କୌଣସି ବିଚାରପତିଙ୍କ ସକାଶେ ସେ ନେଉଥିବା ନିଷ୍ପତ୍ତି ସମସ୍ତ ଚାପରୁ ମୁକ୍ତ ଏବଂ ଅପ୍ରତିହତ ଭାବେ ମୁକ୍ତ ହେବା ଅନିବାର୍ଯ୍ୟ। ତାଙ୍କ ମତରେ ଯଦିଓ ସାମାଜିକ ଗଣମାଧ୍ୟମର ଚାପ ବିଚାରପତିମାନଙ୍କୁ ଏବେ ଅନେକ ସମୟରେ ଅପ୍ରତିଭ ଓ ଶଙ୍କାଗ୍ରସ୍ତ କରି ରଖୁଛି, କୌଣସି ବିଚାରପତି ପାସୋରି ଯିବା ଉଚିତ ନୁହେଁ ଯେ ତାଙ୍କର ରାୟ ସ୍ୟାହିରେ ଲେଖାଯାଇଥାଏ; ଯାହାର ଅର୍ଥ କାଳ ବକ୍ଷରେ ତାହା ଅଲିଭା ହୋଇ ରହିଯାଇ ପିଢ଼ି ପରେ ପିଢ଼ି ଅନାସକ୍ତ ବିଚାର ଲାଗି ଉନ୍ମୁକ୍ତ ରହେ। ପ୍ରତ୍ୟେକ ବିଚାରପତିଙ୍କ ପାଇଁ ତାହା ହିଁ ପରୀକ୍ଷା। ଚନ୍ଦ୍ରଚୂଡ଼ ମଧ୍ୟ ସେଇ ପରୀକ୍ଷାର ସମ୍ମୁଖୀନ ହେବେ।
ଗଲା ଶୁକ୍ରବାର ଦିନ ସର୍ବୋଚ୍ଚ ଅଦାଲତର ମୁଖ୍ୟ ବିଚାରପତି ଜଷ୍ଟିସ ଡି. ୱାଇ. ଚନ୍ଦ୍ରଚୂଡ଼ (ଧନଞ୍ଜୟ ଯଶୋବନ୍ତ ଚନ୍ଦ୍ରଚୂଡ଼) ଅବସର ଗ୍ରହଣ କରିଛନ୍ତି। ଏହି ପଦରେ ସେ ପୂର୍ଣ୍ଣ ଦୁଇ ବର୍ଷ ଦାୟିତ୍ବ ସଂପାଦନ କରିଛନ୍ତି, ଯାହା ସୁପ୍ରିମ୍ କୋର୍ଟର ମୁଖ୍ୟ ବିଚାରପତି ପଦ ପରିପ୍ରେକ୍ଷୀରେ ଅତ୍ୟନ୍ତ ଦୀର୍ଘ, କାରଣ ଏହି ସର୍ବୋଚ୍ଚ ପଦ ନିକଟରେ ପହଞ୍ଚିବା ବେଳକୁ ଅଧିକାଂଶ ବିଚାରପତିଙ୍କ କାର୍ଯ୍ୟକାଳ ସମାପ୍ତିର ଦ୍ବାର ଦେଶରେ ଉପନୀତ ହୋଇ ସାରିଥାଏ। ପ୍ରକାଶ ଥାଉ କି ମାତ୍ର ୧୭ ବା ୩୫ ବା ୨୯ ଦିନ ସକାଶେ ଯଥାକ୍ରମେ ଜଷ୍ଟିସ୍ କମଳ ନାରାୟଣ ସିଂହ ବା ଜଷ୍ଟିସ୍ ଜେ. ସି. ଶାହ ବା ଜଷ୍ଟିସ୍ ରାଜେନ୍ଦ୍ର ବାବୁ ସର୍ବୋଚ୍ଚ ଅଦାଲତର ପ୍ରଧାନ ନ୍ୟାୟାଧୀଶ ହୋଇଥିଲେ ଏବଂ ଏହି ୨୯ ଦିନର ଅତ୍ୟନ୍ତ ସ୍ବଳ୍ପ ଅବଧି ମଧ୍ୟରେ ଜଷ୍ଟିସ୍ ରାଜେନ୍ଦ୍ର ବାବୁଙ୍କ ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରାୟ ବଳରେ ଅଟଳ ବିହାରୀ ବାଜପେୟୀଙ୍କ ଅମଳରେ ପ୍ରାରମ୍ଭ ହୋଇଥିବା ସରକାରୀ ଉଦ୍ୟୋଗର ଦ୍ରୁତ ଘରୋଇକରଣ ଉଦ୍ୟମରେ ବିରାମ ଲାଗିଥିଲା। ଚନ୍ଦ୍ରଚୂଡ଼ଙ୍କ ପରେ ନୂତନ ଦାୟିତ୍ବ ଗ୍ରହଣ କରିବାକୁ ଯାଉଥିବା ଜଷ୍ଟିସ୍ ସଂଜୀବ ଖାନ୍ନାଙ୍କ କାର୍ଯ୍ୟ ଅବଧି ହେଉଛି ମାତ୍ର ଛଅ ମାସ। ଉଲ୍ଲେଖନୀୟ ଯେ ପ୍ରଧାନ ବିଚାରପତି ହେବା ପୂର୍ବରୁ ଜଷ୍ଟିସ୍ ଚନ୍ଦ୍ରଚୂଡ଼ ସାତ ବର୍ଷ ଲାଗି ସୁପ୍ରିମ୍ କୋର୍ଟର ବିଚାରପତି ରୂପେ ଦାୟିତ୍ବ ନିର୍ବାହ କରିଥିଲେ। ଏଥିରେ ମଧ୍ୟ ଦ୍ବିରୁକ୍ତିି ନାହିଁ ଯେ ବିଭିନ୍ନ କାରଣରୁ ଜଷ୍ଟିସ ଚନ୍ଦ୍ରଚୂଡ଼ ଓ ତାଙ୍କ କାର୍ଯ୍ୟାବଧି ଯେଉଁଭଳି ସଘନ ଚର୍ଚ୍ଚାର କେନ୍ଦ୍ରରେ ରହିଛି, ପୂର୍ବରୁ ଅନ୍ୟ କାହା କ୍ଷେତ୍ରରେ ସେମିତି ଘଟି ନ ଥିଲା; ଏବଂ ଏଭଳି ଆଲୋଚନାରେ ସେ ପ୍ରଶଂସା, ସମାଲୋଚନା ଓ ହୁଏ’ତ ଭୁଲ୍ ବୁଝାମଣାର ମଧ୍ୟ ପାତ୍ର ହୋଇଛନ୍ତି। ଏଭଳି ସ୍ଥଳେ ଏ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଏଭଳି ଚର୍ଚ୍ଚା ସୃଷ୍ଟି ହେବା ପଛର କାରଣ ମୁଖ୍ୟତଃ ତିନିଟି; ପ୍ରଥମତଃ ଦୀର୍ଘ କାର୍ଯ୍ୟ କାଳ ଓ ତହିଁରେ ପ୍ରଦତ୍ତ ରାଜନୈତିକ-ସାମାଜିକ-ସାଂସ୍କୃତିକ ଦୃଷ୍ଟିରୁ କେତେକ ଅତ୍ୟନ୍ତ ସ୍ପର୍ଶକାତର ମାମଲାର ରାୟ, ଦ୍ବିତୀୟରେ ଅଦାଲତୀ କାର୍ଯ୍ୟକଳାପର ସିଧା ପ୍ରସାରଣ ହେତୁ ଲୋକକ୍ଷେତ୍ର ଓ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ମାମଲା ନେଇ ତୁମୂଳ ଆଲୋଚନା ଲାଗି ସୃଷ୍ଟ ସୁଯୋଗ ଏବଂ ତୃତୀୟରେ ମୁଖ୍ୟ ବିଚାରପତିଙ୍କ ପଦ ଗରିମା ଓ ଔଚିତ୍ୟ ପରିପ୍ରେକ୍ଷୀରେ ଆଶା କରାଯାଉଥିବା ଭଳି ସାଧାରଣ ଜୀବନରୁ ଦୂରେଇ ରହିବା ପରିିବର୍ତ୍ତେ ସେ ତହିଁରେ ଅଧିକ ଦୃଶ୍ୟମାନ ଓ ସଂପୃକ୍ତ ହେବା। ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟ କାଳ ମଧ୍ୟରେ ସଂପାଦିତ ହୋଇଥିବା ଅନେକ ଅତ୍ୟନ୍ତ ସଂବେଦନଶୀଳ ଓ ଐତିହାସିକ ମାମଲା ମଧ୍ୟରୁ ମୁଷ୍ଟିମେୟ ଦୃଷ୍ଟାନ୍ତ-ଯୋଗ୍ୟ ହେଲେ ସମଲିଙ୍ଗୀ ବିବାହକୁ ଅନୁମୋଦନ, ପରକୀୟା ସଂପର୍କକୁ ଅପରାଧ ଆରୋପରୁ ମୁକ୍ତି, ସବରିମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ଅଧିକାର, ଅଯୋଧ୍ୟା ମନ୍ଦିର ଜମି ବିବାଦ, ବ୍ୟକ୍ତିଗତ ଗୋପନୀୟତାକୁ ମୌଳିକ ଅଧିକାର ମାନ୍ୟତା ପ୍ରଦାନ, ଇଲେକ୍ଟୋରାଲ୍ ବଣ୍ଡ୍ର ଯାଥାର୍ଥ୍ୟ ଇତ୍ୟାଦି; ଯହିଁରୁ ହୃଦ୍ବୋଧ କରି ହୋଇଥାଏ ସାମାଜିକ, ସାଂସ୍କୃତିକ, ସାଂପ୍ରଦାୟିକ ଓ ରାଜନୈତିକ ଦୃଷ୍ଟିରୁ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିବାର ସାମର୍ଥ୍ୟ ବହନକାରୀ ମାମଲାମାନର ସମାଧାନ ସକାଶେ ସେ ସାହସ ପ୍ରଦର୍ଶନ କରିଥିଲେ। ଏ ପରିପ୍ରେକ୍ଷୀରେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ବିଦାୟକାଳୀନ ସଂବର୍ଧନା ଉତ୍ସବରେ ଭାରତୀୟ ବାର୍ କାଉନସିଲ୍ର ଅଧ୍ୟକ୍ଷ କପିଳ ଶିବଲଙ୍କ ମନ୍ତବ୍ୟ ପ୍ରଣିଧାନଯୋଗ୍ୟ, ଯାହା କହିଥିଲା ଯେ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ଅତ୍ୟନ୍ତ ସଂବେଦନଶୀଳ ମାମଲାଗୁଡ଼ିକର ସମାଧାନ ଦିଗରେ କରିଥିବା ଉଦ୍ୟମ ତାଙ୍କ ନୈତିକ ସାହସର ପରିଚାୟକ।
କେତେକ ପ୍ରଶଂସକ ମଧ୍ୟ ଶିବଲଙ୍କ ଅନୁସରଣରେ ଆଗଭର ହୋଇ କହିଥାଆନ୍ତି ଯେ ବିଭିନ୍ନ ସର୍ବସାଧାରଣ ସ୍ଥାନରେ ସେ ଦୃଶ୍ୟମାନ ହେବା ବା ଗଣେଶ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ନିଜ ଆବାସକୁ ନିମନ୍ତ୍ରଣ କରିବା ଭଳି କାର୍ଯ୍ୟ ପ୍ରକୃତରେ ତାଙ୍କର ନୈତିକ ସାହସର ପରିଚାୟକ, କାରଣ ତାହା ସମାଲୋଚନା ସୃଷ୍ଟି କରିବା ସୁନିଶ୍ଚିତ ଥିବା ସତ୍ତ୍ବେ ସେ ସବୁକୁ ଗୋପନ କରି ରଖିବାକୁ ସେ ଚାହି ନ ଥାଆନ୍ତି। କିନ୍ତୁ, ତାଙ୍କ ସମାଲୋଚକମାନଙ୍କ ମତରେ ତାଙ୍କର ଏତାଦୃଶ କାର୍ଯ୍ୟକଳାପ ପଛରେ ନିହିତ ଅଛି ଆତ୍ମ-ପ୍ରଚାରର ଦୁର୍ବାର ଲାଳସା ଓ ରାଜନୈତିକ ଉଚ୍ଚାଭିଳାଷ। କେବଳ ସେତିକି ନୁହେଁ, ଅଯୋଧ୍ୟା ମାମଲାର ରାୟ ଲେଖିଲା ବେଳେ ତାଙ୍କୁ ସହାୟତା କରିବା ଲାଗି ସେ ଐଶ୍ବରୀୟ ଶକ୍ତିର ଆବାହନ କରିଛନ୍ତି ବୋଲି ପ୍ରଦାନ କରିଥିବା ମନ୍ତବ୍ୟ ସକାଶେ ତାଙ୍କୁ ଦକ୍ଷିଣପନ୍ଥୀ ଓ ବିଜେପି ସମର୍ଥକ ବୋଲି ମଧ୍ୟ ଆଖ୍ୟା ଦିଆଯାଇଛି; କାରଣ ବିଚାର ପ୍ରକ୍ରିୟା ସର୍ବଦା ସଂବିଧାନ ଦ୍ବାରା ପ୍ରଦର୍ଶିତ ମାର୍ଗ ଓ ଆଇନର ସୀମା ମଧ୍ୟରେ ହେବା ଜରୁରି, ଯହିଁରେ ଈଶ୍ବରଙ୍କ ହସ୍ତକ୍ଷେପ ଅନସ୍ବୀକାର୍ଯ୍ୟ ହୋଇଥାଏ। ତେବେ, ତାଙ୍କ ଅବସର ଗ୍ରହଣର ଅବ୍ୟବହିତ ପୂର୍ବରୁ ‘ଦି ଇଣ୍ଡିଆନ୍ ଏକସ୍ପ୍ରେସ’ ପକ୍ଷରୁ କରାଯାଇଥିବା ଏକ ସୁବିସ୍ତୃତ ସାକ୍ଷାତ୍କାରରେ ଏ ସଂର୍ପକିତ ପ୍ରଶ୍ନର ଉତ୍ତରରେ ସେ ଯାହା କହିଥିଲେ, ତାହା ଥିଲା ଏକ ସ୍ପଷ୍ଟୀକରଣ, ଯହିଁରେ ସେ କହିଛନ୍ତି ଯେ କୌଣସି ମନ୍ତବ୍ୟକୁ ତା’ର ପରିପ୍ରେକ୍ଷୀରେ ହିଁ ବିଚାର କରାଯିବା ଉଚିତ। ଉପର ବର୍ଣ୍ଣିତ ମନ୍ତବ୍ୟ ସେ ନିଜ ପୈତୃକ ଗ୍ରାମରେ ପ୍ରଦାନ କରିଥିଲେ, ଯାହା ପ୍ରକୃତରେ ଥିଲା ତାଙ୍କୁ ସେଠାରେ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତର, ଯହିଁରେ ପ୍ରଶ୍ନଟି ଥିଲା ଯେ ନିଷ୍ପତ୍ତି ନେବା ବେଳେ ଗଭୀର ଦ୍ବନ୍ଦ୍ବର ସମ୍ମୁଖୀନ ହେଲେ ସେ କିଭଳି ମାର୍ଗ ଅନ୍ବେଷଣ କରନ୍ତି? ଏବଂ ଉତ୍ତରରେ ସେ ଯାହା କହିଥିଲେ ତା’ର ସାରାଂଶ ହେଲା, ସଂବିଧାନ ଓ ଆଇନର ଚଉହଦି ମଧ୍ୟରେ ରହି ନିଷ୍ପତ୍ତି ନେବା ଅନିବାର୍ଯ୍ୟ ନିଶ୍ଚୟ; କିନ୍ତୁ ଅନେକ ସମୟରେ ଅତି ସୂକ୍ଷ୍ମ ବିବେଚନାବୋଧ ଲୋଡୁଥିବା ସଂଦର୍ଭରେ ଅନ୍ତର୍ଦୃଷ୍ଟି, ମନନ ଓ ଧ୍ୟାନର ଆବଶ୍ୟକତା ହୋଇଥାଏ, ଯଦ୍ଦ୍ବାରା ସଂକଟର ଅନ୍ଧ ଦିଗନ୍ତରେ କ୍ଷୀଣ ଆଲୋକ ଦିଶିଯାଇପାରେ। ସେ ଯାହା ଇଙ୍ଗିତ କରିଥିଲେ ତାହା ହେଲା ପ୍ରତ୍ୟେକ ସଂକଟଗ୍ରସ୍ତ ମନୁଷ୍ୟର ଏଭଳି ଆତ୍ମିକ ଅନୁଭୂତି ଥିବ ନିଶ୍ଚୟ, ଯାହା ଧର୍ମ ବିଶ୍ବାସର ଊର୍ଦ୍ଧ୍ବରେ! ତାଙ୍କ ଉତ୍ତରରେ ସେ ଅବଶ୍ୟ ସ୍ପଷ୍ଟ କରିଥିଲେ ଯେ ସେ ଧର୍ମ ବିଶ୍ବାସୀ, କିନ୍ତୁ ନିଜ ଧର୍ମ ସହିତ ଅନ୍ୟ ସମସ୍ତ ଧର୍ମ ପ୍ରତି ମଧ୍ୟ ସେ ସମ ପରିମାଣର ସମ୍ମାନ ଓ ଆସ୍ଥା ପ୍ରଦର୍ଶନ କରନ୍ତି। କହିବାର ତାତ୍ପର୍ଯ୍ୟ ହେଲା, ସାମାଜିକ ଗଣମାଧ୍ୟମରେ ଉଚ୍ଚାଟିତ ମନ୍ତବ୍ୟର ଝଡ଼ ଯେଉଁ ବ୍ୟାଖ୍ୟାନ ସୃଷ୍ଟି କରିଥାଏ, ତାହା ଜନମତ ନିର୍ମାଣ କରିପାରେ ସତ, କିନ୍ତୁ ତାହା ସର୍ବଦା ସତ୍ୟ ହୋଇ ନ ପାରେ!
କହିବା ଅନାବଶ୍ୟକ ଯେ ଭାରତୀୟ ରାଜନୀତିର ଚରମ ଧ୍ରୁବୀକୃତ ପରିବେଶରେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ ତାଙ୍କ ଦାୟିତ୍ବ ସଂପାଦନ କରିଛନ୍ତି ଏବଂ ବିଭିନ୍ନ ମାମଲାରେ ତାଙ୍କ ଦ୍ବାରା ପ୍ରଦତ୍ତ ରାୟ କେତେବେଳେ ସରକାରଙ୍କ ସମର୍ଥକମାନଙ୍କ ଦ୍ବାରା ତ କେତେବେଳେ ବିରୋଧୀ ପକ୍ଷ ଦ୍ବାରା ଉଭୟ ପ୍ରଶଂସା ଓ ସମାଲୋଚନାର ପାତ୍ର ହୋଇଛନ୍ତି। ଏହି ସଂଦର୍ଭରେ ‘ଦ ପ୍ରିଣ୍ଟ’ରେ ପ୍ରକାଶିତ ତା’ର ‘ଟ୍ରେଡ୍ ମାର୍କ’ ମାତ୍ର ପଚାଶଟି ଶବ୍ଦ ବିଶିଷ୍ଟ ସଂପାଦକୀୟ କହିଥାଏ ଯେ ଜଣେ ବିଚାରପତି ଭାବେ ଉଭୟ ସରକାର ଓ ବିରୋଧୀଙ୍କ ଦ୍ବାରା ସମାଲୋଚିତ ହେବା ହେଉଛି ଚନ୍ଦ୍ରଚୂଡ଼ଙ୍କ ସଫଳତା। ‘ଦ ଇଣ୍ଡିଆନ୍ ଏକ୍ସପ୍ରେସ୍’ ଦ୍ବାରା ଆୟୋଜିତ ସାକ୍ଷାତ୍କାରରେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ ମଧ୍ୟ ଯାହା କହିଥିଲେ, ତା’ର ମର୍ମ ହେଲା ଯେ ‘ଇଲେକ୍ଟୋରାଲ୍ ବଣ୍ଡ୍’ ଭଳି ମାମଲାରେ ତାଙ୍କ ନିଷ୍ପତ୍ତି ସରକାର ବିରୋଧୀ ହୋଇଥିବାରୁ ତାକୁ ଯଥାର୍ଥ, ମୁକ୍ତ ଓ ସାହସିକ ବୋଲି ଆଖ୍ୟା ଦିଆଯାଉଥିବା ବେଳେ ସରକାରଙ୍କ ସପକ୍ଷରେ ଯାଉଥିବା ନିଷ୍ପତ୍ତି ଲାଗି ତାଙ୍କୁ ସରକାରଙ୍କ ବଶମ୍ବଦ ବୋଲି ସମାଲୋଚନା କରାଯିବା ଅପରିପକ୍ବ। କାରଣ ଜଣେ ବିଚାରପତି ବିରୋଧୀ ଦଳର ସଦସ୍ୟ ହୋଇ ନ ଥାନ୍ତି। କୌଣସି ବିଚାରପତିଙ୍କ ସକାଶେ ସେ ନେଉଥିବା ନିଷ୍ପତ୍ତି ସମସ୍ତ ଚାପରୁ ମୁକ୍ତ ଏବଂ ଅପ୍ରତିହତ ଭାବେ ମୁକ୍ତ ହେବା ଅନିବାର୍ଯ୍ୟ। ତାଙ୍କ ମତରେ ଯଦିଓ ସାମାଜିକ ଗଣମାଧ୍ୟମର ଚାପ ବିଚାରପତିମାନଙ୍କୁ ଏବେ ଅନେକ ସମୟରେ ଅପ୍ରତିଭ ଓ ଶଙ୍କାଗ୍ରସ୍ତ କରି ରଖୁଛି, କୌଣସି ବିଚାରପତି ପାସୋରି ଯିବା ଉଚିତ ନୁହେଁ ଯେ ତାଙ୍କର ରାୟ ସ୍ୟାହିରେ ଲେଖାଯାଇଥାଏ; ଯାହାର ଅର୍ଥ କାଳ ବକ୍ଷରେ ତାହା ଅଲିଭା ହୋଇ ରହିଯାଇ ପିଢ଼ି ପରେ ପିଢ଼ି ଅନାସକ୍ତ ବିଚାର ଲାଗି ଉନ୍ମୁକ୍ତ ରହେ। ପ୍ରତ୍ୟେକ ବିଚାରପତିଙ୍କ ପାଇଁ ତାହା ହିଁ ପରୀକ୍ଷା। ଚନ୍ଦ୍ରଚୂଡ଼ ମଧ୍ୟ ସେଇ ପରୀକ୍ଷାର ସମ୍ମୁଖୀନ ହେବେ।