ଭାରତର ମୋଟ ସଂପଦର ୪୦ ଶତାଂଶ ଭାରତର ଜନସଂଖ୍ୟାର ଶିଖର ଏକ ଶତାଂଶଙ୍କ ମାଲିକାନାରେ ଥିବାବେଳେ ଜନସଂଖ୍ୟାର ତଳ ୫୦ ଶତାଂଶଙ୍କ ମାଲିକାନାରେ ଅଛି ମୋଟ ସଂପଦର ମାତ୍ର ତିନି ଶତାଂଶ। ବେଲ ପାଚିଲେ କୁଆର କି ଯାଏ? ଭଳି ସ୍ବାଭାବିକ ଭାବରେ ପ୍ରଶ୍ନ ଉଠେ ଭାରତ ପୃଥିବୀର ଚତୁର୍ଥ/ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେଲେ ଦେଶର ଜନସଂଖ୍ୟାର ଏହି ଅର୍ଦ୍ଧାଧିକ କୁଆମାନଙ୍କର ଯାଏଆସେ କ’ଣ?

Advertisment

ଏକ ଦେଶର ମୋଟ ବାର୍ଷିକ ଘରୋଇ ଉତ୍ପାଦ ବା ‘ଜିଡିପି’ ବର୍ତ୍ତମାନ ପରିସଂଖ୍ୟାନ ଶାସ୍ତ୍ର ଓ ଅର୍ଥଶାସ୍ତ୍ରର ନିଭୃତ ଇଲାକାକୁ ଅତିକ୍ରମ କରି ଚା’ ଦୋକାନ ଖଟିରୁ ଆରମ୍ଭ କରି କୌଣସି ଯାତ୍ରୀବାହୀ ରେଳଗାଡ଼ି ଭିତରେ ସହଯାତ୍ରୀମାନଙ୍କ ମଧ୍ୟରେ ଆରମ୍ଭ ହୋଇଯାଉଥିବା ଆଲୋଚନାରେ ବ୍ୟବହୃତ ଏକ ସାଧାରଣ ଶବ୍ଦରେ ପରିଣତ ହୋଇ ସାରିଲାଣି। ବର୍ତ୍ତମାନ ଏହା ଯେଉଁ ସଦ୍ୟତମ ଉଚ୍ଚାଟିତ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିବା ଦେଖାଯାଇଛି, ତାହା ହେଲା ଭାରତର ‘ଜିଡିପି’ ଏବେ ଜାପାନର ‘ଜିଡିପି’କୁ ଅତିକ୍ରମ କରିଯିବା ଫଳରେ ଭାରତୀୟ ଅର୍ଥନୀତି ବର୍ତ୍ତମାନ ପୃଥିବୀର ଚତୁର୍ଥ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଯାଇଛି।
‘ଜିଡିପି’କୁ ପ୍ରଦାନ କରାଯାଉଥିବା ଏଭଳି ଗୁରୁତ୍ବ ବୁଝିବା ମଧ୍ୟ କଷ୍ଟକର ନୁହେଁ। ୨୦୦୦ ସାଲରେ ଆମେରିକାର ‘ବ୍ୟୁରୋ ଅଫ୍ ଇକୋନମିକ୍ ଆନାଲିସିସ୍’ ‘ଜିଡିପି’କୁ ‘‘ବିଂଶ ଶତାବ୍ଦୀର ଅନ୍ୟତମ ମହାନ ଉଦ୍ଭାବନ’’ ରୂପେ ଘୋଷଣା କରିଥିଲା। ଇତି ମଧ୍ୟରେ ପରିବେଶବାଦୀରୁ (ସେମାନେ ଅଭିଯୋଗ କରନ୍ତି ଯେ ‘ଜିଡିପି’ କେବଳ ଉତ୍ପାଦନକୁ ହିସାବକୁ ନେଇଥାଏ, ଏଥିଯୋଗୁଁ ଘଟୁଥିବା ପରିବେଶର କ୍ଷତିକୁ ହିସାବକୁ ନେଇ ନ ଥାଏ) ଖୁସିବାଦୀ (ସେମାନେ ଚାହାନ୍ତି ଅର୍ଥନୈତିକ ଅଭିବୃଦ୍ଧିର ସୂଚକ ‘ଜିଡିପି’ ସ୍ଥାନରେ ଦେଶବାସୀଙ୍କର ସାମଗ୍ରିକ ଖୁସିର ଏକ ସୂଚକ ବ୍ୟବହୃତ ହେଉ, ଯେମିତି ଭୁଟାନରେ ଅନୁସୃତ ହେଉଛି) ଓ ସାମ୍ୟବାଦୀମାନଙ୍କ ‌(ସେମାନେ ବିଷୋଦ୍‌ଗାର କରନ୍ତି ଯେ ‘ଜିଡିପି’ ସଂପୃକ୍ତ ଦେଶରେ ଆୟ ଓ ସଂପଦର ବଣ୍ଟନରେ ବିରାଜମାନ କରୁଥିବା ବୈଷମ୍ୟକୁ ଘୋଡ଼ାଇ ରଖିଥାଏ) ପର୍ଯ୍ୟନ୍ତ ‘ଜିଡିପି’ର ବିଭିନ୍ନ ଦୋଷଦୁର୍ବଳତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଚାଲିଥିଲେ ହେଁ, ‘ଜିଡିପି’ ଏ ପର୍ଯ୍ୟନ୍ତ ଏକ ‘‘ମହାନ ଉଦ୍ଭାବନ’’ ରୂପେ ତା’ର ପ୍ରଭାବ ହରାଇ ନାହିଁ।
ତେଣୁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ‘ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି’ (‘ଆଇଏମ୍ଏଫ୍’) ଯେତେବେଳେ ପ୍ରକାଶ କଲା ମଇ, ୨୦୨୫ରେ ଭାରତର ‘ଜିଡିପି’ର ଆକାର ୪.୧୯ ଟ୍ରିଲିଅନ୍ ଡଲାର୍ ଛୁଇଁ ଜାପାନର ୪.୧୮ ଟ୍ରିଲିଅନ୍ ଡଲାର୍ ‘ଜିଡିପି’କୁ ସୂତା ଖିଅକରେ ଅତିକ୍ରମ କରିଯାଇଛି, ସେତେବେଳେ ‘ନିତି ଆୟୋଗ’ର ମୁଖ୍ୟ ନିର୍ବାହୀ ଅଧିକାରୀ ଏକ ସାମ୍ବାଦିକ ସମ୍ମିଳନୀରେ ଏକଥା ସଗର୍ବରେ ଘୋଷଣା କରିବା ଦେଖାଯାଇଥିଲା। ଅର୍ଥନୀତିଜ୍ଞମାନେ ମଧ୍ୟ ଅନୁମାନ କରୁଛନ୍ତି ଯେ ଭାରତୀୟ ଅର୍ଥନୀତି ଯେଉଁଭଳି ଅପେକ୍ଷାକୃତ ଉଚ୍ଚ ହାରରେ ଅଭିବୃଦ୍ଧି ହାସଲ କରିଚାଲିଛି, ତାହା ବଳରେ ଭାରତ ୨୦୨୮ ସୁଦ୍ଧା ଜର୍ମାନିକୁ ଅତିକ୍ରମ କରି ପୃଥିବୀର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଯିବ- କେବଳ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ଥିବା ଆମେରିକା ଓ ଚୀନ୍ ତା’ ଆଗରେ ରହିବେ।
ଭାରତ ପାଇଁ ଏହା ଯେ ନିଶ୍ଚିତ ରୂପେ ଏକ ବିରଳ ଉପଲବ୍‌ଧି, ଏଥିରେ କୌଣସି ସନ୍ଦେହ ନାହିଁ ଏବଂ ସ୍ବାଭାବିକ ଭାବରେ ଏହା ଦେଶଭକ୍ତ ଭାରତୀୟମାନଙ୍କ ଠାରେ ଏକ ଯଥାର୍ଥ ଗର୍ବବୋଧ ସୃଷ୍ଟି କରିଛି। ଅତୀତର କଚ୍ଛପ ଗତି (ଅର୍ଥନୀତିଜ୍ଞ ରାଜ କ୍ରିଷ୍ଣା ବର୍ଣ୍ଣିତ ତଥାକଥିତ ‘‘ହିନ୍ଦୁ ଅଭିବୃଦ୍ଧି ହାର’’)କୁ ଅତିକ୍ରମ କରି ପୃଥିବୀର ଦ୍ରୁତତମ ବର୍ଦ୍ଧିଷ୍ଣୁ ଅର୍ଥନୀତିରେ ପରିଣତ ହେବା ଏବଂ ତା’ ସହିତ ପୃଥିବୀର ଚତୁର୍ଥ ବୃହତ୍ତମ ଅର୍ଥନୀତିର ଆସନ ଦଖଲ କରିବା ଗୋଟିଏ ଶବ୍ଦରେ କହିଲେ ଭାରତ ପାଇଁ ହେଉଛି ଏକ ଅତ୍ୟନ୍ତ ଚମକପ୍ରଦ ସଫଳତା। ଏହି ସଫଳତାକୁ ଯାହା ବିଶେଷ ଭାବରେ ଆକର୍ଷଣୀୟ କରିଥାଏ, ତାହା ହେଲା ନିକଟ ଅତୀତରେ ସାରା ପୃଥିବୀ ସମ୍ମୁଖୀନ ହୋଇଥିବା କୋଭିଡ୍ ପାଣ୍ଡେମିକ୍‌ରୁ ଆରମ୍ଭ କରି ଅର୍ଥନୈତିକ ସଂକଟମାନ ସତ୍ତ୍ବେ ଭାରତ ଏକ ବିରଳ ବ୍ୟତିକ୍ରମ ରୂପେ ଆବିର୍ଭୂତ ହୋଇ ଏଭଳି ଈର୍ଷଣୀୟ ସଫଳତା ହାସଲ କରିପାରିଛି। ଏହା ଅନସ୍ବୀକାର୍ଯ୍ୟ ଯେ ଦେଶର ପ୍ର‌େତ୍ୟକ ନାଗରିକ ଠାରୁ ଆରମ୍ଭ କରି ଦେଶର କୃଷି, ଶିଳ୍ପ, ବାଣିଜ୍ୟ ଆଦି କ୍ଷେତ୍ରମାନଙ୍କରେ କର୍ତ୍ତବ୍ୟରତ ଥିବା ସମସ୍ତେ ଓ ଦେଶର ମଙ୍ଗ ଧରିଥିବା ସରକାରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଏଥିପାଇଁ ଅତୁଳନୀୟ ଅବଦାନ ରହିଛି।
ତେବେ ଆମେ ଯଥାର୍ଥ ଭାବରେ ଏଥିପାଇଁ ଉଲ୍ଲସିତ ହେବା ସଙ୍ଗେ ସଙ୍ଗେ ଆମର ଏହି ଉପଲବ୍‌ଧିର କେତେକ ଅନ୍ତର୍ନିହିତ ଦୁର୍ବଳତା ସମ୍ବନ୍ଧରେ ମଧ୍ୟ ସଚେତନ ହେବା ଜରୁରି। ପ୍ରଥମ କଥା ହେଲା ଜାପାନ ପରି ଦେଶ ସହିତ ନିଜକୁ ତୁଳନା କରିବା ସମୟରେ ଉଭୟ ଦେଶର ଜନସଂଖ୍ୟା ମଧ୍ୟରେ ରହିଥିବା ବିଶାଳ ତଫାତ ପ୍ରତି ଧ୍ୟାନ ଦେବା। ଭାରତ ହେଉଛି ପୃଥିବୀର ସର୍ବାଧିକ ଜନବହୁଳ ଦେଶ ଏବଂ ଏହାର ଜନସଂଖ୍ୟା ହେଉଛି କ୍ଷୁଦ୍ର ଜାପାନର ଜନସଂଖ୍ୟାର ପ୍ରାୟ ୧୧ ଗୁଣ। ଏଣୁ ଯଦି ଉଭୟ ଦେଶର ମୁଣ୍ଡପିଛା ଆୟକୁ ତୁଳନା କରାଯାଏ, ତେବେ ଦେଖାଯାଇଥାଏ ଯେ ଭାରତୀୟମାନଙ୍କର ମୁଣ୍ଡପିଛା ଆୟ ହେଉଛି ଜାପାନୀ ମୁଣ୍ଡପିଛା ଆୟର ପ୍ରାୟ ଏକ-ଦଶମାଂଶ ମାତ୍ର। ମୁଣ୍ଡପିଛା ଆୟ ହିଁ ଏକ ଦେଶର ନାଗରିକମାନଙ୍କର ଜୀବନ ଧାରଣର ମାନର ହାରାହାରି ସୂଚକ ହୋଇଥିବାରୁ, ଏ ବାବଦରେ ଭାରତ ତଥାପି ଯେ ଜାପାନର ବହୁ ପଛରେ ପଡ଼ିରହିଛି, ତାହା ସ୍ପଷ୍ଟ। ବାସ୍ତବରେ ମୁଣ୍ଡପିଛା ଆୟ ମାନ୍ୟତା ତାଲିକାରେ ଭାରତ ୧୪୧ତମ ସ୍ଥାନରେ ଥିବାବେଳେ ଜାପାନର ସ୍ଥାନ ହେଉଛି ୩୪ତମ। 
ନିକଟ ଅତୀତରେ ଦେଖାଯାଇଛି ଯେ ସାମଗ୍ରିକ ଭାବରେ ଭାରତୀୟ ଅର୍ଥନୀତି ଉଲ୍ଲେଖନୀୟ ବେଗରେ ଅଭିବୃଦ୍ଧି ହାସଲ କରି ଚାଲିଥିବାବେଳେ ଅନ୍ୟ ଦେଶମାନଙ୍କ ତୁଳନାରେ ଭାରତର ମୁଣ୍ଡପିଛା ‘ଜିଡିପି’ରେ ଅତ୍ୟନ୍ତ କ୍ଷୀଣ ବୃଦ୍ଧି ଘଟିଛି। ଅର୍ଥନୀତିର ସଂରଚନାରେ ରହିଥିବା ବିଭିନ୍ନ ଦୁର୍ବଳତାମାନଙ୍କ ଯୋଗୁଁ ଆମର ଅର୍ଥନୈତିକ ଅଭିବୃଦ୍ଧିରେ ଏଭଳି ଅସାମଞ୍ଜସ୍ୟ ପରିଲକ୍ଷିତ ହେଉଥିଲେ ହେଁ, ଯେଉଁ ମୁଖ୍ୟ ଦୁର୍ବଳତା ହେଉଛି ଏଥିପାଇଁ ଦାୟୀ, ତାହା ହେଲା ଉପରେ ଉଲ୍ଲେଖ କରାଯାଇଥିବା ସାମ୍ୟବାଦୀମାନଙ୍କ ବିଚାରରେ ‘ଜିଡିପି’ ଘୋଡ଼ାଉଥିବା ଅର୍ଥନୀତିର ଏକ ଅନ୍ଧାରି ଦିଗ- ଆୟ ଓ ସଂପଦର ବଣ୍ଟନରେ ଦେଖାଯାଉଥିବା କ୍ରମବର୍ଦ୍ଧିଷ୍ଣୁ ବୈଷମ୍ୟ।
ଉଦାହରଣ ସ୍ବରୂପ ୨୦୨୪ ବିତ୍ତ ବର୍ଷ ପାଇଁ ହୋଇଥିବା ଅର୍ଥନୈତିକ ସର୍ବେକ୍ଷଣ (‘ଇକୋନମିକ୍ ସର୍ଭେ-୨୦୨୪’)ରୁ ଜଣାପଡ଼ିଥିଲା ଯେ ଦେଶରେ କର୍ପୋରେଟ୍ ଲାଭରେ ବିଗତ ୧୫ ବର୍ଷ ମଧ୍ୟରେ ସର୍ବୋଚ୍ଚ ୨୨.୩ ଶତାଂଶ ହାରରେ ବୃଦ୍ଧି ଘଟିଥିବାବେଳେ ନିଯୁକ୍ତିରେ ମାତ୍ର ୧.୫ ଶତାଂଶ ହାରରେ ବୃଦ୍ଧି ଘଟିଛି। ମୁଦ୍ରା ଆକାରରେ ମଜୁରିରେ ବୃଦ୍ଧି ମନ୍ଥର ହୋଇଥିବାବେଳେ ଦରଦାମରେ ବୃଦ୍ଧିକୁ ବାଦ ଦେଇଦେଲେ ୨୦୧୭-୧୮ରୁ ୨୦୨୩-୨୪ ମଧ୍ୟରେ ଶ୍ରମଜୀବୀମାନଙ୍କର ବାସ୍ତବ ମଜୁରିରେ ବୃଦ୍ଧି ପରିବର୍ତ୍ତେ ହ୍ରାସ ଘଟିବା ଦେଖାଯାଇଥିଲା। ଆତ୍ମନିଯୁକ୍ତ ପୁରୁଷ ଶ୍ରମଜୀବୀମାନଙ୍କ ପାଇଁ ବାସ୍ତବ ମଜୁରିରେ ୯ ଶତାଂଶରୁ ଅଧିକ ହାରରେ ସ୍ଖଳନ ଘଟିଥିବାବେଳେ, ମହିଳା ଆତ୍ମନିଯୁକ୍ତ ଶ୍ରମଜୀବୀମାନଙ୍କ ପାଇଁ ଏହି ସ୍ଖଳନର ହାର ଥିଲା ଏକ ଅତ୍ୟନ୍ତ ତୀକ୍ଷ୍‌ଣ ୩୨ ଶତାଂଶରୁ ଅଧିକ। ବେତନଭୋଗୀମାନଙ୍କ ପାଇଁ ଏହି ସ୍ଖଳନର ହାର ଥିଲା ଯଥାକ୍ରମେ ୬.୪ ଶତାଂଶ ଓ ୧୨.୫ ଶତାଂଶ।
ଦୀର୍ଘ କାଳ ଧରି ଏହି ଧାରା ଅବ୍ୟାହତ ‌ରହିବାର ପରିଣତି ସ୍ବରୂପ ଭାରତରେ ଆୟ ଓ ସଂପଦର ବଣ୍ଟନରେ ଯେଉଁ ବୈଷମ୍ୟ ପ୍ରବେଶ କରିଛି, ତାହା ଫରାସୀ ଅର୍ଥ‌ନୀତିଜ୍ଞ ଥମାସ୍ ପିକେଟିଙ୍କ ବିଚାରରେ ଭାରତକୁ ପୃଥିବୀର ସର୍ବାଧିକ ବିଷମ ଅର୍ଥନୀତିରେ ପରିଣତ କରିଛି। ଏହାର ଏକ ଅତ୍ୟନ୍ତ ଚିନ୍ତାଜନକ ଉଦାହରଣ ସ୍ବରୂପ ଭାରତର ମୋଟ ସଂପଦର ୪୦ ଶତାଂଶ ଭାରତର ଜନସଂଖ୍ୟାର ଶିଖର ଏକ ଶତାଂଶଙ୍କ ମାଲିକାନାରେ ଥିବାବେଳେ ଜନସଂଖ୍ୟାର ତଳ ୫୦ ଶତାଂଶଙ୍କ ମାଲିକାନାରେ ଅଛି ମୋଟ ସଂପଦର ମାତ୍ର ତିନି ଶତାଂଶ। ବେଲ ପାଚିଲେ କୁଆର କି ଯାଏ? ଭଳି ସ୍ବାଭାବିକ ଭାବରେ ପ୍ରଶ୍ନ ଉଠେ ଭାରତ ପୃଥିବୀର ଚତୁର୍ଥ/ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେଲେ ଦେଶର ଜନସଂଖ୍ୟାର ଏହି ଅର୍ଦ୍ଧାଧିକ କୁଆମାନଙ୍କର ଯାଏଆସେ କ’ଣ?