କୌଣସି ଟିକା ବା ଔଷଧ ବା ସଚେତନତା ନ ଥିବା ସମୟରେ ଏଭଳି ଏକ କ୍ଷୁଦ୍ର ପଦକ୍ଷେପ ୟୁରୋପକୁ ହଇଜା ମୁକ୍ତ ହେବା ଦିଗରେ ପଥ ପ୍ରଦର୍ଶକ ହୋଇଥିଲା। ତେଣୁ ପ୍ରଶ୍ନ ଉଠିଥାଏ ଯେ ସଂପ୍ରତି ଟିକା, ଔଷଧ, ଚିକିତ୍ସା ବ୍ୟବସ୍ଥା, ସଚେତନତା ଓ ସରକାରୀ କଳର ଉଦ୍ୟମ ଇତ୍ୟାଦି ଉପଲବ୍ଧ ଥିଲା ବେଳେ ଆମ ରାଜ୍ୟ ହଇଜା ମୁକ୍ତ ହୋଇ ପାରିବ ନାହିଁ କାହିଁକି?
ଏକବିଂଶ ଶତାବ୍ଦୀର ପ୍ରଥମ ଚଉଠ ଅତିକ୍ରାନ୍ତ ହେବାକୁ ବସିଥିବା ବେଳେ ଓଡ଼ିଶାର ଏକ ଶିଳ୍ପୋନ୍ନତ ଜିଲ୍ଲାରୁ ହଇଜା ଆକ୍ରାନ୍ତ ଚିହ୍ନଟ ହେବା ଏବଂ ଦ୍ରୁତ ସଂକ୍ରମଣ ଜରିଆରେ ପ୍ରାଣଘାତୀ ଡାଇରିଆ ସେଠାରୁ କେତେକ ପଡ଼ୋଶୀ ଜିଲ୍ଲାକୁ ବ୍ୟାପି ଯିବା ଭଳି ଘଟଣା ନିଶ୍ଚିତ ଭାବେ ଅସ୍ବସ୍ତି ଓ ଉଦ୍ବେଗ ସୃଷ୍ଟି କରିଥାଏ। ଏହା ଲେଖା ହେବା ବେଳକୁ ଏହି ରୋଗ ଜନିତ ମୃତ୍ୟୁ ସଂଖ୍ୟା ୧୩ରେ ପହଞ୍ଚିଥିଲା। ପରିବେଶଗତ କାରଣ ବା ଆକ୍ରାନ୍ତ ପଚନ-କ୍ରିୟା ଅଥବା ଆଲର୍ଜି ଇତ୍ୟାଦି ଭଳି କାରଣରୁ ଡାଇରିଆ େହବାର ସମ୍ଭାବନା ଥିଲେ ହେଁ ଶଂସିତ କ୍ଷେତ୍ରରେ ସଂକ୍ରମଣର ବେଗ ଓ ବ୍ୟାପକତାରୁ ଏହା ସୁନିଶ୍ଚିତ ହୋଇଥାଏ ଯେ ଏହାର କାରଣ କୌଣସି ଜଳବାହୀ ଜୀବାଣୁ। ଏବଂ ଯଦି ତାହା ହଇଜା ସୃଷ୍ଟିକାରୀ ‘ଭିବ୍ରିଓ କଲେରି’(‘କମା ବାସିଲି’ ଭାବେ ମଧ୍ୟ ପରିଚିତ) ବା ସଂକ୍ଷେପରେ ‘ଭି କଲେରି,’ ତେବେ ତାହା ସ୍ବାସ୍ଥ୍ୟଗତ କାରଣ ବ୍ୟତିରେକ ଅନ୍ୟ କେତେକ ଦୃଷ୍ଟିରୁ ମଧ୍ୟ ଚିନ୍ତାଜନକ, ଯାହା ଉପରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଏକ ବାସ୍ତବତା ହେଲା, ବିଷୁବ ମଣ୍ଡଳୀୟ ଜଳବାୟୁ ଅନ୍ତର୍ଗତ କେତେକ ଏସୀୟ, ଲାଟିନ ଆମେରିକୀୟ ଓ ଆଫ୍ରିକୀୟ ଦେଶରେ ହଇଜାର ପ୍ରାଦୁର୍ଭାବ ବର୍ତ୍ତମାନ ସୁଦ୍ଧା ଜୀବିତ, ଯେଉଁମାନଙ୍କ ସଂଖ୍ୟା ୨୧ରୁ ୨୯ ମଧ୍ୟରେ ସୀମିତ; ଅର୍ଥାତ୍ ଅଧିକାଂଶ ଉନ୍ନତ ଦେଶରୁ ହଇଜା ସଂପୂର୍ଣ୍ଣ ଭାବେ ବହିଷ୍କୃତ; ଏପରିକି ଜାପାନ, ଦକ୍ଷିଣ କୋରିଆ ଓ ସିଙ୍ଗାପୁର ଭଳି ଦେଶ ବିଷୁବ ମଣ୍ଡଳୀୟ ହୋଇଥିଲେ ହେଁ ସେଠାରେ ହଇଜା ଅଦୃଶ୍ୟ ପ୍ରାୟ। ସେହି ଦୃଷ୍ଟିରୁ ପୃଥିବୀର ଚତୁର୍ଥ ବୃହତ୍ତମ ଅର୍ଥନୀତି ରୂପେ ଚର୍ଚ୍ଚିତ ଭାରତ ହଇଜା ସଂକ୍ରମଣରୁ ମୁକ୍ତ ହୋଇ ନ ପାରିବା ଏକ ଭାବମୂର୍ତ୍ତିଗତ ମଳିନତା ସୃଷ୍ଟି କରିଥାଏ, ଯେଉଁ କାରଣରୁ ସରକାରଗୁଡ଼ିକ ଅନେକ ସମୟରେ ହଇଜାର ଉପସ୍ଥିତିକୁ ସ୍ବୀକାର କରିବାରେ କୁଣ୍ଠା ପ୍ରଦର୍ଶନ କରି ଉତ୍କଟ ଝାଡ଼ାବାନ୍ତି ସଂକ୍ରମଣକୁ ଡାଇରିଆ ବୋଲି ଦର୍ଶାଇ ଥାଆନ୍ତି। ୨୦୦୭ ମସିହାରେ ହୋଇଥିବା କାଶୀପୁର ଝାଡ଼ାବାନ୍ତି ସଂକ୍ରମଣ ଘଟଣା ପରିପ୍ରେକ୍ଷୀରେ ବିଧାନସଭାରେ ସରକାରଙ୍କ ପକ୍ଷ ରଖି ତତ୍କାଳୀନ ସ୍ବାସ୍ଥ୍ୟ ମନ୍ତ୍ରୀ ସ୍ବର୍ଗତ ନବକିଶୋର ଦାସ ମୃତ୍ୟୁ ସଂଖ୍ୟାକୁ ୧୭ ଓ ତାହାର କାରଣକୁ ‘ଡାଇରିଆ’ ବୋଲି ଉଲ୍ଲେଖ କରିଥିଲେ। ଏହାକୁ ଆଧାର କରି ଲୋକସଭାରେ କେନ୍ଦ୍ର ମନ୍ତ୍ରୀ ଦେଇଥିବା ବିବୃତ୍ତି ପରିପ୍ରେକ୍ଷୀରେ ତତ୍କାଳୀନ କେରାପୁଟ ସାଂସଦ ସପ୍ତଗିରି ଉଲାକା ତାଙ୍କ ଟ୍ବିଟର ବାର୍ତ୍ତାରେ କହିଥିଲେ ଯେ ସୂଚନାଟି ବିଭ୍ରାନ୍ତିକର ମନେ ହୁଏ, କାରଣ ଭୁବନେଶ୍ବରକୁ ପଠାଯାଇଥିବା ନମୁନାକୁ ପ୍ରଥମେ ଡାଇରିଆ ବୋଲି କୁହାଯାଇଥିଲେ ହେଁ ପରେ ତାହା ହଇଜା ବୋଲି ସାବ୍ୟସ୍ତ ହୋଇଥିଲା। କହିବା ଅନାବଶ୍ୟକ ଯେ ହଇଜାର କାରଣ ସଂକ୍ରମିତ ପାନୀୟ ଜଳ ହୋଇଥିବାରୁ ସ୍ବାଧୀନତା ଲାଭ ପରେ ଆଠ ଦଶନ୍ଧି ପୂର୍ଣ୍ଣ କରିବାକୁ ବସିଥିବା ଭାରତର ନାଗରିକମାନେ ଏକ ସର୍ବନିମ୍ନ ଆବଶ୍ୟକତା ରୂପେ ବିଶୁଦ୍ଧ ପାନୀୟ ଜଳ ପାଉ ନ ଥିବା ଭଳି ବିଷୟ ସରକରାରଙ୍କ ଲାଗି ଅସ୍ବସ୍ତିର କାରଣ ହୋଇ ହଇଜା ବୋଲି ସ୍ବୀକାର କରିବାକୁ କୁଣ୍ଠିତ କରିଥାଏ। ଅବଶ୍ୟ, ଏହା ସତ ଯେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳକୁ ବିଶୁଦ୍ଧ ଜଳ ଯୋଗାଣ କରିବା ସକାଶେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିପୁଳ ଅର୍ଥ ବ୍ୟୟକାରୀ ଅନେକ ଯୋଜନା କରାଯାଉଛି। କିନ୍ତୁ ବିଡ଼ମ୍ବନା ହେଲା, ପ୍ରାୟ ସମସ୍ତ ସହର ଏବଂ ଅନେକ ଗ୍ରାମର ବାସିନ୍ଦାମାନେ ପାଇପ ଯୋଗେ ବିଧିବଦ୍ଧ ରୂପେ ବିଶୋଧିତ ଜଳ ପାଉଥିଲେ ହେଁ ବିଭିନ୍ନ ଜଳବାହୀ ରୋଗର ଦାଉରୁ ବର୍ତ୍ତି ପାରି ନାହାନ୍ତି; ଯେମିତି ୨୦୨୩ ମସିହାରେ ରାଉରକେଲା ଏବଂ ୨୦୨୪ ମସିହାରେ କଟକ ଭଳି ବଡ଼ ଓ ଗୁରୁତ୍ବପୂର୍ଣ୍ଣ ସହର ଯଥାକ୍ରମେ ହଇଜା ଓ ହେପାଟାଇଟିସ ବା ଜଣ୍ଡିସ ସଂକ୍ରମଣର ପ୍ରତ୍ୟକ୍ଷ କରିଥିଲେ। ଏହାର କାରଣ ଥିଲା ରକ୍ଷଣାବେକ୍ଷଣ ଅଭାବରୁ ଭୂଗର୍ଭସ୍ଥିତ ପାଣି ପାଇପଗୁଡ଼ିକରେ ଛିଦ୍ର ହୋଇ ନର୍ଦ୍ଦମାର ସଂସ୍ପର୍ଶରେ ଆସିଯାଇଥିଲା। ଏଭଳି ସ୍ଥଳେ ନଈ, ପୋଖରୀ ବା ଚୂଆ ଇତ୍ୟାନିରୁ ଅଶୋଧିତ ଜଳ ସଗ୍ରହ କରି ବ୍ୟବହାର କରୁଥିବା ଜନସାଧାରଣ ଜଳବାହୀ ରୋଗର ପ୍ରାଦୁର୍ଭାବ ଭୋଗିବା ଅତ୍ୟନ୍ତ ସ୍ବାଭାବିକ ହୋଇଥାଏ, କାରଣ ଆମ ରାଜ୍ୟରେ ଏଭଳି ପ୍ରାକୃତିକ ଜଳଉତ୍ସମାନ ମନୁଷ୍ୟ ମଳ ଓ ଅନ୍ୟାନ୍ୟ ବର୍ଜ୍ୟ ଦ୍ବାରା ଭୀଷଣ ଭାବେ ପ୍ରଦୂଷିତ; ଏପରିକି ଗଭୀର ନଳକୂପର ଜଳ ମଧ୍ୟ ଏଥିରୁ ମୁକ୍ତ ହୋଇ ନ ଥାଏ। ସୁତରାଂ, ଏଭଳି ସ୍ଥିତିରେ ଏକ ସଚେତନ ଜନସମାଜ ଫୁଟା ଓ ଛଣା ବା ‘କ୍ଲୋରିନ୍’ ବଟିକା ଦ୍ବାରା ପରିଷ୍କୃତ ଜଳ ପାନ ଏବଂ ଲକ୍ଷଣ ପ୍ରକାଶ ପାଇବା ମାତ୍ରକେ ଚିକିତ୍ସାଳୟକୁ ଯାଇ ଚିକିତ୍ସିତ ହେବା ଉପରେ ସର୍ବାଧିକ ଗୁରୁତ୍ବ ଦେବା ଜରୁରି।
ଏହି ଆଲୋଚନା ସଂଦର୍ଭରେ ୨୦୨୨ ମସିହାେର ‘ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ’ରେ ପ୍ରକାଶିତ ଏକ ଅନୁଧ୍ୟାନମୂଳକ ରିପୋର୍ଟ ବିଶେଷ ପ୍ରଣିଧାନଯୋଗ୍ୟ, ଯହିଁରେ ‘ଆର.ଏମ.ଆର.ସି.’ର ବିଶେଷଜ୍ଞଙ୍କ ମତକୁ ଆଧାର କରି ହେମନ୍ତ ରାଉତ ଦର୍ଶାଇଛନ୍ତି କିଭଳି ୧୯୯୫ ମସିହାରୁ ୨୦୧୯ ମସିହା ମଧ୍ୟରେ ଆମ ରାଜ୍ୟ ଓଡ଼ିଶା ହଇଜା ବୀଜାଣୁ ‘ଭି କଲେରି’ର ପ୍ରାୟ ଦେଢ଼ ହଜାର(୧୪୯୨) ‘ଭାରିଆଣ୍ଟ’ଙ୍କ ଏକ ଉପନିବେଶରେ ପରିଣତ ହେଲାଣି। ସେହି ରିପୋର୍ଟ ଅନୁସାରେ ଏହି ସମୟ ଖଣ୍ଡ ମଧ୍ୟରେ ଓଡ଼ିଶାର ଅନ୍ତତଃ ୨୧ଟି ଜିଲ୍ଲାରେ ‘ଭି କଲେରି’ର ଭାରିଆଣ୍ଟ ‘୦୧ ଓଗାୱା ଏଲ୍ ଟର୍’ ଦେଖିବାକୁ ମିଳିଲେଣି। ୧୯୯୫ ମସିହାରେ କଟକ ଜିଲ୍ଲାରେ ୧୬ ପ୍ରକାର, ୨୦୦୩ ମସିହାରେ ପୁରୀ, କେଉଁଝର, ଢେଙ୍କାନାଳ, ମୟୂରଭଞ୍ଜ ଓ ମାଲକାନଗିରି ଜିଲ୍ଲାରେ ୧୬୦ ପ୍ରକାର, ୨୦୦୭ ମସିହାରେ ଜଗତସିଂହପୁର, େଖାର୍ଦ୍ଧା, ରାୟଗଡ଼ା ଓ କୋରାପୁଟରେ ୧୬୬ ପ୍ରକାର ଏବଂ ୨୦୧୨ ମସିହାରେ ରାୟଗଡ଼ା, କଳାହାଣ୍ଡି ଓ କୋରାପୁଟରେ ୧୫୩ ପ୍ରକାର ‘ଓଗାୱା ଏଲ୍ ଟର୍’ ବୀଜାଣୁ ଅନ୍ତର୍ଭୁକ୍ତ। ‘ଆର.ଏମ.ଆର.ସି.’ର ବରିଷ୍ଠ ବୈଜ୍ଞାନିକଙ୍କ ଅନୁସାରେ ୧୯୯୯ (ମହାବାତ୍ୟା ପରବର୍ତ୍ତୀ), ୨୦୦୦, ୨୦୦୩, ୨୦୦୫, ୨୦୦୬, ୨୦୦୭, ୨୦୧୦ ଓ ୨୦୧୨ ମସିହାରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ହୋଇଥିବା ହଇଜା ବିତ୍ପାତରେ ୧ ଲକ୍ଷ ୯ ହଜାର ୪୩୧ ଜଣ ଆକ୍ରାନ୍ତ ହୋଇଥିଲେ, ଯାହା କ୍ରମେ ଆଭ୍ୟନ୍ତରୀଣ ଆସିବାସୀ ବହୁଳ ଜିଲ୍ଲାଗୁଡ଼ିକରେ ପ୍ରବେଶ କରିଥିଲା। ସେହି କ୍ରମରେ ୨୦୦୭ ମସିହା, ଅଗଷ୍ଟ ମାସରେ ରାୟଗଡ଼ା ଜିଲ୍ଲାର କାଶୀପୁରରେ ‘ଓଗାୱା ଏଲ୍ ଟର୍’ ତା’ର ପ୍ରକୋପ ଦେଖାଇଥିଲା। ସୁତରାଂ, ସରକାର, ପ୍ରଶାସନ ଓ ଜନସାଧାରଣ; ସମସ୍ତଙ୍କ ଲାଗି ଏଥିରୁ ନିସୃତ ସନ୍ଦେଶଟି ହେଲା ହଇଜାର ଅନିବାର୍ଯ୍ୟତାକୁ ସ୍ବୀକାର କରି ଏବଂ ଘଣ୍ଟ ଘୋଡ଼ାଇବାର ଉଦ୍ୟମ ନ କରି ସମାଧାନ ଓ ସତର୍କତାର ମାର୍ଗ ଅବଲମ୍ବନ କରିବା।
ଅଷ୍ଟାଦଶ ଶତାବ୍ଦୀର ମଧ୍ୟ ଭାଗରେ ଶିଳ୍ପ ବିପ୍ଳବ ସମୟରେ ୟୁରୋପ ଭୂଖଣ୍ଡ ଭୟାବହ ହଇଜା ଦ୍ବାରା ବିବ୍ରତ ହୋଇ ଉଠିଥିଲା। ଶିଳ୍ପୋଦ୍ୟୋଗକୁ କେନ୍ଦ୍ର କରି ଗଢ଼ି ଉଠିଥିବା ନିଘଞ୍ଚ ଜନବସତିକୁ ଘେନି ସୃଷ୍ଟି ହୋଇଥିବା ଆବର୍ଜନା ଥିଲା ଏହାର କାରଣ, ଯଦିଓ ସେତେବେଳେ ବିଶ୍ବାସ କରାଯାଉଥିଲା ଯେ ପୂତିଗନ୍ଧମୟ ପରିବେଶର ଦୁର୍ଗନ୍ଧ ପବନ ହିଁ ହଇଜାର କାରଣ। ୧୮୫୩ ମସିହାରେ ନିଶ୍ଚେତକ ବିଶେଷଜ୍ଞ ଡାକ୍ତର ଜନ ସ୍ନୋ ହିଁ ପ୍ରଥମେ ହଇଜାର କାରଣ ସଂକ୍ରମିତ ଜଳ ବୋଲି ବୁଝି ପାରିଥିଲେ; କାରଣ ଲଣ୍ଡନ ସହରର ବ୍ରଡ୍ ଷ୍ଟ୍ରିଟ୍ ଅଞ୍ଚଳରେ ଏକ ନିର୍ଦ୍ଦିଷ୍ଟ ନଳକୂପର ଜଳକୁ ବ୍ୟବହାର କରୁଥିବା ସ୍ଥାନୀୟ ଲୋକେ ହଇଜାରେ ଆକ୍ରାନ୍ତ ହେଉଥିବା ବେଳେ ଅଦୂରରେ ଅନ୍ୟ ନଳକୂପ ବ୍ୟବହାରକାରୀମାନେ ରୋଗମୁକ୍ତ ଥିବା ବିଷୟ ତାଙ୍କ ଆଖିରୁ ବାଦ ପଡ଼ି ନ ଥିଲା। ସ୍ଥାନୀୟ ପ୍ରଶାସନକୁ କୌଣସିମେତ ବୁଝେଇ ସ୍ନୋ ମହାଶୟ ସେହି ନଳକୂପର ହାଣ୍ଡଲକୁ ଭାଙ୍ଗି ଅଚଳ କରି ଦେବା ପରେ ଅଚିରେ ସେ ଅଞ୍ଚଳ ହଇଜା ମୁକ୍ତ ହୋଇଗଲା, ଯଦିଓ ସେତେବେଳକୁ ୫୦୦ ଲୋକ ପ୍ରାଣ ହରାଇ ସାରିଥିଲେ। କହିବା ଅନାବଶ୍ୟକ ଯେ ସେହି ନଳକୂପ ଦ୍ବାରା ଆହୃତ ଜଳର ଉତ୍ସରେ ନିକଟସ୍ଥ ମଇଳା ଟାଙ୍କିର ମଳ ମିଶି ତାକୁ ଭୀଷଣ ପ୍ରଦୂଷିତ କରି ଦେଇଥିଲା। କୌଣସି ଟିକା ବା ଔଷଧ ବା ସଚେତନତା ନ ଥିବା ସମୟରେ ଏଭଳି ଏକ କ୍ଷୁଦ୍ର ପଦକ୍ଷେପ ୟୁରୋପକୁ ହଇଜା ମୁକ୍ତ ହେବା ଦିଗରେ ପଥ ପ୍ରଦର୍ଶକ ହୋଇଥିଲା। ତେଣୁ ପ୍ରଶ୍ନ ଉଠିଥାଏ ଯେ ସଂପ୍ରତି ଟିକା, ଔଷଧ, ଚିକିତ୍ସା ବ୍ୟବସ୍ଥା, ସଚେତନତା ଓ ସରକାରୀ କଳର ଉଦ୍ୟମ ଇତ୍ୟାଦି ଉପଲବ୍ଧ ଥିଲା ବେଳେ ଆମ ରାଜ୍ୟ ହଇଜା ମୁକ୍ତ ହୋଇ ପାରିବ ନାହିଁ କାହିଁକି? ଏହାର ଉତ୍ତର ହେଲା କେବଳ ନିଷ୍ଠାପର ଉଦ୍ୟମର ଆବଶ୍ୟକତା ରହିଛି। ଏବେ ମଧ୍ୟ ଲଣ୍ଡନର ବ୍ରଡ୍ ଷ୍ଟ୍ରିଟରେ ସେହି ଭଙ୍ଗା ନଳକୂପର ଏକ ପ୍ରତିକୃତି ବିଦ୍ୟମାନ, ଯାହା ଇଙ୍ଗିତ କରିଥାଏ ଯେ ଏକ କ୍ଷୁଦ୍ର ପଦେକ୍ଷପରୁ ଅବଲୀଳା କ୍ରମେ ବିରାଟ ପରିବର୍ତ୍ତନ ସମ୍ଭବ ହୋଇଥାଏ।