‘ଡାଇନାମିକ୍ ପ୍ରାଇସିଙ୍ଗ୍’ର ବ୍ୟାପକ ବ୍ୟବହାରର ବିପଦ କେବଳ ଅର୍ଥନୈତିକ ପରିସର ମଧ୍ୟରେ ସୀମିତ ହୋଇ ରହି ନ ପାରେ। ଅନିଶ୍ଚିତତା ଓ ଅସ୍ଥିରତା ଏହି ମୂଲ୍ୟ ନିର୍ଦ୍ଧାରଣ ପଦ୍ଧତିର ମୂଳମନ୍ତ୍ର ହୋଇଥିବାରୁ, ତାହା କ୍ରମେ ସଂପୃକ୍ତ ସମାଜର ମୂଲ୍ୟବୋଧକୁ ପ୍ରଭାବିତ କରିବାର ଦୃଢ଼ ସମ୍ଭାବନା ରହିଥାଏ। ବଜାର ଦରରେ ଅସ୍ଥିରତା ସ୍ବାଭାବିକ ବିବେଚିତ ହେବା ପରେ ନିଯୁକ୍ତିରୁ ଆରମ୍ଭ କରି ମାନବୀୟ ସଂପର୍କ ପର୍ଯ୍ୟନ୍ତରେ ସ୍ଥାୟିତ୍ବ କ୍ରମେ ଅସ୍ବାଭାବିକ ଓ ଅସ୍ଥାୟିତ କ୍ରମେ ସ୍ବାଭାବିକ ବୋଲି ବିବେଚିତ ହେଲେ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।

Advertisment

ଭାରତ ସରକାର ୨୦୨୧ରେ ରାଷ୍ଟ୍ରାୟତ୍ତ ବିମାନ ଚଳାଚଳ ସଂସ୍ଥା ‘ଏଆର୍ ଇଣ୍ଡିଆ’ର ମାଲିକାନା ‘ଟାଟା ସନ୍‌ସ’ ହାତରେ ବିକ୍ରି ସୂତ୍ରରେ ପୁନରାୟ ସମର୍ପଣ କରିଦେବା ପରେ ଏହାର ଅନୁଷଙ୍ଗୀ ଆଞ୍ଚଳିକ ବିମାନ ସେବା ଯୋଗାଣକାରୀ କଂପାନି ‘ଆଲାଏନ୍‌ସ ଏଆର୍’ର ସଂପୂର୍ଣ୍ଣ ମାଲିକାନା କିନ୍ତୁ ନିଜ ହାତରେ ରଖିଛନ୍ତି। ଏହି କ୍ଷୁଦ୍ର ସରକାରୀ ମାଲିକାନାଧୀନ ବିମାନ ଚଳାଚଳ କଂପାନିଟି ଏବେ ଗ୍ରହଣ କରିଥିବା ଏକ ବ୍ୟାବସାୟିକ ନିଷ୍ପତ୍ତି ଏବେ କେବଳ ବିମାନ ସେବା କ୍ଷେତ୍ରରେ ନୁହେଁ, ସମଗ୍ର ଗମନାଗମନ ବ୍ୟବସାୟ କ୍ଷେତ୍ରରେ ଏକ ଚହଳ ସୃଷ୍ଟି କରିଛି। ‘ଆଲାଏନ୍‌ସ ଏଆର୍’ ନେଇଥିବା ଏହି ପଦକ୍ଷେପଟି ଆଦୌ ଯୁଗାନ୍ତକାରୀ କିମ୍ବା ଅଭିନବ ଶ୍ରେଣୀର ନୁହେଁ‌; ବରଂ ଏହା ହେଉଛି ଏକ ହାସ୍ୟାସ୍ପଦ ଭାବରେ ସରଳ ପୁରୁଣାକାଳିଆ ବ୍ୟାବସାୟିକ ନୀତିକୁ ପ୍ରତ୍ୟାବର୍ତ୍ତନ ଦିଗରେ ଏକ ଉଦ୍ୟମ। ତାହା ହେଲା ଏହି ବିମାନ ଚଳାଚଳ କଂପାନି ବର୍ତ୍ତମାନର ପାର୍ବଣକାଳୀନ ଶୀର୍ଷ ବ୍ୟବସାୟ ଋତୁରେ ତା’ର କେତେକ ବଛା ବଛା ରୁଟ୍‌ରେ କ୍ରୟ ତାରିଖ ନିର୍ବିଶେଷରେ ଟିକେଟ୍ ମୂଲ୍ୟ ଅପରିବର୍ତ୍ତିତ ରଖିବା ପାଇଁ ନିଷ୍ପତ୍ତି ନେଇଛି। ଏହାର ଅର୍ଥ ସେଇ ରୁଟ୍‌ମାନଙ୍କରେ ‘ଡାଇନାମିକ୍ ପ୍ରାଇସିଙ୍ଗ୍’ ବା ‘ପରିବର୍ତ୍ତନଶୀଳ ମୂଲ୍ୟ ନିର୍ଦ୍ଧାରଣ’ ନିୟମ ଅନୁସୃତ ହେବ ନାହିଁ।
ଅତୀତରେ ଏହା ହିଁ ଥିଲା ନିୟମ, ବର୍ତ୍ତମାନ ବିମାନ ଯାତ୍ରୀମାନଙ୍କ ଠାରୁ ରେଳ ଯାତ୍ରୀ ଓ ‘ଉବର୍’, ‘ଓଲା’ ଆଦି ଡାକରା ଟ୍ୟାକ୍‌ସି ବ୍ୟବହାରକାରୀମାନଙ୍କର ଅନୁଭୂତି ହେଲା ଏହା ଯେ ଡାଇନାମିକ୍ ପ୍ରାଇସିଙ୍ଗ୍ ନିୟମ ଯୋଗୁଁ ସେମାନଙ୍କୁ ବହନ କରିବାକୁ ପଡୁଥିବା ଯାତାୟାତ ବ୍ୟୟ ଭାର ସଂପୂର୍ଣ୍ଣ ରୂପେ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଥାଏ। ଦିନ ଥିଲା ଯେତେବେଳେ ଏକ ସିନେମା ଟିକେଟ୍, ଏକ ବିମାନ ଟିକେଟ୍, ଏକ ରେଳ ଟିକେଟ୍‌ର ମୂଲ୍ୟ କିମ୍ବା ଏକ ହୋଟେଲ ରୁମ୍‌ର ଭଡ଼ା ସମସ୍ତ ଗ୍ରାହକମାନଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟରେ ଏକା ରହୁଥିଲା। ମନୁଷ୍ୟ ଜୀବନକୁ ଦୁର୍ବିଷହ କରୁଥିବା ସଂସାରର ଅସୁମାରି ଅନିଶ୍ଚିତତାମାନଙ୍କ ମଧ୍ୟରେ ଅନ୍ତତଃ ଏହି ନିଶ୍ଚିତତା ତା’ ପାଇଁ କିଞ୍ଚିତ ଆଶ୍ବସ୍ତି ଆଣି ଦେଉଥିଲା। କିନ୍ତୁ ଏକବିଂଶ ଶତାବ୍ଦୀର ‘ଆଲ୍‌ଗୋରିଦମ’ ପରିଚାଳିତ ଡାଇନାମିକ୍ ପ୍ରାଇସିଙ୍ଗ୍ ତା’ ଠାରୁ ସେଇ ଆଶ୍ବସ୍ତି ଟିକକ ମଧ୍ୟ ଅପହରଣ କରି‌ ନେଇଛି।
‘ଡାଇନାମିକ୍ ପ୍ରାଇସିଙ୍ଗ୍’ ହେଉଛି ଅର୍ଥଶାସ୍ତ୍ରର ଛାତ୍ରଛାତ୍ରୀମାନଙ୍କର ସୁପରିଚିତ ଶୋଷଣମୂଳକ ମୂଲ୍ୟ ନିର୍ଦ୍ଧାରଣ କୌଶଳ ‘ପ୍ରାଇସ୍ ଡିସ୍କ୍ରିମିନେସନ୍’ (‘ମୂଲ୍ୟ ବିଦ୍ବେଷ’)ର ଏକ ନଗ୍ନ ଉଦାହରଣ। ଏହାର ଏକ ଉଦାହରଣ ସ୍ବରୂପ ଏକ ବିମାନରେ ଜଣେ ଯାତ୍ରୀ ହୁଏତ ଚାରି ହଜାର ଟଙ୍କା ଦେଇ ଟିକେଟ୍‌ଟିଏ କିଣିଥିବା ବେଳେ, ତାଙ୍କ ପାଖ ସିଟ୍‌ରେ ବସିଥିବା ଯାତ୍ରୀ ଜଣକ ସେଇ ସମାନ ଶ୍ରେଣୀର ଟିକେଟ୍‌ଟି କିଣିବାକୁ କୋଡ଼ିଏ ହଜାର ଟଙ୍କା ଦେବାକୁ ବାଧ୍ୟ ହୋଇଥାଇ ପାରିଥାନ୍ତି। ଦ୍ବିତୀୟ ଯାତ୍ରୀ ଜଣକ ହୁଏତ ଶେଷ ମୁହୂର୍ତ୍ତରେ ଟିକେଟ୍ କିଣିଥିବାରୁ ତାଙ୍କର ଆତୁରତାର ସୁଯୋଗ ନେଇ ବିମାନ କଂପାନି ତାଙ୍କୁ ଏପରି ଶୋଷଣ କରିପାରିଥାଏ। ସଂପୃକ୍ତ ‘ଆଲ୍‌ଗୋରିଦମ’ ଚାହିଦାର ତୀବ୍ରତାରୁ ସମୟ, ଗ୍ରାହକର ଆଚରଣ ଓ ଏପରିକି ଗ୍ରାହକର ସମ୍ଭାବ୍ୟ ଆର୍ଥିକ ସ୍ଥିତି ପର୍ଯ୍ୟନ୍ତ ଉପରେ ନଜର ରଖି ଟିକେଟ୍ ମୂଲ୍ୟରେ ହ୍ରାସ ବୃଦ୍ଧି ଘଟାଇଥାଏ। ଏହି ଶେଷୋକ୍ତ କୌଶଳର ଏକ ପ୍ରୟୋଗ ସ୍ବରୂପ ଦେଖାଯାଇଥାଏ, ଦାମିକା ସ୍ମାର୍ଟ ଫୋନ୍ କିମ୍ବା ଲ୍ୟାପ୍‌ଟପ୍ ବ୍ୟବହାର କରି ଟିକେଟ୍ କ୍ରୟ କରୁଥିବା ଗ୍ରାହକମାନଙ୍କ ପ୍ରତି ଅଧିକ ଟିକେଟ୍ ମୂଲ୍ୟ ଲାଗୁ କରାଯାଇଥାଏ, ଯଦିବା ଏହା ସଂପୃକ୍ତ ଗ୍ରାହକର ଅଗୋଚରରେ ଘଟିଥାଏ।
‘ଡାଇନାମିକ୍ ପ୍ରାଇସିଙ୍ଗ୍’ ସପକ୍ଷରେ ଯୁକ୍ତ କରାଯାଇଥାଏ ଯେ ଏହି ପରିବର୍ତ୍ତନଶୀଳ ମୂଲ୍ୟ ନିର୍ଦ୍ଧାରଣ ପଦ୍ଧତି ଅବଲମ୍ବନ ଦ୍ବାରା ବଜାରରେ ଯୋଗାଣ ଓ ଚାହିଦା ମଧ୍ୟରେ ସନ୍ତୁଳନ ରକ୍ଷା କରାଯାଇଥାଏ। ଏହା କିନ୍ତୁ ଅପରପକ୍ଷେ ଗ୍ରାହକମାନଙ୍କର ମାନସିକ ସନ୍ତୁଳନକୁ ବିଧ୍ବସ୍ତ କରିଦେଇଥାଏ (କୋଡ଼ିଏ ହଜାର ଟଙ୍କା ଦେଇ ବିମାନ ଟିକେଟ୍ କିଣିଥିବା ଉପରୋକ୍ତ ଯାତ୍ରୀ/ଗ୍ରାହକଙ୍କର ମାନସିକ ଅବସ୍ଥା ସହଜେ ଅନୁମେୟ)। ସେମାନେ କ୍ରୟ କରିବାକୁ ଯାଉଥିବା ଦ୍ରବ୍ୟ ବା ସେବାର ମୂଲ୍ୟ କେତେ, ଗ୍ରାହକମାନଙ୍କ ପାଇଁ ସେ ସମ୍ବନ୍ଧରେ କୌଣସି ନିର୍ଦ୍ଦିଷ୍ଟ ପୂର୍ବ ସୂଚନା ଉପଲବ୍‌ଧ ହୋଇ ନ ଥାଏ। ସେଇ ଦ୍ରବ୍ୟ ବା ସେବାର ମୂଲ୍ୟ ଆଉ ତାହାର ଉତ୍ପାଦନ ଖର୍ଚ୍ଚ କିମ୍ବା ତାହାର ଉପଯୋଗିତା ଉପରେ ଆଧାରିତ ନ ହୋଇ ‘ଆଲ୍‌ଗୋରିଦମ’ ମାଧ୍ୟମରେ ତାହା ପ୍ରତ୍ୟେକ ଗ୍ରାହକର ସର୍ବାଧିକ ଶୋଷଣ ସମ୍ଭାବନା ଉପରେ ଆଧାରିତ ହୋଇଥାଏ।
ଏହି ଅନିଶ୍ଚିତତା ସୃଷ୍ଟିକାରୀ ପଦ୍ଧତିର ପ୍ର‌ୟୋଗ ଯୋଗୁଁ ସୃଷ୍ଟି ହେଉଥିବା ମନସ୍ତାତ୍ତ୍ବିକ କ୍ଷତି ଏଥି‌େଯାଗୁଁ ସୃଷ୍ଟି ହେଉଥିବା ଗ୍ରାହକର ଅର୍ଥନୈତିକ କ୍ଷତି ଅପେକ୍ଷା ବହୁ ଗୁଣ ଅଧିକ ହୋଇଥାଏ। ଏହା ଅନିଶ୍ଚିତତାକୁ ଏକ ସାଧାରଣ ଅବସ୍ଥାରେ ପରିଣତ କରି ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଅଂଶକୁ ଏକ ଚୋରାବାଲିରେ ପରିଣତ କରିଦେଇଥାଏ; କେଉଁଠି ପାଦ ପକାଇବା ନିରାପଦ ଓ କେଉଁଠି ପାଦ ପକାଇବା ବିପଦପୂର୍ଣ୍ଣ, ଗ୍ରାହକ ତାହା ପୂର୍ବରୁ ଜାଣିପାରି ନ ଥାଏ। ତା’ ପାଇଁ ଜୀବନ ଏକ ଜୁଆଖେଳ ଭଳି ‌େହାଇଥାଏ, ଯେଉଁଥିରେ ବିମାନ ଯାତ୍ରାରୁ ସିନେମା ଦେଖା ପର୍ଯ୍ୟନ୍ତ ସେ ନେଉଥିବା ପ୍ରତ୍ୟେକ ନିଷ୍ପତ୍ତି ପାଇଁ ତାକୁ ଦେବାକୁ ପଡୁଥିବା ଅର୍ଥନୈତିକ ମୂଲ୍ୟ ତା’ ପାଇଁ ଅନିଶ୍ଚିତ ହୋଇଥାଏ। ସେ ବର୍ତ୍ତମାନ କ୍ରୟ କରିବ ନା ଅପେକ୍ଷା କରିବ- ଏହା ତା’ ପାଇଁ ଏକ ଯନ୍ତ୍ରଣାଦାୟକ ଦ୍ବନ୍ଦ୍ବରେ ପରିଣତ ହୋଇଥାଏ। ଅପେକ୍ଷା କଲେ ସଂପୃକ୍ତ ଦ୍ରବ୍ୟ ବା ସେବାର ଦରରେ ହ୍ରାସ ଘଟିପାରେ କିମ୍ବା ବୃଦ୍ଧି ଘଟିପାରେ, ସେ ସମ୍ବନ୍ଧରେ ଗ୍ରାହକ ସଂପୂର୍ଣ୍ଣ ଅନ୍ଧାରରେ ଥାଏ। ଏଣୁ ତା’ର ପ୍ରତ୍ୟେକ କ୍ରୟ ନିଷ୍ପତ୍ତି ସଂପୃକ୍ତ ଗ୍ରାହକ ପାଇଁ କେବଳ ଏକ ଅର୍ଥନୈତିକ ନିଷ୍ପତ୍ତି ହୋଇ ନ ଥାଏ, ଏହା ମଧ୍ୟ ତା’ ପାଇଁ ଏକ ବେଦନାଦାୟକ ମାନସିକ ଓ ନୈତିକ କସରତର ରୂପ ପରିଗ୍ରହଣ କରିଥାଏ। ଦୀର୍ଘକାଳୀନ ସୂତ୍ରରେ ଏହା ବଜାରର ସାଧୁତା ଉପରେ ଗ୍ରାହକମାନଙ୍କର ବିଶ୍ବାସର ମୂଳଦୁଆକୁ ଦୁର୍ବଳ କରିଥାଏ।
ଏକ ଆଦର୍ଶ ବଜାର ଅର୍ଥନୀତିର ମୂଳ ଭିତ୍ତି ହେଉଛି ପୂର୍ଣ୍ଣ, ଅବାଧ, ସ୍ବଚ୍ଛ ପ୍ରତିଯୋଗିତା। ଏଥିରେ ଯୋଗାଣକାରୀ ବା ବିକ୍ରେତା ଓ କ୍ରେତା ବା ଗ୍ରାହକମାନଙ୍କ ମଧ୍ୟରେ ଖୋଲା ପ୍ରତିଯୋଗିତା ମାଧ୍ୟମରେ ଦ୍ରବ୍ୟ ବା ସେବାର ମୂଲ୍ୟ ନିର୍ଦ୍ଧାରଣ ଘଟିଥାଏ। ‘ଡାଇନାମିକ୍ ପ୍ରାଇସିଙ୍ଗ୍’ ପଦ୍ଧତି ପ୍ରବର୍ତ୍ତନ ପରେ ସେଇ ସ୍ବଚ୍ଛତା ସଂପୂର୍ଣ୍ଣ ରୂପେ ଅନ୍ତର୍ଦ୍ଧାନ ହୋଇଯାଇ ଏକ ସଂପୂର୍ଣ୍ଣ ଅସ୍ବଚ୍ଛ ‘ଆଲ୍‌ଗୋରିଦମ’ ତାହାର ସ୍ଥାନ ଦଖଲ କରିଥାଏ। ଗ୍ରାହକମାନଙ୍କ ସମ୍ବନ୍ଧରେ କେଉଁସବୁ ସୂଚନା ବା ଡେଟାର ଅନୁଶୀଳନ କରି ଏହି ଗାଣିତିକ ପ୍ରକ୍ରିୟା ସଂପୃକ୍ତ ଦ୍ରବ୍ୟ ବା ସେବାର ଦର ନିର୍ଦ୍ଧାରଣ କରିଥାଏ, ସେ ସଂପର୍କରେ ଗ୍ରାହକମାନେ କିଛି ହେଲେ ଜାଣିବାର ଉପାୟ ନ ଥାଏ। ଏହାଦ୍ବାରା ବଜାର ଅର୍ଥନୀତିର ରୂପାନ୍ତର ଘଟି ତାହା କ୍ରମେ ଏକ ଅର୍‌ୱେଲୀୟ ନିୟନ୍ତ୍ରିତ ଅର୍ଥନୀତିରେ ପରିଣତ ହେବା ଦିଗରେ ଅଗ୍ରସର ହେବାର ସମ୍ଭାବନା ବହନ କରିଥାଏ ବୋଲି କହିଲେ ଅତିରଞ୍ଜନ ହେବ ନାହିଁ।
ତେବେ ‘ଡାଇନାମିକ୍ ପ୍ରାଇସିଙ୍ଗ୍’ର ବ୍ୟାପକ ବ୍ୟବହାରର ବିପଦ କେବଳ ଅର୍ଥନୈତିକ ପରିସର ମଧ୍ୟରେ ସୀମିତ ହୋଇ ରହି ନ ପାରେ। ଅନିଶ୍ଚିତତା ଓ ଅସ୍ଥିରତା ଏହି ମୂଲ୍ୟ ନିର୍ଦ୍ଧାରଣ ପଦ୍ଧତିର ମୂଳମନ୍ତ୍ର ହୋଇଥିବାରୁ, ତାହା କ୍ରମେ ସଂପୃକ୍ତ ସମାଜର ମୂଲ୍ୟବୋଧକୁ ପ୍ରଭାବିତ କରିବାର ଦୃଢ଼ ସମ୍ଭାବନା ରହିଥାଏ। ବଜାର ଦରରେ ଅସ୍ଥିରତା ସ୍ବାଭାବିକ ବିବେଚିତ ହେବା ପରେ ନିଯୁକ୍ତିରୁ ଆରମ୍ଭ କରି ମାନବୀୟ ସଂପର୍କ ପର୍ଯ୍ୟନ୍ତରେ ସ୍ଥାୟିତ୍ବ କ୍ରମେ ଅସ୍ବାଭାବିକ ଓ ଅସ୍ଥାୟିତ କ୍ରମେ ସ୍ବାଭାବିକ ବୋଲି ବିବେଚିତ ହେଲେ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।
ହୁଏତ ଆଶୁ ଲାଭ ସନ୍ଧାନୀ ବଜାର ପାଇଁ ଅସ୍ଥିରତା ‌ଲାଭଜନକ ହୋଇପାରେ, କିନ୍ତୁ ସଭ୍ୟତା ସ୍ଥିରତାକୁ ଆଶ୍ରୟ କରି ହିଁ ଉଧେଇଥାଏ। ବର୍ତ୍ତମାନ ସମୟ ଉପସ୍ଥିତ, କେବଳ ଗ୍ରାହକମାନଙ୍କର ସ୍ବାର୍ଥରକ୍ଷା ପାଇଁ ନୁହେଁ, ସଭ୍ୟତାକୁ ରକ୍ଷା କରିବା ପାଇଁ ମଧ୍ୟ ତୁରନ୍ତ ‘ଡାଇନାମିକ୍ ପ୍ରାଇସିଙ୍ଗ୍’ ପଦ୍ଧତିର ବ୍ୟବହାର ବର୍ଜନ କରାଯିବା ଜରୁରି। ‘ଆଲାଏନ୍‌ସ ଏଆର୍’ର ନିଷ୍ପତ୍ତି ହେଉଛି ସେ ଦିଗରେ ଏକ ଅତ୍ୟନ୍ତ ସ୍ବାଗତଯୋଗ୍ୟ ସାହସିକ ପଦକ୍ଷେପ। Editorial