ଏକ ‘ପାଟ୍ରିଆର୍କି’ ଅଧ୍ୟୁଷିତ ସମାଜରେ ଅସହାୟା ନାରୀକୁ ସୁରକ୍ଷା ପ୍ରଦାନ ପାଇଁ ହିଁ ଉପରୋକ୍ତ ଆଇନମାନ ପ୍ରଣୟନ କରାଯାଇଛି। ଅନ୍ୟ ଯେ କୌଣସି ଆଇନ ଭଳି ଏହାର ମଧ୍ୟ ଦୁରୁପଯୋଗର କିଛି ସମ୍ଭାବନା ରହିଛି, ଯାହାକୁ ପ୍ରତିହତ କରିବାର ଦାୟିତ୍ବ ହେଉଛି ନ୍ୟାୟପାଳିକାର। ହତଭାଗ୍ୟ ଅତୁଲ ସୁଭାଷ ଅଭିଯୋଗ କରିଥିବା ଭଳି, ଅଦାଲତ ଯଦି ଏହି ଦାୟିତ୍ବ ପାଳନରେ ତ୍ରୁଟି କରିନଥାନ୍ତା, ସେ ଆଜି ଜୀବିତ ଥାନ୍ତେ।
ଚଳିତ ମାସ ୯ ତାରିଖରେ ବାଙ୍ଗାଲୋର ଠାରେ ଅତୁଲ ସୁଭାଷ ନାମକ ଜଣେ ଯୁବ ଆଇଟି ବୃତ୍ତିଧାରୀଙ୍କର ଆତ୍ମହତ୍ୟା ଦେଶବ୍ୟାପୀ ଚହଳ ସୃଷ୍ଟି କରିବା ପରେ ବିତର୍କ ପରିସରରେ ବର୍ତ୍ତମାନ ଏକ ନାରୀ ଅଧିକାର-ବିରୋଧୀ ଜନମତ ସୃଷ୍ଟି ହେବାକୁ ଆରମ୍ଭ କରିବା ଦେଖାଗଲାଣି। ବାଙ୍ଗାଲୋରର ସେଇ ଦୁର୍ଭାଗ୍ୟଜନକ ଘଟଣା ପ୍ରକାଶ ପାଇବା ପରେ ଅନ୍ୟ କେତେକ ଅନୁରୂପ ଘଟଣା ମଧ୍ୟ ଲୋକଲୋଚନକୁ ଆସି ଏଭଳି ଜନମତକୁ ପରିପୁଷ୍ଟ କରିଥିବା ବେଳେ, କାକତାଳିକ ନ୍ୟାୟରେ ସେଇ ସମୟରେ ଅନ୍ୟ ଏକ ମାମଲାର ଶୁଣାଣି ସମୟରେ ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମ୍ କୋର୍ଟ ଏ ସଂପର୍କରେ ପ୍ରଦାନ କରିଥିବା ମନ୍ତବ୍ୟ ମଧ୍ୟ ଏଭଳି ନାରୀ ଅଧିକାର-ବିରୋଧୀ ଜନମତକୁ ଆହୁରି ବଳ ଯୋଗାଇଛି।
ବାଙ୍ଗାଲୋର ଠାରେ ଆତ୍ମହତ୍ୟା କରିଥିବା ଶିକ୍ଷିତ ତଥା ସମର୍ଥ ଯୁବକ ଜଣକ ଯେଉଁ ସୁଦୀର୍ଘ ଆତ୍ମହତ୍ୟା ପତ୍ର ଓ ଭିଡିଓ ଛାଡ଼ି ଯାଇଛନ୍ତି, ସେଥିରେ ସେ ନିଜର ପତ୍ନୀ ଓ ତାଙ୍କର ପରିବାରବର୍ଗଙ୍କ ବିରୁଦ୍ଧରେ କରିଥିବା ଅଭିଯୋଗମାନଙ୍କର ସାରମର୍ମ ହେଲା ଏହା ଯେ ସେମାନେ ଯେଉଁ ଅସ୍ତ୍ର ବଳରେ ତାଙ୍କୁ ଅସହନୀୟ ନିର୍ଯାତନା ଦେଇଚାଲିଥିଲେ, ତାହା ହେଉଛି ନାରୀମାନଙ୍କୁ ସୁରକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ଦେଶରେ ବଳବତ୍ତର ଥିବା ଦୁଇଟି ଆଇନ- ଯୌତୁକ ନିରୋଧ ଆଇନ ଓ ପାରିବାରିକ ହିଂସା ନିବାରଣ ଆଇନ। ଏହି ଆଇନର ଅପପ୍ରୟୋଗ କରି ପତ୍ନୀମାନେ ସେମାନଙ୍କର ପତିମାନଙ୍କ ବିରୋଧରେ ମିଥ୍ୟା ଅଭିଯୋଗମାନ ଆଗତ କରି ଯେଉଁଭଳି ଏକ ଆତଙ୍କରାଜ ସୃଷ୍ଟି କରୁଛନ୍ତି, ତାହାର ପରିଣତି ହେଉଛି ବାଙ୍ଗାଲୋର ଠାରେ ଘଟିଥିବା ଦାରୁଣ ଘଟଣା ବୋଲି ଦୃଢ଼ ମତ ପ୍ରକାଶ ପାଇବାରେ ଲାଗିଛି। ସୁପ୍ରିମ୍ କୋର୍ଟ ମଧ୍ୟ ନିଅଁାରେ ଘିଅ ଢାଳିବା ଭଳି କହିଛନ୍ତି ଯେ ନାରୀମାନଙ୍କୁ ସୁରକ୍ଷା ଦେବା ପାଇଁ ଉପରୋକ୍ତ ଆଇନମାନ ପ୍ରଣୟନ କରାଯାଇଛି, ‘‘ଆତତାୟୀ ହାତରେ ଅସ୍ତ୍ର ରୂପେ ବ୍ୟବହୃତ ହେବା ପାଇଁ ନୁହେଁ।’’
ଏହାର ପ୍ରତିକ୍ରିୟାରେ ଦେଶର ବିଭିନ୍ନ ସହରରେ ‘ପୁରୁଷ ଅଧିକାର’ ଦାବି କରୁଥିବା ଗୋଷ୍ଠୀମାନେ ପ୍ରତିବାଦ ପ୍ରଦର୍ଶନମାନ ଆୟୋଜନ କରିବା ଦେଖାଯାଇଛି। ପ୍ରତିବାଦ ପ୍ରଦର୍ଶନକାରୀମାନେ କହିବା ଶୁଣାଯାଉଛି ଯେ ଯଦି ସୁଭାଷ ଜଣେ ନାରୀ ହୋଇଥାନ୍ତେ, ତେବେ ସେ ଆଇନର ଆଶ୍ରୟ ନେଇପାରିଥାନ୍ତେ, କିନ୍ତୁ ଯେହେତୁ ସଂପୃକ୍ତ ଆଇନ ସବୁ କେବଳ ନାରୀମାନଙ୍କୁ ସୁରକ୍ଷା ପ୍ରଦାନ ପାଇଁ ଉଦ୍ଦିଷ୍ଟ, ଅସହାୟ ସୁଭାଷ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଇଛନ୍ତି। ଏହି ଯୁକ୍ତିକୁ ଆଗେଇ ନେଇ ପରବର୍ତ୍ତୀ ପଦକ୍ଷେପ ସ୍ବରୂପ ଦାବି କରାଯିବାକୁ ଆରମ୍ଭ ହେଲାଣି ଯେ କେବଳ ନାରୀମାନଙ୍କୁ ସୁରକ୍ଷା ପ୍ରଦାନ ନୁହେଁ, ପୁରୁଷମାନଙ୍କୁ ମଧ୍ୟ ସୁରକ୍ଷା ପ୍ରଦାନ ନିମିତ୍ତ ସଂପୃକ୍ତ ଆଇନକୁ ଲିଙ୍ଗ-ନିରପେକ୍ଷ କରାଯାଉ।
ଏହା ଏକ ବାସ୍ତବ ସତ୍ୟ ଯେ ଅନେକ ସମୟରେ ଦାଂପତ୍ୟ କଳହରେ ଏଭଳି ଆଇନ ପତ୍ନୀଙ୍କ ହାତରେ ଏକ ବ୍ରହ୍ମାସ୍ତ୍ର ରୂପେ କାର୍ଯ୍ୟ କରୁଛି ବୋଲି ଅଭିଯୋଗ ହୋଇଥାଏ। ଏହାର ଏକ ନମୁନା ସ୍ବରୂପ ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ନାମିତ ‘ବାସ୍ତବ ଫାଉଣ୍ଡେସନ୍’ ନାମକ ମୁମ୍ବାଇସ୍ଥିତ ଏକ ପୁରୁଷ ଅଧିକାର ସଂଗଠନ ଦ୍ବାରା ପ୍ରଦତ୍ତ ସୂଚନା ଅନୁସାରେ ସେମାନଙ୍କର ହେଲ୍ପଲାଇନ୍ ନମ୍ବରକୁ ବର୍ଷକୁ ଯେଉଁ ପ୍ରାୟ ୮୬,୦୦୦ଟି କଲ୍ ଆସିଥାଏ, ସେଗୁଡ଼ିକ ପ୍ରାୟ ସମସ୍ତ ହେଉଛନ୍ତି ଦାଂପତ୍ୟ କଳହ ସଂପର୍କିତ, ଯେଉଁଥିରେ ଯୌତୁକ-ବିରୋଧୀ ଆଇନର ମିଥ୍ୟା ପ୍ରୟୋଗ କରାଯାଇ ପତିମାନଙ୍କ ଠାରୁ ବିଶାଳ ପରିମାଣର ଅର୍ଥ ଆଦାୟ କରିବାକୁ ଚେଷ୍ଟା କରାଯାଇଥାଏ ବୋଲି ଅଭିଯୋଗ ହୋଇଥାଏ।
କିନ୍ତୁ ଏହି ବାସ୍ତବ ସତ୍ୟ ହେଉଛି ଗୋଟିଏ ପାର୍ଶ୍ବର ସତ୍ୟ। ଏହି ପ୍ରସଙ୍ଗରେ ଏକ ସନ୍ତୁଳିତ ଆଭିମୁଖ୍ୟ ଗ୍ରହଣ କରିବାକୁ ହେଲେ ଅନ୍ୟ ପାର୍ଶ୍ବର ସତ୍ୟ ଉପରେ ମଧ୍ୟ ଦୃଷ୍ଟି ନିକ୍ଷେପ କରାଯିବା ଆବଶ୍ୟକ। ସେ ସତ୍ୟ ହେଲା ‘ନେସ୍ନାଲ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ’ ସୂତ୍ରରୁ ଉପଲବ୍ଧ ତଥ୍ୟ ଅନୁସାରେ ଭାରତରେ ୨୦୧୭ରୁ ୨୦୨୨ ମଧ୍ୟରେ ୩୫,୪୯୩ ଜଣ ବଧୂ ଯୌତୁକ ଦାବି ସଂପର୍କିତ ହତ୍ୟାକାଣ୍ଡର ଶିକାର ହୋଇଥିଲେ- ଅର୍ଥାତ୍ ହାରାହାରି ଦୈନିକ ପ୍ରାୟ ୨୦ଟି ବଧୂ ହତ୍ୟାକାଣ୍ଡ ସଂଘଟିତ ହୋଇଥିଲା। ଏହି ହତଭାଗିନୀମାନଙ୍କ ମଧ୍ୟରୁ ଅନେକ ମଧ୍ୟ ନବବଧୂ ନ ଥିଲେ; ବିବାହର ଅନେକ ବର୍ଷ ପରେ ମଧ୍ୟ ଯୌତୁକ ରାକ୍ଷସ କବଳରୁ ସେମାନଙ୍କୁ ମୁକ୍ତି ମିଳି ନ ଥିଲା। ଏଇ ମାତ୍ର ଦୁଇ ବର୍ଷ ତଳେ ୨୦୨୨ରେ କେବଳ ୬,୪୫୦ ବଧୂଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିଲା- ଦୈନିକ ହାରାହାରି ୧୮ ଜଣଙ୍କୁ।
ଦୀର୍ଘ ଛ’ ଦଶନ୍ଧିରୁ ଅଧିକ କାଳ ତଳେ ୧୯୬୧ରେ ଯୌତୁକ-ବିରୋଧୀ ଆଇନ ପ୍ରଣୀତ ହୋଇ ୧୯୮୩ରେ ସଂଶୋଧନ ମାଧ୍ୟମରେ ତାହାକୁ ଆହୁରି କଠୋର କରାଯିବା ପରେ ଏବଂ ଦୁଇ ଦଶନ୍ଧି ତଳେ ୨୦୦୫ରେ ପାରିବାରିକ ହିଂସା-ବିରୋଧୀ ଆଇନ ପ୍ରଣୀତ ହେବା ପରେ ମଧ୍ୟ ଆଜି ଭାରତରେ ବିବାହିତା ନାରୀମାନେ ସମ୍ମୁଖୀନ ହେଉଥିବା ମରଣାନ୍ତକ ବିପଦର ଚିତ୍ର ହେଉଛି ଏଇଭଳି। ଯଦି ନାରୀମାନଙ୍କୁ ସୁରକ୍ଷା ପ୍ରଦାନ କରିବା ନିମିତ୍ତ ଉଦ୍ଦିଷ୍ଟ ଆଇନର ଉପସ୍ଥିତି ସତ୍ତ୍ବେ ପରିସ୍ଥିତି ହେଉଛି ଏଇଭଳି, ଆଇନକୁ ଯଦି ସଂପୂର୍ଣ୍ଣ ରୂପେ ଲିଙ୍ଗ-ନିରପେକ୍ଷ କରିଦିଆଯାଏ, ତେବେ ନାରୀମାନଙ୍କର ଅବସ୍ଥା କ’ଣ ହେବ, ତାହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଥାଏ।
ଏ ପ୍ରଶ୍ନର ଉତ୍ତର ଏକ ଅସୁବିଧାଜନକ ସତ୍ୟ ପ୍ରତି ଆମର ଦୃଷ୍ଟି ଆକର୍ଷଣ କରିଥାଏ। ତାହା ହେଲା, ପୁରୁଷ-ପ୍ରାଧାନ୍ୟ (‘ପାଟ୍ରିଆର୍କି’) ବିରାଜମାନ କରୁଥିବା ଯେ କୌଣସି ଏକ ସମାଜରେ ଆଇନ ଯଦି ଲିଙ୍ଗ-ନିରପେକ୍ଷ ହୁଏ, ତାହା ପ୍ରକୃତରେ ପୁରୁଷମାନଙ୍କ ପାଇଁ ଅନୁକୂଳ ଓ ନାରୀମାନଙ୍କ ପାଇଁ ପ୍ରତିକୂଳ ଫଳ ପ୍ରଦାନ କରିବ। ଲିଙ୍ଗ-ନିରପେକ୍ଷ ଆଇନ ଦୃଷ୍ଟିରେ ପୁରୁଷ ଓ ନାରୀ ମଧ୍ୟରେ କୌଣସି ପ୍ରଭେଦ ନ ଥାଏ, ଆଇନ ଆଖିରେ ସେମାନେ ସମାନ। ଏହା କିପରି ହେଉଛି ଏକ ନାରୀ-ବିରୋଧୀ ଦୃଷ୍ଟିଭଙ୍ଗୀ, ତାହା ଅତ୍ୟନ୍ତ ଶକ୍ତିଶାଳୀ ଢଙ୍ଗରେ ପ୍ରଦର୍ଶିତ କରିଛନ୍ତି ପ୍ରସିଦ୍ଧ ନାରୀ ଅଧିକାର ଆଇନ ବିଶାରଦା ବର୍ଷିୟସୀ ଆମେରିକୀୟ ନାରୀ ଅଧିକାର ଆନ୍ଦୋଳନ ନେତ୍ରୀ କ୍ୟାଥେରିନ୍ ମ୍ୟାକିନନ୍।
ମ୍ୟାକିନନ୍ଙ୍କ ଯୁକ୍ତିକୁ ଆଧାର କରି କଳ୍ପନା କରାଯାଉ ଯେ ଏକ ଲିଙ୍ଗ-ନିରପେକ୍ଷ କୁସ୍ତି ପ୍ରତିଯୋଗିତାରେ ଜଣେ ପ୍ରତିଦ୍ବନ୍ଦ୍ବୀ ପୁରୁଷ ହୋଇଥିବା ବେଳେ ଅନ୍ୟ ଜଣକ ହେଉଛନ୍ତି ଜଣେ ନାରୀ। ଉଭୟଙ୍କ ପ୍ରତି ପ୍ରତିଯୋଗିତାର ଏକା ନିୟମ ଲାଗୁ ହୋଇଥାଏ। ଏଭଳି ସାମ୍ୟବାଦୀ ପ୍ରତିଯୋଗିତାର ଫଳାଫଳ ଅଧିକ ଦୈହିକ ଶକ୍ତିର ଅଧିକାରୀ ପୁରୁଷ ପ୍ରତିଯୋଗୀ ସପକ୍ଷରେ ଯିବାର ସମ୍ଭାବନା ଯେ ବହୁ ଅଧିକ, ଖୋଦ ‘ବାସ୍ତବ ଫାଉଣ୍ଡେସନ୍’ର ସଭାପତି ମଧ୍ୟ ସେଥିରେ ଦ୍ବିମତ ହେବେ ନାହିଁ। ମ୍ୟାକିନନ୍ ଏହାକୁ ଆହୁରି ଶକ୍ତିଶାଳୀ ଢଙ୍ଗରେ ଅନ୍ୟ ଏକ କାଳ୍ପନିକ ଉଦାହରଣ ମାଧ୍ୟମରେ ପ୍ରତିପାଦିତ କରିଥାନ୍ତି। ଏକ ସଂପୂର୍ଣ୍ଣ ରୂପେ ଆଇନଶୂନ୍ୟ ସମାଜର କଳ୍ପନା କରାଯାଉ, ଯେଉଁଠି ସମସ୍ତେ ଅବାଧରେ ହତ୍ୟା ଓ ଲୁଣ୍ଠନ କରିଥାନ୍ତି, ଯାହା ହେଉଛି ସଂପୂର୍ଣ୍ଣ ରୂପେ ଲିଙ୍ଗ-ନିରପେକ୍ଷ। ପୁରୁଷ ଓ ନାରୀମାନେ ସମାନ ସ୍ବାଧୀନତା ଉପଭୋଗ କରୁଥିବା ଏଭଳି ଏକ ସମାଜରେ କିଛି ସଂଖ୍ୟାରେ ପୁରୁଷ ଅନ୍ୟ ପୁରୁଷଙ୍କ ଦ୍ବାରା ହତ୍ୟା ଓ ଲୁଣ୍ଠନର ଶିକାର ହେବେ ସତ, କିନ୍ତୁ ସେ ତୁଳନାରେ ନିଶ୍ଚିତ ଭାବରେ ବହୁ ଅଧିକ ସଂଖ୍ୟାରେ ନାରୀ ଏହି ଦୁର୍ଦ୍ଦଶା ଭୋଗ କରିବେ।
ଅତଏବ ଏଥିରୁ ଯେଉଁ ଉତ୍ତର ମିଳିଥାଏ, ତାହା ହେଲା, ପୁରୁଷ ନିଜକୁ ନିରାପଦ ଓ ସୁରକ୍ଷିତ ବୋଧ କରୁଥିବାରୁ ସେ ଆବଶ୍ୟକ କରିଥାଏ ସ୍ବାଧୀନତା; ନାରୀ ସର୍ବଦା ନିଜକୁ ଅସୁରକ୍ଷିତ ବୋଧ କରୁଥିବାରୁ ସେ ଆବଶ୍ୟକ କରିଥାଏ ସୁରକ୍ଷା। କେବଳ ସ୍ବାଧୀନତା ନାରୀ ପାଇଁ ଯଥେଷ୍ଟ ନୁହେଁ; ତା’ର ଅସଲ ଦରକାର ହେଉଛି ସୁରକ୍ଷା। ଲିଙ୍ଗ-ନିରପେକ୍ଷ ଆଇନ ନାରୀକୁ ସଂପୂର୍ଣ୍ଣ ଅସୁରକ୍ଷିତ କରିଦେବ। ଏକ ‘ପାଟ୍ରିଆର୍କି’ ଅଧ୍ୟୁଷିତ ସମାଜରେ ଅସହାୟା ନାରୀକୁ ସୁରକ୍ଷା ପ୍ରଦାନ ପାଇଁ ହିଁ ଉପରୋକ୍ତ ଆଇନମାନ ପ୍ରଣୟନ କରାଯାଇଛି। ଅନ୍ୟ ଯେ କୌଣସି ଆଇନ ଭଳି ଏହାର ମଧ୍ୟ ଦୁରୁପଯୋଗର କିଛି ସମ୍ଭାବନା ରହିଛି, ଯାହାକୁ ପ୍ରତିହତ କରିବାର ଦାୟିତ୍ବ ହେଉଛି ନ୍ୟାୟପାଳିକାର। ହତଭାଗ୍ୟ ଅତୁଲ ସୁଭାଷ ଅଭିଯୋଗ କରିଥିବା ଭଳି, ଅଦାଲତ ଯଦି ଏହି ଦାୟିତ୍ବ ପାଳନରେ ତ୍ରୁଟି କରିନଥାନ୍ତା, ସେ ଆଜି ଜୀବିତ ଥାନ୍ତେ।