ତାପମାତ୍ରାରେ ବୃଦ୍ଧି ଘଟି ମାନବୀୟ ସହିବା ସୀମା (୪୫ଂସି ସହିତ ୫୦% ଆପେକ୍ଷିକ ଆର୍ଦ୍ରତା) ଲଂଘନ କରିଚାଲିଲେ ଭାରତରେ ଶ୍ରମ ଉତ୍ପାଦନଶୀଳତାରେ ତୀକ୍ଷ୍ଣ ହ୍ରାସ ଘଟି ଭାରତ ଏକ ବିକଶିତ ଦେଶରେ ପରିଣତ ହେବାରେ ବାଧକ ସାଜିବ। ଏହି ସଂକଟର ସମାଧାନର ଉପାୟ ହେଉଛି ଦେଶରେ ‘ଏ/ସି’ ବ୍ୟବହାରରେ ବ୍ୟାପକ ପ୍ରସାର।
ନିକଟରେ ସୁପ୍ରିମ୍ କୋର୍ଟ ପ୍ରଦାନ କରିଥିବା ଏକ ନିର୍ଦ୍ଦେଶ ପରିବେଶ ସୁରକ୍ଷା ପରିସରରେ ହର୍ଷଉଲ୍ଲାସ ସୃଷ୍ଟି କରିବା ଦେଖାଯାଇଛି। ଏହି ନିର୍ଦ୍ଦେଶ ବଳରେ ସର୍ବୋଚ୍ଚ ଅଦାଲତ ବିଗତ ଆଠ ବର୍ଷ ଧରି ବଳବତ୍ତର ରହି ଆସିଥିବା କେନ୍ଦ୍ର ସରକାରଙ୍କର ପରିବେଶ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ଏକ ବିଜ୍ଞପ୍ତିକୁ ନାକଚ କରିଦେଇଛନ୍ତି। ମାର୍ଚ୍ଚ ୨୦୧୭ରେ ଉକ୍ତ ମନ୍ତ୍ରଣାଳୟ ଜାରି କରିଥିବା ଏହି ବିଜ୍ଞପ୍ତି ଆବଶ୍ୟକ ପରିବେଶ ଅନୁମତି (ଏନ୍ଭାଇରନ୍ମେଣ୍ଟ କ୍ଲିଅରାନ୍ସ) ପାଇବା ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରି ଦେଇଥିବା କିମ୍ବା ସେଥିରେ ସଂପ୍ରସାରଣ ଘଟାଇଥିବା ଶିେଳ୍ପାଦ୍ୟୋଗମାନଙ୍କୁ ପିଛିଲା ତାରିଖରୁ କ୍ଲିଅରାନ୍ସ ପାଇବା ନିମିତ୍ତ ଆବେଦନ କରିବା ପାଇଁ ସୁଯୋଗ ପ୍ରଦାନ କରିଥିଲା। ବିଶେଷ ଭାବରେ ପରିବେଶ ପ୍ରଦୂଷଣ ଘଟାଉଥିବା ଖଣି ଓ ନିର୍ମାଣ ଶିଳ୍ପମାନ ଏହି ବିଜ୍ଞପ୍ତିର ସୁଯୋଗ ନେବା ଦେଖାଯାଇଥିଲା। ପରିବେଶ ପ୍ରଦୂଷଣ ହ୍ରାସ କରିବା ଦିଗରେ ଏହାକୁ ସୁପ୍ରିମ୍ କୋର୍ଟଙ୍କର ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ରୂପେ ସ୍ବାଗତ କରାଯାଉଛି।
ଅନ୍ୟ ଏକ ଘଟଣାରେ କେନ୍ଦ୍ର ଗୃହନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଖଟ୍ଟର ଦେଶରେ ବ୍ୟବହୃତ ଶୀତତାପ ନିୟନ୍ତ୍ରକ ଯନ୍ତ୍ର ବା ଏହାର ଅଧିକ ସୁପରିଚିତ ନାମ ‘ଏ/ସି’ର ଶୀତଳୀକରଣ କ୍ଷମତାକୁ ୨୦ଂସିରୁ ୨୮ଂସି ମଧ୍ୟରେ ବାଧ୍ୟତାମୂଳକ ଭାବରେ ସୀମିତ ରଖିବାକୁ ସରକାର ଏକ ନିର୍ଦ୍ଦେଶ ଜାରି କରିବାକୁ ଯାଉଛନ୍ତି ବୋଲି ଘୋଷଣା କରିଛନ୍ତି। ‘ଏ/ସି’ ବ୍ୟବହାରରେ ଏହି ବାଧ୍ୟତାମୂଳକ ସଂଯମ ରକ୍ଷା ଦ୍ବାରା ଦେଶରେ ବିଦ୍ୟୁତ୍ ଶକ୍ତି ଯୋଗାଣ ଉପରେ ଚାପ ହ୍ରାସ ପାଇବା ସହିତ ‘ଏ/ସି’ରୁ ନିର୍ଗତ ଉଷ୍ଣ ବାୟୁଜନିତ ଆଞ୍ଚଳିକ ପରିବେଶର ତାପମାତ୍ରାରେ ଘଟୁଥିବା ବୃଦ୍ଧି ମଧ୍ୟ ନିୟନ୍ତ୍ରିତ ହେବ। ଦେଶରେ ବର୍ତ୍ତମାନ ବ୍ୟାପକ ଭାବରେ ପ୍ରସାର ଲାଭ କରିଚାଲିଥିବା ‘ଏ/ସି’ ବ୍ୟବହାରରୁ ସୃଷ୍ଟ ଏହି କୁପରିଣାମମାନଙ୍କରେ ଯଥାସମ୍ଭବ ହ୍ରାସ ଘଟାଇବା ଉଦ୍ଦେଶ୍ୟରେ ସରକାର ଉପରୋକ୍ତ ପଦକ୍ଷେପ ଗ୍ରହଣ କରିବା ଚିନ୍ତା କରୁଛନ୍ତି।
ଉପରୋକ୍ତ ଏହି ଦୁଇଟି ଅସଂପୃକ୍ତ ମନେ ହେଉଥିବା ଘଟଣାମାନଙ୍କ ମଧ୍ୟରେ ଏକ ଯୋଗସୂତ୍ର ଆବିଷ୍କାର କରିବାକୁ ଯଦି ଆହ୍ବାନ ଦିଆଯାଏ, ତେବେ ଅଧିକାଂଶ ଉତ୍ତରଦାତା ବୋଧହୁଏ ଯେଉଁ ଯୋଗସୂତ୍ରକୁ ସର୍ବାଧିକ ସମ୍ଭବ ଓ ଯୁକ୍ତିଯୁକ୍ତ ବୋଲି ବିଚାର କରିବେ ତାହା ହେବ ନିମ୍ନ ବର୍ଣ୍ଣିତ ଭଳି। ପରିବେଶ ପ୍ରଦୂଷଣ ଯୋଗୁଁ ପରିବେଶର ତାପମାତ୍ରାରେ ବୃଦ୍ଧି ଘଟିଥାଏ; ସୁପ୍ରିମ୍ କୋର୍ଟଙ୍କର ଉପରୋକ୍ତ ନିର୍ଦ୍ଦେଶ ଯୋଗୁଁ ଯଦି ପ୍ରଦୂଷଣରେ ହ୍ରାସ ଘଟେ, ତେବେ ଉତ୍ତପ୍ତୀକରଣ ହ୍ରାସ ପାଇବ; ଏହା ଫଳରେ ‘ଏ/ସି’ ବ୍ୟବହାରରେ ଦେଖାଯାଉଥିବା ବୃଦ୍ଧିରେ ଶିଥିଳତା ଦେଖାଦେବ; ଏଣୁ ଏହାର ମିଳିତ ପ୍ରଭାବରେ ଖଟ୍ଟରଙ୍କ ମୁଣ୍ଡବିନ୍ଧାରେ ଉପଶମ ଘଟିବ।
ଦୁର୍ଭାଗ୍ୟଜନକ ଭାବରେ କିନ୍ତୁ ଏହି ଯୁକ୍ତି ଠିକ୍ ସେଇଭଳି ଅକାଟ୍ୟ ମନେ ହୋଇଥାଏ, ଯେମିତି ଆମକୁ କୋପରନିକସ୍ ନ ଚେତାଇବା ପର୍ଯ୍ୟନ୍ତ ଆମେ ଏକ ସ୍ଥିର ପୃଥିବୀକୁ ସୂର୍ଯ୍ୟ ପ୍ରତିଦିନ ପରିକ୍ରମା କରିବା ଅକାଟ୍ୟ ସତ୍ୟ ବୋଲି ବିଶ୍ବାସ କରୁଥିଲୁ। ସିଧାସଳଖ ଭାବରେ କହିଲେ ବୈଜ୍ଞାନିକମାନଙ୍କ ମତରେ ଏଠାରେ ଅଖାଡୁଆ ମନେ ହେଉଥିବା ସତ କଥାଟି ହେଲା- ପରିବେଶ ପ୍ରଦୂଷଣ ଯୋଗୁଁ ତାପମାତ୍ରାରେ ବୃଦ୍ଧି ତ୍ବରାନ୍ବିତ ହେବା ପରିବର୍ତ୍ତେ ଧୀମେଇ ଯାଇଥାଏ। ସେମାନେ ଏହାର ପ୍ରମାଣ ସ୍ବରୂପ ଦର୍ଶାଇଥାନ୍ତି ଯେ ବିଗତ ୪୦ ବର୍ଷରେ ଭାରତ ସମେତ ଦକ୍ଷିଣ ଏସିଆରେ ତାପମାତ୍ରାରେ ଦଶନ୍ଧି ପିଛା ହାରାହାରି ୦.୦୯ଂସି ବୃଦ୍ଧି ଘଟିଥିବାବେଳେ ପୃଥିବୀର ବାକି ଭୂ-ଭାଗରେ ଏହି ବୃଦ୍ଧିର ମାତ୍ରା ହୋଇଛି ୦.୩୦ଂସି ଏବଂ ଅନୁରୂପ ଅକ୍ଷାଂଶରେ ଅବସ୍ଥିତ ଅନ୍ୟ ଅଞ୍ଚଳମାନଙ୍କରେ ତାହା ହୋଇଛି ୦.୨୩ଂସି। ବୈଜ୍ଞାନିକମାନଙ୍କ ବିଚାରରେ ଏହି ଅଞ୍ଚଳରେ ଦେଖାଯାଉଥିବା ଉଚ୍ଚା ପ୍ରଦୂଷଣ ପରିସ୍ଥିତି ଯୋଗୁଁ ଏଠାରେ ତାପମାତ୍ରାରେ ବୃଦ୍ଧି ଏଭଳି ଅପେକ୍ଷାକୃତ ନୀଚା ହୋଇଛି।
ବିଶ୍ବ ତାପନ ପାଇଁ ଦାୟୀ ଦୀର୍ଘସ୍ଥାୟୀ ‘ଗ୍ରୀନ୍ ହାଉସ ଗ୍ୟାସ୍’ମାନ (ଅଙ୍ଗାରକାମ୍ଳ, ମିଥେନ୍, ନାଇଟ୍ରସ୍ ଅକ୍ସାଇଡ୍ ଆଦି) ପୃଥିବୀ ସାରା ଖେଳାଇ ହୋଇ ରହିଥାନ୍ତି; କିନ୍ତୁ ଅନ୍ୟ ପ୍ରକାର ପ୍ରଦୂଷଣ ନିର୍ଦ୍ଦିଷ୍ଟ ଅଞ୍ଚଳମାନଙ୍କରେ ଅଧିକ କେନ୍ଦ୍ରୀଭୂତ ହୋଇଥିବା ଦେଖାଯାଇଥାଏ। ଅଧିକାଂଶ ଏଭଳି ଆଞ୍ଚଳିକ ପ୍ରଦୂଷଣ ଭୂ-ପୃଷ୍ଠକୁ ଉତ୍ତପ୍ତ କରିବା ପରିବର୍ତ୍ତେ ଶୀତଳ କରିଥାଏ। ସଲ୍ଫେଟ୍ କଣିକା, ଧୂମ୍ର କଣିକା ଓ ଅନ୍ୟ ଏରୋେସାଲ୍ମାନ ସୂର୍ଯ୍ୟାଲୋକ ଭୂ-ପୃଷ୍ଠରେ ପହଞ୍ଚିବା ପୂର୍ବରୁ ତାକୁ ବାଟରେ ଅଟକାଇ ପୁଣି ମହାଶୂନ୍ୟ ଦିଗରେ ପ୍ରତିଫଳିତ କରିଦିଅନ୍ତି କିମ୍ବା ତାକୁ ଶୋଷି ଦେଇଥାନ୍ତି। ଏରୋସୋଲ୍ ମଧ୍ୟ ବାଦଲ ଆଚ୍ଛାଦନରେ ପରିବର୍ତ୍ତନ ଘଟାଇ ଭୂ-ପୃଷ୍ଠକୁ ସୂର୍ଯ୍ୟ ଠାରୁ ଘୋଡ଼ାଇ ରଖିଥାଏ।
ଜାତିସଂଘର ବିଶେଷଜ୍ଞ ସଂସ୍ଥା ‘ଇଣ୍ଟର୍ଗଭର୍ନମେଣ୍ଟାଲ ପ୍ୟାନେଲ୍ ଅନ୍ କ୍ଲାଇମେଟ୍ ଚେଞ୍ଜ’ (‘ଆଇପିସିସି’) ଅନୁସାରେ ଏରୋସୋଲ୍ର ଉପସ୍ଥିତି ଯୋଗୁଁ ପ୍ରାକ୍-ଶିଳ୍ପବିପ୍ଳବ ସମୟ ଠାରୁ ବର୍ତ୍ତମାନ ମଧ୍ୟରେ ପୃଥିବୀର ତାପମାତ୍ରାରେ ୦.୪ଂସି ବୃଦ୍ଧିକୁ ଅଟକାଇ ଦିଆଯାଇ ପାରିଛି। ଅନ୍ୟ ପ୍ରକାରେ କହିଲେ ଏହାଦ୍ବାରା ଗ୍ରୀନ୍ ହାଉସ ଗ୍ୟାସ୍ମାନଙ୍କର ଉତ୍ତପ୍ତୀକରଣ ପ୍ରଭାବରେ ପ୍ରାୟ ଏକ-ତୃତୀୟାଂଶ ହ୍ରାସ ଘଟାଇ ଦିଆଯାଇ ପାରିଛି। ଉତ୍ତାପ ନିୟନ୍ତ୍ରଣରେ ଏରୋସୋଲ୍ ପ୍ରଦୂଷଣର ଏହି ଭୂମିକାର ଏକ ପ୍ରମୁଖ ଉଦାହରଣ ସ୍ବରୂପ ଦର୍ଶାଯାଇଥାଏ ଯେ ଚୀନ୍ରେ ପ୍ରଦୂଷଣ ନିୟନ୍ତ୍ରଣ ଅଭିଯାନର ଫଳସ୍ବରୂପ ସେଇ ବିଶାଳ ଭୂ-ଖଣ୍ଡରେ ଏରୋସୋଲ୍ ନିର୍ଗମନରେ ତୀକ୍ଷ୍ଣ ହ୍ରାସ ଘଟିବା ଯୋଗୁଁ ପରିବେଶର ତାପମାତ୍ରାରେ ଉଲ୍ଲେଖନୀୟ ବୃଦ୍ଧି ଘଟିବା ଦେଖାଯାଇଛି।
ଭାରତର ଗାଙ୍ଗେୟ ଉପତ୍ୟକା ହେଉଛି ପୃଥିବୀର ସର୍ବାଧିକ ପ୍ରଦୂଷିତ ଅଞ୍ଚଳମାନଙ୍କ ମଧ୍ୟରୁ ଅନ୍ୟତମ। ଭାରୀ ଶିଳ୍ପ, ଯାନ ନିର୍ଗମନ, କୃଷି ଅଳିଆ ଦହନ ଏବଂ ରନ୍ଧନରେ କଠିନ ଇନ୍ଧନର ବ୍ୟବହାର ଯୋଗୁଁ ଏହି ଅଞ୍ଚଳରେ ଉଚ୍ଚ ମାତ୍ରାରେ ଏରୋସୋଲ୍ ନିର୍ଗମନ ଘଟିଥାଏ। ଏକାଧିକ ଅନୁଶୀଳନରୁ ଜଣାପଡ଼ିଛି ଯେ ବିଗତ ଦୁଇ ଦଶନ୍ଧି ଧରି ଏଠାରେ ପରିବେଶରେ ଏରୋସୋଲ୍ ସ୍ତର ଉଚ୍ଚା ରହିବା ଦ୍ବାରା ସେ ଅଞ୍ଚଳରେ ବର୍ଦ୍ଧିଷ୍ଣୁ ତାପମାତ୍ରା କେତେକାଂଶରେ ପ୍ରତିହତ ହୋଇ ସର୍ବାଧିକ ସମ୍ଭବ ସ୍ତରଠାରୁ ତଳେ ରହିଛି, ଯଦିବା ତାହା ମଧ୍ୟ ଅସହନୀୟ ସ୍ତର ସ୍ପର୍ଶ କରିବା ଅନୁଭୂତ ହୋଇଥାଏ।
କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମେ ଉତ୍ତପ୍ତୀକରଣକୁ ନିୟନ୍ତ୍ରଣ କରିବା ପାଇଁ ଏରୋସୋଲ୍ ପ୍ରଦୂଷଣକୁ ସ୍ବାଗତ କରିବା। ପ୍ରକୃତ ପକ୍ଷେ ବର୍ତ୍ତମାନ ବାୟୁ ପ୍ରଦୂଷଣ ଆମ ପାଇଁ ହେଉଛି ଉତ୍ତପ୍ତୀକରଣ ଠାରୁ ବହୁ ଅଧିକ କ୍ଷତିକାରକ ବୋଲି ସାବ୍ୟସ୍ତ ହୋଇଛି। ଉଦାହରଣ ସ୍ବରୂପ ‘ଗ୍ଲୋବାଲ୍ ବର୍ଡନ୍ ଅଫ୍ ଡିଜିଜ୍’ ଅନୁଶୀଳନ ଅନୁସାରେ କେବଳ ୨୦୨୧ରେ ଏରୋସୋଲ୍ ପ୍ରଦୂଷଣ ଯୋଗୁଁ ଏହି ଅଞ୍ଚଳରେ ୨-୩ ନିୟୁତ ଲୋକଙ୍କର ମୃତ୍ୟୁ ଘଟିଥିଲା। ସେଇ ତୁଳନାରେ ସେଇ ବର୍ଷ ଚରମ ଉତ୍ତାପ ଯୋଗୁଁ ଘଟିଥିବା ମୃତ୍ୟୁ ସଂଖ୍ୟା ୧ ଲକ୍ଷରୁ ୬ ଲକ୍ଷ ମଧ୍ୟରେ ସୀମିତ ଥିଲା। ତେଣୁ ଜନସ୍ବାସ୍ଥ୍ୟକୁ ସୁରକ୍ଷିତ ରଖିବା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ଉଦ୍ୟମକୁ ଜୋରଦାର କରିବା ବ୍ୟତୀତ ଆମ ପାଖରେ ଅନ୍ୟ ଉପାୟ କିଛି ନାହିଁ, ଯେଉଁଥିରେ ସୁପ୍ରିମ୍ କୋର୍ଟଙ୍କର ଉପରୋକ୍ତ ନିର୍ଦ୍ଦେଶ ନିଶ୍ଚିତ ରୂପେ ସହାୟକ ହେବ।
କିନ୍ତୁ ଏଥିଯୋଗୁଁ ତାପମାତ୍ରାରେ ବୃଦ୍ଧି ଘଟି ମାନବୀୟ ସହିବା ସୀମା (୪୫ଂସି ସହିତ ୫୦% ଆପେକ୍ଷିକ ଆର୍ଦ୍ରତା) ଲଂଘନ କରିଚାଲିଲେ ଭାରତରେ ଶ୍ରମ ଉତ୍ପାଦନଶୀଳତାରେ ତୀକ୍ଷ୍ଣ ହ୍ରାସ ଘଟି ଭାରତ ଏକ ବିକଶିତ ଦେଶରେ ପରିଣତ ହେବାରେ ବାଧକ ସାଜିବ। ଏହି ସଂକଟର ସମାଧାନର ଉପାୟ ହେଉଛି ଦେଶରେ ‘ଏ/ସି’ ବ୍ୟବହାରରେ ବ୍ୟାପକ ପ୍ରସାର। କିନ୍ତୁ ପୂର୍ବରୁ କୁହାଯାଇଥିବା ଭଳି ଏହାର ସମ୍ଭାବ୍ୟ କୁପରିଣାମରୁ ରକ୍ଷା ପାଇବା ନିମିତ୍ତ ଯେଉଁ ସଂଯମ ଲୋଡ଼ା ହୋଇଥାଏ, ଖଟ୍ଟର-ପରିକଳ୍ପିତ ଶୀତଳୀକରଣ ଲଗାମ ସେଥିରେ ନିଶ୍ଚିତ ରୂପେ ସହାୟକ ହେବ।