧ କରି ଓ ଅବାଧ ବାଣିଜ୍ୟକୁ ସମର୍ଥନ କରି ରିକାର୍ଡୋ ଯେଉଁ ‘ତୁଳନାତ୍ମକ ସୁବିଧା’ (‘କମ୍ପାରେଟିଭ୍ ଆଡ୍‌‌ଭାଣ୍ଟେଜ୍’) ସୂତ୍ର ନିରୂପିତ କରିଥିଲେ, ତାହା କୌଣସି ଏକ ଗାଣିତିକ ନିୟମ ପରି ଏବେ ମଧ୍ୟ ଅକାଟ୍ୟ ବିବେଚିତ ହୋଇଥାଏ। ଅତି ସଂକ୍ଷେପରେ କହିଲେ, ଏହା ଅନୁସାରେ ଏକ ଅତ୍ୟନ୍ତ ଅନୁତ୍ପାଦନଶୀଳ ଦେଶ ମଧ୍ୟ ବାଣିଜ୍ୟ ଦ୍ବାରା ଲାଭବାନ ହୋଇଥାଏ। ଦୀର୍ଘ କାଳ ଧରି ଏହି ବିତର୍କ ସେଇ ଦେଶକୁ ଆବିଷ୍ଟ କରି ରଖିବା ପରେ ଶେଷରେ ୧୮୪୬ରେ ସେଇ ଜାଠ ଦଳର ପ୍ରଧାନମନ୍ତ୍ରୀ ସାର୍ ରବର୍ଟ ପିଲ୍‌ଙ୍କ ସରକାର ‘କର୍ନ ଲଜ୍’କୁ ଉଚ୍ଛେଦ କରିବାକୁ ବାଧ୍ୟ ହୋଇଥିଲା।
୧୯୩୦ ଦଶକରେ ଯେଉଁସବୁ କାରଣ ଯୋଗୁଁ ଆମେରିକାରେ ଅର୍ଥନୈତିକ ମହାଅବପାତର ଅନ୍ତ ଘଟିବାରେ ବିଳମ୍ବ ଘଟିଲା, ସେଥିମଧ୍ୟରେ ଏକ ଅଗ୍ରଗଣ୍ୟ କାରଣ ଥିଲା ଅବାଧ ବାଣିଜ୍ୟ ପଥରେ ପ୍ରତିବନ୍ଧକ ଛିଡ଼ା କରାଇବା ପାଇଁ ସେଠାରେ ହୋଇଥିବା ଉଦ୍ୟମ। ୧୯୩୦ରେ ସେଇ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟିର ଦୁଇଜଣ ନିର୍ବାଚିତ ପ୍ରତିନିଧି- ସେନେଟର୍ ରିଡ୍ ସ୍ମୁଟ୍ ଓ ରିପ୍ରେଜେଣ୍ଟେଟିଭ୍ ୱିଲିସ୍ ହଲିଙ୍କ ଦ୍ବାରା ଆଗତ ପ୍ରସ୍ତାବ ଅନୁସାରେ ୨୦,୦୦୦ରୁ ଅଧିକ କୃଷିଜାତ ଓ ଶିଳ୍ପ ଉତ୍ପାଦିତ ଆମଦାନି ଦ୍ରବ୍ୟ ଉପରେ ଆମଦାନି ଶୁଳ୍‌କ ବୃଦ୍ଧି କରିବା ନିମିତ୍ତ ଆଇନ ପ୍ରଣୟନ କରାଯାଇଥିଲା। ‘ସ୍ମୁଟ୍-ହଲି ଟାରିଫ୍ ଆକ୍ଟ’ ରୂପେ ପରିଚିତ ଏହି ଆଇନକୁ ତୀବ୍ର ବିରୋଧ କରି ଡେଭିଡ୍ ରିକାର୍ଡୋଙ୍କର ଅବାଧ ବାଣିଜ୍ୟ ତତ୍ତ୍ବ ଦ୍ବାରା ପରିପୁଷ୍ଟ ହୋଇଥିବା ୧,୦୨୮ ଜଣ ଅର୍ଥନୀତିଜ୍ଞ ସେ ଆଇନକୁ ‘ଭିଟୋ’ ପ୍ରୟୋଗ କରି ବାତିଲ କରିବା ପାଇଁ ତତ୍‌କାଳୀନ ରାଷ୍ଟ୍ରପତି ରିପବ୍ଲିକାନ୍ ପାର୍ଟିର ହର୍ବଟ୍ ହୁଭର୍‌ଙ୍କ ଉଦ୍ଦେଶ୍ୟରେ ଏକ ଖୋଲା ଚିଠି ଲେଖିଥିଲେ। ରାଷ୍ଟ୍ରପତି ହୁଭର୍ କିନ୍ତୁ ରାଜନୀତିକୁ ପ୍ରାଧାନ୍ୟ ଦେଇ ସେମାନଙ୍କ ଆହ୍ବାନକୁ ଉପେକ୍ଷା କରି ବିଲ୍‌ଟିରେ ସ୍ବାକ୍ଷର କରି ତାହାକୁ ଆଇନରେ ପରିଣତ କରିଦେଇଥିଲେ। 
ଯେହେତୁ ଅନେକ ଆମେରିକୀୟ କଂପାନିମାନେ ସେମାନଙ୍କ ଉତ୍ପାଦନରେ ବ୍ୟବହାର କରୁଥିବା ଅନେକ ଉପାଦାନମାନ ସେଇ ଆମଦାନି ତାଲିକାରେ ଅନ୍ତର୍ଭୁକ୍ତ ଥିଲା, ଏହାପରେ ସେଗୁଡ଼ିକ ମହଙ୍ଗା ହୋଇଯିବାରୁ ଉତ୍ପାଦନ ଖର୍ଚ୍ଚରେ ବୃଦ୍ଧି ଘଟି କଂପାନିମାନଙ୍କୁ କ୍ଷତିଗ୍ରସ୍ତ କଲା। ଉଦାହରଣ ସ୍ବରୂପ ଶହ ଶହ କାର୍ ପାର୍ଟ ମହଙ୍ଗା ହୋଇଯିବାରୁ ମଟରଗାଡ଼ି ଶିଳ୍ପ କ୍ଷତିଗ୍ରସ୍ତ ହେଲା। ସେହିପରି ପଶମ ତନ୍ତୁର ଦାମ୍ ଦ୍ବିଗୁଣିତ ହୋଇ ବସ୍ତ୍ର ଶିଳ୍ପର କ୍ଷତିସାଧନ କଲା। ଆମେରିକାର ଏହି ପଦକ୍ଷେପର ପ୍ରତିକ୍ରିୟାରେ ଅନ୍ୟ ଦେଶମାନେ ଯେତେବେଳେ ଆମଦାନି ଶୁଳ୍‌କ ଲାଗୁ କରିବା ଆରମ୍ଭ କଲେ, ‌େସତେବେଳେ ଆମେରିକୀୟ ରାପ୍ତାନି ବାଧାପ୍ରାପ୍ତ ହେବାରେ ଲାଗିଲା। ଯେମିତି, ଫ୍ରାନ୍‌ସ ଆମଦାନି ଶୁଳ୍‌କରେ ବୃଦ୍ଧି ଘଟାଇବା ପରେ ସେ ଦେଶକୁ ଆମେରିକାରେ ନିର୍ମିତ ମଧ୍ୟମ ମୂଲ୍ୟର କାର୍ ରପ୍ତାନି ପ୍ରାୟ ସଂପୂର୍ଣ୍ଣ ବନ୍ଦ ହୋଇଗଲା। ସେହିପରି ସ୍ପେନ୍‌କୁ ଆମେରିକୀୟ ସିଲେଇ ମେସିନ୍, ଟାୟାର୍ ଓ ରେଜର୍ ବ୍ଲେଡ୍ ରପ୍ତାନି ବନ୍ଦ ହୋଇଗଲା।
ସେ ସମୟରେ ମହାଅବପାତର ଧ୍ବଂସାବଶେଷ ପର୍ଯ୍ୟବେକ୍ଷଣ କରି ରାଷ୍ଟ୍ରପତି ଫ୍ରାଙ୍କଲିନ୍ ଡେଲାନୋ ରୁଜ୍‌ଭେଲ୍‌ଟ ଏହି ବିପର୍ଯ୍ୟୟର ଅନ୍ୟତମ କାରଣ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି କହିଥିଲେ: ପ୍ରତି-ଆକ୍ରମଣକୁ ନିମନ୍ତ୍ରଣ କରି ଓ ନିବେଶର ଶ୍ବାସରୋଧ କରି ସୁଉଚ୍ଚ ଆମଦାନି ଶୁଳ୍‌କ ଆମେରିକାକୁ ‘‘ଧ୍ବଂସର ରାସ୍ତା’’ରେ ଛିଡ଼ା କରିଦେଇଛି। ଆମେରିକା ପାଇଁ ଥିଲା ଏହା ଏକ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଶିକ୍ଷା, ଏବଂ ତାହାର ଫଳସ୍ବରୂପ ପରବର୍ତ୍ତୀ ସମୟରେ ସେଇ ଆମେରିକାର ନେତୃତ୍ବରେ ହିଁ ଏକ ଆନ୍ତର୍ଜାତିକ ଉଦ୍ୟମ ଆରମ୍ଭ ହୋଇ ପୃଥିବୀର ଅଧିକାଂଶ ଦେଶମାନେ ଆମଦାନି ଶୁଳ୍‌କରେ ହ୍ରାସ ଘଟାଇ ଆନ୍ତର୍ଜାତିକ ବାଣିଜ୍ୟରେ ଆଶାତୀତ ବୃଦ୍ଧି ହାସଲ କରିବା ଦେଖିବାକୁ ମିଳିଥିଲା।
ଡୋନାଲ୍‌ଡ ଟ୍ରମ୍ପ ଏବେ ଯଦି ତାଙ୍କର ଧମକକୁ କାର୍ଯ୍ୟରେ ପରିଣତ କରନ୍ତି, ତେବେ ଆମେରିକା ସେଇ ପୂର୍ବ ଭୁଲ୍‌ର ପୁନରାବୃତ୍ତି କରି ପୁଣି ସେଇ ‘‘ଧ୍ବଂସର ରାସ୍ତା’’ରେ ଉପନୀତ ହେବାର ଦୃଢ଼ ସମ୍ଭାବନା ଦେଖାଯାଉଛି। ଟ୍ରମ୍ପ ତାଙ୍କର ପ୍ରଥମ ପାଳିରେ ଲାଗୁ କରିଥିବା ଟାରିଫ୍‌ର ଅନୁଭୂତିରୁ ଜଣାପଡ଼ିଥାଏ ଯେ ଏଥିଯୋଗୁଁ ଆଶା କରାଯାଉଥିବା ଭଳି ନିଯୁକ୍ତି ସୃଷ୍ଟି ହୋଇ ନ ଥାଏ କିମ୍ବା ସରକାରଙ୍କର ଆୟରେ ବିଶେଷ ବୃଦ୍ଧି ଘଟି ନ ଥାଏ। ଅପରପକ୍ଷେ ଦରଦାମ ବୃଦ୍ଧି ମାଧ୍ୟମରେ ଟାରିଫ୍‌ର ଅସଲ କଷ୍ଟ ଭୋଗ କରିଥାନ୍ତି ଆମେରିକୀୟ ଖାଉଟିମାନେ। ତେବେ ଯେଉଁଠି ୧,୦୨୮ ଜଣ ଅର୍ଥନୀତିଜ୍ଞ ଜଣେ ରାଜନେତାଙ୍କୁ ଏକଥା ବୁଝାଇବାରେ ବିଫଳ ହୋଇଥିଲେ, ବର୍ତ୍ତମାନର ଉଦ୍‌ଭ୍ରାନ୍ତ ରାଜନେତା ଡୋନାଲ୍‌ଡ ଟ୍ରମ୍ପଙ୍କୁ ଏହା ବୁଝାଇ ପାରିବ କିଏ?