ଏବେ ୟୁରୋପରୁ ଏସିଆ ପର୍ଯ୍ୟନ୍ତରେ ବିଭିନ୍ନ ଦେଶମାନଙ୍କରେ ଯେଉଁଠି ଟ୍ରମ୍ପଙ୍କୁ ଏକ ଆଦର୍ଶ ରୂପେ ଅନୁସରଣ କରାଯାଉଛି, ସେଠାରେ ଯଦି ଏଇଭଳି ରେମିଟାନ୍ସ ଟ୍ୟାକ୍ସ ବସାଇବା ଆରମ୍ଭ କରାଯାଏ ତେବେ ପ୍ରବାସୀମାନଙ୍କର ରେମିଟାନ୍ସ ଉପରେ ନିର୍ଭର କରୁଥିବା ଦେଶମାନଙ୍କର (ଯେମିତି ନେପାଳ ବା ଫିଲିପିନ୍ସ) ଅର୍ଥନୀତି ବିପର୍ଯ୍ୟସ୍ତ ହୋଇ ପଡ଼ିବ। ପୁଣି ଟ୍ରମ୍ପ ଯେ ତାଙ୍କର ଏହି ଟିକସକୁ ୫ ଶତାଂଶ ହାରରେ ସୀମିତ ରଖିବେ, ତାହାର ମଧ୍ୟ କୌଣସି ଗ୍ୟାରେଣ୍ଟି ନାହିଁ।
ଏଲନ୍ ମସ୍କ ହ୍ବାଇଟ୍ ହାଉସ୍ରୁ ବିଦାୟ ନେଇ ନିଜର ବ୍ୟବସାୟ ସାମ୍ରାଜ୍ୟକୁ ଫେରିଯିବା ପୂର୍ବରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଯେଉଁ ଏତ ସଦ୍ୟତମ ପଦକ୍ଷେପର ଖୋଲାଖୋଲି ସମାଲୋଚନା କରି ସମସ୍ତଙ୍କୁ ଚକିତ କରିଦେଇଥିଲେ, ତାହା ହେଲା ପ୍ରତିନିଧି ସଭାରେ ମାତ୍ର ଗୋଟିଏ ଅଧିକ ଭୋଟ୍ରେ ପାରିତ ହେବା ପରେ ସିନେଟ୍ରେ ପାରିତ ହେବାକୁ ଅପେକ୍ଷା କରିଥିବା ଟ୍ରମ୍ପଙ୍କ ଭାଷାରେ ‘ୱାନ୍ ବିଗ୍ ବିଉଟିଫୁଲ୍ ବିଲ୍’। ଏହି ବିଲ୍ ମୁଖ୍ୟତଃ ଆମେରିକା ସରକାରଙ୍କର ଆୟବ୍ୟୟ ସଂପର୍କିତ ହୋଇଥିବାବେଳେ ଏଥିରେ ଅନ୍ତର୍ଭୁକ୍ତ ଯେଉଁ ଏକ ପ୍ରସ୍ତାବ ଭାରତ ପାଇଁ ବିଶେଷ ତାତ୍ପର୍ଯ୍ୟ ବହନ କରିଥାଏ, ତାହା ହେଲା ଆମେରିକାରେ ଜୀବିକା ଅର୍ଜନ କରୁଥିବା ଅଣ-ଆମେରିକୀୟ ନାଗରିକମାନେ ବିଦେଶକୁ ପ୍ରେରଣ କରୁଥିବା ଅର୍ଥ ଉପରେ ୫ ଶତାଂଶ ହାରରେ ଟିକସ ବସାଇବାର ଯୋଜନା।
ତାଙ୍କର ଦ୍ବିତୀୟ ପାଳି ଶାସନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ମସ୍ତିଷ୍କରୁ ବାହାରିଥିବା ଅନ୍ୟାନ୍ୟ ଅନେକ ଉଦ୍ଭ୍ରାନ୍ତ ଚିନ୍ତାଧାରା ପରି ଏହା ହେଉଛି ଆଉ ଏକ ଉଦ୍ୟମ ଯାହା ହେଉଛି ତାଙ୍କର ମତାନ୍ଧ ସମର୍ଥକମାନଙ୍କୁ ତୁଷ୍ଟ କରିବା ପାଇଁ ଏଭଳି ଏକ କୌଶଳ ଯାହାର ନୈତିକତା ଓ ଅର୍ଥନୈତିକ ବିଜ୍ଞତା ଗୁରୁତର ପ୍ରଶ୍ନବାଚୀମାନ ଛିଡ଼ା କରାଇଥାଏ। ଟ୍ରମ୍ପ ଯେଉଁମାନଙ୍କ ଉପରେ ଏହି ପ୍ରେରଣ କର (ରେମିଟାନ୍ସ ଟ୍ୟାକ୍ସ) ବସାଇବାକୁ ଯାଉଛନ୍ତି, ସେମାନେ ଆମେରିକାର ଅନ୍ୟ ବାସିନ୍ଦାମାନଙ୍କ ପରି ସେଠାରେ ସରକାରଙ୍କୁ ବିଧିବଦ୍ଧ ଭାବରେ ଅନ୍ୟାନ୍ୟ ଟିକସ ମଧ୍ୟ ଦେଇ ଚାଲିଥାନ୍ତି। ମନେ ରଖିବା କଥା ଏହି ବହିରାଗତମାନେ ସେଠାରେ ଆମେରିକାର କୁଣିଆ ଭଳି ବିନା ପରିଶ୍ରମରେ ସେ ଦେଶର ସଂପଦ ଭକ୍ଷଣ କରିନଥାନ୍ତି; ବାସ୍ତବରେ ସେମାନଙ୍କର ମିଳିତ ଅବଦାନ ଯୋଗୁଁ ହିଁ ଆମେରିକାର ସମୃଦ୍ଧି ସମ୍ଭବ ହୋଇଛି।
ନିଜର କଠିନ ପରିଶ୍ରମ, ଅଧ୍ୟବସାୟ ଓ ଶୃଙ୍ଖଳା ଦ୍ବାରା ପ୍ରବାସୀମାନେ ସେଠାରେ ଯାହା ରୋଜଗାର କରନ୍ତି, ତାହାର ଏକ ବିଶେଷ ଅଂଶ ସେମାନେ ସେଠାରେ ସାମଗ୍ରିକ ଚାହିଦାକୁ ପରିପୁଷ୍ଟ କରି ସେ ଦେଶର ଅର୍ଥନୀତିକୁ ସାହାଯ୍ୟ କରିବାରେ ଓ ଟିକସ ଦେଇ ସରକାରଙ୍କ ତହବିଲ୍କୁ ପରିପୂର୍ଣ୍ଣ କରିବାରେ ନିୟୋଜିତ କରିବା ପରେ ସେମାନଙ୍କର ଉଦ୍ବୃତ୍ତ ଆୟର ଏକ ଅଂଶ ସ୍ବଦେଶରେ ଛାଡ଼ି ଆସିଥିବା ନିଜର ପରିବାର ସ୍ବଜନଙ୍କ ପାଖକୁ ପ୍ରେରଣ କରିଥାନ୍ତି। ଭୁଲିଯିବା ଉଚିତ ନୁହେଁ ଯେ ଏହି ପରିବାର ସ୍ବଜନଙ୍କ ତ୍ୟାଗ ଯୋଗୁଁ ଆମେରିକା ଏହି ପ୍ରବାସୀମାନଙ୍କର ଶ୍ରମ ଓ ସେବା ଉପଭୋଗ କରିଥାଏ। ଟ୍ରମ୍ପ ବର୍ତ୍ତମାନ ଏକ ‘ରେମିଟାନ୍ସ ଟ୍ୟାକ୍ସ’ ବସାଇବା ହେଉଛି ପ୍ରବାସୀମାନଙ୍କର ପରିବାର ସ୍ବଜନଙ୍କ ପାଟିରୁ ଆହାର ଛଡ଼ାଇ ନେବା ସହିତ ସମାନ। ଟ୍ରମ୍ପଙ୍କର ଏହି ଉଦ୍ୟମ ବହନ କରୁଥିବା ଅକୃତଜ୍ଞତା ଓ ଅନୈତିକତା ତାଙ୍କର ସମର୍ଥକମାନେ ମଧ୍ୟ ସ୍ବୀକାର କରିବେ।
ଉପରୋକ୍ତ ବିଲ୍ରେ ଥିବା ପ୍ରସ୍ତାବ ଅନୁସାରେ ଯେଉଁ ସଂସ୍ଥାମାନଙ୍କ ମାଧ୍ୟମରେ ପ୍ରବାସୀମାନେ ସ୍ବଦେଶକୁ ଅର୍ଥ ପ୍ରେରଣ କରିଥାନ୍ତି, ସେମାନେ ଏହି ଅର୍ଥର ଏକ ନିର୍ଦ୍ଦିଷ୍ଟ ଅଂଶ କାଟି ରଖି ସରକାରୀ ଟ୍ରେଜେରିରେ ପଇଠ କରିବାକୁ ହେବ। ଟ୍ରମ୍ପଙ୍କର ଏହି ପଦକ୍ଷେପ ଆମେରିକାରେ ବହିରାଗତମାନଙ୍କର ପ୍ରବେଶ ନିୟନ୍ତ୍ରଣ ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଉଥିଲେ ହେଁ, ଏହା ପଛରେ ଅନ୍ୟ ଏକ ସମ୍ଭାବନା ମଧ୍ୟ ଲୁଚି ରହିଥିବା ପରି ମନେ ହୁଏ। ତାହା ହେଲା, ଟ୍ରମ୍ପ ସରକାରଙ୍କ ଦ୍ବାରା ଅନୁସୃତ ବିଭିନ୍ନ ବିଭ୍ରାଟ ସୃଷ୍ଟିକାରୀ ନୀତିସବୁ ଯୋଗୁଁ ସେଠାରେ ସରକାର ବୋଧହୁଏ ଏକ ରାଜସ୍ବ ସଂକଟର ସମ୍ମୁଖୀନ ହେଲେଣି, ଯାହାକୁ ଭରଣା କରିବା ଉଦ୍ଦେଶ୍ୟରେ ଟ୍ରମ୍ପ ଏହି ରେମିଟାନ୍ସ ଟ୍ୟାକ୍ସର ପରିକଳ୍ପନା କରିଛନ୍ତି।
ଯଦିବା ଏହି ରେମିଟାନ୍ସ ଟ୍ୟାକ୍ସ ସମସ୍ତ ବହିରାଗତମାନଙ୍କ ପାଇଁ ଉଦ୍ଦିଷ୍ଟ, ଭାରତ ପାଇଁ ଏହା ବିଶେଷ ଭାବରେ ଚିନ୍ତାଜନକ ହୋଇଥାଏ। ଏହାର କାରଣ ହେଲା, ବିଗତ ପ୍ରାୟ ଦୁଇ ଦଶନ୍ଧି ଧରି ଭାରତ ପୃଥିବୀର ସର୍ବାଧିକ ପ୍ରବାସୀ-ପ୍ରେରିତ ଅର୍ଥ ପ୍ରାପ୍ତ ହେଉଥିବା ଦେଶ ରୂପେ ଆବିର୍ଭୂତ ହୋଇଛି। ୱର୍ଲଡ୍ ବ୍ୟାଙ୍କ୍ ସୂତ୍ରରୁ ଉପଲବ୍ଧ ସୂଚନା ଅନୁସାରେ କେବଳ ୨୦୨୪ରେ ପ୍ରବାସୀ ଭାରତୀୟମାନେ ମୋଟ ୧୨୯ ବିଲିଅନ୍ ଡଲାର୍ ସ୍ବଦେଶକୁ ପ୍ରେରଣ କରିଥିଲେ। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଦ୍ବିତୀୟ ସ୍ଥାନରେ ଥିବା ମେକ୍ସିକୋକୁ ସେ ଦେଶର ପ୍ରବାସୀମାନେ ପ୍ରେରଣ କରିଥିବା ମୋଟ ଅର୍ଥର ପରିମାଣ ଥିଲା ମାତ୍ର ୬୮ ବିଲିଅନ୍ ଡଲାର୍- ଭାରତର ପ୍ରାୟ ଅଧା। ସେଇ ବର୍ଷ ଚୀନା ପ୍ରବାସୀମାନେ ନିଜ ଦେଶକୁ ପ୍ରେରଣ କରିଥିବା ଅର୍ଥର ପରିମାଣ ଥିଲା ୪୮ ବିଲିଅନ୍ ଡଲାର୍ ମାତ୍ର। ଗୁରୁତ୍ବପୂର୍ଣ୍ଣ କଥା ହେଲା ଭାରତକୁ ପ୍ରେରିତ ହେଉଥିବା ଏହି ପ୍ରବାସୀ ଅର୍ଥର ଏକ ବିଶେଷ ଅଂଶ ଆସିଥାଏ ଆମେରିକାରୁ। ରିଜର୍ଭ ବ୍ୟାଙ୍କ୍ର ଆକଳନ ଅନୁସାରେ ଗତ ବର୍ଷ ଆମେରିକାରୁ ଭାରତକୁ ପ୍ରେରିତ ଅର୍ଥର ପରିମାଣ ଥିଲା ୩୨ ବିଲିଅନ୍ ଡଲାର୍ରୁ ଅଧିକ, ଯାହା ଥିଲା ଉପରୋକ୍ତ ମୋଟ ପରିମାଣର ପ୍ରାୟ ଏକ-ଚତୁର୍ଥାଂଶ।
ଏହା ସଂପୂର୍ଣ୍ଣ ସମ୍ଭବ ଯେ ଏହି ଅର୍ଥ ମୁଖ୍ୟତଃ ସେଇ ସମସ୍ତ ପ୍ରବାସୀ ଭାରତୀୟମାନେ ପ୍ରେରଣ କରିଥିଲେ ଯେଉଁମାନେ ନିଜ ନିଜର ପରିବାରକୁ ଭାରତରେ ଛାଡ଼ି ‘ୱର୍କ ଭିସା’ ଧରି ଯାଇ ଆମେରିକାରେ ଜୀବିକାର୍ଜନ କରୁଛନ୍ତି। ଏବେ ଟ୍ରମ୍ପ ଯଦି ଏଥିରୁ ୫ ଶତାଂଶ ଛଡ଼ାଇ ନିଅନ୍ତି, ତେବେ ଏହି ପରିବାରବର୍ଗ ମୋଟ ପ୍ରାୟ ୧.୫ ବିଲିଅନ୍ ଡଲାର୍ ହରାଇ ବସିବେ। ଏମିତିରେ ସ୍ବଦେଶକୁ ଅର୍ଥ ପ୍ରେରଣ ବ୍ୟୟସାପେକ୍ଷ ହୋଇଥାଏ। ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ୨୦୨୩ରେ କରିଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଥିଲା ଯେ ଆମେରିକାରୁ ଭାରତକୁ ୨୦୦ ଡଲାର୍ ପ୍ରେରଣ କରିବା ପାଇଁ ହାରାହାରି ପ୍ରାୟ ୧୦ ଡଲାର୍ ଖର୍ଚ୍ଚ କରିବାକୁ ପଡୁଥିଲା। ଟ୍ରମ୍ପ ଟିକସ ଲାଗୁ ହେଲେ ସେଇ ଖର୍ଚ୍ଚ ବର୍ତ୍ତମାନ ଦ୍ବିଗୁଣିତ ହୋଇଯିବ। ଏହାର ଏକ ସମ୍ଭାବ୍ୟ ପରିଣତି ସ୍ବରୂପ ପ୍ରବାସୀମାନେ ଆଉ ବିଧିବଦ୍ଧ ଆଇନ ସମ୍ମତ ପ୍ରେରଣ ସଂସ୍ଥାମାନଙ୍କ ମାଧ୍ୟମରେ ଅର୍ଥ ପ୍ରେରଣ ନ କରି, ଅସ୍ବଚ୍ଛ ଅବୈଧ ହାୱାଲା ସଂସ୍ଥାମାନଙ୍କ ମାଧ୍ୟମରେ ଅର୍ଥ ପ୍ରେରଣ କରିବାକୁ ପସନ୍ଦ କରିବେ। ଆନ୍ତର୍ଜାତିକ ବିତ୍ତୀୟ ବ୍ୟବସ୍ଥାକୁ ସ୍ବଚ୍ଛ ଓ ସୁଦକ୍ଷ କରିବା ପାଇଁ ଆନ୍ତର୍ଜାତିକ ସ୍ତରରେ ଉଦ୍ୟମ ଚାଲିଥିବାବେଳେ, ଟ୍ରମ୍ପଙ୍କର ଏହି ପଦକ୍ଷେପ ତାହାର ଏକ ଗୁରୁତ୍ବପୂର୍ଣ୍ଣ ଅଂଶକୁ ହାୱାଲା ବା ମାଫିଆ ଭଳି ଅବୈଧ ସଂସ୍ଥାମାନେ ରାଜତ୍ବ କରୁଥିବା ଏକ ଅସ୍ବଚ୍ଛ ଅନ୍ଧାରି ଦୁନିଆ ମଧ୍ୟକୁ ଠେଲି ଦେବ।
ଟ୍ରମ୍ପଙ୍କର ରେମିଟାନ୍ସ ଟ୍ୟାକ୍ସକୁ ଯାହା ଆହୁରି ଅଧିକ ବିପଜ୍ଜନକ କରିଥାଏ, ତାହା ହେଲା, ଅନ୍ୟ ଦେଶମାନେ ମଧ୍ୟ ଏହାକୁ ଅନୁକରଣ କରିବାର ସମ୍ଭାବନା। ଏବେ ୟୁରୋପରୁ ଏସିଆ ପର୍ଯ୍ୟନ୍ତରେ ବିଭିନ୍ନ ଦେଶମାନଙ୍କରେ ଯେଉଁଠି ଟ୍ରମ୍ପଙ୍କୁ ଏକ ଆଦର୍ଶ ରୂପେ ଅନୁସରଣ କରାଯାଉଛି, ସେଠାରେ ଯଦି ଏଇଭଳି ରେମିଟାନ୍ସ ଟ୍ୟାକ୍ସ ବସାଇବା ଆରମ୍ଭ କରାଯାଏ ତେବେ ପ୍ରବାସୀମାନଙ୍କର ରେମିଟାନ୍ସ ଉପରେ ନିର୍ଭର କରୁଥିବା ଦେଶମାନଙ୍କର (ଯେମିତି ନେପାଳ ବା ଫିଲିପିନ୍ସ) ଅର୍ଥନୀତି ବିପର୍ଯ୍ୟସ୍ତ ହୋଇ ପଡ଼ିବ। ପୁଣି ଟ୍ରମ୍ପ ଯେ ତାଙ୍କର ଏହି ଟିକସକୁ ୫ ଶତାଂଶ ହାରରେ ସୀମିତ ରଖିବେ, ତାହାର ମଧ୍ୟ କୌଣସି ଗ୍ୟାରେଣ୍ଟି ନାହିଁ।
ଟ୍ରମ୍ପଙ୍କର ଏହି ରେମିଟାନ୍ସ ଟ୍ୟାକ୍ସ ନିଶ୍ଚିତ ରୂପେ ତାଙ୍କର ‘ମେକ୍ ଆମେରିକା ଗ୍ରେଟ୍ ଏଗେନ୍’ ବା ‘ମାଗା’ ମନ୍ତ୍ର ସହିତ ଖାପ ଖାଉନାହିଁ। ଅବିଚାରିତ ଅର୍ଥନୈତିକ ଜାତୀୟତାବାଦ କିପରି ଅର୍ଥନୈତିକ ନିଷ୍ଠୁରତାକୁ ରୂପାନ୍ତରିତ ହୋଇଯାଇପାରେ ରେମିଟାନ୍ସ ଟ୍ୟାକ୍ସ ପରିକଳ୍ପନା ହେଉଛି ତାହାର ଏକ ଯନ୍ତ୍ରଣାଦାୟକ ଉଦାହରଣ। ଟ୍ରମ୍ପଙ୍କ ଟ୍ୟାକ୍ସ ଦ୍ବାରା ନିରୁତ୍ସାହିତ ପ୍ରବାସୀମାନେ ଆମେରିକା ପ୍ରତି ସଦିଚ୍ଛା ହରାଇବା ‘‘ଆମେରିକା ଆଉଥରେ ମହାନ ହେବା’’ରେ ସହାୟକ ହେବ ନାହିଁ।