ବିଶେଷଜ୍ଞମାନଙ୍କର ଅନୁଶୀଳନ ଅନୁସାରେ ହଠାତ୍ କାରବାର ସଂଖ୍ୟାରେ ଏକ ତୀକ୍ଷ୍‌ଣ ବୃଦ୍ଧି ଘଟିବାରୁ ଭାର ବହନ କରି ନ ପାରି ‘ୟୁପିଆଇ’ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିଲା। ଯଦି ଏହା ଠିକ୍ ହୋଇଥାଏ, ତେବେ ସ୍ବୀକାର କରିବାକୁ ହେବ ଯେ ଏଭଳି ସମ୍ଭାବନାକୁ ସମ୍ଭାଳିବା ପାଇଁ ‘ଏନ୍‌ପିସିଆଇ’ ନିଜକୁ ପ୍ରସ୍ତୁତ କରିପାରି ନାହିଁ।

Advertisment

ଏକ ଡିଜିଟାଲ୍ ଦେଶ ରୂପେ ନିଜକୁ ବିଶ୍ବ ସମୁଦାୟ ନିକଟରେ ପ୍ରଦର୍ଶିତ କରୁଥିବା ‘ଡିଜିଟାଲ୍ ଇଣ୍ଡିଆ’ର ଏ କ୍ଷେତ୍ରରେ ସର୍ବଶ୍ରେଷ୍ଠ ଉପଲବ୍‌ଧିର ମର୍ଯ୍ୟାଦା ପାଇଁ ଯିଏ ହକ୍‌ଦାର ହୋଇଥାଏ, ତାହା ଯେ ନିଶ୍ଚିତ ରୂପେ ହେଉଛି ‘ୟୁପିଆଇ’, ଏଥିରେ କେହି ଦ୍ବିମତ ହେବେ ନାହିଁ। କେବଳ ଏକ ମୋବାଇଲ୍ ଫୋନ୍ ଦେଖାଇ ଦେଇ ଛୋଟବଡ଼ ପେମେଣ୍ଟ୍ କରିବା ସହିତ ଭାରତୀୟମାନେ ଏପରି ଅଭ୍ୟସ୍ତ ହୋଇଗଲେଣି ଯେ, ବିଦେଶ ଯାତ୍ରା ସମୟରେ ସେଠାରେ କ୍ରେଡିଟ୍ କାର୍ଡ କିମ୍ବା ନଗଦ ବ୍ୟବହାର କରିବାକୁ ପଡୁଥିବାବେଳେ ଭାରତୀୟମାନେ ରହସ୍ୟରେ ଅଭିଯୋଗ କରିବା ଶୁଣାଯାଇଥାଏ: ‘‘ଭାରତ ଆମର ଅଭ୍ୟାସ ଖରାପ କରିଦେଇଛି।’’
୨୦୧୬ରେ ଆରମ୍ଭ ହୋଇଥିବା ଏହି ଯାଦୁକରୀ ଦେୟପୈଠ ମାଧ୍ୟମ ସଂଯୋଗକ୍ରମେ ଭାରତୀୟମାନଙ୍କ ବିମୁଦ୍ରୀକରଣ ଓ କୋଭିଡ୍ ଭଳି ଦୁଇଟି ବିପର୍ଯ୍ୟୟର ମୁକାବିଲା କରିବାରେ ସହାୟକ ହେବା ପରେ ଏବଂ ଇତିମଧ୍ୟରେ ଦେଶରେ ସ୍ମାର୍ଟ ଫୋନ୍‌ର ପ୍ରସାରରେ ହୁ ହୁ ବୃଦ୍ଧି ଘଟିବା ପରେ ‘ୟୁପିଆଇ’ର ବ୍ୟବହାର ବର୍ତ୍ତମାନ ଭାରତୀୟମାନଙ୍କର ଏକ ଜନ୍ମଗତ ଅଭ୍ୟାସ ଓ ଅଧିକାରରେ ପରିଣତ ହୋଇଗଲାଣି ବୋଲି କହିଲେ ବିଶେଷ ଅତିରଞ୍ଜନ ହେବ ନାହିଁ। ଏହାର ଏକ ପ୍ରମାଣ ସ୍ବରୂପ ସଦ୍ୟତମ ପରିସଂଖ୍ୟାନ ଅନୁସାରେ ଗତ ମାସରେ ଦେଶରେ ମୋଟ ଯେତିକି ସଂଖ୍ୟକ ‘ୟୁପିଆଇ’ଭିତ୍ତିକ ପେମେଣ୍ଟ୍ ସଂପନ୍ନ ହୋଇଥିଲା, ତାହା ହେଉଛି ୧୮୦୦ କୋଟିରୁ ଅଧିକ, ଅର୍ଥାତ୍ ଦୈନିକ ହାରାହାରି ୬୦ କୋଟିରୁ ଅଧିକ ସଂଖ୍ୟକ କାରବାର। ଏହି ଦୈନିକ କାରବାରର ହାରାହାରି ମୂଲ୍ୟ ହେଉଛି ୮୩,୦୦୦ କୋଟି ଟଙ୍କା।
ଅଗଣିତ କ୍ଷୁଦ୍ର ବ୍ୟବସାୟୀ ମୁଖ୍ୟତଃ ଏହି ଡିଜିଟାଲ୍ ପେମେଣ୍ଟ୍ ବ୍ୟବସ୍ଥା ଉପରେ ନିର୍ଭର କରୁଥିବାବେଳେ ବ୍ୟକ୍ତିବିଶେଷ ମଧ୍ୟ ପରସ୍ପର ମଧ୍ୟରେ ଦୂରତା ନିର୍ବିଶେଷରେ ତତ୍‌କ୍ଷଣାତ୍ ଅର୍ଥ ପ୍ରେରଣରେ ‘ୟୁପିଆଇ’କୁ ଏକ ଅତ୍ୟନ୍ତ ସୁବିଧାଜନକ ମାଧ୍ୟମ ରୂପେ ବ୍ୟବହାର କରିବା ଦେଖାଯାଇଥାଏ। ତେଣୁ ଏବେ ଯେତେବେଳେ ଦେଶବ୍ୟାପୀ ଏହି ‘ୟୁପିଆଇ’ ବ୍ୟବସ୍ଥା କୌଣସି କାରଣରୁ ସାମୟିକ ଭାବରେ ଅଚଳ ହୋଇଗଲା, ତାହା କିପରି ବ୍ୟାପକ ଆତଙ୍କ ଓ ହତାଶା ସୃଷ୍ଟି କରିଥିବ, ତାହା ସହଜେ ଅନୁମେୟ।
ଭାରତର ଏହି ଡିଜିଟାଲ୍ ଗର୍ବକୁ ଯାହା ଆହତ କରିଥାଏ, ତାହା କେବଳ ଏଇ ଏକମାତ୍ର ଘଟଣା ନୁହେଁ। ଏକ ଜଟିଳ ପ୍ରାବିଧିକ ବ୍ୟବସ୍ଥା ଯେତେ ସୁଦକ୍ଷ ହୋଇଥାଉ ନା କାହିଁକି, କେବେ କେମିତି କୌଣସି ରହସ୍ୟମୟ କାରଣରୁ ତାହା ସାମୟିକ ଭାବରେ ଅଚଳ ହୋଇଯିବାର ସମ୍ଭାବନାକୁ ସଂପୂର୍ଣ୍ଣ ଏଡ଼ାଇବା ସମ୍ଭବ ହୋଇ ନ ଥାଏ। କିନ୍ତୁ ‘ୟୁପିଆଇ’ ବର୍ତ୍ତମାନ ସମ୍ମୁଖୀନ ହୋଇଥିବା ସମସ୍ୟାକୁ ଏପରି ଆକସ୍ମିକ ଶ୍ରେଣୀର ବୋଲି କୁହାଯାଇ ପାରିବ ନାହିଁ। କାରଣ, ଗତ ୩୦ ଦିନ ମଧ୍ୟରେ ‘ୟୁପିଆଇ’ ଏପରି ସାମୟିକ ଅଚଳ ହୋଇଯିବାର ଏହା ହେଉଛି ତୃତୀୟ ଘଟଣା। (ରହସ୍ୟରେ କୁହାଯାଇପାରେ ‘ଗୋଲ୍‌ଡ ଫିଙ୍ଗର୍’ ଜେମ୍‌ସ ବଣ୍ଡ୍‌କୁ କହିଥିବା ଭଳି- ଥରେ ଘଟିଲେ ତାହା ହୋଇପାରେ ଅଚାନକ, ଦୁଇ ଥର ଘଟିଲେ ତାହା ହୋଇପାରେ ସଂଯୋଗ‌; କିନ୍ତୁ କୌଣସି ଘଟଣା ଯେତେବେଳେ ତୃତୀୟ ଥର ପାଇଁ ଘଟେ, ତାହା ହେଉଛି ନିଶ୍ଚିତ ରୂପେ ଶତ୍ରୁ ଆକ୍ରମଣ।) ସେତିକି ନୁହେଁ, ବିଗତ ଏକ ବର୍ଷ ମଧ୍ୟରେ ‘ୟୁପିଆଇ’ର କାର୍ଯ୍ୟରେ ଛ’ଥର ଏଭଳି ବିଘ୍ନ ଘଟିବା ଦେଖାଯାଇଛି। ଅବଶ୍ୟ କୌଣସି ଶତ୍ରୁ ଆକ୍ରମଣ ଯୋଗୁଁ ଏପରି ସମସ୍ୟା ଉପୁଜୁଥିବାର ସମ୍ଭାବନା କ୍ଷୀଣ ହୋଇଥିବା‌େ‌ବଳେ (ଅବଶ୍ୟ ଆଜିର ବିଚକ୍ଷଣ ସାଇବର୍ ଆକ୍ରମଣ ଯୁଗରେ ଏପରି ସମ୍ଭାବନାକୁ ସଂପୂର୍ଣ୍ଣ ରୂପେ ଏଡ଼ାଇ ଦେଇ ହେବ ନାହିଁ), ଦ୍ରୁତବର୍ଦ୍ଧିଷ୍ଣୁ ତଥା ବିଶାଳ କାର୍ଯ୍ୟଭାର ଚାପରେ ଭାରତର ‘ୟୁପିଆଇ’ ବ୍ୟବସ୍ଥା ବାରମ୍ବାର ଭୁଶୁଡ଼ି ପଡୁଥିବାର ଦୃଢ଼ ସମ୍ଭାବନା ରହିଛି।
ଅବଶ୍ୟ ପ୍ରତ୍ୟେକ ଥର ଏପରି ଅଘଟଣ ଘଟିବା ପରେ ଏହାର ପରିଚାଳକ ସଂସ୍ଥା ‘ନେସନାଲ୍ ପେମେଣ୍ଟ୍‌ସ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ’ (‘ଏନ୍‌ପିସିଆଇ’) ଅବଶେଷରେ ତ୍ରୁଟି ସୁଧାରିବାରେ ସଫଳ ହୋଇ ଏହାକୁ କାର୍ଯ୍ୟକ୍ଷମ କରିପାରିଥିଲେ ହେଁ, ଏଥିଯୋଗୁଁ ଅଗଣିତ ‘ୟୁପିଆଇ’ ବ୍ୟବହାରକାରୀ ସମ୍ମୁଖୀନ ହେଉଥିବା ହଇରାଣ ହରକତକୁ ହାଲୁକା ଭାବରେ ଗ୍ରହଣ କରାଯାଇ ପାରିବ ନାହିଁ। ଏହା ସତ ଯେ ଭାରତରେ ‘ୟୁପିଆଇ’ ପେମେଣ୍ଟ୍‌ସ ପଦ୍ଧତିକୁ ଦ୍ରୁତ ଲୋକପ୍ରିୟ କରିବାରେ ‘ଏନ୍‌ପିସିଆଇ’ ଅତ୍ୟନ୍ତ ପ୍ରଶଂସନୀୟ ଭୂମିକା ନିର୍ବାହ କରିଛି। ଏଥିସହିତ ଲୋକମାନଙ୍କୁ ଏହି ପେମେଣ୍ଟ୍ ପଦ୍ଧତି ବ୍ୟବହାର କରିବା ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ବିପୁଳ ଅର୍ଥ ବ୍ୟୟ କରି ପ୍ରଚାର ଅଭିଯାନମାନ ଚଳାଇଥିବା ‘ଗୁଗ୍‌ଲ ପେ’, ‌‘ଫୋନ୍‌ ପେ’ ଭଳି ଆପ୍‌ମାନଙ୍କର ଏଥିପାଇଁ ରହିଥିବା ବିଶେଷ ଅବଦାନକୁ ମଧ୍ୟ ସ୍ବୀକାର କରିବାକୁ ହେବ।
‘ଏନ୍‌ପିସିଆଇ’ କିନ୍ତୁ ବର୍ତ୍ତମାନ ନିଜର ଏହି ଚମକପ୍ରଦ ସଫଳତାର ବୋଝ ସହି ନ ପାରି ନଇଁ ପଡ଼ିବା ପ‌ରି ମନେ ହେଉଛି। ବିଶେଷଜ୍ଞମାନଙ୍କର ଅନୁଶୀଳନ ଅନୁସାରେ ହଠାତ୍ କାରବାର ସଂଖ୍ୟାରେ ଏକ ତୀକ୍ଷ୍‌ଣ ବୃଦ୍ଧି ଘଟିବାରୁ ଭାର ବହନ କରି ନ ପାରି ‘ୟୁପିଆଇ’ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିଲା। ଯଦି ଏହା ଠିକ୍ ହୋଇଥାଏ, ତେବେ ସ୍ବୀକାର କରିବାକୁ ହେବ ଯେ ଏଭଳି ସମ୍ଭାବନାକୁ ସମ୍ଭାଳିବା ପାଇଁ ‘ଏନ୍‌ପିସିଆଇ’ ନିଜକୁ ପ୍ରସ୍ତୁତ କରିପାରି ନାହିଁ। ‘ୟୁପିଆଇ’ ବ୍ୟବହାରରେ ଯେଉଁଭଳି ତୀବ୍ର ବୃଦ୍ଧି ଘଟି ଚାଲିଛି, ସେଭଳି ପରିସ୍ଥିତିରେ କେବେକେବେ କୌଣସି ଏକ ସମୟରେ ହଠାତ୍ ସେଥିରେ ବିସ୍ଫୋରକ ବୃଦ୍ଧି ଘଟିବାରେ ଅାଶ୍ଚର୍ଯ୍ୟ ହେବାର କିଛି ନାହିଁ। ଏହା କିନ୍ତୁ ‘ଏନ୍‌ପିସିଆଇ’କୁ ଆଶ୍ଚର୍ଯ୍ୟ କରିଦେଇଥିବା ଭଳି ମନେ ହୋଇଥାଏ। ଏପରି କାହିଁକି ଘଟିଲା, ତାହାର ମୂଳ କାରଣ ଖୋଜି ବାହାର କରିବା ପାଇଁ ‘ଏନ୍‌ପିସିଆଇ’ ମୌଳିକ ଅନୁଶୀଳନ ଚଳାଇଛି ବୋଲି ପ୍ରକାଶ କରିଛି। ତେବେ କେବଳ ‘ଏନ୍‌ପିସିଆଇ’ ନୁହେଁ, ଏହି ବ୍ୟବସ୍ଥା ସହିତ ଅବିଚ୍ଛେଦ୍ୟ ଭାବରେ ସଂପୃକ୍ତ ପେମେଣ୍ଟ୍‌ସ କଂପାନି ଓ ବ୍ୟାଙ୍କ୍‌ମାନ ମଧ୍ୟ ନିଜର ଭିତ୍ତିଭୂମିରେ ଆବଶ୍ୟକ ଉନ୍ନତି ଘଟାଇବା ଦରକାର, ଯେପରି କାରବାର ସଂଖ୍ୟାରେ ହଠାତ୍ ଏପରି ବୃଦ୍ଧି ଘଟିଲେ ମଧ୍ୟ ତାହା ଦୋହଲିଯିବ ନାହିଁ। 
ଏମାନଙ୍କ ବାଦ୍ ଅନ୍ୟ ଯେଉଁ ସଂସ୍ଥା ମଧ୍ୟ ଏହି ଅଘଟଣ ଶୃଙ୍ଖଳାର ଅନୁଶୀଳନ କରି ତା’ର ନିଦାନ ଆବିଷ୍କାର କରିବାର ଆବଶ୍ୟକତା ରହିଛି, ତାହା ହେଉଛି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ। କାରଣ ଦେଶର ପ୍ରମୁଖ ପେମେଣ୍ଟ୍ ବ୍ୟବସ୍ଥାରେ ଏପରି ବାରମ୍ବାର ବିଘ୍ନ ଘଟିବା ଦ୍ବାରା ବୃହତ୍ତର ବିତ୍ତୀୟ ବ୍ୟବସ୍ଥାରେ ଅସ୍ଥିରତା ସୃଷ୍ଟି ହୋଇପାରେ, ଏବଂ ବିତ୍ତୀୟ ସ୍ଥିରତା ରକ୍ଷା କରିବା ହେଉଛି ରିଜର୍ଭ ବ୍ୟାଙ୍କ୍‌ର ଅନ୍ୟତମ ମୁଖ୍ୟ ଦାୟିତ୍ବ।
‘ୟୁପିଆଇ’ ସମ୍ମୁଖୀନ ହେଉଥିବା ଅନ୍ୟ ଏକ ଗୁରୁତର ସମସ୍ୟା ହେଉଛି ଏହାର ବ୍ୟବହାରରେ ଘଟୁଥିବା ଦ୍ରୁତବର୍ଦ୍ଧିଷ୍ଣୁ ଠକେଇ ଘଟଣାମାନ। ୨୦୨୨-୨୩ରେ ଏହି ଠକେଇର ପରିମାଣ ୫୭୩ କୋଟି ଟଙ୍କା ହୋଇଥିବାବେଳେ ୨୦୨୩-୨୪ରେ ସେଥିରେ ପ୍ରାୟ ଦୁଇଗୁଣ ବୃଦ୍ଧି ଘଟି ତାହା ହୋଇଥିଲା ୧୦୮୭ କୋଟି ଟଙ୍କା। ‘ଏନ୍‌ପିସିଆଇ’ ଠକେଇ ପ୍ରତିହତ କରିବା ଉଦ୍ଦେଶ୍ୟରେ ଦୃଢ଼ ପରିଚୟ ଯାଞ୍ଚ ଓ ସତ୍ୟ ପରୀକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିଛି। ବର୍ତ୍ତମାନ ଉପଲବ୍‌ଧ ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍‌ସ’ (‘ଏଆଇ’), ‘ମେସିନ୍ ଲର୍ନିଙ୍ଗ’ (‘ଏମ୍ଏଲ୍’) ଆଦି ପ୍ରବିଧି ପ୍ରୟୋଗ ଦ୍ବାରା ‘ୟୁପିଆଇ’ ବ୍ୟବହାରକୁ ସଂପୂର୍ଣ୍ଣ ରୂପେ ନିରାପଦ କରିବାକୁ ଚେଷ୍ଟା କରାଯିବା ଉଚିତ। ବର୍ତ୍ତମାନର ଝଟ୍‌କା ‘ଏନ୍‌ପିସିଆଇ’କୁ ନିଜର ଗୁରୁଦାୟିତ୍ବ ସମ୍ବନ୍ଧରେ ସଚେତନ କରିଦେବା ଉଚିତ, ଯେମିତି ଏ କ୍ଷେତ୍ରରେ ଭାରତର ନେତୃସ୍ଥାନ ବଜାୟ ରଖିବା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ନେବାରେ ଏହି ସଂସ୍ଥା କୌଣସି ଅବହେଳା ନ କରେ।