‘ଡବ୍ଲ୍ୟୁଟିଓ’ରେ ଯେତେବେଳେ କୃଷିଜାତ ପଦାର୍ଥ ସଂପର୍କିତ ଟାରିଫ୍ ଓ ସବ୍ସିଡି ହ୍ରାସ ନିମିତ୍ତ କଥାବାର୍ତ୍ତା ଚାଲିଥାଏ, ଭାରତ ସର୍ବଦା ସେଠାରେ ମତ ପ୍ରକାଶ କରିଆସିଛି ଯେ ଭାରତ ତା’ର ଟାରିଫ୍ରେ ହ୍ରାସ ଘଟାଇବା ଆମେରିକା ଦେଉଥିବା ସବ୍ସିଡିରେ ହ୍ରାସ ଘଟାଇବା ଉପରେ ନିର୍ଭର କରେ। ଟ୍ରମ୍ପ କିନ୍ତୁ ଏକତରଫା ଭାବରେ ଭାରତ କୃଷିଜାତ ପଦାର୍ଥ ଆମଦାନି ଉପରୁ ଟାରିଫ୍ ହଟାଇ ଦେବା କିମ୍ବା ହ୍ରାସ କରିବା ପାଇଁ ଦାବି କରୁଛନ୍ତି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେଉଁଭଳି ବିଭିନ୍ନ ଦେଶମାନଙ୍କ ପ୍ରତି ଉଚ୍ଚ ଟାରିଫ୍ ପ୍ରୟୋଗ କରି ସେମାନଙ୍କ ଠାରୁ ଅହେତୁକ ବାଣିଜ୍ୟ ସୁବିଧା ହାସଲ କରିବାରେ ଲାଗିଛନ୍ତି, ତାହାକୁ ବାଣିଜ୍ୟରେ ପରୋକ୍ଷ ବାହୁବଳ ପ୍ରୟୋଗ ବୋଲି କହିଲେ ଭୁଲ୍ ହେବ ନାହିଁ। ବର୍ତ୍ତମାନ ଏଭଳି କୌଶଳ ଅବଲମ୍ବନ କରିବାରେ ଟ୍ରମ୍ପଙ୍କୁ ଏକ ଉଦ୍ଭ୍ରାନ୍ତ ବ୍ୟତିକ୍ରମ ରୂପେ ବିଚାର କରାଯାଉଥିଲେ ହେଁ, ସେ ଦେଶର ଅଳ୍ପଦିନର ଇତିହାସ ଉପରେ ଦୃଷ୍ଟି ନିକ୍ଷେପ କଲେ ବାଣିଜ୍ୟ ପାଇଁ ଯେଉଁ ସିଧାସଳଖ ବାହୁବଳ ପ୍ରୟୋଗର ଉଦାହରଣ ଦେଖିବାକୁ ମିଳିଥାଏ, ତାହା ଟ୍ରମ୍ପଙ୍କର କାର୍ଯ୍ୟକୁ ଏକ ବ୍ୟତିକ୍ରମ ନୁହେଁ, ବରଂ ଏକ ସଂପୂର୍ଣ୍ଣ ସ୍ବାଭାବିକ ଆଚରଣ ରୂପେ ପ୍ରଦର୍ଶିତ କରିଥାଏ।
୧୭୭୬ରେ ଏକ ସ୍ବାଧୀନ ରାଷ୍ଟ୍ର ରୂପେ ଆମେରିକାର ଆବିର୍ଭାବ ଘଟିବାର ମାତ୍ର ଗୋଟିଏ ଶତାବ୍ଦୀ ପୂରଣ ନ ହେଉଣୁ ୧୮୫୩ରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ମିଲାର୍ଡ ଫିଲ୍ମୋର୍ ଜାପାନ ଅଭିମୁଖେ ଚାରିଟି ଶକ୍ତିଶାଳୀ ବାଷ୍ପଚାଳିତ ଯୁଦ୍ଧଜାହାଜ ପ୍ରେରଣ କରିଥିଲେ (ସେ ସମୟରେ ସୋଗନ୍ଶାସିତ ଜାପାନ ପାଖରେ ଏହି ଅତ୍ୟାଧୁନିକ ପ୍ରବିଧି ଉପଲବ୍ଧ ନ ଥିଲା)। ପାରମ୍ପରିକ ଭାବରେ ବିଦେଶୀ ବଣିକମାନଙ୍କୁ ନିଜ ଦେଶରେ ପ୍ରବେଶ ପାଇଁ ଅନୁମତି ଦେଉ ନ ଥିବା ଜାପାନର ଶାସକଙ୍କୁ ଭୟଭୀତ କରି ପ୍ରବେଶ ଅଧିକାର ହାସଲ କରିବା ଉଦ୍ଦେଶ୍ୟରେ କମୋଡର୍ ମାଥ୍ୟୁ ପେରିଙ୍କ ନେତୃତ୍ବରେ ‘ବ୍ଲାକ୍ ସିପ୍ସ’ ନାମରେ ପରିଚିତ ଏହି ନୌଭେଳା ଟୋକିଓ ଉପସାଗରରେ ଲଙ୍ଗର ପକାଇବା ପରେ ଜାପାନରେ ପ୍ରକୃତ ଶାସନ କ୍ଷମତାରେ ଥିବା ଟୋକୁଗାୱା ସୋଗନେଟ୍ (ସମ୍ରାଟ ଥିଲେ ନାମମାତ୍ର ଶାସକ) ବାଧ୍ୟ ହୋଇ ଆମେରିକା ସହିତ ଏକ ବାଣିଜ୍ୟ ଚୁକ୍ତି ସଂପାଦନ କରିଥିଲା, ଯାହା ଆମେରିକାକୁ ସେ ଦେଶରେ ଅବାଧ ପ୍ରବେଶ ଅଧିକାର ପ୍ରଦାନ କରିଥିଲା।
ବର୍ତ୍ତମାନ ସମୟରେ ଆଉ ସେଭଳି ସିଧାସଳଖ ସାମରିକ ବାହୁବଳ ପ୍ରଦର୍ଶନ କରି କୌଣସି ଦେଶର ବଜାରରେ ଧସେଇ ପଶିବା ସମ୍ଭବ ନୁହେଁ; ଟ୍ରମ୍ପ ତେଣୁ ସେ ଉଦ୍ଦେଶ୍ୟ ସାଧନ ନିମିତ୍ତ ଯୁଦ୍ଧ ଜାହାଜର ତୋପ ବଦଳରେ ବ୍ୟବହାର କରୁଛନ୍ତି ଟାରିଫ୍ ତୋପ। ଯେଉଁ ଦେଶ ଆମେରିକୀୟ ରପ୍ତାନିକାରୀଙ୍କ ପାଇଁ ତା’ର ବଜାର ଉନ୍ମୁକ୍ତ କରୁନାହିଁ, ସେ ଦେଶ ପ୍ରତି ସେ ତାଙ୍କ ତୋପରୁ ଉଚ୍ଚ ହାରରେ ଟାରିଫ୍ ଗୋଳା ଚଳାଉଛନ୍ତି। ଏଇ ଗୋଳାମାଡ଼ ଭୟରେ ଇଣ୍ଡୋନେସିଆ, ଭିଏତ୍ନାମରୁ ଇଉରୋପିଆନ୍ ୟୁନିଅନ୍ ପର୍ଯ୍ୟନ୍ତ ଆମେରିକୀୟ ରପ୍ତାନି ପାଇଁ ସେମାନଙ୍କର ଦ୍ବାର ଉନ୍ମୁକ୍ତ କରିଦେବାରେ ଲାଗିଛନ୍ତି।
କିନ୍ତୁ ଏକ ବିରଳ ବ୍ୟତିକ୍ରମ ରୂପେ ଭାରତ ଟ୍ରମ୍ପଙ୍କର ଏହି ଚାପ ଆଗରେ ମୁଣ୍ଡ ନ ନୁଅଁାଇବାରୁ ଭାରତ ବର୍ତ୍ତମାନ ତାଙ୍କ ତରଫରୁ ଏକ ବହୁଚର୍ଚ୍ଚିତ ଅପେକ୍ଷାକୃତ ଉଚ୍ଚା ୨୫% ଟାରିଫ୍ର ସମ୍ମୁଖୀନ ହୋଇଛି। ନିର୍ଦ୍ଦିଷ୍ଟ ଭାବରେ ଭାରତ ତା’ର କୃଷି ବଜାରରେ ଆମେରିକାର ପ୍ରବେଶ ପାଇଁ ଅନୁମତି ଦେବାକୁ ରୋକ୍ଠୋକ୍ ମନା କରି ଦେଉଥିବାରୁ ଟ୍ରମ୍ପ ଉତ୍କ୍ଷିପ୍ତ ହୋଇ ଭାରତ ପ୍ରତି ଏଭଳି ଉଚ୍ଚ ଟାରିଫ୍ ଲାଗୁ କରିଛନ୍ତି। ଭାରତର ବିଶାଳ ବଜାରରେ ଗହମ, ମକା, ସୋୟାବିନ ଓ ଦୁଗ୍ଧଜାତ ପଦାର୍ଥ ଆଦି ବିକ୍ରି କରିବାକୁ ଆମେରିକାର କୃଷିଜାତ ପଦାର୍ଥ ଉତ୍ପାଦନକାରୀମାନେ ଲାଳାୟିତ ହୋଇ ରହିଛନ୍ତି। ଜଣାଶୁଣା ଭାବରେ ଏମାନେ ହେଉଛନ୍ତି ଟ୍ରମ୍ପଙ୍କର ତଥାକଥିତ ‘ମାଗା’ ସମର୍ଥକ ଗୋଷ୍ଠୀର ଅନ୍ୟତମ ମୁଖ୍ୟ ଅଂଶ। ତାଙ୍କର ଏହି ଅନ୍ଧ ସମର୍ଥକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ସ୍ବାଭାବିକ ଭାବରେ ଟ୍ରମ୍ପ ଭାରତ ଉପରେ ପ୍ରବଳ ଚାପ ପକାଇ ଚାଲିଛନ୍ତି। ଭାରତ କିନ୍ତୁ ଉଲ୍ଲେଖନୀୟ ଦୃଢ଼ତା ପ୍ରଦର୍ଶନ କରି ତାଙ୍କର ସେଇ ଚାପକୁ ପ୍ରତିହତ କରିବାରୁ ଟ୍ରମ୍ପ ଭାରତ ପ୍ରତି କେବଳ ଯେ ଏହି ଉଚ୍ଚ ଟାରିଫ୍ ଲାଗୁ କରିଛନ୍ତି, ତାହା ନୁହେଁ, ସେ ମଧ୍ୟ କ୍ରୋଧରେ କାଣ୍ଡଜ୍ଞାନ ହରାଇ ନିର୍ବୋଧଙ୍କ ଭଳି ଭାରତକୁ ଗାଳି ଦେବା ଦେଖାଯାଇଛି।
ମାତ୍ର ଦୁଇ ମାସ ତଳେ ସେଇ ଆମେରିକାର ରାଜଧାନୀ ୱାସିଙ୍ଗଟନ୍ସ୍ଥିତ ‘ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି’ (‘ଆଇଏମ୍ଏଫ୍’) ଦ୍ବାରା ପ୍ରକାଶିତ ସୂଚନା ଅନୁସାରେ ୨୦୨୫ରେ ଜାପାନକୁ ଅତିକ୍ରମ କରି ଭାରତ ପୃଥିବୀର ଚତୁର୍ଥ ବୃହତ୍ତମ ଅର୍ଥନୀତିରେ ପରିଣତ ହେବା ଜଣାପଡ଼ିଥିଲା। କୋଭିଡ୍ ପାଣ୍ଡେମିକ୍ ପରଠାରୁ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ପୃଥିବୀର ବୃହତ୍ ଦେଶମାନଙ୍କ ମଧ୍ୟରେ ସର୍ବୋଚ୍ଚ ରହିଆସିଛି ବୋଲି ‘ଆଇଏମ୍ଏଫ୍’ରୁ ୱର୍ଲଡ୍ ବ୍ୟାଙ୍କ୍ ପର୍ଯ୍ୟନ୍ତ ସ୍ବୀକାର କରିଚାଲିଛନ୍ତି। କିନ୍ତୁ ଆଖି ଥାଇ ଜଳକା ଭଳି ଟ୍ରମ୍ପ ଭାରତୀୟ ଅର୍ଥନୀତିକୁ ଏକ ‘‘ମୃତ ଅର୍ଥନୀତି’’ ରୂପେ ଅଭିହିତ କରିଛନ୍ତି (ଏବଂ ଅବିଶ୍ବାସ୍ୟ ଭାବରେ ଲୋକସଭାରେ ବିରୋଧୀ ଦଳ ନେତା କଂଗ୍ରେସର ରାହୁଲ ଗାନ୍ଧୀ ଟ୍ରମ୍ପଙ୍କୁ ଦୃଢ଼ ଭାବରେ ସମର୍ଥନ କରିଛନ୍ତି)।
ଟ୍ରମ୍ପ ଓ ତାଙ୍କର ଉପଦେଷ୍ଟାମାନେ ହୃଦୟଙ୍ଗମ କରିବା ଉଚିତ ଯେ ଭାରତ କେବେହେଲେ ନିଜର କୃଷି କ୍ଷେତ୍ରରେ ଅବାଧ ବାଣିଜ୍ୟ ପ୍ରବେଶ କରିବାକୁ ଦେବ ନାହିଁ। ଭାରତ ଏ ପର୍ଯ୍ୟନ୍ତ ଅନ୍ୟ ଦେଶମାନଙ୍କ ସହିତ ସ୍ବାକ୍ଷର କରିଥିବା କୌଣସି ଅବାଧ ବାଣିଜ୍ୟ ଚୁକ୍ତିରେ ଏହା କରିନାହିଁ। ଏହାର କାରଣ ସ୍ପଷ୍ଟ। ଭାରତର ଅଧିକାଂଶ କୃଷକ ହେଉଛନ୍ତି କ୍ଷୁଦ୍ର ଓ ସୀମାନ୍ତ ଶ୍ରେଣୀର। ‘ବିଶ୍ବ ବାଣିଜ୍ୟ ସଂଗଠନ’ (‘ଡବ୍ଲ୍ୟୁଟିଓ’) ସେମାନଙ୍କୁ ‘‘ନିମ୍ନ-ଆୟକାରୀ ଓ ସମ୍ବଳ-ଅଭାବୀ କୃଷକ’’ ରୂପେ ଅଭିହିତ କରିଛି। ଭାରତ ସରକାର ତାଙ୍କର ବିଜ୍ଞପ୍ତି ମାଧ୍ୟମରେ ‘ଡବ୍ଲ୍ୟୁଟିଓ’କୁ ଅବଗତ କରାଇଛନ୍ତି ଯେ ଭାରତୀୟ କୃଷକମାନଙ୍କ ମଧ୍ୟରୁ ୯୯.୪୯ ଶତାଂଶ ହେଉଛନ୍ତି ଏଇ ଶ୍ରେଣୀର। ଏହା ବୁଝାଇବା ଦରକାର ନାହିଁ ଯେ ଯଦି ଆମେରିକୀୟ କୃଷି ବ୍ୟବସାୟକୁ ଭାରତରେ ପ୍ରବେଶ କରିବାକୁ ଦିଆଯାଏ, ତାହା ଯେଉଁ ଚରମ ଅସମତୁଲ ପ୍ରତିଯୋଗିତାକୁ ଜନ୍ମ ଦେବ, ସେଥିରେ ଏଇ ଭାରତୀୟ କୃଷକମାନେ ମୁହୂର୍ତ୍ତେ ମଧ୍ୟ ତିଷ୍ଠି ରହିପାରିବେ ନାହିଁ ଓ ଅବିଲମ୍ବେ ନିଜର ଜୀବିକା ହରାଇ ବସିବେ।
ଆମେରିକୀୟ କୃଷି ଯେ କେବଳ ସ୍ବାଭାବିକ ଭାବରେ ସବଳ, ତାହା ନୁହେଁ; ଏହା ସେଠାରେ ବିପୁଳ ସରକାରୀ ସବ୍ସିଡି ଦ୍ବାରା ମଧ୍ୟ ପରିପୁଷ୍ଟ ହୋଇଥାଏ। ‘ଡବ୍ଲ୍ୟୁଟିଓ’ ଅନୁସାରେ ଆମେରିକାରେ କୃଷିକୁ ପ୍ରଦାନ କରାଯାଉଥିବା ସବ୍ସିଡି ହେଉଛି ପୃଥିବୀରେ ସର୍ବୋଚ୍ଚ। ଏହି ଉଦାର ସବ୍ସିଡି ପାଉଥିବା ଯୋଗୁଁ ଆମେରିକୀୟ କୃଷି ଉତ୍ପାଦନକାରୀମାନେ ଆନ୍ତର୍ଜାତିକ ବଜାରରେ ସେମାନଙ୍କର ଉତ୍ପାଦିତ ଦ୍ରବ୍ୟକୁ ସେଗୁଡ଼ିକର ଉତ୍ପାଦନ ଖର୍ଚ୍ଚ ଠାରୁ ବେଶ୍ କମ୍ ମୂଲ୍ୟରେ ବିକ୍ରୟ କରିବା ପାଇଁ ସମର୍ଥ ହୋଇଥାନ୍ତି। ‘ଡବ୍ଲ୍ୟୁଟିଓ’ରେ ଯେତେବେଳେ କୃଷିଜାତ ପଦାର୍ଥ ସଂପର୍କିତ ଟାରିଫ୍ ଓ ସବ୍ସିଡି ହ୍ରାସ ନିମିତ୍ତ କଥାବାର୍ତ୍ତା ଚାଲିଥାଏ, ଭାରତ ସର୍ବଦା ସେଠାରେ ମତ ପ୍ରକାଶ କରିଆସିଛି ଯେ ଭାରତ ତା’ର ଟାରିଫ୍ରେ ହ୍ରାସ ଘଟାଇବା ଆମେରିକା ଦେଉଥିବା ସବ୍ସିଡିରେ ହ୍ରାସ ଘଟାଇବା ଉପରେ ନିର୍ଭର କରେ। ଟ୍ରମ୍ପ କିନ୍ତୁ ଏକତରଫା ଭାବରେ ଭାରତ କୃଷିଜାତ ପଦାର୍ଥ ଆମଦାନି ଉପରୁ ଟାରିଫ୍ ହଟାଇ ଦେବା କିମ୍ବା ହ୍ରାସ କରିବା ପାଇଁ ଦାବି କରୁଛନ୍ତି।
ଭାରତ କିନ୍ତୁ କେବଳ ନିଜର କୃଷକମାନଙ୍କର ସ୍ବାର୍ଥରକ୍ଷା ନୁହେଁ, ଦେଶର ଖାଦ୍ୟ ନିରାପତ୍ତା ନିଶ୍ଚିତ କରିବା ନିମିତ୍ତ ଖାଦ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବାକୁ ଚାହେଁ। ଦେଶ ଅତୀତରେ ଯେଉଁ ଭୟଙ୍କର ଖାଦ୍ୟ ସମସ୍ୟା ଦେଇ ଗତି କରିଛି, ସେଥିରୁ ଆମେ ଏହି ଶିକ୍ଷା ଲାଭ କରିଛୁ। ବିଗତ ଛ’ ଦଶନ୍ଧି ଧରି ଭାରତ ଏହି ନୀତି ଅନୁସରଣ କରିଚାଲିଛି ଏବଂ ବର୍ତ୍ତମାନ କୌଣସି ସରକାର ଏଥିରେ ସାଲିସ କରିବାର ସମ୍ଭାବନା ନାହିଁ। ଟ୍ରମ୍ପଙ୍କ ଟାରିଫ୍ ଯେତେ ଉଚ୍ଚା ହେଲେ ମଧ୍ୟ ଏଭଳି ସାଲିସର ମାନବିକ ମୂଲ୍ୟ ଓ ରାଜନୈତିକ ମୂଲ୍ୟ ତା’ ଠାରୁ ବହୁ ଅଧିକ ହେବ। ଆମେରିକା ଏହି କଠୋର ସତ୍ୟ ହୃଦୟଙ୍ଗମ କଲେ ଯାଇ ଉଭୟ ଦେଶ ମଧ୍ୟରେ ଏକ ଅର୍ଥପୂର୍ଣ୍ଣ ଦ୍ବିପାକ୍ଷିକ ବାଣିଜ୍ୟ ଚୁକ୍ତି ସଂପାଦିତ ହୋଇପାରିବ।