ଯଦି ବର୍ତ୍ତମାନର ସାମରିକ ବିପର୍ଯ୍ୟୟ ଯୋଗୁଁ ଇରାନରେ ଏକ ଆଭ୍ୟନ୍ତରୀଣ ବିଦ୍ରୋହ ଘଟି ଖାମେନି ଶାସନର ପତନ ଘଟେ, ତେବେ ହୁଏତ ଇସ୍ରାଏଲ-ଇରାନ ମଧ୍ୟରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସମ୍ଭବ ହୋଇପାରେ। କିନ୍ତୁ ଇରାନର ସାମରିକ ବାହିନୀ ମୁଲ୍ଲାମାନଙ୍କ ପ୍ରତି ଅନୁଗତ ଥିବା ପର୍ଯ୍ୟନ୍ତ ଏପରି ଘଟିବାର ସମ୍ଭାବନା କ୍ଷୀଣ ହୋଇଥାଏ।

Advertisment

କଥାରେ ଅଛି- ‘ମାଡ଼କୁ ମହାଦେବ ଡରନ୍ତି’। ଟ୍ରମ୍ପ/ଆମେରିକାର ‘ବଙ୍କର୍ ବଷ୍ଟର୍’ ମାଡ଼ ଖାମେନି/ଇରାନ ଠାରେ ଠିକ୍ ଏହି ମାଡ଼ ତତ୍ତ୍ବ ଆଶା କରୁଥିବା ଭଳି ପ୍ରତିକ୍ରିୟା ସୃଷ୍ଟି କରିଛି। କେବଳ ମୁଖଲଜ୍ଜା ରକ୍ଷା କରିବା ପାଇଁ ଇରାନ ତା’ ପରଦିନ ଆମେରିକା ପକାଇଥିବା ୧୪ଟି ‘ବଙ୍କର୍ ବଷ୍ଟର୍’ ବୋମାର ଜବାବରେ କାତାରର ଆଲ୍-ଉଦେଇଦ ଠାରେ ଅବସ୍ଥିତ ଆମେରିକାର ବାୟୁସେନା ଘାଟୀ ଦିଗରେ ୧୪ଟି କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା, ଯାହା ଥିଲା ସଂପୂର୍ଣ୍ଣ ରୂପେ ପ୍ରତୀକାତ୍ମକ ମାତ୍ର। କାରଣ, କ୍ଷେପଣାସ୍ତ୍ର ନିକ୍ଷେପ ପୂର୍ବରୁ ଇରାନ ଏ ସମ୍ବନ୍ଧରେ କାତାରକୁ ପ୍ରାକ୍-ସୂଚନା ଦେଇ ସାରିଥିଲା ଏବଂ ଆମେରିକା ତା’ର ବିମାନଗୁଡ଼ିକୁ ସେ ଘାଟୀରୁ ଅନ୍ୟତ୍ର ସ୍ଥାନାନ୍ତରିତ କରି ସାରିଥିଲା। ଇରାନ ପ୍ରେରଣ କରିଥିବା ୧୪ଟି କ୍ଷେପଣାସ୍ତ୍ର ମଧ୍ୟରୁ ପୂର୍ବରୁ ପ୍ରସ୍ତୁତ ଥିବା ଆମେରିକା ୧୩ଟିକୁ ବାଟରେ ପ୍ରତିଆକ୍ରମଣ କରି ଧ୍ବଂସ କରିଦେଇଥିଲା। ଯେଉଁ ଗୋଟିଏ ମାତ୍ର କ୍ଷେପଣାସ୍ତ୍ର ତା’ର ଲକ୍ଷ୍ୟ ସ୍ଥଳୀରେ ପହଞ୍ଚିଥିଲା, ତାହା ଯୋଗୁଁ କେହି ଜଣେ ହେଲେ ବି ମୃତାହତ ହୋଇ ନ ଥିଲେ।
ଏଥିରେ ସନ୍ଦେହ ନାହିଁ ଯେ ଆମେରିକା ଏକରକମ ଇରାନକୁ ଯୁଦ୍ଧବିରତି ପାଇଁ ରାଜି ହେବା ପାଇଁ ଏହି ମିଛିମିଛିକା ପ୍ରତିଆକ୍ରମଣ କରିବା ନିମିତ୍ତ ସୁଯୋଗ ଦେଇଥିଲା। କାରଣ, ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଏହାର ମାତ୍ର ଦୁଇ ଘଣ୍ଟା ପରେ ଟ୍ରମ୍ପ ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରିଥିଲେ। ଏହା ପରଦିନ ଇରାନ ଯୁଦ୍ଧବିରତି ଉଲ୍ଲଂଘନ କରିଛି ବୋଲି ଅଭିଯୋଗ କରି ଇସ୍ରାଏଲ ପୁଣି ଆକ୍ରମଣ ଜୋରଦାର କରିବ ବୋଲି ଧମକ ଦେବାରୁ ଟ୍ରମ୍ପ କ୍ରୋଧ ଜର୍ଜରିତ ହୋଇ ଉଭୟ ପକ୍ଷଙ୍କୁ ଅଶ୍ରାବ୍ୟ ଭାଷା ବ୍ୟବହାର କରି ଗାଳି ଦେବା ଦେଖାଯାଇଥିଲା। ଏହା ଲେଖା ହେବା ପର୍ଯ୍ୟନ୍ତ ଉଭୟ ପକ୍ଷ ଆଉ କେହି କାହାରି ଉପରେ ଆକ୍ରମଣ କରିନାହାନ୍ତି।
ବର୍ତ୍ତମାନ ସ୍ବାଭାବିକ ଭାବରେ ଯେଉଁ ଏକ ପ୍ରଶ୍ନ ସମସ୍ତଙ୍କୁ ଆନ୍ଦୋଳିତ କରୁଛି, ତାହା ହେଲା- ଏହି ଯୁଦ୍ଧବିରତିର ସ୍ଥାୟିତ୍ବ କିଭଳି ହେବ? ସେମାନଙ୍କ ମଧ୍ୟରୁ କେହି ହେଲେ ଔପଚାରିକ ଭାବରେ ଯୁଦ୍ଧବିରତିକୁ ସ୍ବୀକୃତି ପ୍ରଦାନ କରିନାହାନ୍ତି। ତେବେ ଏବେ ଯୁଦ୍ଧରୁ ନିବୃତ୍ତ ରହିବା ପାଇଁ ଉଭୟ ପକ୍ଷଙ୍କ ଲାଗି ଯଥେଷ୍ଟ କାରଣ ରହିଛି। ଇରାନର ଏକଛତ୍ର ଶାସକ ଖାମେନି ଗତ ତିନି ଦଶନ୍ଧି ଧରି ଏକ ତୀବ୍ର ଆମେରିକା-ବିରୋଧୀ ଅାଭିମୁଖ୍ୟ ପ୍ରକାଶ କରିଚାଲିଥିଲେ ହେଁ, ଚତୁରତାର ସହିତ କେବେହେଲେ ପୃଥିବୀର ଏହି ସର୍ବାଧିକ ଶକ୍ତିଶାଳୀ ରାଷ୍ଟ୍ର ସହିତ ମୁହଁାମୁହିଁ ହେବାକୁ ଚାହିଁ ନାହାନ୍ତି। ଏଥିପାଇଁ ଇରାନ ହମାସ, ହେଜବୋଲ୍ଲା, ହୁଥି ଆଦି ଭଳି ତା’ର କା’ ଜିହାଦୀ ସଂଗଠନମାନଙ୍କୁ ପରିପୁଷ୍ଟ କରି ସେମାନଙ୍କୁ ତା’ର ବିରୋଧୀ ପକ୍ଷମାନଙ୍କ ଉପରେ ଆକ୍ରମଣ କରିବାରେ ନିୟୋଜିତ କରିଛି। ଏବେ ଇସ୍ରାଏଲର ଆକ୍ରମଣ ଇରାନର ଅସହାୟ ସେନାବାହିନୀର ଦୁର୍ବଳତାକୁ ପଦାରେ ପକାଇଛି। ଇରାନ ଭିତରେ ମଧ୍ୟ ଦୀର୍ଘ କାଳ ଧରି ଧର୍ମାନ୍ଧ ରକ୍ଷଣଶୀଳ ଶାସନରେ ଅତିଷ୍ଠ ହୋଇ ପଡ଼ିଥିବା ଜନସାଧାରଣଙ୍କ ମଧ୍ୟରେ ମୁଲ୍ଲା ଶାସନ ବିରୋଧରେ ଅସନ୍ତୋଷର ନିଅଁା କୁହୁଳୁଛି ବୋଲି ସୂଚନା ପ୍ରକାଶ ପାଇବାରେ ଲାଗିଛି। ତେଣୁ ବର୍ତ୍ତମାନ ଆମେରିକା ଠାରୁ ସାଧାସଳଖ ମାଡ଼ ଖାଇବା ପରେ ଇରାନର ଶାସକ ନିଜ ସ୍ଥିତିର ଦୁର୍ବଳତାକୁ ହୃଦୟଙ୍ଗମ କରି କ୍ଷତିକୁ ସୀମିତ କରିବା ପାଇଁ ଯୁଦ୍ଧବିରତିର ଆଶ୍ରୟ ନେବା ସ୍ବାଭାବିକ ମନେ ହୋଇଥାଏ।
ଇସ୍ରାଏଲ ମଧ୍ୟ ଯୁଦ୍ଧବିରତି ପାଇଁ ସମ୍ମତ ହେବା ପଛରେ ବଳିଷ୍ଠ ଯୁକ୍ତି ନିହିତ ଅଛି। ଟ୍ରମ୍ପ ଇରାନ ଉପରେ ବୋମା ମାଡ଼ କରିବା ପରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସମେତ ସମସ୍ତ ଇସ୍ରାଏଲ ଟ୍ରମ୍ପଙ୍କୁ ଜଣେ ଦେବଦୂତ ଭଳି ପ୍ରଶଂସା କରିବା ଦେଖାଯାଇଛି। ଏଣୁ ଇସ୍ରାଏଲ ଏବେ ଆଉ ‌ଟ୍ରମ୍ପଙ୍କର କୌଣସି ଆଦେଶକୁ ଅମାନ୍ୟ କରିବା ସମ୍ଭବ ନୁହେଁ। ତା’ ଛଡ଼ା ଇସ୍ରାଏଲର ସାମରିକ କର୍ତ୍ତୃପକ୍ଷ ଇରାନ ସହିତ ଏହି ସଂକ୍ଷିପ୍ତ ଯୁଦ୍ଧ ପାଇଁ ଯେଉଁ ନିଶାଣ ତାଲିକା ବା ‘ଟାର୍ଗେଟ ବ୍ୟାଙ୍କ୍’ ପ୍ରସ୍ତୁତ କରିଥିଲେ, ଇସ୍ରାଏଲର ସେନାବାହିନୀ ପ୍ରାୟ ସେ ସମସ୍ତର ଧ୍ବଂସ ସାଧନ କରିବାରେ ସଫଳ ହୋଇଛି କହିଲେ ଚଳେ। ବ୍ୟକ୍ତିଗତ ଭାବରେ ନେତାନ୍ୟାହୁ ବର୍ତ୍ତମାନ ନିଶ୍ଚିତ ହୋଇ ସାରିଥିବେ ଯେ ଇସ୍ରାଏଲର ଇତିହାସରେ ତାଙ୍କର ନାମ ଜଣେ ତୁଙ୍ଗ ରାଷ୍ଟ୍ରନାୟକ ରୂପେ ଲିପିବଦ୍ଧ ହେବା ପାଇଁ ଏହି ଯୁଦ୍ଧରେ ସେ ଯଥେଷ୍ଟ ହାସଲ କରିସାରିଛନ୍ତି। ଟ୍ରମ୍ପ ମଧ୍ୟ ତାଙ୍କର ନିର୍ବାଚନୀ ପ୍ରତିଶ୍ରୁତି ସ୍ମରଣ କରି ଯେତେଶୀଘ୍ର ସମ୍ଭବ ଆମେରିକାକୁ ଏଇ ବାହ୍ୟ ଯୁଦ୍ଧରୁ ବିଚ୍ଛିନ୍ନ କରିବାକୁ ଚାହିଁବେ। ଏଣୁ ସବୁ ପକ୍ଷମାନେ ଭିନ୍ନ ଭିନ୍ନ କାରଣରୁ ଯୁଦ୍ଧବିରତକୁ ଖୋଲାଖୋଲି ଭାବରେ ଅଥବା ଗୋପନରେ ସ୍ବାଗତ କରିବାର ଦୃଢ଼ ସମ୍ଭାବନା ରହିଛି।
ଏହା ପରେ କିନ୍ତୁ ଯେଉଁ ମୂଳ ପ୍ରଶ୍ନର ଉତ୍ତର ପାଇବା ପାଇଁ ସାରା ପୃଥିବୀ ଉତ୍ସୁକତାର ସହିତ ଅପେକ୍ଷା କରି‌ବ, ତାହା ହେଲା, ଇରାନର ଆଣବିକ କାର୍ଯ୍ୟକ୍ରମର କ’ଣ ଘଟିବ? ଗୋଟିଏ ସମ୍ଭାବନା ହେଉଛି, ଇସ୍ରାଏଲ-ଆମେରିକା ହାତରେ ଲଜ୍ଜାଜନକ ଭାବରେ ପରାଭବ ଭୋଗିଲା ପରେ ଇରାନର ସର୍ବମୟ ଶାସକ ଆୟାତୋଲ୍ଲା ଆଲି ଖାମେନି ବିଚାର କରିପାରନ୍ତି ଯେ ତାଙ୍କର ଧର୍ମତନ୍ତ୍ର ବଞ୍ଚି ରହିବାକୁ ହେଲେ ଏକମାତ୍ର ଉପାୟ ହେଉଛି ଇରାନ ହାତରେ ପରମାଣୁ ବୋମାର ଆବିର୍ଭାବ। ଏବେ ଯଦିବା ତା’ର ଆଣବିକ କେନ୍ଦ୍ରମାନ ଧ୍ବଂସ ସ୍ତୁପରେ ପରିଣତ ହୋଇଯାଇଛି, ତା’ର ଦୀର୍ଘ କାଳର ଅନୁଭୂତିକୁ ବ୍ୟବହାର କରି ଇରାନ ଗୋପନରେ ପୁଣି ପରମାଣୁ ବୋମା ତିଆରି ପାଇଁ ଉଦ୍ୟମ ଆରମ୍ଭ କରିଦେବା ସଂପୂର୍ଣ୍ଣ ରୂ‌େପ ସମ୍ଭବ।
ଇତିମଧ୍ୟରେ ଆମେରିକୀୟ ଗୁଇନ୍ଦା ସଂସ୍ଥା ସୂତ୍ରରୁ ମିଳିଥିବା ଦାବି କରି ସେ ଦେଶର କେତେକ ପ୍ରମୁଖ ସମ୍ବାଦପତ୍ରରେ ପ୍ରକାଶ ପାଇଥିବା ସୂଚନା ଅନୁସାରେ ଆମେରିକାର ବୋମା ମାଡ଼ ଯୋଗୁଁ ଇରାନର ଆଣବିକ କେନ୍ଦ୍ରମାନଙ୍କର ବିଶେଷ କ୍ଷତି ଘଟିନାହିଁ ଏବଂ ମାତ୍ର ମାସ କେଇଟାରେ ଇରାନ ପୁଣି ତା’ର ପରମାଣୁ ବୋମା ନିର୍ମାଣ କାର୍ଯ୍ୟକ୍ରମ ଆରମ୍ଭ କରିଦେଇ ପାରିବ। ଏହାର ପ୍ରତିକ୍ରିୟାରେ ଟ୍ରମ୍ପ କ୍ରୋଧ ଜର୍ଜରିତ ହୋଇ ସେଇ ସମ୍ବାଦପତ୍ରମାନଙ୍କ ବିରୋଧରେ ବିଷୋଦ୍‌ଗାର କରିଛନ୍ତି। ଇରାନ ମହଜୁଦ କରି ସାରିଥିବା ୪୦୦ କିଲୋଗ୍ରାମ୍ ୬୦% ଏନ୍‌ରିଚ୍‌ ହୋଇଥିବା ବୋମା ତିଆରି ପାଇଁ ପାଖାପାଖି ଉପଯୁକ୍ତ ୟୁରାନିଅମକୁ କେଉଁଠି ଲୁଚାଇ ରଖିଛି, ସେ ସମ୍ବନ୍ଧରେ ଇସ୍ରାଏଲ କିମ୍ବା ଆମେରିକା ପାଖରେ ସଠିକ୍ ସୂଚନା ଉପଲବ୍‌ଧ ନାହିଁ। ଯଦି ଇସ୍ରାଏଲ ପୁଣି ଇରାନର ପରମାଣୁ ବୋମା ତିଆରି ଉଦ୍ୟମ ସମ୍ବନ୍ଧରେ ସୂଚନା ପାଏ, ତେବେ ସେ ଟ୍ରମ୍ପଙ୍କର ଆକଟ ସତ୍ତ୍ବେ ନିଶ୍ଚିତ ରୂପେ ଇରାନ ଉପରେ ପୁଣି ଆକ୍ରମଣ ଚଳାଇ ସେଇ ଉଦ୍ୟମକୁ ପଣ୍ଡ କରିବାକୁ ବାଧ୍ୟ ହେବ। ଏବେ ଯଦି ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଉଭୟ ପକ୍ଷଙ୍କ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ନିମିତ୍ତ କଥାବାର୍ତ୍ତା ଆରମ୍ଭ ହୁଏ, ତେବେ ଇରାନର ପାରମ୍ପରିକ ସାମରିକ ଶକ୍ତିକୁ ସୀମିତ କରିବା ପାଇଁ ମଧ୍ୟ ଇସ୍ରାଏଲ ଏକ କଠିନ ଆଭିମୁଖ୍ୟ ଗ୍ରହଣ କରିପାରେ। ଏହା ବ୍ୟତୀତ କା’ ଜିହାଦୀ ସଂଗଠନମାନଙ୍କୁ ପୂର୍ବଭଳି ଇରାନ ଆଉ ପରିପୁଷ୍ଟ ନ କରିବାକୁ ଇସ୍ରାଏଲ କଠୋର ସର୍ତ୍ତ ଆରୋପ କରିପାରେ।
ଶେଷରେ, ସେ ଅଞ୍ଚଳରେ ପରିସ୍ଥିତି କେଉଁ ମୋଡ଼ ନେବ, ତାହା ଅନେକାଂଶରେ ଇରାନରେ ମୁଲ୍ଲା ଶାସନର ସ୍ଥାୟିତ୍ବ ଉପରେ ନିର୍ଭର କରେ। ଯଦି ବର୍ତ୍ତମାନର ସାମରିକ ବିପର୍ଯ୍ୟୟ ଯୋଗୁଁ ଇରାନରେ ଏକ ଆଭ୍ୟନ୍ତରୀଣ ବିଦ୍ରୋହ ଘଟି ଖାମେନି ଶାସନର ପତନ ଘଟେ, ତେବେ ହୁଏତ ଇସ୍ରାଏଲ-ଇରାନ ମଧ୍ୟରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସମ୍ଭବ ହୋଇପାରେ। କିନ୍ତୁ ଇରାନର ସାମରିକ ବାହିନୀ ମୁଲ୍ଲାମାନଙ୍କ ପ୍ରତି ଅନୁଗତ ଥିବା ପର୍ଯ୍ୟନ୍ତ ଏପରି ଘଟିବାର ସମ୍ଭାବନା କ୍ଷୀଣ ହୋଇଥାଏ। ତେଣୁ ଟ୍ରମ୍ପଙ୍କର ନାଟକୀୟ ବୋମା ମାଡ଼ ଓ ଅନୁରୂପ ଭାବେ ନାଟକୀୟ ଯୁଦ୍ଧବିରତି ଘୋଷଣା ଦ୍ବାରା ମଧ୍ୟପ୍ରାଚ୍ୟର ସେଇ ବିକ୍ଷୁବ୍‌ଧ ଅଞ୍ଚଳରେ ସ୍ଥା‌ୟୀ ଶାନ୍ତି ପ୍ରତିଷ୍ଠା ନିଶ୍ଚିତ ହେବାର କୌଣସି ଗ୍ୟାରେଣ୍ଟି ନାହିଁ।