ପ୍ରତ୍ୟେକ ବିମାନ ଦୁର୍ଘଟଣା ପରେ ଏଭଳି ଭୟାଳୁଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥାଏ, ଯାହା ଶଂସିତ ଘଟଣା ପରିପ୍ରେକ୍ଷୀରେ ମଧ୍ୟ ହୋଇଥିବ। ଏଭଳି ସ୍ଥଳେ ବାରମ୍ବାର ଉଡ଼ାଣ ରଦ୍ଦ ହେବା ସେହି ଭୟକୁ ଅଧିକ ଘନୀଭୂତ କରିବା ସ୍ବାଭାବିକ, ଯାହା ଦୁର୍ଘଟଣା ପରବର୍ତ୍ତୀ ଟିକେଟ ଫେରସ୍ତରୁ ସ୍ପଷ୍ଟ। ବିକଳ୍ପ ଯାତାୟାତର ଉପଲବ୍ଧତା ହେତୁ ଘରୋଇ ବିମାନ ଯାତ୍ରୀଙ୍କ ଦ୍ବାରା ଟିକଟ ଫେରସ୍ତ ସଂଖ୍ୟାରେ ୧୫ରୁ ୨୦% ବୃଦ୍ଧି ଘଟିଛି।
ନିକଟରେ ଘଟି ଯାଇଥିବା ମର୍ମନ୍ତୁଦ ବିମାନ ଦୁର୍ଘଟଣା ଦ୍ବାରା ସଂଚରିତ ଆଶଙ୍କା ଓ ଉଦ୍ବେଗର ତରଙ୍ଗ କିଭଳି ଚିନ୍ତାତୀତ ପ୍ରଭାବ ସୃଷ୍ଟି କରିପାରେ, ତାହା ପରିଲକ୍ଷିତ ହୋଇଛି ଏୟାର ଇଣ୍ଡିଆର ବିମାନ ଯାତ୍ରାମାନ ସହସା ରଦ୍ଦ ହେବାରେ, ଯେଉଁ ସଂଖ୍ୟା ହେଉଛି ଗଲା ୧୨ରୁ ୧୭ ତାରିଖ ମଧ୍ୟରେ ତେୟାଅଶୀଟି ଉଡ଼ାଣ। ପ୍ରକାଶ ଥାଉ କି ବାତିଲ ହୋଇଥିବା ଏହି ଉଡ଼ାଣଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ ଅଛନ୍ତି ନିକଟ, ମଧ୍ୟମ ଏବଂ ଅଧିକ ଦୂରଗାମୀ ଯାତ୍ରାମାନ(ମୁମ୍ବାଇ-ସାନ ଫ୍ରାନସିସ୍କୋ ଭଳି), ଯଦ୍ଦ୍ବାରା ବିମାନ ଯାତ୍ରୀମାନେ ଅପ୍ରତ୍ୟାଶିତ ଭାବେ ହଟହଟା ଏବଂ ଏୟାର ଇଣ୍ଡିଆ କଂପାନି ତୀବ୍ର ଅସ୍ବସ୍ତିର ଶିକାର ମଧ୍ୟ ହୋଇଛନ୍ତି। ଏଭଳି ପରିସ୍ଥିତିରୁ ଏକ ଧାରଣା ସୃଷ୍ଟି ହେଲାଣି ଯେ ସେତ ଯେମିତି ଏହି ଦୁଘର୍ଟଣା ପରେ ବିମାନ ଯାତ୍ରୀ, ପାଇଲଟ ଓ କର୍ମଚାରୀ ଏବଂ ବିମାନ ପରିବହନ କଂପାନି; ସଭିଏଁ ଅଚାନକ ଉଦ୍ବେଗଜନିତ କଂପନ ଅନୁଭବ କରୁଛନ୍ତି। କାରଣ ବିମାନ ଦୁର୍ଘଟଣାଟିଏ ଘଟିଗଲେ(ଯାହା ଅତ୍ୟନ୍ତ ବିରଳ) ଯଦିଓ ଆଶଙ୍କା, ଉଦ୍ବେଗ ଓ ଚାଞ୍ଚଲ୍ୟ ଖେଳି ଯାଇଥାଏ, କିନ୍ତୁ ଉପର ବର୍ଣ୍ଣିତ ଭଳି ଦୃଶ୍ୟପଟ ପ୍ରାୟତଃ ସୃଷ୍ଟି ହୋଇ ନ ଥାଏ। ସେହି ପରିପ୍ରେକ୍ଷୀରେ ଏହି ପରିସ୍ଥିତି ଉପରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଏହାର ସର୍ବ ପ୍ରଥମ କାରଣ ସମ୍ଭବତଃ ଏହା ଯେ ‘ବୋଇଂ ୭୮୭-ଡ୍ରିିମଲାଇନର’କୁ ସର୍ବାଧିକ ନିରାପଦ ବିମାନ ରୂପେ ନିର୍ମାତା କଂପାନି ପକ୍ଷରୁ ବିଜ୍ଞପିତ କରାଯାଇଥାଏ ଏବଂ କୁହାଯାଇଥାଏ ଏଥିରେ ସନ୍ନିହିତ ସୁରକ୍ଷା ପ୍ରାବଧାନ ଏହାକୁ ‘ଦୁର୍ଘଟଣା ନିରୋଧୀ’ ଭାବେ ଗଢ଼ି ତୋଳିଛି। ୨୦୧୧ ମସିହାରୁ ଚଳାଚଳ ପ୍ରାରମ୍ଭ କରିଥିବା ପ୍ରାୟ ୧୧୦୦ ସରିକି ‘ଡ୍ରିମଲାଇନର’ ସମଗ୍ର ପୃଥିବୀର ଆକାଶ ମାର୍ଗରେ ବିଚରଣ କରିବାରେ ଲାଗିଛନ୍ତି, ଯହିଁରେ ଏହା ହେଉଛି ସେହି ମାର୍କା ବିମାନର ପ୍ରଥମ ସର୍ବବୃହତ୍ ଦୁର୍ଘଟଣା, ଯଦିଓ କେତେକ ‘ଡ୍ରିମଲାଇନର’ ସମୟେ ସମୟେ ସାମାନ୍ୟ ଯାନ୍ତ୍ରିକ ସମସ୍ୟା ଦେଖାଇଛନ୍ତି। ସେହି ଦୃଷ୍ଟିରୁ ଏହି ଦୁର୍ଘଟଣାରେ ଯାହା ହତଭମ୍ବ କରି ଦେଇଥାଏ, ତାହା ହେଲା ଏକ ଉଜ୍ଜ୍ବଳ ନିର୍ମେଘ ଦ୍ବିପହରେ ଜଣେ ଅତ୍ୟନ୍ତ ଅଭିଜ୍ଞ ପାଇଲଟଙ୍କ ଅଧୀନସ୍ଥ ବିମାନଟି, ଅଗତ୍ୟା କୌଣସି କାରଣ ନ ଥାଇ, ଉଡ଼ାଣ ଭରିବାର ମତ୍ରେ ମିନିଟକ ମଧ୍ୟରେ ଭୂପତିତ ହୋଇଯିବା। ପରିଶେଷରେ ଯଦିଓ ‘ବ୍ଲାକ ବକ୍ସ’, ‘ଫ୍ଲାଇଟ ଡାଟା ରେକର୍ଡର’ ଓ ‘କେବିନ ଭଏସ ରେକର୍ଡର’ ଇତ୍ୟାଦିରୁ ଦୁର୍ଘଟଣାର କାରଣ ସ୍ପଷ୍ଟ ହେବ, ଦୁର୍ଘଟଣାର କେଇ ମୁହୂର୍ତ୍ତ ପୂର୍ବର ଭିଡିଓ ଫୁଟେଜ୍ରୁ ଅଧିକାଂଶ ବିଶେଷଜ୍ଞ ଏକମତ ଯେ ବିମାନର ଦୁଇଟି ଯାକ ଇଞ୍ଜିନ ଗୋଟିଏ ସମୟରେ ଅଚଳ ହୋଇଯାଇଥିବ, ଯେଉଁ ବିପଜ୍ଜନକ ସଂଯୋଗ ଘଟିବାର ସମ୍ଭାବନା ହେଉଛି ଶହେ କୋଟିରେ ଗୋଟିଏ, ଅର୍ଥାତ୍ ପ୍ରାୟ ଅସମ୍ଭବ! କିନ୍ତୁ, ଯଦି ‘ଅସମ୍ଭବ’ ଦୈବାତ୍ ସମ୍ଭବ ହୋଇଯାଏ, ତେବେ, କିଞ୍ଚିତ ହେଲେ ମଧ୍ୟ ସମ୍ଭାବନା ବା ଆଶଙ୍କାର ଦ୍ବାର ଖୋଲିଯାଏ। ଏଭଳି ସ୍ଥିତିରେ ଦୁର୍ଘଟଣାର କାରଣ ସୁସ୍ପଷ୍ଟ ନ ହେବା ପର୍ଯ୍ୟନ୍ତ ତହିଁରେ ‘ଅଦୃଷ୍ଟର ହାତ’ ଏକ ଭୟ ଉଦ୍ରେକକାରୀ ଭୂମିକା ନିର୍ବାହ କରିପାରେ, ଯାହା ସମ୍ଭବତଃ ଉଡ଼ାଣ ରଦ୍ଦ ହେବା ପ୍ରକ୍ରିୟାରେ ଦେଖିବାକୁ ମିଳିଛି। ଅବଶ୍ୟ, ଇତିମଧ୍ୟରେ ‘ଡାଇରେକ୍ଟର ଜୋନରାଲ ଅଫ ସିଭିଲ ଏଭିଏସନ’ ବା ‘ଡି.ଜି.ସି.ଏ.’ ଦ୍ବାରା ‘ଏୟାର ଇଣ୍ଡିଆ’ର ସମସ୍ତ ବିମାନର ସାନି ତନଖି କାର୍ଯ୍ୟ ସମାପ୍ତ କରାଯାଇ କୌଣସି ତ୍ରୁଟି ନ ଥିବା ବିଷୟ କୁହାଯାଇ ସାରିଲାଣି। ତେଣୁ ଅଳ୍ପ କିଛି ଦିନ ମଧ୍ୟରେ ସ୍ବାଭାବିକତା ଫେରି ଆସିବାର ଆଶା ଉଜ୍ଜ୍ବଳ।
ଦ୍ବିତୀୟ କାରଣଟି ହେଉଛି ଏ ସଂଦର୍ଭରେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ସୂଚନା, ତଥ୍ୟ, ଜ୍ଞାନ ଓ ପରାମର୍ଶର ପ୍ଳାବନ, ଯଦ୍ଦ୍ବାରା ବିମାନ ନିର୍ମାଣ କାଳରେ ବୋଇଂ କଂପାନି ଦ୍ବାରା ହୋଇ ଆସୁଥିବା ହେରଫେର, ଅଧିକ ଲାଭ ଅର୍ଜନ ସକାଶେ ‘ଡ୍ରିମଲାଇନର’ ଭଳି ବିମାନର ଗୁଣବତ୍ତା କ୍ଷେତ୍ରରେ କରାଯାଉଥିବା ଅମାର୍ଜନୀୟ ସନ୍ଧି, ବୋଇଂ କଂପାନିର କତିପୟ କର୍ମଚାରୀଙ୍କ ଦ୍ବାରା ଏଭଳି ଅପକର୍ମ ଉଜାଗର ହେବା ସତ୍ତ୍ବେ ସେମାନଙ୍କୁ ଦମନ କରିବା ଏବଂ ମୋଟା ଅଙ୍କର ଚାନ୍ଦା ବଳରେ ଆମେରିକାର ରାଜନୀତିକୁ ପ୍ରଭାବିତ କରି ବ୍ୟବସାୟକୁ ଅଗ୍ରସର କରାଇ ନେବାର ଉଦ୍ୟମ ଇତ୍ୟାଦି ବିଷୟ ସଂପ୍ରତି ସର୍ବଜନବିଦିତ ହୋଇ ବୋଇଂ ବିମାନ ନେଇ ବିଶ୍ବାସ ହାନି ସୃଷ୍ଟି କରିଛି। ଇତିମଧ୍ୟରେ ବୋଇଂ କଂପାନିକୁ ଘେନି ‘ଅଲ ଜଜିରା’ ଚ୍ୟାନେଲ ଦ୍ବାରା ପ୍ରସ୍ତୁତ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯହିଁରେ େବାଇଂ କଂପାନିର କେତେକ କର୍ମଚାରୀ ପ୍ରକାଶ କରିଛନ୍ତି ଯେ ସେମାନେ ବୋଇଂ ନିର୍ମିତ ବିମାନରେ ଯାତ୍ରା କରିବାକୁ ପସନ୍ଦ କରିବେ ନାହିଁ, ଯାହା ପଛରେ ଥିବା ଏକମାତ୍ର କାରଣଟି ହେଉଛି ଉଡ଼ାଣ ନିରାପତ୍ତା ନେଇ ସନ୍ଦେହ। ପ୍ରକାଶ ଥାଉ କି ଏୟାର ଇଣ୍ଡିଆର ୧୯୦ରୁ ୫୭ଟି ବିମାନ ବୋଇଂ ଦ୍ବାରା ନିର୍ମିତ।
ଅବଶ୍ୟ ଏହା ମଧ୍ୟ ସତ ଯେ ପରିସଂଖ୍ୟାନ ଆଧାରରେ ଅନେକ ସ୍ଥିର ମସ୍ତିଷ୍କ ସଂପନ୍ନ ବ୍ୟକ୍ତିବିଶେଷ ସାମାଜିକ ଗଣମାଧ୍ୟମରେ ଅଭୟର ବାର୍ତ୍ତା ଦେଇ କହିଥାଆନ୍ତି ଯେ ବିମାନ ଯାତ୍ରା ହେଉଛି ସର୍ବାଧିକ ନିରାପଦ, ଯହିଁରେ ଦୁର୍ଘଟଣାଜନିତ ମୃତ୍ୟୁର ହାର ହେଉଛି ୧ ନିୟୁତରେ ମାତ୍ର ୧.୧; ରେଳ ଯାତ୍ରା ତୁଳନାରେ ଏହା ୬୦% ଏବଂ ମୋଟରକାର ତୁଳନାରେ ୨୨୦% ଅଧିକ ନିରାପଦ; ୨୦୨୩ ମସିହାରେ ପ୍ରତି ୧ ନିୟୁତ ଉଡ଼ାଣରେ ଦୁର୍ଘଟଣାର ହାର ଥିଲା ମାତ୍ର ୧.୮୭; ୨୦୨୩ରେ ଦୁର୍ଘଟଣାରେ ଘଟିଥିବା ମୃତ୍ୟୁ ସଂଖ୍ୟା ୨୦୨୨ ତୁଳନାରେ ୫୦%ରୁ ଅଧିକ କମ୍। କିନ୍ତୁ ବିମାନ ଦୁର୍ଘଟଣାରେ ଜୀବିତ ରହିବାର ସମ୍ଭାବନା ଶୂନ୍ୟ ପ୍ରାୟ ହୋଇଥିବାରୁ ବିମାନ ଯାତ୍ରା କରୁଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୪୦% ଉଦ୍ବେଗଗ୍ରସ୍ତ ଅବସ୍ଥାରେ ଯାତ୍ରା କରନ୍ତି, ଯେଉଁମାନଙ୍କ ମଧ୍ୟରେ ନିୟମିତ ବିମାନଯାତ୍ରା କରୁଥିବା ଅନେକ ବିଶ୍ବସ୍ତରୀୟ ସେଲିବ୍ରିଟି ମଧ୍ୟ ଅନ୍ତର୍ଭୁକ୍ତ; କେବଳ ସେତିକି ନୁହେଁ, ଏମାନଙ୍କ ମଧ୍ୟରୁ ଅନେକ ଏଭଳି ତୀବ୍ର ଭୟରେ ଆଚ୍ଛନ୍ନ ହୁଅନ୍ତି ଯେ ବିମାନ ଯାତ୍ରାକୁ ଜଳାଞ୍ଜଳି ଦିଅନ୍ତି, ଯେମିତି ଘଟିଥିଲା ପ୍ରସିଦ୍ଧ ଡଚ୍ ଫୁଟ୍ବଲ୍ ଖେଳାଳି ଡେନିସ ବର୍ଗକେଂପଙ୍କ କ୍ଷେତ୍ରେର, ଯିଏ ବିମାନ ଯାତ୍ରାର ଅନିବାର୍ଯ୍ୟତାକୁ ଏଡ଼ାଇବା ଲାଗି ସହସା ଅନ୍ତର୍ଜାତୀୟ ଫୁଟ୍ବଲ୍ରୁ ଅବ୍ୟାହତି ନେଇ ଯାଇଥିଲେ। କହିବା ବାହୁଲ୍ୟ, ପ୍ରତ୍ୟେକ ବିମାନ ଦୁର୍ଘଟଣା ପରେ ଏଭଳି ଭୟାଳୁଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥାଏ, ଯାହା ଶଂସିତ ଘଟଣା ପରିପ୍ରେକ୍ଷୀରେ ମଧ୍ୟ ହୋଇଥିବ। ଏଭଳି ସ୍ଥଳେ ବାରମ୍ବାର ଉଡ଼ାଣ ରଦ୍ଦ ହେବା ସେହି ଭୟକୁ ଅଧିକ ଘନୀଭୂତ କରିବା ସ୍ବାଭାବିକ, ଯାହା ଦୁର୍ଘଟଣା ପରବର୍ତ୍ତୀ ଟିକେଟ ଫେରସ୍ତରୁ ସ୍ପଷ୍ଟ। ବିକଳ୍ପ ଯାତାୟାତର ଉପଲବ୍ଧତା ହେତୁ ଘରୋଇ ବିମାନ ଯାତ୍ରୀଙ୍କ ଦ୍ବାରା ଟିକଟ ଫେରସ୍ତ ସଂଖ୍ୟାରେ ୧୫ରୁ ୨୦% ବୃଦ୍ଧି ଘଟିଛି।
ଏହି ଦୁର୍ଘଟଣା ପରେ ଅନେକ ବୈଠକଖାନା ବିଶେଷଜ୍ଞ ସମ୍ଭାବ୍ୟ ପାଇଲଟ ତ୍ରୁଟି ଆଡ଼କୁ ମଧ୍ୟ ତର୍ଜନୀ ନିର୍ଦ୍ଦେଶ କରିଛନ୍ତି। ଦୁର୍ଘଟଣାଟି ନେଇ କୌଣସି ପ୍ରାମାଣିକ ନିଷ୍କର୍ଷ ମିଳି ନ ଥିବା ସ୍ଥଳେ ଏଭଳି ଦୋଷାରୋପ ଅତ୍ୟନ୍ତ ଅସଂଗତ। ଏହି ପରିପ୍ରେକ୍ଷୀରେ ସଲି ସଲେନବର୍ଗର ସ୍ମରଣକୁ ଆସନ୍ତି, ଯାହାଙ୍କ ସଂଦର୍ଭରେ ଇଂରେଜୀରେ ପ୍ରଚଳିତ ଉକ୍ତିଟି ହେଲା ‘ଦ ପାଇଲଟ ହୁ ଫ୍ଲିଉ ହିଜ ସନ୍ ଟୁ ସ୍କୁଲ ଏଭ୍ରିଡେ’, ଅର୍ଥାତ୍ ‘ୟେ ସେହି ପାଇଲଟ ଯିଏ ପ୍ରତ୍ୟହ ବିମାନରେ ନିଜ ପୁଅକୁ ସ୍କୁଲ ନେଇ ଯାଉଥିଲେ।’ କହିବା ବାହୁଲ୍ୟ ଏ ଅଭିବ୍ୟକ୍ତିଟି ଏକ ରୂପକଳ୍ପ, ଯହିଁରେ ସଲେନବର୍ଗରଙ୍କ ଅପୂର୍ବ ବିମାନ ଚାଳନା କୌଶଳ ଓ ସ୍ଥିତପ୍ରଜ୍ଞତା ସହିତ ବିମାନ ଯାତ୍ରୀମାନଙ୍କୁ ପିତାସୁଲଭ ସୁରକ୍ଷା ପ୍ରଦାନରେ ସଫଳତାକୁ ଦର୍ଶାଯାଇଥାଏ। ଉଲ୍ଲେଖଯୋଗ୍ୟ ଯେ ୨୦୦୯ ମସିହା ଜାନୁଆରି ୧୫ ତାରିଖରେ ସେ ଚଳାଉଥିବା ବିମାନଟି ଏକ ଭ୍ରମଣକାରୀ ପକ୍ଷୀ ଯୂଥଙ୍କ ସହିତ ଧକ୍କା ଖାଇବା ପରେ ଉଭୟ ଇଂଜିନ ଅଚଳ ହୋଇ ଜରୁରୀ ଅବତରଣ ଲୋଡ଼ିଥିଲା। ଏଭଳି ସନ୍ଧିକ୍ଷଣରେ ସେ ଅଗତ୍ୟା ତାକୁ ହଡସନ ନଦୀ ଉପରେ ଓହ୍ଲାଇ ଦେଇ ଭାସମାନ କରି ରଖିବାରେ ସଫଳ ହୋଇଥିଲେ। ଏହି ଘଟଣାକୁ ‘ହଡସନ ମିରାକଲ’ ବା ‘ହଡସନ ଅଲୌକିକତା’ ବୋଲି ଅଭିହିତ କରାଯାଇଥାଏ। ପ୍ରକାଶ ଥାଉ କି ସେହି ବିମାନରେ ଯାତ୍ରା କରୁଥିବା ସମସ୍ତ ୧୫୦ ଜଣ ଯାତ୍ରୀ ଓ ବିମାନ କର୍ମଚାରୀ ସେ ଦିନ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ। କହିବା ଅନାବଶ୍ୟକ ଯେ ମାନବୀୟ ତ୍ରୁଟିର ସମ୍ଭାବନା ଥିବା ସତ୍ତ୍ବେ ପ୍ରତ୍ୟେକ ବିମାନ ପାଇଲଟ ହେଉଛନ୍ତି ସଲି ସଲେନବର୍ଗରଙ୍କ ଗୋଟିଏ ଗୋଟିଏ ଅବତାର। ତେଣୁ ଚାଳନାଗତ ତ୍ରୁଟି ମଧ୍ୟ ଭୟର କାରଣ ହେବା ଅନୁଚିତ। ସୁତରାଂ, ଏହି ଅସ୍ବାଭାବିକତା ଶୀଘ୍ର ଦୂର ହେଉ ବୋଲି ପ୍ରତୀକ୍ଷା କରାଯାଉ।