ଜାନକୀଶ ବଡ଼ପଣ୍ଡା

ନୀଳଗିରି ରାଜକୁମାରୀ ବସନ୍ତ ମଞ୍ଜରୀ ବିବାହ ପରେ ରଣପୁରର ରାଜବାଟୀକୁ ଯୁବରାଣୀ ଭାବେ ପଦାର୍ପଣ କରିଥିଲେ। ୧୯୪୫ ମସିହାରେ ଯୁବରାଜ ବ୍ରଜେନ୍ଦ୍ର ରାଜସିଂହାସନ ଅରୋହଣ କଲାପରେ ରାଣୀ ପାଲଟି ଯାଇଥିଲେ ରାଜମାତା ବସନ୍ତ ମଞ୍ଜରୀ ଦେବୀ। ଦେଶ ସ୍ବାଧୀନ ହେଲା, ଗଡ଼ଜାତ ମିଶ୍ରଣ ହେଲା। ୧୯୫୨ ମସିହାରେ ଅନୁଷ୍ଠିତ ପ୍ରଥମ ନିର୍ବାଚନରେ ରାଜମାତା ବିଧାୟିକା ଭାବେ ନିର୍ବାଚିତ ହୋଇ ନବକୃଷ୍ଣ ଚୌଧୁରୀ ମନ୍ତ୍ରିମଣ୍ଡଳରେ ସ୍ବାସ୍ଥ୍ୟ ବିଭାଗର ଉପମନ୍ତ୍ରୀ ହେଲେ। ଓଡ଼ିଶାର ପ୍ରଥମ ମହିଳା ମନ୍ତ୍ରୀ ଭାବେ ତାଙ୍କ ନାମ ଲିପିବଦ୍ଧ ହୋଇଗଲା। ତାଙ୍କ ନେତୃତ୍ବରେ ସମଗ୍ର ରାଜ୍ୟରେ ମାତୃ-ମଙ୍ଗଳ କେନ୍ଦ୍ର ଗଢ଼ି ଉଠିଲା ଏବଂ ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ବହୁ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଥିଲା। ୧୯୫୭ରେ ସେ ଦ୍ବିତୀୟ ଥର ପାଇଁ ନିର୍ବାଚିତ ହୋଇ ହରେକୃଷ୍ଣ ମହତାବ ମନ୍ତ୍ରିମଣ୍ଡଳରେ ସ୍ବାସ୍ଥ୍ୟ ବିଭାଗର କ୍ୟାବିନେଟ ମନ୍ତ୍ରୀ ହେଲେ। ସେହି ସମୟରେ ଭାରତର ପ୍ରଥମ ଏବଂ ଏସିଆ ମହାଦେଶର ଦ୍ବିତୀୟ ସ୍ବତନ୍ତ୍ର ଯକ୍ଷ୍ମା ଚିକିତ୍ସାଳୟ ଓଡ଼ିଶାରେ ପ୍ରତିଷ୍ଠା କରିଥିଲେ। ଏଥିପାଇଁ ରାଜମାତା ଦାନ କରିଦେଇଥିଲେ ଚାନ୍ଦପୁର ଗ୍ରାମରେ ଥିବା ୧୧୭ ଏକର ଭୂସମ୍ପତ୍ତି। ଚିକିତ୍ସାଳୟ ନିର୍ମାଣ ପାଇଁ ସେ ଗଢ଼ିଥିଲେ ‘ଓଡ଼ିଶା ଟିବି ଆଣ୍ଡ୍‌ କ୍ୟାନସର ହସ୍ପିଟାଲ୍ ଫଣ୍ଡ୍’, ଯାହାକୁ ପ୍ରଧାନମନ୍ତ୍ରୀ ନେହରୁ ପ୍ରଥମେ ଦାନ କରିଥିଲେ ୨୦ ହଜାର ଟଙ୍କା। ଦେଶ ଓ ରାଜ୍ୟବାସୀଙ୍କ ଠାରୁ ମିଳିଥିବା ଦାନକୁ ପୁଞ୍ଜି କରି ରାଜ୍ୟର ଯକ୍ଷ୍ମା ରୋଗୀଙ୍କ ପାଇଁ ଠିଆ ହୋଇଥିବା ଚିକିତ୍ସାଳୟର ନାମକରଣ କରାଯାଇଥିଲା ବସନ୍ତ ମଞ୍ଜରୀ ସ୍ବାସ୍ଥ୍ୟ ନିବାସ। ଏବେ ଏହା ଅନ୍ୟତମ ସାଧାରଣ ଚିକିତ୍ସାଳୟ ହୋଇଥିଲେ ବି ନିଜର ଗରିମାମୟ ଇତିହାସକୁ ଝୁରୁଛି।

Advertisment

Editorial: ସରସ ରସ: ‘କ୍ୟୁଁ ନାଚେ ସପେରା?’

ନିଜର ସ୍ବାସ୍ଥ୍ୟମନ୍ତ୍ରିତ୍ବ କାଳଖଣ୍ଡରେ ରାଜମାତା ମୁଖ୍ୟମନ୍ତ୍ରୀ ଡକ୍ଟର ମହତାବଙ୍କ ନେତୃତ୍ବରେ ୧୯୫୯ ମସିହାରେ ବୁର୍ଲାରେ ମେଡିକାଲ୍ କଲେଜ ଏବଂ ତାହାର ଦୁଇ ବର୍ଷ ପରେ ୧୯୬୧ରେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ ସଂଲଗ୍ନ ଏକ କୋଠାରେ ବ୍ରହ୍ମପୁର ମେଡିକାଲ୍ କଲେଜ ପ୍ରତିଷ୍ଠା କରିଥିଲେ। ରାଣୀ ବସନ୍ତ ମଞ୍ଜରୀ ଚାହିଁଥିଲେ ଚାନ୍ଦପୁରରେ ସମସ୍ତ ବିଭାଗରେ ଚିକିତ୍ସା ସୁବିଧା ଥିବା ବଡ଼ ଡାକ୍ତରଖାନା ନିଶ୍ଚୟ ପ୍ରତିଷ୍ଠା କରି ପାରିଥାଆନ୍ତେ। କିନ୍ତୁ ନିଜର ରଣପୁର ନିର୍ବାଚନ ମଣ୍ଡଳୀକୁ ସର୍ବଭାରତୀୟ ସ୍ତରରେ ନିଆରା ପରିଚୟ ପ୍ରଦାନ କରିବା ଥିଲା ରାଜମାତାଙ୍କ ଲକ୍ଷ୍ୟ, ଯେଉଁଥିପାଇଁ ଚାନ୍ଦପୁରରେ ସେ ଯକ୍ଷ୍ମାରୋଗ ଚିକିତ୍ସା ପାଇଁ ସ୍ବତନ୍ତ୍ର ଚିକିତ୍ସାଳୟ ପ୍ରତିଷ୍ଠା କରି ରଣପୁର ପାଇଁ ପ୍ରସିଦ୍ଧି ଆଣିଥିଲେ।
ଯେବେଠୁ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ମେଡିକାଲ କଲେଜ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି, ସେବେଠୁ ନୟାଗଡ଼ ଜିଲ୍ଲାବାସୀ ଓ ସାମାଜିକ ଅନୁଷ୍ଠାନଗୁଡ଼ିକ ନୟାଗଡ଼ରେ ମେଡିକାଲ କଲେଜ ପ୍ରତିଷ୍ଠା ଦିବସକୁ ଆଗ୍ରହର ସହିତ ଅପେକ୍ଷା କରିଛନ୍ତି। ଅବହେଳାର ଶିକାର ହୋଇଆସିଥିବା ନୟାଗଡ଼ ଜିଲ୍ଲାର ବିକାଶ ଲକ୍ଷ୍ୟରେ ଜନସଚେତନା ସୃଷ୍ଟି କରିବାକୁ ଗଢ଼ି ଉଠିଛି ଅନେକ ସଙ୍ଗଠନ; ଯାହା ମଧ୍ୟରେ ରହିଛି ଜିଲ୍ଲା ବିକାଶ ସମ୍ମିଳନୀ, ବିକାଶ ମଞ୍ଚ, ଚିନିକଳ କ୍ରିୟାନୁଷ୍ଠାନ କମିଟି, ବୃତ୍ତଙ୍ଗ ଜଳସେଚନ କମିଟି ଇତ୍ୟାଦି ଅନେକ ଅନୁଷ୍ଠାନ। ସମସ୍ତେ ଆଗ୍ରହର ସହିତ ଅପେକ୍ଷା କରିଛନ୍ତି ଯେ, ନୟାଗଡ଼ ଜିଲ୍ଲାରେ ଯଥାଶୀଘ୍ର ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ହେଉ। ଏବେ ନୟାଗଡ଼ ଜିଲ୍ଲାର କେଉଁ ସ୍ଥାନରେ ପ୍ରସ୍ତାବିତ ମେଡିକାଲ କଲେଜ ନିର୍ମାଣ ହେଲେ ଭଲ ହେବ ଏବଂ ରାଜମାତାଙ୍କ ଦୂରଦୃଷ୍ଟିକୁ ସମ୍ମାନ ଦିଆଯାଇ ପାରିବ, ତାହାର ଏକ ନିରପେକ୍ଷ ଆଲୋଚନା ଆବଶ୍ୟକ ମନେ ହୁଏ।

Editorial: ସାଂସ୍କୃତିକ ସ୍ବୀକୃତି

ସଦ୍ୟସମାପ୍ତ ବିଧାନସଭା ଶୀତ ଅଧିବେଶନରେ ନୟାଗଡ଼ ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ କରିବାକୁ ଦାବି କରିଥିଲେ ଖଣ୍ଡପଡ଼ା ବିଧାୟକ। ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକର ଚାନ୍ଦପୁରଠାରେ ଆବଶ୍ୟକ ଭିତ୍ତିଭୂମି ଥିବାରୁ ସେଠାରେ ଏହାକୁ ଯଥାଶୀଘ୍ର ସ୍ଥାପନ କରିବାକୁ ସେ ପ୍ରସ୍ତାବ ଦେଇଥିଲେ। ଉତ୍ତରରେ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରସ୍ତାବ ଉପରେ ବିଚାର କରିବାକୁ କହିବା ପରେ, ଜିଲ୍ଲାରେ ରାଜନୀତି ଆରମ୍ଭ ହୋଇ ଯାଇଛି। ନୟାଗଡ଼ ଜିଲ୍ଲାର ସଦର ମହକୁମାରେ ମେଡିକାଲ କଲେଜ କରିବାକୁ ଦଶପଲ୍ଲା, ଖଣ୍ଡପଡ଼ା ଓ ନୟାଗଡ଼ ତଥା ରଣପୁର ବିଧାନସଭା କ୍ଷେତ୍ରର ଜନସାଧାରଣ ଦାବି କରୁଥିଲା ବେଳେ, ରଣପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଚାନ୍ଦପୁର ନିକଟବର୍ତ୍ତୀ ଜନସାଧାରଣ ୧୯୬୦ ମସିହାରେ ନିର୍ମିତ ବସନ୍ତ ମଞ୍ଜରୀ ସ୍ବାସ୍ଥ୍ୟ ନିବାସରେ ନୟାଗଡ଼ ଜିଲ୍ଲାର ମେଡିକାଲ କଲେଜ ପ୍ରତିଷ୍ଠା ହେଉ ବୋଲି ଦାବି କରୁଛନ୍ତି। ଜିଲ୍ଲାର ଚାରିଜଣ ବିଧାୟକଙ୍କ ମଧ୍ୟରୁ ନୟାଗଡ଼ ଓ ଦଶପଲ୍ଲା ବିଧାୟକ ବିଜୁ ଜନତା ଦଳର ଏବଂ ଖଣ୍ଡପଡ଼ା ଓ ରଣପୁର ବିଧାୟକ ଭାରତୀୟ ଜନତା ପାର୍ଟିର ହୋଇ ଥିବାରୁ ରାଜନୀତି ତେଜିଛି। ରଣପୁର ବିଧାୟିକା ବାଚସ୍ପତି ଅଛନ୍ତି ଏବଂ ତାଙ୍କର ଦଳ ସରକାରରେ ଥିବାରୁ ନୟାଗଡ଼ର ସ୍ବାର୍ଥ ବ୍ୟାହତ ହେବା ଆଶଙ୍କା କରି ନୟାଗଡ଼ ଓ ଦଶପଲ୍ଲା ବିଧାୟକ ଆନ୍ଦୋଳନ ଧମକ ଦେଲେଣି, ଯାହା ଜନସମର୍ଥନ ପାଉଛି। ୧୯୯୩ ମସିହାରେ ଗଠିତ ନୟାଗଡ଼ ଜିଲ୍ଲାର ସଦର ମହକୁମାରେ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ, ନ୍ୟାୟାଳୟ ଇତ୍ୟାଦି ରହିଥିଲେ ହେଁ ସହରର ଯେଭଳି ବିକାଶ ହେବା କଥା, ତାହା କରାଯାଇ ନଥିବା ବେଳେ, ସେଥିପ୍ରତି ଦୃଷ୍ଟି ନଦେଇ ଲୋକଙ୍କ ଭାବପ୍ରବଣତାକୁ ପୁଞ୍ଜି କରି ଶସ୍ତା ଲୋକପ୍ରିୟତା ପାଇବାକୁ ଯେଭଳି ବାକଯୁଦ୍ଧ ଚାଲିଛି, ତାହା ବୁଦ୍ଧିଜୀବୀମାନଙ୍କୁ ଆହତ କରିଛି। 
ଦେଶର ଶହେଟି ନଗରକୁ ‘ସ୍ମାର୍ଟ ସିଟି’ରେ ପରିଣତ କଲାବେଳେ, ଆଶା କରାଯାଉଥିଲା ଯେ, ଓଡ଼ିଶା ସରକାର ନିଜର ସମ୍ବଳ ବିନିଯୋଗ କରି ନୟାଗଡ଼ ସହର ଭଳି ନୂତନ ଭାବେ ଗଠିତ ଜିଲ୍ଲା ସଦର ମହକୁମାଗୁଡ଼ିକର ବିକାଶ ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବେ। ଭୁବନେଶ୍ବରରେ ରାଜଧାନୀ ପ୍ରତିଷ୍ଠା ପରେ ଯେଭଳି ପୁରୁଣା ସହର ନିକଟରେ ନୂଆ ରାଜଧାନୀ ଗଢ଼ି ଉଠିଲା, ସେହିଭଳି ରୁଖୀ ଓ ବଳରାମ ପାହାଡ଼ ଉପତ୍ୟକାରେ ଗଢ଼ିଉଠିଥିବା ପୁରୁଣା ନୟାଗଡ଼ ସହର ନିକଟରେ ନୂତନ ନୟାଗଡ଼ ନିର୍ମାଣ କରିବାପାଇଁ ସାମାନ୍ୟତମ ଉଦ୍ୟମ କରାଗଲା ନାହିଁ। ଏହା ହୋଇଥିଲେ, ଅନ୍ତତଃ ୧୦-୧୫ ବର୍ଷ ତଳୁ, ନୟାଗଡ଼ ସହରକୁ କେନ୍ଦ୍ରକରି ପ୍ରାୟ ୧୦ କିଲୋମିଟର ବ୍ୟାସାର୍ଦ୍ଧ ପରିମିତ ଅଞ୍ଚଳକୁ ନେଇ ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇ ସାରିଥାଆନ୍ତା। ଗ୍ରେଟର୍ ନୟାଗଡ଼ ପାଇଁ ଡିପିଆର୍ କରାଯାଇ ସେହି ଅନୁସାରେ ରିଂ ରୋଡ୍, ପ୍ରସ୍ତାବିତ ମେଡିକାଲ କଲେଜ, ବିଶ୍ବ ବିଦ୍ୟାଳୟ, ଶିଳ୍ପନଗର, କ୍ଷୁଦ୍ରଶିଳ୍ପ ହବ୍, ଚିତ୍ତବିନୋଦନ କେନ୍ଦ୍ର, ଶୀତଳ ଭଣ୍ଡାର, ବାଣିଜ୍ୟ ବ୍ୟବସାୟ କେନ୍ଦ୍ର, ପରିବହନ ନଗର ଏବଂ ଆବାସିକ ଅଞ୍ଚଳ ସୃଷ୍ଟି ପାଇଁ ଯୋଜନା ହୋଇ ପାରିଥାଆନ୍ତା। ଆଗାମୀ ଦିନରେ ନୟାଗଡ଼ ଦେଇ ନିର୍ମାଣଧୀନ ଖୋର୍ଦ୍ଧା-ବଲାଙ୍ଗୀର ଏବଂ ପ୍ରସ୍ତାବିତ ତାଳଚେର-କଣ୍ଟିଲୋ-ଗୋପାଳପୁର ରେଳପଥ ପ୍ରସ୍ତାବକୁ ଆଖି ଆଗରେ ରଖି ନୟାଗଡ଼ ପାଇଁ ନୀଳ ନକ୍ସା ପ୍ରସ୍ତୁତ କରା ନ ଗଲେ, ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ସମ୍ଭବ ନୁହେଁ। ଏ ଦିଗରେ ବିଗତ ସରକାର ଧ୍ୟାନ ଦେଇ ନଥିଲେ ବୋଲି, ନୂଆ ସରକାର ଯେ ନିରବରେ ବସିଯିବେ, ଏହା ଅଗ୍ରହଣୀୟ। ଏହି ସମସ୍ୟା ତଥା ଆବଶ୍ୟକତା ଯେ କେବଳ ନୟାଗଡ଼ ସହରର, ତାହା ନୁହେଁ। ରାଜ୍ୟର ସମସ୍ତ ନୂତନ ଜିଲ୍ଲାର ସଦର ମହକୁମା ସମସ୍ୟା ପ୍ରାୟ ସମାନ। ଏବେ, ଯେଭଳି ନୂଆ ଭୁବନେଶ୍ବର ସହର ନିର୍ମାଣ ଯୋଜନା ହେଉଛି, ସେହିଭଳି ନୂତନ ନୟାଗଡ଼ ସହର ପାଇଁ ଯଥାଶୀଘ୍ର ପଦକ୍ଷେପ ନିଆଯିବା ଦରକାର। 
ନୟାଗଡ଼ ସହରଠାରୁ ଦଶପଲ୍ଲା, ଖଣ୍ଡପଡ଼ା, ରଣପୁର, ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ଓ ଜଗନ୍ନାଥ ପ୍ରସାଦ, ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ଓ ସୁନାଖଳା ଇତ୍ୟାଦି ଅଞ୍ଚଳର ଅବସ୍ଥିତି ନିକଟ। ଏସବୁ ଅଞ୍ଚଳରୁ ରୋଗୀମାନେ ଚିକିତ୍ସା ପାଇଁ ନୟାଗଡ଼ସ୍ଥିତ ଜିଲ୍ଲା ସଦର ମହକୁମା ହସ୍ପିଟାଲକୁ ଆସୁଛନ୍ତି। ଏହାକୁ ପ୍ରଥମେ ମେଡିକାଲ କଲେଜ ହସ୍ପିଟାଲ୍ ଏବଂ ପ୍ରସ୍ତାବିତ ମେଡିକାଲ କଲେଜର କୋଠାବାଡ଼ି ନିର୍ମାଣ ସରିବା ପରେ ସିଟି ହସ୍ପିଟାଲ ଭାବେ ବ୍ୟବହାର କରାଯାଇପାରିବ। ଜିଲ୍ଲାରେ ଗରିବ ତଥା ଅନୁସୂଚିତ ଜାତି ଓ ଜନଜାତି ଲୋକସଂଖ୍ୟା ଅଧିକ ଥିବାରୁ ମେଡିକାଲ କଲେଜ ପରିସରରେ ନର୍ସିଂ ସ୍କୁଲ୍ ଓ କଲେଜ, ପାରା-ମେଡିକାଲ୍ କର୍ମଚାରୀ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯାଇ ସ୍ଥାନୀୟ ଯୁବଶକ୍ତି ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇ ପାରିବ। ସରକାରୀ ଓ ବେସରକାରୀ ସଂସ୍ଥାର କର୍ମଚାରୀମାନେ ସପରିବାର ରହିବାପାଇଁ ଶିକ୍ଷା ସମେତ ସମସ୍ତ ଭିତ୍ତିଭୂମି ସୁବିଧା କେବଳ ନୟାଗଡ଼ ସହରରେ ଉପଲବ୍ଧ ଥିବାରୁ ଗ୍ରେଟର-ନୟାଗଡ଼ରେ ମେଡିକାଲ କଲେଜ ପ୍ରତିଷ୍ଠା ହେବା ସହଜ, ଯୁକ୍ତିଯୁକ୍ତ ତଥା ଆବଶ୍ୟକ। 
ପ୍ରସଙ୍ଗକ୍ରମେ ଉଲ୍ଲେଖ କରାଯାଇପାରେ ଯେ ରଣପୁରର ପୂର୍ବତନ ବିଧାୟକ ରବି ନାରାୟଣ ମହାପାତ୍ର ୨୦୧୨ରୁ ୨୦୧୪ ଯାଏ ରାଜ୍ୟସଭା ସାଂସଦ ଥିଲାବେଳେ, ଚାନ୍ଦପୁରରେ ଆବଶ୍ୟକ ଭିତ୍ତିଭୂମି ଥିବା ବସନ୍ତ ମଞ୍ଜରୀ ସ୍ବାସ୍ଥ୍ୟ ନିବାସକୁ ବେଙ୍ଗାଲୁରୁ ସ୍ଥିତ ଖ୍ୟାତନାମା ‘ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ୍ ମେଣ୍ଟାଲ୍ ହେଲ୍‌ଥ ଅଣ୍ଡ ନ୍ୟୁରୋ ସାଇନ୍‌ସେସ୍’ (ନିମହାନ୍‌ସ)ର ଏକ ଶାଖା ଭାବେ ରୂପାନ୍ତରିତ କରିବାକୁ ଉଦ୍ୟମ କରିଥିଲେ। ‘ନିମହାନ୍‌ସ’ ଯଦି ପୂର୍ବ ଭାରତରେ ଏହାର ଶାଖା ବିସ୍ତାର କରିବାକୁ ଚାହେଁ ତା’ହେଲେ ସେ ଏହି ପ୍ରସଙ୍ଗକୁ ଦୃଷ୍ଟିରେ ରଖିବ ବୋଲି ଆଶା କରିବା ଉଚିତ। ଭାରତର ପ୍ରଥମ ଏବଂ ଏସିଆ ମହାଦେଶର ଦ୍ବିତୀୟ ସ୍ବତନ୍ତ୍ର ଯକ୍ଷ୍ମା ଚିକିତ୍ସାଳୟ ପ୍ରତିଷ୍ଠା ହୋଇଥିବା ଚାନ୍ଦପୁରରେ ‘ନିମହାନ୍‌ସ’ ଶାଖା ସ୍ଥାପିତ ହେଲେ ଓଡ଼ିଶା ମାଟିରେ ପୂର୍ବୋଦୟ ହୁଅନ୍ତା। 
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୮୨୯୯୦୩୭