୧୯୪୭ ମସିହାରୁ ଏହା ପ୍ରମାଣିତ ହୋଇ ସାରିଛି ଯେ ପାକିସ୍ତାନ ଏକ ମିଥ୍ୟାବାଦୀ ରାଷ୍ଟ୍ର। ଦେଶ ସ୍ବାଧୀନ ହେବା ମାତ୍ରକେ ପାକିସ୍ତାନ ସେନା ପକ୍ଷରୁ କାଶ୍ମୀର ଆକ୍ରମଣ କରାଯାଇଥିଲେ ହେଁ ଜାତିସଂଘ ସମ୍ମୁଖରେ ପାକିସ୍ତାନ କହିଥିଲା ଯେ ଏହା ହେଉଛି କିଛି ବିଦ୍ରୋହୀ ଯାଯାବର ଗୋଷ୍ଠୀର ଉପଦ୍ରବ। କିନ୍ତୁ, ପରେ ଜାତିସଂଘର ଏକ ଅନୁସନ୍ଧାନକାରୀ ଦଳ କାଶ୍ମୀର ଗସ୍ତ କରି ପ୍ରକୃତ ସତ୍ୟ ଉଦ୍‌ଘାଟନ କରିଥିଲେ, ଯାହା ବିଶଦ ଭାବେ ନଥିକୃତ।

Advertisment

ଭାରତ ଓ ପାକିସ୍ତାନ ମଧ୍ୟ‌େର ଯୁଦ୍ଧର ଘନଘଟା କ୍ରମେ ଘନୀଭୂତ ହୋଇ ଚାଲିଥିବା ବେଳେ ଉନ୍ନତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଏକ ପ୍ରକାର ଦ୍ବନ୍ଦ୍ବରେ ଘାରି ହେଉଥିବା ବିଷୟ ସ୍ପଷ୍ଟ-ଅସ୍ପଷ୍ଟ ହୋଇ ଦିଶିଥାଏ, ଯେଉଁ ରାଷ୍ଟ୍ରଗୁଡ଼ିକ ଉଦାରବାଦ, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଉଚ୍ଚ ‌େନୖତିକାଦର୍ଶର ପୃଷ୍ଠପୋଷକ ଏବଂ ରକ୍ଷକ ଭାବେ ଚିହ୍ନିତ ହେବାକୁ ଚାହିଥାଆନ୍ତି। ଉଲ୍ଲେଖଯୋଗ୍ୟ ଯେ ଅତ୍ୟନ୍ତ ନରକୀୟ ପହଲଗାମ ଆତଙ୍କବାଦୀ ଆକ୍ରମଣ ସଂଦର୍ଭରେ ଏହି ସବୁ ରାଷ୍ଟ୍ର ଦ୍ବାରା ପ୍ରକାଶିତ ମର୍ମ ବେଦନାରେ ସେହି ଦ୍ବନ୍ଦ୍ବକୁ ଦେଖି ‌ହୋଇଥାଏ, ଯାହା ଆତଙ୍କବାଦ ବିପକ୍ଷରେ ଏକ ତୀବ୍ର ସ୍ବରକୁ ଏ ଯାବତ୍‌ ସମ୍ଭବ କରାଇ ପାରୁନାହିଁ। ଅବଶ୍ୟ, ଏହା ସତ ଯେ ପହଲଗାମ ଆକ୍ରମଣକୁ ପ୍ରାୟ ସମସ୍ତ ରାଷ୍ଟ୍ର ନିନ୍ଦା କରିଛନ୍ତି, କିନ୍ତୁ ଏହି ବର୍ବରୋଚିତ କାଣ୍ଡରେ ପାକିସ୍ତାନର ସଂପୃକ୍ତି ବାବଦରେ ଏକ ସାନ୍ଦ୍ର ନିରବତା ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ, ପାଶ୍ଚାତ୍ୟ ଗଣମାଧ୍ୟମଗୁଡ଼ିକ ଏହି ଘଟଣାକୁ ନେଇ ପରିବେଷଣ କରିଥିବା ସମ୍ବାଦରେ ମଧ୍ୟ ଏକ ‌େନୖରାଶ୍ୟଜନକ ଆଭିମୁଖ୍ୟ ପ୍ରଦର୍ଶିତ ହୋଇଥିଲା, ଯାହା ପ୍ରକାରାନ୍ତରେ ଆତଙ୍କବାଦୀ ସଂଗଠନ ବା ସେମାନଙ୍କ ଗାର୍ଜନ ପାକିସ୍ତାନକୁ ସନ୍ତୁଷ୍ଟ କରିଥିବ। ଏଭଳି ସ୍ଥଳେ ଏ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ। 
ପ୍ରକାଶ ଥାଉ କି ‘ବି.ବି.ସି’ ଓ ‘ଦ ରଏଟର୍ସ’ ଭଳି ଦୃଶ୍ୟ-ଶ୍ରାବ୍ୟ ଗଣମାଧ୍ୟମ ଏବଂ ‘ଦ ଗାର୍ଡିଆନ’ ଓ ‘ଦ ନ୍ୟୁୟର୍କ ଟାଇମ୍‌ସ’ ଭଳି ଖବରକାଗଜ‌ର ଶିରୋନାମା ଓ ସମ୍ବାଦରେ ପହଲଗାମର ନର ଘାତକମାନଙ୍କୁ ‘ମିଲିଟାଣ୍ଟ’, ‘ଗନ୍ ମେନ୍‌’ ଏପରିକି ‘ସସ୍‌ପେକ୍ଟେଡ୍‌ ମିଲିଟାଣ୍ଟ’ ଭାବେ ଅଭିହିତ କରାଯାଇଥିଲା, ଯାହାର ଓଡ଼ିଆ ଭାଷାନ୍ତର ହେବ ‘ସଶସ୍ତ୍ର ବିଦ୍ରୋହୀ’, ‘ବନ୍ଧୁକଧାରୀ’ ଏବଂ ‘ସନ୍ଦିଗ୍‌ଧ ସଶସ୍ତ୍ର ବିଦ୍ରୋହୀ’। ଏହାର ଅର୍ଥ ଆତତାୟୀମାନେ ନିର୍ଦ୍ଦିଷ୍ଟ ଭାବେ ‘ଆତଙ୍କବାଦୀ’ ନ ଥିଲେ। ଏହା ଅସମ୍ଭବ ଯେ ଏଭଳି ଏକ ଗୁରୁତର ଘଟଣାକୁ ନେଇ ପ୍ରକାଶିତ ବା ପ୍ରସାରିତ ସମ୍ବାଦରେ ‘ଶିରୋନାମା ନିର୍ଣ୍ଣୟ’ କୌଣସି ଅର୍ବାଚୀନ ‘ଡେସ୍କ ଏଡିଟର’ ଦ୍ବାରା ହୋଇଥିବ! ନିଶ୍ଚିତ ଭାବେ ଏକ ଅଭିଜ୍ଞ ସଂପାଦନା ମଣ୍ଡଳୀର ମାନସ-ମନ୍ଥନ ଏଭଳି ‘ସଂବୋଧନ’କୁ ଜନ୍ମ ଦେଇଥିବ, ଯାହାର ପ୍ରଚ୍ଛନ୍ନ ଉଦ୍ଦେଶ୍ୟ ହୋଇଥିବ ଏହି ନର-ଜହ୍ଲାଦମାନଙ୍କ କାର୍ଯ୍ୟର ପୈଶାଚିକ ଆବେଦନକୁ ଯଥାସମ୍ଭବ ପାଣିଚିଆ କରି ଦେବା! ଅବଶ୍ୟ, ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହାର ଘୋର ପ୍ରତିବାଦ କରାଯାଇଛି; କିନ୍ତୁ ପ୍ରକୃତ ପ୍ରହାର ପକାଇଛି ଯୁକ୍ତରାଷ୍ଟ୍ର ଆମେରିକାର ଗୃହ କମିଟି, ଯାହାର ଆକଟ ପରେ ଏହି ଗଣମାଧ୍ୟମଗୁଡ଼ିକ ଦ୍ବାରା ‘ଆତଙ୍କବାଦୀ’ ଶବ୍ଦ ବ୍ୟବହୃତ ହେଉଥିବା ଦେଖିବାକୁ ମିଳିଥାଏ। ତେବେ, ଏଭଳି ଘଟଣା ଉଇଲିଅମ ସେକ୍‌ସପିଅରଙ୍କ ରଚିତ ନାଟକର ଏକ ଶ୍ରେଷ୍ଠ ଚରିତ୍ର ହାମଲେଟଙ୍କୁ ସ୍ମରଣକୁ ଆଣିଥାଏ, ଯିଏ କ’ଣ କରଣୀୟ ଏବଂ କ’ଣ ନିଷ୍ପତ୍ତି-ଯୋଗ୍ୟ ତାହା ନିର୍ଦ୍ଧାରଣ କରି ନ ପାରି ତଥା ନିରନ୍ତର ଦ୍ବନ୍ଦ୍ବରେ ରହି ଆପଣା ଦୁଃଖଦ ଅନ୍ତର କାରଣ ହୋଇଥିଲେ। ପାଶ୍ଚାତ୍ୟ ଗଣମାଧ୍ୟମ ସେଭଳି ଦ୍ବନ୍ଦ୍ବର ଶିକାର, ଯେଉଁଠି ‘ଅଭିସନ୍ଧି’କୁ ‘ଆଦର୍ଶ’ର ମାନ୍ୟତା ଦିଆଯାଇ ଆତଙ୍କବାଦୀଙ୍କୁ ଆତଙ୍କବାଦୀ ବୋଲି ଅଭିହିତ କରିବାରେ କୁଣ୍ଠା ରହିଥାଏ; ସେମାନଙ୍କୁ ‘ଜେହାଦୀ’ ଓ ‘ମିଲିଟାଣ୍ଟ’ ରୂପେ ଅଭିହିତ କରାଯାଇଥାଏ। ଏଥିରେ ଦ୍ବିଧା ନାହିଁ ଯେ ଇତିମଧ୍ୟରେ ଅଧିକାଂଶ ପାଶ୍ଚାତ୍ୟ ରାଷ୍ଟ୍ର ଆତଙ୍କବାଦର ଭୟାବହତା ଅଙ୍ଗେ ନିଭେଇ ସାରିଲେଣି, କିନ୍ତୁ ବିଡ଼ମ୍ବନାଟି ହେଲା କେବଳ ଶ୍ବେତାଙ୍ଗ ଅଧ୍ୟୁଷିତ ରାଷ୍ଟ୍ରରେ ସେ ସବୁ ସଂଘଟିତ ହେଲେ ତାହା ଆତଙ୍କବାଦ ରୂପେ ପରିଗଣିତ ହୋଇଥାଏ; ଭାରତର ପହଲଗାମ‌େର ‘ଟି.ଆର.ଏଫ.’(ଜୈସ-ଏ-ମହମ୍ମଦର ଏକ ଶାଖା) ଦ୍ବାରା ରଚିତ ଗଣ ସଂହାର ବା ନାଇଜେରିଆରେ ‘ବୋକୋହାରାମ’ର ରକ୍ତସ୍ନାତ ବର୍ବରତା ସଂଦର୍ଭରେ ଏହି ସ୍ପଷ୍ଟତା ଦିଶି ନ ଥାଏ। କହିବା ବାହୁଲ୍ୟ, ଏଭଳି ଆଭିମୁଖ୍ୟ ଆତଙ୍କବାଦକୁ ପ୍ରୋତ୍ସାହନ ଯୋଗାଇଥାଏ।
ଉପର ବର୍ଣ୍ଣିତ ଆଭିମୁଖ୍ୟର ସୁ‌େଯାଗ ନେଇ ପହଲଗାମ ଘଟଣାରେ ପାକିସ୍ତାନ ପକ୍ଷରୁ ସଂଶୟର ଧୂମ ପଟଳ ସୃଷ୍ଟିର ଉଦ୍ୟମ କରାଯାଇଛି। ଏହି ଘଟଣାରେ ଆପଣା ସଂପୃକ୍ତିକୁ ସଂପୂର୍ଣ୍ଣ ଅସ୍ବୀକାର କରିବା ସହିତ ଏକ ନିରପେକ୍ଷ ଅନୁସନ୍ଧାନ ଲାଗି ପାକିସ୍ତାନ ଦ୍ବାରା ପ୍ରସ୍ତାବ ଦିଆଯାଇଥିଲା, ଯାହାକୁ ଭାରତ ସ୍ବାଭାବିକ ଭାବେ ଅସ୍ବୀକାର କରିଛି। କିନ୍ତୁ, ଏହାର ସୁଯୋଗ ନେଇ ପାକିସ୍ତାନ ଏକ ଧାରଣା ସୃଷ୍ଟି କରିବାର ଉଦ୍ୟମ କରିଛି ଯେ ଭାରତ ନିକଟରେ ପ୍ରମାଣ ଅନୁପଲବ୍‌ଧ। କିନ୍ତୁ ବିଚିତ୍ର ବାସ୍ତବତାଟି ହେଲା ଏହା ଯେ ଆତଙ୍କବାଦ ସହିତ ପାକିସ୍ତାନର ଘନିଷ୍ଠତାର ପ୍ରଚୁର ପ୍ରମାଣ ପ୍ରାୟ ସମସ୍ତ ପାଶ୍ଚାତ୍ୟ ରାଷ୍ଟ୍ର ନିକଟରେ ବିଦ୍ୟମାନ, ଯାହା ଆତଙ୍କବାଦ ପ୍ରଶମନ ଉଦ୍ଦେଶ୍ୟରେ ଭାରତ ଦ୍ବାରା ପ୍ରଦତ୍ତ। ଏହା ସର୍ବଜନବିଦିତ ଯେ ସାରା ପୃଥିବୀ ଖୋଜି ବୁଲୁଥିବା ପଳାତକ ଆତଙ୍କବାଦୀ ଓସାମା ବିନ ଲାଡେନକୁ ଏହି ରାଷ୍ଟ୍ର ଆଶ୍ରୟ ଦେଇଥିଲା ଏବଂ ତା’ର ନିଧନରେ ତାକୁ ‘ସହିଦ’ ବୋଲି ସଂବୋଧନ କରିଥିଲା। ଗଲା ମେ ୭ ତାରିଖରେ ହୋଇଥିବା ‘ଅପରେସନ ସିନ୍ଦୂର’ ଦ୍ବାରା ପାକିସ୍ତାନ ଅଧିକୃତ କାଶ୍ମୀରର ଆତଙ୍କବାଦୀ ପ୍ରଶିକ୍ଷଣ ଶିବିରମାନ ବିଧ୍ବସ୍ତ ହେବା ପରେ ଗଣମାଧ୍ୟମକୁ ଅବାଧ ବିବୃତ୍ତି ପ୍ରଦାନ କରୁଥିବା ମାସୁଦ ଅଜହର ହେଉଛି ଜାତିସଂଘ ଦ୍ବାରା ଘୋଷିତ ଓ ଚିହ୍ନିତ ଆତଙ୍କବାଦୀ। ଏହା କ’ଣ ପ୍ରମାଣିତ କରି ନ ଥାଏ ଯେ ପାକିସ୍ତାନ ହେଉଛି ଆତଙ୍କବାଦୀଙ୍କ ଖେଲା ଚାରଣ ଭୂମି? କେବଳ ସେତିକି ନୁହେଁ, ଗଲା ସପ୍ତାହରେ ପାକିସ୍ତାନର ପ୍ରଧାମମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଇଲେକ୍‌ଟ୍ରୋନିକ ଗଣମାଧ୍ୟମରେ ସ୍ବୀକାର କରିଛନ୍ତି ଯେ ଅତୀତରେ ପାକିସ୍ତାନର କ୍ଷମତା କେନ୍ଦ୍ର ଦ୍ବାରା ଆତଙ୍କବାଦକୁ ପୃଷ୍ଠପୋଷକତା ଯୋଗାଇ ଦିଆଯାଉଥିଲା। ୨୦୦୮ ମସିହାର ମୁମ୍ବାଇ ଆତଙ୍କବାଦୀ ଘଟଣାରେ ଜୀବିତାବସ୍ଥାରେ ଧରା ପଡ଼ିଥିବା ଅଜମଲ କସାବ ଥିଲା ପାକିସ୍ତାନ ସଂପୃକ୍ତିର ଏକ ପ୍ରତ୍ୟକ୍ଷ ପ୍ରମାଣ। ଏହା ସତ୍ତ୍ବେ ପାକିସ୍ତାନ ପକ୍ଷରୁ ଆପଣା ସଂପୃକ୍ତିକୁ ଅସ୍ବୀକାର କରାଯାଇଥିଲା। ତେବେ, ଏହାର କିଛି ଦିନ ପରେ ପାକସ୍ତାନର ଭୂମିକାକୁ ସ୍ବୀକାର କରି ମନ୍ତବ୍ୟ ଦେଇଥିବା ସେଠାକାର ‘ରାଷ୍ଟ୍ରୀୟ ଅନୁସନ୍ଧାନ ଏଜେନ୍‌ସି’ର ମୁଖ୍ୟ ମେଜର ଜେନେରାଲ ମହମୁଦ ଦୁରାନୀ ମାତ୍ର କେଇ ଘଣ୍ଟା ଭିତରେ ତାଙ୍କ ପଦରୁ ବହିଷ୍କୃତ ହୋଇଥିଲେ। ‌େତବେ, ଆତଙ୍କବାଦୀ ଆକ୍ରମଣ ସଂଦର୍ଭରେ ପାକିସ୍ତାନର ସଂପୃକ୍ତିକୁ ନେଇ ଭାରତର ବାରମ୍ବାର ଅଭିଯୋଗ କ୍ରମେ ଉଭୟ ଦେଶର ଏକ ମିଳିତ ଅନୁସନ୍ଧାନ ସକାଶେ ୨୦୧୭ ମସିହାରେ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଅଗତ୍ୟା ରାଜି ହୋଇଥିଲେ। ଏଥିରେ ୨୦୧୬ ମସିହାରେ ସଂଘଟିତ ପଠାନକୋଟ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ମିଳିତ ତଦନ୍ତ ପରିସରଭୁକ୍ତ କରାଯାଇଥିଲା। ଏ ସଂକ୍ରାନ୍ତରେ ଭାରତ ପକ୍ଷରୁ ମୃତ ଆତଙ୍କବାଦୀଙ୍କ ‘ଡି.ଏନ.ଏ.’ ନମୁନାରୁ ଆରମ୍ଭ କରି ‌େସମାନଙ୍କ ଫୋନ ବାର୍ତ୍ତାଳାପର ରେକର୍ଡିଂ ପର୍ଯ୍ୟନ୍ତ ଅନେକ ପ୍ରମାଣ ଯୋଗାଇ ଦିଆଯାଇଥିଲା। କିନ୍ତୁ, ପରିଶେଷରେ ଅନୁସନ୍ଧାନ ପଥଭ୍ରଷ୍ଟ ହୋଇ ଯାଇଥିଲା। କାରଣ ପାକିସ୍ତାନର ପ୍ରମୁଖ ସମ୍ବାଦପତ୍ର ‘ଡନ୍‌’ରେ ଏ ଅନୁସନ୍ଧାନ ସଂଦର୍ଭରେ ଏକ ଖବର ପ୍ରକାଶିତ ହେବାର ଦୁଇ ମାସ ମଧ୍ୟରେ ଏକ ହାସ୍ୟାସ୍ପଦ ଅଭଯୋଗର ଶୁଣାଣି କରି ପାକିସ୍ତାନୀ ଅଦାଲତ ନୱାଜ ସରିଫଙ୍କୁ ଗାଦିଚ୍ୟୁତ କରିଥିଲା। ଉଲ୍ଲେଖନୀୟ ଯେ ‘ଡନ୍‌’ରେ ପ୍ରକାଶିତ ଖବରଟି ଏକ ଲିକ୍‌ ହୋଇଥିବା ପତ୍ରକୁ କେନ୍ଦ୍ର କରି ଥିଲା, ଯହିଁରେ ଅନୁସନ୍ଧାନ କାର୍ଯ୍ୟକୁ ଶୀଘ୍ର ସାରିବା ଲାଗି ନୱାଜ ସରିଫ କଡ଼ା ଶବ୍ଦମାନ ବ୍ୟବହାର କରିଥିବା ଦେଖିବାକୁ ମିଳିଥିଲା। କହିବା ବାହୁଲ୍ୟ, କଥାଟି ପ୍ରଘଟ ହୋଇଯିବା ପରେ ସରିଫଙ୍କ ଏଭଳି ଆସ୍ପର୍ଦ୍ଧା ପାକିସ୍ତାନୀ ସାମରିକ ବାହିନୀ ସକାଶେ ଅସହନୀୟ ହୋଇପଡ଼ିଥିବ, ଯାହାର ପରିଣାମ ସରିଫଙ୍କୁ ଭୋଗିବାକୁ ହୋଇଥିଲା। କହିବାର ଅର୍ଥ ହେଲା, ପହଲଗାମ ଘଟଣାରେ ପାକିସ୍ତାନ ପକ୍ଷରୁ ହେଉଥିବା ନିରପେକ୍ଷ ଅନୁସନ୍ଧାନର ଦାବି ‌ଏକ ଧୂଆଁ ବାଣ ବ୍ୟତୀତ ଆଉ କିଛି ନୁହେଁ, ଯାହା କେବଳ ଅସ୍ପଷ୍ଟତାର ଚାଦର ସୃଷ୍ଟି ଓ କାଳକ୍ଷେପଣ ଲାଗି ଉଦ୍ଦିଷ୍ଟ। 
୧୯୪୭ ମସିହାରୁ ଏହା ପ୍ରମାଣିତ ହୋଇ ସାରିଛି ଯେ ପାକିସ୍ତାନ ଏକ ମିଥ୍ୟାବାଦୀ ରାଷ୍ଟ୍ର। ଦେଶ ସ୍ବାଧୀନ ହେବା ମାତ୍ରକେ ପାକିସ୍ତାନ ସେନା ପକ୍ଷରୁ କାଶ୍ମୀର ଆକ୍ରମଣ କରାଯାଇଥିଲେ ହେଁ ଜାତିସଂଘ ସମ୍ମୁଖରେ ପାକିସ୍ତାନ କହିଥିଲା ଯେ ଏହା ହେଉଛି କିଛି ବିଦ୍ରୋହୀ ଯାଯାବର ଗୋଷ୍ଠୀର ଉପଦ୍ରବ। କିନ୍ତୁ, ପରେ ଜାତିସଂଘର ଏକ ଅନୁସନ୍ଧାନକାରୀ ଦଳ କାଶ୍ମୀର ଗସ୍ତ କରି ପ୍ରକୃତ ସତ୍ୟ ଉଦ୍‌ଘାଟନ କରିଥିଲେ, ଯାହା ବିଶଦ ଭାବେ ନଥିକୃତ। ଏ‌େତ ସବୁ ପ୍ରମାଣ ସତ୍ତ୍ବେ ସତକୁ ସ୍ବୀକାର କରିବା ଏବଂ ତୁଣ୍ଡ ଖୋଲିବାରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର କୁଣ୍ଠା ଅବୋଧ୍ୟ ଓ ଦୁର୍ଭାଗ୍ୟଜନକ ମଧ୍ୟ।