କୌଣସି ଖେଳରେ ସଫଳତା ଭଳି ବିଫଳତା ମଧ୍ୟ ହେଉଛି ଏକ ଅନିବାର୍ଯ୍ୟ ସମ୍ଭାବନା। ଭବିଷ୍ୟତରେ ସଫଳତା ବିଫଳତା ନିର୍ବିଶେଷରେ ଭାରତୀୟମାନେ ସେମାନଙ୍କ ପୁରୁଷ ଖେଳାଳିମାନଙ୍କ ଭଳି ଏହି ମହିଳା ଖେଳାଳିମାନଙ୍କ ପ୍ରତି ମଧ୍ୟ କେବେହେଲେ ଆଦର ଊଣା କରିବେ ନାହିଁ ବୋଲି ଆଶା କରାଯାଏ। ତା’ ହେଲେ ଯାଇ ଭାରତୀୟ ମହିଳା କ୍ରିକେଟ୍ର ଉଜ୍ଜ୍ବଳ ଭବିଷ୍ୟତ କେବେହେଲେ ନିଷ୍ପ୍ରଭ ହେବ ନାହିଁ।
ରବିବାର ମଧ୍ୟରାତ୍ରି ପ୍ରହରରେ ଭାରତର କ୍ରିକେଟ୍ ବୀରାଙ୍ଗନାମାନେ ମୁମ୍ବାଇର ଡିୱାଇ ପାଟିଲ୍ ଷ୍ଟାଡିଅମ୍ ଠାରେ ଏକ ନୂତନ ଇତିହାସ ରଚନା କଲେ ବୋଲି କହିବା ହେଉଛି ସେମାନଙ୍କ ପ୍ରତି ସର୍ବନିମ୍ନ ସମ୍ମାନ ପ୍ରଦର୍ଶନ। ସେଦିନ ସେମାନଙ୍କର ମହିଳା ଏକଦିବସୀୟ ବିଶ୍ବକପ୍ ବିଜୟ କେବଳ ଭାରତର ସର୍ବପ୍ରଥମ ସେଇ ମର୍ଯ୍ୟାଦାଜନକ ଟ୍ରଫି ବିଜୟ ନୁହେଁ, ଏହା ମଧ୍ୟ ହେଉଛି ସେଇ ଦୁର୍ଦ୍ଧର୍ଷ ଯୁବତୀମାନେ ସେଦିନ ହାସଲ କରିଥିବା ଏକ ବୃହତ୍ତର ସାଂସ୍କୃତିକ ବିଜୟ, ଯାହା ଏହାକୁ ଏକ ବହୁ ଅଧିକ ମହତ୍ତ୍ବପୂର୍ଣ୍ଣ ଉପଲବ୍ଧିରେ ପରିଣତ କରିଥାଏ।
ଆନ୍ତର୍ଜାତିକ କ୍ରିକେଟ୍ ବର୍ତ୍ତମାନ ବସ୍ତୁତଃ ଭାରତର ନିୟନ୍ତ୍ରଣାଧୀନ ହୋଇଥିଲେ ହେଁ, ଏହା କାହାରିକୁ ଅଜଣା ନୁହେଁ ଯେ କ୍ରିକେଟ୍ ହେଉଛି ଏକ ପାଶ୍ଚାତ୍ୟ ଖେଳ ଓ ଏହାର ଜନ୍ମ ସ୍ଥାନ ହେଉଛି ଅତୀତରେ ଭାରତକୁ ତା’ର ଏକ ଉପନିବେଶ ରୂେପ ଦୀର୍ଘ କାଳ ଧରି ଶାସନ କରିଥିବା ବ୍ରିଟେନ୍। ଇତି ମଧ୍ୟରେ ଭାରତ କିନ୍ତୁ ପୃଥିବୀରେ କ୍ରିକେଟ୍ର ବୃହତ୍ତମ ବଜାର ରୂପେ ଏହାର ପ୍ରଶାସନରେ ନିଜର ଆଧିପତ୍ୟ ବିସ୍ତାର କରିସାରିଥିବା ବେଳେ, ଏହାର ପୁରୁଷ ଖେଳାଳିମାନେ ଖେଳପଡ଼ିଆରେ ଏକ ଅଗ୍ରଣୀ କ୍ରିକେଟ୍ ଶକ୍ତି ରୂପେ ନିଜକୁ ପ୍ରତିଷ୍ଠିତ କରିସାରିଛନ୍ତି। ଏହାର ଏକ ପ୍ରମାଣ ସ୍ବରୂପ ସେମାନେ ଅତୀତରେ ଦୁଇ ଥର ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍ ଜିଣିବାରେ ସଫଳ ହୋଇଛନ୍ତି। ଭାରତ ବ୍ୟତୀତ ୱେଷ୍ଟଇଣ୍ଡିଜ୍ ଓ ପାକିସ୍ତାନ ଆଦି ଅଣ-ପାଶ୍ଚାତ୍ୟ, ଅଣ-ଶ୍ବେତାଙ୍ଗ ଦେଶମାନେ ମଧ୍ୟ ଅତୀତରେ ଏହି ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍ ଜିଣି ଏହି ବିଲାତି ଖେଳର ସର୍ବୋଚ୍ଚ ସ୍ତରରେ ଅନୁପ୍ରବେଶ କରିସାରିଛନ୍ତି। ଏଥିରୁ ସ୍ପଷ୍ଟ ହୋଇଥାଏ ଯେ ପୁରୁଷ କ୍ରିକେଟ୍ କେବେଠାରୁ ପାଶ୍ଚାତ୍ୟ ଓ ଶ୍ବେତାଙ୍ଗ ପ୍ରଭୁତ୍ବରୁ ମୁକ୍ତି ଲାଭ କରିସାରିଛି।
କିନ୍ତୁ ଏହି ଧାରାର ଏକ ବେଦନାଦାୟକ ବ୍ୟତିକ୍ରମ ଭଳି ଗତ ରବିବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ଆନ୍ତର୍ଜାତିକ ମହିଳା କ୍ରିକେଟ୍ ନିଜକୁ ସେଇ ପାଶ୍ଚାତ୍ୟ ସାଂସ୍କୃତିକ ଦଖଲରୁ ମୁକ୍ତ କରିପାରି ନ ଥିଲା। କାରଣ ମହିଳା ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍ ପ୍ରତିଯୋଗିତାର ୫୨ ବର୍ଷର ଇତିହାସରେ କେବଳ ମାତ୍ର ଯେଉଁ ତିନିଟି ଦେଶର ଖେଳାଳିମାନେ ଏହି କପ୍ ଜିଣିବାରେ ସମର୍ଥ ହୋଇଛନ୍ତି, ସେମାନେ ହେଉଛନ୍ତି ଇଂଲାଣ୍ଡ୍, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ। ଇଂଲାଣ୍ଡ୍ ଚାରି ଥର ଏହି ସଫଳତା ଅର୍ଜନ କରିଥିବା ବେଳେ ଅଷ୍ଟ୍ରେଲିଆ ସାତ ଥର ଓ ନିଉଜିଲାଣ୍ଡ୍ ଥରେ ଏହି ପ୍ରତିଯୋଗିତାରେ ବିଜୟ ଲାଭ କରିଛି। ଶେଷୋକ୍ତ ଦେଶ ଦ୍ବୟର ଭୌଗୋଳିକ ଅବସ୍ଥିତି ପୂର୍ବ ଗୋଲାର୍ଦ୍ଧରେ ହୋଇଥିଲେ ହେଁ, ଏଥିରେ କେହି ଦ୍ବିମତ ହେବାର ଅବକାଶ ନାହିଁ ଯେ ଏ ଉଭୟ ଦେଶ ହେଉଛନ୍ତି ଶ୍ବେତାଙ୍ଗ ପାଶ୍ଚାତ୍ୟ ସଂସ୍କୃତିର ସଂପ୍ରସାରିତ ଅଂଶ। ତେଣୁ ମହିଳା ଏକଦିବସୀୟ ବିଶ୍ବକପ୍ ଏ ପର୍ଯ୍ୟନ୍ତ ପାଶ୍ଚାତ୍ୟ ଦଖଲରେ ରହି ଆସିଥିଲା କହିଲେ ଭୁଲ୍ ହେବ ନାହିଁ। ହର୍ମନ୍ପ୍ରୀତ୍ କୌରଙ୍କ ଭାରତୀୟ ମହିଳା କ୍ରିକେଟ୍ ଦଳ ରବିବାର ରାତିରେ ସେଇ ଦୀର୍ଘ ଇତିହାସରେ ପୂର୍ଣ୍ଣଚ୍ଛେଦ ଟାଣି ସର୍ବପ୍ରଥମ ଅଣ-ପାଶ୍ଚାତ୍ୟ ଦେଶ ରୂପେ ଭାରତକୁ ସେଇ ବିଶ୍ବକପ୍ ବିଜୟିନୀ କରାଇଛନ୍ତି।
ଦୂର ଅତୀତରେ ୧୯୮୩ରେ ଭାରତୀୟ ପୁରୁଷ ଦଳ ବିଶ୍ବକପ୍ ପ୍ରତିଯୋଗିତାରେ ବିଜୟ ଲାଭ କରିପାରିଥିବା ବେଳେ, ଭାରତୀୟ ମହିଳା କ୍ରିକେଟର୍ମାନଙ୍କୁ ଅନୁରୂପ ସଫଳତା ଲାଭ କରିବା ପାଇଁ ଏତେ କାଳ ଅପେକ୍ଷା କରିବାକୁ କାହିଁକି ପଡ଼ିଲା? ଏହା ଯେତେ ଅପ୍ରିୟ ସତ୍ୟ ହୋଇଥିଲେ ହେଁ ଏହାର ଅସଲ କାରଣ ନିହିତ ଅଛି ବୃହତ୍ତର ଭାରତୀୟ ସମାଜ ଓ ସଂସ୍କୃତିରେ ମହିଳାମାନେ ସମ୍ମୁଖୀନ ହୋଇ ଆସୁଥିବା ତୀବ୍ର ଲିଙ୍ଗ-ବିଦ୍ବେଷରେ। ଏହି ବିଦ୍ବେଷ କିପରି ଭାରତରେ କ୍ରିକେଟ୍ ଖେଳର ହର୍ତ୍ତାକର୍ତ୍ତା ଦୈବ ବିଧାତା ହୋଇଥିବା ‘ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ’ (‘ବିସିସିଆଇ’)କୁ ମଧ୍ୟ ଗୁରୁତର ଭାବରେ ସଂକ୍ରମିତ କରିଥାଏ, ତାହାର ଏକ ନଗ୍ନ ଉଦାହରଣକୁ ପଦାରେ ପକାଇଥିଲେ ୨୦୧୭ରେ ଭାରତୀୟ ମହିଳା କ୍ରିକେଟ୍ ଟିମ୍ର ତତ୍କାଳୀନ ଅଧିନାୟିକା ଡାୟାନା ଏଡୁଲ୍ଜି। ସେଇ ବର୍ଷ ହର୍ମନ୍ପ୍ରୀତ୍ କୌର ଅଷ୍ଟ୍ରେଲିଆ ବିପକ୍ଷରେ ୧୭୧ ରନ୍ର ଏକ ବିଶାଳ ସ୍କୋର୍ କରି ସମଗ୍ର କ୍ରିକେଟ୍ ଜଗତକୁ ଚମତ୍କୃତ କରିଦେବା ପରେ ସାମ୍ବାଦିକମାନଙ୍କୁ ଏକ ସାକ୍ଷାତ୍କାର ଦେବା ଅବସରରେ ଏଡୁଲ୍ଜି ‘ବିସିସିଆଇ’ର ଏହି ହୀନ ନାରୀ-ବିରୋଧୀ ଆଭିମୁଖ୍ୟ ସମ୍ବନ୍ଧରେ ଦୃଷ୍ଟି ଆକର୍ଷଣ କରିଥିଲେ। ସେ କହିଥିଲେ ଯେ ସେ ଯେତେବେଳେ ‘ବିସିସିଆଇ’ର ସଭାପତି ରୂପେ ଏନ୍ ଶ୍ରୀନିବାସନ ଦାୟିତ୍ବ ଗ୍ରହଣ କରିବା ପରେ ତାଙ୍କୁ ଅଭିନନ୍ଦନ ଜଣାଇବାକୁ ଯାଇ ଭେଟିଲେ, ଶ୍ରୀନିବାସନ ସେତେବେଳେ ତାଙ୍କୁ ହତଭମ୍ଭ କରିଦେଇ ଘୋଷଣା କରିଥିଲେ: ‘‘ଯଦି ମତେ ମୋର ନିଜର ନିଷ୍ପତ୍ତି ନେବାକୁ ପୂର୍ଣ୍ଣ ସ୍ବାଧୀନତା ମିଳେ, ମୁଁ ମହିଳା କ୍ରିକେଟ୍ ଖେଳକୁ ଆଗେଇବାକୁ ଦେବି ନାହିଁ।’’
ଏଡୁଲ୍ଜି ଖୋଲାଖୋଲି ଭାବରେ ସେଇ ସାକ୍ଷାତ୍କାରରେ ମତପ୍ରକାଶ କରିଥିଲେ ଯେ ‘ବିସିସିଆଇ’ ହେଉଛି ଏକ ପୁରୁଷ ଆଧିପତ୍ୟବାଦୀ ଅନୁଷ୍ଠାନ। ଏଥିରେ ମଧ୍ୟ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କାରଣ ‘ବିସିସିଆଇ’ ହେଉଛି ଭାରତୀୟ ସମାଜର ଏକ ଅଂଶ ଏବଂ ଭାରତୀୟ ସମାଜ ଏକ ଲିଙ୍ଗ-ବିଦ୍ବେଷ ଅଧ୍ୟୁଷିତ ସମାଜ ରୂପେ କୁଖ୍ୟାତ। ଏହାର ଏକ ସର୍ବେକ୍ଷଣଭିତ୍ତିକ ପ୍ରମାଣ ସ୍ବରୂପ ‘ୱର୍ଲଡ ଇକୋନୋମିକ୍ ଫୋରମ୍’ ଦ୍ବାରା ପ୍ରସ୍ତୁତ ‘ଗ୍ଲୋବାଲ୍ ଜେଣ୍ଡର୍ ଗ୍ୟାପ୍ ରିପୋର୍ଟ’ ଅନୁଯାୟୀ ଲିଙ୍ଗଗତ ସାମ୍ୟ ଦୃଷ୍ଟିରୁ ସର୍ବେକ୍ଷଣରେ ଅନ୍ତର୍ଭୁକ୍ତ ୧୪୮ଟି ଦେଶ ମଧ୍ୟରେ ଭାରତର ସ୍ଥାନ ହେଉଛି ଏକ ଅତ୍ୟନ୍ତ ନୀଚା ୧୩୧ତମ।
ଅବଶ୍ୟ ଇତି ମଧ୍ୟରେ ‘ବିସିସିଆଇ’ର ସେଇ ଲିଙ୍ଗ-ବିଦ୍ବେଷୀ ମାନସିକତାରେ ଧୀରେ ଧୀରେ ପରିବର୍ତ୍ତନ ଘଟିବାକୁ ଆରମ୍ଭ କରିଛି। ୨୦୨୨ ଠାରୁ ମହିଳା କ୍ରିକେଟ୍ ଖେଳାଳି ଓ ପୁରୁଷ କ୍ରିକେଟ୍ ଖେଳାଳିମାନଙ୍କର ପାରିଶ୍ରମିକରେ ରହି ଆସିଥିବା ତଫାତ୍କୁ ହଟାଇ ଦିଆଯାଇ ସାରିଲାଣି। ବିଶ୍ବକପ୍ ବିଜୟ ପରେ ସମଗ୍ର ଭାରତୀୟ ଦଳ ଓ ତା’ର ସହାୟକମାନଙ୍କୁ ପୁରସ୍କୃତ କରିବା ପାଇଁ ‘ବିସିସିଆଇ’ ୫୧ କୋଟି ଟଙ୍କା ପ୍ରଦାନ କରିଥିବା ଘୋଷଣା କରିଛି। କିନ୍ତୁ ଏହା ସତ୍ତ୍ବେ ଭାରତୀୟ ମହିଳା ଟିମ୍ ଏହି ଟୁର୍ନାମେଣ୍ଟର ଲିଗ୍ ସ୍ତରରେ ଯେତେବେଳେ ଲାଗ୍ ଲାଗ୍ ତିନିଟି ମ୍ୟାଚ୍ ହାରିଯାଇଥିଲା, ସେତେବେଳେ ଶ୍ରୀନିବାସନଙ୍କର ଚିନ୍ତାଧାରାରେ ବିଶ୍ବାସ କରୁଥିବା ଅସଂଖ୍ୟ ସମାଲୋଚକ ଉପରୋକ୍ତ ପାରିଶ୍ରମିକରେ ଅଣାଯାଇଥିବା ସାମ୍ୟକୁ ତୀବ୍ର ବିରୋଧ କରି ମନ୍ତବ୍ୟ ପ୍ରସାର କରିବା ଦେଖାଯାଇଥିଲା। ରବିବାର ଦିନ ହର୍ମନ୍ପ୍ରୀତ୍ଙ୍କ ଦଳ ଇତିହାସ ରଚନା କରି ସେ ସମସ୍ତ ସମାଲୋଚକମାନଙ୍କର ମୁହଁ ବନ୍ଦ କରିଦେଇଛନ୍ତି।
ଜେମିମା ରୋଡ୍ରିଗ୍ସ, ଶେଫାଳି ବର୍ମା, ସ୍ମୃତି ମନ୍ଧାନା, ଦୀପ୍ତି ଶର୍ମାଙ୍କ ପରି ମହିଳା କ୍ରିକେଟର୍ମାନେ ନିଜ ନିଜର ଚମକପ୍ରଦ ପ୍ରଦର୍ଶନ ମାଧ୍ୟମରେ ବର୍ତ୍ତମାନ କ୍ରିକେଟ୍ପାଗଳ ଭାରତୀୟମାନଙ୍କର ହୃଦୟରେ ସେଇଭଳି ସ୍ଥାନ ଅଧିକାର କରିଛନ୍ତି, ଯେଉଁଭଳି କରିଥାନ୍ତି କପିଳଦେବ, ଗାଭାସ୍କର କିମ୍ବା ବିରାଟ କୋହଲି, ରୋହିତ ଶର୍ମାମାନେ। କିନ୍ତୁ ଯେ କୌଣସି ଖେଳରେ ସଫଳତା ଭଳି ବିଫଳତା ମଧ୍ୟ ହେଉଛି ଏକ ଅନିବାର୍ଯ୍ୟ ସମ୍ଭାବନା। ଭବିଷ୍ୟତରେ ସଫଳତା ବିଫଳତା ନିର୍ବିଶେଷରେ ଭାରତୀୟମାନେ ସେମାନଙ୍କ ପୁରୁଷ ଖେଳାଳିମାନଙ୍କ ଭଳି ଏହି ମହିଳା ଖେଳାଳିମାନଙ୍କ ପ୍ରତି ମଧ୍ୟ କେବେହେଲେ ଆଦର ଊଣା କରିବେ ନାହିଁ ବୋଲି ଆଶା କରାଯାଏ। ତା’ ହେଲେ ଯାଇ ଭାରତୀୟ ମହିଳା କ୍ରିକେଟ୍ର ଉଜ୍ଜ୍ବଳ ଭବିଷ୍ୟତ କେବେହେଲେ ନିଷ୍ପ୍ରଭ ହେବ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/OAnDiWZ5zjRDfuWfWgMX.jpg)