‘ଟ୍ୟାକ୍ସ ଇନ୍‌ଭର୍ଜନ୍’ ଯୋଗୁଁ ସରକାର ନେଇଥିବା ଯେଉଁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଫଳବତୀ ହେବାର ସମ୍ଭାବନା ବର୍ତ୍ତମାନ ସନ୍ଦେହ ଘେରକୁ ଆସିଛି, ତାହା ହେଉଛି ସ୍ବାସ୍ଥ୍ୟ ବୀମା ଓ ଜୀବନ ବୀମାକୁ ଟିକସ ମୁକ୍ତ କରାଯିବା। ପୂର୍ବରୁ ଏହା ଉପରେ ୧୮ ଶତାଂଶ ହାରରେ ‘ଜିଏସ୍‌ଟି’ ଲାଗୁ ହେଉଥିବା ବେଳେ କଂପାନିମାନେ ‘ଆଇଟିସି’ ପାଉଥିଲେ। ବର୍ତ୍ତମାନ ଏଜେଣ୍ଟ କମିସନରୁ ଅଫିସ ଭଡ଼ା ପର୍ଯ୍ୟନ୍ତ ବ୍ୟୟଭାର ସେମାନଙ୍କୁ ନିଜେ ବହନ କରିବାକୁ ହେବ। ଫଳରେ ହୁଏତ ସେମାନେ ଗ୍ରାହକମାନଙ୍କ ଠାରୁ ଆଦାୟ କରୁଥିବା ପ୍ରିମିଅମ୍ ପରିମାଣରେ ଯଥେଷ୍ଟ ହ୍ରାସ ନ ଘଟାଇ ପାରନ୍ତି କିମ୍ବା ଏପରିକି ବୃଦ୍ଧି ମଧ୍ୟ ଘଟାଇ ପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଲାଣି। 

Advertisment

ଆସନ୍ତା ସପ୍ତାହରେ ପରିବର୍ତ୍ତିତ ‘ଜିଏସ୍‌ଟି’ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ ଦେଶରେ ସାମଗ୍ରିକ ଖାଉଟି ଚାହିଦାରେ ଉଲ୍ଲେଖନୀୟ ବୃଦ୍ଧି ଘଟି ଆମର ଅର୍ଥନୈତିକ ଅଭିବୃଦ୍ଧିକୁ ସହାୟକ ହେବ ବୋଲି ଆଶା କରାଯାଉଛି। ଯଦିବା ‘ଜିଏସ୍‌ଟି’ରେ ଏଭଳି ଏକ ସଂସ୍କାରକୁ ଦୀର୍ଘ କାଳ ଧରି ଅପେକ୍ଷା କରାହୋଇ ଆସୁଥିଲା, ବର୍ତ୍ତମାନ ସାମଗ୍ରିକ ଚାହିଦାରେ ଏକ ବିଶେଷ ବୃଦ୍ଧି ଘଟାଇବାର ଆବଶ୍ୟକତା ଏହି ସଂସ୍କାରକୁ ତ୍ବରାନ୍ବିତ କରାଇଛି। ଟ୍ରମ୍ପ ଟାରିଫ୍ ଯୋଗୁଁ ବ୍ୟାହତ ହେବାକୁ ଯାଉଥିବା ବିଦେଶୀ ଚାହିଦାକୁ ସ୍ବଦେଶୀ ଚାହିଦାରେ ଏହି ବୃଦ୍ଧି ଦ୍ବାରା ଭରଣା କରାଯାଇ ପାରିବ ବୋଲି ବିଶ୍ବାସ କରାଯାଉଛି।
ସରକାରଙ୍କୁ ଅବଶ୍ୟ ଏହି ସଂସ୍କାର ଯୋଗୁଁ ୨୦୨୫-୨୬ ବିତ୍ତ ବର୍ଷରେ ପ୍ରାୟ ୪୮,୦୦୦ କୋଟି ଟଙ୍କାର ଟିକସ ରାଜସ୍ବ ହରାଇବାକୁ ପଡ଼ିବ ବୋଲି ଅନୁମାନ କରାଯାଉଛି। ତେବେ ସରକାର ଏବେ ‘ଜିଏସ୍‌ଟି’ ସୂତ୍ରରୁ ସଂଗ୍ରହ କରୁଥିବା ମୋଟ ରାଜସ୍ବର ଏହା ଏକ ନଗଣ୍ୟ ଅଂଶ କହିଲେ ଅତ୍ୟୁକ୍ତି ହେବ ନାହିଁ। ଉଦାହରଣ ସ୍ବରୂପ ୨୦୨୪-୨୫ ବିତ୍ତ ବର୍ଷରେ ସେସ୍‌କୁ ବାଦ୍ ଦେଇ ସରକାର ସଂଗ୍ରହ କରିଥିବା ମୋଟ ‘ଜିଏସ୍‌ଟି’ ରାଜସ୍ବର ପରିମାଣ ଥିଲା ୨୦.୬ ଲକ୍ଷ କୋଟି ଟଙ୍କା, ସରକାରଙ୍କର ଉପରୋକ୍ତ ରାଜସ୍ବ କ୍ଷତି ହେଉଛି ଯାହାର ୨.୩ ଶତାଂଶ ମାତ୍ର। ତା’ ଛଡ଼ା ୧୩ଟି ଶ୍ରେଣୀର ତଥାକଥିତ ‘ପାପ ଦ୍ରବ୍ୟ’ମାନଙ୍କ ଉପରେ ଲାଗୁ ହୋଇ ଆସୁଥିବା ‘ଜିଏସ୍‌ଟି’ ହାରରେ କାର୍ଯ୍ୟକାରୀ କରାଯିବାକୁ ଯାଉଥିବା ୧୨ ଶତାଂଶ ପଏଣ୍ଟ ବୃଦ୍ଧି (୨୮ ଶତାଂଶ ସ୍ଥାନରେ ୪୦ ଶତାଂଶ) ମାଧ୍ୟମରେ ମଧ୍ୟ ସରକାରଙ୍କର ଏହି କ୍ଷତି କେତେକାଂଶରେ ଭରଣା ହୋଇପାରେ। ସର୍ବୋପରି ଖାଉଟି ଚାହିଦାରେ ଯଦି ଆଶା କରାଯାଉଥିବା ଭଳି ବୃଦ୍ଧି ଘଟେ, ତେବେ ଟିକସ ଭିତ୍ତିର ଆକାରରେ ବୃଦ୍ଧି ଘଟିବା ଯୋଗୁଁ ସରକାରଙ୍କର ‘ଜିଏସ୍‌ଟି’ ରାଜସ୍ବ ସଂଗ୍ରହ ପରିମାଣରେ ମଧ୍ୟ ବୃଦ୍ଧି ଘଟିବ।
ଦୃଷ୍ଟି ଆଢୁଆଳରେ ରହିଯାଉଥିବା ଅନ୍ୟ ଯେଉଁ ଏକ କାରଣ ଯୋଗୁଁ ସରକାରଙ୍କର ରାଜସ୍ବ ହାନି ମଧ୍ୟ ସୀମିତ ହୋଇପାରେ, ତାହା ହେଉଛି ନୂତନ ‘ଜିଏସ୍‌ଟି’ ବ୍ୟବସ୍ଥାରେ ସରକାରଙ୍କୁ ଫେରସ୍ତ କରିବାକୁ ପଡୁଥିବା ଇନ୍‌ପୁଟ୍ ଟ୍ୟାକ୍ସ ପରିମାଣ (‘ଇନ୍‌ପୁଟ୍ ଟ୍ୟାକ୍ସ କ୍ରେଡିଟ୍’- ‘ଆଇଟିସି’)ରେ ଏକ ବିଶେଷ ହ୍ରାସ ଘଟିପାରେ। ଅବଶ୍ୟ ଏହା ଏକ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି କରିପାରେ, ଯେଉଁଥିରେ କେତେକ ଦ୍ରବ୍ୟ ଓ ସେବା କ୍ଷେତ୍ରରେ ‘ଜିଏସ୍‌ଟି’ରେ ଘଟାଯାଇଥିବା ହ୍ରାସର ସଂପୂର୍ଣ୍ଣ ଲାଭ ଉପଭୋକ୍ତାମାନଙ୍କ ପାଖରେ ପହଞ୍ଚି ନ ପାରେ। ଏହାର କାରଣ ହେଉଛି ଅର୍ଥଶାସ୍ତର ଭାଷ‌ାରେ ‘ଟ୍ୟାକ୍ସ ଇନ୍‌ଭର୍ଜନ୍’ (‘‌ଓଲଟ ଟିକସ’)।
ସଂକ୍ଷେପରେ କହିଲେ ଏକ ଖାଉଟି ଟିକସ ବ୍ୟବସ୍ଥାରେ ସେତିକିବେଳେ ‘ଟ୍ୟାକ୍ସ ଇନ୍‌ଭର୍ଜନ୍’ ଘଟିଥାଏ, ଯେତେବେଳେ ଅନ୍ତିମ ଦ୍ରବ୍ୟ (ଆଉଟ୍‌ପୁଟ୍) ପ୍ରତି ଲାଗୁ ହେଉଥିବା ଟିକସ ହାର ଅପେକ୍ଷା ଉପାଦାନ (ଇନ୍‌ପୁଟ୍)ମାନଙ୍କ ପ୍ରତି ଲାଗୁ ହେଉଥିବା ଟିକସ ହାର ଅଧିକ ହୋଇଥାଏ। ଯେତେବେଳେ ୨୦୧୭ରେ ‘ଜିଏସ୍‌ଟି’ର ପ୍ରବର୍ତ୍ତନ ହେଲା, ସେତେବେଳେ ସେଥିରେ ଅନେକ ଏଭଳି ‘ଟ୍ୟାକ୍ସ ଇନ୍‌ଭର୍ଜନ୍’ ଦୃଷ୍ଟାନ୍ତମାନ ରହିଥିବା ପରିଲକ୍ଷିତ ହୋଇଥିଲା। ବିଗତ ଆଠ ବର୍ଷ ମଧ୍ୟରେ ସରକାର ସେଥିମଧ୍ୟରୁ କେତେକରେ ସଂଶୋଧନ କରିବାରେ ସଫଳ ହୋଇଛନ୍ତି। ବର୍ତ୍ତମାନ ‘ଜିଏସ୍‌ଟି’ରେ ଅଣାଯାଇଥିବା ସଂସ୍କାର ପରେ ଏହି ‘ଟ୍ୟାକ୍ସ ଇନ୍‌ଭର୍ଜନ୍’ର ପୁଣି ବ୍ୟାପକ ଆବିର୍ଭାବ ଘଟିବାର ସମ୍ଭାବନା ସୃଷ୍ଟି ହୋଇଛି।
ବର୍ତ୍ତମାନ ବସ୍ତୁତଃ ‘ଜିଏସ୍‌ଟି’ରେ ଥିବା ଦୁଇଟି ଟିକସ ହାର ହେଲେ ୫ ଶତାଂଶ ଓ ୧୮ ଶତାଂଶ, ଯାହା ମଧ୍ୟରେ ପାର୍ଥକ୍ୟ ହେଉଛି ଏକ ଅପେକ୍ଷାକୃତ ବୃହତ୍ ୧୩ ଶତାଂଶ ପଏଣ୍ଟ। ପୂର୍ବ ବ୍ୟବସ୍ଥାରେ ୫ ଶତାଂଶ ‘ଜିଏସ୍‌ଟି’ ହାର ପ୍ରାୟ ୩୦୦ଟି ଶ୍ରେଣୀର ଦ୍ରବ୍ୟମାନଙ୍କ ପ୍ରତି ଲାଗୁ ହେଉଥିବା ବେଳେ ନୂତନ ବ୍ୟବସ୍ଥାରେ ସେଇ ସଂଖ୍ୟା ୫୭୫କୁ ବୃଦ୍ଧି ପାଇଛି। ଏଥିରେ ଦ୍ରୁତ ବିକ୍ରୟଶୀଳ ଖାଉଟି ଦ୍ରବ୍ୟମାନଙ୍କ ଠାରୁ ଆରମ୍ଭ କରି ଔଷଧପତ୍ର, ସାଇକେଲ୍, ରନ୍ଧନ ଉପକରଣ ଆଦି ଅନ୍ତର୍ଭୁକ୍ତ। କିନ୍ତୁ ଏହି ସମସ୍ତ ଅନ୍ତିମ ଦ୍ରବ୍ୟମାନଙ୍କର ଉତ୍ପାଦନରେ ବ୍ୟବହୃତ ଉପାଦାନ ବା ‘ଇନ୍‌ପୁଟ୍’ମାନଙ୍କ ପ୍ରତି ୧୮ ଶତାଂଶ ହାରରେ ‘ଜିଏସ୍‌ଟି’ ଲାଗୁ ହୋଇଚାଲିବ। ଏହାର ଅର୍ଥ ବର୍ତ୍ତମାନ ବହୁ ଅଧିକ ସଂଖ୍ୟକ ଦ୍ରବ୍ୟ ଓ ସେବାମାନଙ୍କ କ୍ଷେତ୍ରରେ ‘ଟ୍ୟାକ୍ସ ଇନ୍‌ଭର୍ଜନ୍’ ଘଟିବାକୁ ଯାଉଛି। ଏଭଳି କ୍ଷେତ୍ରରେ କେବଳ ଉତ୍ପାଦନରେ ବ୍ୟବହୃତ ଇନ୍‌ପୁଟ୍ ଉପରେ ସଂଗୃହୀତ ଟିକସ ଫେରସ୍ତ ପାଇଁ ବ୍ୟବସ୍ଥା ଥିବାବେଳେ ସେବା ଜାତୀୟ ଉପାଦାନ ଓ ପୁଞ୍ଜିଦ୍ରବ୍ୟ ଉପରେ ସଂଗୃହୀତ ଟିକସ ଫେରସ୍ତ ନିମିତ୍ତ ବ୍ୟବସ୍ଥା ନାହିଁ। ଏଥିରେ ପରିବର୍ତ୍ତନ ଘଟାଇବା ନିମିତ୍ତ ଶିଳ୍ପବାଣିଜ୍ୟ ମହଲ ସୁପ୍ରିମ୍ କୋର୍ଟରେ ଆବେଦନ କରି ବିଫଳ ହୋଇଛନ୍ତି।
ଯଦି ‘ଜିଏସ୍‌ଟି’ ଆଇନରେ ସଂଶୋଧନ କରାଯାଇ ଏହି ଅସଙ୍ଗତିରେ ଅନ୍ତ ଘଟା ନ ଯାଏ, ଉପରୋକ୍ତ ଦ୍ରବ୍ୟ ଓ ସେବାମାନଙ୍କର ଉତ୍ପାଦନକାରୀମାନେ ସେବା ଓ ପୁଞ୍ଜିଦ୍ରବ୍ୟ ଭଳି ଉତ୍ପାଦନରେ ବ୍ୟବହୃତ ଉପାଦାନମାନଙ୍କ ଉପରେ ପୈଠ କରିଥିବା ‘ଜିଏସ୍‌ଟି’ ଫେରସ୍ତ ପାଇପାରିବେ ନାହିଁ। ଅତଏବ ସେମାନେ ପୈଠ କରିଥିବା ‘ଜିଏସ୍‌ଟି’ ସେମାନଙ୍କର ଉତ୍ପାଦନ ବ୍ୟୟର ଅଂଶ ପାଲଟିଯିବ। ଏପରି ଘଟିଲେ ସଂସ୍କାର ପରେ ‘ଜିଏସ୍‌ଟି’ରେ ଘଟିଥିବା ହ୍ରାସ ଯୋଗୁଁ ସଂପୃକ୍ତ ଦ୍ରବ୍ୟ ଓ ସେବା ସବୁର ବିକ୍ରୟ ମୂଲ୍ୟରେ ଯେଉଁ ମାତ୍ରାରେ ହ୍ରାସ ଘଟିବ ବୋଲି ଆଶା କରାଯାଉଛି, ପ୍ରକୃତ ହ୍ରାସର ମାତ୍ରା ତା’ଠାରୁ କମ୍ ହେବାର ଦୃଢ଼ ସମ୍ଭାବନା ରହିଛି। କେତେକ କ୍ଷେତ୍ରରେ ସଂପୃକ୍ତ ଦ୍ରବ୍ୟ ବା ସେବାର ବିକ୍ରୟ ମୂଲ୍ୟରେ ହ୍ରାସ ପରିବର୍ତ୍ତେ ହୁଏତ ବୃଦ୍ଧି ମଧ୍ୟ ଘଟିପାରେ।
ଏହା ବାଦ୍ ୫ ଶତାଂଶ ବା ଶୂନ୍ୟ ସ୍ଲାବ୍‌ମାନଙ୍କ ପାଇଁ ‘ଆଇଟିସି’ ଉପଲବ୍‌ଧ ହେବ କି ନାହିଁ, ତାହା ମଧ୍ୟ ସ୍ପଷ୍ଟ କରାଯାଇ ନାହିଁ। ପୂର୍ବ ବ୍ୟବସ୍ଥାରେ ଏହି ନୀଚା ଟିକସ ହାର ଲାଗୁ ହେଉଥିବା ଅଧିକାଂଶ ଦ୍ରବ୍ୟ ଓ ସେବାମାନଙ୍କ ପାଇଁ ଏଭଳି ଫେରସ୍ତ ସୁବିଧା ଉପଲବ୍‌ଧ ନ ଥିଲା। ‘ଟ୍ୟାକ୍ସ ଇନ୍‌ଭର୍ଜନ୍’ ଯୋଗୁଁ ଯଦି ସଂପୃକ୍ତ ଦ୍ରବ୍ୟ ଓ ସେବା ସବୁର ବିକ୍ରୟ ମୂଲ୍ୟରେ ଆଶା କରାଯାଉଥିବା ଭଳି ହ୍ରାସ ନ ଘଟେ, ତେବେ ସେଗୁଡ଼ିକ ଉପରେ ଏକ ଛଦ୍ମ ଟିକସ ଲାଗୁ ହୋଇଛି ବୋଲି କହିଲେ ଭୁଲ୍ ହେବ ନାହିଁ। ତେବେ ସରକାର କେତେ ଦୂର ଏହି ଅସଙ୍ଗତି ଦୂର କରି ଛଦ୍ମ ଟିକସର ଆବିର୍ଭାବ ଘଟିବାକୁ ଦେବେ ନାହିଁ, ତାହା ସନ୍ଦେହଜନକ। କାରଣ, ଏକ ଆକଳନ ଅନୁସାରେ ସରକାର ଯଦି ବର୍ତ୍ତମାନ ୫ ଶତାଂଶ ‘ଜିଏସ୍‌ଟି’ ସ୍ଲାବ୍‌ରେ ଅନ୍ତର୍ଭୁକ୍ତ ସମସ୍ତ ଦ୍ରବ୍ୟ ଓ ସେବାମାନଙ୍କ ପ୍ରତି ସଂପୂର୍ଣ୍ଣ ରୂପେ ‘ଆଇଟିସି’ ସୁବିଧା ଲାଗୁ କରନ୍ତି, ତେବେ ସରକାରଙ୍କର ବାର୍ଷିକ ରାଜସ୍ବ କ୍ଷତିର ପରିମାଣ ହେବ ୧.୫ରୁ ୨ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ; ୪୮,୦୦୦ କୋଟି ଟଙ୍କା ନୁହେଁ।
ବିଶେଷ କରି ‘ଟ୍ୟାକ୍ସ ଇନ୍‌ଭର୍ଜନ୍’ ଯୋଗୁଁ ସରକାର ନେଇଥିବା ଯେଉଁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଫଳବତୀ ହେବାର ସମ୍ଭାବନା ବର୍ତ୍ତମାନ ସନ୍ଦେହ ଘେରକୁ ଆସିଛି, ତାହା ହେଉଛି ସ୍ବାସ୍ଥ୍ୟ ବୀମା ଓ ଜୀବନ ବୀମାକୁ ଟିକସ ମୁକ୍ତ କରାଯିବା। ପୂର୍ବରୁ ଏହା ଉପରେ ୧୮ ଶତାଂଶ ହାରରେ ‘ଜିଏସ୍‌ଟି’ ଲାଗୁ ହେଉଥିବା ବେଳେ କଂପାନିମାନେ ‘ଆଇଟିସି’ ପାଉଥିଲେ। ବର୍ତ୍ତମାନ ଏଜେଣ୍ଟ କମିସନରୁ ଅଫିସ ଭଡ଼ା ପର୍ଯ୍ୟନ୍ତ ବ୍ୟୟଭାର ସେମାନଙ୍କୁ ନିଜେ ବହନ କରିବାକୁ ହେବ। ଫଳରେ ହୁଏତ ସେମାନେ ଗ୍ରାହକମାନଙ୍କ ଠାରୁ ଆଦାୟ କରୁଥିବା ପ୍ରିମିଅମ୍ ପରିମାଣରେ ଯଥେଷ୍ଟ ହ୍ରାସ ନ ଘଟାଇ ପାରନ୍ତି କିମ୍ବା ଏପରିକି ବୃଦ୍ଧି ମଧ୍ୟ ଘଟାଇ ପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଲାଣି। ଏପରି ଘଟିଲେ ଏହାକୁ କେନ୍ଦ୍ର କରି ପୁଣି ଏକ ରାଜନୈତିକ ଝଡ଼ର ସୂତ୍ରପାତ ହେବା ନିଶ୍ଚିତ।