ଅସହାୟ‌ା ଓ ନିର୍ଯାତିତା ମହିଳାମାନଙ୍କ ଆତ୍ମରାକ୍ଷା ଲାଗି ଆସିଥିବା ଆଇନ ରୂପକ ଆୟୁଧଟି ଇତ୍ୟବସରରେ କତିପୟ କୁବୁଦ୍ଧି-ସଂପନ୍ନାଙ୍କ ହାତରେ ଆକ୍ରମଣ ଲାଗି ଉଦ୍ୟତ ଓ ବ୍ୟବହୃତ ଅସ୍ତ୍ରରେ ପରିଣତ‌ ହୋଇଛି, ଯାହାର ହାଣ ମୁହଁରେ ଅଛନ୍ତି ଅନେକ ହତଭାଗ୍ୟ ନିର୍ଦ୍ଦୋଷ ପୁରୁଷ ଓ ତାଙ୍କ ପରିବାର।

Advertisment

ଗଲା ୯ ତାରିଖ ଦିନ ଘଟି ଯାଇଥିବା ଏକ ଅତ୍ୟନ୍ତ ବିମର୍ଷକର ଘଟଣା ଅସଂଖ୍ୟ ଭାରତୀୟଙ୍କୁ ବିଚଳିତ କରି ପକାଇଛି। ଏମିତି ଦେଖିଲେ ବର୍ତ୍ତମାନ ପରିପ୍ରେକ୍ଷୀରେ ହୁଏତ ଘଟଣାଟି ବିଶେଷ ଅସାଧାରଣ ଭଳି ମନେ ହୋଇ ନ ପାରେ, ଯାହା ବିବାହ ପରବର୍ତ୍ତୀ ଦାଂପତ୍ୟ ମନୋମାଳିନ୍ୟରୁ ଆରମ୍ଭ ହୋଇ ପତ୍ନୀଙ୍କ ଦ୍ବାରା ପାରିବାରିକ ହିଂସାର ଆରୋପ, ଅଦାଲତୀ ମାମଲା, ଭରଣପୋଷଣ ଲାଗି ଅର୍ଥ ଦାବି ଏବଂ ତଜ୍ଜନିତ ପୀଡ଼ା‌ ଓ ହତାଶାରେ ଜର୍ଜର ସ୍ବାମୀଙ୍କ ଆତ୍ମହତ୍ୟାରେ ସମାପ୍ତ ହୋଇଛି। ଏଥିରେ ଦ୍ବିରୁକ୍ତି ନାହିଁ ଯେ ଏଭଳି ଘଟଣା ଅ‌ନେକତ୍ର ଘଟୁଥିଲେ ହେଁ ସେ ସବୁ ଜାତୀୟ ଗଣମାଧ୍ୟମର ଶିରୋନାମାକୁ ମଧ୍ୟ ଉନ୍ନୀତ ହୋଇ ପାରି ନ ଥାଏ। ଅଥଚ, ଏହି ଘଟଣାଟି ଗଲା କିଛି ଦିନ ଧରି ଜାତୀୟ ଟେଲିଭିଜନ ନ୍ୟୁଜ୍‌ ଚ୍ୟାନେଲ୍‌ ଓ ସାମାଜିକ ଗଣମାଧ୍ୟମକୁ ପୂର୍ଣ୍ଣତଃ ଆବୋରି ବସିଛି। କାରଣ ଏହି ଘଟଣାରେ ହତଭାଗ୍ୟ ସ୍ବାମୀ ଆତ୍ମହତ୍ୟା କରିବା ପୂର୍ବରୁ ନିଜ ବ୍ୟଥା, ଅସହାୟତା ଓ ତୀବ୍ର ହତାଶାବୋଧକୁ ବ୍ୟକ୍ତ କରି ହୃଦୟ ଦହନ କଲା ଭଳି ଏକ ଚଉରାଅଶୀ ମିନିଟ୍ ଦୀର୍ଘ ଭିଡିଓ ସାମାଜିକ ଗଣମାଧ୍ୟମରେ ଅପଲୋଡ୍‌ କରିଥିଲେ। କହିବା ବାହୁଲ୍ୟ, ଏହା ସହିତ ପାରିବାରିକ ହିଂସା ସଂଦର୍ଭରେ ଆମ ଦେଶର ଆଇନ କିଭଳି ଲିଙ୍ଗୀୟ ପକ୍ଷପାତିତା ପ୍ରଦର୍ଶନ କରିଥାଏ, ତାହା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି, ଯେଉଁ ସଂପର୍କରେ ଏକ କ୍ଷୁଦ୍ର ଆଲୋଚନା ଏଠାରେ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ। 
ଏହା ନିଃସନ୍ଦେହ ଯେ ଖୁବ୍‌ ଭାଇରାଲ ହୋଇଥିବା ଉପରୋକ୍ତ ଭିଡିଓ, ତତ୍‌ ପରବର୍ତ୍ତୀ ଗଣମାଧ୍ୟମରେ ସୃଷ୍ଟ ଆଲୋଚନା ଓ ସାମାଜିକ ଗଣମାଧ୍ୟମରେ କ୍ରୋଧ ବ୍ୟକ୍ତକାରୀ ତିରସ୍କାରର ଝଡ଼ ଇତ୍ୟାଦି ମାଧ୍ୟମରେ ଏହି ସ୍ତମ୍ଭର ପାଠକପାଠିକାମାନେ ସୁନିଶ୍ଚିତ ଭାବେ ଅବଗତ ହୋଇ ସାରିଥିବେ ଯେ ଚଉତିରିଶ ବର୍ଷ ବୟସ୍କ ଆଇ. ଟି. ଇଂଜିନିଅର ଅତୁଲ ସୁଭାଷ କିଭଳି ତାଙ୍କ ମୃତ୍ୟୁ ପୂର୍ବରୁ ଲିଖିତ ଚବିଶ ପୃଷ୍ଠାର ଏକ ସୁଦୀର୍ଘ ଅଭିଯୋଗ ପତ୍ର ଓ ଭିଡିଓରେ ଭାରତୀୟ ନ୍ୟାୟ ସଂହିତାର ଧାରା ୪୯୮(କ)କୁ ଏକ ସୁବ୍ୟବସ୍ଥିତ ପୁରୁଷ ଗଣସଂହାରକାରୀ ଅସ୍ତ୍ର ରୂପେ ବର୍ଣ୍ଣନା‌ କରିଛନ୍ତି। କହିବା ବାହୁଲ୍ୟ ଯେ ମହିଳାମାନଙ୍କୁ ଯୌତୁକ ଦାବି ଜନିତ ପୁରୁଷ ପୈଶାଚିକତା ଓ ପାରିବାରିକ ହିଂସାରୁ ସୁରକ୍ଷା ପ୍ରଦାନ କରିବା ଲାଗି ୧୯୮୩ ମସିହାରେ ରୂପ ପାଇଥିବା ୪୯୮(କ) ଅନେକ ନିର୍ଯାତିତା ମହିଳାଙ୍କୁ ସୁରକ୍ଷିତ କରି ପାରିଥିଲେ ହେଁ ଏହାର ଉତ୍କଟ ଦୁରୁପଯୋଗ ଏହି ଆଇନରେ ନିହିତ ଥିବା ଲିଙ୍ଗୀୟ ପକ୍ଷପାତିତାକୁ ମଧ୍ୟ ଉଜାଗର କରିଥାଏ। କାରଣ ଏହି ଆଇନର ପ୍ରାବଧାନ ଅନୁସାରେ କୌଣସି ମହିଳା ପାରିବାରିକ ହିଂସାକୁ ନେଇ ଥାନାରେ ଅଭିଯୋଗ କଲେ ଅଭିଯୁକ୍ତ ସ୍ବାମୀ ବା ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ତତ୍‌କ୍ଷଣାତ୍‌ ଗିରଫ କରାଯାଇଥାଏ, ତେଣିକି ମାମଲାଟି ଅନ୍ତହୀନ କାଳ ପର୍ଯ୍ୟନ୍ତ ଚାଲି ଅଭିଯୁକ୍ତମାନଙ୍କ ଲାଗି ନର୍କ ସୃଷ୍ଟି କରିଥାଏ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଶଂସିତ ଆଇନର ଦୁରୁପଯୋଗ କରାଯାଇ ଅନେକ ମାମଲାରେ ନିର୍ଦ୍ଦୋଷ ସ୍ବାମୀ ଓ ପରିବାରର ଅନ୍ୟ ନିରୀହ ସଦସ୍ୟମାନଙ୍କୁ ମଧ୍ୟ ସେହି ନର୍କ ମଧ୍ୟକୁ ନି‌େକ୍ଷପିତ କରାଯାଉଛି। କେବଳ ସେତିକି ନୁହେଁ, ଏହା ଜରିଆରେ ‘ବ୍ଲାକ୍‌ମେଲିଂ’ ଓ ବିପୁଳ ଅର୍ଥ ଆଦାୟର ସୁଗମ ପନ୍ଥା ମଧ୍ୟ ଉନ୍ମୋଚିତ ହୋଇ ଯାଇଛି। ଉପରୋକ୍ତ ଘଟଣାରେ ଆତ୍ମହତ୍ୟା କରିଥିବା ଇଂଜିନିଅରଙ୍କ ପତ୍ନୀଙ୍କ ଅର୍ଥ ଦାବି କୁଆଡ଼େ ତିନି କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ଏହି ସଂଦର୍ଭରେ ଅନେକ ଆଇନଜୀବୀ ସେମାନଙ୍କ ଅନୁଭୂତିରୁ କହିଥାଆନ୍ତି ଯେ ଏହା କ୍ରମେ ଆଇନ ବଳରେ ବଳୀୟାନ ବଟି ଆଦାୟ ରୢାକେଟ୍‌କୁ ମଧ୍ୟ ଜନ୍ମ ଦେଲାଣି!
ପ୍ରକାଶ ଥାଉ କି ଏକ କାକତାଳୀୟ ନ୍ୟାୟ ସୁଲଭ ଘଟଣାରେ ଗଲା ୧୦ ତାରିଖ ଦିନ ସର୍ବୋଚ୍ଚ ଅଦାଲତର ଏକ ଖଣ୍ଡପୀଠ (ଜଷ୍ଟିସ ବି.ଭି. ନାଗରତ୍ନ ଓ ଏନ୍‌. କୋଟୀଶ୍ବର ସିଂହ) ଏକ ବିବାହ-ବିଚ୍ଛେଦ ଓ ପାରିବାରିକ ହିଂସା ସଂବଳିତ ମାମଲାର ଶୁଣାଣି କରି ମହିଳାଙ୍କ ପକ୍ଷର ଅଭିଯୋଗକୁ ନାକଚ କରିବା ସହିତ ୪୯୮(କ)ର କ୍ରମବର୍ଦ୍ଧିଷ୍ଣୁ ଦୁରୁପଯୋଗ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଅନେକ ଆଇନଜୀବୀ ଓ ବିଶେଷଜ୍ଞଙ୍କ ମତରେ ଏଭଳି ଧାରା ସୃଷ୍ଟି ହେବା ପଛରେ ନିହିତ ଏକ ବଡ଼ କାରଣ ହେଉଛି ଏହି ଆଇନରେ ଥିବା ଲିଙ୍ଗୀୟ ପକ୍ଷପାତ, ଯେଉଁ କାରଣରୁ ପାରିବାରିକ ହିଂସାର ଶିକାର ନିର୍ଯାତିତ ପୁରୁଷ ୪୯୮(କ) ଭଳି କୌଣସି ଆଇନର ସହାୟତା ପାଇ ନ ଥାଏ, ଯଦିଓ ଏଭଳି ପୁରୁଷଙ୍କ ସଂଖ୍ୟା ଖୁବ୍‌ ଅଧିକ ଏବଂ ନିରନ୍ତର ବୃଦ୍ଧି ପାଇବା‌େର ଲାଗିଛି। ସେମାନେ କହନ୍ତି ଯେ ଏହି ଆଇନ ଏଭଳି ପକ୍ଷପାତଭରା ଯେ ପରିବାରର ସନ୍ତାନମାନଙ୍କ ଦ୍ବାରା ପୀଡ଼ିତ ବୃଦ୍ଧ ‘ପିତା’ ପାରିବାରିକ ହିଂସା ଆଇନର ସହାୟତା ପାଇ ନ ଥିବା ବେଳେ ‘ମାତା’ ଜଣେ ମହିଳା ହୋଇଥିବା କାରଣରୁ ଆଇନଗତ ସୁରକ୍ଷା ପାଆନ୍ତି। ଦ୍ବିତୀୟ ବିଷୟ ହେଲା, କୌଣସି ମହିଳାଙ୍କ ଅଭିଯୋଗ ମିଥ୍ୟା ଓ ଅଭିସନ୍ଧି ପ୍ରଣୋଦିତ ବୋଲି ପ୍ରମାଣିତ ହେଲେ ସୁଦ୍ଧା ସେ ଦଣ୍ଡିତ ହୋଇ ନ ଥାଆନ୍ତି। ଏ ସଂକ୍ରାନ୍ତରେ ଉପଲବ୍‌ଧ ପରିସଂଖ୍ୟାନ ଉପରେ ଦୃଷ୍ଟି ପକାଇଲେ ଜଣା ପଡ଼େ ଯେ ଏଭଳି ଘଟଣାରେ ସାମାନ୍ୟ ହେଲେ ସୁଦ୍ଧା ନିରନ୍ତର ବୃଦ୍ଧି ଘଟି ଚାଲିଛି। ୨୦୧୬ ମସିହାରେ ଏଭଳି ମିଛ ଅଭିଯୋଗର ହାର ପ୍ରାୟ ୪% ଥିବା ବେଳେ ୨୦୨୨ ମସିହାରେ ତାହା ବୃଦ୍ଧି ପାଇ ୫.୬%ରେ ପହଞ୍ଚିଛି। ଅନେକ ହୁଏତ କହି ପାରନ୍ତି ଯେ ଏହା ଅତ୍ୟନ୍ତ ନଗଣ୍ୟ; କିନ୍ତୁ ଅସଂଗତିଟି ହେଲା ଏହି ପୁରୁଷମାନେ ନିର୍ଦ୍ଦୋଷ ହୋଇଥିବା ସତ୍ତ୍ବେ ଦଣ୍ଡତ ହେବାରେ ଲାଗିଛନ୍ତି ଏବଂ ଏହି ପ୍ରକରଣରେ ଆଇନ ସେମାନଙ୍କୁ ସୁରକ୍ଷା ଦେବା ବଦଳରେ ଉତ୍‌ପ୍ରେରକ ସାଜିଛି। ଏହା ଠାରୁ ବଳି ବିଡ଼ମ୍ବନା ଆଉ କ’ଣ ବା ଥାଇପାରେ! ଆଇନଜୀବୀମାନେ କହନ୍ତି ଯେ ବିବାହ-ବିଚ୍ଛେଦ ମାମଲାରେ ‌ଜଣେ ରୋଜଗାରଶୂନ୍ୟ ପୁରୁଷ ସକାଶେ ରୋଜଗାରିଆ ପତ୍ନୀ ଦ୍ବାରା ଭରଣପୋଷଣ ରାଶି ପ୍ରଦାନର ଆଇନଗତ ବ୍ୟବସ୍ଥା ଥିଲେ ହେଁ ଆମ ଦେଶରେ ତାହା କେବେ ହେଲେ ଘଟି ନ ଥାଏ, ଯାହା ମଧ୍ୟ ବିଚାରପତିମାନଙ୍କ ଲିଙ୍ଗୀୟ ପକ୍ଷପାତ ଆଡ଼କୁ ଇଙ୍ଗିତ କରିଥାଏ। ଅତୁଲ ସୁଭାଷଙ୍କ ପ୍ରାକ୍‌ ଆତ୍ମହତ୍ୟା ଜମାନବନ୍ଦୀରୁ ଜଣାପଡ଼ିଥାଏ ଯେ ପତ୍ନୀ ଓ ତାଙ୍କ ପରିବାରର ସଦସ୍ୟଙ୍କ ବ୍ୟତୀତ ଜୌନପୁରର ନିମ୍ନ ଅଦାଲତର ବିଚାରପତି ଏପରିକି ତାଙ୍କ ପେସ୍କାର ମଧ୍ୟ ତାଙ୍କ ଠାରୁ ଅର୍ଥ ଶୋଷଣ କରିବାରେ ବ୍ୟାପୃତ ଥିଲେ। ସୁତରାଂ, ୪୯୮(କ) ଇତିମଧ୍ୟରେ ଅର୍ଥ ଶୋଷଣର ଏକ ସୁନିୟୋଜିତ ବ୍ୟବସ୍ଥାରେ ପରିଣତ ହୋଇଛି, ଯହିଁରେ ଅଭିଯୋଗକାରୀ ପତ୍ନୀ, ତାଙ୍କ ପରିବାର, ତାଙ୍କ ପକ୍ଷରୁ ଲଢୁଥିବା ଓକିଲ, ଏପରିକି ଅଦାଲତର କର୍ମଚାରୀମାନେ ହିତାଧିକାରୀ ଭାବେ ଆବିର୍ଭୂତ ହୋଇଥାଆନ୍ତି। ଏହା ଏକ ଉତ୍କଟ ସମସ୍ୟା, ଯାହାର ସମାଧାନ କେବଳ ଆଇନଗତ ସଂସ୍କାର ମାଧ୍ୟମରେ ସମ୍ଭବ, ଯେଉଁଠି ମିଥ୍ୟା ଅଭିଯୋଗ ଆଣୁଥିବା ମହିଳାମାନଙ୍କ ସକାଶେ କଠୋର ଦଣ୍ଡ ବିଧାନର ପ୍ରାବଧାନ ଅନିବାର୍ଯ୍ୟ ହେବ। ସତ କଥାଟି ହେଲା ଏହି ମଙ୍ଗଳକାଙ୍‌କ୍ଷୀ ଆଇନର ଦୁରୁପଯୋଗରେ ବିରାମ ନ ଘଟିଲେ ସେହି ମହିଳାମାନେ ମଧ୍ୟ ବିଶ୍ବାସହାନିର ଶରବ୍ୟ ହେବେ, ଯେଉଁମାନେ ବାସ୍ତବରେ ନିର୍ଯାତନାର ଶିକାର ହୋଇ ଦୁର୍ବିଷହ ଜୀବନ ଜିଉଛନ୍ତି ଏବଂ ପରିତ୍ରାଣ ଲାଗି ୪୯୮(କ)କୁ ଲୋଡ଼ି ଥାଆନ୍ତି।
ସୁତରାଂ, ଅସହାୟ‌ା ଓ ନିର୍ଯାତିତା ମହିଳାମାନଙ୍କ ଆତ୍ମରାକ୍ଷା ଲାଗି ଆସିଥିବା ଆଇନ ରୂପକ ଆୟୁଧଟି ଇତ୍ୟବସରରେ କତିପୟ କୁବୁଦ୍ଧି-ସଂପନ୍ନାଙ୍କ ହାତରେ ଆକ୍ରମଣ ଲାଗି ଉଦ୍ୟତ ଓ ବ୍ୟବହୃତ ଅସ୍ତ୍ରରେ ପରିଣତ‌ ହୋଇଛି, ଯାହାର ହାଣ ମୁହଁରେ ଅଛନ୍ତି ଅନେକ ହତଭାଗ୍ୟ ନିର୍ଦ୍ଦୋଷ ପୁରୁଷ ଓ ତାଙ୍କ ପରିବାର। ଜାପାନର ସମୁରାଇ ଯୋଦ୍ଧାମାନେ ଆତ୍ମରକ୍ଷା ଲାଗି ଢାଲର ବ୍ୟବହାର କରି ନ ଥାଆନ୍ତି; ଆତ୍ମରକ୍ଷା ଓ ଆକ୍ରମଣ ଉଭୟଟି ଲାଗି ସେମାନେ ବ୍ୟବହାର କରନ୍ତି ଶାଣିତ ଖଡ୍‌ଗ। ଏଭଳି ଏକ ପରିସ୍ଥିତିରେ ଅସ୍ତ୍ରର ବ୍ୟବହାରରେ ସଂଯମ ଓ ବିବେଚନାବୋଧ ସର୍ବାଧିକ ଗୁରୁତ୍ବ ପାଇଥାଏ। ସେଥି ଲାଗି ସମୁରାଇ ଯୋଦ୍ଧାମାନେ ନୀତି, ନୈତିକତା, ଶୃଙ୍ଖଳା, ସଂଯମ ଓ ବିଚାରବୋଧର ଦୃଷ୍ଟାନ୍ତ ପାଲଟି ଥାଆନ୍ତି। ୪୯୮(କ) ମଧ୍ୟ ସେହି ଭଳି ଏକ ସମୁରାଇ ଖଡ଼୍‌ଗ, ଯାହାର ବ୍ୟବହାର ମଧ୍ୟ ସୂକ୍ଷ୍ମ ବିବେକବୋଧ ଲୋଡ଼ିଥାଏ। କଦବା କ୍ବଚିତ୍‌ ଉଦ୍‌ଭ୍ରାନ୍ତ ସମୁରାଇ ଯୋଦ୍ଧାମାନଙ୍କ ଆ‌ବିର୍ଭାବ ମଧ୍ୟ ଘଟିଥାଏ, କିନ୍ତୁ ସେମାନଙ୍କ ପ୍ରତି ଶୂନ୍ୟ ସହନଶୀଳତା ଓ କଠୋର ଦଣ୍ଡ ବଳରେ ସମୁରାଇ ସୁନାମକୁ ବଳବତ୍ତର ରଖାଯାଏ। ୪୯୮(କ)ର ଅପବ୍ୟବହାରକାରୀମାନଙ୍କ ପ୍ରତି ମଧ୍ୟ ସମତୁଲ ଶୂନ୍ୟ ସହନଶୀଳତାର ଆବଶ୍ୟକତା ରହିଛି।