‘ଶିଶୁମାନେ ହେଉଛନ୍ତି ଦେଶର ଭବିଷ୍ୟତ’। ସେମାନେ ଯଦି ଜନ୍ମ ପରେ ପରେ ମୃତ୍ୟୁ ମୁଖରେ ପଡ଼ନ୍ତି, ତେବେ ସେଭଳି ସମାଜର ଭବିଷ୍ୟତ ହେଉଛି ମୃତ। ଏଣୁ ଭବିଷ୍ୟତକୁ ଜୀବନ୍ତ ରଖିବା ନିମିତ୍ତ କୌଣସି ବି ଉଦ୍ୟମ ଅତ୍ୟଧିକ ନୁହେଁ।
‘ରେଜିଷ୍ଟ୍ରାର୍ ଜେନେରାଲ୍ ଅଫ୍ ଇଣ୍ଡିଆ’ (‘ଆର୍ଜିଆଇ’)ଙ୍କ ଦ୍ବାରା ଆଦ୍ୟ ସେପ୍ଟେମ୍ବରରେ ପ୍ରକାଶିତ ୨୦୨୩ ପାଇଁ ‘ସାମ୍ପଲ ରେଜିଷ୍ଟ୍ରେସନ୍ ସିଷ୍ଟମ୍’ (‘ଏସ୍ଆର୍ଏସ୍’) ଷ୍ଟାଟିଷ୍ଟିକାଲ୍ ରିପୋର୍ଟ ବହନ କରୁଥିବା ତଥ୍ୟରାଜି ମଧ୍ୟରେ ଏପରି ଏକ ତଥ୍ୟ ସ୍ଥାନ ପାଇଛି, ଯାହା ଆମ ପାଇଁ ଅତ୍ୟନ୍ତ ସନ୍ତୋଷଜନକ ତଥା ଉତ୍ସାହ-ସୃଷ୍ଟିକାରୀ ମନେ ହୋଇଥାଏ। ଆଜିକାଲି ଅନେକ ସମୟରେ ଶୁଣିବାକୁ ମିଳିଥାଏ ଯେ ଭାରତର ଜନସଂଖ୍ୟାରେ ବୃଦ୍ଧବୃଦ୍ଧାମାନଙ୍କର ଅନୁପାତରେ ଯେଉଁଭଳି ବୃଦ୍ଧି ଘଟିଚାଲିବା ଦେଖାଯାଉଛି, ସେଥିରୁ ମନେ ହୁଏ ଭାରତ ଧନୀ ବୋଲାଇବା ପୂର୍ବରୁ ବାର୍ଦ୍ଧକ୍ୟଗ୍ରସ୍ତ ହୋଇଯିବା ଅବଶ୍ୟମ୍ଭାବୀ।
ଏହା ଯଦି କାହାଠାରେ ଏକ ବିଷାଦ ଭାବ ସୃଷ୍ଟି କରୁଥାଏ, ତେବେ ଉପରୋକ୍ତ ଏସ୍ଆର୍ଏସ୍ ରିପୋର୍ଟରେ ଥିବା ଏହି ଉଲ୍ଲାସ ସୃଷ୍ଟିକାରୀ ସୂଚନା ସେଥିେର ଏକ ସନ୍ତୁଳନ ରକ୍ଷା କରିବାରେ ସହାୟକ ହେବ। ଏହା ହେଲା: ଭାରତରେ ଶିଶୁ ମୃତ୍ୟୁ ହାର ବା ‘ଇନ୍ଫାଣ୍ଟ୍ ମୋର୍ଟାଲିଟି ରେଟ୍’ (‘ଆଇଏମ୍ଆର୍’) ବର୍ତ୍ତମାନ ସର୍ବକାଳୀନ ସର୍ବନିମ୍ନ ସ୍ତରରେ ପହଞ୍ଚିଛି, ଯାହା ଅନୁସାରେ ପ୍ରତି ଏକ ହଜାର ଜୀବନ୍ତ ଜନ୍ମ (ଲାଇଭ୍ ବାର୍ଥ)ରେ ମୃତ୍ୟୁ ସଂଖ୍ୟା ହେଉଛି ୨୫ଟି। ଏହାର ତାତ୍ପର୍ଯ୍ୟ ହୃଦୟଙ୍ଗମ କରିବାକୁ ହେଲେ ଅତୀତ ସହିତ ଏକ ତୁଳନା ବେଶ୍ ସହାୟକ ହେବ: ୧୯୭୧ରେ ଭାରତରେ ‘ଆଇଏମ୍ଆର୍’ ଥିଲା ୧୨୯, ୨୦୧୩ରେ ଥିଲା ୪୦। ଏଣୁ କୁହାଯାଇପାରେ ଯେ ଭାରତ ଏକ ଧନୀ ରାଷ୍ଟ୍ରରେ ପରିଣତ ହେବା ପୂର୍ବରୁ ତା’ର ଶିଶୁମାନଙ୍କୁ ଅକାଳ ମୃତ୍ୟୁ କବଳରୁ ରକ୍ଷା କରିବାରେ ସଫଳ ହୋଇଛି।
ବିଗତ ଅର୍ଦ୍ଧଶତାବ୍ଦୀ ମଧ୍ୟରେ ହାସଲ କରାଯାଇ ପାରିଥିବା ଶିଶୁ ମୃତ୍ୟୁ ହାରରେ ଏହି କ୍ରମଶଃ ହ୍ରାସରୁ ଯାହା ଜଣାପଡ଼ିଥାଏ, ତାହା ହେଲା ଏଇ ସମୟ କାଳରେ ଦେଶରେ ମାତୃମଙ୍ଗଳ, ଶିଶୁ ଟିକାକରଣ, ପୁଷ୍ଟିସାଧନ, ସ୍ବାସ୍ଥ୍ୟସେବା, ପରିମଳ ଆଦି କ୍ଷେତ୍ରରେ ଉନ୍ନତିସାଧନ ନିମିତ୍ତ ନିରନ୍ତର ଯେଉଁ ପଦକ୍ଷେପମାନ ନିଆଯାଇଛି, ତା’ର ସୁଫଳ ସ୍ବରୂପ ଧୀରେ ଧୀରେ କିନ୍ତୁ ଅନିବାର୍ଯ୍ୟ ଭାବରେ ଭାରତରେ ଜନ୍ମଲାଭ କରୁଥିବା ଶିଶୁମାନେ ଅଧିକରୁ ଅଧିକ ସୁରକ୍ଷିତ ରହିବାରେ ଲାଗିଛନ୍ତି। ଦେଶରେ ଆନୁଷ୍ଠାନିକ ପ୍ରସବ ଅନୁପାତରେ ବୃଦ୍ଧି ମଧ୍ୟ ଶିଶୁ ମୃତ୍ୟୁ ହାରରେ ହ୍ରାସ ଘଟାଇବାରେ ସହାୟକ ହୋଇଛି।
ତେବେ ଦେଶର ହାରାହାରି ଶିଶୁ ମୃତ୍ୟୁ ହାରରେ ଏହି ସ୍ଖଳନ ମଧ୍ୟ ଏହାର ଆଢୁଆଳରେ ଉପସ୍ଥିତ ଥିବା ବୈଷମ୍ୟକୁ ଲୁଚାଇଥାଏ। ଉଦାହରଣ ସ୍ବରୂପ କେରଳରେ ଶିଶୁ ମୃତ୍ୟୁ ହାର ହେଉଛି ୫, ଯାହା ଅାମେରିକା ସହିତ ସମାନ ଏବଂ ମଣିପୁରରେ ତାହା ହେଉଛି ମାତ୍ର ୩ ଯାହା ଆମେରିକା, ବ୍ରିଟେନ୍ ତଥା ପୃଥିବୀର ଅଧିକାଂଶ ବିକଶିତ ଦେଶମାନଙ୍କୁ ପଛରେ ପକାଇ ଦେଇଥାଏ। ଅପରପକ୍ଷେ ମଧ୍ୟପ୍ରଦେଶ (୩୯), ଓଡ଼ିଶା (୩୬), ଉତ୍ତର ପ୍ରଦେଶ (୩୮) ଆଦି ରାଜ୍ୟରେ ‘ଆଇଏମ୍ଆର୍’ ଜାତୀୟ ହାରାହାରି ଠାରୁ ଅଧିକ ହୋଇଥିବା ଦେଖାଯାଇଥାଏ। ସେହିପରି ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଶିଶୁ ମୃତ୍ୟୁ ହାର ଅଧିକ ହୋଇଥିବା ‘ଏସ୍ଆର୍ଏସ୍ ୨୦୨୩’ରୁ ଜଣାପଡ଼ିଛି।
ଅଧିକାଂଶ ଶିଶୁମୃତ୍ୟୁ ଜନ୍ମର ୨୮ ଦିନ ମଧ୍ୟରେ ଘଟିଥାଏ, ଯାହା ‘ନିଓନାଟାଲ୍ ମୃତ୍ୟୁ’ ରୂପେ ଅଭିହିତ ହୋଇଥାଏ। କୁଶଳୀ ପ୍ରସବ ସହାୟିକା ଓ ଇଣ୍ଟେନ୍ସିଭ୍ କେଆର୍ ୟୁନିଟ୍ ଆଦି ଉପଲବ୍ଧ କରାଇବା ଦ୍ବାରା ଏଭଳି ଅବାଞ୍ଛିତ ଶିଶୁ ମୃତ୍ୟୁରେ ହ୍ରାସ ଘଟାଯାଇ ପାରିବ। ଶିଶୁମାନଙ୍କର ଟିକାକରଣ ନିଶ୍ଚିତ କରିବା ଦ୍ବାରା ଏଭଳି ଅକାଳ ମୃତ୍ୟୁକୁ ମଧ୍ୟ ପ୍ରତିହତ କରାଯାଇ ପାରିବ। ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ (ହୁ) ଓ ‘ୟୁନିସେଫ୍’ର ମିଳିତ ଉଦ୍ୟମରେ ପ୍ରସ୍ତୁତ ୨୦୨୫ର ଏ ସଂକ୍ରାନ୍ତୀୟ ରିପୋର୍ଟ କିନ୍ତୁ ଆମ ପାଇଁ ଚିନ୍ତାର କାରଣ ହୋଇଥାଏ। ଏହା ଅନୁସାରେ ୨୦୨୪ରେ ଭାରତରେ ୯ ଲକ୍ଷରୁ ଅଧିକ ନବଜାତ ଶିଶୁଙ୍କୁ କୌଣସି ଟିକାଦାନ କରାଯାଇ ନ ଥିଲା। ଏହା ଫଳରେ ଯେଉଁ ବିପଦ ସୃଷ୍ଟି ହୋଇଥାଏ, ତାହା ହେଲା ଏଥିଯୋଗୁଁ ସଂପୃକ୍ତ ଗୋଷ୍ଠୀମାନଙ୍କରେ ଘାତକ ସଂକ୍ରାମକ ବ୍ୟାଧି ଲହରି ସୃଷ୍ଟି ହେବାର ସମ୍ଭାବନା।
ମାତୃ - ଓ ଶିଶୁ - ପୁଷ୍ଟି ପରିସ୍ଥିତି ମଧ୍ୟ ସଂପୂର୍ଣ୍ଣ ସନ୍ତୋଷଜନକ ନୁହେଁ। ୨୦୧୯-୨୧ରେ ଅନୁଷ୍ଠିତ ‘ନେସନାଲ ଫାମିଲି ହେଲ୍ଥ ସର୍ଭେ’ର ପଞ୍ଚମ ରାଉଣ୍ଡ୍ (‘ଏନ୍ଏଫ୍ଏଚ୍ଏସ୍-୫’)ରୁ ଆବିଷ୍କୃତ ହୋଇଥିଲା ଯେ ଦେଶରେ ଗର୍ଭବତୀ ମହିଳାମାନଙ୍କ ମଧ୍ୟରୁ ୫୨ ଶତାଂଶ ଅର୍ଥାତ୍ ଅର୍ଦ୍ଧାଧିକ ରକ୍ତହୀନତାର ଶିକାର ହୋଇଥିବା ବେଳେ ଆହୁରି ଅଧିକ ଚିନ୍ତାଜନକ ଭାବରେ ପାଞ୍ଚ ବର୍ଷ ବୟସରୁ କମ୍ ଶିଶୁମାନଙ୍କ ମଧ୍ୟରୁ ଏକ ଉଚ୍ଚ ୬୭ ଶତାଂଶ ମଧ୍ୟ ରକ୍ତହୀନ ହୋଇଥାନ୍ତି। ଜଣାଶୁଣା ଭାବେ ରକ୍ତହୀନତା ଅନେକ ସମୟରେ ନବଜାତକ ମୃତ୍ୟୁର କାରଣ ହୋଇଥିବା ବେଳେ ଶିଶୁର ବୌଦ୍ଧିକ ବିକାଶକୁ ମଧ୍ୟ ଗୁରୁତର ଭାବରେ ବ୍ୟାହତ କରିଥାଏ। ଉପଯୁକ୍ତ ଆହାର ଅଭାବ ସହିତ ଲୌହସାରଯୁକ୍ତ ଔଷଧ ଉପଲବ୍ଧ ନ ହେବା ଯୋଗୁଁ ରକ୍ତହୀନତା ଘଟିଥାଏ। ଗର୍ଭଧାରଣ ସମୟରେ ଜନନୀ ଉପଯୁକ୍ତ ଆହାର ଓ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେବା ଦ୍ବାରା ଏହି ସମସ୍ୟା ଉଗ୍ର ରୂପ ଧାରଣ କରିଥାଏ।
ସେଇଭଳି ପ୍ରସବ ଓ ପ୍ରସବ ପରବର୍ତ୍ତୀ ସମୟରେ ଉପଯୁକ୍ତ ସ୍ବାସ୍ଥ୍ୟ ସହାୟତାର ଅଭାବ ନବଜାତମାନଙ୍କ ଜୀବନକୁ ବିପଦାପନ୍ନ କରିଥାଏ। କିନ୍ତୁ ଅନେକ ପଛୁଆ ରାଜ୍ୟ ଓ ପଛୁଆ ଅଞ୍ଚଳମାନଙ୍କରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରମାନଙ୍କରେ ଏଭଳି ଉପଯୁକ୍ତ ପ୍ରସବକାଳୀନ ଓ ପ୍ରସବ ପରବର୍ତ୍ତୀ ସୁବିଧାମାନ ଅନୁପସ୍ଥିତ ଥାଏ। ତେଣୁ ସେଠାରେ ପ୍ରସବ ସଂପର୍କିତ ଅନୌପଚାରିକ ସେବାମାନ ଉପଯୋଗ ହେବା ଦେଖାଯାଇଥାଏ, ଯାହାର ପରିଣତି ଅନେକ ସମୟରେ ବିପଜ୍ଜନକ ହୋଇଥାଏ। ଏହି ଶୂନ୍ୟସ୍ଥାନ ପୂରଣ ନିମିତ୍ତ ଏକ ବହୁମୁଖୀ ଉଦ୍ୟମର ଆବଶ୍ୟକତା ରହିଛି। କେରଳ ଏ କ୍ଷେତ୍ରରେ ହାସଲ କରିଥିବା ଚମକପ୍ରଦ ସଫଳତା ଏଇଭଳି କୌଶଳ ଅବଲମ୍ବନ ଦ୍ବାରା ସମ୍ଭବ ହୋଇପାରିଛି। ବିଗତ ବର୍ଷମାନଙ୍କରେ ସେ ରାଜ୍ୟର ସରକାରମାନେ ପ୍ରାଥମିକ ସ୍ବାସ୍ଥ୍ୟସେବା, ଗୋଷ୍ଠୀ ସହଭାଗିତା ଓ ସ୍ଥାନୀୟ ଶାସନରେ ମୁକ୍ତ ହସ୍ତରେ ନିବେଶ କରିଥିବା ସମ୍ବଳ ଓ ସମୟର ସୁଫଳ ହେଉଛି ସେଠାରେ ଶିଶୁ ମୃତ୍ୟୁ ହାରରେ ଘଟିଥିବା ଚମକପ୍ରଦ ହ୍ରାସ।
ଯେଉଁ ରାଜ୍ୟମାନଙ୍କରେ ଶିଶୁ ମୃତ୍ୟୁ ହାର ଉଚ୍ଚ ରହିଚାଲିଛି, ସେଠାରେ କେରଳର ଉଦାହରଣକୁ ଅନୁସରଣ କଲେ ସୁଫଳ ମିଳିବାର ଦୃଢ଼ ସମ୍ଭାବନା ରହିଛି। ଏହା ବ୍ୟତୀତ ଶିଶୁ ମୃତ୍ୟୁ ପ୍ରତିହତ କରିବା ନିମିତ୍ତ ବିଶେଷ ନବଜାତ ସ୍ବାସ୍ଥ୍ୟସେବା କେନ୍ଦ୍ରମାନ ପ୍ରତିଷ୍ଠା କରାଯାଇପାରେ ଓ ସେଗୁଡ଼ିକର ବିକେନ୍ଦ୍ରୀକରଣ କରାଯାଇପାରେ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରମାନଙ୍କର ଉନ୍ନତିସାଧନ କରାଯାଇ ସେଠାରେ ଅହୋରାତ୍ର ପ୍ରସବ ସୁବିଧା ଉପଲବ୍ଧ କରାଯାଇପାରେ ଏବଂ ସର୍ବୋପରି ଅବିଳମ୍ବେ ଖାଲି ପଡ଼ିଥିବା ବିଶେଷଜ୍ଞ ଚିକିତ୍ସକମାନଙ୍କର ସ୍ଥାନ ପୂରଣ କରାଯିବା ଆବଶ୍ୟକ।
ସର୍ବଦା ସ୍ଲୋଗାନ୍ ଦିଆଯାଇଥାଏ: ‘ଶିଶୁମାନେ ହେଉଛନ୍ତି ଦେଶର ଭବିଷ୍ୟତ’। ସେମାନେ ଯଦି ଜନ୍ମ ପରେ ପରେ ମୃତ୍ୟୁ ମୁଖରେ ପଡ଼ନ୍ତି, ତେବେ ସେଭଳି ସମାଜର ଭବିଷ୍ୟତ ହେଉଛି ମୃତ। ଏଣୁ ଭବିଷ୍ୟତକୁ ଜୀବନ୍ତ ରଖିବା ନିମିତ୍ତ କୌଣସି ବି ଉଦ୍ୟମ ଅତ୍ୟଧିକ ନୁହେଁ।