ଅନେକଙ୍କ ଧାରଣା ଯେ କାନାଡାରେ ପଲ୍ଲବିତ ହେଉଥିବା ‘ଖଲିସ୍ତାନ ବିଷ ବୃକ୍ଷ’ର କୌଣସି ପ୍ରଭାବ ଅଗତ୍ୟା ଭାରତ ଉପରେ ପଡ଼ିବ ନାହିଁ, ତାହାର ବିଷ କେବଳ କାନାଡାରେ ସଂଚରିତ ହେବ ଯାହା! କିନ୍ତୁ ବାସ୍ତବତାଟି ହେଲା, ବିଷ ବୃକ୍ଷର ବୀଜ ବିକ୍ଷେପ ଘଟି ଭାରତରେ ତାହା ଅଙ୍କୁରିତ ହେବାର ଆଶଙ୍କା ମଧ୍ୟ ରହିଛି! ତାକୁ ମଧ୍ୟ ନଜରଅନ୍ଦାଜ କଲେ ଚଳିବ ନାହିଁ।
ଗଲା ବୁଧବାର ଦିନ ପଞ୍ଜାବର ଅମୃତସରସ୍ଥିତ ପବିତ୍ର ସ୍ବର୍ଣ୍ଣ ମନ୍ଦିର ପରିସରରେ ଯାହା ଘଟିଯାଇଛି, ତାହା ଏକାଧାରରେ ଉଦ୍ବେଗ ଓ ଆଶ୍ବସ୍ତି ସୃଷ୍ଟି କରିଛି; ଉଦ୍ବେଗର କାରଣ ଶିଖମାନଙ୍କ ସକାଶେ ସର୍ବାଧିକ ମହତ୍ତ୍ବପୂର୍ଣ୍ଣ ଓ ପବିତ୍ର ଉପାସନା ପୀଠେର ହିଂସାକାଣ୍ଡ ଓ ରକ୍ତପାତର ଉଦ୍ୟମ ହୋଇଛି, ଯହିଁରେ ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଅକାଳୀ ଦଳ ନେତା ସୁଖବୀର ସିଂହ ବାଦଲ ଆତତାୟୀର ନିଶାଣରେ ଥିଲେ ଏବଂ ସ୍ବସ୍ତିରେ ନିଃଶ୍ବାସ ମାରିବାର କାରଣ ହେଲା ଯେ ସେ ଏହି ଘାତକ ଆକ୍ରମଣରୁ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ପ୍ରକାଶ ଥାଉ କି ଶିଖ ସଂପ୍ରଦାୟ ସକାଶେ ‘ଧର୍ମୀୟ ଆଚରଣ ବିଧି’ର ସର୍ବୋଚ୍ଚ ଉତ୍ସ ‘ଅକଲ ତଖତ’ର ଆଦେଶ କ୍ରମେ ଅକାଳୀ ଦଳର ଅନେକ ନେତା ଓ ସଦସ୍ୟ ପୂର୍ବର କେତେକ ଦୋଷ ସକାଶେ ପ୍ରାୟଶ୍ଚିତ୍ତ ସ୍ବରୂପ ସ୍ବର୍ଣ୍ଣ ମନ୍ଦିର ପରିସରରେ କେତେକ ସେବା କାର୍ଯ୍ୟରେ ନିୟୋଜିତ ଥିଲେ। ତେବେ ଏ ସଂଦର୍ଭରେ ଯାହା ଘୋର ଉଦ୍ବେଗ ଓ ଆତଙ୍କ ଉଦ୍ରେକକାରୀ, ତାହା ହେଲା ଏହି ଘଟଣା ସହିତ ଅଷ୍ଟମ ଦଶକରୁ ଆରମ୍ଭ ହୋଇ ପ୍ରାୟ ଦେଢ଼ ଦଶନ୍ଧି ଧରି ପଞ୍ଜାବକୁ ଥରହର କରି ଦେଇଥିବା ବିଚ୍ଛିନ୍ନତାବାଦୀ ହିଂସା ତଥା ତଜ୍ଜନିତ ରକ୍ତକ୍ଷରା ଅତୀତର ସ୍ମତି ଜାଗ୍ରତ ହୋଇଥାଏ। ଏଭଳି ସ୍ଥଳେ ଏ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ବିଶେଷ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ତେବେ, ପ୍ରଥମେ ଏହି ଘଟଣାର ପୃଷ୍ଠଭୂମି ଉପରେ ସାମାନ୍ୟ ଆଲୋକପାତ କରାଯାଉ। ଏକବିଂଶ ଶତାବ୍ଦୀର ଆଦ୍ୟ ଭାଗରେ (୨୦୦୭ ମସିହା ବେଳକୁ) ପଞ୍ଜାବର କେତେକ ଗୁରୁଦ୍ବାରାରେ ପୂଜିତ ହେଉଥିବା ଶିଖ ସଂପ୍ରଦାୟର ପବିତ୍ରତମ ଗ୍ରନ୍ଥ ‘ଗୁରୁ ଗ୍ରନ୍ଥ ସାହେବ’ର କିଛି ପୃଷ୍ଠା ଚିରି ଦିଆଯାଇଥିବା ବିଷୟ ପ୍ରଘଟ ହେବା ପରେ ଶିଖ ସଂପ୍ରଦାୟ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା, ଯେଉଁ କାରଣରୁ ଅନେକ ସ୍ଥାନରେ ହିଂସାକାଣ୍ଡ ଓ ହତ୍ୟାମାନ ସଂଘଟିତ ହୋଇଥିଲା। ଉଲ୍ଲେଖନୀୟ ଯେ ଶିଖମାନଙ୍କ ଦଶମ ତଥା ଅନ୍ତିମ ଗୁରୁ ଗୋବିନ୍ଦ ସିଂହଙ୍କ ନିର୍ଦ୍ଦେଶାନୁସାରେ ପବିତ୍ର ଗ୍ରନ୍ଥ ‘ଗୁରୁ ଗ୍ରନ୍ଥ ସାହବେ’ ହିଁ ଶିଖମାନଙ୍କ ସକାଶେ ଚିରନ୍ତନ ଦିଗ୍ଦର୍ଶକ ଏବଂ ସର୍ବକାଳୀନ ଗୁରୁ ରୂପେ ବିଦ୍ୟମାନ ହୋଇଥାଆନ୍ତି। ଏହା ଅର୍ଥ ଗୁରୁ ଗ୍ରନ୍ଥ ସାହେବ କେବଳ ମାତ୍ର ଏକ ଧର୍ମ ପୁସ୍ତକ ନୁହେଁ, ଏହା ଏକ ପ୍ରାଣଧାରୀ ସତ୍ତା ଏବଂ ଶିଖ ସଂପ୍ରଦାୟ ସକାଶେ ସର୍ବାଧିକ ପୂଜନୀୟ। ସୁତରାଂ, ଏଭଳି ପୃଷ୍ଠା ଛିନ୍ନ କରାଯିବାର ଅର୍ଥ ଗୁରୁଙ୍କୁ ଆଘାତ ପହଞ୍ଚାଇବା, ଯାହା ଅସହନୀୟ ‘ଧର୍ମଦ୍ରୋହ’ ବ୍ୟତୀତ ଆଉ କିଛି ନୁହେଁ। ତେବେ ଏଭଳି ଘଟଣା ସଂଦର୍ଭରେ ଶିଖମାନଙ୍କ ସନ୍ଦେହର ଅନ୍ୟତମ ପାତ୍ର ଥିଲେ ‘ଡେରା ସଚ୍ଚା ସୌଦା’ର ସମର୍ଥକଗଣ, କାରଣ ସେମାନେ ଶିଖ ପନ୍ଥରୁ ବାହାରି ଆସି ରାମରହିମ (ଯିଏ ସଂପ୍ରତି ଜେଲ୍ରେ)ଙ୍କୁ ଗୁରୁର ମାନ୍ୟତା ପ୍ରଦାନ କରିବାକୁ ଲାଗିଥିଲେ, ଯାହା ଦଶମ ଗୁରୁ ଗୋବିନ୍ଦ ସିଂହଙ୍କ ଆଦେଶର ଚରମ ଉଲ୍ଲଂଘନ ହିଁ ଥିଲା। କିନ୍ତୁ ଶିଖମାନଙ୍କ ସକାଶେ ଏକ ଅପ୍ରୀତିକର ବାସ୍ତବତା ରୂପେ ଯାହା ଆବିର୍ଭୂତ ହୋଇଥିଲା, ତାହା ଥିଲା ‘ଡେରା ସଚ୍ଚା ସୌଦା’ର ଅସଂଖ୍ୟ ଅନୁଗାମୀମାନଙ୍କ ରାଜନୈତିକ ସମର୍ଥନ ବା ‘ଜନାଧାର’ ହରାଇବା ଭୟରେ ୨୦୦୭ ମସିହାରୁ ୨୦୧୭ ମସିହା ମଧ୍ୟରେ ରାଜ୍ୟରେ କ୍ଷମତାସୀନ ଅକାଳୀ ଦଳ ପକ୍ଷରୁ ସେମାନଙ୍କୁ ଘଣ୍ଟ ଘୋଡ଼ାଇବାର ପ୍ରୟାସ। ସୁତରାଂ, ଏହାକୁ ମଧ୍ୟ ଶିଖମାନେ ‘ଧର୍ମଦ୍ରୋହ’ ରୂପେ ବିବେଚନା କରିଥିଲେ। କିନ୍ତୁ ଅକାଳୀ ଦଳର ନେତାଗଣ ଶିଖ ଧର୍ମ ପ୍ରତି ସେମାନଙ୍କ ଏକାନ୍ତ ଆନୁଗତ୍ୟ ପ୍ରଦର୍ଶନ କରିବା ସକାଶେ ସେହି ‘ଧର୍ମଦୋହ’ ସକାଶେ ପ୍ରାୟଶ୍ଚିତ୍ତ ସ୍ବରୂପ ଦଣ୍ଡ ଲୋଡ଼ିଥିଲେ, ଯେଉଁ ପରିପ୍ରେକ୍ଷୀରେ ଅକାଳୀ ଦଳର ବରିଷ୍ଠ ନେତାମାନଙ୍କୁ ସ୍ବର୍ଣ୍ଣ ମନ୍ଦିର ପରିସରରେ ସେବା କରିବା ଲାଗି ଆଦେଶ ମିଳିଥିଲା। ପ୍ରକାଶ ଥାଉ କି ଗୋଡ଼ ଭାଙ୍ଗିଥିବା କାରଣରୁ ଚଳନ ଅକ୍ଷମ ସୁଖବୀର ସିଂହ ବାଦଲ ଏକ ଚକଲଗା ଚଉକିରେ ବସି ସ୍ବର୍ଣ୍ଣ ମନ୍ଦିରର ପ୍ରବେଶ ଦ୍ବାର ନିକଟରେ ଦ୍ବାରପାଳ ସେବାରେ ଆପଣା କର୍ତ୍ତବ୍ୟ ସଂପାଦନ କରୁଥିବା ବେଳେ ଏଭଳି ଅଘଟଣ ଘଟିଥିଲା। ଏଥିରେ ସଂପୃକ୍ତ ଆତତାୟୀଙ୍କ ବୟସ ଅଠଷଠି ବର୍ଷ ଏବଂ ସେ ତିନିଟି ପୁସ୍ତକର ଲେଖକ। ଅନେକ କହିଥାଆନ୍ତି ଯେ ତାଙ୍କ ରଚନାରୁ ସେ ଜଣେ ଚରମ ମୌଳବାଦୀ ଶିଖ ବୋଲି ସ୍ବଷ୍ଟ ରୂପେ ଜଣାପଡ଼ନ୍ତି। ସୁତରାଂ, ଏହା ମଧ୍ୟ ହୋଇପାରେ ଯେ ‘ଧର୍ମଦ୍ରୋହ’ ସକାଶେ ସୁଖବୀର ସିଂହ ବାଦଲଙ୍କୁ ମିଳିଥିବା ହାଲୁକା ଦଣ୍ଡରେ ସନ୍ତୁଷ୍ଟ ନ ହୋଇ ଏଭଳି ଘଟାଇଥିବା ସମ୍ଭବ! କିନ୍ତୁ ଏହାକୁ ଏଭଳି ଏକ ସାଧାରଣ ଘଟଣା ରୂପେ ଦେଖି ହେବ କି?
ପଞ୍ଜାବ ପୁଲିସ ବିଭାଗ ପକ୍ଷରୁ ପ୍ରଦତ୍ତ ସୂଚନାନୁସାରେ ଆକ୍ରମଣକାରୀ ନାରାୟଣ ସିଂହ ଚୌରା ହେଉଛନ୍ତି ନିଷିଦ୍ଧ ଆତଙ୍କବାଦୀ ସଂଗଠନ ‘ବବର ଖାଲସା’ର ଜଣେ ସମର୍ପିତ ସଦସ୍ୟ, ଖଲିସ୍ତାନ ସମର୍ଥନକାରୀ ଆତଙ୍କବାଦୀ, ଯିଏ ଅଷ୍ଟମ ଦଶକରେ ଜର୍ନେଲ ସିଂହ ଭିନ୍ଦ୍ରନୱାଲେଙ୍କ ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ଥିଲେ ଏବଂ ଅଷ୍ଟମ ଦଶକରେ ପଞ୍ଜାବରେ ସଂଘଟିତ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିଲେ ଏବଂ ତାଙ୍କ ବିରୋଧରେ ଅନେକ ମାମଲାର ବିଚାର ଏ ଯାବତ୍ ଚାଲିଛି। ତେବେ ଅନେକ ବର୍ଷ ଧରି ସୁପ୍ତ ଥିବା ଏହି ବ୍ୟକ୍ତିଜଣକ ହଠାତ ସକ୍ରିୟ ହୋଇ ଉଠିଲେ କାହିଁକି? ଏହାର ଅର୍ଥ ପଞ୍ଜାବରେ ହିଂସା ସମର୍ଥକ ଚରମ ମୌଳବାଦୀମାନେ ସେମାନଙ୍କ ପକ୍ଷ ବିସ୍ତାର କରିବା ପୁଣି ଆରମ୍ଭ କଲେଣି କି? ସଂପ୍ରତି କାନାଡାରୁ ଖଲିସ୍ତାନ ସମର୍ଥନରେ ପ୍ରବାସୀ ଶିଖମାନେ ଅତ୍ୟନ୍ତ ମୁଖର ହୋଇ ଭାରତରେ ହିଂସା ଘଟାଇବାକୁ ପ୍ରୋତ୍ସାହନ ଦେବାରେ ଲାଗିଛନ୍ତି; ଯେଉଁ କାରଣରୁ ପଞ୍ଜାବରେ ବିଚ୍ଛିନ୍ନତାବାଦୀ ହିଂସାକାଣ୍ଡ ସକାଶେ ଭୂମି ପ୍ରସ୍ତୁତ ହେବାକୁ ଲାଗିଲାଣି କି? ଅନେକ ଏଥିରେ ଏକମତ ହୋଇ ନ ପାରନ୍ତି। ନିକଟରେ ‘ପିଉ ରିସର୍ଚ ଫାଉଣ୍ଡେସନ୍’ ଦ୍ବାରା ହୋଇଥିବା ଏକ ସର୍ବେକ୍ଷଣର ରିପୋର୍ଟକୁ ଦର୍ଶାଇ ସେମାନେ କହିପାରନ୍ତି ଯେ ଭାରତାରେ ବସବାସ କରୁଥିବା ୯୫ ପ୍ରତିଶତ ଶିଖ ଆଦୌ ଖଲିସ୍ତାନ ଚାହି ନ ଥାଆନ୍ତି ବୋଲି କହିଛନ୍ତି। କିନ୍ତୁ ଏହା ମଧ୍ୟ ଭୁଲିଗଲେ ହେବ ନାହଁ ଯେ ଗଲା ସାଧାରଣ ନିର୍ବାଚନରେ ପଞ୍ଜାବରେ ଯେଉଁ ଦୁଇ ଜଣ ସ୍ବାଧୀନ ପ୍ରାର୍ଥୀଙ୍କ ବିଜୟ ଘଟିଛି, ତାହା ମଧ୍ୟ ଏକ ପ୍ରକାର ସତର୍କ ଘଣ୍ଟି ସଦୃଶ। ସେ ଦୁହେଁ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକାରୀ ବିଅନ୍ତ ସିଂହଙ୍କ ପୁତ୍ର ସରବଜିତ ସିଂହ ଖାଲସା ଏବଂ ଭିନ୍ଦ୍ରନୱାଲେର ସ୍ବଘୋଷିତ ଉତ୍ତରାଧିକାରୀ ଓ ଭାରତରେ ପଦାର୍ପଣ କରିବା ମାତ୍ରକେ ଉପଦ୍ରବ ସୃଷ୍ଟି କରି କାରାଦଣ୍ଡ ଭୋଗୁଥିବା ଖଲିସ୍ତାନର ଚରମ ସମର୍ଥକ ଅମୃତପାଲ ସିଂହ। ଏହାର ଅର୍ଥ ‘ପିଉ’ ସର୍ବେକ୍ଷଣର ପରିସର ବାହାରେ ମୌଳବାଦୀ ଜନାଧାର କ୍ରମେ ଦୃଢ଼ ହେବାରେ ଲାଗିଲାଣି। ଏହା ହିଁ ହେଉଛି ଗଭୀର ଉଦ୍ବେଗର ବିଷୟ।
ଏହି ଘଟଣାକୁ ଏକ ବ୍ୟକ୍ତିଗତ, ଅସଂଲଗ୍ନ ଓ ଦୁର୍ବଳ ଆକ୍ରମଣ ରୂପେ ଦେଖିବା ବୁଦ୍ଧିମାନର କାର୍ଯ୍ୟ ହେବ ନାହିଁ। ପାସୋରିଗଲେ ହେବ ନାହିଁ ଯେ ୧୯୭୮ ମସିହାରେ ଅମୃତସର ସହରରେ ଆୟୋଜିତ ନିରଙ୍କରୀ ଗୋଷ୍ଠୀର ସମାବେଶ ଉପରେ ଶିଖମାନଙ୍କ ଏକ ଆକ୍ରମଣ ଘଟଣା ଓ ଦଙ୍ଗା ରୋକିବାକୁ ପୁଲିସ ଗୁଳିରେ ୧୭ ଜଣଙ୍କ ପ୍ରାଣହାନି ଘଟିଥିଲା। ନିରଙ୍କରୀମାନେ ମଧ୍ୟ ହେଉଛନ୍ତି ଶିଖ ପନ୍ଥରୁ ବିଚ୍ଛିନ୍ନ ହୋଇଥିବା ସଂସ୍କାର ମାର୍ଗୀ ଗୋଷ୍ଠୀ, ଯେଉଁମାନେ ଶିଖମାନଙ୍କ ଚରମ ଶତ୍ରୁରେ ପରିଣତ ହୋଇଥିଲେ। ପ୍ରକାଶ ଥାଉ କି ସେହି ଘଟଣାରେ ଜର୍ନେଲ ସିଂହ ଭିନ୍ଦ୍ରନୱାଲେ ହିଁ ଶିଖ ଆକ୍ରମଣକାରୀ ଦଳର ନେତୃତ୍ବ ନେଇଥିଲେ। ଉଲ୍ଳେଖଯୋଗ୍ୟ ଯେ ଏହା ହିଁ ଥିଲା ଶିଖ ଉଗ୍ରବାଦ ଓ ବିଚ୍ଚିନ୍ନତାବାଦକୁ ଦାବାନଳ ରୂପ ପ୍ରଦାନ କରିବାରେ ପ୍ରଥମ ଅଗ୍ନି ସ୍ଫୁଲିଙ୍ଗ! କିନ୍ତୁ ୧୯୭୮ ମସିହାର ଉପରୋକ୍ତ ହିଂସାକାଣ୍ଡ ଘଟିବା ବେଳେ କାହା ମନରେ ଏଭଳି ଧାରଣା ସୃଷ୍ଟି ହୋଇ ନ ଥିଲା। ତେଣୁ ବିଶେଷଜ୍ଞମାନଙ୍କ ମତରେ ଗଲା ବୁଧବାର ଦିନ ଘଟିଥିବା ଘଟଣାକୁ ମଧ୍ୟ ହାଲୁକା ଭାବେ ନିଆଯିବା ଅନୁଚିତ। ଅନେକଙ୍କ ଧାରଣା ଯେ କାନାଡାରେ ପଲ୍ଲବିତ ହେଉଥିବା ‘ଖଲିସ୍ତାନ ବିଷ ବୃକ୍ଷ’ର କୌଣସି ପ୍ରଭାବ ଅଗତ୍ୟା ଭାରତ ଉପରେ ପଡ଼ିବ ନାହିଁ, ତାହାର ବିଷ କେବଳ କାନାଡାରେ ସଂଚରିତ ହେବ ଯାହା! କିନ୍ତୁ ବାସ୍ତବତାଟି ହେଲା, ବିଷ ବୃକ୍ଷର ବୀଜ ବିକ୍ଷେପ ଘଟି ଭାରତରେ ତାହା ଅଙ୍କୁରିତ ହେବାର ଆଶଙ୍କା ମଧ୍ୟ ରହିଛି! ତାକୁ ମଧ୍ୟ ନଜରଅନ୍ଦାଜ କଲେ ଚଳିବ ନାହିଁ।